AFFILIATE MARKETING

https://binomo.com?a=90810425bb57&t=0

Wednesday, September 24, 2025

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା ନସରିନ୍‌

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା ନସରିନ୍‌

‘ମହିଳାମାନେ ଧାର୍ମିକ ଅତ୍ୟାଚାରକୁ ପ୍ରତିରୋଧ କରିବା ଉଚିତ୍’

ଭୁବନେଶ୍ୱର, ୨୩/୯: ମହିଳାଙ୍କୁ ପ୍ରକୃତ ସମାନତା ପ୍ରଦାନ କରିବାକୁ ହେଲେ ରାଜ୍ୟ ଓ ଧର୍ମର ସଂପର୍କକୁ ବିଚ୍ଛିନ୍ନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ସାମାଜିକକର୍ମୀ ଡକ୍ଟର ତସ୍‌ଲିମା ନସରିନ୍ ।

ଆଇନ୍ ସମାନତା ଏବଂ ମାନବାଧିକାର ଉପରେ ପର୍ଯ୍ୟବେଶିତ ହେବା ଉଚିତ୍ । ଏହା କୌଣସି ଧାର୍ମିକ ସିଦ୍ଧାନ୍ତ ଦ୍ୱାରା ପରିଚାଳିତ ହେବା ଉଚିତ ନୁହେଁ ଯାହାକି ମହିଳାମାନଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କରେ ବୋଲି କହିଛନ୍ତି ଡକ୍ଟର ନସରିନ୍ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ବକ୍ତୃତା କାର୍ଯ୍ୟକ୍ରମରେ ମଙ୍ଗଳବାର ଯୋଗ ଦେଇ ସେ ଏହି ମନ୍ତବ୍ୟ ରଖିଛନ୍ତି ।

ପେସାରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ହୋଇଥିଲେ ମଧ୍ୟ ଡକ୍ଟର ନସରିନ୍ ହେଉଛନ୍ତି ଜଣେ ବାଂଲାଦେଶୀ ଲେଖିକା ଯାହାଙ୍କୁ କି ନିଜର ଲେଖନୀ ଏବଂ ମତ ନିମନ୍ତେ ନିଜ ଦେଶରୁ ନିର୍ବାସିତ କରାଯାଇଥିଲା । ନିଜ ବକ୍ତବ୍ୟରେ ମହିଳାମାନଙ୍କର ମାନବିକ ସମ୍ମାନ ଏବଂ ସମାନତାକୁ ବଜାୟ ରଖିବା ପାଇଁ ତାଙ୍କ ସଂଘର୍ଷ ସମ୍ପର୍କରେ କହିବା ସହ ଏହି ପଥରୁ ସେ କେବେ ବି ବିଚ୍ୟୁତ ହେବେ ନାହିଁ ବୋଲି କହିଥିଲେ ।

ସେ ନିଜ ବକ୍ତବ୍ୟରେ କହିଥିଲେ ଯେ “ବାଂଲାଦେଶ ମୋତେ ନିର୍ବାସିତ କଲା, ପଶ୍ଚିମବଂଗ ଯେଉଁଠାରେ ମୁଁ ରହୁଥିଲି ସେଠାରୁ ବି ମୁଁ ନିର୍ବାସିତ ହେଲି । ମୋର କୌଣସି ଘର ନାହିଁ, ମୋର କୌଣସି ଦେଶ ବି ନାହିଁ । ମୁଁ ଅଭିବ୍ୟକ୍ତିର ସ୍ୱତନ୍ତ୍ରତାରେ ବିଶ୍ୱାସ କରେ ଏବଂ ମହିଳାମାନେ ଧାର୍ମିକ ଅତ୍ୟାଚାରକୁ ପ୍ରତିରୋଧ କରିବା ଉଚିତ୍ ବୋଲି ମୁଁ ମନେ କରେ ବୋଲି  ଡକ୍ଟର ନସରିନ୍ ଭରପୂର ଅଡିଟୋରିୟମରେ କହିଛନ୍ତି ।

ଡକ୍ଟର ନସରିନ୍‌ଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ଲଜ୍ଜା’ ଏବଂ ‘ଦ୍ୱିଖଣ୍ଡିତୋ’ ତାଙ୍କୁ ଓ ତାଙ୍କ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିଥିଲା ।

ନିଜ ଅତୀତର ପୃଷ୍ଠାକୁ ଓଲଟାଇ ସେ କହିଥିଲେ ଯେ ସେ ବାଂଲାଦେଶର ମୈମେନ୍‌ସିଂ ର ଏକ ଧର୍ମନିରପେକ୍ଷ ମୁସଲିମ୍ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ବାପା ଯିଏ କି ନିଜେ ଜଣେ ଡାକ୍ତର ଥିଲେ ତାଙ୍କୁ ମଧ୍ୟ ଡାକ୍ତର ହେବା ପାଇଁ ପ୍ରୋତ୍ସାହିତ କରି ପାଠ ପଢ଼ାଇଥିଲେ । ମୋତେ ଯେତେବେଳେ ୧୨ ବର୍ଷ ବୟସ ହେଲା ମୁଁ ଅନୁଭବ କଲି ଯେ ମୁଁ ଜଣେ ନାସ୍ତିକ ଏବଂ ମହିଳାମାନେ ଧର୍ମ, ସଂସ୍କୃତି, ପ୍ରଥା ଏବଂ ପରମ୍ପରା ଭିତରେ ଦବି ହୋଇ ରହିଯାଉଛନ୍ତି ।

ଏହା ପ୍ରତ୍ୟେକ ମହିଳାଙ୍କର ପ୍ରସଙ୍ଗ । ଆମେ ସମସ୍ତେ ଗୋଟିଏ ପଞ୍ଜୁରି ଭିତରେ ଆବଦ୍ଧ ହୋଇ ରହିଯାଇଛୁ । ଆମେ ଏହାକୁ ଉତ୍ପୀଡନ ବଦଳରେ ପରମ୍ପରା ବୋଲି କହୁଛୁ । ତେଣୁ ସମସ୍ତଙ୍କୁ ଏକାଠି ହୋଇ ମହିଳାଙ୍କ ଅଧିକାରର ସୁରକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଡକ୍ଟର ନସରିନ୍ କହିଥିଲେ ଯେ ସେ ବଡ଼ ହେଲା ପରେ ଅନେକ ପ୍ରସଙ୍ଗକୁ ସେ ବିରୋଧ କରିବା ଆରମ୍ଭ କରିଥିଲେ । ସେ କହିଥିଲେ ମୁଁ ଯାହା ଦେଖିଲି, ଜୀବନଯାତ୍ରାରେ ଯାହା ଅଭିଜ୍ଞତା ପାଇଲି ଓ ଯାହା ବିଶ୍ୱାସ କଲି ତାହା ହିଁ ଲେଖିବା ଆରମ୍ଭ କରିଥିଲି । ମୁଁ ଅନ୍ୟାୟକୁ ବିରୋଧ କରିବା ସହ ସମାନତା, ସ୍ୱାଧୀନତା ଏବଂ ସତ୍ୟତାର ସପକ୍ଷରେ ମୋ ପ୍ରବନ୍ଧ, କବିତା ଏବଂ ଉପନ୍ୟାସରେ ଲେଖିବା ଆରମ୍ଭ କରିଥିଲି । ଏହା ଉତ୍ପୀଡ଼ନ ବିରୁଦ୍ଧରେ ଅସ୍ତ୍ର ହୋଇ ଉଭା ହେଲା ବୋଲି ସେ କହିଥିଲେ ।

ପରିଣାମ ସ୍ୱରୂପ ଲୋକମାନେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋର ମୃତ୍ୟୁଦଣ୍ଡ ଦାବି କରିଥିଲେ । ମୋ ଦେଶ ମୋତେ ସୁରକ୍ଷା ଦେଇ ନଥିଲା ଯେଉଁ କାରଣରୁ ମୁଁ ୩୧ ବର୍ଷ ହେବ ନିର୍ବାସିତ ହୋଇ ରହିଛି । ମୁଁ ଜଣେ ମହିଳା ଯାହାର କୌଣସି ଦେଶ ନାହିଁ । ଯେଉଁ ଦେଶରେ ଧର୍ମ ନିରପେକ୍ଷତା ରହିଛି ସେଠାରେ ମହିଳାମାନଙ୍କ ପାଇଁ ଆଶା ରହିଛି ବୋଲି ସେ କହିଥିଲେ ।

ସେ କହିଥିଲେ ପୁରୁଷମାନଙ୍କ ସହ ସମାନତା ଏକ ପଶ୍ଚିମ ସଭ୍ୟତାର ଧାରଣା ନୁହେଁ । ‘ମୁଁ ମୋର ଅନୁଭୂତିକୁ ନେଇ ଏହି ପ୍ରସଙ୍ଗ ଉଠାଇଛି’ ।

ସେ କହିଥିଲେ ଯେ ଯଦି ମହିଳାମାନେ ପ୍ରଶ୍ନ କରିବାର ସାହସ ରଖି ପାରିବେ ତେବେ ପରିବର୍ତନ ସମ୍ଭବ ହୋଇପାରିବ । ନିଜ ବକ୍ତବ୍ୟ ଶେଷରେ ତାଙ୍କର କବିତା ‘ଦ ଡେଥଲେସ୍ ଗାର୍ଲ’ ପଢ଼ି ସମବେତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଶୁଣାଇଥିଲେ ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

No comments:

COASTAL NEWS

ଖବର ଆଜିର

*ଖବର ଆଜିର,  ରାଜ୍ୟରୁ ବିଦାୟ ନେବ ମୌସୁମୀ। ଆସନ୍ତାକାଲି କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ରାସ...