AFFILIATE MARKETING

https://binomo.com?a=90810425bb57&t=0

Friday, August 14, 2026

ବିଭାଜନ ର ବିଭିଷିକା

*ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୋଷ୍ଟାଲ୍ ନିଉଜ୍ 
ଉପସ୍ତାପକ ଶେଖର ସୁମନ ଦାସ 

*ବିଭାଜନର ବିଭୀଷିକା*

ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରଠାରେ ଆୟୋଜିତ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନର କଳା ଅଧ୍ୟାୟ, ଅମାନୁଷିକ ଯନ୍ତ୍ରଣା ଏବଂ ଏହାର ଭୟାବହ ବାସ୍ତବତାକୁ ସ୍ମରଣ କରିଛନ୍ତି। 

ଏହା କେବଳ ସ୍ମୃତି ଦିବସ ନୁହେଁ, ବରଂ ଦେଶର* 
*ଏକତା ଓ ଅଖଣ୍ଡତା ପାଇଁ ସଂକଳ୍ପ ଦିବସ*

*ଯୁବପିଢ଼ି ଜାଣନ୍ତୁ ସତ୍ୟ: ଏନସିଇଆରଟି ପାଠ୍ୟ ପୁସ୍ତକ ରେ ସ୍ଥାନ ପାଇଛି* 


ବିଭାଜନ ବିଭୀଷିକା ସ୍ମୃତି ଦିବସ କେବଳ ଅତୀତର ଦୁଃଖଦ ଅଧ୍ୟାୟକୁ ସ୍ମରଣ କରିବାର ଦିନ ନୁହେଁ, ବରଂ ଆଜିର ଦିନରେ ଆମକୁ ଏହାକୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ‘ସଂକଳ୍ପ ଦିବସ’ ଭାବେ ପାଳନ କରିବାକୁ ଶପଥ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ  ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଦେଶ ବିଭାଜନର ଭୟାନକ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ୧୯୪୭ ମସିହାର ବିଭାଜନ କେବଳ ଦୁଇ ଦେଶର ସୀମାରେଖା ନିର୍ଦ୍ଧାରଣ ନ ଥିଲା, ଏହା ଥିଲା ମାନବ ସଭ୍ୟତାର ସବୁଠାରୁ ବଡ଼ ସ୍ଥାନାନ୍ତରଣ। ବିଭିନ୍ନ ସୂତ୍ରରୁ ମିଳିଥିବା ଆକଳନ ଅନୁଯାୟୀ, ପ୍ରାୟ ଦେଢ଼ କୋଟି ଲୋକ ନିଜର ଭିଟାମାଟି ଛାଡ଼ି ଦେଶାନ୍ତର ହୋଇଥିଲେ। ଏହି ସମୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସାରେ ୫ ଲକ୍ଷରୁ ୨୦ ଲକ୍ଷ ନିରୀହ ଲୋକଙ୍କର ଜୀବନ ଯାଇଥିଲା ଏବଂ ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। 

ପାକିସ୍ତାନରୁ ଆସୁଥିବା ‘ବ୍ଲଡ୍ ଟ୍ରେନ୍’ ଓ ‘ଘୋଷ୍ଟ୍ ଟ୍ରେନ୍’ଗୁଡ଼ିକରେ କେବଳ ମୃତଦେହ ଭରି ରହିଥିଲା, ଯାହାର ପ୍ରଭାବ ଆଜି ବି ସେମାନଙ୍କ ବଂଶଧରଙ୍କ ମନରେ ରହିଛି।

ବ୍ରିଟିଶ ସରକାରଙ୍କ ଡିଭାଇଡ ଆଣ୍ଡ ରୁଲ଼ ନୀତି ଏବଂ ସେତେବେଳର ତତ୍କାଳୀନ ରାଜନୈତିକ ନେତୃତ୍ୱଙ୍କ ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥ ଓ କ୍ଷମତା ଲୋଭ ଯୋଗୁଁ ଏହି ବିଭାଜନ ଘଟିଥିଲା। ସେ ସମୟରେ ମୁସ୍‌ଲିମ୍‌ ଲିଗ୍ ଓ କଂଗ୍ରେସର ନିଷ୍ପତ୍ତି ହିଁ ବିଭାଜନର ମୂଳ କାରଣ ଥିଲା ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ। 

ଆଜି ବି ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ନଗଣ୍ୟ ହୋଇଯାଇଥିବା ବେଳେ ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି। ଯେଉଁମାନେ ଏହି ବିଭୀଷିକାକୁ ସାଧାରଣ ଭାବେ ଦେଖୁଛନ୍ତି କିମ୍ବା ଶତ୍ରୁ ଭାବାପନ୍ନ ଦେଶ ସହ ବନ୍ଧୁତ୍ୱ ପାଇଁ ଆଗ୍ରହୀ, ସେମାନଙ୍କୁ ସ୍ୱାର୍ଥପର ଓ ଦେଶବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି।

ଏହି ଛପାଯାଇଥିବା ଇତିହାସକୁ ଆଜିର ଯୁବପିଢ଼ି ଆଗରେ ଉଜାଗର କରିବା ପାଇଁ NCERT ପାଠ୍ୟପୁସ୍ତକରେ ବିଭାଜନର ବିଭୀଷିକାକୁ ସ୍ଥାନିତ କରାଯାଇଛି, ଯାହାଦ୍ୱାରା ଯୁବଶକ୍ତି ଭ୍ରମିତ ନ ହୋଇ ପ୍ରକୃତ ସତ୍ୟ ଜାଣିପାରିବେ। ଅପରପକ୍ଷରେ, ଦେଶାନ୍ତର ହୋଇ ଆସିଥିବା ଶରଣାର୍ଥୀଙ୍କ ମଧ୍ୟରୁ ଲାଲକୃଷ୍ଣ ଆଡଭାନୀ, ସ୍ୱର୍ଗୀୟ ମନମୋହନ ସିଂହ ଏବଂ ଫ୍ଲାଇଂ ଶିଖ୍ ମିଲ୍‌ଖା ସିଂହ ନିଜ କଠିନ ପରିଶ୍ରମ ବଳରେ ଶୀର୍ଷରେ ପହଞ୍ଚିଥିବା ବେଳେ, ପାକିସ୍ତାନ ଯାଇଥିବା ମୁସଲମାନମାନଙ୍କୁ ଆଜି ବି ସେଠାରେ ‘ମୋହାଜିର୍’ ଭାବେ ନିନ୍ଦିତ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୨୧ରୁ ଆରମ୍ଭ କରାଯାଇଥିବା ଏହି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ଆମକୁ ଘୃଣା ଓ ବିଦ୍ୱେଷର ପରିଣାମ ପ୍ରତି ସଚେତନ କରାଏ। ଆସନ୍ତାକାଲି ସ୍ୱାଧୀନତା ଦିବସ ଆନନ୍ଦର ସହ ପାଳନ କରିବା ସହ ଦେଶର ସାର୍ବଭୌମତ୍ୱ, ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଏହି କଳା ଇତିହାସର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।

ବିଭାଜନର  ଯନ୍ତ୍ରଣା, ବିଚ୍ଛେଦ ଓ ବଳିଦାନକୁ ମନେ ପକାଇ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି ଯେ, ଆଜିର ଦିନଟି କେବଳ ଏକ ସାଧାରଣ ଦିବସ ନୁହେଁ, ବରଂ ଏହା ଇତିହାସର ଏକ କଳା ଅଧ୍ୟାୟ ଯେଉଁଥିରେ ଅସଂଖ୍ୟ ନିରୀହ ଲୋକ ହିଂସାର ଶିକାର ହୋଇଥିଲେ । ଆମେ ଏହି ଇତିହାସକୁ କଦାପି ଭୁଲିବା ଉଚିତ ନୁହେଁ, କାରଣ ଇତିହାସକୁ ଭୁଲିଗଲେ ଆମେ ତାହା ପ୍ରଦାନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଶିକ୍ଷାକୁ ବି ଭୁଲିଯିବା। ଆମ ସମସ୍ତଙ୍କର ଗୋଟିଏ ବଡ଼ ପରିଚୟ ହେଉଛି ଆମେ ‘ଭାରତୀୟ’ ଏବଂ ଏକ ନୂତନ, ସମୃଦ୍ଧ ଭାରତ ଗଠନରେ ସେହି ନିରୀହ ବଳିଦାନୀଙ୍କ ଅବଦାନ ସଦା ସ୍ମରଣୀୟ । ତେଣୁ ବିଭାଜନ ନୁହେଁ, ବରଂ ଏକତା ଓ ଅଖଣ୍ଡତା ଉପରେ ବିଶ୍ୱାସ ରଖି ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ. ଚନ୍ଦ୍ରଶେଖର ହୋତା, ଅର୍ଗାନାଇଜର ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ କେତ୍‌କର୍, ଦୁର୍ଗା ବାହିନୀର ରାଷ୍ଟ୍ରୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ମହଲା, ଭାରତୀୟ ଇତିହାସ ସଂକଳନ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକ୍ରମ କେଶରୀ ମହାପାତ୍ର, ବହୁ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
କୋଷ୍ଟାଲ୍ ନିଉଜ୍ 
ବନ୍ଦେ ଉତ୍କଳ ଜନନୀ 

No comments:

COASTAL NEWS

ବିଭାଜନ ର ବିଭିଷିକା

*ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କୋଷ୍ଟାଲ୍ ନିଉଜ୍  ଉପସ୍ତାପକ ଶେଖର ସୁମନ ଦାସ  *ବିଭାଜନର ବିଭୀଷିକା* ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଆଜି ଲୋକସେବ...