AFFILIATE MARKETING

https://binomo.com?a=90810425bb57&t=0

Monday, August 21, 2023

କେମିତି କମିବ ଗୁଣିଗାରେଡ଼ି, ଅନ୍ଧବିଶ୍ୱାସ

 COASTAL NEWS Odia 451

କେମିତି କମିବ ଗୁଣିଗାରେଡ଼ି, ଅନ୍ଧବିଶ୍ୱାସ 



ଭୁବନେଶ୍ୱର,୨୧ା୮ :ପ୍ରାଚୀନ ଯୁଗରେ ଗୁଣିଗାରେଡ଼ି, ଯାଦୁବିଦ୍ୟା, ତନ୍ତ୍ରସାଧନ, ଝଡ଼ାଫୁଙ୍କା ଆଦି ଅନ୍ଧବିଶ୍ୱାସ ଉପରେ ଲୋକମାନେ ଅଧିକ ବିଶ୍ୱାସ କରୁଥିଲେ। ଏବେ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ କେତେ ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ବିଭିନ୍ନ ପ୍ରକାର ଅପରାଧ ବୃଦ୍ଧି ପାଉଛି। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଯୋଗୁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି, ଯାହା ଚିନ୍ତାର ବିଷୟ ହୋଇଛି। ପୂର୍ବରୁ ଉପାନ୍ତ ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସୁଥିଲା। ହେଲେ ଏବେ ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। କେତେବେଳେ ତନ୍ତ୍ର ସାଧନ ପାଇଁ ନିରୀହ ଶିଶୁଙ୍କୁ ବଳି ଚଢ଼ାଯାଉଛି ତ ଆଉ କେତେବେଳେ ତନ୍ତ୍ର ସାଧନ କରୁଥିବା ବ୍ୟକ୍ତିଙ୍କୁ ଗୁଣିଆ କହି ହତ୍ୟା କରାଯାଉଛି। ଗୁଣିଗାରେଡ଼ି ଯୋଗୁୁ ଏଭଳି ହିଂସାକାଣ୍ଡ ଘଟୁଥିବାରୁ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରୁଛି।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ଗୁଣିଗାରେଡ଼ି ସନ୍ଦେହରେ ୨୫୮ ଜଣଙ୍କୁ ହତ୍ୟା କରାଯାଇଛି। ଓଡ଼ିଶାରେ ଏହି ସଂଖ୍ୟା ୨୯ ରହିଛି। ଗତ କିଛି ମାସରେ ରାଜ୍ୟରେ ଘଟିଥିବା କିଛି ଘଟଣାକୁ ଦେଖିବାକୁ ଗଲେ ଗୁଣିଗାରେଡ଼ିଜନିତ ହତ୍ୟାକାଣ୍ଡ ବଢ଼ିଥିବା ଜଣାପଡ଼ିଛି। ଗତ ଜୁଲାଇ ୨୮ରେ ପୁରୀ ଗୁରୁକୃପା ଆଶ୍ରମ ରକ୍ତପାତ ହୋଇଥିଲା। ବିଷ୍ଣୁବାବାଙ୍କ ଆକ୍ରମଣରେ ଅର୍ଜୁନ ଏବଂ ଦୟାନିଧି ବାବାଙ୍କର ମୃତ୍ୟୁ ହୋଇଥିଲା।ଅଭିଯୁକ୍ତ ବିଷ୍ଣୁବାବାଙ୍କୁ ଧରାଯିବା ବେଳେ ତାଙ୍କ ମୁହଁ ସାରା ରକ୍ତ ଲାଗିଥିଲା। ସେ ଏକ ବ୍ଲେଡ୍‌ରେ ନିଜ ଜିଭକୁ କାଟିବା ସହ ଅର୍ଜୁନ ବାବାଙ୍କ ରକ୍ତ ପିଇଥିବା ଜଣେ ପୋଲିସ କର୍ମଚାରୀ କହିଥିଲେ। ତନ୍ତ୍ରସାଧନ ପାଇଁ ସେ ଏହି କାଣ୍ଡ ଘଟାଇଥିବା କୁହାଯାଉଥିବା ବେଳେ ପୋଲିସ ଏହି ଦିଗକୁ ନେଇ ତଦନ୍ତ ଜାରି ରଖିଛି। ସେହିଭଳି ଗୁଣି ସନ୍ଦେହରେ ଜୁଲାଇ ୨୫ରେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଡିମିରିକୁଦା ଗ୍ରାମରେ ହତ୍ୟାକାଣ୍ଡ ଘଟିଥିଲା। ଗ୍ରାମର ଶୁକ୍ରୁ ମାଝି ଘରେ ତନ୍ତ୍ରସାଧନା କରୁଥିଲେ। ପଡ଼ୋଶୀ ସଞ୍ଜୁ ମାଝୀଙ୍କ ୪ବର୍ଷର ପୁଅର ମୃତ୍ୟୁ ପାଇଁ ଶୁକ୍ରୁଙ୍କୁ ଦାୟୀ କରାଯାଇଥିଲା। ଶୁକ୍ରଙ୍କୁ ସଞ୍ଜୁଙ୍କ ପରିବାର ଲୋକ କାଠଫାଳିଆ ଓ କୋଦାଳରେ ଆକ୍ରମଣ କରି ହତ୍ୟା କରିଥିଲେ। ଅନ୍ୟପଟେ ଜୁଲାଇ ୨୩ ରାତିରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ହରନବାବି-ବନ୍ତପାଟଣା ଗ୍ରାମରେ ଗୁଣିଗାରେଡ଼ି ପାଇଁ ବିଭିତ୍ସ ହତ୍ୟାକାଣ୍ଡ ଘଟିଥିଲା। ମଣିଚରଣ ତାଙ୍କ ବାଡ଼ିପଟେ ଗୁଣି କରି କିଛି ରଖିଥିବା ପଡ଼ୋଶୀ ସନ୍ଦେହ କରିଥିଲେ। ରାତିରେ ଶୋଇଥିବା ମଣିଚରଣଙ୍କୁ ପଡ଼ୋଶୀ ଅଜୁ ମହାରଣା ତାଙ୍କ ଦୁଇପୁଅଙ୍କ ସହ ମିଶି ଶାବଳ ଓ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିଲେ।

ଆଇନଜୀବୀ ଅଶୋକ ବଡ଼ପଣ୍ଡାଙ୍କ କହିବା କଥା, ଲାଗୁ ହୋଇଥିବା ଉକ୍ତ ଆଇନ ବିଷୟରେ ପ୍ରାୟ ଲୋକ ଜାଣନ୍ତି ନାହିଁ। ତେଣୁ ଗୁଣିଗାରେଡ଼ି ନେଇ ଆରମ୍ଭରୁ କେହି ଥାନାକୁ ଆସି ଅଭିଯୋଗ କରନ୍ତି ନାହିଁ। ଏନେଇ ସଚେତନ କରାଗଲେ ଲୋକେ ଆରମ୍ଭରୁ ଅଭିଯୋଗ କରିବେ ଏବଂ ଗୁଣିଗାରେଡ଼ି ଯୋଗୁ ହେଉଥିବା ହତ୍ୟାକୁ ରୋକାଯାଇପାରିବ। ଏଥିପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସି ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ସେ କହିଛନ୍ତି।

ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ବିଜ୍ଞାନ ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଘଟି ନ ଥିବା ସମୟରୁ ଗୁଣିଗାରେଡ଼ି ଆରମ୍ଭ ହୋଇଥିଲା। ଏବେ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଖରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି ଠିକ୍‌ ଭାବେ ପହଞ୍ଚୁପାରିନାହିଁ। ତେଣୁ ଲୋକମାନଙ୍କ ମଧ୍ୟରେ ପାରମ୍ପାରିକ ଅନ୍ଧବିଶ୍ୱାସ ଆଦି ରହିଛି। ଶିକ୍ଷା ଏବଂ ସ୍ବାସ୍ଥ୍ୟ ସହ ବିଜ୍ଞାନସମ୍ମତ ଦୃଷ୍ଟିଭଙ୍ଗୀର ପ୍ରସାର କରାଇପାରିଲେ ଏହି ଅନ୍ଧବିଶ୍ୱାସ କମି ଯିବ। ଏହା ବିରୋଧରେ ରହିଥିବା ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବା ଦରକାର। କେବଳ ଆଇନ କରିଦେଲେ ଏହି ଅନ୍ଧବିଶ୍ୟାସ କମିବ ନାହିଁ। ସରକାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ। ଉକ୍ତ ଆଇନକୁ ଅଧିକ ସମୀକ୍ଷା କରାଯାଇ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର ବୋଲି ସେ କହିଛନ୍ତି।

No comments:

COASTAL NEWS

ପାଲଟା ବାଘ

                   @ ଜହ୍ନମାମୁଁ @ .                     *⭕“ "ପାଲଟା ବାଘ" “⭕*   ଅନେକ ବର୍ଷ ତଳର କଥା । ପ୍ରଲମ୍ବିତ ପାହାଡଶ୍ରେଣୀ...