COASTAL NEWS Odia 616
ଜନ୍ମାଷ୍ଟମୀ
ଭୁବନେଶ୍ବର - ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ଜନ୍ମାଷ୍ଟମୀର ଅନ୍ୟ ନାମ ଗୁଡ଼ିକ ହେଲା - କୃଷ୍ଣାଷ୍ଟମୀ, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ ଓ ଶ୍ରୀ ଜୟନ୍ତୀ । ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ ।
ପୌରାଣିକ ପୃଷ୍ଠଭୂମି : କଂସ ଦ୍ୱାପରଯୁଗର ରାଜା ଉଗ୍ରସେନଙ୍କ ପୁତ୍ର ଥିଲେ । ସେ ତାଙ୍କ ପିତାଙ୍କୁ ବନ୍ଦୀ କରି ରଖିଥିଲେ । ଏହି ସମୟରେ ତାଙ୍କ ଭଉଣୀ ଦେବକୀ ଯାଦବ ବଂଶର ବସୁଦେବଙ୍କୁ ବିବାହ କରିଥିଲେ । ଦେବକୀଙ୍କର ଯେତେ ସନ୍ତାନ ହେଉଥିଲେ, କଂସ ତାକୁ ଟେକି ନେଇ କଚାଡ଼ି ମାରି ଦେଉଥିଲେ । ମାତ୍ର ଦେବକୀଙ୍କୁ ଭବିଷ୍ୟବାଣୀ ହୋଇଥିଲା ଯେ, ଅଷ୍ଟମ ସନ୍ତାନ ଦ୍ୱାରା କଂସଙ୍କ ନିଧନ ହେବ । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମଲାଭ କରିଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବନ୍ଦୀଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଅନ୍ୟ ଦେବଗଣଙ୍କ ଅନୁରୋଧ କ୍ରମେ ସେ ଭୂମିଷ୍ଠ ହୋଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ସେ ବାଲ୍ୟ ଲୀଳା କରିବେ ।
ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀକନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ରଖିଦେବା ସକାଶେ ପିତାଙ୍କୁ କହିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦୀଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦୀଶାଳାର ଦ୍ୱାର ମଧ୍ୟ ଆପେ ଆପେ ଖୋଲିଗଲା । ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ନବଜାତ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ । ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ ।
ଶ୍ରୀକୃଷ୍ଣଙ୍କ ଭିନ୍ନ ଭିନ୍ନ ଭୂମିକା : ମାନବ ଜାତିର ଉନ୍ନତି କଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡ଼ାଇବା ପାଇଁ ଶାନ୍ତିର ବାର୍ତ୍ତା ନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ । ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିର୍ବାହ କରିଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀ ହୋଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ କରିବା ପାଇଁ ସେ ଶ୍ରୀକୃଷ୍ଣଙ୍କୁ ମନା କରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ ପୂର୍ବକ ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବା ଲାଗି ତାଙ୍କୁ ପ୍ରବର୍ତ୍ତାଇଥିଲେ। କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ । ଏଠାରେ ସେ ବିଚକ୍ଷଣ କୂଟନୀତିଜ୍ଞର ଭୂମିକା ନିର୍ବାହ କରିଥିଲେ । ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତ ମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି, ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛି ।
ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ : କାଳିଆ ସାଆନ୍ତ ବଡ଼ ବିଚିତ୍ର ଦିଅଁ, ଆଉ ବହୁତ ଲୀଳାମୟ ମଧ୍ୟ । ପବିତ୍ର ଜନ୍ମାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ତେବେ ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ । ଜନ୍ମାଷ୍ଟମୀର ପୂର୍ବଦିନ ସଂଧ୍ୟାଧୂପ ଓ ପ୍ରସାଦଲାଗି ପରେ, ତିନିଠାକୁରଙ୍କୁ ବନ୍ଦାପନା କରାଯାଏ । ଏହି ସମୟରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ । ଶ୍ରୀମନ୍ଦିର ପରିଭାଷାରେ ଏହା ହେଉଛି ‘ଗର୍ଭୋଦକ ବନ୍ଦାପନା’। ଏହା ପୂର୍ବରୁ ‘ଜେଉଟ’ (ଜେଉଡ଼) ଭୋଗ ନାମରେ ଏକ ସ୍ୱତନ୍ତ୍ର ଭୋଗ ମଧ୍ୟ ତାଙ୍କୁ ଲାଗି କରାଯାଇଥାଏ । ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାତା ଦେବକୀ ରୂପରେ ସପ୍ତମୀର ବିଳମ୍ବିତ ରାତ୍ରରେ ଶ୍ରୀକୃଷ୍ଣଙ୍କୁ ଗର୍ଭରେ ଧାରଣ କରିବେ । ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ମହାପ୍ରଭୁଙ୍କୁ ଜେଉଟ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ । ଅଷ୍ଟମୀ ତିଥିରେ ମହାପ୍ରଭୁ ଜଗନ୍ନାଥ ନିଜେ ପୁତ୍ର ହୋଇ ଜନ୍ମ ନିଅନ୍ତି । ଏହାର ଅର୍ଥ ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ମାତା ଦେବକୀ ରୂପେ ଭୋଗ ଓ ବନ୍ଦାପନା ପାଆନ୍ତି ଏବଂ ପରଦିନ ସେ ଶ୍ରୀକୃଷ୍ଣ ରୂପେ ନିଜକୁ ଜନ୍ମ ଦିଅନ୍ତି । ଏହାର ତାତ୍ତ୍ୱିକତା ହେଉଛି- ସେ ମାତା, ସେ ପିତା ଏବଂ ସେ ମଧ୍ୟ ପୁତ୍ର ! ଏହି ନୀତିର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି - ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ବା ପ୍ରତିନିଧି ଶ୍ରୀମଦନମୋହନ ମଧ୍ୟ ଏଥିରେ ଭାଗ ନେଇଥାଆନ୍ତି । ସେ ହିଁ କୃଷ୍ଣ ରୂପେ ଜନ୍ମ ନିଅନ୍ତି । ସେଥିପାଇଁ, ଶିଶୁଟିଏ ଜନ୍ମବେଳେ ନଗ୍ନ ଥିବା ପରି, ତାଙ୍କର ବସ୍ତ୍ରହୀନ ପ୍ରତିମା ହିଁ ଏହି ଭୂମିକା ନିର୍ବାହ କରିଥାଆନ୍ତି । ଏଥିପାଇଁ ଶ୍ରୀମଦନମୋହନଙ୍କୁ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଦିଆଯାଇଥାଏ ।
ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପୂଜା ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୁଏ । ପରେ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚମୁରୁଜର ମଣ୍ଡଳ କଟାଯାଇ ଜନ୍ମନୀତି ଆରମ୍ଭ କରାଯାଏ । ରୂପା ପଦ୍ମ ପାଖୁଡାରେ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ପ୍ରତିମା ରଖାଯାଇ ପଞ୍ଚ ଉପଚାରରେ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ପରେ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ରତ୍ନସିଂହାସରେ ବିଜେ କରାଯାଏ । ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ମଦନ ମୋହନ ଜନ୍ମଚକଡାରେ ବିଜେ କରନ୍ତି । ଦୁଇଜଣ ସେବାୟତ ଦେବକୀ ଓ ବସୁଦେବଙ୍କ ରୂପରେ ଶ୍ରୀକୃଷ୍ଣଙ୍କୁ କଣ୍ଡୁସି ଭୋଗ କରିଥାଆନ୍ତି । ଏହି ସମୟରେ ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇଥାଏ । ସେଠାରୁ ଶ୍ରୀକୃଷ୍ଣଙ୍କୁ ଝୁଲଣ ମଣ୍ଡପ ଦେଇ ସରସ୍ୱତୀ ମନ୍ଦିର ନିକଟକୁ ନିଆଯାଏ । ବିଭିନ୍ନ ନୀତିକାନ୍ତି ସହ ଶ୍ରୀକୃଷ୍ଣଙ୍କୁ ରୂପା ଶାମୁକାରେ କ୍ଷୀର ପାନ ସହ ନାଭି ଛେଦନ ନୀତି କରାଯାଇଥାଏ । ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହେ ।
କୁହାଯାଏ, ଏହି ଦିନ ନିଷ୍ଠାର ସହିତ ଉପବାସ କଲେ ମନରେ ଥିବା ଦ୍ଵନ୍ଦ ଦୂର ହେବା ସଙ୍ଗେ ସଙ୍ଗେ ମନୋବାଞ୍ଛା ପୂରଣ ହୋଇଥାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଜନ୍ମାଷ୍ଟମୀ ଦିନ ବାଳ ଗୋପାଳଙ୍କୁ ପୂଜା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ବ୍ରତଧାରୀ କୃଷ୍ଣଙ୍କୁ ଝୁଲଣରେ ଝୁଲାଇଥାନ୍ତି, ତେବେ ତାଙ୍କର ସବୁ ମାନସିକ ପୂରଣ ହୋଇଥାଏ ।
ଓଡ଼ିଶାରେ ଜନ୍ମାଷ୍ଟମୀ ପାଳନ : ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥାଏ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାଆନ୍ତି, ଓ ରାତ୍ରି ୧୨ ଘଟିକାରେ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାଆନ୍ତି । ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ଜନ୍ମାଷ୍ଟମୀ ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ । ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାଆନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ ଓ ସେବନ କରିଥାଆନ୍ତି ।
ଓଡ଼ିଶା ବାହାରେ ଜନ୍ମାଷ୍ଟମୀ ପାଳନ: ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏହି ଉତ୍ସବ ପ୍ରାୟ ସାତ ଦିନ ବ୍ୟାପୀ ପାଳିତ ହୋଇଥାଏ । ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ । ଏହା ଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସରେ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାଆନ୍ତି । ଜାମ୍ମୁଠାରେ ଏହି ଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି ।
ଜନ୍ମାଷ୍ଟମୀକୁ ମୁମ୍ବାଇ ଏବଂ ପୁନାରେ ଲୋକେ “ଦହି ହାଣ୍ଡି” ନାମରେ ବେଶି ଜାଣିଥାଆନ୍ତି । ଗୋଟିଏ ମାଟିହାଣ୍ଡିରେ ଘୋଳଦହି ଭର୍ତ୍ତି କରି ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଏ । ଏହା ପରେ ଯୁବକ ସମୂହ ଜଣକ ଉପରେ ଜଣେ ଠିଆ ହୋଇ ଏକ ମିନାର୍ ଗଠନ କରନ୍ତି ଓ ସବା ଉପରେ ଥିବା ଯୁବକ ଜଣକ ଏକ ଶକ୍ତ ଜିନିଷରେ ହାଣ୍ଡିକୁ ବାଡ଼େଇ ଭାଙ୍ଗିଥାଏ । ଏଥିପାଇଁ ଅନେକ ନଡ଼ିଆ ବ୍ୟବହାର କରିବାକୁ ପସନ୍ଦ କରିଥାଆନ୍ତି, କାରଣ ନଡ଼ିଆକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ଧରାଯାଏ । ହାଣ୍ଡି ଭାଙ୍ଗିଗଲା ପରେ ସେଥିରେ ଥିବା ଦହି ସମସ୍ତଙ୍କ ଉପରେ ବହିଯାଏ । ଏହାକୁ ସାମୂହିକ ପ୍ରଚେଷ୍ଚା ବା ଏକତାର ସଫଳତା ବୋଲି ପ୍ରତୀକାତ୍ମକ ରୂପେ ବିବେଚନା କରାଯାଏ । ଏହି ଯୁବକମାନଙ୍କୁ “ଗୋବିନ୍ଦ ପାଠକ” କୁହାଯାଏ । ଏମାନେ ସହର ସାରା ବୁଲି ବୁଲି ଅଧିକରୁ ଅଧିକ ହାଣ୍ଡି ଭାଙ୍ଗିବାକୁ ଚେଷ୍ଟା କରିଥାଆନ୍ତି । କାରଣ ହାଣ୍ଡିଭାଙ୍ଗିଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ମିଳିଥାଏ ।
ବୃନ୍ଦାବନରେ ଶ୍ରୀକୃଷ୍ଣ ସବୁଠୁ ଦୁଷ୍ଟ ଥିଲେ । ତାଙ୍କ ଦୁଷ୍ଟାମୀ ପାଇଁ ସେ ପ୍ରତି ଘରେ ପରିଚିତ ଥିଲେ । କ୍ଷୀର, ଦହି, ଲହୁଣୀ କୃଷ୍ଣଙ୍କର ଭାରି ପ୍ରିୟ ଥିଲା । ସେଥିପାଇଁ ସେ ସମସ୍ତଙ୍କ ଘରୁ ଏସବୁ ଚୋରି କରୁଥିଲେ । କୃଷ୍ଣଙ୍କଠାରୁ ଏହି ଦହି, ଲହୁଣୀକୁ ବଞ୍ଚେଇବା ପାଇଁ ବୃନ୍ଦାବନର ମହିଳାମାନେ ଦହି ହାଣ୍ଡିକୁ ଉପରେ ବାନ୍ଧିବାକୁ ଚେଷ୍ଟା କଲେ, ଯଦ୍ୱାରା କୃଷ୍ଣ ହାଣ୍ଡି ପର୍ଯ୍ୟନ୍ତ ପହଞ୍ଚି ପାରିବେନି । ହେଲେ କୃଷ୍ଣ ତାଙ୍କ ସାଙ୍ଗମାନଙ୍କୁ ଏକାଠି କରି ତାଙ୍କ କାନ୍ଧ ଉପରେ ଚଢ଼ି ଦହି ହାଣ୍ଡି ନିକଟରେ ପହଞ୍ଚି ଯାଉଥିଲେ । ଦହି ହାଣ୍ଡି ଭାଙ୍ଗି ନିଜେ ଦହି ଖାଇବା ସହ ସାଙ୍ଗମାନଙ୍କୁ ବାଣ୍ଟି ଦେଉଥିଲେ । କୃଷ୍ଣଙ୍କର ସେହି ଦୁଷ୍ଟାମୀକୁ ମନେ ପକାଇବା ପାଇଁ ଜନ୍ମାଷ୍ଟମୀରେ ଏହି ପରମ୍ପରା ଅନୁଷ୍ଠିତ ହୋଇଥାଏ ।
ମଣିପୁରରେ ଜନ୍ମାଷ୍ଟମୀ “କୃଷ୍ଣଜନ୍ମ” ନାମରେ ଲୋକପ୍ରିୟ । ଏହା ରାଜ୍ୟର ରାଜଧାନୀ ଇମ୍ଫାଲର ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ (ଆନ୍ତର୍ଜାତୀୟ କୃଷ୍ଣଚେତନା ସମାଜ) ମନ୍ଦିରରେ ପାଳିତ ଏକ ପ୍ରଧାନ ଉତ୍ସବ । କର୍ଣ୍ଣାଟକରେ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଗୋଷ୍ଠୀ ଏହି ଉତ୍ସବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରିଥାଆନ୍ତି । ଶ୍ରକୃଷ୍ଣଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ସ୍ଥାପନା କରି ତାଙ୍କୁ ‘ଭକ୍ଷଣମ୍’ ନାମକ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ ପ୍ରସାଦ ଅନ୍ୟାନ୍ୟ ଫଳମୂଳ ସହିତ ଅର୍ପଣ କରାଯାଏ । ବିଦେଶରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିବା ଉଦ୍ଦେଶ୍ୟରେ ଅରିଜୋନା ନିଜ ଦେଶରେ ଏହାକୁ ଛୁଟି ଦିବସ ରୂପେ ଘୋଷଣା କରିଛି ।