ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି କହିଲେ ମୋଦି
ପରସ୍ପର ସମ୍ମାନ ଓ ବିଶ୍ବାସରେ ଆଗକୁ ବଢ଼ିବା: ମୋଦି
ନୂଆଦିଲ୍ଲୀ, ୩୧/୮: ରବିବାର ଦିନ ଚୀନର ବନ୍ଦର ସହର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉଭୟ ପରସ୍ପର ସହିତ ହାତ ମିଳାଇବା ସହ ପାରସ୍ପରିକ ବିଶ୍ୱାସ ଓ ସମ୍ମାନର ସହ ଉଭୟ ରାଷ୍ଟ୍ରର ସମ୍ପର୍କକୁ ଆଗକୁ ବଢାଇବେ ବୋଲି ମତପ୍ରକାଶ କରିଛନ୍ତି।
ଉଭୟ ନେତାଙ୍କ ସକରାତ୍ମକ ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଶକ୍ତ ଝଟକା ଲାଗିଛି। ଉଭୟ ରାଷ୍ଟ୍ରର ଆମେରିକା ସହିତ ସମ୍ପର୍କ ଖରାପ ଥିବା ବେଳେ ଉଭୟ ବର୍ତ୍ତମାନ ପରସ୍ପର ସହିତ ହାତ ମିଳାଇଛନ୍ତି।
୪୦ ମିନିଟର ଏହି ଆଲୋଚନାରେ, ପ୍ରଧାନମନ୍ତ୍ରୀ ମୋଦି ସୀମା ବିବାଦ ଉପରେ ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା, କୈଳାସ ମାନସରୋବର ଯାତ୍ରା ପୁନଃଆରମ୍ଭ ଏବଂ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃସ୍ଥାପନ ଭଳି ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ।
“ଉଭୟ ଦେଶର ୨୮୦ କୋଟି ଲୋକଙ୍କ ହିତ ପରସ୍ପର ସହ ଜଡିତ। ଏହା ସମଗ୍ର ମାନବତାର କଲ୍ୟାଣ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
“ଆମେ ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଆମର ସମ୍ପର୍କକୁ ଆଗକୁ ନେବାକୁ ପ୍ରତିବଦ୍ଧ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ,” ବୋଲି ମୋଦି ଆହୁରି କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ୨୦୧୮ରେ ଚୀନ୍ ଯାତ୍ରା କରିଥିଲେ। ଗତ ୭ ବର୍ଷ ମଧ୍ୟରେ ପ୍ରଥମ ଥର ଚୀନ୍ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ ଏନଏସଏ ଅଜିତ୍ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ଏତଦବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ତିଆନଜିନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଅଛି।

 
 
No comments:
Post a Comment