ଝାରସୁଗୁଡ଼ା, ୦୯/୦୭: ଝାରସୁଗୁଡାରେ ୪୪୪ ଜଣ ସନ୍ଦିଗ୍ଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ପ୍ରବାସୀଙ୍କୁ ଯାଞ୍ଚ ପାଇଁ ଅଟକ ରଖିବାର ଦିନକ ପରେ ତେଜିଲା ରାଜନୀତି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ ସେମାନେ ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକ ଥିଲେ।
ଏହାର ଜବାବରେ, ଝାରସୁଗୁଡ଼ାରେ ସନ୍ଦିଗ୍ଧଙ୍କୁ ଜାତୀୟ ସ୍ୱାର୍ଥ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି।
ପୂର୍ବରୁ ପଶ୍ଚିମବଙ୍ଗର କୃଷ୍ଣନଗରର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଅଭିଯୋଗ କରିଥିଲେ ଯେ, ପଶ୍ଚିମବଙ୍ଗର ୪୪୪ ଜଣ ବଙ୍ଗାଳୀ ଭାଷା କହୁଥିବା ପ୍ରବାସୀ ଶ୍ରମିକଙ୍କୁ ଝାରସୁଗୁଡ଼ାରେ ଅବୈଧ ଭାବରେ ଅଟକ ରଖାଯାଇଛି। ତାଙ୍କ ନିର୍ବାଚନମଣ୍ଡଳୀର ପାଣିଘାଟା ଅଞ୍ଚଳର ୨୩ ଜଣ ଶ୍ରମିକଙ୍କୁ ବୈଧ ପ୍ରମାଣପତ୍ର ଯାଞ୍ଚ କରାଯାଉଥିବା ବେଳେ ସେମାନଙ୍କୁ ଓଡ଼ିଶାରେ ଅଟକ ରଖାଯାଇଛି, ଯେତେବେଳେ କି ସେମାନଙ୍କ ନିକଟରେ ବୈଧ କାଗଜପତ୍ର ଅଛି। ଅଟକ ରଖା ଯାଇଥିବା ବେଳର ଭିଡ଼ିଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ଓଡ଼ିଶାର ଡିଜିପି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ସେହିପରି, ଟିଏମସି ରାଜ୍ୟସଭା ସାଂସଦ ସମିରୂଲ ଇସଲାମ ଦାବି କରିଛନ୍ତି ଯେ ଓଡ଼ିଶା ସରକାର ସମ୍ପ୍ରତି ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲା ମୁର୍ଶିଦାବାଦ, ବୀରଭୂମି, ମାଲଦା, ନାଦିଆ, ପୂର୍ବ ବର୍ଦ୍ଧମାନ ଏବଂ ଦକ୍ଷିଣ ୨୪ ପ୍ରଗଣାରୁ ୨୦୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ବାଂଲାଦେଶୀ ନାଗରିକ ସନ୍ଦେହରେ ଅଟକ ରଖିଛନ୍ତି।
ଅନ୍ୟପଟେ, ଉତ୍ତର ରେଞ୍ଜ ଆଇଜି ହିମାଂସୁ କୁମାର ଲାଲ କହିଛନ୍ତି ଯେ, ଅଟକ ୪୪୪ ଜଣଙ୍କ ପାଖରେ ବାସସ୍ଥାନ କିମ୍ବା ନାଗରିକତା ପ୍ରମାଣପତ୍ର ନାହିଁ। ତେଣୁ ଦେଶର ସୁରକ୍ଷା ଦୃଷ୍ଟିରୁ ସେମାନଙ୍କର ଯାଞ୍ଚ କରିବା ଆବଶ୍ୟକ। ସେମାନଙ୍କୁ ଖାଦ୍ୟ ପାନୀୟ ବ୍ୟବସ୍ଥା ସହିତ ରଖାଯାଇଛି। ଯେଉଁମାନଙ୍କ ପାଖରେ ବୈଧ କାଗଜପତ୍ର ଥିଲା, ସେମାନଙ୍କୁ ଛାଡି ଦିଆଯାଇଛି। ଅଧିକ ବିବରଣୀ ପାଇଁ କିମ୍ବା କୌଣସି ବିଷୟରେ ଅବଗତ ହେବା ପାଇଁ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ମୋବାଇଲ୍ ଫୋନ୍ ନମ୍ବର 9437178799 ରେ ଯୋଗାଯୋଗ କରାଯାଇପାରିବ ବୋଲି ସେ କହିଛନ୍ତି।
No comments:
Post a Comment