COASTAL NEWS ODIA 
 
ଅନନ୍ତ ବ୍ରତର ପ୍ରଚ୍ଛଦ ପଟ କାହାଣୀ

ଭାଦ୍ରବ ମାସର ଶୁକ୍ଳ ଚତୁର୍ଦ୍ଦଶୀ ତିଥି ଅନନ୍ତ ଚତୁର୍ଦଶୀ ବୋଲି ଖ୍ୟାତ ଅଛି | ଏହି ଦିନ ଶେଷନାଗ ପ୍ରଭୁ ଅନନ୍ତଙ୍କୁ ସମର୍ପିତ ଅନନ୍ତବ୍ରତ ପାଳନ କରା ଯାଏ l ଅନନ୍ତ ବ୍ରତ ପାଳନର ମାହାତ୍ମ୍ୟକୁ ନେଇ ଏକ ସୁନ୍ଦର ପୌରାଣିକ କଥା ରହିଛି l 

ପାଣ୍ଡବମାନଙ୍କ ବନବାସକାଳରେ ଦିନେ ଶ୍ରୀକୃଷ୍ଣ ଯାଇ ତାଙ୍କ ପାଖରେ ପହଁଚିଲେ l ଯୁଧିଷ୍ଠିର ତାଙ୍କୁ ପାଇ ଖୁବ୍ ଖୁସି ହେଲେ l ସେମାନଙ୍କ ଆଶ୍ରମରେ ସେଦିନ ଶ୍ରୀକୃଷ୍ଣ ରହିଲେ l ତାଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଳାପ, ଆଲୋଚନା ଚାଲିଲା l କଥା ମଝିରେ ଯୁଧିଷ୍ଠିର କହିଲେ, ବାସୁଦେବ ! ଆପଣ ଆମକୁ କୁହନ୍ତୁ କଅଣ କଲେ ଆମର ଏହି ଦୁଃଖ ଅକ୍ଲେଶରେ କଟି ଯିବ ଏବଂ ଆମେ ଆମର ହୃତ ଐଶ୍ୱର୍ଯ୍ୟ ଫେରି ପାଇବୁ l ପ୍ରଭୁ କିଛି ନକହି ଚୁପ୍ ରହିଲେ l ପ୍ରଭୁ କିଛି କ୍ଷଣ ପରେ କହିଲେ, ହଉ ! ଏ ସମ୍ବନ୍ଧରେ, ତୁମକୁ ମୁଁ ଏକ ପ୍ରାଚୀନ କାହାଣୀ କହୁଛି ମନ ଦେଇ ଶୁଣ l 

ସତ୍ୟଯୁଗରେ ବଶିଷ୍ଟ ଗୋତ୍ରୀୟ ସିମନ୍ତ ନାମକ ଜଣେ ଧାର୍ମିକବ୍ରାହ୍ମଣ ଥିଲେ l ତାଙ୍କ ପତ୍ନୀ ଥିଲେ ପତି ପରାୟଣା ଭୃଗୁମୁନିଙ୍କ କନ୍ୟା ଦୀକ୍ଷା l ଖୁବ ସୁଖମୟ ଥିଲା, ସେମାନଙ୍କର ଦାମ୍ପତ୍ୟ ଜୀବନ l କିଛିକାଳ ପରେ ତାଙ୍କର ସୁଶୀଳା ନାମରେ ଏକ କନ୍ୟା ଜନ୍ମ ହେଲା l ଦୁର୍ଭାଗ୍ୟକୁ ଦିନେ ଜ୍ଜରରେ ପଡ଼ି ବ୍ରାହ୍ମଣ ପତ୍ନୀ ଦୀକ୍ଷାଙ୍କ ମୃତ୍ୟୁ ହେଲା l ନିଜ ଘରଦ୍ୱାର କିଏ ଦେଖିବ, ବାଳିକାଟିକୁ ପୁଣି କିଏ ପାଳନ ପୋଷଣ କରିବ l ଏ କଥାକୁ ଚିନ୍ତା କରି ବ୍ରାହ୍ମଣ ଦ୍ୱିତୀୟ ଵିଵାହ କରିବାକୁ ମନସ୍ଥ କଲେ l ପରେ ସେ ଧର୍ମପୁତ୍ରଙ୍କ କନ୍ୟା କର୍କଶାଙ୍କୁ ଦ୍ୱିତୀୟ ବିବାହକଲେ l ବିମାତା କର୍କଶା କିନ୍ତୁ ସୁଶୀଳାକୁ ବିଲକୁଲ ସହି ପାରିଲେ ନାହିଁ l ବୟସ ହେବାରୁ ବ୍ରାହ୍ମଣ, ସୁଶୀଳାର ବିବାହ, କୌଣ୍ଡିନ୍ୟ ନାମରେ ଜଣେ ବ୍ରାହ୍ମଣ ଯୁବକ ସହ ସ୍ଥିର କଲେ l 

କିନ୍ତୁ ଜ୍ୱାଇଁଙ୍କୁ କାଳେ ବ୍ରାହ୍ମଣ ଯୌତୁକରେ ସମସ୍ତ ଜିନିଷ ଦେଇ ଦେବେ, ଏହା ଭାବି କର୍କଶା ଘରେ ଥିବା ସମସ୍ତ ସାମଗ୍ରୀ ନେଇ ପିତ୍ରାଳୟକୁ ପଳାଇ ଗଲେ l ଏଣୁ ମାତ୍ର ତଣ୍ଡୁଳ ଗଣ୍ଡେ ଯୌତୁକ ଦେଇ ସୁମନ୍ତ ଝିଅକୁ ବିଦା କଲେ l ବାଟରେ ଯାଉ ଯାଉ ଏକ ନଦୀ କୂଳରେ ସ୍ତ୍ରୀଲୋକ ମାନେ ନାଲି ଲୁଗା ପିନ୍ଧି ଗୋଟିଏ ବ୍ରତ ପାଳନ କରୁଥିବା ଦେଖିଲେ l ସୁଶୀଳା ଯାଇ ସେମାନଙ୍କୁ କି ବ୍ରତ ପାଳନକରୁଛ ବୋଲି ପଚାରିଲା ଏବଂ ସେ ବ୍ରତବିଧି ତାଙ୍କଠାରୁ ଶିଖି, ନିଜେ ସେହି ବ୍ରତ କଲା l ଫଳରେ ବ୍ରାହ୍ମଣ କୌଣ୍ଡିନ୍ୟଙ୍କ ଘର ଧନ ଧାନ୍ୟ ଓ ସୁଖ ସମୃଦ୍ଧିରେ ପୁରି ଉଠିଲା l କର୍କଶା ପାଳିଥିବା ସେ ବ୍ରତ ଥିଲା ଅନନ୍ତ ବ୍ରତ l 

ଥରେ କର୍କଶା ହାତରେ ବାନ୍ଧିଥିବା ବ୍ରତ କୁଆଡ଼େ ହଜାଇଦେଇ ଏ ବ୍ରତ ଆଉ ପାଳନ କଲେ ନାହିଁ l ଫଳ ସ୍ୱରୂପ, ପୁଣି ତାଙ୍କର ସମ୍ପଦ ସବୁ ନଷ୍ଟଭ୍ରଷ୍ଟ ହୋଇଗଲା l କୌଣ୍ଡିନ୍ୟ ପୁଣି ଅନନ୍ତବ୍ରତ ପାଳନ କରି, ନିଜର ହୃତ ବିଭବ ଫେରି ପାଇଲେ l ଏହା କହି ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ, ଏଣୁ ତୁମେ ଏ ବ୍ରତ ପାଳନ କରି ଭଗବାନ୍ ଅନନ୍ତଙ୍କୁ ପୂଜା କର ଅଚିରେ ତୁମର କଷ୍ଟ ଦୂରହେବ ଓ ତୁମେ ତୁମର ହୃତ ଐଶ୍ଵର୍ଯ୍ୟ ଫେରି ପାଇବ l 

ଭଗବାନଙ୍କ ଉପଦେଶରେ ଯୁଧିଷ୍ଠିର ଅନନ୍ତ ବ୍ରତ ପାଳନ କଲେ ଓ ଯଥାକାଳେ ଯୁଦ୍ଧ ଜୟୀ ହୋଇ ହସ୍ତିନା ସିଂହାସନ ଅଳଙ୍କୃତ କଲେ l ସେହି ଦିନ ଠାରୁ ଭାରତବର୍ଷରେ ଏପରି ଅନନ୍ତବ୍ରତ ପାଳନ ହୋଇ ଆସୁଛି ବୋଲି କଥିତ ଅଛି|

ଭାରତରେ ଖ୍ରୀଷ୍ଟ ପୂର୍ବ ପ୍ରଥମ ଶତାବ୍ଦୀରୁ ଅନନ୍ତ ପୂଜା କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ଜଣା ଯାଏ l ଭୁବନେଶ୍ୱର ବିନ୍ଦୁ ସାଗର କୂଳରେ ଅନନ୍ତ ପୂଜାର ମୂକସାକ୍ଷୀ ରୂପେ ପୂଜା ପାଉଛନ୍ତି ପ୍ରଭୁ, ଅନନ୍ତ ବାସୁଦେବ l ଶ୍ରୀମନ୍ଦିରରେ ଅନନ୍ତ ରୂପେ ବିଜେ କରିଛନ୍ତି ପ୍ରଭୁ ବଳଦେବ l 

ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି l 

ସେ ତ୍ରେତୟାରେ ଥିଲେ ପ୍ରଭୁ ଶ୍ରୀରାମଙ୍କ ଅନୁଜ, ଲକ୍ଷ୍ମଣ l 

ଦ୍ୱାପର ଯୁଗରେ ସେ ଥିଲେ ଭଗବାନ୍ ଶ୍ରୀକୃଷ୍ଣଙ୍କ ଅଗ୍ରଜ ବଳରାମ l  

ମୁନି କଶ୍ୟପଙ୍କ ଔରସରୁ ଓ ତାଙ୍କର ଅନ୍ୟତମ ପତ୍ନୀ କଦ୍ରୁଙ୍କ ଗର୍ଭରୁ ଅଷ୍ଟକୂଳନାଗଙ୍କ ସହ ପ୍ରଭୁ ଶେଷଦେବ ବା ଅନନ୍ତ ଜନ୍ମ ଗ୍ରହଣ କରିଥିଲେ l 

ବେଦପତି ବ୍ରହ୍ମାଙ୍କୁ ତପସ୍ୟା କରି ଅନନ୍ତ ଅଭୟ ଆଶିର୍ବାଦ ପାଇଥିଲେ l ଏହା ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂ ମଣ୍ଡଳକୁ ସ୍ଥିର ରଖିବା ପାଇଁ ଆଦେଶ ପାଇ ଥିଲେ l ତେଣୁ ସେ ତାଙ୍କର ସହସ୍ର ଫଣାରେ ଧରଣୀମାତାଙ୍କୁ ଧାରଣ କରନ୍ତି l ଲୋକ କଥାରେ କୁହାଯାଇ ଥାଏ ପ୍ରଭୁ ଅନନ୍ତଙ୍କ ଲୋମ ଟିକିଏ ହଲି ଗଲେ,ପୃଥିବୀ କମ୍ପି ଉଠେ l ଏହାକୁ ଆମେ ଭୂକମ୍ପ କହିଥାଉ l 

ଅନନ୍ତ ହେଉଛନ୍ତି, ସ୍ୱୟଂ, ନାରାୟଣଙ୍କ ସ୍ୱରୂପ l ସେ ପରଂବ୍ରହ୍ମ, ପରମ ତତ୍ତ୍ୱର ପରିଚୟ ଅଟନ୍ତି l ଅନନ୍ତ, ସମସ୍ତ ଜଗତର ଆଶ୍ରୟ l ତେଣୁ ଅନନ୍ତ ଶଯ୍ୟାରେ ଭଗବାନ୍ ବିଷ୍ଣୁ ସୁଖ ନିଦ୍ରାରେ ଶୟନ କରିଥାନ୍ତି l ଅନନ୍ତ ବ୍ରତର ମାହାତ୍ମ୍ୟ ମାତା କୁନ୍ତୀ ନବବଧୂ ଦ୍ରୌପଦୀଙ୍କୁ କହିଥିଲେ ବୋଲି ବର୍ଣ୍ଣନା ରହିଛି l ଅନନ୍ତଙ୍କ ବ୍ରତ ଚତୁବର୍ଗଫଳ ପ୍ରଦାୟୀ 

ଅନନ୍ତଙ୍କ ମହିମା ବହୁ ପୁରାଣରେ ବର୍ଣ୍ଣିତ ଅଛି l ଶ୍ରୀମଦ୍ଭାଗବତ ମହାପୁରାଣ ଷଷ୍ଠସ୍କନ୍ଧ ଷୋଡଶ ଅଧ୍ୟାୟ, ରାଜା ଚିତ୍ରକେତୁ ଚରିତରେ ଭଗବାନ ଅନନ୍ତଙ୍କ ଦର୍ଶନର ଫଳ ବର୍ଣ୍ଣନା କରା ଯାଇଛି l