ଯାଜପୁର,୬/୮: ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା ଅଭିଯୋଗ। ଥାନାରେ ପ୍ରବଳ ମାଡ଼ ଯୋଗୁ ଯୁବକ ବିଷ ପିଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଯୁବକଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରାଯାଇଥିଲା। ଯେଉଁଥିପାଇଁ ଯୁବକ ଜଣକ ବିଷ ପିଇ ଦେଇଥିବା ସଂପର୍କୀୟମାନେ ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ, ଆନାକା ପଞ୍ଚାୟତର ମହିପୁର ଗ୍ରାମର ବାସିନ୍ଦା ରବୀନ୍ଦ୍ର ମଲ୍ଲିକ (୨୮)ଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା କୁହାଯାଉଛି। ରବୀନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ହାଜତରେ ଥିବା ପୋଲିସ ନିର୍ମମ ଭାବରେ ମାଡ଼ ମାରିବା ସହିତ ଉଲଗ୍ନ କରିବାକୁ ବାଧ୍ୟ କରିଥିଲା। ଯେଉଁଥିପାଇଁ ସେ ଏଭଳି କଠୋର ପଦକ୍ଷେପ ନେଇଥିଲେ।
ଅନ୍ୟପକ୍ଷରେ ତାଙ୍କ ପରିବାର ପୋଲିସ ଉପରେ ଅଭିଯୋଗ କରିଛନ୍ତି ଯେ ସେମାନେ ଏହି ଘଟଣା ବିଷୟରେ କିମ୍ବା ରବୀନ୍ଦ୍ରଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ସେମାନଙ୍କୁ ସୂଚନା ଦେଇ ନଥିଲେ। ପରିବାର ଲୋକେ ରବିନ୍ଦ୍ରଙ୍କ ବିଷୟରେ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ତିନି ଦିନ ପରେ ଜାଣିବାକୁ ପାଇଥିଲେ।
ପାରିବାରିକ ବିବାଦ ସମ୍ପର୍କରେ ପଚରାଉଚରା ପାଇଁ ତାଙ୍କୁ ବାଲିଚନ୍ଦ୍ରପୁର ଥାନାରେ ଅଟକ ରଖାଯାଇଥିଲା। ପାରିବାରିକ କଳହରୁ ଗରମ ପାଣି ଫିଙ୍ଗିବା ଘଟଣାରେ ଥାନାରେ ଅଟକ ଥିଲେ। ହେଲେ ପୋଲିସର ନିର୍ଯାତନା ସହ୍ୟ କରି ନ ପାରି ସେ ଲକ୍ ଅପ୍ ରୁମରେ ପଡ଼ିଥିବା ବିଷ ବୋତଲକୁ ନେଇ ପିଇ ଦେଇଥିଲେ। ରବିନ୍ଦ୍ର ଅଭିଯୋଗ କରିଥିଲେ ଯେ ଜଣେ ପୋଲିସ କର୍ମଚାରୀ ସେଠାରେ ବିଷ ବୋତଲ ରଖିଥିଲେ ଏବଂ ତାଙ୍କୁ ଏହା ଖାଇବାର ଦେଖିବା ସତ୍ତ୍ୱେ, କୌଣସି ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲେ। ପୋଲିସ ମୋ ବିରୋଧରେ ସଙ୍ଗୀନ ଦଫା ଲଗାଇବାକୁ ଧମକ ଦେଇଥିଲେ। ତେଣୁ ସେ ବିଷ ପିଇଥିଲେ। ହେଲେ ବାଲିଚନ୍ଦ୍ରପୁର ପୋଲିସ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

 
 
No comments:
Post a Comment