ଭୁବନେଶ୍ଵର, ୨/୧୦: ଗୁରୁବାର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବା ସହିତ ଏକ ଗଭୀର ଅବପାତ ଉପକୂଳ ଆଡକୁ ଅଗ୍ରସର ହେଉଛି। ଯାହା ଫଳରେ ପାଣିପାଗ ବିଭାଗ (IMD) ସାତଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ, ୧୬ ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଏବଂ ଆଉ ସାତଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଗୋପାଳପୁର ନିକଟରୁ ସ୍ଥଳ ଭାଗ ଅତିକ୍ରମ କରିବ ଗଭୀର ଅବପାତ। ଉତ୍ତରପଶ୍ଚିମ ଦିଗରେ ଗତିକରି ଆଜି ସନ୍ଧ୍ୟା ସୁଦ୍ଧା ଅତିକ୍ରମ କରିବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ।
ଏ ନେଇ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରେଡ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାହାଡ଼ିଆ ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନ ନେଇ ସତର୍କ କରାଯାଇଛି।
ସେହିପରି ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପ୍ରବଳ ବର୍ଷା ପୂର୍ବାନୁମାନ କରି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର ସକାଳ ପର୍ଯ୍ୟନ୍ତ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାର ପୂର୍ବାନୁମାନ କରି ଅବଶିଷ୍ଟ ସାତଟି ପଶ୍ଚିମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆଇଏମଡି କହିଛି ଯେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଗୁରୁବାର ସକାଳ ସୁଦ୍ଧା, ଏହା ଗୋପାଳପୁରର ୧୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଏବଂ ପୁରୀର ୨୦୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ରହିଛି। ଏହା ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଗୋପାଳପୁର ଏବଂ ପାରାଦୀପ ମଧ୍ୟରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଏହା ପ୍ରଭାବରେ, ଘଣ୍ଟା ପ୍ରତି ୫୫-୬୫ କିଲୋମିଟରରୁ ୭୫ କିଲୋମିଟର ବେଗ ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି। ଗଭୀର ଅବପାତ ଜନିତ ବର୍ଷା ପାଇଁ ପାରାଦୀପ ଓ ଗୋପାଳପୁର ବନ୍ଦରକୁ ୩ ନଂ ବିପଦ ସଂକେତ ଉପରେ ରଖାଯାଇଛି।
ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ, ଗଜପତି ଜିଲ୍ଲାରୁ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି।
No comments:
Post a Comment