AFFILIATE MARKETING

https://binomo.com?a=90810425bb57&t=0

Friday, October 24, 2025

କ୍ରିପ୍ଟୋ କରେନ୍ସି ନାଁରେ ୫୦୦ କୋଟି ଠକେଇ

କ୍ରିପ୍ଟୋ କରେନ୍ସି ନାଁରେ ୫୦୦ କୋଟି ଠକେଇ


କଟକ: କ୍ରିପ୍ଟୋ କରେନ୍ସି ଠକଙ୍କ ଚେର ଓଡ଼ିଶାକୁ ଲମ୍ବିଛି। ଅଧିକ ଲାଭ ମିଳିବା ପ୍ରତିଶ୍ରୁତି ଦେଇ ପ୍ରାୟ ୧୦୦୦ ଲୋକଙ୍କୁ ଏହି ଠକ ରାକେଟ ଜାଲରେ ଫସାଇ ଥିଲେ। ସେମାନଙ୍କଠାରୁ ପ୍ରାୟ ୫୦୦ କୋଟି ଠକି ଛୁ’ ମାରିଥିଲେ। ପଶ୍ଚିମବଙ୍ଗରୁ ଠକେଇ କରି ଫେରାର ଥିବାବେଳେ ସମ୍ପୃକ୍ତ ୫ ଠକଙ୍କୁ କଟକ କମିସନରେଟ ପୁଲିସ ଧରିବାରେ ସଫଳ ହୋଇଛନ୍ତି। ଏହି ଠକଙ୍କୁ ଅପହରଣ କରିବା ଅଭିଯୋଗରେ ପଶ୍ଚିମବଙ୍ଗର ୨୭ ଜଣ ନିବେଶକାରୀଙ୍କୁ ମଧ୍ୟ ଚାଉଳିଆଗଞ୍ଜ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୁଲିସ ୩୫ଟି ମୋବାଇଲ ଫୋନ୍‌, ଅପହରଣରେ ବ୍ୟବହୃତ ୪ଟି କାର୍‌ ଓ କ୍ରିପ୍ଟୋ କରେନ୍ସି ପାଇଁ ଥିବା ଗୋଟିଏ ୱାଲେଟକୁ ଜବତ କରିଛି। ଏ ସଂକ୍ରାନ୍ତରେ ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଭୁବନେଶ୍ବର ବାସିନ୍ଦା ଥିବା କଟକ ପୁଲିସ ଉପାୟୁକ୍ତ ରିଷିକେଶ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାକୁ ଗୁରୁତର ସହ ଗ୍ରହଣ କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। ଧରାପଡ଼ିଥିବା ୪ ଠକ କ୍ରିପ୍ଟୋ କରେନ୍ସି କାରବାର ଲାଗି ‘ଓ-ଟୁ ୱାର୍ଲ୍ଡ’ ନାଁରେ ପ୍ରଥମେ ଏକ ଆପ୍‌ ଖୋଲିଥିଲେ। ବିଭିନ୍ନ ସ୍ଥାନରେ ବୈଠକ କରି ଅଧିକ ଲାଭ ମିଳିବ ବୋଲି ନିବେଶକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ କଥାକୁ ବିଶ୍ବାସ କରି ଶତାଧିକ ଲୋକ ଲକ୍ଷ ଲକ୍ଷ ଟଙ୍କା କ୍ରିପ୍ଟୋ କରେନ୍ସିରେ ନିବେଶ କରିଥିଲେ। ଲୋକଙ୍କ ମନରେ ପୁଣି ବିଶ୍ବାସ ଜନ୍ମାଇବା ଲାଗି ଏହି ଠକମାନେ ନିବେଶକାରୀଙ୍କୁ ଲାଭ ମିଳିଥିବା ଦର୍ଶାଇ କିଛି ମାସ ଟଙ୍କା ଦେଇଥିଲେ। କୋଟି କୋଟି ଟଙ୍କା ସଂଗ୍ରହ କରିବା ପରେ ଉକ୍ତ ଆପ୍‌କୁ ସେମାନେ ବନ୍ଦ କରି ଦେଇଥିଲେ। ନିବେଶକାରୀମାନେ ଜମା କରିଥିବା ଟଙ୍କା ଫେରିପାଇବା ଲାଗି ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଠକ ଦଳ ଧରାଛୁଆଁ ଦେଇନଥିଲେ। ଆଉ କିଛି ଲୋକଙ୍କୁ ଠକିବାକୁ ଯୋଜନା କରି ଏହି ଠକମାନେ କ୍ରିପ୍ଟୋ କରେନ୍ସି କାରବାର ଲାଗି ଇକୋନିଷ୍ଟ ନାମରେ ପୁଣି ଏକ ଆପ୍‌ ଖୋଲିଥିଲେ।
ଏହି ନୂଆ ଆପ୍‌ ଜରିଆରେ ଠକ ଦଳ ଆଉ କିଛି ଲୋକଙ୍କୁ ଠକି ଫେରାର ହୋଇଯାଇଥିଲେ। ନିବେଶକାରୀମାନେ ସେମାନଙ୍କୁ ଖୋଜୁଥିବା ବେଳେ ୫ ଠକ ଆସି ପୁରୀର ଏକ ହୋଟେଲରେ ରହିଥିଲେ। ଏହି ସୂଚନା ପାଇ ପଶ୍ଚିମବଙ୍ଗରୁ କାର୍‌ରେ ୨୭ ଜଣ ନିବେଶକାରୀ ଆସି ପୁରୀରୁ ସେମାନଙ୍କୁ ଅପହରଣ କରିଥିଲେ। କଟକ ଚାଉଳିଆଗଞ୍ଜ ଥାନା ଅଧୀନ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ଠକଙ୍କୁ ରଖି ନିଜେ ରହିଥିଲେ। ଦେଇଥିବା ଟଙ୍କା ଫେରାଇବା ଲାଗି ଠକଙ୍କ ଉପରେ ଚାପ ପକାଇଥିଲେ। ସମ୍ପୃକ୍ତ ହୋଟେଲ ସମ୍ମୁଖରେ ପଶ୍ଚିମବଙ୍ଗ ନମ୍ବର ଥିବା ଏକାଧିକ କାର୍ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲେ। ଏନେଇ ଲୋକେ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ହୋଟେଲରେ ଅତର୍କିତ ଚଢ଼ଉ କରି ସମସ୍ତ ୩୨ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ପରେ ସେମାନଙ୍କୁ ପୁଲିସ ହେପାଜତକୁ ନେଇ ଜେରା କରିବା ପରେ କ୍ରିପ୍ଟୋ କଏନ ଘଟଣା ପଦାକୁ ଆସିଥିଲା। ଉଭୟଙ୍କ ଅଭିଯୋଗକୁ ଆଧାର କରି ପୁଲିସ ୨୭ ଅଭିଯୁକ୍ତଙ୍କ ନାମରେ ଅପହରଣ ମାମଲା ରୁଜୁ କରିଥିବାବେଳେ ୫ ଅଭିଯୁକ୍ତଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତମାନେ ପ୍ରକୃତପକ୍ଷେ ଠକେଇ ଘଟଣାରେ ଆସି କଟକରେ ରହିଥିଲେ ନା କୌଣସି ଅପରାଧ ଘଟାଇବା ଲାଗି ଯୋଜନା କରୁଥିଲେ, ସେନେଇ ମଧ୍ୟ ପୁଲିସ ସନ୍ଦେହ କରିଛି। ଶୁକ୍ରବାର କଟକରେ ମା’ କାଳୀଙ୍କ ଭସାଣ ଉତ୍ସବ ରହିଛି। ଦୁର୍ଗାପୂଜା ଭସାଣ ଉତ୍ସବ ସଂଘର୍ଷ ପରେ ପୁଲିସ ସତର୍କ ହୋଇଛି। ବିଭିନ୍ନ ଦିଗକୁ ଆଧାର କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଗିରଫ ଅଭିଯୁକ୍ତ ହେଲେ ଅପହରଣ ଓ ଅଟକ ରଖିବା ଘଟଣାରେ ପଶ୍ଚିମବଙ୍ଗ ହାୱଡ଼ାର ସେକ୍‌ ଜିଗିରିଆ, ସମିଉଲ୍ଲ ଇସଲାମ, ଅବଦୁଲ ହଲିମ, ସୈଫଉଦ୍ଦିନ ଅଲ୍ଲୀ, ଅଲ ଆମିନ ଅଲିମ, ସେକ୍‌ ରାମିଜ ଅଲ୍ଲୀ, ସେକ୍‌ ସୈଫ ଜମିଲଉଦ୍ଦିନ, ସବିବ ମୁସ୍ତାକ ମଲ୍ଲା, ସେକ୍‌ ନାଜିବୁଲ ହୁସେନ, ସେକ୍‌ ସହିଦୁଲ, ସେକ୍‌ ରିହାଜଉଦ୍ଦିନ, ସେକ୍‌ କୋଲାମ ହୁସେନ୍‌, ଜାହେଦ ମଲ୍ଲା, ସେକ୍‌ ହିତାଇଉଲ୍ଲା, ସେକ୍‌ ସାହାଆଲମ, ସେକ୍‌ ହିମତାଜୁଲ୍ଲ, ସେକ୍‌ ସାହିଲ, ସେକ୍‌ ଇଞ୍ଜାମୁଲ, ସେକ୍‌ ଅସଦୁର ଅଲ୍ଲୀ, ପଶ୍ଚିମବଙ୍ଗ ପୂର୍ବମେଦିନାପୁର ପୋଲାଘାଟର ମନିରୁଦ୍ଦିନ ଭୂନିଆ, ମେଦିନାପୁରର ନସିମ୍‌ ସରଫାଜ, ସେକ୍‌ ତହିଦୁଲ୍ଲ ରହେମାନ, ସେକ୍‌ ନିଜାମୁଲ୍ଲ ରହେମାନ, ପଶ୍ଚିମବଙ୍ଗ ଉଲବେରିଆ ଅଞ୍ଚଳର ମେହେବୁବ ମଲ୍ଲା। ସେହିପରି ଠକେଇ ଘଟଣାରେ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ସେକ୍‌ ହବିବ୍‌ ମଲ୍ଲା, ହାୱଡ଼ାର ସଫିଉଲ୍ଲ ଇସଲାମ, ଋତିକ୍‌ ରୟ, ସେକ୍‌ ଅସକର ଅଲ୍ଲୀ ଓ ସେକ୍‌ ମୁସ୍ତାକ ଅହମ୍ମଦ ଭୁବନେଶ୍ୱର ଖାରବେଳ ନଗରର ସେକ୍‌ ମୁସ୍ତାକ ଅହମ୍ମଦ। ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ଅଦାଲତ ଚାଲାଣ କରାଯାଇଥିବା ପୁଲିସ କହିଛି।

No comments:

COASTAL NEWS

ପୁରା ବିହାରବାସୀ କହୁଛନ୍ତି ପୁଣି ଥରେ ଏନଡିଏ ସରକାର–ମୋଦୀ

ପୁରା ବିହାରବାସୀ କହୁଛନ୍ତି ପୁଣି ଥରେ ଏନଡିଏ ସରକାର–ମୋଦୀ ବିହାରରେ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।...