ଭୁବନେଶ୍ୱର, ୧୧/୦୭: ଓଡ଼ିଶା ଡ୍ରାଇଭର ମହାସଂଘର ଧର୍ମଘଟ ଯୋଗୁଁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍ ଚଳାଚଳ କରିବ ବୋଲି ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଘୋଷଣା କରିଛି।
ଓଡ଼ିଶା ଘରୋଇ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ବସ୍ ସେବା ପୁଣି ଆରମ୍ଭ କରିବା ସମ୍ପର୍କରେ ଏକ ଠୋସ୍ ନିଷ୍ପତ୍ତି ନେବା ପାଇଁ ଆଜି ପୁରୀରେ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଡ୍ରାଇଭର ମହାସଂଘର ଧର୍ମଘଟ ଯୋଗୁଁ ସେମାନେ ପୂର୍ବରୁ ବିପୁଳ କ୍ଷତି ସହିସାରିଛନ୍ତି ଏବଂ ସାଧାରଣ ଜନତା ଯାତାୟାତ ପାଇଁ କୌଣସି ବସ୍ ନପାଇ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ତେଣୁ ବସ୍ ମାଲିକ ସଂଘ ସେମାନଙ୍କର କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ରୁଟରେ ବସ୍ ସେବା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ତଥାପି, ଡ୍ରାଇଭରମାନଙ୍କ ପ୍ରତିବାଦ ଜାରି ରହିଥିବାରୁ ରାଜ୍ୟ ସରକାର ଘରୋଇ ବସର ଡ୍ରାଇଭରମାନଙ୍କୁ ସୁରକ୍ଷା ଦିଅନ୍ତୁ ଓ ଆସନ୍ତାକାଲି ଠାରୁ ବସ୍ ଚଳାଚଳ କରିବ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଡ୍ରାଇଭର ମହାସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଡ୍ରାଇଭରମାନେ ୭ ଦଫା ଦାବି ନେଇ ତିନି ଦିନ ଧରି ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଛନ୍ତି। ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦାବି କରୁଛି ଡ୍ରାଇଭର ମହାସଂଘ। ଡ୍ରାଇଭର ମହାସଂଘର ୭ ଦଫା ଦାବି ମଧ୍ୟରେ ରହିଛି ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ, ଡ୍ରାଇଭରମାନଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତ୍ତା, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା, ଓଡ଼ିଶାର ପ୍ରତ୍ୟେକ ଖଣିଖାଦାନ ଓ କାରଖାନାରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡା ୭୦ ପ୍ରତିଶତ କାମ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ ଦାବି କରିଛି।
No comments:
Post a Comment