AFFILIATE MARKETING

https://binomo.com?a=90810425bb57&t=0

Thursday, October 9, 2025

ନଭି ମୁମ୍ବଇ ବିମାନବନ୍ଦର ଉଦ୍‌ଘାଟିତ

---ନଭି ମୁମ୍ବଇ ବିମାନବନ୍ଦର ଉଦ୍‌ଘାଟିତ---


ମୁମ୍ବଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇକୁ ମିଳିଛି ଆଉ ଏକ ଆନ୍ତର୍ଜାତିକ ବିମାନବନ୍ଦର। ନୂଅା ବିମାନବନ୍ଦର ନାମ ରହିଛି ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏହି ବିମାନବନ୍ଦରକୁ ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ ମୁମ୍ବଇରେ ଛତ୍ରପତି ଶିବାଜି ଆନ୍ତର୍ଜାତିକ ବିମାନବନ୍ଦର ଥିବାବେଳେ ଏହା ଦ୍ବିତୀୟ ଆନ୍ତର୍ଜାତିକ ବିମାନବନ୍ଦର। ନୂତନ ବିମାନବନ୍ଦରକୁ ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମଡେଲରେ ଆଦାନି ଗ୍ରୁପ୍ ଓ ସିଆଇଡିସିଓ ଦ୍ବାରା ନିର୍ମାଣ କରାଯାଇଛି। ଏହାର ନିର୍ମାଣରେ ୧୯,୬୫୦ କୋଟି ଟଙ୍କା ବ୍ୟୟ ହୋଇଛି। ବିମାନବନ୍ଦରଟି ମୋଟ ୧୧୬୦ ହେକ୍ଟର ଅଞ୍ଚଳରେ ନିର୍ମିତ ହେବାକୁ ଥିବାବେଳେ ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ମାଣକୁ ଉଦ୍‌ଘାଟନ କରାଯାଇଛି। ଏହାର ସମ୍ପୂର୍ଣ୍ଣ ନିର୍ମାଣ ଶେଷ ପରେ ଏଠାରୁ ବାର୍ଷିକ ୯କୋଟି ଯାତ୍ରୀ ପରିବହନ ହେବାର ସୁବିଧା ମିଳିପାରିବ। ଏହା ସହିତ ବାର୍ଷିକ ୩.୨୫ ନିୟୁତ ମେଟ୍ରିକ୍ ଟନ ମାଲ ପରିବହନ କରାଯାଇପାରିବ। ଏହା ବିଶ୍ବର ଅନ୍ୟତମ ପ୍ରମୁଖ ବିମାନବନ୍ଦରରର ମାନ୍ୟତା ଲାଭ କରିବ। ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦରରେ ଗୋଟିଏ ରନୱେ ଓ ଗୋଟିଏ ଟର୍ମିନାଲ ନିର୍ମାଣ ହୋଇଛି। ଯାହା ବାର୍ଷିକ ୨କୋଟି ଯାତ୍ରୀ ପରିବହନର ସୁବିଧା ଯୋଗାଇ ଦେବ। ଏହା ଘଣ୍ଟାକୁ ୨୦ରୁ ୨୨ଟି ବିମାନ ଉଡାଣ ଓ ଅବତରଣକୁ ପରିଚାଳନା କରିପାରିବ। ଆସନ୍ତା ଡିସେମ୍ବରରୁ ଏହା କାର୍ଯ୍ୟକ୍ଷମ ହେବ। ଏଠାରୁ ଉଭୟ ଘରୋଇ ଓ ଆନ୍ତର୍ଜାତିକ ବିମାନ ଚଳାଚଳକୁ ପରିଚାଳନା କରାଯିବ।
ବିମାନ ବନ୍ଦରକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତର ଏହା ହେଉଛି ଏକ ଝଲକ୍‌। ଏହା ମୁମ୍ବଇ ସହରକୁ ଯୋଗାଯୋଗର ମାଧ୍ୟମକୁ ଆହୁରି ସୁଗମ କରିବ। ଏପରି କି ମୁମ୍ବଇ ସହର ଏସିଆ ମହାଦେଶର ଏକ ବଡ ଯୋଗାଯୋଗ କେନ୍ଦ୍ର ହେବାକୁ ଯାଉଛି। ଏହା ସହିତ ମଧ୍ୟପ୍ରାଚ୍ୟ ଓ ୟୁରୋପ ମହାଦେଶକୁ ମଧ୍ୟ ଯୋଗାଯୋଗ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ମୁଁ ସ୍ଲିପର ପିନ୍ଧୁଥିବା ବ୍ୟକ୍ତି କିପରି ଉଡାଜାହାଜରେ ଯାତ୍ରା କରିପାରିବେ ସେଥିପାଇଁ ସ୍ବପ୍ନ ଦେଖିଥିଲି। ସେହି ସ୍ବପ୍ନକୁ ସାକାର କରିବା ଲାଗି ଦେଶରେ ନୂଆ ବିମାନବନ୍ଦର ନିର୍ମାଣକୁ ଗୁରୁତ୍ବ ଦେଇଥିଲି। ୨୦୧୪ରେ ଦେଶରେ ୭୪ଟି ବିମାନବନ୍ଦର ଥିବାବେଳେ ଏବେ ଏହା ୧୬୦କୁ ବୃଦ୍ଧି ପାଇଲାଣି। ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦର ସହିତ ପ୍ରଧାନମନ୍ତ୍ରୀ ମୁମ୍ବଇ ମେଟ୍ରୋ ଲାଇନ-୩ର ଉଦ୍‌ଘାଟନ କରିଛନ୍ତି।
ଏହି ମେଟ୍ରୋ ଲାଇନ ଆଚାର୍ଯ୍ୟ ଆଟ୍ରେ ଚୌକରୁ କୁପେ ପରେଡ ପର୍ଯ୍ୟନ୍ତ ଯାଇଛି। ଏହାର ନିର୍ମାଣରେ ୧୨,୨୦୦ କୋଟି ଟଙ୍କା ବ୍ୟୟ ହୋଇଛି। ଏହା ମୁମ୍ବଇର ପ୍ରଥମ ଓ ଏକମାତ୍ର ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଲାଇନ। ଏହାର ଲମ୍ବ ୩୩.୫ କିମି ହୋଇଥିବାବେଳେ ଏହା ମଧ୍ୟରେ ୨୭ଟି ଷ୍ଟେସନ ରହିଛି। ଏହା ଦୈନିକ ୧୩ଲକ୍ଷ ଯାତ୍ରୀ ପରିବହନ କରିବାର ସୁବିଧା ଦେବ। ଆଜିର କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରକୁ ସମାଲୋଚନା କରିଥିଲେ। ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ସମୟରେ ୟୁପିଏ ସରକାର କାହିଁକି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ତା’ର ଜବାବ କଂଗ୍ରେସ ଦେବା ଦରକାର। ପାକିସ୍ତାନ ଉପରେ ଆକ୍ରମଣ କରିବା ଲାଗି ସରକାର କାହିଁକି ସେନାକୁ ଅନୁମତି ଦେଇ ନଥିଲା ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ପି ଚିଦମ୍ବରମ୍‌ ନିକଟରେ ମୁମ୍ବଇ ଆକ୍ରମଣ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଆଧାର କରି ମୋଦୀ ଏପରି ପ୍ରଶ୍ନ କରିଛନ୍ତି।

No comments:

COASTAL NEWS

୭୯ ବର୍ଷରେ ନବୀନ..

୭୯ ବର୍ଷରେ ନବୀନ ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗୁରୁବାର ୭୯ତମ ଜନ୍ମଦିନ। ଏଥର ନବୀନ...