AFFILIATE MARKETING

https://binomo.com?a=90810425bb57&t=0

Wednesday, November 15, 2023

ହୁ ହୁ ହୋଇ ଜଳିଲା ଯାତ୍ରୀବାହୀ ବସ୍‌

COASTAL NEWS ODIA 1450

ହୁ ହୁ ହୋଇ ଜଳିଲା ଯାତ୍ରୀବାହୀ ବସ୍‌



ନଏଡା- ଭଞ୍ଜ ବିହାରୀ ମହାନ୍ତି - ହଠାତ୍‌ ବସ୍‌ରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିଲା ଯାତ୍ରୀବାହୀ ବସ୍‌। ତେବେ କିଛି ଅଘଟଣା ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ଏଭଳି କିଛି ଘଟଣା ଘଟିଛି ନଏଡା ଏକ୍ସପ୍ରେସ୍‌-ଓ୍ୱେରେ।

ଏକ ଭୋଲବୋ ବସ୍‌ ବୁଧବାର ୬୦ ଯାତ୍ରୀଙ୍କୁ ନେଇ ବିହାର ଯାଉଥିଲା। ସମସ୍ତ ଯାତ୍ରୀ ଛଟ୍ଟ୍‌ ପୂଜା ପାଇଁ ଘରକୁ ଯାଉଥିଲେ। ଏତିକି ବେଳେ ନଏଡା-ଗ୍ରେଟେର୍‌ ନଏଡା ଏକ୍ସପ୍ରେସ-ଓ୍ୱେର ସେକ୍ଟର ୧୨୬ରେ ଏହି ଦୁର୍ଘଟଣା ଘଟିଛି। ସେକ୍ଟର ୯୬ରେ ଥିବା ଅଣ୍ଡରପାସ୍‌ ଦେଇ ଏହି ଯାତ୍ରୀବାହୀ ବସ୍‌ଟି ଯାଉଥିବା ବେଳେ ଏଥିରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ବିକଟାଳ ରୂପ ନେଇଥିଲା।

ତେବେ ସୌଭାଗ୍ୟବଶତଃ ଏଥିରେ ଥିବା ୬୦ ଯାତ୍ରୀ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ବସ୍‌ ଭିତରୁ ବାହାରକୁ ଚାଲି ଆସିଥିଲେ। ଫଳରେ ବିର୍ତ୍ତି ଯାଇଛନ୍ତି। ଅନେକ ଯାତ୍ରୀଙ୍କୁ ଏମରଜେନ୍ସି ଗେଟ୍‌ ଦେଇ ବସ୍‌ରୁ ବାହାରକୁ ବାହାର କରାଯାଇଛି। ସେପଟେ ଘଟଣାସ୍ଥଲରେ ଅଗ୍ନିଶମ ବାହିନୀର ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଗୋରଖଧାମ ନାମକ ଏହି ବସ୍‌ ନଏଡା ସେକ୍ଟର-୩୭ରୁ ବିହାରର ସିବନା ଯାଉଥିଲା। ଶର୍ଟ ସର୍କିଟ୍‌ ଯୋଗୁ ବସ୍‌ରେ ନିଆଁରେ ଲାଗିଥିବା ସନ୍ଦେହ କରାଯାଉଛି। ବସ୍‌ରେ ନିଆଁ ଲାଗିବା ଯୋଗୁ ଏକ୍ସପ୍ରେସ୍‌-ଓ୍ୱେରେ ଅନେକ ଗାଡ଼ି ଫଶି ରହିଥିଲା। ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା।

ଆଇସିସି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ

COASTAL NEWS ODIA 1449

ଆଇସିସି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ 


ମୁମ୍ବାଇ : ଭଞ୍ଜ ବିହାରୀ ମହାନ୍ତି - ଆଇସିସି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଅର୍ଥାତ୍ ବିଶ୍ବ ଚାମ୍ପିଅନ ହେବାଠାରୁ ଆଉ ମାତ୍ର ଗୋଟିଏ ବିଜୟ ବାକି ରହିଛି ।

ବୁଧବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୩୯୮ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୩୨୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଡାରିଲ ମିଚେଲ ୧୩୪ରନ, କେନ ଓ୍ବିଲିୟମସନ ୬୯ ରନ ଓ ଗ୍ଲେନ ଫିଲିପ୍ସ ୪୧ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସମି ଘାତକ ବୋଲିଂ କରି ୭ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଏକ ବଡ଼ ସ୍କୋର ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ । ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ ବି ଅଳ୍ପକେ ଅର୍ଦ୍ଧଶତକରୁ (୪୭ ରନ) ବଞ୍ଚିତ ହୋଇଥିଲେ । ସେହିପରି ଶୁଭମନ ଗିଲ୍ ୭୯ ରନ କରି ଏକ ଶତକ ଆଡକୁ ଗତି କରୁଥିବାବେଳେ ସେ ରିଟାୟାର୍ଡ ହଟ୍ ହୋଇ ପାଭିଲିୟନ ଫେରିଥିଲେ । 

ତେବେ ଶେଷ ଓଭରରେ ସେ ପୁଣି ଥରେ ଫେରିଥିଲେ । କିନ୍ତୁ ଆଜି ମ୍ଯାଚର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ୫୦ ତମ ଶତକ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଶତକ । ବିରାଟ ୧୧୭ ରନ ଓ ଆୟର ୧୦୫ କରି ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ବିକେଟ ହରାଇ ୩୯୭ ରନ କରିଥିଲା ।

Tuesday, November 14, 2023

ତିନି ଦିନରେ ପହଞ୍ଚିଛି ଚାର୍ ଧାମ ଟନେଲ୍ ଟ୍ରାଜେଡ଼ି

COASTAL NEWS ODIA 1448

ତିନି ଦିନରେ ପହଞ୍ଚିଛି ଚାର୍ ଧାମ ଟନେଲ୍ ଟ୍ରାଜେଡ଼ି 



ଉତ୍ତରକାଶୀ- ଭଞ୍ଜ ବିହାରୀ ମହାନ୍ତି - ତିନି ଦିନରେ ପହଞ୍ଚିଛି ଚାର୍ ଧାମ ଟନେଲ୍ ଟ୍ରାଜେଡି। ଏବେ ବି ଟନେଲ ତଳେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ। ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ଉଦ୍ଧାରକାରୀ ଟିମ୍। ପାଇପ୍ ଯୋଗେ ଖାଦ୍ୟ, ପାନୀୟଠୁ ଅମ୍ଳଜାନ ପଠାଯାଉଛି। 

ଭୁଶୁଡିଥିବା ୨୦୦ ମିଟର ଅଞ୍ଚଳରେ ପଡିଥିବା ପଥର କାଟିବାରେ ସାମାନ୍ୟ ଅଗ୍ରଗତି ହୋଇଛି। ଉଦ୍ଧାରକାରୀମାନେ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ରାସ୍ତା ତିଆରି କରିବାକୁ ଚେଷ୍ଟା କରୁଛନ୍ତି, ଯାହାର ଦୂରତା ପ୍ରାୟ ୪୦ ମିଟର। ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଟନେଲକୁ ଅବରୋଧ କରୁଥିବା ପ୍ରାୟ ୨୧ ମିଟର ସ୍ଲାବକୁ ହଟାଇ ଦିଆଯାଇଛି, ଆଉ ୧୯ ମିଟର ରାସ୍ତା ସଫା ହେବା ବାକି ରହିଛି।

ଉଦ୍ଧାରକାରୀ ଟିମ୍ ପ୍ରଥମେ ୩୦ ମିଟର ପଥର କାଟିବାରେ ସକ୍ଷମ ହୋଇଥିଲେ, କିନ୍ତୁ କିଛି ମାଟି ପୁଣି ଭଶୁଡି ରାସ୍ତା ଅବରୋଧ କରିଥିଲା, ବର୍ତ୍ତମାନ ସେମାନେ ୨୧ ମିଟର ରାସ୍ତା ସଫା କରିବାରେ ସକ୍ଷମ ହୋଇଥିବା ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ଉଦ୍ଧାରକାରୀ ଟିମ୍ ହାଇଡ୍ରୋଲିକ୍ ଜ୍ୟାକ୍ ବ୍ୟବହାର କରି ଶ୍ରମିକମାନଙ୍କ ନିକଟକୁ ୯୦୦ ମିଲିମିଟର ବ୍ୟାସ ବିଶିଷ୍ଟ ଏକ ପାଇପ୍ ସଂଯୋଗ କରିବାକୁ ଯୋଜନା କରୁଛନ୍ତି। ସ୍ଲାବ୍ ଭୁଶୁଡି ପୋତି ହୋଇଥିବା ଆବର୍ଜନାକୁ ସଫା କରିବା ପାଇଁ ଆଗର୍ ମେସିନର ବ୍ୟବହାର ମଧ୍ୟ କରିବେ। ଏଥିପାଇଁ ଘଟଣାସ୍ଥଳରେ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଏବଂ ଯନ୍ତ୍ରପାତି ପହଞ୍ଚିଛି।  ଅପରେସନରେ ଜଳସେଚନ ବିଭାଗର ବିଶେଷଜ୍ଞମାନେ ମଧ୍ୟ ସାମିଲ୍ ହୋଇଛନ୍ତି।

ରବିବାର ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା। ଉତ୍ତରକାଶୀରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଥିଲା।

ଆଜିର ରାଶିଫଳ

COASTAL NEWS ODIA 1447

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୧୪ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
           *✧═════•❁❀❁•═════✧*



*🌹ମେଷ🌷👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।*
*✧═════•❁❀❁•═════✧*
*🌹ବୃଷ🌷👉ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।*
*✧═════•❁❀❁•═════✧*
*🌹ମିଥୁନ🌷👉ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି  ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।*
*✧═════•❁❀❁•═════✧*
*🌹କର୍କଟ🌷👉ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।*
*✧═════•❁❀❁•═════✧*
*🌹ସିଂହ🌷👉ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।*
*✧═════•❁❀❁•═════✧*
*🌹କନ୍ୟା🌷👉ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।*
*✧═════•❁❀❁•═════✧*
*🌹ତୁଳା🌷👉ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।*
*✧═════•❁❀❁•═════✧*
*🌹ବିଛା🌷👉ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।*
*✧═════•❁❀❁•═════✧*
*🌹ଧନୁ🌷👉ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।*
*✧═════•❁❀❁•═════✧*
*🌹ମକର🌷👉ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।*
*✧═════•❁❀❁•═════✧*
*🌹କୁମ୍ଭ🌷👉ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।*
*✧═════•❁❀❁•═════✧*
*🌹ମୀନ🌷👉ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।*
*✧═════•❁❀❁•═════✧*

Monday, November 13, 2023

ଲିଗ୍ ପର୍ଯ୍ୟାୟରେ ଅପରାଜିତା ରହିଲା ଭାରତ

COASTAL NEWS ODIA 1446

ଲିଗ୍ ପର୍ଯ୍ୟାୟରେ ଅପରାଜିତା ରହିଲା ଭାରତ


ବେଙ୍ଗାଲୁରୁ - ଭଞ୍ଜ ବିହାରୀ ମହାନ୍ତି - ଲିଗ୍ ପର୍ଯ୍ୟାୟରେ ଅପରାଜିତା ରହିଲା ଭାରତ । ରବିବାର ଟିମ୍‌ ଇଣ୍ଡିଆ ନେଦରଲାଣ୍ଡ ବିପକ୍ଷରେ ୧୬୦ ରନରେ ବିଜୟ ହାସଲ କରି କୋଟି କୋଟି ଭାରତୀୟମାନଙ୍କୁ ଦୀପାବଳି ଉପହାର ଦେଇଛି। ଚଳିତ ବିଶ୍ବକପ୍‌ରେ ଖେଳିଥିବା ସମସ୍ତ ଲିଗ୍‌ ମ୍ୟାଚରେ ବିଜୟୀ ହେବା ସହିତ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ନେଦରଲାଣ୍ଡକୁ ୪୭.୫ ଓଭରରେ ଅଲ୍‌ଆଉଟ୍‌ କରିଛି। ୪୧୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନେଦରଲାଣ୍ଡ ଟିମ୍‌ ୨୫୦ ରନ୍‌ରେ ଅଟକି ଯାଇଛି ।

ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ନେଦରଲାଣ୍ଡର ବ୍ୟାଟରଙ୍କ ଆଗରେ ବିରାଟ ଲକ୍ଷ୍ୟ ଥିବାରୁ ସେମାନେ ଚାପଗ୍ରସ୍ତ ହୋଇ ବ୍ୟାଟିଂ କରିଥିଲେ। ଦଳ ପାଇଁ ତେଜା ନିଦାମନରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୪ ରନ୍‌ କରିଥିଲେ। ସେ ୩୯ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୬ଟି ଛକା ମାରିଥିଲେ। ସିବ୍ରାଣ୍ଡ ଏଙ୍ଗେଲବ୍ରେଚ୍‌ଟ ୮୦ଟି ବଲ୍‌ ଖେଳି ୪ଟି ଚୌକା ସହାୟତାରେ ୪୫ ରନ୍‌ କରିଥିଲେ। କୋଲିନ ଏକେମାନ୍‌ ୩୫ ରନ୍‌ କରିଥିବା ବେଳେ ଅନ୍ୟ ବ୍ୟାଟରମାନେ ବ୍ୟକ୍ତିଗତ ଭାବେ ୨୦ ରନ୍‌ ସଂଗ୍ରହ କରିପାରି ନଥିଲେ।

ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳିମାନେ ଆଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଚମକପ୍ରଦ ପ୍ରଦର୍ଶନ କରିଥିଲେ। ବ୍ୟାଟିଂ ପାଳିରେ ପ୍ରଥମେ ଦୁଇ ଜଣ ଖେଳାଳି ଶତକ ଓ ତିନି ଜଣ ଅର୍ଦ୍ଧଶତକ ବଳରେ ବୃହତ୍‌ ସ୍କୋର କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍‌ ହରାଇ ୪୧୦ ରନ୍‌ କରିପାରିଥିଲା।

ଦୀପାବଳିରେ ଗୁଗଲ ଦେଲା ବଡ଼ ଝଟକା, ଏହି ଆକାଉଣ୍ଟକୁ ବନ୍ଦ କରିବାକୁ ଯାଉଛି କମ୍ପାନୀ

COASTAL NEWS ODIA 1445

ଦୀପାବଳିରେ ଗୁଗଲ ଦେଲା ବଡ଼ ଝଟକା, ଏହି ଆକାଉଣ୍ଟକୁ ବନ୍ଦ କରିବାକୁ ଯାଉଛି କମ୍ପାନୀ





 
ନୂଆଦିଲ୍ଲୀ,୧୩।୧୧: ଭଞ୍ଜ ବିହାରୀ ମହାନ୍ତି - ଦୀପାବଳିରେ ଲକ୍ଷ ଲକ୍ଷ ଜିମେଲ ବ୍ୟବହାରକାରୀଙ୍କୁ ଗୁଗଲ ଏକ ବଡ଼ ଝଟକା ଦେଇଛି। ବାସ୍ତବରେ, କମ୍ପାନୀ ଲକ୍ଷ ଲକ୍ଷ ନିଷ୍କ୍ରିୟ ଜିମେଲ ଆକାଉଣ୍ଟ ବନ୍ଦ କରିବାକୁ ଯାଉଛି, ଏହି ପ୍ରକ୍ରିୟା ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ, ଯେଉଁଥିରେ ଦୀର୍ଘ ଦିନ ଧରି ନିଷ୍କ୍ରିୟ ଥିବା ଜିମେଲକୁ ସବୁଦିନ ପାଇଁ ବନ୍ଦ କରାଯିବ। 

ଯଦି ଆପଣ ମଧ୍ୟ ଜଣେ ଜିମେଲ ବ୍ୟବହାରକାରୀ ଅଟନ୍ତି ଏବଂ ଦୀର୍ଘ ସମୟ ଧରି ଆପଣଙ୍କର ଜିମେଲ ଆକାଉଣ୍ଟ ଖୋଲି ନାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ, କାରଣ ଯଦି ଆପଣଙ୍କର ଜିମେଲ ଆକାଉଣ୍ଟ ବନ୍ଦ ହୋଇଯାଏ, ତେବେ ଆପଣ ଲଗ ଇନ କରି ଆପଣଙ୍କର ଆଣ୍ଡ୍ରଏଡ ସ୍ମାର୍ଟଫୋନ ବ୍ୟବହାର କରିପାରିବେ ନାହିଁ। 

ଗୁଗଲ ଆକାଉଣ୍ଟ ସାହାଯ୍ୟରେ ଜିମେଲ ଏବଂ ଅନ୍ୟାନ୍ୟ ଅନେକ ଆକାଉଣ୍ଟ ରକ୍ଷଣାବେକ୍ଷଣ କରାଯାଏ । ଯଦି ଆପଣଙ୍କର ଜିମେଲ ଆକାଉଣ୍ଟ ଡିଲିଟ୍‌ ହୋଇଯାଏ, ତେବେ ଆପଣଙ୍କୁ ସେହି ଅନ୍ୟ ସେବାଗୁଡିକ ମଧ୍ୟ ହରାଇବାକୁ ପଡିବ।

ଆଜିର ରାଶିଫଳ

COASTAL NEWS ODIA 1444

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୧୩ ତାରିଖ ୨୦୨୩ ମସିହା(ସୋମବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
 *✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌹ମେଷ🌷👉ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*

*✧═════•❁❀❁•═════✧*
*🌹ବୃଷ🌷👉ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।*

*✧═════•❁❀❁•═════✧*
*🌹ମିଥୁନ🌷👉ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।* 

*✧═════•❁❀❁•═════✧*
*🌹କର୍କଟ🌷👉ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*

*✧═════•❁❀❁•═════✧*
*🌹ସିଂହ🌷👉ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*
*✧═════•❁❀❁•═════✧*

*🌹କନ୍ୟା🌷👉ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*

*✧═════•❁❀❁•═════✧*
*🌹ତୁଳା🌷👉ଆଜି  ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*

*✧═════•❁❀❁•═════✧*
*🌹ବିଛା🌷👉ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ ।  ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌷👉ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*

*✧═════•❁❀❁•═════✧*
*🌹ମକର🌷👉ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।*
*✧═════•❁❀❁•═════✧*
*🌹କୁମ୍ଭ🌷👉 *ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ  ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।* 

*✧═════•❁❀❁•═════✧*
*🌹ମୀନ🌷👉 ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।*
*✧═════•❁❀❁•═════✧*

Sunday, November 12, 2023

ଶ୍ରୀନଗରର ଡାଲ ଲେକ୍‌ରେ ବଡ଼ ଅଘଟଣ

COASTAL NEWS ODIA 1443

ଶ୍ରୀନଗରର ଡାଲ ଲେକ୍‌ରେ  ବଡ଼ ଅଘଟଣ



ଶ୍ରୀନଗର - ଭଞ୍ଜ ବିହାରୀ ମହାନ୍ତି - ଶ୍ରୀନଗରର ଡାଲ ଲେକ୍‌ରେ  ବଡ଼ ଅଘଟଣ ଘଟିଛି। ଏଠାରେ ଥିବା ଅନେକ ହାଉସ ବୋଟ୍‌ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଏହି ପୋଡ଼ା ହାଉସ ବୋଟ ଭିତରୁ ୩ ଜଣ ପର୍ଯ୍ୟଟକଙ୍କ ମୃତଦେହ ମିଳିଛି। ପ୍ରଶାସନ ଏବେ ମୃତକଙ୍କ ପରିଚୟ ଖୋଜିବାରେ ଲାଗିଛି।

୩ ମୃତକଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା। ହେଲେ ତୃତୀୟ ମୃତକଙ୍କ ଲିଙ୍ଗ ଏଯାଏ ଜଣାପଡ଼ିନି। କାରଣ ନିଆଁରେ ମୃତଦେହ ଗୁଡ଼ିକ ପୂରା ପୋଡ଼ି ଯାଇଛି। ସେହିପରି ଅଗ୍ନିକାଣ୍ଡ ଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ନିଆଁରେ ୫ଟି ହାଉସ ବୋଟ ଓ ଏହାକୁ ଲାଗି ରହିଥିବା ସମାନ ସଂଖ୍ୟକ ମାଟିର ଘର ମଧ୍ୟ ପାଉଁଶ ହୋଇଯାଇଛି।

ଅଗ୍ନିଶମ ସେବାର ଷ୍ଟେସନ ହାଉସ ଅଫିସର ଫାରୁକ ଅହମଦ କହିଛନ୍ତି, ନିଆଁ ଲାଗିବା ମାତ୍ରେ ଆମକୁ ଖବର ମିଳିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଅଗ୍ନିକାଣ୍ଡ ବେଳେ ଅନେକ ପର୍ଯ୍ୟଟକ ବିଭିନ୍ନ ହାଉସ ବୋଟରେ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଲୋକ କମ ପଡ଼ିବାରୁ ଶ୍ରୀନଗରରେ ଥିବା ଜିଲ୍ଲା ମୁଖ୍ୟାଳୟରୁ ମଧ୍ୟ ଅନେକ କର୍ମଚାରୀଙ୍କ ଘଟଣାସ୍ଥଳକୁ ଅଣା ଯାଇଥିବା ସେ କହିଛନ୍ତି।

ପ୍ରଥମେ ଗୋଟିଏ ହାଉସ ବୋଟରେ ନିଆଁ ଲାଗିଥିଲା। ଏହାପରେ ଅନ୍ୟ ହାଉସ ବୋଟ ଓ ମାଟି ଘରକୁ ଏହା ବ୍ୟାପି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନାହିଁ।

ମୃତ ଘୋଷିତ ବାଳକ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର

COASTAL NEWS ODIA 1442

ମୃତ ଘୋଷିତ ବାଳକ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର


ନୂଆଦିଲ୍ଲୀ: ଭଞ୍ଜ ବିହାରୀ ମହାନ୍ତି - ଉତ୍ତର ପ୍ରଦେଶର ଜଣେ ମୃତ ଘୋଷିତ ବାଳକ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହୋଇ ନିଜେ ଜୀବିତ ଓ ସୁସ୍ଥ ଅଛି ବୋଲି କହିଛି। ଶନିବାର ପିଲ୍‌ଭିଟ୍‌ର ଏହି ବାଳକ ଅଭୟ ସିଂହ ତା’ର ହତ୍ୟା ସମ୍ପର୍କିତ ମାମଲାର ବିଚାର ସମୟରେ ବାଳକ ହାଜର ହୋଇ ନିଜେ ବଞ୍ଚିଥିବା ଦର୍ଶାଇଛି। ଅଭୟ ଶନିବାର ସର୍ବୋଚ୍ଚ ନ୍ୟାୟାଳୟରେ ସଶରୀର ହାଜର ପରେ ସେ ଜୀବିତ ଥିବା ଅଦାଲତଙ୍କ ହୃଦୟଙ୍ଗମ ହୋଇଛି। ଅଭୟ ଓ ତା’ର ଅଜାଙ୍କ ବିରୋଧରେ ପରବର୍ତ୍ତା ଆଦେଶ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ, ୧୧ ବର୍ଷୀୟ ଅଭୟକୁ ତା’ର ଅଜା ହତ୍ୟା କରିଥିବା ବାପା ଅଭିଯୋଗ କରିଥିଲେ। ଅଭୟ ବଞ୍ଚିଥିବା ପ୍ରମାଣ କରିବା ଓ ତା’ର ହତ୍ୟା ମାମଲା ବନ୍ଦ କରିବାକୁ ବହୁ ଉଦ୍ୟମ କରି ମଧ୍ୟ ବିଫଳ ରହିଥିଲା। ଏମିତିକି ସେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟରୁ ମଧ୍ୟ ନ୍ୟାୟ ପାଇନଥିଲା। ତା’ର ଆବେଦନ ସେଠାରେ ଖାରଜ ହୋଇଯିବା ପରେ ଅଭୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲା। ସେ ଅଜାଙ୍କ ସହିତ ରହିବାକୁ ଚାହୁଁଥିବା ଅଦାଲତକୁ ଜଣାଇଛି। 

ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କଠାରୁ ରିପୋର୍ଟ ତଳବ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଭୟର ମା’ଙ୍କୁ ବାପା ଯୌତୁକ ନିର୍ଯାତନା ଦେଉଥିଲେ। ସେଥିପାଇଁ ମା’ ନିଜ ଘରେ ୨୦୧୩ରୁ ରହୁଥିଲେ। ଅଜାଙ୍କୁ ଦୋଷୀ ଦର୍ଶାଇବା ପାଇଁ ଅଭୟର ବାପା ମିଛ ହତ୍ୟା ଅଭିଯୋଗ ଆଣିଥିଲେ।

ଶୁକ୍ର ଗ୍ରହରେ ଅମ୍ଳଜାନ

COASTAL NEWS ODIA 1441

ଶୁକ୍ର ଗ୍ରହରେ ଅମ୍ଳଜାନ



ହାୱାଇ - (ଭଞ୍ଜ ବିହାରୀ ମହାନ୍ତି) ପୃଥିବୀପୃଷ୍ଠରେ ମନୁଷ୍ୟ ସମେତ ପ୍ରାୟ ସମସ୍ତ ପ୍ରାଣୀ ଜୀବିତ ରହିବାକୁ ଅମ୍ଳଜାନ ଉପରେ ନିର୍ଭର କରନ୍ତି। ସୌରମଣ୍ଡଳରେ ଥିବା ଅନ୍ୟ ଏକ ଗ୍ରହ ଶୁକ୍ର ବାୟୁମଣ୍ଡଳରେ କିନ୍ତୁ ୯୬.୫% ଅଙ୍ଗାରକାମ୍ଳ ଅଛି। ସେଠାରେ ଅଳ୍ପ ପରିମାଣର ନାଇଟ୍ରୋଜେନ ଏବଂ ଅନ୍ୟାନ୍ୟ ଗ୍ୟାସ୍‌ ଥିବାବେଳେ କିନ୍ତୁ ଅମ୍ଳଜାନ ପ୍ରାୟ କେଉଁଠାରେ ନଥିବା ଅନୁମାନ କରାଯାଉଥିଲା। ବୈଜ୍ଞାନିକମାନେ ପୂର୍ବରୁ ଶୁକ୍ର ଗ୍ରହ ଉପରେ ଏତେଟା ଧ୍ୟାନ ଦେଇନଥିବାରୁ ସେହି ଗ୍ରହ ସମ୍ପର୍କିତ ବିଶେଷ ତଥ୍ୟ ହସ୍ତଗତ ହୋଇନଥିଲା।

ହାୱାଇରେ ବୈଜ୍ଞାନିକମାନେ ସୋଫିଆ ବାୟୁବାହୀ ପର୍ୟ୍ୟବେକ୍ଷଣକାରୀରେ ଏକ ସ୍ୱତନ୍ତ୍ର ଏକ ଇନଫ୍ରାରେଡ୍ ଟେଲିସ୍କୋପ ବ୍ୟବହାର କରିଛନ୍ତି। ଏହି ପର୍ୟ୍ୟବେକ୍ଷଣକାରୀ ନାସା ଏବଂ ଜର୍ମାନ ଏରୋସ୍ପେସ୍ କେନ୍ଦ୍ର ମଧ୍ୟରେ ଏକ ସହଯୋଗୀ ଭାବେ କାର୍ଯ୍ୟ କରିଥାଏ ଯାହା ପ୍ରଥମ ଥର ପାଇଁ ଶୁକ୍ରରେ ସିଧାସଳଖ ଅମ୍ଳଜାନ ଚିହ୍ନଟ କରିଛି। ସମସ୍ତେ ଏହା ବି ଜାଣିବା ଜରୁରୀ ଯେ ଏହି ପାରମାଣବିକ ଅମ୍ଳଜାନ ଆମେ ନିଶ୍ୱାସ ନେଉଥିବା ଅମ୍ଳଜାନ ସହିତ ସମାନ ନୁହେଁ।

ସୌରମଣ୍ଡଳରେ ଦ୍ବିତୀୟ ଗ୍ରହ ଶୁକ୍ର। ସେଠିକା ବାୟୁମଣ୍ଡଳରେ ଦିନବେଳା ଅମ୍ଳଜାନ ସୃଷ୍ଟି ହୁଏ, ଯେତେବେଳେ ସୂର୍ୟ୍ୟର ଅତିବାଇଗଣି ରଶ୍ମି ଅଙ୍ଗାରକାମ୍ଳ ଏବଂ କାର୍ବନ ମନୋକ୍ସାଇଡ୍ ଭାଙ୍ଗି ଅମ୍ଳଜାନ ପରମାଣୁ ଏବଂ ଅନ୍ୟାନ୍ୟ ପଦାର୍ଥ ସୃଷ୍ଟି କରେ। ଶୁକ୍ରରେ ମେଘର ଏକ ସ୍ତର ଅଛି ଯେଉଁଥିରେ ସଲଫୁରିକ୍ ଏସିଡ୍ ଥାଏ, ଯାହା ଏହାର ପୃଷ୍ଠରୁ ପ୍ରାୟ ୪୦ମାଇଲ ପର୍ୟ୍ୟନ୍ତ ବିସ୍ତାର କରିଛି। ପୂର୍ବରୁ, ଶୁକ୍ର ଗ୍ରହରେ ଅମ୍ଳଜାନ ଖୋଜିବା ପାଇଁ ବୈଜ୍ଞାନିକମାନେ ପରୋକ୍ଷ ପଦ୍ଧତି ବ୍ୟବହାର କରିଥିଲେ। ସେମାନେ ଫଟୋକେମିକାଲ୍ ମଡେଲ ସହିତ ଅନ୍ୟ ଅଣୁଗୁଡ଼ିକର ମାପ ଉପରେ ନିର୍ଭର କରି ଅନୁସନ୍ଧାନ ଚଳାଇଥିଲେ। ଶୁକ୍ର ପୃଥିବୀଠାରୁ ଆକାରରେ ଛୋଟ, ଏହାର ବ୍ୟାସ ପ୍ରାୟ ୭,୫୦୦ ମାଇଲ। ଆମର ସୌର ପ୍ରଣାଳୀରେ ପୃଥିବୀ ‘ବାସଯୋଗ୍ୟ ସ୍ଥଳ’ ରେ ଅବସ୍ଥିତ।

ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ କହି ଠକେଇ ଅଭିଯୋଗରେ ଯୁବକ ଗିରଫ

COASTAL NEWS ODIA 1440

ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ କହି ଠକେଇ ଅଭିଯୋଗରେ ଯୁବକ ଗିରଫ 



କଟକ - ଭଞ୍ଜ ବିହାରୀ ମହାନ୍ତି - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ଓ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଭଣଜା ବୋଲି ନିଜକୁ ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗରେ କଟକ ସାଇବର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସଂପୃକ୍ତ ଯୁବକଙ୍କ ନାଁ ସନ୍ତୋଷ ମହୁରୀ। ତାଙ୍କ ଘର ବ୍ରହ୍ମପୁରରେ।

ବେକାର ଯୁବକ ଯୁବତୀଙ୍କୁ ରେଲୱେ, ଡିଆରଡିଓ, ଆଇଓସିଏଲ ଓ ପ୍ରତିରକ୍ଷା ଆଦି ବିଭାଗରେ ଚାକିରି କରାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ସେ ପ୍ରାୟ ୬୦ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା। ମିଛ କହି କଟକର ୭ ଜଣଙ୍କୁ ଏଭଳି ଚୁନା ଲଗାଇଥିଲେ ସନ୍ତୋଷ। ଅଭିଯୋଗର ତଦନ୍ତ କରି ପୁଲିସ ତାଙ୍କୁ ଗିରଫ କରିଛି।

ସନ୍ତୋଷଙ୍କଠାରୁ ଡିଆରଡିଓ ଓ ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦି ଜବତ କରିଛି ପୁଲିସ।

କିଛି ମାସ ପୂର୍ବରୁ ସନ୍ତୋଷ କଟକର ଜଣେ ସାଧୁଙ୍କ ସଂସ୍ପର୍ଶରେ ଆସିଥିଲା। ଏହାପରେ ସେହି ସାଧୁବାବାଙ୍କ ଆଶ୍ରମକୁ ଆସୁଥିବା ଲୋକଙ୍କୁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ଓ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ବୋଲି ପରିଚୟ ଦେଉଥିଲେ ଏବଂ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ପାରିବେ ବୋଲି କହୁଥିଲେ।

ଚାକିରି ଦେବା ଆଳରେ ୭ ଜଣଙ୍କ ଠାରୁ ସନ୍ତୋଷ ମୋଟ ୬୦ ଲକ୍ଷ ଟଙ୍କା ନେଇ ସମସ୍ତଙ୍କୁ ଜାଲ ପ୍ରମାଣ ପତ୍ର ଦେଇ ଫେରାର ହୋଇଯାଇଥିଲେ।ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗାଁ ଲୋକେ ନିଜ ଉଦ୍ୟମରେ ତିଆରି କଲେ ବାଉଁଶ ପୋଲ

COASTAL NEWS ODIA 1439

ଗାଁ ଲୋକେ ନିଜ ଉଦ୍ୟମରେ ତିଆରି କଲେ ବାଉଁଶ ପୋଲ



କୁଳିଅଣା - ଭଞ୍ଜ ବିହାରୀ ମହାନ୍ତି - ଅଭିଯୋଗ କରି କରି ଥକି ଗଲେ। କିନ୍ତୁ ଶୁଣିଲାନି ପ୍ରଶାସନ। ଫଳରେ ଗାଁ ଲୋକେ ନିଜ ଉଦ୍ୟମରେ ତିଆରି କଲେ ବାଉଁଶ ପୋଲ। ସରକାରୀ ଅବହେଳାର ଏମିତି ଏକ ନମୂନା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକର ମୁଣ୍ଡାକଟା ଗାଁରେ।

ଏହି ଗାଁରେ ପ୍ରାୟ ୨୦୦ ଲୋକ ବସବାସ କରନ୍ତି। ସମସ୍ତେ ପ୍ରାୟ ଦିନ ମଜୁରିଆ। ଏହି ଗାଁରୁ ଖଇରବଣି, ପୁରୁଣାପାଣି, କୋରକୋଚିଆ ଓ ବୈଦପୁରକୁ ସଂଯୋଗ କରୁଥିଲା ଏକ ପୋଲ। ଦୀର୍ଘ ୮/୧୦ ବର୍ଷ ହେବ ପୋଲଟି ଭାଙ୍ଗି ଯାଇଛି। ତେଣୁ ଏହି ରାସ୍ତାରେ ଯା’ଆସ କରିବାରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲ ଯିବାରେ ସମସ୍ୟା ହେଉଛି। ଗାଁକୁ ଆମ୍ବୁଲାନ୍ସ ବା କୌଣସି ଗାଡ଼ିମୋଟର ଆସିପାରୁନି।

ପୋଲଟିଏ ନିର୍ମାଣ କରିବା ପାଇଁ ମୁଣ୍ଡାକଟା ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର କହିଥିଲେ। ହେଲେ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ନିଜସ୍ୱ ଉଦ୍ୟମରେ ଏକ ବାଉଁଶ ପୋଲ ତିଆରି କରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ।

ଗ୍ରାମବାସୀ ଏକାଠି ହୋଇ ଚାନ୍ଦା ଆଦାୟ କରିଥିଲେ। ପରେ କାଠ ଗଣ୍ଡି ଓ ବାଉଁଶ ଆଦି ଆଣି ପୋଲ କାମ ଆରମ୍ଭ କରିଥିଲେ। ପୋଲ ତିଆରି କରିବା ପାଇଁ ସେମାନଙ୍କୁ ୭ ଦିନ ଲାଗିଥିଲା।

ମୁଣ୍ଡାକଟାର ବାସିନ୍ଦା  କହିଛନ୍ତି, ଏଇ ରାସ୍ତା ଦେଇ ଆମେ ସବୁ ଦିନେ ଯା’ଆସ କରୁ। ଗାଁର ଛାତ୍ରଛାତ୍ରୀମାନେ ଏହି ବାଟ ଦେଇ ପୁରୁଣାପାଣିରେ ଥିବା ସ୍କୁଲକୁ ଯାଆନ୍ତି। କିନ୍ତୁ ପୋଲଟି ଭୁଶୁଡ଼ି ପଡ଼ିବା ପରେ ନୂଆ ପୋଲ କରିଗଲା ନାହିଁ। ଯେତେ ଦାବି କଲେ ମଧ୍ୟ କେହି କିଛି ଶୁଣିଲେନି। ତେଣୁ ବାଧ୍ୟ ହୋଇ ଗାଁ ଲୋକ ଏକାଠି ହୋଇ ବାଉଁଶ ପୋଲ ତିଆରି କରିଛୁ।

ପୁରୁଣା ପୋଲ ଭୁଶୁଡ଼ି ପଡ଼ିବା ପରେ ଏହି ବାଟରେ ଲୋକେ ପାଣି, କାଦୁଆରେ ପଶି ଯା’ଆସ କରିବାକୁ ବାଧ୍ୟ ହେଉଥିଲେ। ଏବେ ଅସ୍ଥାୟୀ ପୋଲ ହୋଇଥିବାରୁ ଲୋକେ ଅପେକ୍ଷାକୃତ ଭଲରେ ଯିବାଆସିବା କରିପାରୁଛନ୍ତି। ତେବେ ଆଗକୁ ସ୍ଥାୟୀ ପୋଲ ନିର୍ମାଣ ନେଇ ସରକାର ପଦକ୍ଷେପ ନନେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି l
ମୁଣ୍ଡାକଟା ଗାଁଟି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଯାଉଛି। ରାଜ୍ୟ ସରକାର ଗାଁକୁ ଭଲ ରାସ୍ତା, ବିଜୁ ସେତୁ ଯୋଜନା ଆଦିର ଡିଣ୍ଡିମ ପିଟୁଥିବା ବେଳେ ମୁଣ୍ଡାକଟା ଗାଁ ଉପରେ ଏତେ ବର୍ଷ ହୋଇଗଲାଣି କାହିଁକି ନଜର ଦେଇ ନାହାନ୍ତି ବୋଲି ପ୍ରଶ୍ନ ଉଠିଛି। ସରକାର ଓ ପ୍ରଶାସନ ଏବେ ସଜାଗ ହେବେ ନା ସେମିତି ହାତ ବାନ୍ଧି ବସି ରହିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ନିର୍ମାଣାଧୀନ ଟନେଲ ଭିତରେ ଏକ ଭୂସ୍ଖଳନ

COASTAL NEWS ODIA 1438

ନିର୍ମାଣାଧୀନ ଟନେଲ ଭିତରେ ଏକ ଭୂସ୍ଖଳନ 



ଡେରାଡୁନ,୧୨।୧୧: ଭଞ୍ଜ ବିହାରୀ ମହାନ୍ତି- ଉତ୍ତରାଖଣ୍ଡର ୟମୁନେତ୍ରି ଜାତୀୟ ରାଜପଥରେ ସିଲ୍କିରା ଠାରୁ ଡାଣ୍ଡାଲଗାଓଁ ପର୍ଯ୍ୟନ୍ତ ନିର୍ମାଣାଧୀନ ଟନେଲ ଭିତରେ ଏକ ଭୂସ୍ଖଳନ ଘଟିଛି। ନାଭିୟୁଗା କମ୍ପାନୀ ଦ୍ୱାରା ଏହି ଟନେଲ ନିର୍ମାଣ କରାଯାଉଛି। କୁହାଯାଉଛି ୪୦ ରୁ ଅଧିକ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି। ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଏହା ନିଶ୍ଚିତ କରିଛି। ଯଦିଓ ଟନେଲ ଭିତରେ କେତେ ଶ୍ରମିକ ଫସି ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଆବର୍ଜନା ହଟାଇବା କାମ କମ୍ପାନୀ ଦ୍ୱାରା କରାଯାଉଛି। ଘଟଣାସ୍ଥଳରେ ପାଞ୍ଚଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି।

ଏଡିଜି ଆଇନ ଏବଂ ଅର୍ଡର ଏପି ଅଶୁଂମାନ କହିଛନ୍ତି ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ଖବର ମିଳିନାହିଁ। ପୋଲିସ ଫୋର୍ସ ସହିତ ଏସଡିଆରଏଫ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ରବିବାର ଭୋର ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଭୂସ୍ଖଳନ ଟନେଲ ପ୍ରବେଶ ପଥରୁ ସିଲ୍କିରା ଆଡକୁ ୨୦୦ମିଟର ଦୂରରେ ଘଟିଥିବାବେଳେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଗାଡି ପ୍ରବେଶ ଦ୍ୱାରରେ ୨୮୦୦ ମିଟର ତଳେ ଥିଲେ।

ଅଲୱେଜର ରୋଡ ପ୍ରୋଜେକ୍ଟ ଅଧୀନରେ ପ୍ରସ୍ତୁତ ଟନେଲର ଲମ୍ବ ୪.୫କିଲୋମିଟର। ଏଥିମଧ୍ୟରୁ ଚାରି କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ଟନେଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଥିଲା ସେପ୍ଟେମ୍ବର ୨୦୨୩, କିନ୍ତୁ ବର୍ତ୍ତମାନ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ

COASTAL NEWS ODIA 1437

ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ 



କୋରାପୁଟ: ଭଞ୍ଜ ବିହାରୀ ମହାନ୍ତି - ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ ହୋଇଛନ୍ତି। ୨ ଯୁବତୀଙ୍କ ସମେତ ୭ଜଣଙ୍କୁ ଟାଉନଥାନା ପୁଲିସ ଗିରଫ କରିଛି।। 

ପୂଜକଙ୍କ ଘରେ କାମ କରୁଥିବା ୨ ଯୁବତୀ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିବାବେଳେ ଲୁଟପାଟ ଉଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଘର ଭିତରେ ପଶି ହାତଗୋଡ଼ ବାନ୍ଧି ପୂଜକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଗିରଫ ଦୁଇ ଯୁବତୀ ହେଲେ ସହରର ହାଟପଦା ଅଞ୍ଚଳର ସରସ୍ବତୀ ଜାନୀ ଓ ରଥ ଶର୍ମା କଲୋନୀ ଅଞ୍ଚଳର ରମା ଗୌଡ଼ ହୋଇଥିବାବେଳେ ସେମାନଙ୍କ ୫ ଜଣ ପୁରୁଷ ବନ୍ଧୁ ହେଲେ ନାଳଚୁଆଁ ଗାଁର ପ୍ରତାପ ଟାକରି, ଇନ୍ଦିରା କଲୋନୀର କିଶାନ ବାଗ, ପିଏଚଡି କଲୋନୀର ନୀରଜ ବେନିଆ, ହାଟପଦା ଅଞ୍ଚଳର ମହେନ୍ଦ୍ର ପାଣିଗ୍ରାହୀ ଓ ମିଶନ କମ୍ପାଉଣ୍ଡ ଅଞ୍ଚଳର ଅଶୋକ ରାୟ ବୋଲି ଜଣାପଡ଼ିଛି।

ଏମାନେ ପୂଜକଙ୍କ ଘରେ କାମ କରୁଥିଲେ। ଏହାର ଫାଇଦା ଉଠାଇ ସେମାନେ ତାଙ୍କର ଆଉ ୫ ପୁରୁଷ ସହଯୋଗୀଙ୍କ ସହ ମିଶି ଗତ ୮ ତାରିଖରେ ପୂଜକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ଏମାନଙ୍କ ଠାରୁ ପୁଲିସ୍‌ ପୂଜକ ରମେଶଙ୍କ ଘରୁ ଲୁଟ କରାଯାଇଥିବା ନଗଦ ୧୫ ହଜାର ଟଙ୍କା, ସୁନା ଓ ରୂପା ଗହଣା, ୬ ଟି ମୋବାଇଲ, ଗୋଟାଏ ପୋଡ଼ା ହୋଇଥିବା ମୋବାଇଲ ଓ ଚାବି ପେନ୍ଥା ଜବତ କରିଛି ବୋଲି ସୂଚନା ଦେଇଛି।

ନିଆଁ ଲାଗି ୫ଟି ବସ୍‌ ପାଉଁଶ

COASTAL NEWS ODIA 1436

ନିଆଁ ଲାଗି ୫ଟି ବସ୍‌ ପାଉଁଶ



ଭୁବନେଶ୍ୱର - ଭଞ୍ଜ ବିହାରୀ ମହାନ୍ତି - ତମାଣ୍ଡୋରେ ଘଟିଛି ଅଘଟଣ। ଦୀପାବଳି ଅବସରରେ ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍‌ ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ଗ୍ୟାରେଜରେ ଥିବା ଅନେକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। 
ଭୁବନେଶ୍ୱର ତମାଣ୍ଡୋ ଛକ ପାଖ ପାତ୍ରପଡା HDFC ବ୍ୟାଙ୍କ ସାମ୍ନାରେ ଥିବା ଗ୍ୟାରେଜରେ ଏଭଳି ଅଘଟଣ ଘଟିଛି। ଗ୍ୟାରେଜରେ ଓଲଡିଂ ଚାଲିଥିବା ବେଳେ ହଠାତ୍‌ ଗୋଟିଏ ବସରେ ନିଆଁ ଲାଗି ଯାଉଥିଲା। ଏହାପରେ ଆଉ ୪ଟି ବସ୍‌କୁ ମଧ୍ୟ ନିଆଁ ମାଡ଼ି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ୪ଟି ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାପରେ ଦିନ ୧ରୁ ୪ଟା ଯାଏ ଅଗ୍ନିଶମ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। 

ଅଗ୍ନିକାଣ୍ତ ବେଳେ ବସ୍‌ଗୁଡ଼ିକରେ ଡିଜେଲ ଭର୍ତ୍ତି ହୋଇ ରହିଥିଲା। କିନ୍ତୁ ଅଗ୍ନିଶମ କର୍ମଚାରୀମାନେ ଠିକଣା ସମୟରେ ଏହାକୁ ଆୟତ୍ତ କରି ନେବାକୁ ଗୋଟିଏ ବଡ଼ ବିପଦ ଟଳି ଯାଇଛି। କାରଣ ଗ୍ୟାରେଜକୁ ଲାଗି ଅନେକ ଘର ଓ ସଂସ୍ଥା ରହିଛି। ଯଦି ଡିଜେଲ ଯୋଗୁ ବିସ୍ଫୋରଣ ହୋଇଥାଆନ୍ତା, ତା’ହେଲେ ନିଆଁ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଥିଲା। ତେବେ ଅଗ୍ନିଶମ କର୍ମଚରୀଙ୍କ ପରିଶ୍ରମ ଯୋଗୁ କୌଣସି ବଡ଼ ଅଘଟଣ ଘଟି ନାହିଁ। 

ବାଣ ମାର୍କେଟରେ ଲାଗିଲା ନିଆଁ

COASTAL NEWS ODIA 1435

ବାଣ ମାର୍କେଟରେ ଲାଗିଲା ନିଆଁ



ମଥୁରା: ଭଞ୍ଜ ବିହାରୀ ମହାନ୍ତି - ବାଣ ମାର୍କେଟରେ ଲାଗିଲା ନିଆଁ। ଏହି ନିଆଁ ପାଇଁ ୯ଜଣ ଗୁରୁତର ହୋଇଥିବା ବେଳେ ୭ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ରବିବାର ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଗୋପାଳବାଗ ଅଞ୍ଚଳରେ ଥିବା ଏକ ବାଣ ମାର୍କେଟରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି।

ସୂଚନା ପାଇବା ପରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା ନିଆଯାଇଥିବା ସୂଚନା ଦେଇଛି ପୁଲିସ। କର୍ତ୍ତୃପକ୍ଷଙ୍କ କହିବାନୁସାରେ, ପ୍ରଥମେ ଗୋଟିଏ ବାଣ ଦୋକାନରେ ନିଆଁ ଲାଗିଥିବା ବେଳେ ପରେ ଏହା ଅନ୍ୟ ୬ଟି ଦୋକାନକୁ ବ୍ୟାପିଥିଲା।

ପୁଲିସର କହିବା ମୁତାବକ, ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ହେଲେ ଏପର୍ଯ୍ୟନ୍ତ ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ। ପ୍ରଥମେ ଲାଗିଥିବା ଦୋକାନର ନିଆଁକୁ ଆୟତ୍ତ କରାଯାଇପାରିଥିଲେ, ଏହା ଅନ୍ୟ ଦୋକାନକୁ ବ୍ୟାପିନଥାନ୍ତା। ହେଲେ ଦୋକାନରେ ବାଣ ରଖାଯାଇଥିବାରୁ ଏହା ଖୁବ ସହଜରେ ୬ଟି ଦୋକାନକୁ ବ୍ୟାପି ଅଧିକ କ୍ଷତି କରିଛି। ଏବେ ଆହତଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବା ସହ ନିଆଁ ଲାଗିବାର କାରଣ ଖୋଜା ଚାଲିଛି।

ବିଶ୍ବକପ ଇତିହାସରେ ଭାରତର ଦ୍ବିତୀୟ ସର୍ବାଧିକ ସ୍କୋର

COASTAL NEWS ODIA 1434

ବିଶ୍ବକପ ଇତିହାସରେ ଭାରତର ଦ୍ବିତୀୟ ସର୍ବାଧିକ ସ୍କୋର


ବେଙ୍ଗାଲୁରୁ: ଭଞ୍ଜ ବିହାରୀ ମହାନ୍ତି - ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌ରେ ରବିବାର ଭାରତୀୟ ଟିମ୍‌ ଦମଦାର ପ୍ରଦର୍ଶନ କରିଛି। ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଦମଦାର ଶତକ ଏବଂ ରୋହିତ, ଶୁବମନ ଓ କୋହିଲିଙ୍କ ଅର୍ଦ୍ଧ ଶତକ ବଳରେ ନେଦରଲାଣ୍ଡସକୁ ୪୧୧ ରନର ଟାର୍ଗେଟ ଦେଇଛି ଭାରତ। 

୫୦ ଓଭରରେ ଭାରତର ସ୍କୋର ୪୧୦/୪ ରହିଥିବାବେଳେ ବିଶ୍ବକପ ଇତିହାସରେ ଭାରତର ଏହା ଦ୍ବିତୀୟ ସର୍ବାଧିକ ସ୍କୋର ବୋଲି ଜଣାପଡ଼ିଛି। ପୂର୍ବରୁ ବରମୁଡ଼ା ବିରୋଧରେ ବିଶ୍ବକପ-୨୦୦୭ରେ ଭାରତ ୪୧୩ ରନ୍‌ କରିପାରିଥିଲା। ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍‌ ହରାଇ ୪୧୦ ରନ୍‌ କରିଛି। ଫଳରେ ନେଦରଲାଣ୍ଡ୍‌ସକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୪୧୧ ରନ୍‌ର ଲକ୍ଷ୍ୟ ମିଳିଛି।

ଆଜି ଭାରତ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ୬୧ ଓ ଶୁବମନ୍‌ ଗିଲ ୫୧ ରନ ସଂଗ୍ରହ ସହ ପ୍ରଥମ ୱିକେଟ୍‌ରେ ଶତକୀୟ ରନ୍‌ ଭାଗିଦାରୀ କରିଥିଲେ। ଏହାପରେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ୨୦୮ ରନ୍‌ର ଭାଗିଦାରୀ ଭାରତକୁ ବିଶୋଳ ସ୍କୋର କରିବାରେ ସହାୟକ ହୋଇଥିଲା। ଶ୍ରେୟସ ଆୟର ଅପରାଜିତ ୧୨୮ ରନ୍‌ କରିଥିବାବେଳେ କେଏଲ୍‌ ରାହୁଲ ୧୦୨ ରନ୍‌ କରିଥିଲେ।

ନେଦରଲାଣ୍ଡସର ବାସ ଲିଡ୍ ୨ ୱିକେଟ ନେଇଥିବାବେଳେ ମେରୱେ ଏବଂ ମିକରିନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

COASTAL NEWS ODIA 1433

ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ



ରାଞ୍ଚି,୧୨।୧୧ :ଭଞ୍ଜ ବିହାରୀ ମହାନ୍ତି - ଦିଲ୍ଲୀ ଅଭିମୁଖେ ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିବା ପୁରୀ-ନୂଆଦିଲ୍ଲୀ ପୁରୋଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। 

ରିପୋର୍ଟ ଅନୁସାରେ ଝାଡଖଣ୍ଡର କୋଡରମା ଜିଲାରେ ଟ୍ରେନ ଲାଇନ ଉପରେ କୌଣସି କାରଣରୁ ଓଭରହେଡ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଫଳରେ ଟ୍ରେନରେ ବିଦ୍ୟୁତ ସଂଚରଣ ବନ୍ଦ ହୋଇ ଯାଇଥିଲା। ଏହାକୁ ଲୋକୋ ପାଇଲଟ ଜାଣିବାକୁ ପାଇଥିଲେ। ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ହଠାତ ବ୍ରେକ୍‌ ଲଗାଇଥିଲେ। ଏହାଯୋଗୁ ସୃଷ୍ଟି ହୋଇଥିବା ଧକ୍କାରେ ଟ୍ରେନର ୨ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଶନିବାର ମଧ୍ୟାହ୍ନ ୧୨ଟା ୦୫ରେ ଗୋମା ଏବଂ କୋଡରମା ରେଳ ଷ୍ଟେଶନ ମଧ୍ୟରେ ଥିବା ପରସାବାଦ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ଧାନବାଦ ରେଳ ଉପଖଣ୍ଡ ବରିଷ୍ଠ ବାଣିଜି୍ୟକ ପ୍ରବନ୍ଧକ ଅମରେଶ କୁମାର କହିଛନ୍ତି ଓଭରହେଡ ବିଦ୍ୟୁତ ସଂଚରଣ ହଠାତ ବନ୍ଦ ହୋଇ ଯିବାରୁ ଲୋକୋ ପାଇଲଟ ସୁରକ୍ଷା ଦୃଷ୍ଟିରୁ ବ୍ରେକ୍‌ ଲଗାଇଥିଲେ। ଟ୍ରେନର ବେଗ ଅଧିକ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସେ କହିଛନ୍ତି। 

ଦୁର୍ଘଟଣାର ୪ ଘଣ୍ଟା ପର୍ଯ୍ୟନ୍ତ ଏହି ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିଲା। ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ରେଳ ବିଭାଗ କହିଛି।
ତେବେ ଟ୍ରେନକୁ ଗୋମା ପର୍ଯ୍ୟନ୍ତ ଡିଜେଲ ଇଞ୍ଜିନ ଯୋଗେ ଅଣାଯାଇଥିଲା। ଏହା ପରେ ଦିଲ୍ଲୀ ଅଭିମୁଖେ ଟ୍ରେନକୁ ଇଲେକ୍ଟ୍ରିକ ଇଞ୍ଜିନରେ ପଠାଯାଇଥିଲା।

Saturday, November 11, 2023

୪ଟି ହାତ ଓ ୪ଟି ଗୋଡ଼ ସହ ଏକ ଚମତ୍କାର ଶିଶୁ

COASTAL NEWS ODIA 1431

୪ଟି ହାତ ଓ ୪ଟି ଗୋଡ଼ ସହ ଏକ ଚମତ୍କାର ଶିଶୁ 



ମିରଟ - ଭଞ୍ଜ ବିହାରୀ ମହାନ୍ତି - ବାପା ମା’ଙ୍କର ସନ୍ତାନ ଟିଏ ଜନ୍ମ ହେଲେ ତାଙ୍କ ଖୁସି କହିଲେ ନସରେ । ପ୍ରତ୍ୟେକ ବାପା ମା’ ପିଲାଙ୍କ ସୁସ୍ଥ ଜୀବନ କାମନା କରନ୍ତି । କିନ୍ତୁ ନିକଟରେ ଜଣେ ଦମ୍ପତିଙ୍କର ଏପରି ଏକ ସନ୍ତାନ ଜନ୍ମ ହୋଇଛି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଶିଶୁ ଟି କୌଣସି ସାଧାରଣ ଶିଶୁ ଭାବେ ଜନ୍ମ ହୋଇନି । ଦମ୍ପତିଙ୍କର ଏହି ଶିଶୁଟି ଏକାଥରେ ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । 

ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କାରଣ ସାଧାରଣ ଶିଶୁମାନଙ୍କର ଦୁଇଟି ଗୋଡ଼ ଓ ଦୁଇଟି ହାତ ଥାଏ କିନ୍ତୁ ଏହି ଶିଶୁଟି ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । ମହମ୍ମଦ ଇରଫାନ ଏବଂ ରୁକସାନାଙ୍କର ଏଭଳି ଏକ ଅସାଧାରଣ ଶିଶୁ ଜନ୍ମ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଗାଁ ଲୋକେ ନିଜ ଆଖିକୁ ବିଶ୍ୱାସ କରି ପାରୁ ନାହାନ୍ତି ଏବଂ ଶିଶୁଟି କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି ଚର୍ଚ୍ଚା ଚାଲିଛି ।

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଘଟିଥିବା ଜଣା ପଡ଼ିଛି । ଏଠାକାର ଜଣେ ମହିଳା ଚାରି ହାତ ଏବଂ ଚାରି ଗୋଡ଼ ସହ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ଯାହାର ଚିକିତ୍ସା ମିରଟ ମେଡିକାଲ କଲେଜରେ କରାଯାଉଛି । ମେଡିକାଲ କଲେଜର ମିଡିଆ ଦାୟିତ୍ୱରେ ଥିବା ଡକ୍ଟର ଭି.ଡି ପାଣ୍ଡେ କହିଛନ୍ତି ଯେ ନଭେମ୍ବର ୬ ରେ ମୁଜାଫରନଗରରେ ଏହି ଦମ୍ପତିଙ୍କର ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା । ପିଲାଟି ଜନ୍ମ ହେବା ପରେ ଜଣା ପଡ଼ିଥିଲା ଯେ ନବଜାତ ଶିଶୁର ଚାରିଟି ହାତ ଏବଂ ୪ଟି ଗୋଡ ରହିଛି ।

ରିପୋର୍ଟ ଅନୁଯାୟୀ, ମହିଳା ଜଣକ ନିଜ ଘରେ ହିଁ ଏଭଳି ଅସାଧାରଣ ସନ୍ତାନକୁ ଜନ୍ମ ଦେଇଥିଲେ । ପିଲାଟିର ୪ ହାତ ଏବଂ ୪ ଗୋଡ ଥିବା ଦେଖି ପରିବାର ସଦସ୍ୟ ଚିନ୍ତାରେ ପଡ଼ି ଯାଇଥିଲେ ଏବଂ ପିଲାକୁ ନେଇ ମୁଜାଫରନଗର ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେଠାରୁ ତାକୁ ମିରଟ ମେଡିକାଲ କଲେଜକୁ ପଠାଯାଇଥିଲା । ଯେଉଁଠାରେ ତାର ଚିକିତ୍ସା କରାଯାଉଛି । ମିରଟ ମେଡିକାଲ କଲେଜର ଡାକ୍ତର ନବରତ୍ନ ଗୁପ୍ତା କହିଛନ୍ତି ଯେ ଏଭଳି ଅନେକ ଘଟଣା ପୂର୍ବରୁ ମଧ୍ୟ ଆସିଛି ।

ଡାକ୍ତର ନବରତ୍ନ ଗୁପ୍ତାଙ୍କ କହିବା ଅନୁସାରେ ହସ୍ପିଟାଲରେ ଆଡମିଟ ହେବା ପରେ ଶିଶୁର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା । ତାକୁ ଏକ ଟ୍ୟୁବ୍‌ ସାହାଯ୍ୟରେ ଖାଇବାକୁ ଦିଆଯାଇଥିଲା । ତାର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ ଅଛି । ଡାକ୍ତର ଗୁପ୍ତାଙ୍କ କହିବା ଅନୁସାରେ ଏହି ସମସ୍ୟାଟି ହେଉଛି କୋଜଏନ୍ଡ ଟ୍ଵିନ୍ସ, ଯେଉଁଥିରେ ଦୁଇଟି ଶିଶୁ ପରସ୍ପର ସହ ଯୋଡ଼ି ହୋଇ ଯାଇଥାନ୍ତି ଏବଂ ମା’ର ଗର୍ଭାଶୟରେ ବଢ଼ିଥାନ୍ତି । ଏହି କାରଣରୁ ନବଜାତ ଶିଶୁଟି ଚାରି ଗୋଡ ଏବଂ ଚାରି ହାତ ସହିତ ଜନ୍ମ ହୋଇଛି । ତେବେ ପିଲାଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

ଯଦି ଶିଶୁ ଠିକ୍‌ ରୁହେ ତେବେ ସର୍ଜରୀ ଦ୍ୱାରା ଶିଶୁର ଅନ୍ୟ ଦୁଇଟି ହାତ ଏବଂ ଗୋଡ଼କୁ ଅଲଗା କରାଯିବ । ଅନ୍ୟପଟେ ଶିଶୁର ଅଲଟ୍ରାସାଉଣ୍ଟ ହୋଇନଥିବାରୁ ଶିଶୁର ଏଭଳି ଅବସ୍ଥା ବିଷୟରେ ଜଣା ପଡ଼ିନଥିଲା । ଯେଉଁଥିପାଇଁ ଶିଶୁଟି ଏଭଳି ଭାବେ ଜନ୍ମ ହୋଇଛି ।

ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା

COASTAL NEWS ODIA 1431

ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା

 

ଗୁଜରାଟ - ଭଞ୍ଜ ବିହାରୀ ମହାନ୍ତି - ଗୁଜରାଟର ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା ଦେଖିବାକୁ ମିଳିଛି। ଛଟ ପୂଜା ଓ ଦୀପାବଳି ପାଇଁ ରେଳ ଷ୍ଟେଟସନରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଏପରି ଅଘଟଣ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ଦୀପାବଳି ଥିବାରୁ ଆଜି ହଜାର ହଜାର ଲୋକ ସୁରତ ଷ୍ଟେସନରେ ନିଜ ନିଜ ରାଜ୍ୟକୁ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ। ଅସମ୍ଭାଳ ଭିଡ଼ ଭିତରେ ଲୋକମାନେ ପରସ୍ପରକୁ ଠେଲାପେଲା କରି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ପ୍ରବଳ ଭିଡ଼ ଯୋଗୁ ଅଚେତ ହୋଇ ଯାଇଥିଲେ। ସେହିପରି କିଛି ଲୋକ ତଳେ ପଡ଼ି ଆହତ ମଧ୍ୟ ହୋଇଛନ୍ତି। ରେଳବାଇ ପୁଲିସ୍‌ ଓ ଅନ୍ୟ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲେ। ଏଥିସହ ଆହତମାନଙ୍କୁ ଉପଯୁକ୍ତ ମେଡିକାଲ ସୁବିଧା ମଧ୍ୟ ଯୋଗାଇ ଦେଇଥିଲେ।

କିଛି ଆହତ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ହସ୍ପିଟାଲ ଯାଇ ସୁରତ ସାଂସଦ ତଥା ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ଜାରଦୋଶ ଭେଟିଛନ୍ତି।

ପାର୍ବଣ ଋତୁ ଚାଲିଥିବାରୁ ରେଳବାଇ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ସେହିପରି ଅଧିକ ସଂଖ୍ୟକ ଫୋର୍ସକୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ମୁତୟନ କରାଯାଇଛି। ତଥାପି ସୁରତ ଭଳି ଗୋଟିଏ ଜନଗହଳୀପୂର୍ଣ୍ଣ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଯୋଗୁ ଦଳଚକଟା ସ୍ଥିତି ଦେଖିବାକୁ ମିଳିଛି।

ମୁଖ୍ୟ ପିଆରଓ ସୁମିତ ଠାକୋର କହିଛନ୍ତି, “ପାର୍ବଣ ଋତୁକୁ ନଜର ରଖି ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ୪୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନଗୁଡ଼ିକ ମୁମ୍ବାଇ, ଗୁଜରାଟ ଓ ମଧ୍ୟପ୍ରଦେଶ ମଧ୍ୟରେ ଯାତାୟାତ କରୁଛନ୍ତି। ଇତି ମଧ୍ୟରେ ପ୍ରାୟ ୭ ଲକ୍ଷ ଲୋକ ଏହି ଟ୍ରେନଗୁଡ଼ିକରେ ଯାତ୍ରା କରି ସାରିଲେଣି। ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୬୫ ଆରପିଏଫ ଓ ଜିଆପି ଯବାନମାନଙ୍କୁ ସୁରତ ଷ୍ଟେସନରେ ମୁତୟନ କରାଯାଇଛି। ସେହିପରି ଅତିରିକ୍ତ କାଉଣ୍ଟର ମଧ୍ୟ ଖୋଲା ଯାଇଛି।”

ରେଳ ବାଇ ଏତେ ପ୍ରକାରର ସବୁ ବ୍ୟବସ୍ଥା କରିଥିବା ବେଳେ ସୁରତ ଷ୍ଟେସନରେ କେମିତି ଏତେ ବଡ଼ ଅଘଟଣ ଘଟିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ପରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆଳି ଗାନ୍ଧି ସହଦେବ ଦାସଙ୍କ ଜୟନ୍ତୀ ଅବସରରେ ନୂଆଗାଁ ଓ ନିଆଳଠାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

COASTAL NEWS ODIA 1430

ଆଳି ଗାନ୍ଧି ସହଦେବ ଦାସଙ୍କ ଜୟନ୍ତୀ ଅବସରରେ ନୂଆଗାଁ ଓ ନିଆଳଠାରେ  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ 



ଆଳି, ୧୦/୧୧( CNO ) : ଆଳି ରତ୍ନ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ବିଧାୟକ ବିଶିଷ୍ଟ ସମାଜସେବୀ ତଥା ଆଳି ଗାନ୍ଧି ରୂପେ ପରିଚିତ ସ୍ଵର୍ଗତ ସହଦେବ ଦାସଙ୍କ ୧୨୪ତମ ଜୟନ୍ତୀ ପାଳିତ ହୋଇଯାଇଛି।ପ୍ରଥମେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ନୂଆଗାଁ ଉଚ୍ଚ ମୌଳିକ ବିଦ୍ୟାଳୟରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ତାଙ୍କ ସମାଧି ପୀଠକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ରାମଧୁନ ଗାନ କରାଯାଇଥିଲା। 

ଏହା ପରେ ବଡ଼ାମ୍ବିଳା ପଞ୍ଚାୟତ କାର୍ଯ୍ୟାଳୟରେ ମାଲ୍ୟାର୍ପଣ କରାଯିବା ସହ ନିଆଳଠାରେ ପ୍ରତିଷ୍ଠିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ଦାଶ, ଭରତ ସେଠୀ, ବିଜୟ ମହି, ରବୀନ୍ଦ୍ର ମହାନ୍ତି, ସ୍ମୃତି ସଂସଦ ସଭାପତି ଗୋବିନ୍ଦ ନନ୍ଦ, ସମ୍ପାଦକ ବିରେନ୍ଦ୍ର ପଣ୍ଡା, ରବୀନ୍ଦ୍ର ବେହେରା, ବିଦ୍ୟାଧର ପଣ୍ଡା, ବୃନ୍ଦାବନ ପଣ୍ଡା, ମଧୁସୂଦନ ଦାସ, ତ୍ରୈ ଲାକ୍ୟନାଥ ପଣ୍ଡା, ଆଦିକନ୍ଦ ପଣ୍ଡା, ରଞ୍ଜନ ମହାନ୍ତି, ଧନେଶ୍ଵର ରାଉତ, ସହଦେବ ସିଂ ଓ ଦର୍ପ ନାରାୟଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଯାତ୍ରୀବାହୀ ବସ୍‌ରେ ବାଣ ନେଉଥିଲେ ହୋଇଯାନ୍ତୁ ସାବଧାନ

COASTAL NEWS ODIA

 ଯାତ୍ରୀବାହୀ ବସ୍‌ରେ ବାଣ ନେଉଥିଲେ ହୋଇଯାନ୍ତୁ ସାବଧାନ



 
ଭୁବନେଶ୍ୱର,୧୧।୧୧: ଭଞ୍ଜ ବିହାରୀ ମହାନ୍ତି - ଏଣିକି ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏ ନେଇ ଚେତାବନୀ ଦିଆଯାଇଛି। ଶନିବାର ଭୁବନେଶ୍ୱର ଡେପୁଟି ଅଗ୍ନିଶମ ଅଧିକାରୀ ଅବନୀ ସ୍ବାଇଁ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି।

ପଶ୍ଚିମବଙ୍ଗର ଖଡ଼ଗ୍‌ପୁର ବସ୍‌ରେ ଶନିବାର ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶା ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ ଚେତିଛନ୍ତି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...