AFFILIATE MARKETING

https://binomo.com?a=90810425bb57&t=0

Monday, August 31, 2026

ଶ୍ରୀମଦ୍ ଭାଗବତପ୍ରଥମ ସ୍କନ୍ଧ — ଦ୍ୱିତୀୟ ଅଧ୍ୟାୟ

ଶ୍ରୀମଦ୍ ଭାଗବତ
ପ୍ରଥମ ସ୍କନ୍ଧ — ଦ୍ୱିତୀୟ ଅଧ୍ୟାୟ
ସୂତ ଉବାଚ
୧. ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ।
ହରଷମନେ ମନେ ଗୁଣି ॥
୨. ଗୁରୁଙ୍କୁ ମନେ ମନେ ଧ୍ୟାୟି ।
ପରମ-ପ୍ରୀତି-ବାକ୍ୟେ ଗାଇ ॥
୩. ଜୀବର ହିତେ କୃତକୃତ୍ୟ ।
ହସି କହନ୍ତି ମୁନି ସୂତ ॥
୪. ଯେ ଶୁକ ଏକାନ୍ତ ଗମନ ।
କରିଣ ଦେହ କଲେ ଶୂନ୍ୟ ॥
୫. ପୁତ୍ରର ସ୍ନେହ ମନେ ଧରି ।
ବ୍ୟାସ ଡାକନ୍ତି ଉଚ୍ଚକରି ॥
୬. ପିତାର ସ୍ନେହ ରକ୍ଷା ଅର୍ଥେ ।
ଉତ୍ତର ଦେଲେ ବୃକ୍ଷ ପଥେ ॥
୭. ତାହାଙ୍କୁ ମୋର ନମସ୍କାର ।
ଯେ ହୃଦ ସର୍ବ ପ୍ରାଣୀଙ୍କର ॥
୮. ଜୀବର ପରିତ୍ରାଣ ଅର୍ଥେ ।
କରୁଣା ବହି ଯେହୁ ଚିତ୍ତେ ॥
୯. ଅଖିଳ-ବେଦର ଯେ ସାର ।
ଯେ ଅନୁଭବ ଆପଣାର ॥
୧୦. କହିଲେ ପୁରାଣର ସାର ।
ତାହାଙ୍କୁ ମୋର ନମସ୍କାର ॥
୧୧. ବାଣୀ ନର ଯେ ନାରାୟଣ ।
ଯେ ଗ୍ରନ୍ଥ ସଂସାର-ତାରଣ ॥
୧୨. ଉଦିତ କଲେ ଏ ସଂସାରେ ।
ନମଇଁ ତାହାଙ୍କ ପୟରେ ॥
୧୩. ଏମନ୍ତେ ନମସ୍କାର କରି ।
କହନ୍ତି ମନେ ମୋଦ ଭରି ॥
୧୪. ଶୁଣ ସକଳ ମୁନିଜନ ।
ସାଧୁ ଏ ତୁମ୍ଭର ବଚନ ॥
୧୫. ପରମ-ମଙ୍ଗଳ ଏ ବାଣୀ ।
ଜୀବ ନିସ୍ତରେ ଯାହା ଶୁଣି ॥
୧୬. ପରମଧର୍ମ ଏ ଜଗତେ ।
କୃଷ୍ଣ ଭକତି ଯେଉଁ ମତେ ॥
୧୭. ଫଳର ଆଶା ଯହିଁ ନାହିଁ ।
ବିଘ୍ନ ପଶିବ ଅବା କାହିଁ ॥
୧୮. ଯେ ଭକ୍ତିବଳେ ଏ ସଂସାର ।
ନୁହଇ ପୁଣ ଏ ଜୀବର ॥
୧୯. ଭକତି କଲେ ଜ୍ଞାନ ହୋଏ ।
ଜୀବ ନ ପଡ଼େ ମାୟାମୋହେ ॥
୨୦. କୃଷ୍ଣଚରିତ ଶୁଣି ଯେବେ ।
ଭକ୍ତି ନ ଜନ୍ମେ ମୂଢ଼ଭାବେ ॥
୨୧. କେବଳ ଶ୍ରମ ତାହାଙ୍କର ।
କାହୁଁ ତରିବେ ତମଘୋର ॥
୨୨. ଅର୍ଥସଞ୍ଚନ୍ତି ଯେତେ ନର ।
କେବଳ ଦୁଃଖ ତାହାଙ୍କର ॥
୨୩. ଅର୍ଥେ ନ ପାଇ ଧର୍ମ ମୋକ୍ଷ ।
ସେ କାମ ଲୋଭଟି ପ୍ରତ୍ୟକ୍ଷ ॥
୨୪. ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ ।
ଲୋଭେ ଭ୍ରମର କାମ ଅର୍ଥେ ॥
୨୫. ଯାବତ ଜୀବନ ଧରଇ ।
କାମ ଲୋଭରେ ସୁଖ କାହିଁ ॥
୨୬. ଜୀବର ତତ୍ତ୍ୱ ଜାଣିବାରେ ।
କେ ଜ୍ଞାନୀ ଅଛି ଏ ସଂସାରେ ॥
୨୭. ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ ।
ଜ୍ଞାନ କହନ୍ତି ଏ ଜଗତେ ॥
୨୮. କେହୁ କହନ୍ତି ବ୍ରହ୍ମତତ୍ତ୍ୱ ।
କେ ଅବା ବୋଲେ ପରମାର୍ଥ ॥
୨୯. କେହୁ ବୋଲନ୍ତି ଭଗବାନ ।
ନିର୍ମଳରସ ଗୋପ୍ୟ-ଜ୍ଞାନ ॥
୩୦. ସେବୋଲେ ଶ୍ରଦ୍ଧା ଯେ କରନ୍ତି ।
ଜ୍ଞାନବୈରାଗ୍ୟ ଆଚରନ୍ତି ॥
୩୧. କରନ୍ତି ବିଷ୍ଣୁରେ ଭକତି ।
ଆତ୍ମାରେ ଆତ୍ମାକୁ ଦେଖନ୍ତି ॥
୩୨. ହରି ଚରଣେ ଭକ୍ତିଜାତ ।
ଅଜ୍ଞାନେ ନ ଜାଣେ ଜଗତ ॥
୩୩. ଏଣୁ ଏ ଅଖିଳ ଜଗତେ ।
ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ॥
୩୪. ସ୍ୱଭାବ ଧର୍ମ ଆଚରଣେ ।
ଭକ୍ତି ଉପୁଜେ ନାରାୟଣେ ॥
୩୫. ତେଣୁ ସନ୍ତୋଷ କୃଷ୍ଣ ହୋଇ ।
ପ୍ରାଣୀଙ୍କି ଚଉବର୍ଗ ଦେଇ ॥
୩୬. ଏ ଘେନି ହୋଇ ଏକମନ ।
ଭାବେ ତୋଷିବ ଭଗବାନ ॥
୩୭. ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ ।
ନିତ୍ୟେ ଶୁଣିବ କର୍ଣ୍ଣପଥେ ॥
୩୮. ନିର୍ମଳ କରି ଦୃଢ଼ମନ ।
ନିରତେ କରିବ କୀର୍ତ୍ତନ ॥
୩୯. ଧ୍ୟାନେ ଚିନ୍ତିବ କୃଷ୍ଣରୂପେ ।
ପୂଜା କରିବ ସୂକ୍ଷ୍ମକଳ୍ପେ ॥
୪୦. ଏ ଭାବେ ଭକ୍ତିଯୋଗ ବଢ଼େ ।
କର୍ମ-ବନ୍ଧନ-ଗ୍ରନ୍ଥି ଛିଡ଼େ ॥
୪୧. ଏଣୁ ଜଗତେ ଜ୍ଞାନୀ ଯେତେ ।
କୃଷ୍ଣ ନ ଭଜିବେ କେମନ୍ତେ ॥
୪୨. କୃଷ୍ଣକଥାରେ ରତି ଯାର ।
ସେ ପ୍ରାଣୀ ଭବ ମଧ୍ୟେ ସାର ॥
୪୩. ହରିଚରଣେ ଯାର ଶ୍ରଦ୍ଧା ।
ତାକୁ ନ ଲାଗେ ଭବବାଧା ॥
୪୪. ସେପୁଣ୍ୟେ ସାଧୁସଙ୍ଗ ମିଳେ ।
ପୁଣ୍ୟତୀର୍ଥକୁ ଆଶ୍ରେ କଲେ ॥
୪୫. ଭକତ ସେଙ୍ଗ ଯେବେ ମିଶେ ।
ତେବେ ସେ ହରିରସେ ରସେ ॥
୪୬. କୃଷ୍ଣର କଥା ଯେ ଶୁଣନ୍ତି ।
ବଦନେ ମହିମା ଗୁଣନ୍ତି ॥
୪୭. ତାହାଙ୍କ ହୃଦେ ହରି ବସେ ।
ସକଳ କଳ୍ମଷ ବିନାଶେ ॥
୪୮. ସେ ପୁଣ୍ୟ-ଶ୍ରବଣ-କୀର୍ତ୍ତନ ।
ବେଦେ କହନ୍ତି ମୁନିଜନ ॥
୪୯. ସାଧୁଜନଙ୍କ ମିତ୍ର ହରି ।
ଏଣୁ ଭକତକୁ ଆବୋରି ॥
୫୦. ହେଳେ ତାରଇ ଭବସିନ୍ଧୁ ।
ଯେଣୁ ଭକତଜନବନ୍ଧୁ ॥
୫୧. ଭକତଜନ ସେବା ଫଳେ ।
ଦହନ ହୋନ୍ତି ଅମଙ୍ଗଳେ ॥
୫୨. ତେଣୁ ସେ ଗୋବିନ୍ଦ ବିଷୟେ ।
ଭକ୍ତି ଉପୁଜେ ନରଦେହେ ॥
୫୩. ସ୍ୱଭାବେ ରଜ ତମ ଦୁଇ ।
କାମାଦି ଯେତେ ରିପୁ ଥାଇ ॥
୫୪. ଚିତ୍ତୁ ବାହାର ହୋଇଯାନ୍ତି ।
ସାତ୍ତ୍ୱିକଗୁଣ ଆବୋରନ୍ତି ॥
୫୫. ଏହି ପ୍ରକାରେ ଯେବେ ମନ ।
ହୋଇବ ନିର୍ମଳ ପ୍ରସନ୍ନ ॥
୫୬. ତେବେ ସେ ଭକ୍ତିଯୋଗ ବଳେ ।
କୃଷ୍ଣଭକତ ସଙ୍ଗମେଳେ ॥
୫୭. ନିର୍ମଳ ଜ୍ଞାନ ପ୍ରକାଶଇ ।
ଜନ୍ମ ମରଣ ଆଉ କାହିଁ ॥
୫୮. ଅଶେଷ-କର୍ମ-ଗଣ୍ଠି-ଛନ୍ଦ ।
ଏଣେ ଛିଡ଼ଇ ସର୍ବଦ୍ୱନ୍ଦ୍ୱ ॥
୫୯. ସର୍ବ ସଂଶୟ ତୁଲେ କର୍ମ ।
ତୁଟଇ ବିଶ୍ୱମାୟାଭ୍ରମ ॥
୬୦. ଆତ୍ମାରେ ଆତ୍ମାକୁ ଦେଖନ୍ତି ।
ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥
୬୧. ଏଣୁ ପଣ୍ତିତଜନ ଯେତେ ।
ଆନନ୍ଦେ ଭକ୍ତିଯୋଗ ମତେ ॥
୬୨. ହରି ବିଷୟ ଦୃଢ଼ଚିତ୍ତେ ।
ନିତ୍ୟେ ଭଜନ୍ତି ଆତ୍ମା ହିତେ ॥
୬୩. ବିଷ୍ଣୁର ମାୟାରୁ ସମ୍ଭୂତ ।
ଆଦି ପ୍ରକୃତି ଜନମାତ ॥
୬୪. ଯେ ସତ୍ତ୍ୱ-ରଜ-ତମ ଗୁଣ ।
ସୃଷ୍ଟି ପାଳନ ସଂହାରଣ ॥
୬୫. ଅନାଦି-ପରମ-ପୁରୁଷ ।
ଏ ତିନିଗୁଣେ ସେ ପ୍ରକାଶ ॥
୬୬. ସୃଷ୍ଟି ଉଦୟେ ବ୍ରହ୍ମା ହୋଇ ।
ପାଳନେ ବିଷ୍ଣୁ ସେ ବୋଲାଇ ॥
୬୭. ସଂହାର କାଳେ ରୁଦ୍ର ରୂପେ ।
ସୁଖେ ବିହରେ ମୋହକଳ୍ପେ ॥
୬୮. ସେ ଶୁଦ୍ଧସତ୍ତ୍ୱ ବିଷ୍ଣୁଦେହେ ।
ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ॥
୬୯. କାଷ୍ଠ ସଂଯୋଗେ ଧୂମ ଜାତ ।
ଧୂମରୁ ଅନଳ ସମ୍ଭୂତ ॥
୭୦. ତୃତୀୟ ଅଙ୍ଗାର ପ୍ରମାଣ ।
ତାମସ ରଜ ସତ୍ତ୍ୱ ଗୁଣ ॥
୭୧. ଏ ଭାବେ ବ୍ରହ୍ମ ପରିମାଣି ।
ଭବସାଗର ତରେ ପ୍ରାଣୀ ॥
୭୨. ନିର୍ମଳଚେତା ମୁନି ଯେତେ ।
ବିଚାର କରି ଆତ୍ମାହିତେ ॥
୭୩. ବିଷ୍ଣୁଙ୍କୁ ସତ୍ତ୍ୱଗୁଣେ ଜାଣି ।
ଭଜିଲେ ମୋକ୍ଷ ପରିମାଣି ॥
୭୪. ତାମସ ରଜଗୁଣେ ଯେତେ ।
ଯେ ଭୂତପତି ଏ ଜଗତେ ॥
୭୫. ସ୍ୱଭାବେ ଘୋର ଭୟଙ୍କର ।
ଏଣୁ ନ ଭଜେ ସାଧୁନର ॥
୭୬. ଅହିଂସା ଶାନ୍ତିଗୁଣେ ଥାନ୍ତି ।
ହରି ଚରିତ ଚିତ୍ତେ ଚିନ୍ତି ॥
୭୭. ଧନ ସମ୍ପଦେ ଯାର ଇଚ୍ଛା ।
ସେ କରେ ଭୂତପ୍ରେତ ଦୀକ୍ଷା ॥
୭୮. ସଂସାରେ ଦେବଯଜ୍ଞ ଯେତେ ।
ଯୋଗସାଧନ କ୍ରିୟାମତେ ॥
୭୯. ପରମଜ୍ଞାନ ତପ ଆଦି ।
କଠୋର ଯେତେ ଧର୍ମ ସାଧି ॥
୮୦. ଏ ସର୍ବଗତି ନାରାୟଣ ।
ଏବେ ହୋ ମୁନିଗଣେ ଶୁଣ ॥
୮୧. ଏ ସର୍ବବିଧି ଧର୍ମ ଯେତେ ।
କରିବ ବିଷ୍ଣୁ ପ୍ରୀତି ଅର୍ଥେ ॥
୮୨. ଏ ତିନିଗୁଣେ ନାରାୟଣ ।
ସୃଷ୍ଟି ପାଳନ ସଂହାରଣ ॥
୮୩. ଏମନ୍ତେ ବିଶ୍ୱରୂପ ଧରେ ।
ମାୟାସଂସାରେ ସେ ବିହରେ ॥
୮୪. ସ୍ୱଭାବେ ନିର୍ଗୁଣ ମୁରାରି ।
ଖେଳଇ ତ୍ରିଗୁଣ ଆବୋରି ॥
୮୫. ସକଳ ଜୀବ ମଧ୍ୟେ ଥାଇ ।
ଅଜ୍ଞାନେ ଜୀବ ନ ଜାଣଇ ॥
୮୬. ଅଶେଷ ମହିମା ଯେ ଧରେ ।
କିବା ଉପମା ଦେବା ତାରେ ॥
୮୭. ସେ ହରି-ଚରଣ-ପଙ୍କଜ ।
ସୁଜନଜନ ନିତ୍ୟେ ଭଜ ॥
୮୮. କହଇ ଦାସ ଜଗନ୍ନାଥ ।
ଗୀତ-ପ୍ରବନ୍ଧେ ଭାଗବତ ॥
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ॥ �
Wikisource
**ଜୟ ଶ୍ରୀଜଗନ୍ନାଥ।

No comments:

COASTAL NEWS

ଶ୍ରୀମଦ୍ ଭାଗବତପ୍ରଥମ ସ୍କନ୍ଧ — ତୃତୀୟ ଅଧ୍ୟାୟ ଅବତାର ଚରିତ

ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ — ତୃତୀୟ ଅଧ୍ୟାୟ ଅବତାର ଚରିତ ସୂତ ଉବାଚ ସୂତ କହନ୍ତି ଶୁଦ୍ଧ ଚିତ୍ତେ । ହରଷେ ମୁନିଙ୍କ ଅଗ୍ରତେ ॥ ଶୁଣ ସକଳ ମୁନି...