AFFILIATE MARKETING

https://binomo.com?a=90810425bb57&t=0

Friday, September 5, 2025

ମାଟି ତଳେ ଚିତ୍କାର କରୁଥିଲେ ମହିଳା, ହେଲେ ନୃଶଂସ ହୋଇଯାଇଥିଲା ତାଲିବାନ

ଭୂମିକମ୍ପରେ ବଞ୍ଚିଥିବା ଲୋକମାନେ ବଖାଣିଛନ୍ତି ତାଲିବାନ ନିର୍ଯାତନାର ଲୋମ ଟାଙ୍କୁରା କାହାଣୀ

ତାଲିବାନ ନିର୍ଯାତନାର ଲୋମଟାଙ୍କୁରା କାହାଣୀ: ବିପର୍ଯ୍ୟୟ ବେଳେ ବି ଦେଖାଇଥିଲେ ନୃଶଂସତା

କାବୁଲ, ୫/୯: ତାଲିବାନ ଶାସିତ ଆଫଗାନିସ୍ତାନରେ ନିକଟରେ ହୋଇଥିବା ଭୂମିକମ୍ପ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା। ନିମିଷକେ ଛାରଖାର ହୋଇ ଯାଇଥିଲା ଜନଜୀବନ। ମାଟି ତଳେ ପୋତି ହୋଇ ଯାଇଥିଲେ ହଜାର ହଜାର ଲୋକେ। ଏଥିରେ ଅନେକ କୋଠା ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବା ସହ ୨୨୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା। ୩୬୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ। କିନ୍ତୁ ଏଠାରେ ଗୋଟିଏ ପ୍ରସଙ୍ଗ ଅତି ସମ୍ବେଦନଶୀଳ।

ଏଠାରେ ଅନେକ ଲୋକଙ୍କୁ ସାହାଯ୍ୟ କରାଯାଇଥିଲା ସତ କିନ୍ତୁ କେବଳ ଲିଙ୍ଗ ଭିତ୍ତିକ। କେବଳ ପୁରୁଷ ମାନଙ୍କୁ ହିଁ ଉଦ୍ଧାର କରାଯାଉଥିଲା। ଆଉ ମହିଳାମାନେ ସେହିପରି ଅଛୁଆଁ ପରି ଭଗ୍ନାବଶେଷ ମଧ୍ୟରେ ପଡ଼ି ରହିଥାନ୍ତି। ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥାନ୍ତି। କିଛି ସ୍ଥାନରେ ମହିଳାଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଉଦ୍ଧାର କରିବା ସହ ଆଉ କିଛି ସ୍ଥାନରେ ସେମିତି ସେହିଭଳି ମହିଳାମାନଙ୍କୁ ପଡ଼ି ରହିବାକୁ ଦିଆଯାଇଥିଲା। ଯେପର୍ଯ୍ୟନ୍ତ କେହି ପଡ଼ୋଶୀ ମହିଳା ଉଦ୍ଧାର କରିବାକୁ ନ ଆସୁଥାନ୍ତି। ଏହା ଅତ୍ୟନ୍ତ ହୃଦୟ ବିଦାରକ।

ମହିଳାମାନେ ଭଗ୍ନାବଶେଷ ମଧ୍ୟରେ ଜୀବନ ବିକଳରେ ଚିତ୍କାର କରୁଥିଲେ ବି ସେମାନଙ୍କୁ ଅଣଦେଖା କରାଯାଉଥିଲା। ସେମାନଙ୍କୁ ଆଡ ଆଖିରେ ବି କେହି ଅନାଉ ନଥିଲେ। ବରଂ ସେମାନେ ଆହତ ଅବସ୍ଥାରେ ପଡ଼ିଥିଲେ ବି ସେମାନଙ୍କୁ କେହିନଥିବା ଭଳି ଅଣଦେଖା କରାଯାଉଥିଲା ଏବଂ ସେପରି ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡି ରହିବାକୁ ବାଧ୍ୟ କରାଯାଉଥିଲା।

ଆଫଗାନିସ୍ତାନର ପୁରୁଣା ପ୍ରଥା ଏବଂ ତାଲିବାନ ଦ୍ୱାରା ଲଗାଯାଇଥିବା ଲିଙ୍ଗଗତ କଟକଣା ଆଫଗାନ ମହିଳାମାନଙ୍କ ପାଇଁ ସାମ୍ପ୍ରତିକ ଭୟଙ୍କର ଭୂମିକମ୍ପ ପରେ ଦୁଃଖକୁ ଆହୁରି ବଢ଼ାଇ ଦେଉଛି।

ଆଫଗାନିସ୍ତାନରେ ତାଲିବାନ ସରକାର ଦ୍ୱାରା ପ୍ରଚଳିତ କଠୋର ସାଂସ୍କୃତିକ ଏବଂ ଧାର୍ମିକ ନିୟମାବଳୀ ଅନୁଯାୟୀ, ମହିଳାଙ୍କୁ କେବଳ ସେମାନଙ୍କ ନିକଟତମ ପୁରୁଷ ସମ୍ପର୍କୀୟ, ଯେପରିକି ତାଙ୍କ ବାପା, ଭାଇ, ସ୍ୱାମୀ କିମ୍ବା ପୁଅଙ୍କୁ ହିଁ ଛୁଇଁବାକୁ ଅନୁମତି ଦିଆଯାଇଥାଏ ଏବଂ ମହିଳାମାନଙ୍କୁ ସେମାନଙ୍କ ପରିବାର ବାହାରର ପୁରୁଷମାନଙ୍କୁ ଛୁଇଁବା ପାଇଁ ନିଷେଧ ଅଟେ।

ତେଣୁ ଏପରି ସ୍ଥିତିରେ ମହିଳା ଉଦ୍ଧାର କର୍ମୀଙ୍କ ଅନୁପସ୍ଥିତି ଏହି ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଇଛି।

ତାଲିବାନର ନିୟମ ଅନୁସାରେ, ମହିଳାମାନଙ୍କୁ ଡାକ୍ତରୀ ଶିକ୍ଷା ସହ ଅନ୍ୟାନ୍ୟ କାର୍ଯ୍ୟରେ ମହିଳାଙ୍କ ଉପରେ କଟକଣା ‌ଲଗାଯାଇଛି। ଫଳସ୍ୱରୂପ, ମୃତକମାନଙ୍କୁ ବାହାର କରାଯିବା ସମୟରେ କେତେକ ସମୟରେ ଭଗ୍ନାବଶେଷ ତଳେ ଫସି ରହିଥିବା ମହିଳାମାନଙ୍କୁ ସେହିପରି ଛାଡ଼ି ଦିଆଯାଇଥିଲା।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଣେ ସ୍ଥାନୀୟ ମହିଳା କହିଛନ୍ତି, ଭୂମିକମ୍ପ ତାଙ୍କ ଗାଁକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ଭୂମିକମ୍ପ ହେବାର ୩୬ ଘଣ୍ଟା ପରେ ଉଦ୍ଧାରକାରୀ ଟିମ୍ ତାଙ୍କ ପାଖରେ ପହଞ୍ଚିଥିଲା। ସେମାନଙ୍କୁ ଏପରି ଅବସ୍ଥାରେ ଦେଖି କେହି କିଛି ବି ପଚାରିଲେନି। ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କୁ ଅଣଦେଖା କରାଯାଇଥିଲା। ସେମାନଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିଲା। କେହି ମହିଳାମାନଙ୍କୁ ସାହାଯ୍ୟ କରିନଥିଲେ, ସେମାନଙ୍କୁ କ’ଣ ଆବଶ୍ୟକ ପଚାରିଲେ ନାହିଁ କିମ୍ବା ସେମାନଙ୍କ ପାଖକୁ ମଧ୍ୟ ଗଲେ ନାହିଁ।

ଜଣେ ପୁରୁଷ ସ୍ୱେଚ୍ଛାସେବକ ତହଜିବୁଲ୍ଲା ମୁହାଜେବ ଏହାକୁ ଭୟଙ୍କର ବାସ୍ତବତା ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ, ପୁରୁଷ ଉଦ୍ଧାର କର୍ମୀମାନେ ସେମାନଙ୍କୁ ଛୁଇଁବାକୁ ସଂକୋଚ କରିବାରୁ ଧ୍ୱଂସାବଶେଷ ତଳେ ଫସି ରହିଥିବା ମହିଳାମାନଙ୍କୁ ଅପେକ୍ଷା କରିବାକୁ ପଡିଥିଲା। କିଛି କ୍ଷେତ୍ରରେ, ମହିଳାମାନେ ପଡ଼ୋଶୀ ଅଞ୍ଚଳର ମହିଳାମାନେ ସାହାଯ୍ୟ କରିବାକୁ ନଆସିବା ପର୍ଯ୍ୟନ୍ତ ସେମିତି ପଡି ରହିଥିଲେ। ଏପରି ଅନୁଭବ ହେଉଥିଲା ଯେପରି ମହିଳାମାନେ ଅଦୃଶ୍ୟ ଥିଲେ। ପୁରୁଷ ଏବଂ ପିଲାମାନଙ୍କୁ ପ୍ରଥମେ ଚିକିତ୍ସା କରାଯାଉଥିଲା, ଯେତେବେଳେ ମହିଳାମାନେ କେବଳ ଅଲଗା ବସି ଚିକିତ୍ସା ପାଇଁ ଅପେକ୍ଷା କରୁଥିଲେ। ଯଦି କୌଣସି ପୁରୁଷ ସମ୍ପର୍କୀୟ ଉପସ୍ଥିତ ନଥିଲେ, ତେବେ ଚର୍ମ ଦ୍ୱାରା ନ ଛୁଇଁବା ପାଇଁ ମୃତକମାନଙ୍କୁ ସେମାନଙ୍କ ପୋଷାକ ଧରି ବାହାରକୁ ଟାଣି ନିଆଯାଇଥିଲା।

ଜାତିସଂଘ ମହିଳା ପ୍ରତିନିଧି ସୁସାନ ଫର୍ଗୁସନ୍ କହିଛନ୍ତି, ମହିଳା ଏବଂ ଝିଅମାନେ ପୁଣି ଥରେ ଏହି ବିପର୍ଯ୍ୟୟର ଶିକାର ହେବେ। କୌଣସି ବିପର୍ଯ୍ୟୟ ସମୟରେ ସେମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ।

ଏହି ଭୂମିକମ୍ପରେ ତାଲିବାନ ଲିଙ୍ଗ ଭିତ୍ତିକ ମୃତକ ଓ ଆହତଙ୍କ ସଂଖ୍ୟା ପ୍ରକାଶ କରିନଥିବା ବେଳେ ସ୍ଥାନୀୟ ବଞ୍ଚିଥିବା ବ୍ୟକ୍ତି ଓ ଉଦ୍ଧାରକାରୀ କର୍ମୀମାନେ ମହିଳାମାନଙ୍କ କଷ୍ଟ ବିଷୟରେ ବର୍ଣ୍ଣନା କରିଛନ୍ତି।

ଭୂମିକମ୍ପ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମହିଳା ସ୍ୱାସ୍ଥ୍ୟସେବା କର୍ମୀଙ୍କ ଏକ ଅଭାବ ଏହି ପରିସ୍ଥିତିକୁ ଆହୁରି ଖରାପ କରିଛି। ତାଲିବାନ ଦ୍ୱାରା ୨୦୨୩ ମସିହାରେ ମହିଳାମାନଙ୍କୁ ଡାକ୍ତରୀ ଶିକ୍ଷାରେ ନାମ ଲେଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେଠାରେ କୌଣସି ବି ହସ୍ପିଟାଲରେ ମହିଳା ଡାକ୍ତର ନାହାନ୍ତି।

ତେବେ ତାଲିବାନ ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଶରାଫତ ଜମାନ ମହିଳା କର୍ମଚାରୀଙ୍କ ଅଭାବକୁ ସ୍ୱୀକାର କରିଛନ୍ତି କିନ୍ତୁ ଭୂମିକମ୍ପ ପୀଡିତଙ୍କ ଚିକିତ୍ସା ପାଇଁ କୁନାର, ନାଙ୍ଗରହାର ଏବଂ ଲାଘମାନ ପ୍ରଦେଶର ହସ୍ପିଟାଲଗୁଡ଼ିକରେ ମହିଳାମାନେ ସେବା କରୁଥିବା ଦାବି କରିଛନ୍ତି।

ତାଲିବାନ ଶାସନ ଅଧୀନରେ ମହିଳା ଏବଂ ଝିଅମାନଙ୍କ ପାଇଁ ଆଫଗାନିସ୍ତାନ ବିଶ୍ୱର ସବୁଠାରୁ ଦମନକାରୀ ସ୍ଥାନ ମଧ୍ୟରୁ ଗୋଟିଏ, ଯାହା ଗତ ଚାରି ବର୍ଷ ଧରି ଜାରି ରହିଛି। ବହୁ ମୁସଲିମ ରାଷ୍ଟ୍ର, ମାନବାଧିକାର ସଂଗଠନ ଏବଂ ବିଶ୍ୱ ବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକର ଚାପ ବୃଦ୍ଧି ସତ୍ତ୍ୱେ, ତାଲିବାନ ସେମାନଙ୍କର କଠୋର ଲିଙ୍ଗ ଭିତ୍ତିକ ନୀତିଗୁଡ଼ିକୁ ବଜାୟ ରଖିଛି।

ତାଲିବାନ ଶାସିତ ଆଫଗାନିସ୍ତାନରେ ଷଷ୍ଠ ଶ୍ରେଣୀ ପରେ ଝିଅମାନଙ୍କୁ ସ୍କୁଲ ଯିବାରୁ ବାରଣ କରାଯାଇଛି। ଏପରିକି ପୁରୁଷ ସମ୍ପର୍କୀୟଙ୍କ ବିନା ଘରୁ ଗୋଡ଼ କାଢ଼ିବା ଉପରେ କଟକଣା ଲଗାଯାଇଛି। ନିଯୁକ୍ତି ସୁଯୋଗ ଲୋପ ପାଉଛି; ମାନବିକ ସଂଗଠନ ଏବଂ ଏନଜିଓ ସମେତ ଅଧିକାଂଶ କ୍ଷେତ୍ରରେ ମହିଳାମାନଙ୍କୁ କାମ କରିବାରୁ ନିଷେଧ କରାଯାଇଛି।

ଜାତିସଂଘ ଏଜେନ୍ସି ଦ୍ୱାରା ନିଯୁକ୍ତି ପାଇଥିବା ଆଫଗାନ ମହିଳାମାନେ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। ଅନେକ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି। ତେଣୁ କିଛି ଏଜେନ୍ସି ମହିଳା କର୍ମଚାରୀମାନଙ୍କୁ ନିଜ ସୁରକ୍ଷା ପାଇଁ ଘରୁ କାମ କରିବାକୁ କହିଛନ୍ତି।

No comments:

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...