AFFILIATE MARKETING

https://binomo.com?a=90810425bb57&t=0

Wednesday, October 14, 2026

ନିର୍ବାଚନ ଆୟୋଗ ବିରୋଧରେ ଆବେଦନ : ରାହୁଲଙ୍କ ପିଟିସନରେ ୧୪ଟି ତ୍ରୁଟି ଦର୍ଶାଇଲେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି,

ନିର୍ବାଚନ ଆୟୋଗ ବିରୋଧରେ ଆବେଦନ : ରାହୁଲଙ୍କ ପିଟିସନରେ ୧୪ଟି ତ୍ରୁଟି ଦର୍ଶାଇଲେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି,

କୋଷ୍ଟାଲ ନ୍ୟୁଜ : ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଓ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡିଆ ମେଣ୍ଟର ୧୧ ଜଣ ପ୍ରମୁଖ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ କୋର୍ଟ ଫି’ରେ ୨୨୦ ଟଙ୍କା କମ୍ ରହିବା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପରିଚୟ ପତ୍ରର ଅସ୍ପଷ୍ଟ ଫଟୋକପି ଏବଂ ୧୧ ଜଣ ଆବେଦନକାରୀଙ୍କ ମଧ୍ୟରୁ ୯ ଜଣଙ୍କର ''ବକାଲତନାମା'' ନଥିବା ଭଳି ମୋଟ ୧୪ଟି ତ୍ରୁଟି ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଦର୍ଶାଇବା ପରେ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇପାରି ନାହିଁ।

 ଏହିସବୁ ତ୍ରୁଟିକୁ ସୁଧାରିବା ପରେ ବୁଧବାର ଦିନ ମାମଲାଟିକୁ ପଞ୍ଜୀକୃତ କରି ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନେତାମାନଙ୍କ ଆଇନଗତ ଟିମ୍ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ରେଜିଷ୍ଟ୍ରିର ଏହି ଆପତ୍ତି ଯୋଗୁଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତି ବିରୋଧରେ ସ୍ବାଧୀନ ତଦନ୍ତ ଏବଂ ଚାଲୁରହିଥିବା ଏସଆଇଆର ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଦାବି କରି କରାଯାଇଥିବା ଆବେଦନର ବିଚାର ପ୍ରକ୍ରିୟା କିଛି ସମୟ ପାଇଁ ବିଳମ୍ବିତ ହୋଇଛି। ଯେଉଁ ନେତାମାନଙ୍କର ବକାଲତନାମା ନଥିବା କୁହାଯାଇଛି, ସେମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟି ମୁଖିଆ ଅଖିଲେଶ ଯାଦବ, ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ, ଏନସିପି (ଶରଦ ପାୱାର) ସାଂସଦ ସୁପ୍ରିୟା ସୁଲେ, ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଏବଂ ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ଅନ୍ତର୍ଭୁକ୍ତ।
ଏହା ବ୍ୟତୀତ ଏକ ଜନସ୍ୱାର୍ଥ ମାମଲାରେ କାହିଁକି ବ୍ୟକ୍ତିଗତ ପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି ସେ ନେଇ ମଧ୍ୟ ରେଜିଷ୍ଟ୍ରି ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ଆୟୋଗଙ୍କୁ ପ୍ରଥମ ପକ୍ଷ କରିବା ସହିତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯାଇଥିବାରୁ ଏହି ପ୍ରଶ୍ନ କରାଯାଇଛି।

ଏହି ପିଟିସନ୍ ଦାଖଲ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ସାକ୍ଷାତ କରିବାକୁ ମନା କରିଦେଇଥିଲେ, କିନ୍ତୁ ସେମାନଙ୍କ ସମସ୍ୟା ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଉପସ୍ଥାପନ କରାଯାଇପାରିବ ଏବଂ କୋର୍ଟକୁ ଆସିଲେ ତୁରନ୍ତ ଶୁଣାଣି କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହାପରେ ଗତ ସୋମବାର ସନ୍ଧ୍ୟାରେ ରାହୁଲ ଗାନ୍ଧୀ ନିଜେ ସୁପ୍ରିମକୋର୍ଟରେ ପହଞ୍ଚି ଖଡଗେ ଏବଂ ଅନ୍ୟ ୯ ଜଣ ବିରୋଧୀ ନେତାଙ୍କ ସହ ମିଶି ଏହି ଆବେଦନ ଦାଖଲ କରିଥିଲେ।
ଆଇନଜୀବୀ ଏସ ପ୍ରସନ୍ନାଙ୍କ ମାଧ୍ୟମରେ ଦାଖଲ କରାଯାଇଥିବା ଏହି ପିଟିସନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଦ୍ୱାରା ନିଆଯାଇଥିବା ଏକଚାଟିଆ ନିଷ୍ପତ୍ତି, ବିଶେଷ କରି ଜୁନ୍ ୨୦୨୫ର ଏସଆଇଆର ସଂକ୍ରାନ୍ତ ନିଷ୍ପତ୍ତିର ଏକ ସ୍ବାଧୀନ ଏବଂ ସମୟସୀମା ଭିତ୍ତିକ ତଦନ୍ତ ଦାବି କରାଯାଇଛି।

ଏଥିରେ ନିର୍ବାଚନ ଆୟୋଗଙ୍କ ସମେତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ନାଗରିକଙ୍କ ସାର୍ବଜନୀନ ବୟସ୍କ ମତାଧିକାରର ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ପାଇଁ ସେମାନେ ନିଜର ସାଧାରଣ କର୍ତ୍ତବ୍ୟ ପାଳନ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବିରୋଧୀ ନେତାମାନେ କହିଛନ୍ତି। ଏହି ଆବେଦନରେ ଏସଆଇଆର ପ୍ରକ୍ରିୟାର ବୈଧତାକୁ ନେଇ ପ୍ରଶ୍ନ ଉଠାଯାଇ ନାହିଁ, ବରଂ ନିର୍ବାଚନ ଆୟୋଗ ଏକ ସମ୍ବିଧାନାନୁମୋଦିତ ସଂସ୍ଥା ଭାବେ ମିଳିମିଶି କାର୍ଯ୍ୟ କରୁଛନ୍ତି କି ନାହିଁ ଏବଂ କୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସୁରକ୍ଷା ନିୟମାବଳୀ ପାଳନ କରାଯାଉଛି କି ନାହିଁ ସେ ନେଇ ଚିନ୍ତା ପ୍ରକଟ କରାଯାଇଛି।

ଏକ ଗଣମାଧ୍ୟମ ରିପୋର୍ଟର ଆଧାର ଦେଇ ପିଟିସନରେ ଦର୍ଶାଯାଇଛି ଯେ, ଗତ ୧୦ ମାସ ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଏକଚାଟିଆ ନିଷ୍ପତ୍ତିକୁ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ୧୪ ଥର ଆପତ୍ତି ଜଣାଇଛନ୍ତି। ତେଣୁ ସେହି ସମସ୍ତ ନିଷ୍ପତ୍ତି ଏବଂ ଏସଆଇଆର ପ୍ରକ୍ରିୟା ସମ୍ପର୍କିତ ସମ୍ପୂର୍ଣ୍ଣ ଫାଇଲ୍, ଆଜେଣ୍ଡା, ମିନିଟସ୍ ଓ ଆପତ୍ତିପତ୍ର କୋର୍ଟ ହାଜର କରିବାକୁ ଦାବି କରାଯାଇଛି। ଜଣେ ବ୍ୟକ୍ତିଙ୍କ ଦ୍ୱାରା ସମୂହ କ୍ଷମତାର ପ୍ରୟୋଗ ସମ୍ବିଧାନର ଅନୁଚ୍ଛେଦ ୩୨୪ ଏବଂ ୨୦୨୩ ଅଧିନିୟମର ଧାରା ୧୮ର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀମାନେ ଅଭିଯୋଗ କରିଛନ୍ତି।


No comments:

COASTAL NEWS

ନିର୍ବାଚନ ଆୟୋଗ ବିରୋଧରେ ଆବେଦନ : ରାହୁଲଙ୍କ ପିଟିସନରେ ୧୪ଟି ତ୍ରୁଟି ଦର୍ଶାଇଲେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି,

ନିର୍ବାଚନ ଆୟୋଗ ବିରୋଧରେ ଆବେଦନ : ରାହୁଲଙ୍କ ପିଟିସନରେ ୧୪ଟି ତ୍ରୁଟି ଦର୍ଶାଇଲେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି, କୋଷ୍ଟାଲ ନ୍ୟୁଜ : ନିର୍ବାଚନ ଆୟୋଗଙ୍କ କ...