AFFILIATE MARKETING

https://binomo.com?a=90810425bb57&t=0

Thursday, October 9, 2025

କନ୍ଧମାଳରୁ କଳାହାଣ୍ଡିକୁ ଲମ୍ବିଛି ଗଞ୍ଜେଇ ଚେର: ଦୁର୍ଗମ ଅଞ୍ଚଳରେ ହେଉଛି ବ୍ୟାପକ ଗଞ୍ଜେଇ ଚାଷ

କନ୍ଧମାଳରୁ କଳାହାଣ୍ଡିକୁ ଲମ୍ବିଛି ଗଞ୍ଜେଇ ଚେର: ଦୁର୍ଗମ ଅଞ୍ଚଳରେ ହେଉଛି ବ୍ୟାପକ ଗଞ୍ଜେଇ ଚାଷ
 
ଭବାନୀପାଟଣା,୯ା୧୦ ରାଜ୍ୟର ମାଲକାନଗିରି, ବୌଦ୍ଧ, କନ୍ଧମାଳ ଭଳି ୮ ଜିଲାରେ ଗଞ୍ଜେଇ ଚାଷ ବ୍ୟାପକ ମାତ୍ରାରେ ହେଉଛି। ଏହି କରିଡରରେ ଏବେ କଳାହାଣ୍ଡି ଜିଲା ସାମିଲ ହୋଇଗଲାଣି। କନ୍ଧମାଳ ସୀମାନ୍ତ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚାଷର ଚେର ଲମ୍ବିଛି। ଜିଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ଦେଢ଼ଶୁଳି, ଲୁବେନଗଡ ପଞ୍ଚାୟତର ଦୁର୍ଗମ ଅଞ୍ଚଳ, ସଂରକ୍ଷିତ ଜଙ୍ଗଲ ଜମିରେ ହେକ୍ଟର ହେକ୍ଟର ଜମିରେ ବେଆଇନ ଗଞ୍ଜେଇ ଚାଷ ହେଉଛି। ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ ପ୍ରଶାସନ ପାଖରେ ଖବର ଥିବା ସତ୍ତ୍ୱେ କୌଣସି ଠୋସ ପଦକ୍ଷେପ ଦୃଷ୍ଟିଗୋଚର ହୁଏ ନାହିଁ। ରାଜ୍ୟ ସରକାର ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇବା ପାଇଁ ବିଗତ ବର୍ଷଗୁଡ଼ିକରେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ପୂର୍ବରୁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ଅନୁସଚିବ କଳାହାଣ୍ଡି ଜିଲାର ଗଞ୍ଜେଇ ଚାଷ ସଂକ୍ରାନ୍ତରେ ‘ଗ୍ରାଉଣ୍ଡ ଜିରୋ’ ରିପୋର୍ଟ ମାଗିଥିବା ନଜିର ରହିଛି। ଜିଲାର ବଣପାହାଡ଼ ଘେରା କନ୍ଧମାଳ ସୀମାନ୍ତରେ ଦେଢ଼ଶୁଳି ପଞ୍ଚାୟତର ଦେଢ଼ଶୁଳି, ରୁବେଟ, ବିରିପୋଡ଼ି, ଜମୁଲି, ଡମଗଁା, ସାରଙ୍ଗପଡ଼ା ଓ ଲୁବେନଗଡ ପଞ୍ଚାୟତର କାଚାଲାକୁ, ମୁଣ୍ଡାମସ୍କା, ପାଙ୍ଗାବାଜୁ, କାଲିସୁରୁ, ପଖାରୀ, କାଚୁପ, ସୀତାପ, ନନ୍ଦୃସୁଗା, ପିଢେଲ, ମସ୍କାପଦର, ଟୁକୁଡୁ଼ତେଲ ଭଳି ଗାଁଗୁଡ଼ିକର ଜଙ୍ଗଲ ଜମିରେ ହେକ୍ଟର ହେକ୍ଟର ଜମିରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ଜଣାପଡିଛି। କନ୍ଧମାଳର ତୁମୁଡ଼ିବନ୍ଧ ଅଞ୍ଚଳ ଦେଇ ଗଞ୍ଜେଇ ମାଫିଆ କଳାହାଣ୍ଡି ଜିଲାକୁ ଧସେଇ ପଶୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଅଗ୍ରିମ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଯୋଗାଇ ଏହି ଚାଷ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଏହି ଅଞ୍ଚଳର ବକାଚାଲାକୁ, ମୁଣ୍ଡାମସ୍କା, ପାଙ୍ଗାବାଜୁ, କାଲିସୁରୁ, ପଖାରୀ, କାଚୁପ, ସୀତାପ, ନନ୍ଦୃସୁଗା ଆଦି ଦୁର୍ଗମ ଅଞ୍ଚଳରେ ଗତ ୧୩ ବର୍ଷ ହେଲା କ୍ରମାଗତ ଭାବେ ଗଞ୍ଜେଇ ଚାଷ ହୋଇଆସୁଛି। ୨୦୧୭-୧୮ ବର୍ଷରୁ କ୍ରମାଗତ କନ୍ଧମାଳ ପୋଲିସ, ଅବକାରୀ ଓ ବନ ବିଭାଗର ସହାୟତାରେ ତୁମୁଡ଼ିବନ୍ଧ ଅଞ୍ଚଳର ଜଙ୍ଗଲରେ ହୋଇଥିବା ଶହ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କରୁଥିବା ବେଳେ କଳାହାଣ୍ଡି ସୀମାନ୍ତ ଅଞ୍ଚଳ ଏଥିରୁ ବାଦ ଦିଆଯାଉଛି। ଗଞ୍ଜେଇ ଚାଷ ପାଇଁ ମାଫିଆମାନେ କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳକୁ ସୁରକ୍ଷିତ ମଣୁଛନ୍ତି। ଫଳରେ ଜିଲାରେ ବର୍ଷକୁ ବର୍ଷ ଗଞ୍ଜେଇ ଚାଷର ପରିମାଣ ବଢିବାରେ ଲାଗିଛି। ଗଞ୍ଜେଇ ଚାଷରେ ଲାଭ ଅଧିକ ଥିବାରୁ ସେଠାରେ ମାଫିଆମାନଙ୍କ ରାଜୁତି ଚାଲିଛି। ପାହାଡ଼ ଘେରି ରହିଥିବା ସମତଳ ଅଞ୍ଚଳରେ ମୁଖ୍ୟତଃ ଗଞ୍ଜେଇ ଚାଷ ହେଉଛି। ଏହି ଚାଷ ପାଇଁ ହଜାର ହଜାର ସଂଖ୍ୟାରେ ମୂଲ୍ୟବାନ ଗଛଲତା ମଧ୍ୟ କାଟି ଦିଆଯାଉଛି। ମାଫିଆମାନେ ଜଙ୍ଗଲ ପାଖ ଅଞ୍ଚଳର କେତେକ ଗରିବ ଚାଷୀଙ୍କୁ ମଧ୍ୟ ଗଞ୍ଜେଇ ଚାଷ କରିବାକୁ ପ୍ରବର୍ତ୍ତାଉଥିବା ଜଣାପଡିଛି। ଏହି ଅଞ୍ଚଳରୁ ଛତିଶଗଡ଼, ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ଦୁଇ ରାଜ୍ୟର କେତେକ ମାଫିଆ ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ଏଠାରେ ଗଞ୍ଜେଇ ଚାଷ କରୁଥିବା ଜଣାପଡିଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...