ଭୁବନେଶ୍ଵର, ୨୪/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାପାତ୍ର ସୂଚନା ଦେଇ କହିଛନ୍ତି, ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୮ ଓ ୨୯ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ୨୮ ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ବର୍ଷା ହେବ। ୨୯ରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁରରେ ବର୍ଷା ହେବ। ୩୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ। ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ସମ୍ଭାବ୍ୟ ବାତ୍ୟାର ନାମ ମନ୍ଥା ଦିଆ ଯାଇପାରେ। ଏହି ନାମ ଥାଇଲ୍ୟାଣ୍ଡରୁ ଆସିଛି। ଥାଇଲ୍ୟାଣ୍ଡ ଦ୍ୱାରା ପ୍ରସ୍ତାବିତ MONTHA ନାମର ଅର୍ଥ ଥାଇ ଭାଷାରେ “ସୁଗନ୍ଧିତ ଫୁଲ” କିମ୍ବା “ସୁନ୍ଦର ଫୁଲ”।
ଏହି ନାମ ଉତ୍ତର ଭାରତ ମହାସାଗରରେ ଟ୍ରପିକାଲ ସାଇକ୍ଲୋନ ନାମକରଣ ପ୍ରଣାଳୀର ଏକ ଅଂଶ। ଏହି ଅଞ୍ଚଳରେ ହେଉଥିବା ବାତ୍ୟା ‘ଟ୍ରପିକାଲ ସାଇକ୍ଲୋନ’ ଉପରେ ନାମକରଣ ବିଶ୍ୱ ପାଣିପାଗ ସଂଗଠନ (WMO)/ESCAP ପ୍ୟାନେଲ ଦ୍ୱାରା କରାଯାଇଥାଏ, ଯେଉଁଥିରେ ୧୩ ଜଣ ସଦସ୍ୟ ଦେଶ (ବାଂଲାଦେଶ, ଭାରତ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ୟେମେନ) ଅଛନ୍ତି। ପ୍ରତ୍ୟେକ ଦେଶ ନାଁ ସଂକ୍ରାନ୍ତୀୟ ଏକ ତାଲିକା ପ୍ରଦାନ କରେ, ଯାହା କ୍ରମାନୁସାରେ ବ୍ୟବହୃତ ହୁଏ। ନାମକରଣର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସହଜରେ ଚିହ୍ନଟ, ଟ୍ରାକିଂ ଏବଂ ବିପର୍ଯ୍ୟୟ ସଚେତନତାକୁ ସହଜ କରିବା।
ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ଆମେ ସବୁବେଳେ ପ୍ରସ୍ତୁତ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି। ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗକୁ ଆଲର୍ଟ କରାଯାଇଛି।”

No comments:
Post a Comment