AFFILIATE MARKETING

https://binomo.com?a=90810425bb57&t=0

Sunday, July 13, 2025

ଦୋଷୀଙ୍କ ବିରୋଧରେ ନିଆଯିବ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ

‘ଏମିତି ଶାସ୍ତି ମିଳିବ, ଆଉ କେହି ସାହସ କରିବେନି’


ବାଲେଶ୍ବର, ୧୨/୦୭: ଆଜି ବାଲେଶ୍ୱରର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ଉଚ୍ଚଶିକ୍ଷା ବିଭାଗ ପ୍ରଥମେ କଲେଜ ଅଧ୍ୟକ୍ଷ ଓ ଏଚଓଡିଙ୍କୁ ନିଲମ୍ବନ କରିବା ପରେ ଏବେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିବା ସହ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳତାର ସହିତ ଗ୍ରହଣ କରିଛନ୍ତି ଏବଂ ତ୍ୱରିତ ପଦକ୍ଷେପ ସ୍ୱରୂପ ବିଭାଗ ଏଚଓଡି ବା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ତୁରନ୍ତ ପୋଲିସ ହେପାଜତକୁ ନେଇ କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ସଚିବ ସ୍ତରରେ ଜଣେ ଉଚ୍ଚସ୍ତରୀୟ ମହିଳା ଅଧିକାରୀ, ଜଣେ ବରିଷ୍ଠ ଅଧିକାରୀ, ଜଣେ ବରିଷ୍ଠ ମହିଳା ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ ହୋଇଛି। କମିଟିର ତଦନ୍ତ ରିପୋର୍ଟ ଆଧାରରେ ଆମେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯାହା ପରେ ଭବିଷ୍ୟତରେ ଏଭଳି ଘଟଣା ଘଟିବା ତ ଦୂରର କଥା, ବରଂ ଚିନ୍ତା କରିବାକୁ ମଧ୍ୟ କେହି ପ୍ରୟାସ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସହିତ ଏ ବିଷୟରେ ଆଲୋଚନା କରି ସାରିଛି। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର ଏମ୍ସରେ ପୀଡିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସମସ୍ତ ପ୍ରକାର ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଏହା ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷ ଦିଲୀପ ଘୋଷ ଓ ବି.ଇଡି ଡିପାର୍ଟମେଣ୍ଟର ଏଚଓଡି ସମୀର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। କଲେଜର ପ୍ରିନ୍ସିପାଲ ଭାବରେ ଦିଲୀପ ଘୋଷ ତାଙ୍କର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିବାରୁ, ତାଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ଘଟଣାରେ ପ୍ରାଥମିକ ପ୍ରମାଣ ଆଧାରରେ ସମୀର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।

ସୂଚନାଯୋଗ୍ୟ, ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବି.ଇଡି ଡିପାର୍ଟମେଣ୍ଟର ଜଣେ ଛାତ୍ରୀଙ୍କୁ ଏହି ବିଭାଗର ଏଚଓଡି ସମୀର ସାହୁ ଅକଥନୀୟ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏହା ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ ଏବଂ କଲେଜର ପ୍ରିନ୍ସିପାଲଙ୍କ ନିକଟରେ ଜଣାଇଥିଲେ। ଏହା ପରେ କଲେଜରେ ଏକ ତଦନ୍ତ କମିଟି ଗଠନ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ନ୍ୟାୟ ମିଳିନଥିଲା ବରଂ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିଲା। ଯାହା ଫଳରେ ସେ ଆଜି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳି ଦେଇଥିଲେ। ଏଥିରେ ତାଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡି ଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରଥମେ ତାଙ୍କୁ ବାଲେଶ୍ଵର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ଆଉ ଦୁଇ ଜଣ ଛାତ୍ର ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ଵର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

No comments:

COASTAL NEWS

କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି, ଅଟକି ରହିଛି

କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି, ଅଟକି ରହିଛି ଏହା ଏକ ଜଣାଶୁଣା ସତ୍ୟ ଯେ ଭାରତ ଏବଂ ଭାରତୀୟ ଚାଷୀମାନେ ଜୀବିକା ନିର୍ବାହର ଏକ ଉପା...