AFFILIATE MARKETING

https://binomo.com?a=90810425bb57&t=0

Friday, November 7, 2025

ହିନ୍ଦୀ ଚଳଚ୍ଚିତ୍ରର ଓଡ଼ିଆ ଗାୟକ: ଅମ୍ବର କୁମାର

ହିନ୍ଦୀ ଚଳଚ୍ଚିତ୍ରର ଓଡ଼ିଆ ଗାୟକ: ଅମ୍ବର କୁମାର
୧୯୭୬ର 'ଲୈଲା ମଜ୍‌ନୁ’ର ‘ହୋ’କେ ମାୟୁସ୍ ତେରେ ଦର୍‌ସେ’ର ଗାୟକ
ଯଦି ଆପଣ ୧୯୭୬ର ଲୋକପ୍ରିୟ ହିନ୍ଦୀ ସିନେମା ‘ଲୈଲା ମଜ୍‌ନୁ’ର ସବୁତକ ଗୀତ ଶୁଣିଥିବେ ସେଥିରେ ଥିବା ‘ହୋ’କେ ମାୟୁସ୍ ତେରେ ଦର୍‌ସେ’ ବି ଶୁଣିଥିବେ। ମଦନ ମୋହନଙ୍କ ସଙ୍ଗୀତ ନିର୍ଦ୍ଦେଶିତ ଏହି ଗୀତରେ ଦୁଇଜଣଙ୍କ ଗାୟନ ଥିଲା ଓ ଦୁଇଜଣଙ୍କ ଭିତରୁ ଜଣେ ଥିଲେ ଓଡ଼ିଆ। ଜଣେ ଲୋକପ୍ରିୟ ଗାୟକ ମହମ୍ମଦ ରଫି, ଆରଜଣକ ଆମ ଓଡ଼ିଶାର ଅମ୍ବର କୁମାର। ଅମ୍ବର କୁମାରଙ୍କ ଗାୟନରେ ସଂଖ୍ୟାଧିକ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅଛି। ମରାଠୀ, ଗୁଜୁରାଟୀ, ତାମିଲ୍‌, ତେଲୁଗୁ, ମଲାୟାଲମ୍‌, ଡୋଗରୀ ଭାଷାରେ ମଧ୍ୟ ତାଙ୍କର ଅନେକ ଗୀତ ରେକର୍ଡ ହୋଇଛିି।  ମୁକେଶ୍‌, କୃଷ୍ଣକାଲେ, ବାଣୀ ଜୟରାମ୍ ପ୍ରମୁଖଙ୍କ ଗାୟନକୁ ନେଇ ସତୁରି ଦଶକରେ ଏଚ୍‌ଏମ୍‌ଭି ପ୍ରଯୋଜନା ଓ ପ୍ରସାରଣ କରିଥିବା ‘ତୁଳସୀ ରାମାୟଣ’ର ଲଙ୍ଗ ପ୍ଲେ ରେକର୍ଡରେ ବି ଅମ୍ବର କୁମାରଙ୍କ ଗାୟନ ଥିଲା। ମଦନ ମୋହନଙ୍କ ସମେତ ସଙ୍ଗୀତକାର ଖୟାମ୍‌, ଜୟଦେବ ଓ ଓ. ପି ନାୟର ପ୍ରମୁଖଙ୍କ ସଙ୍ଗୀତବଦ୍ଧ ଅନେକ ଗୀତ ପାଇଁ ଅମ୍ବର କୁମାର କଣ୍ଠଦାନ କରିଛନ୍ତି। ହିନ୍ଦୀ ଗୀତ, ଗଜଲ ଓ ଭଜନ ଗାୟନ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରସିଦ୍ଧି ରହିଛି। ପ୍ରାୟ ଅଠରଶହରୁ ଅଧିକ ଗ୍ରାମୋଫୋନ୍ ରେକର୍ଡ ପାଇଁ ସେ ଗୀତ ଗାଇଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ‘ସୋଲା ଔର୍ ସବନମ୍‌’ର ଓଡ଼ିଆ ଡବିଂ ‘ସାଥୀ’ ପାଇଁ ବି ଅମ୍ବର କୁମାର ଗାଇଛନ୍ତି: ଜାଣେନା କି ଖୋଜୁଛ ଏ ସଜଳ ନୟନରେ। ଏ ଗୀତ ‘ଜାନେ କ୍ୟା ଢୁଣ୍ଡତି ରହତି ହେ ୟେ ଆଖେଁ ମୁଝ୍‌ମେ’ର ଓଡ଼ିଆ ଭାଷାନ୍ତର ଥିଲା। ସେହି ‘ସାଥୀ’ ଚଳଚ୍ଚିତ୍ର ପାଇଁ ଲୀଳା ଘୋଷଙ୍କ ସହ ସେ ଗାଇଛନ୍ତି ‘ଯେଦିନୁ ସାଥୀ ହେବା ତୁ ମୁଁ / ଆଉ କିଛି ତ ଚାହେନା’। ଏଇ ଗୀତ ‘ଜିତ୍ ହି ଲେଙ୍ଗେ ବାଜି ହମ୍ ତୁମ୍‌, ପ୍ୟାର୍ ଅଧୂରା ଛୁଟେନା’ର ଓଡ଼ିଆ ଭାଷାନ୍ତର ଥିଲା। ଶ୍ରୀ ଗଣେଶ ମହାପାତ୍ରଙ୍କ ପରିଚାଳନା ଓ ଅନୁଗୁଳର ଶ୍ରୀ ଏମ୍‌. ଏମ୍‌. ଅଗ୍ରୱାଲ୍‌ଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିଲା ‘ସୋଲା ଔର୍ ସବନମ୍‌’ର ଓଡ଼ିଆ ଡବିଂ ଚଳଚ୍ଚିତ୍ର ‘ସାଥୀ’।

ଅମ୍ବର କୁମାରଙ୍କ ସହସ୍ରାଧିକ ଗାୟନ କୃତି ସତ୍ତ୍ୱେ ପ୍ରାୟ କେହି ଜାଣନ୍ତି ନାହିଁ ଯେ ସେ ଓଡ଼ିଆ। ସେ ଗଞ୍ଜମର ମହୁରୀ ରାଜବଂଶଜ ଓ ରାଜା ମୋହନ ଦେଓଙ୍କ ପୁତ୍ର। ଯେଉଁମାନେ ପୁରୁଣା ଓଡ଼ିିଆ ଗ୍ରାମୋଫୋନ୍ ଗୀତରେ ରୁଚି ରଖନ୍ତି, ସେମାନେ ରାଜା ମୋହନ ଦେଓଙ୍କ ଗୀତ ନିଶ୍ଚୟ ଶୁଣିଥିବେ। ତିରିଶ ଓ ଚାଳିଶ ଦଶକରେ ଓଡ଼ିଶାରେ ଗ୍ରାମୋଫୋନ୍ ରେକର୍ଡ ଗୀତର ପ୍ରସାରଣ ଓ ଲୋକପ୍ରିୟତା ବୃଦ୍ଧି ଦିଗରେ ଯେଉଁ କେତେକ କଣ୍ଠଶିଳ୍ପୀଙ୍କ ଭୂମିକା ରହିଛି, ସେମାନଙ୍କ ମଧ୍ୟରେ ଥିଲେ ରାଜା ମୋହନ ଦେଓ। ରାଜା ମୋହନ ଦେଓ ମହୁରୀ ରାଜବଂଶଜ ଥିଲେ ଓ ତାଙ୍କର ପିତା ଥିଲେ ଗଞ୍ଜାମର ବିଶିଷ୍ଟ ଶିକ୍ଷାବିତ୍ ଭି. ରାମବ୍ରହ୍ମ ଦେଓ। ରାଜା ମୋହନ ଦେଓ ଗାଇଥିବା ଗୀତ https://www.youtube.com/user/odiamelody ଓଡ଼ିଆ ମେଲୋଡିରେ ବି ଅଛି। ଆପଣ ଶୁଣିପାରିବେ। ଯେମତି: ନିଶିର ଚନ୍ଦ୍ର ଜାଗେନା, କୋଇଲି ଆସିଲା ଫେରି, ଦଇବ ଭାଙ୍ଗିଦେବ ଗରବ,  ଦିନକର ସେହି କଥା ପ୍ରାଣେ ପ୍ରାଣେ ମୁଁ ଯେ ସାଇତି ରଖିଛି, ବେଳ ତ ଗଳାଣି ମଠ ମଠ କାହିଁକି / ବାଟୋଇରେ ବେଗେ ସଉଦା ସାର। ମହାତ୍ମା ଗାନ୍ଧୀଙ୍କର ତିରୋଧାନ ପରେ ରାଜା ମୋହନଙ୍କର ‘ରେ ଦାରୁଣ ବିହି ଏ’କି କଲୁ’ ଗୀତ ଗ୍ରାମୋଫୋନ୍‌ରେ ପ୍ରକାଶିତ ଓ ପ୍ରସାରିତ ହୋଇ ସାରା ଓଡ଼ିଶାରେ ଚହଳ ପକାଇଥିଲା। ରାଜ ମୋହନ ଦେଓ ୧୯୩୫ରୁ ଓଡ଼ିଶା ବାହାରେ ରହୁଥିଲେ। ପରିଶେଷରେ ସେ ଦିଲ୍ଲୀରେ ଅବସ୍ଥାପିତ ହେଲେ। ପିତା ରାଜ ମୋହନ ଦେଓଙ୍କ ପ୍ରେରଣାରେ ତରୁଣ ଅମ୍ବର କୁମାର ଦିଲ୍ଲୀର ସଙ୍ଗୀତ ଓସ୍ତାଦ୍ ହିଲାଲ୍ ଅହମ୍ମଦ୍ ଖାନ୍  ଓ ଓସ୍ତାଦ୍ ନାସିର୍ ଅହମ୍ମଦ୍ ଖାନ୍‌ଙ୍କ ପାଖରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ଆକାଶବାଣୀ ଦିଲ୍ଲୀ ଓ ଦିଲ୍ଲୀର ବିଭିନ୍ନ ସଙ୍ଗୀତ ଆସରରେ ତାଙ୍କ ଗାୟନ ସତେବେଳେ ବେଶ୍ ଲୋକପ୍ରିୟ ହୋଇଥିଲା।୧୯୫୨ ମସିହାରେ ଅମ୍ବର ବମ୍ବେ ସଙ୍ଗୀତ ଶିଳ୍ପ ସହ ସଂପୃକ୍ତ ହୋଇଥିଲେ ।

No comments:

COASTAL NEWS

ଜଗନ୍ନାଥ କୀର୍ତ୍ତନ

ଶ୍ରୀ ଜଗନ୍ନାଥ ମହାକୀର୍ତ୍ତନ (Fast Kirtan Version) (Original • Royalty-Free • Chorus–Repeat Focused) ॥ ଆହ୍ୱାନ (Opening Shout) ॥ हरि ...