AFFILIATE MARKETING

https://binomo.com?a=90810425bb57&t=0

Tuesday, December 19, 2023

ସାମନ୍ତ ଚନ୍ଦ୍ରଶେଖର ଜୟନ୍ତୀ

COASTAL NEWS ODIA 1587

ସାମନ୍ତ ଚନ୍ଦ୍ରଶେଖର ଜୟନ୍ତୀ 

"ଉତ୍କଳ ମାତାର ଯୋଗ୍ୟତମ ସୁତ
ତୁମ୍ଭଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ"
(କବିବର ରାଧାନାଥ ରାୟ)



ଖଣ୍ଡପଡ଼ା - (CNO) ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର  ଓଡିଶାର ଗର୍ବ ଏବଂ ଗୌରବ ଏଥିରେ ଦ୍ୱିରୁକ୍ତି ନାହିଁ ।୧୮୩୫ ମସିହା ଡିସେମ୍ବର ୧୩ ତାରିଖରେ(ପୌଷ,କୃଷ୍ଣ ଅଷ୍ଟମୀ) ଖଣ୍ଡପଡା ଗଡଜାତର ରାଜବଂଶରେ ଜନ୍ମଲାଭ କରିଥିବା ଏହି ମୁକୁଟହୀନ ସମ୍ରାଟଙ୍କର ଜ୍ୟୋତିର୍ବିଜ୍ଞାନ ଜଗତକୁ ଦାନ ଅତୁଳନୀୟ ।
କିନ୍ତୁ ଉତ୍କଳର ଏହି ବରପୁତ୍ରଙ୍କ  କୃତି ସମ୍ବନ୍ଧରେ  ଖୁବ୍ କମ୍ ଲୋକ ଜାଣନ୍ତି।ସର୍ବସାଧାରଣରେ 'ପଠାଣି ସାମନ୍ତ'ନାମରେ ବିଦିତ ଏହି ମହାତ୍ମାଙ୍କର କୃତି ଉପରେ ସାମାନ୍ୟ ଆଲୋକପାତ କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ।

ଭାରତରେ ଜ୍ୟୋତିଶ୍ଚକ୍ରୀୟ ଗଣନାର ଆଧାର ଥିଲା ସିଦ୍ଧାନ୍ତଗ୍ରନ୍ଥ ସମୂହ ଯଥା ଆର୍ଯ୍ୟସିଦ୍ଧାନ୍ତ, ସୂର୍ଯ୍ୟସିଦ୍ଧାନ୍ତ, ଭାସ୍କରାଚାର୍ଯ୍ୟକୃତ ସିଦ୍ଧାନ୍ତଶିରୋମଣି ଇତ୍ୟାଦି  ।ଏଥିରେ ସନ୍ନିବେଶିତ  ସ୍ଥୂଳ ଗଣନାକୁ ଆଧାର କରି ,ବିବାହ ବ୍ରତ ଗୃହପ୍ରବେଶ, ପର୍ବପର୍ବାଣୀ  ଇତ୍ୟାଦି ପାଇଁ  ଦିନ,ଦଣ୍ଡ ଏବଂ ଲିତା ସ୍ଥିର କରାଯାଉଥିଲା।କିନ୍ତୁ ଏହି ସ୍ଥୂଳ ଗଣନାରେ ଅନେକ ବିଭ୍ରାଟ ବା ତ୍ରୁଟି ଦେଖାଯାଉଥିଲା।ଭାରତ ଭଳି ଏକ ହିନ୍ଦୁ ରାଷ୍ଟ୍ରରେ ଏଭଳି ତ୍ରୁଟିପୂର୍ଣ୍ଣ  ତିଥି ଗଣନା କଦାପି ଗ୍ରହଣୀୟ  ହୋଇ ନପାରେ।

ଏହିଠାରୁ ଆରମ୍ଭ ହୁଏ ସାମନ୍ତ ଚନ୍ଦ୍ରଶେଖରଙ୍କ ଗବେଷଣା।ଗ୍ରହ ନକ୍ଷତ୍ର ମାନଙ୍କର ନିର୍ଭୁଲ ସ୍ଥିତି ଏବଂ ଗତି ନିର୍ଣ୍ଣୟ କରିବାପାଇଁ  ସେ ତାଙ୍କର ମହାକାଶ ଗବେଷଣା ଆରମ୍ଭ କରିଦିଅନ୍ତି।ପାଖରେ ଗବେଷଣାଗାର ନାହିଁ ।ବିଶାଳ ମହାକାଶହିଁ ଗବେଷଣାଗାର।ଦୂରବୀକ୍ଷଣ ଯନ୍ତ୍ର ପାଇବେ କେଉଁଠାରୁ?ଦୁଇଖଣ୍ଡି  କାଠିରେ ତିଆରି କରିଦେଲେ ଗବେଷଣା ପାଇଁ ଯନ୍ତ୍ରଟିଏ।ନାଁ'ଟି ତାର ଦେଲେ 'ମାନଯନ୍ତ୍ର' ।ଦେଖିବାକୁ ଇଁରାଜୀ ଅକ୍ଷର 'T' ପରି।ତା ସହିତ ଶଙ୍କୁଯନ୍ତ୍ର ନାମକ ଆଉ ଗୋଟିଏ ଯନ୍ତ୍ର ସାହାଯ୍ୟରେ ଖାଲି ଆଖିରେ ଗ୍ରହ,ଉପଗ୍ରହ, ନକ୍ଷତ୍ରଙ୍କ ଉପରେ ଗବେଷଣା କରିଚାଲିଲେ।ଖାଲି ଆଖିରେ ଦେଖୁଥିବା  ଏହି ସିଦ୍ଧାନ୍ତକୁ "ଦୃକସିଦ୍ଧ ସିଦ୍ଧାନ୍ତ" ନାମଦେଇ ଉପଲବ୍ଧିକୁ ଲେଖିଚାଲିଲେ ସଂସ୍କୃତ ଶ୍ଳୋକ ଆକାରରେ।ଯେତେବେଳେ ଏହି ଗବେଷଣା ସେ ଆରମ୍ଭ କଲେ ସେତେବେଳେ ତାଙ୍କୁ ମାତ୍ର ଚଉଦ ବର୍ଷ।ଦୀର୍ଘ କୋଡିଏ ବର୍ଷ ପରେ,୧୮୬୯ ମସିହାରେ  ଗବେଷଣା ଶେଷ ହେଲା।ସେତେବେଳକୁ ତାଙ୍କ ବୟସ ୩୪ ବର୍ଷ।ଏହି ଗବେଷଣାର ଫଳ ସ୍ୱରୂପ :--

୧.  ଗ୍ରହ ନକ୍ଷତ୍ର ମାନଙ୍କର ସ୍ଥିତି ଏବଂ ଗତି ସେ ନିର୍ଭୁଲ ଭାବରେ  ଲିପିବଦ୍ଧ  କଲେ।ଏହାକୁ ଆଧାର କରି ଆସନ୍ତା ଦଶହଜାର ବର୍ଷ ପାଇଁ  ନିର୍ଭୁଲ ପଞ୍ଜିକା ପ୍ରଣୟନ ହୋଇପାରିବ।ଏହି ପଞ୍ଜିକା ଏତେ ନିର୍ଭୁଲ ଯେ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ଏହି ସାମନ୍ତ ପଞ୍ଜିକା ଆଧାରରେ ଚଳାଇବା ପାଇଁ ଶ୍ରୀମନ୍ଦିରର ପଣ୍ଡିତ ସଭା ୧୮୭୬ ମସିହାରେ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ନିଷ୍ପତ୍ତି ବଳବତ୍ତର ରହିଛି।

୨.  ସାମନ୍ତଙ୍କ ଗବେଷଣା ଗାଣିତିକ ସୂତ୍ର ଉପରେ ପର୍ଯ୍ୟବେଷିତ ।ବୀଜ ଗଣିତ,ପାଟୀଗଣିତ,ପରିମିତି, ତ୍ରିକୋଣମିତି  ଏବଂ ଜ୍ୟାମିତି ସୂତ୍ର ତାଙ୍କ ଜିହ୍ୱାଗ୍ରରେ ଥିଲା।ଯେକୌଣସି ସ୍ଥାନର ଉଚ୍ଚତା,ଦୂରତା (ବୃକ୍ଷ ଲତା ପାହାଡ ପର୍ବତ ଇତ୍ୟାଦିର) ସେ ଗଣନାକରି ସଙ୍ଗେ ସଙ୍ଗେ ନିର୍ଭୁଲ ଭାବରେ କହିଦେଉଥିଲେ।ମହେନ୍ଦ୍ର ପର୍ବତର ଉଚ୍ଚତା ମଞ୍ଜୁଷା ରାଜାଙ୍କୁ ଏବଂ ସପ୍ତଶଜ୍ୟା ପାହାଡର ଉଚ୍ଚତା ଏବଂ ଦୂରତା ବ୍ରିଟୀଶ କମିଶନର କୁକ୍ ସାହେବଙ୍କୁ ସେ ଏହିପରି ଗଣନା ମାଧ୍ୟମରେ ନିର୍ଭୁଲ ଭାବରେ ବତାଇ  ଦେଇଥିଲେ ।ଇଂଲଣ୍ଡ  ଏବଂ ଆମେରିକାରେ ଘଟିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗର ପୂର୍ବାନୁମାନ  ସଠିକ ଭାବରେ ପ୍ରତିପାଦିତ କରିବାପରେ ତାଙ୍କର ଖ୍ୟାତି  ପୃଥିବୀରେ ସବୁ ଦେଶରେ ବ୍ୟାପିଗଲା।

୩. ସାମନ୍ତଙ୍କ ଗଣନାର ଫଳ ସ୍ୱରୂପ,ସୂର୍ଯ୍ୟଙ୍କର ମହାକର୍ଷଣ ପ୍ରଭାବରେ  ଚନ୍ଦ୍ରର ଗତି ଏବଂ ସ୍ଥିତିରେ ଘଟୁଥିବା 'ବିଶୃଙ୍ଖଳା'  ପ୍ରଥମଥର ପାଇଁ ଆବିଷ୍କୃତ ହେଲା।ଆଗରୁ କୌଣସି ଜ୍ୟୋତିର୍ବିଜ୍ଞାନୀ ଏହି ବିଶୃଙ୍ଖଳା  ଆବିଷ୍କାର କରିନଥିଲେ।ଏହି ବିଶୃଙ୍ଖଳା  ତିନି ପ୍ରକାରର ଯଥା ତୁଙ୍ଗାନ୍ତର,ପାକ୍ଷିକ ଓ ଦିଗଂଶ।
ତୁଙ୍ଗାନ୍ତର ବିଶୃଙ୍ଖଳା ଯୋଗୁଁ  ଚନ୍ଦ୍ରର କକ୍ଷପଥ ପରିକ୍ରମଣରେ  ସାମାନ୍ୟ ପରିବର୍ତ୍ତନ ଆସେ;ପାକ୍ଷିକ ବିଶୃଙ୍ଖଳା  ଯୋଗୁଁ  ଚନ୍ଦ୍ରକଳାରେ ହ୍ରାସ-ବୃଦ୍ଧିରେ ପ୍ରଭେଦ ହୁଏ ଏବଂ ଦିଗଂତ ବିଶୃଙ୍ଖଳା ଚନ୍ଦ୍ରଠାରୁ ପୃଥିବୀର ଦୂରତାରେ ସାମାନ୍ୟ ପରିବର୍ତ୍ତନ  ଦର୍ଶାଏ।

୪.  ଏହା ବ୍ୟତୀତ ସାମନ୍ତ ଗ୍ରହ ନକ୍ଷତ୍ର ମାନଙ୍କର ବ୍ୟାସ ନିରୂପଣ ନିର୍ଭୁଲ ଭାବରେ କରି ଯାଇଛନ୍ତି ।ସୂର୍ଯ୍ୟଙ୍କ ବ୍ୟାସ ୭୨୦ଲକ୍ଷ ଯୋଜନ ବୋଲି ନିର୍ଣ୍ଣୟ କରିଛନ୍ତି ।ସୂର୍ଯ୍ୟ ସିଦ୍ଧାନ୍ତରେ ଏହା ୬୫୦ ଲକ୍ଷ ଯୋଜନ ବୋଲି ଉଲ୍ଲେଖ ଅଛି ଏବଂ ଭାସ୍କରାଚାର୍ଯ୍ୟ ସିଦ୍ଧାନ୍ତ ଶିରୋମଣିରେ ଏହା ୬୫୨.୨ ଲକ୍ଷ ଯୋଜନ ବୋଲି ଉଲ୍ଲେଖ କରିଛନ୍ତି ।"ସୂର୍ଯ୍ୟ ସିଦ୍ଧାନ୍ତ"  ଏବଂ "ସିଦ୍ଧାନ୍ତ ଶିରୋମଣି" ଅନୁଯାୟୀ ଗଣନାକରି ସାମନ୍ତ ଦେଖିଲେ ଯେ ସୂର୍ଯ୍ୟ ପରାଗ  ଠିକ୍ ସମୟରେ ସଂଘଟିତ ହେଉନାହିଁ ।ତେଣୁ ସେ,ଅଥର୍ବ ବେଦରେ  ଉଲ୍ଲିଖିତ ଦୂରତା ୭୨୦ଲକ୍ଷ ଯୋଜନ ହିସାବରେ ଗଣନାକରି ଦେଖିଲେ ଯେ ସୂର୍ଯ୍ୟ ପରାଗ ଠିକ୍ ସମୟରେ ସଂଘଟିତ ହେଉଛି।(ଗୋଟିଏ ଯୋଜନ ହାରାହାରି ୮କିଲୋମିଟର)।
ଚନ୍ଦ୍ରର ବ୍ୟାସ ୪୪.୪ ଲକ୍ଷ ଯୋଜନ ଏବଂ ପୃଥିବୀର ବ୍ୟାସ ୧୬୦ଲକ୍ଷ ଯୋଜନ ବୋଲି ସେ ନିର୍ଣ୍ଣୟ  କରିଛନ୍ତି ।ସେହିପରି  ମଙ୍ଗଳ,ବୁଧ,ବୃହସ୍ପତି, ଶୁକ୍ର ଏ ଶନି ଗ୍ରହ ମାନଙ୍କର ବ୍ୟାସ ସେ ଯୋଜନ ପରିମାଣର ନିର୍ଣ୍ଣୟ କରିଛନ୍ତି ।

୫. ସାମନ୍ତଙ୍କ ଗବେଷଣାର ଫଳ ସ୍ୱରୂପ ଏକ ନୂତନ ନକ୍ଷତ୍ର  ଆବିଷ୍କୃତହୋଇଛି।ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ର ମାନଙ୍କରେ,ଅଶ୍ୱିନୀ,ଦ୍ୱିଜା,କୃତିକା ଇତ୍ୟାଦି  ୨୭ ଟି ନକ୍ଷତ୍ରର ଅବତାରଣା କରାଯାଇଛି।ସାମନ୍ତ, "ଅଭିଜିତ"ନାମକ ଏକ ନୂତନ ନକ୍ଷତ୍ରର ଆବିଷ୍କାର କରିବାପରେ ନକ୍ଷତ୍ର ସଂଖ୍ୟା ୨୮କୁ ବୃଦ୍ଧି ହୋଇଛି।

୬. ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥରେ  ସାମନ୍ତ ଉଲ୍ଲେଖ କରିଛନ୍ତି ଯେ ବ୍ୟାସ-ସମାନ ଦୂରରେ ସୂର୍ଯ୍ୟଙ୍କ ତେଜ ଏକ ଶତାଂଶ (ଶହେ ଭାଗରୁ ଏକ ଭାଗ)ଅନୁଭୂତ ହୁଏ।ସୂର୍ଯ୍ୟ-ବ୍ୟାସର ଦୁଇଶହ ଗୁଣ ଦୂରରେ ସୂର୍ଯ୍ୟତାପ ଆଦୌ ଅନୁଭୂତ ହୁଏନାହିଁ ।

୭.  ଗ୍ରହ ନକ୍ଷତ୍ର ମାନଙ୍କର ଅବସ୍ଥାନ ନିରୂପଣ କରିବାରେ ଅୟନାଂଶର ଭୂମିକା  ଗୁରୁତ୍ବପୂର୍ଣ୍ଣ ।ପୃଥିବୀଠାରୁ ଗ୍ରହ ନକ୍ଷତ୍ର ମାନଙ୍କର ଦୂରତା ନିରୂପଣକରି ସେଥିରେ  ଅୟନାଂଶ ଯୋଗକଲେ ସେମାନେ ଦୃଷ୍ଟିଗୋଚର ହୁଅନ୍ତି ।ଅୟନାଂଶ ଯୋଗ ନକଲେ ଦୃଷ୍ଟିଗୋଚର ହୁଅନ୍ତି ନାହିଁ ।ଅୟନାଂଶ ଯୁକ୍ତ ଗ୍ରହ/ନକ୍ଷତ୍ରକୁ ସାୟନ ଗ୍ରହ/ନକ୍ଷତ୍ର କୁହାଯାଏ।ନିରାୟଣ ଗ୍ରହ ପ୍ରତ୍ୟକ୍ଷ ହୁଅନ୍ତି ନାହିଁ ।ନିର୍ଭୁଲ ଦୂରତା ନିରୂପଣକରି ଏବଂ ନିର୍ଭୁଲ ଅୟନାଂଶ ଯୋଗକରି ସାମନ୍ତ ଗ୍ରହ ନକ୍ଷତ୍ର ମାନଙ୍କର ଯେଉଁ  ସଠିକ ଗତି ଏବଂ ସ୍ଥିତି ସ୍ଥିର କରିଯାଇଛନ୍ତି ହଜାର ହଜାର ବର୍ଷ ପାଇଁ ଜ୍ୟୋତିର୍ବିଜ୍ଞାନ ତାଙ୍କ ପାଖରେ ଋଣୀ   ରହିବ।

୮.   ସାମନ୍ତଙ୍କ ଗବେଷଣା ସମ୍ବନ୍ଧରେ କିଛି ଭୁଲ୍ ଧାରଣା ସର୍ବସାଧାରଣରେ ସୃଷ୍ଟି  ହୋଇଛି।ତାଙ୍କର ମତ ପାଶ୍ଚାତ୍ୟ  ବୈଜ୍ଞାନିକମାନଙ୍କ ମତ ଠାରୁ ସମ୍ପୂର୍ଣ୍ଣ ବିପରୀତ ବୋଲି ଧାରଣା ସୃଷ୍ଟି  ହୋଇଛି।କିନ୍ତୁ ଦେଖିବାକୁ ଗଲେ ସାମନ୍ତଙ୍କ ମତ ପାଶ୍ଚାତ୍ୟ ବୈଜ୍ଞାନିକମାନଙ୍କ ମତ ସହିତ ଅନେକାଂଶରେ ସମାନ।ଯଥା:---
*ପୃଥିବୀ  ଗୋଲାକାର ଏବଂ ଏହାର ଆହ୍ନିକ ଗତି ଅଛି।ଏହି ଆହ୍ନିକ ଗତି ଯୋଗୁଁ  ଦିବା ରାତ୍ରି ସଂଘଟିତ ହୁଏ।
*ପୃଥିବୀର ଉପଗ୍ରହ ଚନ୍ଦ୍ର ତାର ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ।
*ମଙ୍ଗଳ,ବୁଧ,ବୃହସ୍ପତି, ଶୁକ୍ର ଆଦି ଗ୍ରହମାନେ  ସୂର୍ଯ୍ୟ ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ।
*ଉପରୋକ୍ତ ଗ୍ରହମାନେ ପୃଥିବୀ ଚତୁର୍ଦ୍ଦିଗରେ ମଧ୍ୟ ଘୂର୍ଣ୍ଣନ କରୁଛନ୍ତି । 
ମତବାଦରେ ଉପରୋକ୍ତ ସାମ୍ୟ ପରିଲକ୍ଷିତ ହେଲେ ମଧ୍ୟ  ସାମନ୍ତ ସୌରମଣ୍ଡଳର ପୃଥିବୀ- କୈନ୍ଦ୍ରିକ ଗତି ଉପରେ ବିଶ୍ୱାସ  କରୁଥିଲେ।

୨୫୦୦ ଶ୍ଳୋକ ସମ୍ବଳିତ "ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ " ବୋଧହୁଏ  ସେହପରି ଲୋକ ଲୋଚନ ଅନ୍ତରାଳରେ ରହିଯାଇଥାନ୍ତା।ଗୁଣଗ୍ରାହୀ କବିବର ରାଧାନାଥ ରାୟ,ତତ୍କାଳୀନ ରେଭେନ୍ସା ମହାବିଦ୍ୟାଳୟର ବିଜ୍ଞାନ ପ୍ରଫେସର୍ ଯୋଗେଶଚନ୍ଦ୍ର ରାୟ ,କଲିକତା ବିଶ୍ଵବିଦ୍ୟାଳୟର ସଂସ୍କୃତ ଅଧ୍ୟକ୍ଷ  ମହେଶଚନ୍ଦ୍ର ନ୍ୟାୟରତ୍ନ ଆଦି ଗୁଣଗ୍ରାହୀ ବ୍ୟକ୍ତିଗଣ ଏହି ମନୀଷୀଙ୍କର ପ୍ରତିଭାକୁ ଚିହ୍ନିପାରି ତାଙ୍କୁ ଲୋକ ଲୋଚନକୁ ଆଣିଥିଲେ।୧୮୯୩ ମସିହା ଅକ୍ଟୋବର ୫ ତାରିଖରେ ବ୍ରିଟୀଶସରକାର ତାଙ୍କୁ ମହାମହୋପାଧ୍ୟାୟ ଉପାଧିରେ  ଭୂଷିତ  କଲେ।

ତଥାପି ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥଟି  ୧୮୯୯ ମସିହାରେ ମୁଦ୍ରିତ ହୋଇ,ରଚିତ ହେବାର ୩୦ ବର୍ଷ ପରେ ଲୋକ ଲୋଚନକୁ ଆସିଲା।ପ୍ରଥମ ମୁଦ୍ରଣରେ ୫୦୦୦ କପି,ସେ ସମୟରେ ୧୨୫୦ ଟଙ୍କା ବ୍ୟୟରେ ମୁଦ୍ରିତ ହୋଇଥିଲା।ସାମନ୍ତଙ୍କର ଏଭଳି ପ୍ରସିଦ୍ଧି  ଦେଶ ବିଦେଶରେ ଥିଲା ଯେ ଜର୍ମାନୀରେ ୧000 ଖଣ୍ଡ, ଇଁଲଣ୍ଡରେ ୭00 ଖଣ୍ଡ  ଏବଂ ଆମେରିକାରେ ୮00 କପି ବିକ୍ରି ହୋଇଗଲା। 
ସାମନ୍ତ ଚନ୍ଦ୍ରଶେଖର ଜଗନ୍ନାଥ ମହାପ୍ରଭୁଙ୍କର ପରମ ଭକ୍ତ ଥିଲେ ଏବଂ ଅନ୍ତିମ କ୍ଷଣରେ ନୀଳଚକ୍ରକୁ ଚାହିଁ  ପ୍ରାଣ ବିସର୍ଜନ କରିବାକୁ ଚାହୁଁଥିଲେ।ନିଜର  ମୃତ୍ୟୁଦିନ ନିଜେ ଗଣନାକରି ସେ ପୁରସ୍ତମ ଯାତ୍ରା କରିଥିଲେ।୧୯୦୪ ମସିହା ଜୁନ୍ ମାସ ୧୧ତାରିଖରେ ନୀଳଚକ୍ରକୁ ଚାହିଁ ଚାହିଁ  ସେ ଇହଲୀଳା ସାଙ୍ଗ କରିଥିଲେ।ମୃତ୍ୟୁ ସମୟକୁ ତାଙ୍କୁ ମାତ୍ର ୬୯ ବର୍ଷ ହୋଇଥିଲା।ମାତ୍ର ଜୀବନ ବିଶାଳ ହେବା ଆବଶ୍ୟକ,ଦୀର୍ଘ ନୁହେଁ ।

ସେହି ମହାପୁରୁଷ ଓଡିଆ ଜାତିର ଅସ୍ମିତାର  ପ୍ରତୀକ ଥିଲେ।ଓଡିଆ ଜାତି ଯେତେବେଳେ ନିଜର ପରିଚୟ ହରାଇ ବସିଥିଲା,ପଡୋଶୀ ପ୍ରଦେଶମାନେ,"ଓଡିଆ ଏକଟୁ ଭାଷା ନଏ"କହି ବିଦ୍ରୂପ କରୁଥିଲେ ସେହି ସମୟରେ ପଠାଣି ସାମନ୍ତ ଆମ୍ଭମାନଙ୍କର ପରିଚୟ ହୋଇ ବିଦ୍ୟମାନ ହୋଇଥିଲେ।ଦୁଃଖର କଥା ଆଜି ଏ ଜାତି ସେ ମହାପୁରୁଷଙ୍କୁ  ପ୍ରାପ୍ୟ ସମ୍ମାନ ଦେଇ ପାରୁନାହିଁ ।
 ©️ କୁଳମଣି ଷଡଙ୍ଗୀ

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...