AFFILIATE MARKETING

https://binomo.com?a=90810425bb57&t=0

Tuesday, August 22, 2023

ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି

 COASTAL NEWS Odia 462

#ସୁନ୍ଦରଗଡ଼ #Kendrapara #aul #Odisha #Bhubaneswar 

ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି 



ସୁନ୍ଦରଗଡ଼ - ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି । ଚାକିରିିର ଲୋଭ ଦେଖାଇ ଝିଅ ମାନଙ୍କୁ ବାହାର ରାଜ୍ୟକୁ କରୁଛନ୍ତି ଚାଲାଣ । ଦଲାଲଙ୍କର ଏହା ନିତିଦିନିଆ କାମ ହେଇଗଲାଣି । ଆଇନକୁ ଭୟ ନାହିଁ ନିର୍ଭୟରେ ଏଭଳି ଅପରାଧ କରିବାକୁ ପଛାଉ ନାହାନ୍ତି କିଛି ଦଲାଲ । କମ ବୟସର ଝିଅ ମାନଙ୍କୁ କାମ ଦେବା ଆଳରେ ଦଲାଲି କରୁଛନ୍ତି । ତେବେ ସୁନ୍ଦରଗଡ଼ରେ ଝିଅ ଚାଲାଣ ଥମୁନି। ଦଲାଲମାନେ ଗାଁର କମ ବୟସର ଝିଅ ଏବଂ ଯୁବତୀମାନଙ୍କୁ ଭଲ ରୋଜଗାର ଓ ନିଯୁକ୍ତିର ଲୋଭ ଦେଖାଇ ବାହାର ରାଜ୍ୟକୁ ବିକ୍ରି କରୁଛନ୍ତି। ସମାନ ଭାବେ ସୁନ୍ଦରଗଡ଼ରୁ ନାବାଳିକା ଚାଲାଣର ଆଉ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି।

ଜଣେ ବାପାମା ଛେଉଣ୍ଡ ଝିଅକୁ ବର୍ଷେ ତଳେ ୫ ଲକ୍ଷ ଟଙ୍କାରେ ଗୁଜରାଟ ଚାଲାଣ କରାଯାଇଥିଲା। କିନ୍ତୁ ଉକ୍ତ ଝିଅ ସେଠାରୁ କୌଶଳ କରି ସୁନ୍ଦରଗଡ଼ ଚାଲିଆସିଥିଲେ । ପରେ ତାଙ୍କ ସହ ହୋଇଥିବା ଘଟଣା ବିଷୟରେ ଏସପିଙ୍କୁ ଭେଟି ଅଭିଯୋଗ କରିବା ପରେ ଚାଲାଣ କଥା ଜଣାପଡ଼ିଛି । ତେବେ ନାବାଳିକାଙ୍କୁ କୌଣସି ବାହାର ଦଲାଲ ନୁହେଁ, ସଦର ବ୍ଲକ୍ ବିରବିରା ପଞ୍ଚାୟତର ଜଣେ ମହିଳା ସରପଞ୍ଚ ବିକ୍ରି କରିଥିବା ଜଣା ପଡ଼ିଛି । ସିଲେଇ ତାଲିମ ଦିଆଯିବ କହି ସୁଦୂର ଗୁଜୁରାଟ ଅହମଦାବାଦ ପଠାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ଧରୁଆଡିହି ଥାନା ପୁଲିସ, ସରପଞ୍ଚ ଓ ଝିଅ ଜଣଙ୍କୁ ବନ୍ଦୀ କରି ରଖିଥିବା ଗୁଜରାଟର ଏକ ଦମ୍ପତିଙ୍କ ନାମରେ ଭାରତୀୟ ଦଣ୍ଡବିଧି ଅଧିନିୟମର ଧାରା ୩୭୦(୪), ୩୪ରେ ମାମଲା ରୁଜୁ କରିଛି । ଗିରଫ ଭୟରେ ସରପଞ୍ଚ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ ନାବାଳିକା ଜଣଙ୍କ ଗାଁକୁ ଆସିବା ପରେ ପ୍ରଥମେ ଧରୁଆଡିହି ଥାନାକୁ ଯାଇଥିଲେ, କିନ୍ତୁ ପୁଲିସ ଏପରି ଏକ ସମ୍ବେଦନଶୀଳ ଅଭିଯୋଗକୁ ଗ୍ରହଣ କରି ନଥିଲା । ପରେ ଏସପି ନିର୍ଦ୍ଦେଶ ଦେବାରୁ ଥାନାରେ ମାମଲା ରୁଜୁ ହୋଇଛି । ପିଲାଦିନୁ ବାପାମାଙ୍କୁ ହରାଇ ଏକାକି ରହୁଥିବା ଝିଅ ରାସନ ଆଦି ସହାୟତା ପାଇଁ ବିରବିରା ସରପଞ୍ଚ ଦଲରସା ଗୁଡ଼ିଆଙ୍କ ପାଖକୁ ବାରମ୍ବାର ଯାଉଥିଲେ। ଏହି ସମୟରେ ତାକୁ ରୋଜଗାରକ୍ଷମ କରିବାକୁ ଝାରସୁଗୁଡ଼ାର ଏକ ସିଲେଇ ତାଲିମ କେନ୍ଦ୍ରରେ ଭର୍ତ୍ତି କରିଦେବେ ବୋଲି ସରପଞ୍ଚ କହିଥିଲେ। ଏହା ପରେ ଝିଅର ମନରେ ବିଶ୍ବାସ ଜନ୍ମାଇ ଗତ ୨୦୨୨ ଜୁଲାଇ ମାସରେ ଝାରସୁଗୁଡ଼ା ପୁରୁଣାବସ୍ତିର ବିନୟ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଛାଡ଼ିଥିଲେ ଉକ୍ତ ସରପଞ୍ଚ । କିନ୍ତୁ ବିନୟ ବଡ଼ ସିଲେଇ କେନ୍ଦ୍ରରେ ତାଲିମ ଦେବ କହି ଟ୍ରେନ ଯୋଗେ ଝିଅ ଜଣଙ୍କୁ ଗୁଜରାଟ ନେଇ ଯାଇଥିଲା । କିନ୍ତୁ ଗୁଜରାଟର ଅହମଦାବାଦ୍ ରେ ପହଞ୍ଚିବା ପରେ ସେ ଠକି ଯାଇଥିବା ଜାଣିପାରିଲେ।

ଅହମଦାବାଦରେ ରହୁଥିବା ବିନୟ ତାଙ୍କୁ ନିଜ ଘର କାମ କରିବାକୁ ବାଧ୍ୟ କରିଥିଲେ। ବିନୟଙ୍କ ପତ୍ନୀ ସୁନିତା ତାଙ୍କୁ ଭୋର ୫ଟାରୁ ରାତି ୯ଟା ଯାଏ ଖଟାଉଥିଲେ। ତାଙ୍କୁ ମାତ୍ର ୭ ଶହ ଟଙ୍କା ପାରିଶ୍ରମିକ ମିଳୁଥିଲା। ସରପଞ୍ଚ ଝିଅକୁ ବିକି ୫ ଲକ୍ଷ ଟଙ୍କା ନେଇ ସାରିଛି, ତେଣୁ ତାକୁ ଯେମିତି ହେଉ କାମ କରିବାକୁ ହେବ ବୋଲି ବିନୟ ଓ ସୁନିତା କହୁଥିଲେ। କାମରେ କିଛି ଭୁଲ ହେଲେ ତାଙ୍କୁ ସୁନିତା ମାଡ଼ ମାରୁଥିଲେ। ଦିନେ ନାବାଳିକା ଘରକୁ ଫେରିଯିବେ ବୋଲି କହିବାରୁ ତାଙ୍କୁ ୬ ମାସ ଘରେ ନଜରବନ୍ଦୀ କରି ରଖାଯାଇଥିଲା । କିନ୍ତୁ ସେ ବହୁତ କନ୍ଦାକଟା କରିବା ସହ ଥରେ ଗାଁକୁ ଯାଇ ପୁଣି ଫେରିବ ବୋଲି କହିବା ପରେ ୨୦୨୩ ଜୁଲାଇରେ ତାଙ୍କୁ ଗାଁକୁ ଛଡ଼ା ଯାଇଥିଲା ।

ସେ ଗାଁକୁ ଆସିବା ପରେ ସରପଞ୍ଚ ଦଲରସା ଗୁଡ଼ିଆ ପୁଣି ଗୁଜରାଟ ଯିବାକୁ ବାଧ୍ୟ କରିଥିଲେ। ଏପରିକି ବିନୟ ସରପଞ୍ଚଙ୍କୁ କଲ୍ କରି ଝିଅକୁ ନେବାକୁ ଝାରସୁଗୁଡ଼ା ଆସିବେ ବୋଲି କହୁଥିଲେ। ଏଥିରେ ଭୟଭୀତ ଝିଅ ଗାଁର ଗୋଲାପି ନାଏକ ନାମ୍ନି ଜଣେ ମହିଳା ନେତ୍ରୀଙ୍କୁ କାନ୍ଦି କାନ୍ଦି ସମସ୍ତ କଥା ଜଣାଇଥିଲେ। ପରେ ଗୋଲାପିଙ୍କ ସହ ଧରୁଆଡିହି ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଝିଅର ଅଭିଯୋଗ ନଶୁଣି ତାକୁ ଫେରାଇ ଦେବାରୁ ଗତ ୫ ତାରିଖରେ ଏସପିଙ୍କୁ ଜଣାଇଥିଲେ । ଏହା ପରେ ଧରୁଆଡିହି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ନାବାଳିକାଙ୍କ ୧୬୪ ବୟାନ ରେକର୍ଡ କରି ସଦରଥାନା ନିକଟ ଆଭା ଆସ୍ଥା ଗୃହରେ ରଖାଯାଇଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏହି ଚାଲାଣକୁ ରୋକାଯାଇ ପାରୁ ନାହିଁ । ଏ ଝିଅ ଜଣଙ୍କ ସିନା କୌଶଳ କରି ଫେରି ଆସିଲେ ତେବେ ଅନେକ ଝିଅ ଏପରି ଅଛନ୍ତି ଯେଉଁମାନେ ଏଭଳି ଦଲାଲିର ଶିକାର ହେଉଛନ୍ତି । ତେବେ ଏହି ଚାଲାଣକୁ ରୋକାଯାଇ ପାରିଲେ ଅନେକ ଝିଅଙ୍କ ଜୀବନ ଉଦ୍ଧାର ହୋଇପାରନ୍ତା ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...