🌹🌹🌹 *ହରିବଂଶ* 🌹🌹🌹
(ଭାଗ -୧୨୪)
✍️✍️ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମିଶ୍ର
ଶ୍ରୀକୃଷ୍ଣଃ ଶରଣଂ ମମାଷ୍ଟକମିଦଂ ପ୍ରୋତ୍ଥାୟ ଯଃ ସମ୍ପଠେତ୍ ସ ଶ୍ରୀଗୋକୁଲନାୟକସ୍ୟ ପଦବୀ ସଂୟାତି ଭୂମୀତଲେ । ପଶ୍ୟତ୍ୟେବ ନିରନ୍ତରଂ ତରଣିଜାତୀରସ୍ଥକେଲୀ ପ୍ରଭୋଃ ସମ୍ପ୍ରାପ୍ନୋତି ତଦୀୟତାଂ ପ୍ରତିଦିନଂ ଗୋପୀଶତୈରାବୃତାମ୍ ।।
#ଅକ୍ରୁରର_ଗୋପ_ଯାତ୍ରା🌹🌹
*******************
ଅକ୍ରୁର ହୃଦୟରେ ସୁନାର ମାଳ ପିନ୍ଧିଲା ।ଲକ୍ଷ୍ୟଥାଏ କିପରି ଭଗବାନ ଶ୍ରୀକୃଷ୍ଣ ଙ୍କୁ ଦର୍ଶନ କରିବି ?ଦର୍ଶନ କରିବା ପାଇଁ ଅକ୍ରୁର ଭାବରେ ଭୋଳ ହୋଇ ଯାଉଥାଏ ।ପ୍ରଥମେ ସର୍ଵ ମଙ୍ଗଳା ଙ୍କ ନାମ ଉଚ୍ଚାରଣ କରିବା ପରେ ଅକ୍ରୁର ଗୋବିନ୍ଦ ,ଗୋବିନ୍ଦ ବୋଲି କହିବାରେ ଲାଗିଲା ।ଦଧିବାମନ ନାମ କୁ ସ୍ମରଣ କରୁଥାଏ ଅକ୍ରୁର ।ଶେଷରେ ଶ୍ରୀକୃଷ୍ଣଙ୍କ ନାମ ଧରି ଅକ୍ରୁର ରଥ ଉପରେ ବସିଲା ।ରଥ ଉପରେ ବସି ଆଦିତ୍ୟ
ଙ୍କୁ ସ୍ମରଣା କଲା ଓ କହିଲା ହେ ଦିନମଣି ମୋର ବାଞ୍ଛା ପୂର୍ଣ୍ଣ କରନ୍ତୁ ?ମୁଁ ଯେପରି ରାମ ଗୋବିନ୍ଦଙ୍କୁ ଭେଟିବି ସେଥିପାଇଁ ମୋତେ କୃପା କର ପ୍ରଭୁ !ନନ୍ଦର ନନ୍ଦନ ମୋତେ ସଦୟ ହୁଅନ୍ତୁ ଏଥିପାଇଁ ହେ ଆଦିତ୍ୟ ମୁଁ ତୁମକୁ ପ୍ରଣାମ କରୁଛି ।ଗଗନ ବିହାରୀ ଙ୍କୁ ଅକ୍ରୁର ପ୍ରଣିପାତ କଲା ।ଶ୍ରୀରାମ ଭଗବାନଙ୍କୁ ମନ ଭିତରେ ଡାକି ଡାକି ରଥ ଉପରେ ଅକ୍ରୁର ବସିଲା ।
ଅକ୍ରୁର ରଥରେ ବସି ପ୍ରଭୁ ଦାମୋଦର ଙ୍କ ନିକଟରେ ଶରଣ ପଶି ମଥୁରା କଟକ ରୁ ବାହାରିଲା ।ଯମୁନା ନଦୀ ନିକଟ ରେ ରଥ ରହିଲା ।ରଥ କୁ ନୌକା ସାହାଯ୍ୟ ରେ ଅକ୍ରୁର ପାରି କଲା ।ଯମୁନା ନଦୀ ଆର ପାଖକୁଯାଇ ଅକ୍ରୁର ବାଟରେ
ଦେଖିଲା ...
ବାଟେ ଦେଖିଲା ବାଲିକୁଦ
, ପଡିଛି ଗୋବିନ୍ଦର ପାଦ ।
ଧ୍ଵଜ ଅଙ୍କୁଶ ପଦ୍ମଚିହ୍ନ
ଦେଖି ସାନନ୍ଦ କଲା ମନ ।
ରଥୁଁ ପଡିଲା ବେଗେ ଡେଇଁ
କହଇ କୃଷ୍ଣ ତ୍ରାହି ତ୍ରାହି ।
ପାଦ ପଙ୍କଜ ଚିହ୍ନ ଧୂଳି
ଅକ୍ରୁର ଶିରେ ବେଗେ ବୋଳି ।
ଲୋଟଇ ପାଦ ଚିହ୍ନ ପରେ
ତାଡଇ ବେନି ଭୁଜ ଶିରେ .....(ଭାଗବତ )
ଯମୁନା ନଦୀକୁ ପାର ହୋଇ ଅକ୍ରୁର ଗୋପପୁରରେ ପ୍ରବେଶ କଲା ଓ କହିଲା ହେ ପ୍ରଭୁ ହୃଷୀକେଶ ମୋତେ ତ୍ରାହି କରନ୍ତୁ ! ,ତୁ ଯଦି ପ୍ରଭୁ ଅନ୍ତର୍ଯ୍ୟାମୀ ଦୁଃଖ ଓ ବିପଦରୁ ମୋତେ ନିଶ୍ଚିତ ପାରି କରିବୁ ?।ପ୍ରଭୁ ତୋହର ମହିମା ଦେବତା ମାନଙ୍କୁ ଅଗୋଚର ।ମୁଁ ଆପଣଂକ ମହିମା ବର୍ଣ୍ଣନା କରିବାକୁ ଅକ୍ଷମ ।ତୁହି ସର୍ଵଘଟ ର କର୍ତ୍ତା ।ଏମିତି କହି ଅକ୍ରୁର ଭଗବାନ ଶ୍ରୀକୃଷ୍ଣ ଙ୍କୁ ମନେ ମନେ ପ୍ରଣିପାତ କଲା ।ଗୋପପୁରରେ ପ୍ରବେଶ କରି ଅକ୍ରୁର ରଥରେ ବସି ଭାବିଲା ,ରାମ ଓ ଗୋବିନ୍ଦ ଦୁଇ ଭାଇଙ୍କୁ ଜନ୍ମ ହେଲା ଦିନରୁ ମୁଁ ତାଙ୍କୁ ଦେଖିନାହିଁ ?କୋଉଠି ଥିବେ ଓ କିପରି ସେହି ଦୁଇ ଭାଇ ଙ୍କ ସ୍ୱରୂପ ମୁଁ ତାହା ଜାଣି ନାହିଁ ?ଏମିତି ଚିନ୍ତା କରୁଥାଏ ରଥରେ ବସି ଅକ୍ରୁର ।
ଗୋପପୁରରେ ରଥକୁ ଦେଖି ଗୋପପୁଅ ମାନେ ରଥ ନିକଟକୁ ଆସି ରୁଣ୍ଡ ହେଲେ । ଗୋପପୁଅ ମାନଙ୍କୁ ଦେଖି ଅକ୍ରୁର ରଥରୁ ଓହ୍ଲାଇ ପଡିଲେ ।ଗୋପ ପୁଅ ମାନଙ୍କୁ ପଚାରିଲେ ଅକ୍ରୁର !ରାମ ଓ ଶ୍ରୀକୃଷ୍ଣ ଭଗବାନ କେଉଁ ସ୍ଥାନରେ ଅଛନ୍ତି ମୋତେ କୁହ ଗୋପପୁଅ ମାନେ ?।
ଅକ୍ରୁର ବୋଇଲା ଆହେ ଗୋପପୁଅ ମାନ
କେଉଁ ସ୍ଥାନରେ ଅଛନ୍ତି ରାମ ଭଗବାନ ।
ଗୋପପୁଅ ଙ୍କୁ ଅକ୍ରୁର କହିଲେ ମୋତେ ନେଇ ରାମ ଗୋବିନ୍ଦ ଙ୍କୁ ଦେଖାଇ ଦିଅ ?।ମୁଁ ତାଙ୍କୁ ମୋ ଆଖିରେ ରାମ ,ଗୋବିନ୍ଦଙ୍କୁ ଦେଖିବି ?ଅକ୍ରୁର କଥା ଶୁଣି ଗୋପପୁଅ ମାନେ କହିଲେ ଏହି କିଛି ସମୟ ହେଲା ଏଠାରେ ସେ ଦୁଇ ଭାଇ ଥିଲେ ମାତ୍ର ଏବେ ସେ ଗୋଗୋଷ୍ଠ କୁଗାଈ ଦୁହିଁବା ପାଇଁ ଚାଲିଗଲେଣି ?।ଗୋପପୁଅଙ୍କ କଥା ଶୁଣି ଅକ୍ରୁର ଚିନ୍ତା କଲା ଭଲ ହେଲା ମୁଁ ଏକୁଟିଆ ପ୍ରଭୁ ଚକ୍ରଧରଙ୍କୁ ଭେଟିବି !।
ସେମାନଙ୍କ ବଚନ ଯେ ଶୁଣିଣ ଅକ୍ରୁର
ବୋଇଲା ଏକାନ୍ତେ ଭେଟିବଇଁ ଚକ୍ରଧର ।
ଅକ୍ରୁର ଙ୍କ ରଥକୁ କିଛି ଗୋପପୁଅ ଜଗି ରହିଲେ ।ଅକ୍ରୁର
ଆଗେଇ ଚାଲିଲେ ଗୋଗୋଷ୍ଠ ଅଭିମୁଖେ ।ଭଗବାନ ଶ୍ରୀକୃଷ୍ଣଙ୍କୁ
ପାଇବେ ବୋଲି ଭାବି ଅକ୍ରୁର ଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଗଡି ପଡୁଥାଏ ।ଓଦା ହେଇ ଯାଉଥାଏ ଆଖି ! ।ଗୋଷ୍ଠ ମଧ୍ୟରେ ପ୍ରବେଶ କଲେ ଅକ୍ରୁର ।ଅକ୍ରୁର ଦେଖିଲେ ଦୁଇ ଭାଇଙ୍କୁ ଗୋଷ୍ଠ ରେ !ମାତ୍ର କିଏ ରାମ ଓ କିଏ କୃଷ୍ଣ ସେ ଚିନ୍ହି ପାରିଲେ ନାହିଁ ?
ନୟନେ ଦେଖିଲା ତହିଁ ଛନ୍ତି ବେନି ଭାଇ
ରାମ କୃଷ୍ଣଙ୍କୁ ସେହୁ ଚିନ୍ହି ନ ପାରଇ ।
ଅକ୍ରୁର ଦୂରରୁ ଥାଇ ଦେଖିଲେ ଦୁଇ ଭାଇ ଗାଈ ମାନଙ୍କର ନାମ ଧରି ଡାକୁଛନ୍ତି ।ବଉଳା ,ନନ୍ଦିନୀ , କମଳା ,ସୁରଭୀ , ତିଳୋତ୍ତମା , ମାଧବୀ ,ଶ୍ୟାମଳୀ ,ବଲ୍ଲଭୀ ,ଏହିପରି ଗାଈ ମାନଙ୍କ ନାମ ଧରି ଡାକୁଥିବାର ଅକ୍ରୁର ଦେଖିଲେ ।ପୁନଶ୍ଚ ଦେଖିଲେ ଗାଈ ମାନେ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛନ୍ତି ।ଜଣେ ବାଳକ ବାଛୁରୀ ଧରି ଆସୁଛି !ହାତରେ ଦୁଗ୍ଧ ଦୁହିଁବାର ପାତ୍ର ଅଛି ! ସେହି ପାତ୍ର କୁ ନେଇ ଗାଈଙ୍କ ଠାରୁ ଦୁଗ୍ଧ ଦୁହିଁବାର ଲାଗିଲେ।ତଥାପି ଅକ୍ରୁର କିଏ କୃଷ୍ଣ କିଏ ବଳରାମ ଚିନ୍ହି ପାରିଲେ ନାହିଁ ?।ଦୁଇ ଭାଇ ଏକା ଭଳି ଦେଖା ଯାଉଥାଆନ୍ତି ।
ବିସ୍ମିତ ଓ ବିମୁଗ୍ଧ ନୟନରେ ଅପେକ୍ଷା କରି ଚାହିଁ ରହିଥାଆନ୍ତି ଅକ୍ରୁର !ଓ ମନେ ମନେ ଗୋଗୋଷ୍ଠ ଭିତରେ ରହି ଭାବୁଥାନ୍ତି ଯେ "ମୋ ଜୀବନ ସାର୍ଥକ ହୋଇଯିବ ଯଦି ମୁଁ ନିଜେ ଆଖିରେ ମଦନ ଗୋପଳ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରେ ।ଗୋପପୁର ରେ ପ୍ରତ୍ୟକ୍ଷ ପରଂବ୍ରହ୍ମ ଅବତାର କରିଛନ୍ତି ସେହି ଜଗତ ମୋହନଙ୍କର ପଟାନ୍ତର ନାହିଁ ? ।ଚାହିଁ ରହିଥାଏ ଅକ୍ରୁର ଦୁଇ ଭାଇଙ୍କୁ ଗୋଗୋଷ୍ଠରେ।ଅକ୍ରୁର ପୁନଶ୍ଚ ଦେଖିଲେ
ତାଳୁରେ ଚୁଳ ତାଙ୍କର ଶିଖି ପୁଚ୍ଛ ଶୋହେ ,
ଲଲାଟେ କସ୍ତୁରୀ ଚିତା ଜଗଜ୍ଜନ ମୋହେ ।
ହସ୍ତରେ ଶୋଭା ପାଉଛି ବଳୟ କଙ୍କଣ,
ଗୋ ଦୋହନ କରନ୍ତେଣ ବାଜେ ରୂଣଝୁଣ ।
କଟୀତଟେ ପୀତବାସ ଦିଶେ ସୁଶୋଭନ,
ଅରୁଣ ଜ୍ୟୋତି ପରାୟେ ଦିଶୁଛି ବଦନ ।”
କଳା ମୁହଁକୁ ଆଖି ଦୁଇଟି ବହୁତ ସୁନ୍ଦର ଦେଖା ଯାଉଥିଲା ସତେ ଯେପରି ବ୍ରହ୍ମାଣ୍ଡରେ ସୂର୍ଯ୍ୟ ଓ ଚନ୍ଦ୍ର ପ୍ରକଟ ହୋଇଛନ୍ତି ।ନୀଳଜୀମୁତ ପରି ତେଜ ,କର୍ଣ୍ଣରେ କୁଣ୍ଡଳ ହୃଦୟରେ ଜ୍ୟୋତି ସଦୃଶ ମାଳ ଏହିପରି ଭାବେ ରେ ଜଣେ ବାଳକ ଓ ମସ୍ତକରେ ସପ୍ତଫେଣୀ ,ଧବଳ ଜ୍ୟୋତି କାନ୍ତି ,ଧବଳ ରୂପ ,ଧବଳ କମଳ ପରି ଡୋଳା ,କଟି ତଟରେ ନୀଳପଥ ବେଣୀ ପରି ବନ୍ଧ , ଶ୍ରୀମୁଖ ପୂର୍ଣ୍ଣିମା ର ଚାନ୍ଦ ପରି ,ଭୁଜରେ କଙ୍କଣ ,କର୍ଣ୍ଣରେ କୁଣ୍ଡଳ ,ପାଦରର ରତ୍ନ କଠଉ ସହ ହୀରା , ନୀଳା, ମାଣିକ୍ୟ ରେ ଭୂଷିତ ହୋଇ ଥାଆନ୍ତି ପ୍ରଭୁ ହଳଧର ।
ଦୁଇ ଭାଇଙ୍କ ରୂପ ,ବେଶ ଓ ଠାଣି ଏକା ପ୍ରକାର ।ଦ୍ଵନ୍ଦରେ ପଡିଗଲେ ଅକ୍ରୁର ।କିଏ ଶ୍ରୀକୃଷ୍ଣ କିଏ ସଂକର୍ଷଣ ତଥାପି ଜାଣି ପାରିଲେ ନାହିଁ ? । ଭଗବାନ ଶ୍ରୀକୃଷ୍ଣ ଅକ୍ରୁରଙ୍କ ମନ କଥା ଜାଣିଲେ ।ଗାଈ ଦୁହାଁ ଚାଲିଥାଏ ....
ସେତିକିବେଳେ ଶ୍ରୀକୃଷ୍ଣଙ୍କର ବନ୍ଧା ହୋଇଥିବା କେଶ ଫିଟିଗଲା ।
“ଗାଈ ଦୁହୁଁ ଦୁହୁଁ କେଶ ଫିଟିଗଲା ଚତୁର୍ଭୁଜ ହେଲେ ଅନନ୍ତ ।"
ଅକ୍ରୁର ସ୍ତମ୍ଭୀଭୂତ ହେଲେ । ଦୁଇ ହାତରେ ଗାଈ ଦୁହାଁ ଚାଲିଛି । କନ୍ଧ ଦେଶରୁ ଆଉ ଦୁଇଟି ହସ୍ତ ବାହାରି ଫିଟି ପଡ଼ିଥିବା କେଶକୁ ବନ୍ଧନ କଲେ ।ଆହା , କି ଦିବ୍ୟ ଅନୁଭବ ସେ ଚତୁର୍ଭୁଜ ଦର୍ଶନର ! ବିହ୍ୱଳିତ ଅକ୍ରୁରଙ୍କର ଚିହ୍ନିବା ପାଇଁ ଆଉ କଣ ବାକି ଥିଲା ?
ବଉଳା ,ନନ୍ଦିନୀ ଆଉ କମଳା ସୁରଭି
ତିଲୋତ୍ତମା ମାଧବୀ ଯେ ଶ୍ୟାମଳି ବଲ୍ଲଭି
ଏହି ଗାଈ ମାନଙ୍କୁ ଦୋହନ କରିବା ପରେ ଦୁଗ୍ଧ ପାତ୍ରରେ ଦୁଗ୍ଧ ରଖି ଦେଇ ଭଗବାନ ଶ୍ରୀକୃଷ୍ଣ ଓ ହଳଧର ଉଭୟ ଆସି ଅକ୍ରୁର
ଙ୍କ ନିକଟରେ ଛିଡା ହେଲେ ।ଅକ୍ରୁର ଦେଖି ବାକୁ ପାଇଲେ ଭଗବାନ ଙ୍କର ଅପୂର୍ଵ ମୂର୍ତ୍ତି ଦ୍ୱୟଙ୍କୁ ।ଅକ୍ରୁର ଆଉ ଠିଆ ହୋଇ ରହି ପାରିଲେ ନାହିଁ ?ପ୍ରଭୁଙ୍କ ପାଦତଳେ ହାତ ଯୋଡି ଆଣ୍ଠେଇ ପଡିଲେ ।
ଅଭୟ ପାଦେ ଶିର ଦେଇ
ପଡିଲା ଦଣ୍ଡ ପ୍ରାୟ ହୋଇ ।
ନୟନ ଯୁଗୁଁ ବହେ ନୀର
କଣ୍ଠ ହୋଇଲା ଶୋକଭର
ପୁଣି ଉଠିଲା ଭାବଭରେ,
ପଡିଲା ରାମଙ୍କ ପୟରେ ।...(ଭାଗବତ)
ଅକ୍ରୁର କହିଲେ ପ୍ରଭୁ , ତ୍ରାହିକର , ତ୍ରାହି କର ।କୋଟି ଜନ୍ମର ତପସ୍ୟାର ଫଳରେ ଆଜି ଏ ଦୁର୍ଲଭ ଦର୍ଶନ ମୋତେ ପ୍ରାପ୍ତ ହେଲା ।
ଅନେକ ଜନ୍ମର ମୋର ପାପମାନ ଥିଲା
ତୋତେ ଦରଶନ କରୁ ତାହା ପାରଗଲା ।
No comments:
Post a Comment