COASTAL NEWS Odia 520
ସହରବାସୀ ପିଉଛନ୍ତି ନର୍ଦ୍ଦମା ପାଣି
ଯାଜପୁର ଟାଉନ,୨୮ା୮ : ଯାଜପୁର ସହରରେ ଜନସ୍ବାସ୍ଥ୍ୟ ବିଭାଗ ଜରିଆରେ ବିଶୁଦ୍ଧ ପାନୀୟ ଜଳ ପାଇପ ମାଧ୍ୟମରେ ଯୋଗାଇ ଦିଆଯାଉଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ଅଧିକାଂଶ ସମୟରେ ବହୁ ଅଞ୍ଚଳରେ ପାଇପ୍ଗୁଡ଼ିକରେ କଳା ନର୍ଦ୍ଦମା ପାଣି ଆସୁଛି। ମଝିରେମଝିରେ ପାଇପ୍ଗୁଡ଼ିକ ସଫା ହେବାବେଳେ ସାଧାରଣତଃ କାଦୁଅମିଶା ପାଣି ଆସିଥାଏ। କିନ୍ତୁ ୩ ଦିନ ହେବ ସହରର ଭୀମକରପୁର, ରାଉତରାପୁର, ନୂଆଗାଁ, ମହାବୀରଛକ, ଭାଗବତପୁର ଆଦି ଅଞ୍ଚଳରେ ସମ୍ପୂର୍ଣ୍ଣ ନର୍ଦ୍ଦମା ଜଳ ସପ୍ଲାୟ କରାଯାଉଛି। ଏହାକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। କେବଳ ସେତିକି ନୁହେଁ, ସହରର ହାବେଳିବଜାର ଛକଠାରୁ ଭାୟା ବଡ଼ବଜାର, ରାଜପୁର ଦେଇ ଗଞ୍ଜେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ପ୍ରାୟ ଅଧା କିଲୋମିଟର ଦୂରତାର ପାଇପ୍ ପ୍ରାୟ ୬୦ ବର୍ଷ ତଳୁ ପରିବର୍ତ୍ତନ କରାଯାଇନାହିଁ। ଫଳରେ ବଡ଼ବଜାର, ରାଜପୁର, ବଡ଼ଶାସନ, ଜାଗେଶ୍ୱରପୁର, ହାବେଳିବଜାର, ବିବିସରାଇ, ଡେଲିମାର୍କେଟ, ପୁରୁଣା ବସ୍ଷ୍ଟାଣ୍ଡ, ନୂଆବସ୍ଷ୍ଟାଣ୍ଡ ଆଦି ଅଞ୍ଚଳର ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ସହରବାସୀ ପ୍ରତିଦିନ ନର୍ଦ୍ଦମା ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ସମସ୍ତଙ୍କର ନଳକୂପ ନ ଥିବାରୁ ବାଧ୍ୟ ହୋଇ ଏହି ପାଇପ ଜଳ ଉପରେ ସବୁପ୍ରକାର ବ୍ୟବହାର ପାଇଁ ନିର୍ଭର କରିଥାନ୍ତି। ଆଉ ଜନସ୍ବାସ୍ଥ୍ୟ ବିଭାଗ ଜନଗଣଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପରିବର୍ତ୍ତେ ନର୍ଦ୍ଦମା ଜଳ ଯୋଗାଇଦେଇ ନାନାଦି ରୋଗରେ ପୀଡ଼ିତ କରିବାର ବ୍ୟବସ୍ଥା କରୁଛି ବୋଲି ଅଭିଯୋଗ ହୋଇଛି। ପୁରୁଣା ପାଇପ୍ ପରିବର୍ତ୍ତନ ସହିତ ସହରବାସୀଙ୍କୁ ସିଧାସଳଖ ପାଇପ୍ରୁ ବିଶୁଦ୍ଧ ପାନୀୟ ଜଳ ପିଇବା ବ୍ୟବସ୍ଥା କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ଏବଂ ପୌର ପ୍ରଶାସନକୁ ସହରବାସୀ ଦାବି କରିଆସୁଥିଲେ ମଧ୍ୟ ଏ ଦିଗରେ ଧ୍ୟାନ ଦିଆଯାଉନାହିଁ ବରଂ ପାନୀୟଜଳ ଟିକସ୍ ପାଇଁ ପୌରପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ସହରବାସୀ ଅଭିଯୋଗ କରିଛନ୍ତି।

 
 
No comments:
Post a Comment