AFFILIATE MARKETING

https://binomo.com?a=90810425bb57&t=0

Tuesday, November 4, 2025

ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ #coastalnewsodia

ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ

ନିଶା ବିରୋଧୀ ଅଭିଯାନକୁ ତୀବ୍ର କରିବା ପାଇଁ ପଥପ୍ରାନ୍ତ ନାଟକ, ପୋଷ୍ଟର ତିଆରି ପ୍ରତିଯୋଗିତା ପାଇଁ ରାଜ୍ୟପାଳଙ୍କ ପରାମର୍ଶ

ଭୁବନେଶ୍ୱର, ୦୪/୧୧: ମାଦକ ଦ୍ରବ୍ୟକୁ ନା କହିବା ଏକ ସ୍ଲୋଗାନ ନୁହେଁ ବରଂ ଏହା ଦେଶପ୍ରେମ ବୋଲି  ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି । ରାଜଭବନର ନିଉ ଅଭିଷେକ ହଲରେ ନିଶା ମୁକ୍ତ ଭାରତ ଅଭିଯାନ ଉପରେ ଅନୁଷ୍ଠିତ ସଭାରେ ଉଦବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି।

ହାଇବ୍ରିଡ ମୋଡରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟପାଳ କହିଛନ୍ତି ଯେ ମାଦକ ଦ୍ରବ୍ୟକୁ ପ୍ରତ୍ୟାଖ୍ୟାନ କରିବା ବ୍ୟକ୍ତିଗତ କଲ୍ୟାଣଠାରୁ ଅଧିକ ଏବଂ ଦେଶ ପ୍ରତି ଏକ ଗଭୀର କର୍ତ୍ତବ୍ୟବୋଧକୁ ପ୍ରତିଫଳିତ କରେ। ଏକ ଦେଶର ଶକ୍ତି ଏହାର ସୁସ୍ଥ ଏବଂ ଶୃଙ୍ଖଳିତ ନାଗରିକଙ୍କଠାରେ ରହିଛି। ଯେତେବେଳେ ବ୍ୟକ୍ତିମାନେ ମାଦକ ଦ୍ରବ୍ୟ ଠାରୁ ଦୂରରେ ରହନ୍ତି, ସେମାନେ ନିଜ ଜୀବନକୁ ସୁରକ୍ଷିତ ରଖନ୍ତି ଏବଂ ଶାରୀରିକ ଭାବରେ ସୁସ୍ଥ, ମାନସିକ ଭାବରେ ସଚେତନ ଏବଂ ସମାଜର ଦାୟିତ୍ୱବାନ ସଦସ୍ୟ ଭାବରେ ରହି ଦେଶର ପ୍ରଗତିରେ ଯୋଗଦାନ ଦିଅନ୍ତି।

ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବ୍ୟକ୍ତିଗତଭାବେ ଉପସ୍ଥିତରହି ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ।

ମାଦକ ଦ୍ରବ୍ୟକୁ ଯୁବକଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ଭାବରେ ବର୍ଣ୍ଣନା କରି ରାଜ୍ୟପାଳ ଏହାକୁ ଏକ ଅଦୃଶ୍ୟ ଶତ୍ରୁ ବୋଲି କହିଥିଲେ ଯାହା ଯୁବବର୍ଗଙ୍କ ଜୀବନକୁ ନଷ୍ଟ କରିଦିଏ, ପିତାମାତାଙ୍କ ସ୍ୱପ୍ନକୁ ଭାଙ୍ଗିଦିଏ ଏବଂ ସମାଜର ଶାନ୍ତି ଏବଂ ପ୍ରଗତିକୁ ଦୁର୍ବଳ କରିଦିଏ। ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷାର ମନ୍ଦିର ଯେଉଁଠାରେ ଚିନ୍ତାଧାରା ପ୍ରସ୍ଫୁଟିତ ହୁଏ ଏବଂ ଯୁବପିଢ଼ି ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତି। କିନ୍ତୁ ନିଶା ମନକୁ ବିଷାକ୍ତ କରେ, ଇଚ୍ଛାଶକ୍ତିକୁ ଦୁର୍ବଳ କରେ ଏବଂ ମହତ୍ବାକାଂକ୍ଷାକୁ ବଦଳାଇଦିଏ ବୋଲି ରାଜ୍ୟପାଳ ସତର୍କ କରାଇ ଦେଇଥିଲେ।

ରାଜ୍ୟପାଳ କହିଥିଲେ ଯେ ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାକୁ ଆକାଂକ୍ଷା କରେ  ଏବଂ ସେହି ଲକ୍ଷ୍ୟକୁ ସାକାର କରିବାରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଆମର ଯୁବପିଢ଼ି ନିଶାର ଶିକାର ହୁଅନ୍ତି ତେବେ ଆମେ ଏହି ସ୍ୱପ୍ନ କିପରି ହାସଲ କରିପାରିବା ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିଲେ।

ଯୁବବର୍ଗ  ପ୍ରାୟତଃ ଚାପ, ଏକାକିତ୍ଵ ଏବଂ ସାଙ୍ଗସାଥିମାନଙ୍କ ଚାପର ସମ୍ମୁଖୀନ ହୋଇ ମାଦକଦ୍ରବ୍ୟର ଶିକାର ହୁଅନ୍ତି ବୋଲି ସ୍ୱୀକାର କରି ରାଜ୍ୟପାଳ କ୍ୟାମ୍ପସଗୁଡ଼ିକୁ ସୁରକ୍ଷିତ ସ୍ଥାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।  ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ସଚେତନତାମୂଳକ ପଦକ୍ଷେପର ନେତୃତ୍ୱ ନେବାକୁ ଏବଂ ସୁସ୍ଥ ଜୀବନଯାପନର ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ଉତ୍ସାହିତ କରିଥିଲେ।

ନିଶା ବିରୋଧୀ ଅଭିଯାନକୁ ତୀବ୍ର କରିବା ପାଇଁ  ପଥପ୍ରାନ୍ତ ନାଟକ, ପୋଷ୍ଟର ତିଆରି ପ୍ରତିଯୋଗିତା, ପଦଯାତ୍ରା ଏବଂ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।  ପୂର୍ବତନ ଛାତ୍ରଛାତ୍ରୀ, ଜନପ୍ରତିନିଧି ଏବଂ ଗୋଷ୍ଠୀ ନେତାମାନଙ୍କୁ ସେମାନଙ୍କର ଅଭିଜ୍ଞତା ବାଣ୍ଟି ନିଶା ବିରୋଧୀ ଲଢ଼େଇରେ ଯୋଗଦେବାକୁ ମଧ୍ୟ ଆହ୍ୱାନ ଜଣାଇଥିଲେ।

ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ନିଶା ରୋକିବାର ଉପାୟ ଉପରେ ପର୍ଯ୍ୟବେସିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜନ କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା କମିଶନର- ତଥା – ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ଏବଂ ଏସସିବି ମେଡିକାଲ କଲେଜର ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ଡକ୍ଟର ସାରଦା ପ୍ରସାଦ ସ୍ୱାଇଁ ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ। ରାଜ୍ୟପାଳଙ୍କ କମିଶନର – ତଥା – ଶାସନ ସଚିବ ଶ୍ରୀମତୀ ରୂପା ରୋଷନ ସାହୁ ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବୈଠକରେ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ନିଶା ଅପବ୍ୟବହାର ମୁକାବିଲା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ରାଜ୍ୟପାଳଙ୍କ ସହ ନିଶାମୁକ୍ତ ଭାରତ ଅଭିଯାନ ସମ୍ପର୍କରେ ସିଧା ସଳଖ ଆଲୋଚନା କରିଥିଲେ।

No comments:

COASTAL NEWS

ଶ୍ରୀମଦ୍ ଭଗବତ୍ ଗୀତା ସପ୍ତମ ଅଧ୍ୟାୟ

Odia Devotional, Slow Tempo, Soulful Male Vocals, Ethereal Flute, Meditative Sitar, 80 BPM. ​୧. ଶ୍ରୀଭଗବାନ କହନ୍ତି ହେ ପାର୍ଥ ଶୁଣ, ...