ନୂଆଦିଲ୍ଲୀ, ୨୮/୦୭: ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ ଏବଂ CRPF ର ମିଳିତ ଆତଙ୍କବାଦୀ ବିରୋଧୀ ଅଭିଯାନର “ଅପରେସନ୍ ମହାଦେବ”ରେ ଆଜି ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ ମଧ୍ୟ ନିପାତ ହୋଇଛି। ଜମ୍ମୁ ଏବଂ କାଶ୍ମୀରର ଲିଡୱାସ୍ ଅଞ୍ଚଳରେ ଚିନାର କର୍ପସ ଦ୍ୱାରା ଏହି ଅଭିଯାନ ଆରମ୍ଭ କରାଯାଇଥିଲା।
ପହଲଗାମ୍ ଆକ୍ରମଣର ମୁଖ୍ୟ ମାଷ୍ଟରମାଇଣ୍ଡ ଲସ୍କର-ଇ-ତୋଏବା (LeT) କମାଣ୍ଡର ହାସିମ୍ ମୁସାଙ୍କୁ ସଶସ୍ତ୍ର ବାହିନୀ ଗୁଳି କରି ଏନକାଉଣ୍ଟର କରିଛନ୍ତି।
https://youtube.com/@coastalnewsodia?si=AB2TB8we6wtbHMXy
ଦିନ ୧୨:୩୭ ସମୟରେ, ଚିନାର କର୍ପସ ଏକ୍ସରେ କହିଥିଲା ଯେ ଲିଡୱାସରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା ଏବଂ ଗୋଟିଏ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଡ୍ରୋନ୍ ଫୁଟେଜରେ ତିନୋଟି ମୃତଦେହ ଦେଖାଯାଇଥିଲା, ଯାହା ନିଶ୍ଚିତ କରିଥିଲା ଯେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିଲେ।
ଦାଚିଗାମ ଜଙ୍ଗଲରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଦୁଇ ଦିନ ଧରି ଚାଲିଥିଲା। ସ୍ଥାନୀୟ ଯାଯାବର ଲୋକମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ, ଯାହା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ସହଜ ହୋଇ ପାରିଥିଲା।
ଆଜି ସକାଳ ପ୍ରାୟ ୧୧:୩୦ ସମୟରେ, ୨୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୪ ପାରାର ଏକ ମିଳିତ ଦଳ ତିନି ଜଣ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀକୁ ଠାବ କରିଥିଲେ ଏବଂ ସେମାନଙ୍କୁ ନିପାତ କରିଥିଲେ।
ସୂତ୍ର ଅନୁଯାୟୀ ଏହି ଆତଙ୍କବାଦୀମାନେ ଲସ୍କର-ଏ-ତୋଏବା ଏବଂ ଜୈଶ-ଏ-ମହମ୍ମଦର ଏକ ମିଳିତ ଟିମ୍ ସଦସ୍ୟ ଥିଲେ। ଗତ ୧୪ ଦିନ ଧରି ସୁରକ୍ଷା ବାହିନୀ ଏମାନଙ୍କ ଉପରେ ନଜର ରଖିଥିଲା। ଏହି ଗୋଷ୍ଠୀରେ ୫ ରୁ ୭ ଜଣ ସଦସ୍ୟ ଥିବା ଅନୁମାନ କରାଯାଉଛି। ଏହି ତିନି ଜଣ ଘଞ୍ଚ ଜଙ୍ଗଲରେ ଏକ ଗଛ ତଳେ ଏକ ଅସ୍ଥାୟୀ ଶିବିର ସ୍ଥାପନ କରି ରହିଥିଲେ। ଏହି ଆତଙ୍କବାଦୀମାନେ ଏକ ତମ୍ବୁ ଭିତରେ ଶୋଇବା ସମୟରେ ଧରାପଡ଼ିଥିଲେ। ଏହି ଆଡ୍ଡା ଭିତରେ ଥିବା ଆତଙ୍କବାଦୀଙ୍କୁ ତୁରନ୍ତ ଚିହ୍ନଟ କରି ଅବିଳମ୍ବେ ଗୁଳି ଚଳାଇଥିଲେ ସୁରକ୍ଷାବାହିନୀ। ଯାହା ଏକ ବଡ ସଫଳତା।
ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହାସିମ୍ ମୁସା ଓରଫ ଆବୁ ସୁଲେମାନ ଭାବରେ ଚିହ୍ନଟ ହୋଇଛି। ଅନ୍ୟ ଦୁଇଜଣ ୟାସିର୍ ଏବଂ ହମଜା ଓରଫ ହାରିସ୍। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହାସିମକୁ କେହି ନ ଚିହ୍ନ ପାରିବା ପାଇଁ ହାସିମ୍ ମୁସା ତାର ଓଜନ ବହୁତ ହ୍ରାସ କରିଥିଲା।
ଅପରେସନରେ ସୁଲେମାନଙ୍କ ମୃତ୍ୟୁକୁ ସେନା ପାଇଁ ଏକ ବଡ଼ ସଫଳତା ଭାବରେ ବିବେଚନା କରାଯାଉଛି। ପହଲଗାମ ଆକ୍ରମଣ ପରେ, ଜମ୍ମୁ-କାଶ୍ମୀର ପୋଲିସ ସୁଲେମାନ ବିଷୟରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।
ସେପ୍ଟେମ୍ବର ୨୦୨୩ ରେ ସୁଲେମାନ ଭାରତରେ ଅନୁପ୍ରବେଶ କରିଥିଲା ଏବଂ ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିଥିଲା। ଅକ୍ଟୋବର ୨୦୨୪ ରେ ସେ ଏକ ଆକ୍ରମଣ କରିଥିଲା, ଯେଉଁଥିରେ ସାତ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସେ ବାରାମୁଲ୍ଲାରେ ହୋଇଥିବା ଏକ ଆକ୍ରମଣରେ ମଧ୍ୟ ସାମିଲ ଥିଲା। ସେ ଅତି କମରେ ବହୁ ବଡ ବଡ଼ ଛଅଟି ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା।
No comments:
Post a Comment