ଚାଷୀ କୂଳର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଓଡିଶାକୁ ଆବଶ୍ୟକ ସାର ଯୋଗାଣ ସୁନିଶ୍ଚିତ କରିବାକୁ କେନ୍ଦ୍ର ନିକଟରେ ନବୀନ ପଟ୍ଟନାୟକଙ୍କ ଦାବି।
ସାର ଅଭାବ ଯୋଗୁଁ କୃଷିକାର୍ଯ୍ୟ ବାଧାପ୍ରାପ୍ତ, ସଂକଟରେ ଚାଷୀ
ଭୁବନେଶ୍ୱର, ୩୦/୮: ସାରା ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁ ନଥିବାରୁ ଚାଷୀ କୂଳ ହନ୍ତସନ୍ତ। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ସାର ପାଇଁ ଆଜି ରାସ୍ତାରେ ଚାଷୀ।
ଚାଷୀ କୂଳର ଏ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଜେ.ପି ନଡ୍ଡାଙ୍କୁ ପତ୍ର ଲେଖି ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ଓଡିଶା ଚାଷୀ କୂଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୃଷି ଓଡିଶା ଅର୍ଥନୀତିର ମୁଖ୍ୟ ଆଧାର ଓ ଆମର ୭୦ ଭାଗରୁ ଅଧିକ ଲୋକଙ୍କୁ କୃଷି ହିଁ ଜୀବିକା ଯୋଗାଇଥାଏ। ଗତ ଦୁଇ ଦଶନ୍ଧିରେ ଓଡିଶା କୃଷି କ୍ଷେତ୍ରରେ ଉଲ୍ଲେଖ ନୀୟ ସଫଳତା ହାସଲ କରିଥିଲା। ୨୦୦୦ ମସିହାରେ ଚାଉଳ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ହୋଇ ପାରିଛି। କୃଷି କ୍ଷେତ୍ରରେ ବୈଷୟିକ ବିଦ୍ୟାର ପ୍ରୟୋଗ ଓ ସାର ବିହନ ଆଦିର ଉତ୍ତମ ବଣ୍ଟନ ଓଡିଶାକୁ ଏ ସଫଳତା ଆଣି ଦେଇଥିଲ।
ଓଡିଶାରେ ୭.୯୪ ଲକ୍ଷ ଟନ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ଚାଷୀ କିନ୍ତୁ ସାର ପାଉନି। ୟୁରିଆ ସରକାରୀ ଦରଠାରୁ ଉଚ୍ଚ ଦାମରେ ବିକ୍ରି ହେଉଛି। ଓଡିଶା ସରକାରଙ୍କ agency Markfed ଚାଷୀଙ୍କ ବଦଳରେ ଘରୋଇ ଡିଲରଙ୍କୁ ରିହାତିରେ ସାର ବିକୁଛି। ତେଣୁ ଚାଷୀ ଖରିଫ ଋତୁରେ ଚାଷ କାମ ଛାଡି ସାର ପାଇଁ ରାଜ ରାସ୍ତାକୁ ଓହ୍ଲାଇବା ଚିନ୍ତାର ବିଷୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଯୋଗାଣ ଶୃଙ୍ଖଳାର କୁପରିଚାଳନା ସହିତ ସାର ଅଭାବ ଓ ଦୁର୍ନୀତି ଯୋଗୁଁ ଚାଷୀକୁ ଆଜି ଏ ଅବସ୍ଥାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଶ୍ରୀ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି।
ତାଳଚେର ସାର କାରଖାନା ବିଷୟରେ ଉଲ୍ଲେଖ କରି ଶ୍ରୀ ପଟନାୟକ କହିଛନ୍ତି ଯେ, ୨୦୧୮ ରେ ଶିଳାନ୍ୟାସ କରାଯାଇଥିବା ତାଳଚେର ସାର କାରଖାନା ୩୬ ମାସରେ ଶେଷ ହେବ ବୋଲି ଘୋଷଣା କରାଯାଇଥିଲେ ବି ସାତ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁଃଖର ବିଷୟ।
ଖରିଫ ଋତୁ ଆରମ୍ଭରେ ସାର ଅଭାବ ତଥା ଯୋଗାଣରେ ଚାଲିଥିବା ଅବ୍ୟବସ୍ଥା ଓ ଦୁର୍ନୀତିକୁ ରୋକିବାକୁ ଯଦି ସମୟୋଚିତ ପଦକ୍ଷେପ ନିଆ ନ ଯାଏ ତେବେ କୃଷି ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ସହ ଚାଷୀ ଭାଇ ଭଉଣୀଙ୍କ ଜୀବିକାକୁ ମଧ୍ୟ ଏହା ପ୍ରଭାବିତ କରିବ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରି ଦେଇଛନ୍ତି।

 
 
No comments:
Post a Comment