AFFILIATE MARKETING

https://binomo.com?a=90810425bb57&t=0

Friday, May 16, 2025

ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ମହାମହିମଙ୍କ ୧୪ ପ୍ରଶ୍ନ

‘ସାମ୍ବିଧାନିକ ଶୀର୍ଷ ପଦର କ୍ଷମତା ଉପରେ ନ୍ୟାୟପାଳିକାର ହସ୍ତକ୍ଷେପ ଯଥାର୍ଥ କି’

ନୂଆଦିଲ୍ଲୀ, ୧୫/୦୫: ଏପ୍ରିଲ ୮ତାରିଖରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ତାମିଲନାଡୁ ରାଜ୍ୟପାଳ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲକୁ ପକେଇ ରଖି ପାରିବେ ନାହିଁ। ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ପାଖରେ ଭିଟୋ କ୍ଷମତା ନାହିଁ ଏବଂ ତାଙ୍କୁ ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟପାଳଙ୍କ ଦ୍ୱାରା ପଠାଯାଉଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବେ। ଯଦି ରାଷ୍ଟ୍ରପତି ୩ ମାସ ଭିତରେ କୌଣସି ନିଷ୍ପତି ନ ନେଇ ପାରିବେ, ତାହାଲେ ରାଜ୍ୟଗୁଡିକୁ କାରଣ ସମ୍ପର୍କରେ ରାଷ୍ଟ୍ରପତି ଜଣାଇବେ। ୩ ମାସ ଭିତରେ ବିଲ୍ ଉପରେ କୌଣସି ନିଷ୍ପତ୍ତି ନ ନେଇ ପାରିଲେ ରାଜ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ତାମିଲନାଡୁ ବିଧାନସଭାରେ ଗୃହୀତ ୧୦ଟି ବିଲକୁ ରାଜ୍ୟପାଳ ଆର୍ ଏନ୍ ରବି ବହୁ ବର୍ଷ ଧରି ମୋହର ନ ମାରିବାରୁ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରି ଏହା କହିଥିଲେ।

ପ୍ରଥମେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମୟସୀମା ରାୟ ଉପରେ ପ୍ରଶ୍ନ ଉଠାଇଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ବିଚାରପତି ସୁପର ପାର୍ଲିଆମେଣ୍ଟ ଭାବେ କାର୍ଯ୍ୟ କରୁଥିବା କହିଥିଲେ। ଏବେ ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ କରିଛନ୍ତି। ସମ୍ବିଧାନର ଧାରା ୧୪୩ (୧) ଆଧାରରେ ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତି ଏହି ପ୍ରଶ୍ନ କରିଛନ୍ତି। ଏହି ପ୍ରଶ୍ନଗୁଡ଼ିକ ସମ୍ବିଧାନର ଧାରା ୨୦୦, ୨୦୧, ୩୬୧, ୧୪୩, ୧୪୨, ୧୪୫(୩), ୧୩୧ ସହିତ ଜଡ଼ିତ।

 

୧. ସମ୍ବିଧାନର ଧାରା ୨୦୦ ଅନୁଯାୟୀ, ରାଜ୍ୟପାଳଙ୍କ ନିକଟରେ ଏକ ବିଲ୍ ଉପସ୍ଥାପିତ ହେଲେ ତାଙ୍କ ସମ୍ମୁଖରେ କ’ଣ ସାମ୍ବିଧାନିକ ବିକଳ୍ପ ରହିଛି?

୨. ରାଜ୍ୟପାଳଙ୍କ ସମ୍ମୁଖରେ ଏକ ବିଲ୍ ଉପସ୍ଥାପିତ ହେବା ସମୟରେ ମନ୍ତ୍ରୀ ପରିଷଦର ଉପଦେଶ ମାନିବାକୁ ରାଜ୍ୟପାଳ କ’ଣ ବାଧ୍ୟ କି?

୩. ରାଜ୍ୟପାଳଙ୍କ ଦ୍ୱାରା ସାମ୍ବିଧାନିକ ବିବେଚନାର ପ୍ରୟୋଗ ନ୍ୟାୟସଙ୍ଗତ କି?

୪. ସମ୍ବିଧାନର ଧାରା ୩୬୧ ଅନୁଯାୟୀ, ରାଜ୍ୟପାଳଙ୍କ ଇଚ୍ଛାଧୀନ ବ୍ୟାପାରରେ କୋର୍ଟ ହସ୍ତକ୍ଷେପ କରି ପାରିବେ କି?

୫. ରାଜ୍ୟପାଳଙ୍କ କାର୍ଯ୍ୟକଳାପର ନ୍ୟାୟିକ ଯାଞ୍ଚ ଉପରେ ନିଷେଧାଦେଶ ଲଗାଇ ପାରିବ କି ଧାରା ୩୬୧? ଧାରା ୨୦୦ ଅନୁଯାୟୀ ରାଜ୍ୟପାଳ କିପରି ତାଙ୍କ କ୍ଷମତାର ବ୍ୟବହାର କରିବେ ତାହା ମଧ୍ୟ ସେ କହିପାରିବେ କି?

୬. ସମ୍ବିଧାନର ଧାରା ୨୦୧ ଅନୁଯାୟୀ, ରାଜ୍ୟପାଳଙ୍କୁ ନିଜ କ୍ଷମତାର ବ୍ୟବହାର ଲାଗି ସମୟ ସୀମା ଓ ପ୍ରକ୍ରିୟା ଧାର୍ଯ୍ୟ କରି ପାରିବ କି କୋର୍ଟ?

୭. ରାଷ୍ଟ୍ରପତିଙ୍କ ଇଚ୍ଛାଧୀନ ବ୍ୟାପାର ଉପରେ ହସ୍ତକ୍ଷେପ କରି ପାରିବେ କି ଅଦାଲତ?

୮. ସମ୍ବିଧାନର ଧାରା ୧୪୩ ଅନୁଯାୟୀ, ରାଷ୍ଟ୍ରପତିଙ୍କୁ ନିଜ ଇଚ୍ଛାଧୀନ କ୍ଷମତାର ବ୍ୟବହାର ଲାଗି ସମୟ ସୀମା ଏବଂ ପ୍ରକ୍ରିୟା ଧାର୍ଯ୍ୟ କରି ପାରିବେ କି କୋର୍ଟ?

୯. ରାଜ୍ୟପାଳଙ୍କ ଠାରୁ ଆସିଥିବା ବିଲ୍ ନେଇ ନିଷ୍ପତ୍ତି ନେବା ବେଳେ ସୁପ୍ରିମକୋର୍ଟର ମତ ନେବାକୁ ବାଧ୍ୟ କି ରାଷ୍ଟ୍ରପତି?

୧୦. ସମ୍ବିଧାନର ଧାରା ୧୪୨ ଅନୁଯାୟୀ, ରାଜ୍ୟପାଳ ଏବଂ ରାଷ୍ଟ୍ରପତି ନେଉଥିବା ନିଷ୍ପତ୍ତି ଆଇନତଃ ଯୁକ୍ତି ସଙ୍ଗତ ବୋଲି ପୂର୍ବରୁ ଦର୍ଶାଇବାକୁ ପଡ଼ିବ କି?

୧୧. ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା କ୍ଷମତାକୁ ନ୍ୟାୟିକ ବ୍ୟବସ୍ଥା ବଦଳାଇ ପାରିବ କି?

୧୨. ସମ୍ବିଧାନର ଧାରା ୧୪୫ (୩) ଅନୁଯାୟୀ, ରାଜ୍ୟପାଳଙ୍କ ବିନା ଅନୁମୋଦନରେ ରାଜ୍ୟରେ ଆଇନ କାର୍ଯ୍ୟକାରୀ ହୋଇ ପାରିବ କି?

୧୩. ସମ୍ବିଧାନର ଧାରା ୧୪୨ ଅନୁଯାୟୀ, ସାମ୍ବିଧାନିକ ବ୍ୟବସ୍ଥାକୁ ବିରୋଧ କରୁଥିବା ଭଳି ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦେଇ ପାରିବେ କି?

୧୪. ସମ୍ବିଧାନର ଧାରା ୧୩୧ ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାକୁ କୋର୍ଟକୁ ସମ୍ବିଧାନ ଅଧିକାର ଦେଇଛି କି?

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...