AFFILIATE MARKETING

https://binomo.com?a=90810425bb57&t=0

Sunday, October 22, 2023

ରାଜ୍ୟ ସରକାର କଲେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି

COASTAL NEWS ODIA 1213

ରାଜ୍ୟ ସରକାର କଲେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି



ଭୁବନେଶ୍ବର - (CNO) - ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟ ସରକାର ଶନିବାର ବିଳମ୍ବିତ ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏହି ବଦଳି ନିର୍ଦ୍ଦେଶ ସହ ସମସ୍ତ ଅଫିସରଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି ଓ ୨୫ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ସରକାର ତାଗିଦ୍ କରିଛନ୍ତି । ଯଦିଓ ଦୁର୍ଗାପୂଜା ପାଇଁ ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ସଚିବାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଛୁଟି ରହିଛି । ତେବେ ଗତ ୨୦ ଓ ୨୧ତାରିଖ ଦୁଇଦିନ ଧରି ପଂଚାୟତିରାଜ ବିଭାଗ ଏବଂ ରାଜସ୍ୱ ବିଭାଗ ଦ୍ୱାରା ଜାରି ଓଏଏସ୍ ଅଫିସରଙ୍କ ବଦଳି ବିଜ୍ଞପ୍ତିରେ ରାଜ୍ୟ ସରକାର ନିଜର ଏକଛତ୍ରବାଦୀ ନୀତିର ପରିଚୟ ଦେବାକୁ ପଛାଇ ନାହାନ୍ତି । 

ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବଦଳି ନୀତି ଓ ଓଡ଼ିଶା ସର୍ଭିସ କୋଡ୍‌କୁ ଖୋଲାଖୋଲି ଉଲ୍ଲଘଂନ କରିବା ସହ ବଦଳି କ୍ଷେତ୍ରରେ ଜିଲ୍ଲାପାଳମାନଙ୍କ କ୍ଷମତାକୁ ବି କାଢ଼ି ନେଇଥିବା ଜଣାପଡ଼ିଛି । ଆଉ ଏସବୁ କେବଳ ତୃତୀୟ ମହଲା(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ)ର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ହେଉଥିବା ଚର୍ଚ୍ଚା ।

ସୂଚନା ଅନୁସାରେ, ଦୁର୍ଗା ପୂଜା ପାଇଁ ଛୁଟି ଥିବା ସତ୍ତ୍ୱେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି ବିଜ୍ଞପ୍ତି ଜାରି କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଅଫିସରମାନଙ୍କ ସମୂହ ବଦଳି ରାଜ୍ୟ ସରକାରଙ୍କ କାର୍ଯ୍ୟର ଅଂଶବିଶେଷ ତଥା ସ୍ୱାଭାବିକ ପ୍ରକ୍ରିୟା । 

ମାତ୍ର ଯେଉଁ ଢଙ୍ଗରେ ସରକାର ଏବେ ଅଫିସରମାନଙ୍କ ବଦଳି ନିର୍ଦ୍ଦେଶ ଜାରି କରୁଛନ୍ତି ଓ ସେଥିରେ ଜିଲ୍ଲାସ୍ତରର ଅଫିସରମାନଙ୍କୁ ରିଲିଭ୍ କରିବା କ୍ଷମତା ଜିଲ୍ଲାପାଳମାନଙ୍କଠୁ କାଢ଼ି ନେଇ ବିଭାଗ ଦ୍ୱାରା କରାଉଛନ୍ତି ତାହା ଓଡ଼ିଶା ସର୍ଭିସ କୋଡ୍ ଓ ବଦଳି ନୀତିରେ ଥିବା ପ୍ରାବଧାନକୁ ଖୋଲା ଉଲ୍ଲଘଂନ କରୁଛି । ଏପରିକିି ଜିଲ୍ଲାସ୍ତରର ଅଫିସରମାନଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲି ରିଲିଭ୍ କରାଯିବା ଓ ଦାୟିତ୍ୱ ହସ୍ତାନ୍ତର ପାଇଁ ସେମାନଙ୍କୁ ସମୟ ଦିଆନଯିବା ଦ୍ୱାରା ପରୋକ୍ଷରେ ରାଜ୍ୟରେ ନୂଆ ପ୍ରଶାସନିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।

ଉଦାହରଣସ୍ୱରୂପ, ପଂଚାୟତିରାଜ ବିଭାଗ ପକ୍ଷରୁ ଗତ ୨୦ତାରିଖ ଶୁକ୍ରବାର ଏକ ବଦଳି ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ୨୯ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ବ୍ଲକରେ ବିଡିଓ ଭାବେ ନିଯୁକ୍ତି ମିଳିଛି । ଆଉ ସେହି ବଦଳି ବିଜ୍ଞପ୍ତିରେ ଚଳିିତବର୍ଷ ଜାନୁୟାରୀରୁ ଅକ୍ଟୋବରମାସ ମଧ୍ୟରେ ୧୨ଟି ବଦଳି ବିଜ୍ଞପ୍ତିର ଉଲ୍ଲେଖ କରାଯାଇଛି । ଏହି ୧୨ଟି ବଦଳି ନିର୍ଦ୍ଦେଶ ଆଧାରରେ ଯେଉଁ ଓଏଏସ୍ ଅଫିସରମାନେ ନିଜ ସ୍ଥାନରୁ ରିଲିଭ୍ ନହୋଇଛନ୍ତି ସେମାନଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ପଂଚାୟତିରାଜ ବିଭାଗର ସଦ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି ।

ପଂଚାୟତିରାଜ ବିଭାଗ ଚଳିତବର୍ଷ ଅକ୍ଟୋବର ୭, ସେପ୍ଟେମ୍ବର ୧୨, ମେ’ ୯, ଏପ୍ରିଲ ୨୭, ମାର୍ଚ୍ଚ ୨, ଫେବୃୟାରୀ ୨୦ ଓ ଜାନୁୟାରୀ ୧୯ ତାରିଖର ବଦଳି ବିଜ୍ଞପ୍ତି ଏବଂ ରାଜସ୍ୱ ବିଭାଗର ଜାନୁୟାରୀ ୧୮, ମେ’ ୧୮, ମେ’୩୧, ଜୁନ୍ ୮ ଓ ଜୁଲାଇ ୧୯ତାରିଖର ବଦଳି ବିଜ୍ଞପ୍ତିକୁ ଉଲ୍ଲେଖ କରାଯାଇଛି । ଏହି ସମସ୍ତ ବଦଳି ବିଜ୍ଞପ୍ତି ତାରିଖକୁ ଉଲ୍ଲେଖ କରି ପଂଚାୟତିରାଜ ବିଭାଗ ଗତ ଶୁକ୍ରବାର ଅର୍ଥାତ୍ ଅକ୍ଟୋବର ୨୦ ଅପରାହ୍ନରେ ସମସ୍ତ ଓଏଏସ୍ ଅଫିସରଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ଓ ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରିଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅକ୍ଟୋବର ୨୧ ଶନିବାର ଜାରି ବଦଳି ବିଜ୍ଞପ୍ତିରେ ମଧ୍ୟ ୨୨୦ଜଣ ଓଏଏସ୍ ଅଫିସରଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ଓ ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି । ଏହି ବିଜ୍ଞପ୍ତିରେ ସେପ୍ଟେମ୍ବର ୧୨ ଓ ଅକ୍ଟୋବର ୧୩ରେ ଯେଉଁ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିଲା ସେମାନଙ୍କୁ ମଧ୍ୟ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ଉଲ୍ଲେଖ ରହିଛି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ବଦଳି ନିର୍ଦ୍ଦେଶ ସତ୍ତ୍ୱେ ଦୀର୍ଘ ୮-୧୦ ମାସ ଧରି କିଭଳି ଜିଲ୍ଲାସ୍ତରରେ କାର୍ଯ୍ୟରତ ଓଏଏସ୍ ଅଫିସରମାନେ ନିଜ ଗାଦି ଛାଡ଼ୁ ନଥିଲେ? ବଦଳି ହୋଇଥିବା ଅଫିସରମାନଙ୍କୁ ରିଲିଭ୍ କରିବା ଦିଗରେ ଜିଲ୍ଲାପାଳମାନେ କାହିଁକି ପଦକ୍ଷେପ ନେଉନଥିଲେ? ରାଜ୍ୟ ସରକାର କାହିଁକି ଏଥିପାଇଁ ଜିଲ୍ଲାପାଳମାନଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ? ଏଭଳି ପ୍ରଶାସନିକ ବିଶୃଙ୍ଖଳା ପାଇଁ ଦାୟୀ କିଏ?

ଅନ୍ୟପକ୍ଷରେ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ,  ପୂର୍ବରୁ ଅଫିସରମାନଙ୍କ ବଦଳି ତାଲିକା ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇ ମନ୍ତ୍ରୀ ଅବା ଆବଶ୍ୟକସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଉଥିଲା । ସେଠାରୁ ମଞ୍ଜୁରୀ ମିଳିବା ପରେ ବିଭାଗ ତା’ର ବଦଳି ବିଜ୍ଞପ୍ତି ଜାରି କରୁଥିଲା । କେଉଁ ଅଫିସର କେତେଦିନ ଧରି ଗୋଟିଏ ପଦବୀ ଓ ଜିଲ୍ଲାରେ ରହିଛନ୍ତି ତାକୁ ଦୃଷ୍ଟିରେ ରଖି ଏହି ବଦଳି ତାଲିକା ବିଭାଗ ପ୍ରସ୍ତୁତ କରୁଥିଲା । ଫଳରେ ଅଫିସରମାନଙ୍କ ବଦଳି ନୀତି ଓ ଓଡ଼ିଶା ସର୍ଭିସ କୋଡ୍‌ର ଅନୁପାଳନ ଠିକ୍ ଭାବେ ହୋଇପାରୁଥିଲା । ସେହି ଆଧାରରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ସମ୍ପୃକ୍ତ ଅଫିସରମାନଙ୍କୁ ରିଲିଭ୍ କରିବା ନିମନ୍ତେ ରିମାଇଣ୍ଡର ପଠାଯାଉଥିଲା ।

ମାତ୍ର ଏବେ କିଛିବର୍ଷ ହେବ ସବୁକିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରୁଛି । ଜିଲ୍ଲାସ୍ତରର ଅଫିସରମାନଙ୍କ ବଦଳି କରିବାବେଳେ କୌଣସି ନୀତି-ନିୟମକୁ ଗୁରୁତ୍ୱ ଦିଆଯାଉନି । ଫଳରେ ଜିଲ୍ଲାସ୍ତରରେ ଯେଉଁ ଓଏଏସ୍ ଅଫିସରମାନେ ବିଡିଓ,ତହସିଲଦାର, ଆସିଷ୍ଟାଣ୍ଟ କଲେକ୍ଟର, ଡେପୁଟି କଲେକ୍ଟର, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଭଳି ପଦବୀରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପରିବର୍ତ୍ତେ ଜଣେ ଅଫିସର ଯୋଗ ନଦେବା ପର୍ଯ୍ୟନ୍ତ ଜିଲ୍ଲାପାଳମାନେ ରିଲିଭ୍ ନିଷ୍ପତ୍ତି ନେଉନାହାନ୍ତି । ସ୍ୱାଭାବିକ ଭାବେ ଜିଲ୍ଲାସ୍ତରରେ ଅଫିସରଙ୍କ ବହୁ ପରିମାଣର ଆବଶ୍ୟକତା ରହିଛି । ବିଡିଓ ଓ ତହସିଲଦାର ସିଧାସଳଖ ଲୋକଙ୍କ ସହ ଜଡ଼ିତ ରହୁଛନ୍ତି । ତା’ଛଡ଼ା ଜିଲ୍ଲାପାଳ ଅଫିସରେ ଜୁଡିସିଆରି, ରେଭନ୍ୟୁ, ଏଷ୍ଟାବ୍ଲିସମେଂଟ, ଇଲେକ୍ସନ, ଜେନେରାଲ ଆଣ୍ଡ ମିସିଲାନିୟସ୍ , ଗ୍ରିଭାନ୍ସ ଓ ଡେଭଲପମେଂଟ ଭଳି ସେକ୍ସନ ରହିଛି । ଯାହାର ଦାୟିତ୍ୱରେ ଜୁନିୟର ଓଏଏସ୍ ଅଫିସରମାନେ ରହିଥାନ୍ତି । ଗୋଟିଏ ଅବା ଏକାଧିକ ସେକ୍ସନ ଦାୟିତ୍ୱରେ ଏହି ଓଏଏସ୍ ଅଫିସର ରହୁଥିବାରୁ ସେମାନଙ୍କ ବଦଳି ହେଲେ କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ଅଧିକ । 

ସେହିପରି ଅଫିସରମାନଙ୍କ ବଦଳିବେଳେ ସରକାର ଏସବୁ ଦିଗ ପ୍ରତି ଧ୍ୟାନ ନଦେଇ ‘ବ୍ରହ୍ମା ବିଳି ବିଳେଇଲେ ବେଦ’ ନ୍ୟାୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯେଉଁ ଢଙ୍ଗରେ ନିୟମକୁ ମୋଡ଼ିମକଚି ଦେବାକୁ ଚାହୁଁଛନ୍ତି ବିଭାଗଗୁଡ଼ିକ ସେପରି କରିବାକୁ ଏକରକମ ବାଧ୍ୟ ହେଉଛନ୍ତି । ଏବେ ଦୁର୍ଗାପୂଜା ଛୁଟି ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ରହିଛି । ଅଫିସରମାନଙ୍କୁ ୨୫ତାରିଖ କିମ୍ବା ତା’ପୂର୍ବରୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବଦଳି ନୀତି ଅନୁସାରେ ଅଫିସରମାନଙ୍କୁ ଟ୍ରାନଜିଟ୍ ପରିୟଡ୍ (୧୨୦କିମି ଦୂରତ୍ୱକୁ ବଦଳି ହୋଇଥିଲେ ଗୋଟିଏ ଦିନ) ବି ଦିଆଯାଇନି । ସେମାନେ ଯେଉଁ ଦାୟିତ୍ୱରେ ରହିଛନ୍ତି ତା’ର ହିସାବ-ନିକାସ ମଧ୍ୟ କରି ଦାୟିତ୍ୱ ହସ୍ତାନ୍ତର କରିବାକୁ ବି ସୁଯୋଗ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଏସବୁ ପ୍ରଶାସନିକ ଅପାରଗତା ଓ ଦୂରଦୃଷ୍ଟି ନଥିବାରୁ  ସରକାରଙ୍କ ବଦଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାରେ ମାସମାସ ବିତିଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...