ଭୁବନେଶ୍ୱର, ୦୭/୦୭: ପୁଣି ରାଜ୍ୟ ବିଜେପିର ମଙ୍ଗ ଧରିଲେ ମନମୋହନ ସାମଲ। ଓଡ଼ିଶା ବିଜେପି ସଭାପତି ଭାବରେ ସାମଲଙ୍କ ଚତୁର୍ଥ କାର୍ଯ୍ୟକାଳ ଆରମ୍ଭ ହେଲା।
ଗତ କାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଥିଲେ।
୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଦଳକୁ ଐତିହାସିକ ବିଜୟ ହାସଲ କରିବା, ବିଜେଡିର ୨୪ ବର୍ଷର ଶାସନର ଅନ୍ତ ଘଟାଇ ବିଜେପିକୁ ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାରେ ସକ୍ଷମ କରିବା ପାଇଁ ମନମୋହନ ସାମଲଙ୍କୁ ବହୁଳ ଭାବରେ ଶ୍ରେୟ ଦିଆଯାଇଛି। ତଥାପି, ସେ ନିଜେ ଭଦ୍ରକ ଜିଲ୍ଲାର ଚାନ୍ଦାବାଲି ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ। ପରାଜୟ ବରଣ ସତ୍ତ୍ୱେ, ତାଙ୍କ ନେତୃତ୍ୱ ଏବଂ ସାଂଗଠନିକ ଦକ୍ଷତା ତାଙ୍କୁ ଦଳ ଭିତରେ ଦୃଢ଼ ସମର୍ଥନ ପ୍ରଦାନ କରିଛି।
୧୯୫୯ ମସିହାରେ ଭଦ୍ରକ ଜିଲ୍ଲାରେ ଜନ୍ମିତ ମନମୋହନ ସାମଲ କଳା ଏବଂ ଓକିଲାତିରେ ସ୍ନାତକ କରିଛନ୍ତି। ସେ ପୂର୍ବରୁ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ଏବଂ ୨୦୨୩ ମାର୍ଚ୍ଚରେ ପୁନର୍ବାର ନିଯୁକ୍ତ ହୋଇଥିଲେ। ମନମୋହନଙ୍କ ରାଜନୈତିକ କ୍ୟାରିୟର ୧୯୭୯ ମସିହାରୁ ଆରମ୍ଭ ହୋଇଥିଲା। ୧୯୭୯ରେ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ହୋଇଥିଲେ। ଏହାପରେ ୧୯୭୯ରୁ ୧୯୮୧ ପର୍ଯ୍ୟନ୍ତ ଏବିଭିପି ରାଜ୍ୟ ସମ୍ପାଦକ ଥିଲେ। ୧୯୮୧ରୁ ୧୯୮୨ ପର୍ଯ୍ୟନ୍ତ ଏବିଭିପିର ରାଜ୍ୟ ଉପସଭାପତି, ୧୯୮୩ରେ ଧାମନଗର ନିର୍ବାଚନମଣ୍ଡଳୀ ସଭାପତି, ୧୯୮୪ରେ ବିଜେପି ଜିଲ୍ଲା ସମ୍ପାଦକ, ବାଲେଶ୍ବର, ୧୯୯୦ରୁ ୯୨ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସମ୍ପାଦକ, ୧୯୯୨ରୁ ୯୯ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ, ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ରହିଥିଲେ। ୨୦୦୦ରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଧାମନଗର ବିଧାୟକ ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ଓ ଭାଜପା ମେଣ୍ଟ ସରକାରରେ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ହୋଇଥିଲେ। ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଥିଲେ। ୨୦୨୩ରେ ରାଜ୍ୟ ବିଜେପି ସଭାପତି ହୋଇଥିଲେ।
No comments:
Post a Comment