AFFILIATE MARKETING

https://binomo.com?a=90810425bb57&t=0

Wednesday, August 30, 2023

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ: ରାକ୍ଷୀ ବାନ୍ଧିଥିଲେ ରଖିଲେ ମାନ; ଇତିହାସରୁ ପୁରାଣ ଯାଏଁର କଥା

 COASTAL NEWS Odia 534

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ: ରାକ୍ଷୀ ବାନ୍ଧିଥିଲେ ରଖିଲେ ମାନ; ଇତିହାସରୁ ପୁରାଣ ଯାଏଁର କଥା 




ଭୁବନେଶ୍ବର --ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଯାହା ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ। ଏହା ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେଣୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସଂପର୍କର ବନ୍ଧନକୁ ସୁଦୃଢ଼ କରିଥାଏ। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ।

ପୌରାଣିକ କଥା –

ରାଜା ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ରାଜା ବଳି ଥିଲେ ମହାଦାନୀ। ଭଗବାନ ବିଷ୍ଣୁ଼ ବାମନ ଅବତାର ଧାରଣ କରି ରାଜା ବଳିଙ୍କ ପାଖକୁ ଭିକ୍ଷା ଆଣିବାକୁ ଯାଇଥିଲେ। ବ୍ରାହ୍ମଣ ଭାବେ ବଳିଙ୍କୁ ତିନି ପାଦ ଭୂମି ମାଗିଥିଲେ। ରାଜା ବଳି ତିନି ପାଦ ଭୂମି ଦାନ ପାଇଁ ସତ୍ୟ କରିଥିଲେ। ହେଲେ ଭଗବାନ ବାମନ ନିଜ ବିରାଟ ସ୍ୱରୂପରେ ସମଗ୍ର ସଂସାରକୁ ଦୁଇ ପାଦରେ ମାପି ନେଇଥିଲେ। ତୃତୀୟ ପାଦ ରଖିବାକୁ ସ୍ଥାନ ନ ଥିବାରୁ, ବଳି ନିଜ ମଥା ଉପରେ ପାଦ ରଖିବାକୁ କହିଥିଲେ। ବଳିଙ୍କ ଗର୍ବ ଚୂର୍ଣ୍ଣ ହେବା ପରେ, ତାଙ୍କୁ ପାତାଳକୁ ନିକ୍ଷେପ କରିଥିଲେ ଭଗବାନ। ହେଲେ ତାଙ୍କ ଦାନ ପଣିଆରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ତାଙ୍କୁ ବର ମାଗିବାକୁ କହିଥିଲେ। ବଳି ଅତି ଚତୁରତାର ସହ ତାଙ୍କ ସହ ଭଗବାନ ପାତାଳରେ ବାସ କରନ୍ତୁ ବୋଲି ବର ମାଗି ନେଇଥିଲେ। ବାମନ ରୂପୀ ଭଗବାନ ବିଷ୍ଣୁ ସତ୍ୟ ରକ୍ଷା କରି ପାତାଳରେ ରହିବାକୁ ଲାଗିଲେ।ଏହା ଦେଖି ସମସ୍ତ ଦେବତା ଏବଂ ଦେବୀ ଲକ୍ଷ୍ମୀ ବିଚଳିତ ହୋଇପଡ଼ିଲେ। ଭଗବାନ ନିଜ ସ୍ଥାନକୁ କିପରି ଫେରିବେ ସେ ନେଇ ଚିନ୍ତିତ ହୋଇପଡ଼ିଲେ ଦେବୀ ଲକ୍ଷ୍ମୀ। ଶେଷରେ ଜଣେ ବ୍ରାହ୍ମଣୀର ରୂପ ଧାରଣ କରି ଲକ୍ଷ୍ମୀ ପାତାଳକୁ ପ୍ରବେଶ କଲେ। ବୃଦ୍ଧ ବ୍ରାହ୍ମଣୀ ରୂପ ଧାରଣ କରିଥିବା ଦେବୀ ଲକ୍ଷ୍ମୀ ବଳିଙ୍କ ହାତରେ ଏକ ରକ୍ଷା ସୂତ୍ର ବାନ୍ଧି ତାଙ୍କୁ ଭ୍ରାତା ବୋଲି ସମ୍ୱୋଧନ କରିଥିଲେ। ରାଜା ବଳି ତାଙ୍କ ଅବସ୍ଥା ଦେଖି ତାଙ୍କୁ କିଛି ମାଗିବାକୁ କହିଲେ। ନିଜ ପତିଙ୍କୁ ନିଜ ସହ ନେଇଯିବା ଲାଗି ବର ମାଗିଥିଲେ ଲକ୍ଷ୍ମୀ। ରାଜା ବଳି ମା’ ଲକ୍ଷ୍ମୀଙ୍କୁ ଚିହ୍ନିପାରି ତାଙ୍କୁ ଭାଇ କରିଥିବାରୁ ନିଜକୁ କୃତାର୍ଥ ମନେ କରିଥିଲେ। ରକ୍ଷାସୂତ୍ର ପିନ୍ଧାଇ ଭାଇ କରିଥିବାରୁ, ନିଜ ଭଗ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ବାମନ ରୂପୀ ଭଗବାନ ବିଷ୍ଣୁଙ୍କୁ ନିଜ ସ୍ଥାନକୁ ଫେରିବାକୁ ଅନୁମତି ଦେଇଥିଲେ।

କୃଷ୍ଣ ଏବଂ ଦ୍ରୌପଦୀ –

ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କଥା ରହିଛି। କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ। ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟି ଯାଇଥିଲା। ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ। ଫଳରେ ରକ୍ତ ବନ୍ଦ ହେଇଯାଇଥିଲା। ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ। ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବ ମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ସହସ୍ର ବସ୍ତ୍ର ଦାନକରି ଦ୍ରୌପଦୀଙ୍କ ମାନ ରକ୍ଷା କରିଥିଲେ।

ଇତିହାସରେ ରକ୍ଷା ବନ୍ଧନର ମାନ: ହୁମାୟୁନ୍‌ ଏବଂ କର୍ଣ୍ଣାବତୀ –

ମୋଗଲ ସମ୍ରାଟ ହୁମାୟୁନ୍‌ ଓ ରାଣୀ କର୍ଣ୍ଣାବତୀଙ୍କ କଥା ମଧ୍ୟ ରକ୍ଷାବନ୍ଧନ ବେଳେ ମନେପଡ଼େ। ୧୬ଶ ଶତାବ୍ଦୀର ମଧ୍ୟଭାଗରେ ମେୱାର ଉପରେ ଆକ୍ରମଣ କରିଥିଲେ ବାହାଦୂର ଶାହା ଜାଫର। ସେ ସମୟରେ ନିଜ ରାଜ୍ୟକୁ ରକ୍ଷା କରିବାକୁ ରାଣୀ କର୍ଣ୍ଣାବତୀ ଅସହାୟ ହୋଇ ପଡ଼ିଥିଲେ। ଶେଷରେ କୌଣସି ଉପାୟ ନପାଇ ଦିଲ୍ଲୀର ସୁଲତାନ୍‌ ସମ୍ରାଟ ହୁମାୟୁନ୍‌ଙ୍କ ପାଖକୁ ଏକ ଚିଠି ଏବଂ ରାକ୍ଷୀଟିଏ ପଠାଇଥିଲେ। ଏହି ରକ୍ଷା ସୂତ୍ରଟି ଦେଖି ହୁମାୟୁନ୍‌ ଏତେ ପ୍ରଭାବିତ ହୋଇଥିଲେ ଯେ, ସୈନ୍ୟବଳ ତୁରନ୍ତ ଫେରାଇ ଆଣିବାକୁ ବାହାଦୂର ଶାହାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଲକ୍ଷ୍ମୀବାଇ ଏବଂ ଚାଖି ଖୁଣ୍ଟିଆ –

ରାଣୀ ଲକ୍ଷ୍ମୀବାଈ ନିଜ ପିତାଙ୍କ ସହ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିବା ବେଳେ, ପିଲାବେଳେ ନିଜ ଯାତ୍ରୀ ପଣ୍ଡାଙ୍କ ପୁଅଙ୍କୁ ରାଖି ପିନ୍ଧାଇ ଭାଇ କରିଥିଲେ। ପରବର୍ତ୍ତୀ ସମୟରେ ଏହି ସେବକ, ବାଳକ ଚାଖି ଖୁଣ୍ଟିଆ ନାମରେ ପ୍ରସିଦ୍ଧ ହୋଇଥିଲେ। ରାଣୀ ଲକ୍ଷ୍ମୀବାଈଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ଯେତେବେଳେ ନିଜେ ଲକ୍ଷ୍ମୀବାଈ ଯୁଦ୍ଧକୁ ବାହାରିଲେ, ସେତେବେଳେ ଚାଖି ଖୁଣ୍ଟିଆ ମଧ୍ୟ ନିଜ ଭ୍ରାତା ଧର୍ମ ପାଳନ କରିବାକୁ ଆଗେଇ ଆସି ରାଣୀ ଲକ୍ଷ୍ମୀବାଈଙ୍କ ସହିତ ମିଶି ଇଂରେଜ ମାନଙ୍କ ବିରୋଧରେ ଯୁଦ୍ଧ କରିଥିଲେ।



No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...