- ମହିଳା ହେଲେବି କରିଦେଲେ ଖେଳ ଓ ହେଲେ ମାଲାମାଲ

ପ୍ରାୟ ୪କୋଟି ଟଙ୍କା ହେରଫେର ଅଭିଯୋଗରେ ମହିଳା ଓଏଏସ୍ ଅଫିସର ମଧୁସ୍ମିତା ସିଂଙ୍କୁ ଆଜି ଓଡ଼ିଶା ପୁଲିସର ଅର୍ଥନୀତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି । ମଧୁସ୍ମିତା ଏବେ ମୟୂରଭଞ୍ଜ ଜିଲ୍ଲାର ଜାମଦା ତହସିଲରେ ତହସିଲଦାର ଭାବେ କାର୍ଯ୍ୟରତ | ଏହା ପୂର୍ବରୁ ବେଲପାହାଡ଼ ପୌର ପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ଏହି ଆର୍ଥିକ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ମଧୁସ୍ମିତାଙ୍କୁ ରାଜସ୍ୱ ବିଭାଗ ଇତିମଧ୍ୟରେ ଚାକିରିରୁ ନିଲମ୍ବନ କରିସାରିଛି ।
ସୂଚନା ଅନୁସାରେ, ବେଲପାହାଡ଼ ପୌର ପରିଷଦରେ କୋଟିକୋଟି ଟଙ୍କା ହେରଫେର ମାମଲାରେ ଅର୍ଥନୀତିକ ଅପରାଧ ଶାଖା ମଧୁସ୍ମିତାଙ୍କୁ ଗିରଫ କରିଛି । ବେଲପାହାଡ଼ ପୁଲିସ ପ୍ରଥମେ ଏହି ମାମଲାର ପ୍ରାଥମିକ ତଦନ୍ତ କରିଥିଲା ଓ ଗତ ଅଗଷ୍ଟ ୨୭ତାରିଖରେ ଅର୍ଥନୀତିକ ଅପରାଧ ଶାଖାକୁ ମାମଲା ହସ୍ତାନ୍ତର ହୋଇଛି । ଏହି ଆର୍ଥିକ ହେରଫେର ମାମଲାରେ ବେଲପାହାଡ଼ ପୌର ପରିଷଦର ଟ୍ରେଜରର ବିଭୂତି ସାହୁଙ୍କୁ ପୁଲିସ ଗିରଫ କରିସାରିଛି । ମଧୁସ୍ମିତା ବେଲପାହାଡ଼ା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ପ୍ରାୟ ୪କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ହୋଇଥିବା କୁହାଯାଉଛି ।
ଅର୍ଥନୀତିକ ଅପରାଧ ଶାଖାର ତଦନ୍ତରୁ ମଧ୍ୟ ଏହି ଆର୍ଥିକ ହେରଫେର ସ୍ପଷ୍ଟ ପରିଲକ୍ଷିତ ହୋଇଛି । ତଦନ୍ତବେଳେ ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି ଯେ, ବର୍ତ୍ତମାନର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନ ମଧ୍ୟ ବେଲପାହାଡ଼ ପୌର ପରିଷଦର କ୍ୟାସବୁକ୍ ଯାଂଚ ନକରି ପ୍ରାୟ ୨କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିସାରିଛନ୍ତି । ଶ୍ରୀ ପ୍ରଧାନଙ୍କୁ ମଧ୍ୟ ଆବଶ୍ୟକ ଦସ୍ତାବିଜ ସହ ହାଜର ହେବା ପାଇଁ ଇଓଡବ୍ଲ୍ୟୁ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି ।
ଶ୍ରୀ ପ୍ରଧାନ ଦାୟିତ୍ୱ ଗ୍ରହଣ କରିବା ସମୟରେ ପୌର ପରିଷଦର କ୍ୟାସବୁକର ସ୍ଥିତି କ’ଣ ଥିଲା ଓ ସେ କେଉଁ ଆଧାରରେ ଏହି ଅର୍ଥ ପ୍ରଦାନକୁ ଅନୁମୋଦନ କରିଥିଲେ ତାହା ଇଓଡବ୍ଲ୍ୟୁ ଯାଂଚ କରିବ ବୋଲି ଜଣାପଡ଼ିଛି ।
ବେଲପାହାଡ଼ ପୌରପରିଷଦର ଏହି ଆର୍ଥିକ ହେରଫେର ପଦାକୁ ଆସିବା ପରେ ଟ୍ରେଜେରୀ ବିଭାଗ, ଟ୍ରେଜେରୀ ନିର୍ଦ୍ଦେଶାଳୟ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରଶାସନିକ ଜାଗ୍ରତ ହୋଇ ଉଠିଛନ୍ତି |
 
 
No comments:
Post a Comment