ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ
ଯାହା ଆଶଙ୍କା କରାଯାଉଥିଲା ସେୟା ହିଁ ହେଲା । ବିଜେଡିର ରାଜନୀତିକ ବ୍ୟାପାର କମିଟି(ପିଏସି) ପୁଣିଥରେ ଦନ୍ତହୀନ ଓ ମେରୁଦଣ୍ଡବିହୀନ ବୋଲି ଆଜି ପ୍ରମାଣିତ ହୋଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଚୂଡ଼ାନ୍ତ କରିବା ନିମନ୍ତେ ନବୀନ ନିବାସରେ ବସିଥିବା ପିଏସି ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରି ସମଦୂରତ୍ୱ ନୀତି ଆପଣାଇବା ସପକ୍ଷରେ ସମସ୍ତ ପିଏସି ସଦସ୍ୟ ମତ ଦେବାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଚାନକ ସେହି ପ୍ରସଙ୍ଗକୁ ବଦଳାଇ ସଂଗଠନ କିଭଳି ସୁଦୃଢ଼ ହେବ ତାହା ଉପରେ ଆଲୋଚନା କରିଥିବା ଜଣାପଡ଼ିଛି ।
ଆଜିର ବୈଠକ ମାଧ୍ୟମରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ପରଦା ପଛରେ ରହି ଦଳର ପିଏସିରେ ସାମିଲ ନେତାମାନଙ୍କୁ ସେମାନଙ୍କର ‘ଲିମିଟ୍’ ସମ୍ପର୍କରେ ପୁଣିଥରେ ଚେତାଇ ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ‘ପିଏସି’ କେବଳ ମୋହରା ବୋଲି ଆଜିର ବୈଠକରୁ ଏକରକମ ସ୍ପଷ୍ଟ ହୋଇଯାଇଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି ।
ବୈଠକରେ କ’ଣ ହେଲା, କହିଲେ ପ୍ରମିଳା----
ନବୀନ ନିବାସରେ ପିଏସି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପିଏସି ସଦସ୍ୟା ତଥା ଦଳର ବରିଷ୍ଠ ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ପିଏସି ଅଧ୍ୟକ୍ଷ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଉପରାଷ୍ଟ୍ରପତି ନିର୍ବାଚନ ନେଇ ପିଏସି ସଦସ୍ୟମାନେ ନିଜ ନିଜର ମତାମତ ଦେଇଛନ୍ତି । ଉଚିତ୍ ସମୟରେ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ । ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ଦଳର ଯୁବ,ଛାତ୍ର ଓ ମହିଳା ସଂଗଠନକୁ କିଭଳି ସୁଦୃଢ଼ କରାଯିବ ଓ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରାହେବ ତାହା ଉପରେ ଗୁରୁତ୍ୱ ଦେବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରମିଳା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ଦଳର ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପିଏସି ସଦସ୍ୟ ସଞ୍ଜୟ ଦାସବର୍ମା, ପ୍ରଣବପ୍ରକାଶ ଦାସ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ ଓ ସୁଦାମ ମାର୍ଣ୍ଡିଙ୍କ ସମେତ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ନିଷ୍ପତ୍ତିକୁ ନେଇ ଦ୍ୱନ୍ଦ୍ୱରେ ପିଏସି ସଦସ୍ୟ----
ସୂତ୍ର ଅନୁସାରେ, ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ରହିବ ସେନେଇ ପିଏସି ସଦସ୍ୟମାନେ ନିଜ ନିଜର ମତାମତ ରଖିଥିବା ସୂଚନା ମିଳିଛି । ରାଜ୍ୟର ସାମ୍ପ୍ରତିକ ରାଜନୀତିକ ପରିସ୍ଥିତି ଯାହା ରହିଛି ଓ ଦଳ ଭିତରେ ଯେଭଳି ଅସନ୍ତୋଷ ରହିଛି ତାକୁ ଦୃଷ୍ଟିରେ ରଖି ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ନଦେବାକୁ ପିଏସିର ସମସ୍ତ ସଦସ୍ୟ ନିଜ ନିଜର ମତ ରଖିଥିଲେ । କିନ୍ତୁ ନବୀନ କିଛି କହିଲେ ନାହିଁ । ତେବେ ବୈଠକରେ ପିଏସି ସଦସ୍ୟମାନଙ୍କ ମତାମତ ଶୁଣିବା ପରେ ତାକୁ ନବୀନ ବିଶେଷ ଗୁରୁତ୍ୱ ନଦେଇ ଅଚାନକ ପ୍ରସଙ୍ଗ ବଦଳାଇଥିଲେ । ଆଉ ସଂଗଠନକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଅଧିକ ଆଲୋଚନା କରିଥିବା ସୂଚନା ମିଳିଛି । ବୈଠକରେ ଉପସ୍ଥିତ ଥିବା ପିଏସି ସଦସ୍ୟମାନେ ମଧ୍ୟ ନବୀନ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କେଉଁ ନିଷ୍ପତ୍ତି ନେବେ ତାକୁ ନେଇ ଅନିଶ୍ଚିତତାରେ ରହିଛନ୍ତି ।
ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ହିଁ ପରଦା ପଛରେ ରହି ଦଳର ଏହି ସର୍ବୋଚ୍ଚ ନୀତିନିର୍ଦ୍ଧାରକ କମିଟି(ପିଏସି)କୁ କେବଳ ସର୍ବସାଧାରଣରେ ମୋହରା ଓ ଲଜ୍ଜିତ କରିବା ପାଇଁ ବୈଠକ ଡାକିଥିବା ଚର୍ଚ୍ଚା ହେଉଛି । ପିଏସି ବୈଠକରେ ଯଦି ନିଷ୍ପତ୍ତି ହେବାର ନଥିଲା ଓ ସବୁକିଛି ପୂର୍ବରୁ ସ୍ଥରୀକୃତ ହୋଇସାରିଛି, ତା’ହେଲେ କାହିଁକି ବୈଠକ ଡକାଯାଉଥିଲା ବୋଲି ମଧ୍ୟ ପିଏସିର ଜଣେ ସଦସ୍ୟ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ହୋଇ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନିଷ୍ପତ୍ତି ନେବାର କ୍ଷମତା ନମିଳିବା ବହୁ ସଦସ୍ୟଙ୍କୁ ଆଘାତ ଦେଇଥିବା ଜଣାପଡ଼ିଛି । ନବୀନ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯାଇ ସେଠାରେ ଦଳର ଆଭିମୁଖ୍ୟ ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି ।
ସମନ୍ୱୟ କମିଟି ବୈଠକରେ ଆଲୋଚନା ହେଲାନି ------
ପିଏସି ବୈଠକ ପୂର୍ବରୁ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ସାମାନ୍ୟତମ ଆଲୋଚନା ହୋଇନଥିବା ଜଣାପଡ଼ିଛି । ବୁଥସ୍ତରୀୟ କମିଟି ଗଠନ ଓ ଜିଲ୍ଲା ଓ ବ୍ଲକ କମିଟି ଆଦି ଗଠନ ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା । ଆଜିର ବୈଠକରେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବପ୍ରକାଶ ଦାସ, ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଅବଶ୍ୟ ଏହି କୋର ଟିମ୍ ଗତ ଜୁଲାଇ ୨୪ତାରିଖ ବୈଠକରେ ଏନଡିଏ ପ୍ରାର୍ଥୀଙ୍କୁ ସିଧାସଳଖ ବିରୋଧ କରିବାକୁ ପ୍ରସ୍ତାବ ଦେଇଥିଲା ।
ଉଲ୍ଲେଖଯୋଗ୍ୟ,ଲୋକସଭାରେ ମୂଳପୋଛ ହୋଇସାରିଥିବା ବିଜେଡିର ରାଜ୍ୟସଭାରେ ୭ଜଣ ସଦସ୍ୟ ଅଛନ୍ତି । ବିଜେଡିର ସମର୍ଥନ ପାଇଁ ଉଭୟ ଏନଡିଏ ଓ ଇଣ୍ଡିଆ ମେଂଟ ପକ୍ଷରୁ ପ୍ରୟାସ ହୋଇସାରିଛି । ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ ଦେବାକୁ ଫୋନ୍ ମାଧ୍ୟମରେ ନବୀନଙ୍କୁ ଅନୁରୋଧ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗତ ମାସରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଜାଣିବା ପାଇଁ ଫୋନ୍ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ମଧ୍ୟ ‘ଇଣ୍ଡିଆ’ ମେଂଟର ପ୍ରାର୍ଥୀ ଜଷ୍ଟିସ ବି.ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ ଦେବାକୁ ନବୀନଙ୍କୁ ଅନୁରୋଧ କରିସାରିଛନ୍ତି ।
No comments:
Post a Comment