ଭୁବନେଶ୍ୱର, ୩୦/୦୭: ରାଜ୍ୟରେ ଥିବା ପୁରାତନ ମନ୍ଦିର ଗୁଡିକର ଶୃଙ୍ଖଳିତ ରୀତିନୀତି ଓ ପରିଚାଳନା ନେଇ ସର୍ବୋତ୍ତମ ନୀତି ଆସିବ I ଏଥି ସହିତ ମନ୍ଦିରର ଉନ୍ନତିକରଣ ଓ ସଂରକ୍ଷଣକୁ ମଧ୍ୟ ଗୁରୁତ୍ୱ ଦିଆଯିବ I ଏଥିଲାଗି ଅନ୍ୟ ରାଜ୍ୟ ଯଥା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଭଳି ପ୍ରମୁଖ ରାଜ୍ୟ ଗୁଡିକରେ ମନ୍ଦିର ପରିଚାଳନାକୁ ଅନୁଧ୍ୟାନ କରାଯାଇ ଓଡିଶା ଲାଗି ସର୍ବୋତ୍ତମ ନୀତି ପ୍ରଣୟନ କରାଯିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I
ଆଜି ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରି କହିଲେଯେ ଦେବୋତ୍ତର ବିଭାଗର ଅଧିକାରୀମାନେ ବିଭିନ୍ନ ଅଂଚଳ ଗସ୍ତକରି ରାଜ୍ୟରେ ଥିବା ପୁରାତନ ମନ୍ଦିର ସ୍ଥିତି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପଡିବ I ଯାହାକୁ ଆଧାର କରି ମନ୍ଦିରର ଶୃଙ୍ଖଳିତ ରୀତି ନୀତି ସହ ଖରାପ ଅବସ୍ଥାରେ ଥିବା ମନ୍ଦିର ଗୁଡିକର ମରାମତି ଓ ସଂରକ୍ଷଣ ସମ୍ଭବ ହୋଇ ପାରିବ I
ସେହିଭଳି ସାଧାରଣ ଲୋକଙ୍କ ଲାଗି ଆବଶ୍ୟକ ସମସ୍ତ ତଥ୍ୟ ଉପଲବ୍ଧ ହେବା ଭଳି ଦେବୋତ୍ତର କମିଶନରଙ୍କ ୱେବସାଇଟର ଆଧୁନିକୀକରଣ, ଦେବୋତ୍ତର ତଥା ବ୍ୟକ୍ତିଗତ ମାଲିକାନାରେ ଥିବା ମନ୍ଦିର ଗୁଡିକର ସଠିକ ନୀତିକାନ୍ତି, ପର୍ବପର୍ବାଣୀ ଆୟୋଜନ, ମନ୍ଦିର ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ, ସତ୍ଵଲିପି ଅନୁଯାଇ ସେବାପୂଜା ଅଧିକାର, ଟ୍ରଷ୍ଟ ବୋର୍ଡର ଦାୟିତ୍ୱ ଓ କର୍ତ୍ତବ୍ୟ, OHRE Act 1951 ର ପ୍ରାବଧାନ ଅନୁସାରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଗୁଡିକର ସୁପରିଚାଳନା, ଦେବୋତ୍ତର ନିରୀକ୍ଷକଙ୍କ ଦାୟିତ୍ୱ ଏବଂ ସରକାରୀ କାର୍ଯ୍ୟକୁ ତ୍ୱରିତ ଢଙ୍ଗରେ ଆଗେଇ ନେବା ପାଇଁ ନୂତନ ନିଯୁକ୍ତି ନେଇ ବୈଠକରେ ଆଲୋଚନା ହୋଇଥିଲା I
ସବୁ ଧାର୍ମିକ ଅନୁଷ୍ଠାନ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ I ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ଦେବୋତ୍ତର କମିଶନର ଶ୍ରୀ ଲଲାଟେନ୍ଦୁ ଜେନା, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର ଓ ଶ୍ରୀ ଭଗବାନ ପ୍ରସାଦ ସାହୁଙ୍କ ସମେତ ଦେବୋତ୍ତର ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ I
https://youtube.com/@coastalnewsodia?si=AB2TB8we6wtbHMXy

 
 
No comments:
Post a Comment