AFFILIATE MARKETING

https://binomo.com?a=90810425bb57&t=0

Wednesday, September 6, 2023

ବୁଧେଇ ଓଷା :

 COASTAL NEWS Odia 617

ବୁଧେଇ ଓଷା :



ଭୁବନେଶ୍ବର - ବୁଧେଇ ଓଷା ବା’ ବୁଧିବାମନ ଓଷା ଏକ ଖାଣ୍ଟି ଓଡ଼ିଆ ପର୍ବ । ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟରେ ଏହି ଓଷା ପାଳନ କରିଥାଆନ୍ତି । ବୁଧେଇ ଓଷା ପାଳନ ଉଦ୍ଦେଶ୍ୟରେ କେତେକ ସ୍ଥାନରେ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା, ଆଉ କେତେକ ସ୍ଥାନରେ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତି ପର୍ଯ୍ୟନ୍ତ ହିସାବକୁ ନିଆଯାଇଥାଏ । ଫଳରେ ଏହି ଓଷା କେତେକ ସ୍ଥାନରେ ଭାଦ୍ରବ ମାସର ୫ଟି ବୁଧବାରରେ ପାଳିତ ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ୪ଟି ବୁଧବାରରେ ପାଳିତ ହୁଏ । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ଓଷାରେ ବୁଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ବାମନ କହିଲେ ଭୈରବ, ଯିଏ ସ୍ୱୟଂ ଜଗନ୍ନାଥ । ଅତଏବ ଏହି ଓଷାରେ ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା; କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାରେ ନାରୀରୂପୀ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ । କାରଣ ଏମାନେ ସୃଷ୍ଟିକର୍ତ୍ତା । 


କିମ୍ବଦନ୍ତୀ ଅନୁଯାୟୀ ଏକଦା ଜଣେ ବିତ୍ତଶାଳୀ ସାଧବ ରାଜକୋପରେ ପଡ଼ି, ନିଜର ପୁତ୍ରମାନଙ୍କ ସହ ବନ୍ଦୀ ହୋଇଥିଲେ । ସାଧବ ଓ ତାଙ୍କ ପୁତ୍ରମାନେ କିପରି ରାଜ କ୍ଷମା ପାଇ ମୁକ୍ତ ହୋଇପାରିବେ, ସେ ସମ୍ପର୍କରେ ଶିଳ ଓ ଶିଳପୁଆ ମଧ୍ୟରେ ରାତିରେ ହେଉଥିବା କଥୋପକନ ସାଧବାଣୀ ଶୁଣିଲେ । ସେ ଦିନ ଥିଲା ଭାଦ୍ରବ ମାସ ମଙ୍ଗଳବାର । ପରଦିନ ସାଧବାଣୀ ଶିଳ ଓ ଶିଳପୁଆଙ୍କୁ ପୂଜା କରିଥିଲେ । ଦ୍ଵିତୀୟ ପାଳି ପୂଜା ପରେ ସାଧବଙ୍କୁ ପୁତ୍ରମାନଙ୍କ ସହ ମୁକ୍ତ କରିବା ପାଇଁ ରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ରାଜା ସେମାନଙ୍କୁ ମୁକ୍ତି ଦେବା ସହ ସାଧବାଣୀଙ୍କୁ ମହଲକୁ ଡକାଇଥିଲେ । ରାଣୀ ତାଙ୍କଠାରୁ ପୂଜାର୍ଚ୍ଚନାର ସମସ୍ତ ବିଧି ସମ୍ପର୍କରେ ପଚାରି ବୁଝିଥିଲେ ଓ ଭାଦ୍ରବ ମାସର ପ୍ରତ୍ୟେକ ବୁଧବାର ନିର୍ଜଳ ଉପବାସ ରହି ବୁଧେଇ ଓଷା ପାଳନ କରିଥିଲେ, ଓ ପରବର୍ତ୍ତୀ କାଳରେ ଅପୁତ୍ରିକ ରାଜ-ଦମ୍ପତିଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥିଲା । ତା' ପରଠୁଁ ରୀତିମତ ଭାବେ ଓଡ଼ିଶାରେ ଏହି ଓଷା ପାଳନ ହୋଇଆସୁଛି ।


ବୁଧିବାମନ ଓଷାର ପରମ୍ପରା ମତେ ପ୍ରଥମେ ପୂଜାସ୍ଥଳୀଟିକୁ ଗୋବର ଲିପି ଶୁଚି କରାଯାଏ । ବ୍ରତରେ ଗୋଟିଏ ଶିଳ ଓ ଶିଳପୁଆକୁ ଧୋଇ ପୋଛି ପିଢ଼ା ଉପରେ ସ୍ଥାପନ କରାଯାଏ । ଅଁଳାକୁ ଗଙ୍ଗା ଜଳରେ ଧୋଇ, ତା’ ସହିତ ହଳଦୀ ଓ ମେଥି ବାଟି, ସେଥିରେ ଦୁଇଟି ମୂର୍ତ୍ତି ଶିଳ ଓ ଶିଳପୂଆ ଉପରେ ପ୍ରସ୍ତୁତ କରାଯାଏ । ହଳଦୀ କନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ଏହି ଦୁଇ ମୂର୍ତ୍ତିଙ୍କର ନାମ ‘ବୁଧେଇ’ ଓ ‘ସୁଧେଇ’। କଉଡ଼ି ଓ ଗଳିଗୁଆରେ ସେହି ମୂର୍ତ୍ତିଙ୍କର ଆଖି, ନାକ, କାନ ଓ ପାଟି ଆଦି ତିଆରି କରି, ଆଖିରେ କଜ୍ଜ୍ୱଳ ଓ ମଥାରେ ସିନ୍ଦୂର ଲଗାଯାଏ । ହଳଦିଆ ଫୁଲ ଓ ବେଲପତ୍ରରେ ମୂର୍ତ୍ତିଙ୍କୁ ସଜାଇ, ନାଲି ଶାଢ଼ି ପିନ୍ଧାଇ ଓଢ଼ଣା ଦିଆଯାଏ । କେତେକ ସ୍ଥାନରେ ଫୁଲମାଳ ସହିତ ପ୍ରତିମାଙ୍କୁ ଖଇମାଳ ମଧ୍ୟ ପିନ୍ଧାଯାଏ । ପାଞ୍ଚରଙ୍ଗର ଫୁଲ, ପାଞ୍ଚରଙ୍ଗର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୂବ ଓ ପାଞ୍ଚଟି ଅକ୍ଷତ ରଖି ଆସ୍ଥାନ ପାଖରେ ସଂକଳ୍ପ ନଡ଼ିଆ ଥାପି ପୂଜା ଆରମ୍ଭ କରାଯାଏ ।


ଓଷାରେ ବୁଧେଇ ଓଷା ବ୍ରତକଥା ବହି ପଢ଼ାହୁଏ । ବୁଧିବାମନଙ୍କ ଓଷା ପାଇଁ ପାଞ୍ଚଟି ଅଧ୍ୟାୟ ବିଶିଷ୍ଟ ସ୍ୱତନ୍ତ୍ର ବହି ଅଛି । ଏହା ପାଞ୍ଚଟି କାହାଣୀକୁ ନେଇ ରଚିତ, ଯଥା: ମଗଧର ସାଧବ ସାଧବାଣୀ, ଯଯାତିନଗରର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଓ ହରିପୁରର ଜଣେ ସାଧାରଣ ନାରୀ । ଓଷାର ପ୍ରଥମ ପାଳିରୁ ଆସ୍ଥାନରେ ଗୋଟିଏ ନଡ଼ିଆ ବସାଯାଇ ଶେଷ ପାଳି ଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝି ପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ଦିନସାରା ଉପବାସ କରି ରାତିରେ ପୂଜା ପରେ ଭୋଗ ଖିଆଯାଏ । ବିଶ୍ୱାସ କରାଯାଏ, ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟିଏ ଶାଢି ପୂଜା ଘର ବା' ଓଷା କୋଠି ଦୁଆର ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡ଼ା କୁହାଯାଏ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...