AFFILIATE MARKETING

https://binomo.com?a=90810425bb57&t=0

Friday, May 2, 2025

ରାଜ୍ୟରେ ରବି ଋତୁ ଧାନକିଣା ନେଇ ଆନ୍ତଃ ମନ୍ତ୍ରୀ ସ୍ତରୀୟ ସମୀକ୍ଷା ବୈଠକ

ଧାନକିଣା ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି

୨୦ ଜିଲ୍ଲାରୁ ୧୪ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯିବା ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର, ୦୧/୦୫: ରାଜ୍ୟରେ ଚଳିତ ରବି ଋତୁରେ ଧାନ କିଣା ନେଇ ବିଭିନ୍ନ ବିଭାଗୀୟ ପ୍ରସ୍ତୁତି ଶେଷ ହୋଇଛି । ସମ୍ପୃକ୍ତ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ରଖି ଧାନ କିଣା ସୁପରିଚାଳନା ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ଆନ୍ତଃ ମନ୍ତ୍ରୀ ସ୍ତରୀୟ ସମୀକ୍ଷା ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତଙ୍କ ସମେତ ବିଭାଗୀୟ ସଚିବ ଏବଂ ଆଭାସୀ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଚଳିତ ବର୍ଷ ଖରିଫ ଧାନକିଣା ସମ୍ପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ଗତ ଖରିଫ୍‌ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଥିଲା । ଏଥିନିମନ୍ତେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନ୍‌ପୁଟ୍‌ ସହାୟତା ଭାବେ ୫୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସେହିଭଳି ଚଳିତ ରବି ଋତୁ ପାଇଁ  ଆସନ୍ତା ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଧାନକିଣା ପ୍ରକ୍ରିୟା ଜାରି ରହିବ । ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ନେଇ ବୈଠକରେ ଅବଗତି କରାଯାଇଥିଲା । ଏଥିନିମନ୍ତେ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଯାହା ଗତବର୍ଷ ତୁଳନାରେ  ଅଧିକ ରହିଛି । ଚଳିତ ରବି ଋତୁରେ ମୋଟ୍‌ ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ଯିବ ।

ଗତ ଖରିଫ ଋତୁରେ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା କରାଯାଇ ଅଧିକ ପରିମାଣର ଧାନ ସଂଗ୍ରହ କରାଯାଇଥିଲା। ଏଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ଖରିଫ ଋତୁରେ ଧାନକିଣା ପ୍ରକ୍ରିୟା ସୁଗମ ହୋଇପାରିଥିବା ନେଇ ଉପ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । ଅନୁରୂପ ଭାବେ ଚଳିତ ରବି ଋତୁରେ ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ ଏଥିପ୍ରତି ସଜାଗ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ପ୍ରତ୍ୟେକ ମଣ୍ଡିରେ କ୍ୟାମେରା ଲଗାଇବା ସହ ନୋଡାଲ ଅଫିସର ଓ ସୁପରଭାଇଜର ନିଯୁକ୍ତି ତୁରନ୍ତ କରିବାକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଅଧିକ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଥିବାରୁ ଏଥିପ୍ରତି ସଜାଗ ରହିବା ଆବଶ୍ୟକତା ରହିଛି । ସେହିଭଳି ମଣ୍ଡି ମନିଟରିଂ ଆପ୍‌ ମାଧ୍ୟମରେ ସେମାନଙ୍କର ପଞ୍ଜୀକରଣ କରିବା ଏବଂ କର୍ତ୍ତବ୍ୟରେ ଅବହେଳା କରୁଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଥିଲେ ।  ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରି ଉତ୍ତମ ଅନୁଭୂତି ନେଇ ଫେରିବେ ଏବଂ ଧାନକିଣା ସମ୍ପର୍କିତ ଅଭିଯୋଗ ଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଖରିଫ ଭଳି ଚଳିତ ରବିଋତୁରେ ମଧ୍ୟ ଧାନ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଓ ଇନ୍‌ପୁଟ୍‌ ସହାୟତା ବାବଦକୁ ୮୦୦ ଟଙ୍କା ଭାବେ ମୋଟ୍‌ ୩୧୦୦ ଟଙ୍କା ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ପ୍ରଦାନ କରାଯିବ ।  ଏଥିସହ ୧୯୬୭ ମାଧ୍ୟମରେ ଧାନକିଣା ନେଇ ଅଭିଯୋଗ କରିହେବ । ପ୍ରତ୍ୟେକ ମଣ୍ଡିରେ ପାନୀୟ ଜଳ ସହ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଅଦିନିଆ ବର୍ଷା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଣ୍ଡିରେ ରଖାଯାଇଥିବା ଧାନର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯଇଥିବା ନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିଭଳି ବାହାର ରାଜ୍ୟର ଧାନଗାଡ଼ି ଯେଭଳି ଆମ ରାଜ୍ୟ ଭିତରକୁ ନଆସେ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସ୍କ୍ୱାଡ୍‌ ମୁତୟନ ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି । ମଣ୍ଡିରୁ ମିଲ୍‌କୁ ଯାଉଥିବା ଧାନଗାଡ଼ିକୁଡ଼ିକ ଉପରେ କ୍ୟାମେରା ସଂଯୋଗ କରାଯିବ । ଏଥିନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ  ଶୁଭମ୍‌ ସକ୍ସେନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦାମ ଚରଣ ମଣ୍ଡଳ, ସମବାୟ ସମିତି ରେଜିଷ୍ଟ୍ରର ଶ୍ରୀ ସିଦ୍ଧାର୍ଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...