AFFILIATE MARKETING

https://binomo.com?a=90810425bb57&t=0

Monday, October 9, 2023

ବିଶ୍ୱାସର ସାଥୀ ଡାକଘର

COASTAL NEWS ODIA 1077

ବିଶ୍ୱାସର ସାଥୀ ଡାକଘର


 
ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଆଜିର ଦିନରେ ୧୯୨ ସଭ୍ୟ ରାଷ୍ଟ୍ର ଥିବା ଜାତିସଂଘର ଦ୍ୱିତୀୟ ସର୍ବପୁରାତନ ସଂସ୍ଥା ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ବା ‘ବିଶ୍ୱ ଡାକ ସଂଘ’ ୯ ଅକ୍ଟୋବର ୧୮୭୪ରେ ପ୍ରତିଷ୍ଠିତ ଯାହାର ମୁଖ୍ୟାଳୟ ସୁଇଜରଲାଣ୍ଡର ରାଜଧାନୀ ବର୍ନଠାରେ ଅବସ୍ଥିତ। ବିଶ୍ୱ ଡାକ କଂଗ୍ରେସର ୧୯୬୯ ଟୋକିଓ ଘୋଷଣାନାମା ଅନୁଯାୟୀ ବିଶ୍ୱ ଡାକ ସଂଘର ପ୍ରତିଷ୍ଠା ଦିବସ ୯ ଅକ୍ଟୋବରକୁ ଏହି ସଭ୍ୟ ରାଷ୍ଟ୍ରମାନେ ‘ବିଶ୍ୱ ଡାକ ଦିବସ’ ଭାବେ ପାଳନ କରିଥାନ୍ତି। ଭାରତୀୟ ଡାକ ପ୍ରତିବର୍ଷ ୯ ଅକ୍ଟୋବରରୁ ଏକ ସପ୍ତାହ ବ୍ୟାପୀ ଜାତୀୟ ଡାକ ସପ୍ତାହ ପାଳନ କରେ। ଭାରତୀୟ ଡାକ ବିଭାଗ ଏବର୍ଷ ୧୦ରୁ ୧୩ ଅକ୍ଟୋବରକୁ ଯଥାକ୍ରମେ ବିତ୍ତୀୟ ସଶକ୍ତୀକରଣ ଦିବସ, ଫିଲାଟେଲି ଦିବସ, ମେଲ୍‌ ଓ ପାର୍ସଲ ଦିବସ ଏବଂ ଅନ୍ତ୍ୟୋଦୟ ଦିବସ ଭାବରେ ପାଳନ କରୁଛି। ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗାଁର ଶାଖା ଡାକଘରୁ ଡାକ ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ଏବଂ ମଣ୍ଡଳ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ ଡାକ ବିଭାଗ ଯୋଗାଇଦେଉଥିବା ଡାକଘର ସ୍ପଳ୍ପ ସଞ୍ଚୟ ଯୋଜନା, ଡାକ ଜୀବନ ବୀମା, ବିଭିନ୍ନ ଲାଭଦାୟକ ଓ ଡିଜିଟାଲ ସେବା ଉପରେ ଜନ ସଚେତନତା ସୃଷ୍ଟି କରି ଡାକ ସେବାକୁ ଅଧିକ ଲୋକାଭିମୁଖୀ କରେଇବା ବିଶ୍ୱ ଡାକ ଦିବସ ଓ ଜାତୀୟ ଡାକ ସପ୍ତାହର ମୂଳ ଲକ୍ଷ୍ୟ।

ବିଶ୍ୱ ଡାକ ଦିବସର ବିଷୟବସ୍ତୁ ହେଉଛି, ”ବିଶ୍ବାସ ପାଇଁ ସାଥିରେ, ସୁରକ୍ଷିତ ଓ ସଂଯୁକ୍ତ ଭବିଷ୍ୟତ ଲାଗି ସହଯୋଗିତା“। କହିବା ବାହୁଲ୍ୟ ଯେ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ, ବ୍ୟବସାୟିକ, ସାମାଜିକ, ଅର୍ଥନୈତିକ ଓ ଡିଜିଟାଲ ସେବାର ଉପଲବ୍ଧ କରାଇ ଡାକଘର ସଂଯୋଗଶୀଳ, ସମନ୍ବିତ ଓ ସଂଯୁକ୍ତ ସମ୍ପ୍ରଦାୟ ପାଇଁ ଏକ ଆବଶ୍ୟକ କେନ୍ଦ୍ର ହିସାବରେ କାମ କରେ। ବିଶେଷ ଭାବେ ଅପହଞ୍ଚ ଅଞ୍ଚଳରେ ଏହା ଏକମାତ୍ର ଜନସେବା ପ୍ରଦାନକାରୀ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବନାହିଁ। ପିଢ଼ି ପରେ ପିଢ଼ି ଡାକ କର୍ମଚାରୀମାନେ ଦୈନିକ ଦୁଆରେ ଦୁଆରେ ସେବା ପ୍ରଦାନ କରି ଜନସାଧାରଣଙ୍କର ଚିର ପରିଚିତ ତଥା ବିଶ୍ବାସଯୋଗ୍ୟ ବନ୍ଧୁ ହିସାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବିଶ୍ୱବାସୀଙ୍କର ଏହି ବିଶ୍ୱାସ ଓ ଭରସା ହିଁ ଶତାବ୍ଦୀ ଶତାବ୍ଦୀ ଧରି ଡାକଘରର ସଫଳତାର ମୂଳମନ୍ତ୍ର ହୋଇରହିଛି। ଆଜିର ଦିନରେ ବିଶ୍ୱର ୬.୫ ଲକ୍ଷ ଡାକଘରର ୫୦ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ଖବର, ଚିଠି, ଉପହାର, ଅର୍ଥ, ଔଷଧପତ୍ର ଓ ଅନେକ ଅତ୍ୟାବଶ୍ୟକ ଦ୍ରବ୍ୟ ଦେଣନେଣ କରି ସୁରକ୍ଷା ଓ ନିରାପତ୍ତାର ଦୃଢ଼ ପ୍ରତିଶ୍ରୁତି ବଳରେ ବିଶ୍ୱବାସୀଙ୍କର ବିଶ୍ୱାସଭାଜନ ହୋଇପାରିଛନ୍ତି। ଉଭୟ କର୍ମଚାରୀ ଓ ସେବା ସମୂହର ସୁରକ୍ଷା ଓ ନିରାପତ୍ତା ପାଇଁ ଭାରତୀୟ ଡାକ ସହ ବିଶ୍ୱର ସମସ୍ତ ଡାକ ସଂସ୍ଥା ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ।

ବିଶେଷ ଭାବେ, ଯୁଦ୍ଧ ଓ ମହାମାରୀ ଭଳି ଆକସ୍ମିକ ବିପତ୍ତି ସମୟରେ ବିଶ୍ୱର ସମସ୍ତ ଡାକ ସଂସ୍ଥାର କର୍ମଚାରୀମାନେ ସର୍ବାଗ୍ରେ ସହଯୋଗର ହାତ ବଢ଼ାଇଥା’ନ୍ତି। ସମୁଦ୍ର ପତ୍ତନଠାରୁ ୪୪୪୦ ମିଟର ଉଚ୍ଚରେ ସିକିମ୍‌ଠାରେ ବିଶ୍ୱର ସର୍ବୋଚ୍ଚ ଡାକଘରଠାରୁ ପ୍ରଶାନ୍ତ ମହାସାଗରର ହାଇଡୱେରେ ବିଶ୍ୱର ପ୍ରଥମ ପାଣିତଳ ଡାକଘର ପର୍ଯ୍ୟନ୍ତ ଏବଂ ଚିର ବରଫାବୃତ୍ତ ଆଣ୍ଟାର୍କଟିକାର ପୋର୍ଟଲକରୁ ଶ୍ରୀନଗରର ଡାଲ୍‌ ହ୍ରଦରେ ଥିବା ଭାସମାନ ଡାକଘର ପର୍ଯ୍ୟନ୍ତ ସବୁ ଡାକଘର ସର୍ବତ୍ର କରୋନା ମହାମାରୀ ସମୟରେ ଅତ୍ୟନ୍ତ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି।
ଉଦାହରଣ ସ୍ବରୂପ, ଆୟର୍ଲାଣ୍ଡ ଡାକ ବିଭାଗ ବୟସ୍କ ଓ ସଂକ୍ରମିତଙ୍କ ପରୀକ୍ଷଣ କରେଇ ପୋଷ୍ଟମ୍ୟାନମାନଙ୍କ ଜରିଆରେ ଔଷଧପତ୍ର ବିତରଣ କରିଥିଲା ବେଳେ ଟ୍ୟୁନିସିଆ ଡାକ ବିଭାଗ ପେନ୍‌ସନଭୋଗୀଙ୍କ ନିକଟରେ ସେମାନଙ୍କ ପେନ୍‌ସନ୍‌ ରାଶି ପହଞ୍ଚେଇଥିଲା। ଅଷ୍ଟ୍ରେଲିଆ, ଫିଲିପାଇନ୍ସ, ବାଂଲାଦେଶ ଡାକ ବିଭାଗ, ସ୍ବାସ୍ଥ୍ୟ କେନ୍ଦ୍ର, ସ୍ବାସ୍ଥ୍ୟ କର୍ମୀ ଓ ଜନସମୁଦାୟଙ୍କ ପାଖରେ ବିଭିନ୍ନ ସ୍ବାସ୍ଥ୍ୟ ସେବା ତଥା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ କୋଭିଡ୍‌ ପରୀକ୍ଷଣ ସରଞ୍ଜାମ ପହଞ୍ଚେଇଥିଲା ବେଳେ କେନିଆ ଓ ଚେକୋସ୍ଲୋଭାକିଆ ଭଳି ରାଷ୍ଟ୍ରର ଡାକଘରଗୁଡିକ ଅପହଞ୍ଚ ଅଞ୍ଚଳର ଲୋକମାନଙ୍କୁ ଖାଦ୍ୟପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିଲେ। ଉଲ୍ଲେଖଯୋଗ୍ୟ ଯେ ୧.୫୯ ଲକ୍ଷ ଡାକଘର ସହ ୫ ଲକ୍ଷ କର୍ମଚାରୀଙ୍କୁ ନେଇ ସାଧାରଣ ସମୟରେ ଦିନକୁ ହାରାହାରି ୨୫ ହଜାର କିଲୋମିଟର ଯାତାୟାତ ସହ ୭୫ ଟନ୍‌ରୁ ଅଧିକ ଚିଠିପତ୍ର ଓ ପାର୍ସଲ ବାଣ୍ଟୁଥିବା ବିଶ୍ୱର ସର୍ବବୃହତ୍‌ ଡାକ ସଂସ୍ଥା ଭାରତୀୟ ଡାକ, ତାଲାବନ୍ଦର ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ୨୦୦୦ ଟନ୍‌ରୁ ଅଧିକ ଓଜନର ଔଷଧପତ୍ର ଓ ସ୍ବାସ୍ଥ୍ୟସେବା ଉପକରଣ ବିତରଣ କରିଥିଲା। ଖାଲି ସେତିକି ନୁହେଁ, ଡିଜିଟାଲ ସାମର୍ଥ୍ୟର ସୁଯୋଗ ନେଇ ବିଶ୍ୱର ଅଧିକାଂଶ ଡାକ ବିଭାଗ ଦୁଆରମୁହଁରେ ଟଙ୍କା ସହ ବିଭିନ୍ନ ସେବା ଯୋଗାଇଦେବାରେ ସକ୍ଷମ ହୋଇଛିି। ମହାମାରୀ ସମୟରେ ଅହର୍ନିଶ ନିରବଚ୍ଛିନ୍ନ ସେବା ପ୍ରଦାନ କରି ବିଶ୍ୱର ପ୍ରତ୍ୟେକ ଡାକ ସଂସ୍ଥା ଜନମାନସରେ ସେମାନଙ୍କର ବିଶ୍ୱାସ ଓ ଭରସାକୁ ବହୁଗୁଣିତ କରିଛନ୍ତି।

ସହ ଡାକଘରର ଏହି ବିଶ୍ୱାସ ଓ ଭରସାଯୋଗ୍ୟ ସମ୍ପର୍କକୁ ଆହୁରି ଦୃଢୀଭୂତ କରି ଗଢ଼ିତୋଳିବା ଉଦ୍ଦେଶ୍ୟରେ ବିଶ୍ୱର ସମସ୍ତ ଡାକ ସଂସ୍ଥା ସେମାନଙ୍କର ବ୍ୟାପକ ଭୌତିକ ଡାକ ବ୍ୟବସ୍ଥାକୁ ଏକ ବିଶାଳ ଡିଜିଟାଲ କ୍ଷେତ୍ରରେ ରୂପାନ୍ତରଣ କରିବା ପାଇଁ ଅହରହ ଚେଷ୍ଟିତ।

ପ୍ରତ୍ୟେକ ଦିନ ବିଶ୍ୱର ଅନୂ୍ୟନ ୮୦ କୋଟି ଲୋକଙ୍କ ପାଖରେ ନିରାପଦ ଓ ସୁରକ୍ଷିତ ଡାକସେବା ପହଞ୍ଚାଉଥିବା ୬.୫ ଲକ୍ଷ ଡାକଘର ମଧ୍ୟରୁ ପାଖାପାଖି ୧ଲକ୍ଷ ଡାକଘରେ ଆବଶ୍ୟକ ଇଣ୍ଟରନେଟ ସୁବିଧା ଉପଲବ୍ଧ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଲୋକେ ଶାରୀରିକ ଓ ହସ୍ତକୃତ ସେବାରୁ ମୁହଁ ବୁଲେଇ ସୁରକ୍ଷିତ ଓ ନିରାପଦ ଡିଜିଟାଲ ସେବା ପ୍ରାପ୍ତି ପାଇଁ ବେଶି ତତ୍ପର। ତେଣୁ ସମ୍ପୂର୍ଣ୍ଣ ଡିଜିଟାଲ ରୂପାନ୍ତରଣ ପାଇଁ ବିଶ୍ୱ ଡାକ ସଂସ୍ଥା ‘କନେକ୍ଟ ଡଟ୍‌ ପୋଷ୍ଟ’ ଜରିଆରେ ୨୦୩୦ ସୁଦ୍ଧା ସମସ୍ତ ଡାକଘରକୁ ଇଣ୍ଟରନେଟ ସୁବିଧା ଉପଲବ୍ଧ କରେଇବା ପାଇଁ ପ୍ରୟାସ ଜାରି ରଖିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...