AFFILIATE MARKETING

https://binomo.com?a=90810425bb57&t=0

Wednesday, March 6, 2024

ସମ୍ପର୍କ ଦୁଇଟି ରାଜନୈତିକ ଦଳର

COASTAL NEWS ODIA 1727

ସମ୍ପର୍କ ଦୁଇଟି ରାଜନୈତିକ ଦଳର 

ଭୁବନେଶ୍ୱର - (CNO) ବିଜେପିର ଶୀର୍ଷ ନେତୃତ୍ୱଙ୍କ ଟାର୍ଗେଟ୍‌ରେ ନାହିଁ ବିଜେଡି । ଏକଥା ଆଜି ପୁଣି ପ୍ରମାଣିତ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଛନ୍ତି । ସେ କେବଳ କଂଗ୍ରେସ ଓ ଏହାର ମେଣ୍ଟ ଦଳକୁ କଟୁ ସମାଲୋଚନା କରିଥିଲେ ।

ଏହା ପୂର୍ବରୁ ଫେବୃଆରୀ ୩ରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମଧ୍ୟ ସେହି ଭୂମିକା ଗ୍ରହଣ କରିଥିଲେ । ଗତଥର ତିନୋଟି ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିବା ବେଳେ ଏଥର ଗୋଟିଏ ସାଧାରଣ ସଭାରେ ଉଦ୍‌ବୋଧନ ଦେଲେ । ହେଲେ କୌଣସି ଗୋଟିଏ ସଭାରେ ବିଜେଡି ବିରୋଧରେ ପଦୁଟିଏ ବି କହିଲେ ନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେଡି ସହ ଉତ୍ତମ ବୁଝାମଣା ଓ ସମ୍ପର୍କ ରଖିବା ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ଭାବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁଛନ୍ତି । 

ଏପରିକି ଗତଥର ଅପେକ୍ଷା ଏଥର ଆଉଏକ ସାର୍ଟିଫିକେଟ୍ ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇକି ଗଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ମୋଦୀଙ୍କୁ ଉତ୍ସସିତ ପ୍ରଶଂସା ସହ ତାଙ୍କ ସହଯୋଗ କାମନା କଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଏକଥା ଦୁଇଦଳ ଶୀର୍ଷ ନେତୃତ୍ୱ ଲୋକଙ୍କୁ ଜଣାଇଦେଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ ସ୍ୱଳ୍ପ ବ୍ୟବଧାନରେ ଦୁଇଥର ଓଡ଼ିଶା ଆସିଲେ । ନିର୍ବାଚନ ପାଖେଇ ଆସିଲାଣି । ହାତ ଗଣତିରେ ଆଉ କିଛିଦିନ ପରେ ତାରିଖ ଘୋଷଣା ହେବ । ହେଲେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ୨୦୧୯ ନିର୍ବାଚନ ଭଳି ୨୦୨୪ ନିର୍ବାଚନ ପାଇଁ ବିଜେଡିକୁ ପ୍ରମୁଖ ବିରୋଧୀ ଭାବେ ଗ୍ରହଣ କରୁନାହିଁ । ବିଜେଡିକୁ ପରୋକ୍ଷରେ ଏକ ଅଘୋଷିତ ସହଯୋଗୀ ଦଳ ଭାବେ ଗ୍ରହଣ କରୁଥିବା ପ୍ରମାଣିତ ହେଉଛି । 
୨୦୧୯ ନିର୍ବାଚନ ପୂର୍ବରୁ ଓ ସେ ସମୟରେ ମୋଦୀ ଓ ଅମିତ୍ ଶାହାଙ୍କ ସମେତ ବରିଷ୍ଠ ନେତାମାନେ ଓଡ଼ିଶା ଆସି ବିଜେଡି ବିରୋଧରେ ପ୍ରବଳ ବିଶୋଦଗାର କରୁଥିଲେ । ହେଲେ ଏଥର ସେ ସ୍ଥିତି ବଦଳି ଯାଇଛି ।

ଏଥର ନିର୍ବାଚନ ପାଇଁ ବିଜେପିର ରାଜ୍ୟ ନେତୃବୃନ୍ଦମାନେ ଅନେକ ସମାଲୋଚନା ବିଜେଡିକୁ କରୁଥିଲାବେଳେ କେନ୍ଦ୍ରୀୟ ନେତାଙ୍କ ଭିନ୍ନ ମତ ଦେଖାଯାଉଛି । ଉଭୟ ବୁଝାମଣା ଭିତିରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ସୂଚନା ମିଳୁଛି । ମୋଦୀଙ୍କ ଏ ଗସ୍ତ ଉପରେ ଅନେକ ଆଶା କରାଯାଉଥିଲା । ରାଜ୍ୟ ନେତମାନେ ଯେଉଁ କଥା କହୁଥିଲେ ତାହା କାର୍ଯ୍ୟ କ୍ଷେତ୍ରରେ ଦେଖାଗଲା ନାହିଁ । ଅନ୍ୟପକ୍ଷରେ ସମାଲୋଚନା କରିବା ତ ଦୂରର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ବଡ଼ ସାର୍ଟିଫିକେଟ୍ ଦେଲେ । 

ନବୀନଙ୍କୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କାର୍ଯ୍ୟକ୍ରମରେ ସମ୍ବୋଧନ କଲେ । ଗତ ୩ ତାରିଖରେ ସମ୍ବଲପୁର ଏକ ସରକାରୀ କାର୍ଯ୍ୟକ୍ରମରେ ନବୀନଙ୍କୁ ତାଙ୍କର ପ୍ରିୟ ମିତ୍ର ବା ଅନ୍ତରଙ୍ଗ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ । ଏଥର ଆଉପାଦେ ଆଗକୁ ଯାଇ ନବୀନ ହେଉଛନ୍ତି ଓଡ଼ିଶା ଲୋକଙ୍କର ପ୍ରିୟ ଏକଥା କହିଲେ । ଏଥିରୁ ବିଜେପିର ନବୀନଙ୍କ ପ୍ରତି ଆଭିମୁଖ୍ୟ କ’ଣ ତାହା ଆଉ ଅଛପା ହୋଇ ରହି ନାହିଁ । 

ବିଜେପିର ରାଜ୍ୟ ନେତାମାନେ କେବଳ ଅରଣ୍ୟ ରୋଦନ କରୁଥିବା କଥା କୁହାଯାଉଛି । ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଉଦ୍‌ବୋଧନ ବେଳେ ପ୍ରଧାମନ୍ତ୍ରୀଙ୍କୁ ବେଶ୍ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଦେଶକୁ ଏକ ନୂଆ ଦିଗ୍‌ଦର୍ଶନ ଦେଉଛନ୍ତି । ଦେଶକୁ ଅର୍ଥନୈତିକ କ୍ଷେତ୍ରରେ ଶକ୍ତିର ଭଣ୍ଡାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଅର୍ଥନୈତିକ କ୍ଷେତ୍ରରେ ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚାଇ ଥିବା ବେଳେ ଏବେ ଭାରତକୁ ତୃତୀୟ ସ୍ଥାନକୁ ନେବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏଥିରୁ ମୋଦୀଙ୍କ ପ୍ରତି ନବୀନଙ୍କ ମନୋଭବ ସ୍ପଷ୍ଟ ବାରି ହୋଇପଡ଼ୁଛି ।

ନିର୍ବାଚନରେ ଦୁଇ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଏବେ ଠାରୁ ସ୍ପଷ୍ଟ ସୂଚନା ମିଳିଲାଣି । ବୁଝାମଣା ଭିତିରେ ନିର୍ବାଚନ ଲଢ଼ିବେ ବୋଲି ଅନେକ ମତ ରଖୁଛନ୍ତି । କାରଣ ନିକଟରେ ବିଜେପି ଯେଉଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ସେଥିରେ ଓଡ଼ିଶା ପାଇଁ କାହାର ନାମ ପ୍ରକାଶ କଲାନାହିଁ । କୌଣସି ସାଂସଦଙ୍କ ନାମ ସ୍ଥାନ ପାଇଲା ନାହିଁ । 
ଏଣୁ ବିଜେପି ଓଡ଼ିଶାରେ ବିଜେଡି ସହ ମେଣ୍ଟ ନକଲେ ବି ବୁଝାମଣା ଭିତିରେ ନିର୍ବାଚନ ଲଢ଼ିପାରେ ବୋଲି ସୂଚନା ମିଳୁଛି । ରାଜ୍ୟସଭା ନିର୍ବାଚନରେ ଗୋଟିଏ ଆସନ ବିଜେପିକୁ ଟେକିଦେଇ ବିଜେଡି ସମ୍ପର୍କ ବଜାଇ ରଖିବାକୁ ଚାହୁଁଥିବାର ସୂଚନା ଦେଇ ସାରିଛି । ବିଜେପିକୁ ଯଦି ମୁଖ୍ୟ ବିରୋଧୀ ଦଳ ଭାବରେ ବିଜେଡି ଦେଖୁ ଥାଆନ୍ତା ତେବେ ତାହାର ପ୍ରାର୍ଥୀକୁ ଜିତାଇ ନଥା’ନ୍ତା । କାରଣ ଗଣତନ୍ତ୍ରରେ ଏ ଏକ ବିରଳ ଘଟଣା । 

ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ପୁଣି ଥରେ ପଠାଇଲା ବେଳେ ବିଜେଡି ଯେଉଁ ମତ ରଖିଲା ସେଥିରେ ବୁଦ୍ଧିଯିବିମାନେ ସହମତ ହେଉ ନାହାଁନ୍ତି । ରେଳ ଓ ଆଇଟି କ୍ଷେତ୍ରରେ ରାଜ୍ୟର ପୁଣି ବିକାଶ ପାଇଁ ସମର୍ଥନ ଦିଆଗଲା ବୋଲି ବିଜେଡି କହିଲା । ଆଉ କିଛି ମାସ ପରେ କେନ୍ଦ୍ରରେ ବିଜେପି ସରକାର ଗଢ଼ିଲେ ବି ଅଶ୍ୱିନୀ ବୈଷ୍ଣବଙ୍କୁ ଯେ ସେହି ସମାନ ବିଭାଗ ମିଳିବ ବୋଲି ବିଜେଡି କ’ଣ ଗ୍ୟାରେଣ୍ଟି ଦେଇପାରିବ? 

ଏଣୁ ବିଜେପି ସହ ଉତ୍ତମ ବୁଝାମଣା ରଖିବା ପାଇଁ ବିଜେଡିର ଏହି ପଦକ୍ଷେପ ବୋଲି କୁହାଯାଉଛି । ରାଜ୍ୟ ନେତାମାନେ ଯେତେ ବାଡ଼େଇଛାଟି ହେଲେ ବି କେନ୍ଦ୍ରୀୟ ନେତୃବୃନ୍ଦ ନବୀନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାଁନ୍ତି ବୋଲି ପ୍ରମାଣି ହେଉଛି । କାରଣ ସେମାନେ ଭଲ ଭାବରେ ବୁଝି ସାରିଛନ୍ତି ନବୀନଙ୍କୁ ହଟାଇବା ସମ୍ଭବ ନୁହେଁ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...