AFFILIATE MARKETING

https://binomo.com?a=90810425bb57&t=0

Sunday, November 12, 2023

ଶ୍ରୀନଗରର ଡାଲ ଲେକ୍‌ରେ ବଡ଼ ଅଘଟଣ

COASTAL NEWS ODIA 1443

ଶ୍ରୀନଗରର ଡାଲ ଲେକ୍‌ରେ  ବଡ଼ ଅଘଟଣ



ଶ୍ରୀନଗର - ଭଞ୍ଜ ବିହାରୀ ମହାନ୍ତି - ଶ୍ରୀନଗରର ଡାଲ ଲେକ୍‌ରେ  ବଡ଼ ଅଘଟଣ ଘଟିଛି। ଏଠାରେ ଥିବା ଅନେକ ହାଉସ ବୋଟ୍‌ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଏହି ପୋଡ଼ା ହାଉସ ବୋଟ ଭିତରୁ ୩ ଜଣ ପର୍ଯ୍ୟଟକଙ୍କ ମୃତଦେହ ମିଳିଛି। ପ୍ରଶାସନ ଏବେ ମୃତକଙ୍କ ପରିଚୟ ଖୋଜିବାରେ ଲାଗିଛି।

୩ ମୃତକଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା। ହେଲେ ତୃତୀୟ ମୃତକଙ୍କ ଲିଙ୍ଗ ଏଯାଏ ଜଣାପଡ଼ିନି। କାରଣ ନିଆଁରେ ମୃତଦେହ ଗୁଡ଼ିକ ପୂରା ପୋଡ଼ି ଯାଇଛି। ସେହିପରି ଅଗ୍ନିକାଣ୍ଡ ଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ନିଆଁରେ ୫ଟି ହାଉସ ବୋଟ ଓ ଏହାକୁ ଲାଗି ରହିଥିବା ସମାନ ସଂଖ୍ୟକ ମାଟିର ଘର ମଧ୍ୟ ପାଉଁଶ ହୋଇଯାଇଛି।

ଅଗ୍ନିଶମ ସେବାର ଷ୍ଟେସନ ହାଉସ ଅଫିସର ଫାରୁକ ଅହମଦ କହିଛନ୍ତି, ନିଆଁ ଲାଗିବା ମାତ୍ରେ ଆମକୁ ଖବର ମିଳିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଅଗ୍ନିକାଣ୍ଡ ବେଳେ ଅନେକ ପର୍ଯ୍ୟଟକ ବିଭିନ୍ନ ହାଉସ ବୋଟରେ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଲୋକ କମ ପଡ଼ିବାରୁ ଶ୍ରୀନଗରରେ ଥିବା ଜିଲ୍ଲା ମୁଖ୍ୟାଳୟରୁ ମଧ୍ୟ ଅନେକ କର୍ମଚାରୀଙ୍କ ଘଟଣାସ୍ଥଳକୁ ଅଣା ଯାଇଥିବା ସେ କହିଛନ୍ତି।

ପ୍ରଥମେ ଗୋଟିଏ ହାଉସ ବୋଟରେ ନିଆଁ ଲାଗିଥିଲା। ଏହାପରେ ଅନ୍ୟ ହାଉସ ବୋଟ ଓ ମାଟି ଘରକୁ ଏହା ବ୍ୟାପି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନାହିଁ।

ମୃତ ଘୋଷିତ ବାଳକ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର

COASTAL NEWS ODIA 1442

ମୃତ ଘୋଷିତ ବାଳକ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର


ନୂଆଦିଲ୍ଲୀ: ଭଞ୍ଜ ବିହାରୀ ମହାନ୍ତି - ଉତ୍ତର ପ୍ରଦେଶର ଜଣେ ମୃତ ଘୋଷିତ ବାଳକ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହୋଇ ନିଜେ ଜୀବିତ ଓ ସୁସ୍ଥ ଅଛି ବୋଲି କହିଛି। ଶନିବାର ପିଲ୍‌ଭିଟ୍‌ର ଏହି ବାଳକ ଅଭୟ ସିଂହ ତା’ର ହତ୍ୟା ସମ୍ପର୍କିତ ମାମଲାର ବିଚାର ସମୟରେ ବାଳକ ହାଜର ହୋଇ ନିଜେ ବଞ୍ଚିଥିବା ଦର୍ଶାଇଛି। ଅଭୟ ଶନିବାର ସର୍ବୋଚ୍ଚ ନ୍ୟାୟାଳୟରେ ସଶରୀର ହାଜର ପରେ ସେ ଜୀବିତ ଥିବା ଅଦାଲତଙ୍କ ହୃଦୟଙ୍ଗମ ହୋଇଛି। ଅଭୟ ଓ ତା’ର ଅଜାଙ୍କ ବିରୋଧରେ ପରବର୍ତ୍ତା ଆଦେଶ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ, ୧୧ ବର୍ଷୀୟ ଅଭୟକୁ ତା’ର ଅଜା ହତ୍ୟା କରିଥିବା ବାପା ଅଭିଯୋଗ କରିଥିଲେ। ଅଭୟ ବଞ୍ଚିଥିବା ପ୍ରମାଣ କରିବା ଓ ତା’ର ହତ୍ୟା ମାମଲା ବନ୍ଦ କରିବାକୁ ବହୁ ଉଦ୍ୟମ କରି ମଧ୍ୟ ବିଫଳ ରହିଥିଲା। ଏମିତିକି ସେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟରୁ ମଧ୍ୟ ନ୍ୟାୟ ପାଇନଥିଲା। ତା’ର ଆବେଦନ ସେଠାରେ ଖାରଜ ହୋଇଯିବା ପରେ ଅଭୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲା। ସେ ଅଜାଙ୍କ ସହିତ ରହିବାକୁ ଚାହୁଁଥିବା ଅଦାଲତକୁ ଜଣାଇଛି। 

ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କଠାରୁ ରିପୋର୍ଟ ତଳବ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଭୟର ମା’ଙ୍କୁ ବାପା ଯୌତୁକ ନିର୍ଯାତନା ଦେଉଥିଲେ। ସେଥିପାଇଁ ମା’ ନିଜ ଘରେ ୨୦୧୩ରୁ ରହୁଥିଲେ। ଅଜାଙ୍କୁ ଦୋଷୀ ଦର୍ଶାଇବା ପାଇଁ ଅଭୟର ବାପା ମିଛ ହତ୍ୟା ଅଭିଯୋଗ ଆଣିଥିଲେ।

ଶୁକ୍ର ଗ୍ରହରେ ଅମ୍ଳଜାନ

COASTAL NEWS ODIA 1441

ଶୁକ୍ର ଗ୍ରହରେ ଅମ୍ଳଜାନ



ହାୱାଇ - (ଭଞ୍ଜ ବିହାରୀ ମହାନ୍ତି) ପୃଥିବୀପୃଷ୍ଠରେ ମନୁଷ୍ୟ ସମେତ ପ୍ରାୟ ସମସ୍ତ ପ୍ରାଣୀ ଜୀବିତ ରହିବାକୁ ଅମ୍ଳଜାନ ଉପରେ ନିର୍ଭର କରନ୍ତି। ସୌରମଣ୍ଡଳରେ ଥିବା ଅନ୍ୟ ଏକ ଗ୍ରହ ଶୁକ୍ର ବାୟୁମଣ୍ଡଳରେ କିନ୍ତୁ ୯୬.୫% ଅଙ୍ଗାରକାମ୍ଳ ଅଛି। ସେଠାରେ ଅଳ୍ପ ପରିମାଣର ନାଇଟ୍ରୋଜେନ ଏବଂ ଅନ୍ୟାନ୍ୟ ଗ୍ୟାସ୍‌ ଥିବାବେଳେ କିନ୍ତୁ ଅମ୍ଳଜାନ ପ୍ରାୟ କେଉଁଠାରେ ନଥିବା ଅନୁମାନ କରାଯାଉଥିଲା। ବୈଜ୍ଞାନିକମାନେ ପୂର୍ବରୁ ଶୁକ୍ର ଗ୍ରହ ଉପରେ ଏତେଟା ଧ୍ୟାନ ଦେଇନଥିବାରୁ ସେହି ଗ୍ରହ ସମ୍ପର୍କିତ ବିଶେଷ ତଥ୍ୟ ହସ୍ତଗତ ହୋଇନଥିଲା।

ହାୱାଇରେ ବୈଜ୍ଞାନିକମାନେ ସୋଫିଆ ବାୟୁବାହୀ ପର୍ୟ୍ୟବେକ୍ଷଣକାରୀରେ ଏକ ସ୍ୱତନ୍ତ୍ର ଏକ ଇନଫ୍ରାରେଡ୍ ଟେଲିସ୍କୋପ ବ୍ୟବହାର କରିଛନ୍ତି। ଏହି ପର୍ୟ୍ୟବେକ୍ଷଣକାରୀ ନାସା ଏବଂ ଜର୍ମାନ ଏରୋସ୍ପେସ୍ କେନ୍ଦ୍ର ମଧ୍ୟରେ ଏକ ସହଯୋଗୀ ଭାବେ କାର୍ଯ୍ୟ କରିଥାଏ ଯାହା ପ୍ରଥମ ଥର ପାଇଁ ଶୁକ୍ରରେ ସିଧାସଳଖ ଅମ୍ଳଜାନ ଚିହ୍ନଟ କରିଛି। ସମସ୍ତେ ଏହା ବି ଜାଣିବା ଜରୁରୀ ଯେ ଏହି ପାରମାଣବିକ ଅମ୍ଳଜାନ ଆମେ ନିଶ୍ୱାସ ନେଉଥିବା ଅମ୍ଳଜାନ ସହିତ ସମାନ ନୁହେଁ।

ସୌରମଣ୍ଡଳରେ ଦ୍ବିତୀୟ ଗ୍ରହ ଶୁକ୍ର। ସେଠିକା ବାୟୁମଣ୍ଡଳରେ ଦିନବେଳା ଅମ୍ଳଜାନ ସୃଷ୍ଟି ହୁଏ, ଯେତେବେଳେ ସୂର୍ୟ୍ୟର ଅତିବାଇଗଣି ରଶ୍ମି ଅଙ୍ଗାରକାମ୍ଳ ଏବଂ କାର୍ବନ ମନୋକ୍ସାଇଡ୍ ଭାଙ୍ଗି ଅମ୍ଳଜାନ ପରମାଣୁ ଏବଂ ଅନ୍ୟାନ୍ୟ ପଦାର୍ଥ ସୃଷ୍ଟି କରେ। ଶୁକ୍ରରେ ମେଘର ଏକ ସ୍ତର ଅଛି ଯେଉଁଥିରେ ସଲଫୁରିକ୍ ଏସିଡ୍ ଥାଏ, ଯାହା ଏହାର ପୃଷ୍ଠରୁ ପ୍ରାୟ ୪୦ମାଇଲ ପର୍ୟ୍ୟନ୍ତ ବିସ୍ତାର କରିଛି। ପୂର୍ବରୁ, ଶୁକ୍ର ଗ୍ରହରେ ଅମ୍ଳଜାନ ଖୋଜିବା ପାଇଁ ବୈଜ୍ଞାନିକମାନେ ପରୋକ୍ଷ ପଦ୍ଧତି ବ୍ୟବହାର କରିଥିଲେ। ସେମାନେ ଫଟୋକେମିକାଲ୍ ମଡେଲ ସହିତ ଅନ୍ୟ ଅଣୁଗୁଡ଼ିକର ମାପ ଉପରେ ନିର୍ଭର କରି ଅନୁସନ୍ଧାନ ଚଳାଇଥିଲେ। ଶୁକ୍ର ପୃଥିବୀଠାରୁ ଆକାରରେ ଛୋଟ, ଏହାର ବ୍ୟାସ ପ୍ରାୟ ୭,୫୦୦ ମାଇଲ। ଆମର ସୌର ପ୍ରଣାଳୀରେ ପୃଥିବୀ ‘ବାସଯୋଗ୍ୟ ସ୍ଥଳ’ ରେ ଅବସ୍ଥିତ।

ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ କହି ଠକେଇ ଅଭିଯୋଗରେ ଯୁବକ ଗିରଫ

COASTAL NEWS ODIA 1440

ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ କହି ଠକେଇ ଅଭିଯୋଗରେ ଯୁବକ ଗିରଫ 



କଟକ - ଭଞ୍ଜ ବିହାରୀ ମହାନ୍ତି - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ଓ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଭଣଜା ବୋଲି ନିଜକୁ ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗରେ କଟକ ସାଇବର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସଂପୃକ୍ତ ଯୁବକଙ୍କ ନାଁ ସନ୍ତୋଷ ମହୁରୀ। ତାଙ୍କ ଘର ବ୍ରହ୍ମପୁରରେ।

ବେକାର ଯୁବକ ଯୁବତୀଙ୍କୁ ରେଲୱେ, ଡିଆରଡିଓ, ଆଇଓସିଏଲ ଓ ପ୍ରତିରକ୍ଷା ଆଦି ବିଭାଗରେ ଚାକିରି କରାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ସେ ପ୍ରାୟ ୬୦ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା। ମିଛ କହି କଟକର ୭ ଜଣଙ୍କୁ ଏଭଳି ଚୁନା ଲଗାଇଥିଲେ ସନ୍ତୋଷ। ଅଭିଯୋଗର ତଦନ୍ତ କରି ପୁଲିସ ତାଙ୍କୁ ଗିରଫ କରିଛି।

ସନ୍ତୋଷଙ୍କଠାରୁ ଡିଆରଡିଓ ଓ ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦି ଜବତ କରିଛି ପୁଲିସ।

କିଛି ମାସ ପୂର୍ବରୁ ସନ୍ତୋଷ କଟକର ଜଣେ ସାଧୁଙ୍କ ସଂସ୍ପର୍ଶରେ ଆସିଥିଲା। ଏହାପରେ ସେହି ସାଧୁବାବାଙ୍କ ଆଶ୍ରମକୁ ଆସୁଥିବା ଲୋକଙ୍କୁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ଓ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ବୋଲି ପରିଚୟ ଦେଉଥିଲେ ଏବଂ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ପାରିବେ ବୋଲି କହୁଥିଲେ।

ଚାକିରି ଦେବା ଆଳରେ ୭ ଜଣଙ୍କ ଠାରୁ ସନ୍ତୋଷ ମୋଟ ୬୦ ଲକ୍ଷ ଟଙ୍କା ନେଇ ସମସ୍ତଙ୍କୁ ଜାଲ ପ୍ରମାଣ ପତ୍ର ଦେଇ ଫେରାର ହୋଇଯାଇଥିଲେ।ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗାଁ ଲୋକେ ନିଜ ଉଦ୍ୟମରେ ତିଆରି କଲେ ବାଉଁଶ ପୋଲ

COASTAL NEWS ODIA 1439

ଗାଁ ଲୋକେ ନିଜ ଉଦ୍ୟମରେ ତିଆରି କଲେ ବାଉଁଶ ପୋଲ



କୁଳିଅଣା - ଭଞ୍ଜ ବିହାରୀ ମହାନ୍ତି - ଅଭିଯୋଗ କରି କରି ଥକି ଗଲେ। କିନ୍ତୁ ଶୁଣିଲାନି ପ୍ରଶାସନ। ଫଳରେ ଗାଁ ଲୋକେ ନିଜ ଉଦ୍ୟମରେ ତିଆରି କଲେ ବାଉଁଶ ପୋଲ। ସରକାରୀ ଅବହେଳାର ଏମିତି ଏକ ନମୂନା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକର ମୁଣ୍ଡାକଟା ଗାଁରେ।

ଏହି ଗାଁରେ ପ୍ରାୟ ୨୦୦ ଲୋକ ବସବାସ କରନ୍ତି। ସମସ୍ତେ ପ୍ରାୟ ଦିନ ମଜୁରିଆ। ଏହି ଗାଁରୁ ଖଇରବଣି, ପୁରୁଣାପାଣି, କୋରକୋଚିଆ ଓ ବୈଦପୁରକୁ ସଂଯୋଗ କରୁଥିଲା ଏକ ପୋଲ। ଦୀର୍ଘ ୮/୧୦ ବର୍ଷ ହେବ ପୋଲଟି ଭାଙ୍ଗି ଯାଇଛି। ତେଣୁ ଏହି ରାସ୍ତାରେ ଯା’ଆସ କରିବାରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲ ଯିବାରେ ସମସ୍ୟା ହେଉଛି। ଗାଁକୁ ଆମ୍ବୁଲାନ୍ସ ବା କୌଣସି ଗାଡ଼ିମୋଟର ଆସିପାରୁନି।

ପୋଲଟିଏ ନିର୍ମାଣ କରିବା ପାଇଁ ମୁଣ୍ଡାକଟା ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର କହିଥିଲେ। ହେଲେ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ନିଜସ୍ୱ ଉଦ୍ୟମରେ ଏକ ବାଉଁଶ ପୋଲ ତିଆରି କରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ।

ଗ୍ରାମବାସୀ ଏକାଠି ହୋଇ ଚାନ୍ଦା ଆଦାୟ କରିଥିଲେ। ପରେ କାଠ ଗଣ୍ଡି ଓ ବାଉଁଶ ଆଦି ଆଣି ପୋଲ କାମ ଆରମ୍ଭ କରିଥିଲେ। ପୋଲ ତିଆରି କରିବା ପାଇଁ ସେମାନଙ୍କୁ ୭ ଦିନ ଲାଗିଥିଲା।

ମୁଣ୍ଡାକଟାର ବାସିନ୍ଦା  କହିଛନ୍ତି, ଏଇ ରାସ୍ତା ଦେଇ ଆମେ ସବୁ ଦିନେ ଯା’ଆସ କରୁ। ଗାଁର ଛାତ୍ରଛାତ୍ରୀମାନେ ଏହି ବାଟ ଦେଇ ପୁରୁଣାପାଣିରେ ଥିବା ସ୍କୁଲକୁ ଯାଆନ୍ତି। କିନ୍ତୁ ପୋଲଟି ଭୁଶୁଡ଼ି ପଡ଼ିବା ପରେ ନୂଆ ପୋଲ କରିଗଲା ନାହିଁ। ଯେତେ ଦାବି କଲେ ମଧ୍ୟ କେହି କିଛି ଶୁଣିଲେନି। ତେଣୁ ବାଧ୍ୟ ହୋଇ ଗାଁ ଲୋକ ଏକାଠି ହୋଇ ବାଉଁଶ ପୋଲ ତିଆରି କରିଛୁ।

ପୁରୁଣା ପୋଲ ଭୁଶୁଡ଼ି ପଡ଼ିବା ପରେ ଏହି ବାଟରେ ଲୋକେ ପାଣି, କାଦୁଆରେ ପଶି ଯା’ଆସ କରିବାକୁ ବାଧ୍ୟ ହେଉଥିଲେ। ଏବେ ଅସ୍ଥାୟୀ ପୋଲ ହୋଇଥିବାରୁ ଲୋକେ ଅପେକ୍ଷାକୃତ ଭଲରେ ଯିବାଆସିବା କରିପାରୁଛନ୍ତି। ତେବେ ଆଗକୁ ସ୍ଥାୟୀ ପୋଲ ନିର୍ମାଣ ନେଇ ସରକାର ପଦକ୍ଷେପ ନନେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି l
ମୁଣ୍ଡାକଟା ଗାଁଟି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଯାଉଛି। ରାଜ୍ୟ ସରକାର ଗାଁକୁ ଭଲ ରାସ୍ତା, ବିଜୁ ସେତୁ ଯୋଜନା ଆଦିର ଡିଣ୍ଡିମ ପିଟୁଥିବା ବେଳେ ମୁଣ୍ଡାକଟା ଗାଁ ଉପରେ ଏତେ ବର୍ଷ ହୋଇଗଲାଣି କାହିଁକି ନଜର ଦେଇ ନାହାନ୍ତି ବୋଲି ପ୍ରଶ୍ନ ଉଠିଛି। ସରକାର ଓ ପ୍ରଶାସନ ଏବେ ସଜାଗ ହେବେ ନା ସେମିତି ହାତ ବାନ୍ଧି ବସି ରହିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ନିର୍ମାଣାଧୀନ ଟନେଲ ଭିତରେ ଏକ ଭୂସ୍ଖଳନ

COASTAL NEWS ODIA 1438

ନିର୍ମାଣାଧୀନ ଟନେଲ ଭିତରେ ଏକ ଭୂସ୍ଖଳନ 



ଡେରାଡୁନ,୧୨।୧୧: ଭଞ୍ଜ ବିହାରୀ ମହାନ୍ତି- ଉତ୍ତରାଖଣ୍ଡର ୟମୁନେତ୍ରି ଜାତୀୟ ରାଜପଥରେ ସିଲ୍କିରା ଠାରୁ ଡାଣ୍ଡାଲଗାଓଁ ପର୍ଯ୍ୟନ୍ତ ନିର୍ମାଣାଧୀନ ଟନେଲ ଭିତରେ ଏକ ଭୂସ୍ଖଳନ ଘଟିଛି। ନାଭିୟୁଗା କମ୍ପାନୀ ଦ୍ୱାରା ଏହି ଟନେଲ ନିର୍ମାଣ କରାଯାଉଛି। କୁହାଯାଉଛି ୪୦ ରୁ ଅଧିକ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି। ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଏହା ନିଶ୍ଚିତ କରିଛି। ଯଦିଓ ଟନେଲ ଭିତରେ କେତେ ଶ୍ରମିକ ଫସି ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଆବର୍ଜନା ହଟାଇବା କାମ କମ୍ପାନୀ ଦ୍ୱାରା କରାଯାଉଛି। ଘଟଣାସ୍ଥଳରେ ପାଞ୍ଚଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି।

ଏଡିଜି ଆଇନ ଏବଂ ଅର୍ଡର ଏପି ଅଶୁଂମାନ କହିଛନ୍ତି ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ଖବର ମିଳିନାହିଁ। ପୋଲିସ ଫୋର୍ସ ସହିତ ଏସଡିଆରଏଫ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ରବିବାର ଭୋର ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଭୂସ୍ଖଳନ ଟନେଲ ପ୍ରବେଶ ପଥରୁ ସିଲ୍କିରା ଆଡକୁ ୨୦୦ମିଟର ଦୂରରେ ଘଟିଥିବାବେଳେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଗାଡି ପ୍ରବେଶ ଦ୍ୱାରରେ ୨୮୦୦ ମିଟର ତଳେ ଥିଲେ।

ଅଲୱେଜର ରୋଡ ପ୍ରୋଜେକ୍ଟ ଅଧୀନରେ ପ୍ରସ୍ତୁତ ଟନେଲର ଲମ୍ବ ୪.୫କିଲୋମିଟର। ଏଥିମଧ୍ୟରୁ ଚାରି କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ଟନେଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଥିଲା ସେପ୍ଟେମ୍ବର ୨୦୨୩, କିନ୍ତୁ ବର୍ତ୍ତମାନ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ

COASTAL NEWS ODIA 1437

ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ 



କୋରାପୁଟ: ଭଞ୍ଜ ବିହାରୀ ମହାନ୍ତି - ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ ହୋଇଛନ୍ତି। ୨ ଯୁବତୀଙ୍କ ସମେତ ୭ଜଣଙ୍କୁ ଟାଉନଥାନା ପୁଲିସ ଗିରଫ କରିଛି।। 

ପୂଜକଙ୍କ ଘରେ କାମ କରୁଥିବା ୨ ଯୁବତୀ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିବାବେଳେ ଲୁଟପାଟ ଉଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଘର ଭିତରେ ପଶି ହାତଗୋଡ଼ ବାନ୍ଧି ପୂଜକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଗିରଫ ଦୁଇ ଯୁବତୀ ହେଲେ ସହରର ହାଟପଦା ଅଞ୍ଚଳର ସରସ୍ବତୀ ଜାନୀ ଓ ରଥ ଶର୍ମା କଲୋନୀ ଅଞ୍ଚଳର ରମା ଗୌଡ଼ ହୋଇଥିବାବେଳେ ସେମାନଙ୍କ ୫ ଜଣ ପୁରୁଷ ବନ୍ଧୁ ହେଲେ ନାଳଚୁଆଁ ଗାଁର ପ୍ରତାପ ଟାକରି, ଇନ୍ଦିରା କଲୋନୀର କିଶାନ ବାଗ, ପିଏଚଡି କଲୋନୀର ନୀରଜ ବେନିଆ, ହାଟପଦା ଅଞ୍ଚଳର ମହେନ୍ଦ୍ର ପାଣିଗ୍ରାହୀ ଓ ମିଶନ କମ୍ପାଉଣ୍ଡ ଅଞ୍ଚଳର ଅଶୋକ ରାୟ ବୋଲି ଜଣାପଡ଼ିଛି।

ଏମାନେ ପୂଜକଙ୍କ ଘରେ କାମ କରୁଥିଲେ। ଏହାର ଫାଇଦା ଉଠାଇ ସେମାନେ ତାଙ୍କର ଆଉ ୫ ପୁରୁଷ ସହଯୋଗୀଙ୍କ ସହ ମିଶି ଗତ ୮ ତାରିଖରେ ପୂଜକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ଏମାନଙ୍କ ଠାରୁ ପୁଲିସ୍‌ ପୂଜକ ରମେଶଙ୍କ ଘରୁ ଲୁଟ କରାଯାଇଥିବା ନଗଦ ୧୫ ହଜାର ଟଙ୍କା, ସୁନା ଓ ରୂପା ଗହଣା, ୬ ଟି ମୋବାଇଲ, ଗୋଟାଏ ପୋଡ଼ା ହୋଇଥିବା ମୋବାଇଲ ଓ ଚାବି ପେନ୍ଥା ଜବତ କରିଛି ବୋଲି ସୂଚନା ଦେଇଛି।

ନିଆଁ ଲାଗି ୫ଟି ବସ୍‌ ପାଉଁଶ

COASTAL NEWS ODIA 1436

ନିଆଁ ଲାଗି ୫ଟି ବସ୍‌ ପାଉଁଶ



ଭୁବନେଶ୍ୱର - ଭଞ୍ଜ ବିହାରୀ ମହାନ୍ତି - ତମାଣ୍ଡୋରେ ଘଟିଛି ଅଘଟଣ। ଦୀପାବଳି ଅବସରରେ ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍‌ ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ଗ୍ୟାରେଜରେ ଥିବା ଅନେକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। 
ଭୁବନେଶ୍ୱର ତମାଣ୍ଡୋ ଛକ ପାଖ ପାତ୍ରପଡା HDFC ବ୍ୟାଙ୍କ ସାମ୍ନାରେ ଥିବା ଗ୍ୟାରେଜରେ ଏଭଳି ଅଘଟଣ ଘଟିଛି। ଗ୍ୟାରେଜରେ ଓଲଡିଂ ଚାଲିଥିବା ବେଳେ ହଠାତ୍‌ ଗୋଟିଏ ବସରେ ନିଆଁ ଲାଗି ଯାଉଥିଲା। ଏହାପରେ ଆଉ ୪ଟି ବସ୍‌କୁ ମଧ୍ୟ ନିଆଁ ମାଡ଼ି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ୪ଟି ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାପରେ ଦିନ ୧ରୁ ୪ଟା ଯାଏ ଅଗ୍ନିଶମ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। 

ଅଗ୍ନିକାଣ୍ତ ବେଳେ ବସ୍‌ଗୁଡ଼ିକରେ ଡିଜେଲ ଭର୍ତ୍ତି ହୋଇ ରହିଥିଲା। କିନ୍ତୁ ଅଗ୍ନିଶମ କର୍ମଚାରୀମାନେ ଠିକଣା ସମୟରେ ଏହାକୁ ଆୟତ୍ତ କରି ନେବାକୁ ଗୋଟିଏ ବଡ଼ ବିପଦ ଟଳି ଯାଇଛି। କାରଣ ଗ୍ୟାରେଜକୁ ଲାଗି ଅନେକ ଘର ଓ ସଂସ୍ଥା ରହିଛି। ଯଦି ଡିଜେଲ ଯୋଗୁ ବିସ୍ଫୋରଣ ହୋଇଥାଆନ୍ତା, ତା’ହେଲେ ନିଆଁ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଥିଲା। ତେବେ ଅଗ୍ନିଶମ କର୍ମଚରୀଙ୍କ ପରିଶ୍ରମ ଯୋଗୁ କୌଣସି ବଡ଼ ଅଘଟଣ ଘଟି ନାହିଁ। 

ବାଣ ମାର୍କେଟରେ ଲାଗିଲା ନିଆଁ

COASTAL NEWS ODIA 1435

ବାଣ ମାର୍କେଟରେ ଲାଗିଲା ନିଆଁ



ମଥୁରା: ଭଞ୍ଜ ବିହାରୀ ମହାନ୍ତି - ବାଣ ମାର୍କେଟରେ ଲାଗିଲା ନିଆଁ। ଏହି ନିଆଁ ପାଇଁ ୯ଜଣ ଗୁରୁତର ହୋଇଥିବା ବେଳେ ୭ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ରବିବାର ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଗୋପାଳବାଗ ଅଞ୍ଚଳରେ ଥିବା ଏକ ବାଣ ମାର୍କେଟରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି।

ସୂଚନା ପାଇବା ପରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା ନିଆଯାଇଥିବା ସୂଚନା ଦେଇଛି ପୁଲିସ। କର୍ତ୍ତୃପକ୍ଷଙ୍କ କହିବାନୁସାରେ, ପ୍ରଥମେ ଗୋଟିଏ ବାଣ ଦୋକାନରେ ନିଆଁ ଲାଗିଥିବା ବେଳେ ପରେ ଏହା ଅନ୍ୟ ୬ଟି ଦୋକାନକୁ ବ୍ୟାପିଥିଲା।

ପୁଲିସର କହିବା ମୁତାବକ, ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ହେଲେ ଏପର୍ଯ୍ୟନ୍ତ ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ। ପ୍ରଥମେ ଲାଗିଥିବା ଦୋକାନର ନିଆଁକୁ ଆୟତ୍ତ କରାଯାଇପାରିଥିଲେ, ଏହା ଅନ୍ୟ ଦୋକାନକୁ ବ୍ୟାପିନଥାନ୍ତା। ହେଲେ ଦୋକାନରେ ବାଣ ରଖାଯାଇଥିବାରୁ ଏହା ଖୁବ ସହଜରେ ୬ଟି ଦୋକାନକୁ ବ୍ୟାପି ଅଧିକ କ୍ଷତି କରିଛି। ଏବେ ଆହତଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବା ସହ ନିଆଁ ଲାଗିବାର କାରଣ ଖୋଜା ଚାଲିଛି।

ବିଶ୍ବକପ ଇତିହାସରେ ଭାରତର ଦ୍ବିତୀୟ ସର୍ବାଧିକ ସ୍କୋର

COASTAL NEWS ODIA 1434

ବିଶ୍ବକପ ଇତିହାସରେ ଭାରତର ଦ୍ବିତୀୟ ସର୍ବାଧିକ ସ୍କୋର


ବେଙ୍ଗାଲୁରୁ: ଭଞ୍ଜ ବିହାରୀ ମହାନ୍ତି - ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌ରେ ରବିବାର ଭାରତୀୟ ଟିମ୍‌ ଦମଦାର ପ୍ରଦର୍ଶନ କରିଛି। ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଦମଦାର ଶତକ ଏବଂ ରୋହିତ, ଶୁବମନ ଓ କୋହିଲିଙ୍କ ଅର୍ଦ୍ଧ ଶତକ ବଳରେ ନେଦରଲାଣ୍ଡସକୁ ୪୧୧ ରନର ଟାର୍ଗେଟ ଦେଇଛି ଭାରତ। 

୫୦ ଓଭରରେ ଭାରତର ସ୍କୋର ୪୧୦/୪ ରହିଥିବାବେଳେ ବିଶ୍ବକପ ଇତିହାସରେ ଭାରତର ଏହା ଦ୍ବିତୀୟ ସର୍ବାଧିକ ସ୍କୋର ବୋଲି ଜଣାପଡ଼ିଛି। ପୂର୍ବରୁ ବରମୁଡ଼ା ବିରୋଧରେ ବିଶ୍ବକପ-୨୦୦୭ରେ ଭାରତ ୪୧୩ ରନ୍‌ କରିପାରିଥିଲା। ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍‌ ହରାଇ ୪୧୦ ରନ୍‌ କରିଛି। ଫଳରେ ନେଦରଲାଣ୍ଡ୍‌ସକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୪୧୧ ରନ୍‌ର ଲକ୍ଷ୍ୟ ମିଳିଛି।

ଆଜି ଭାରତ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ୬୧ ଓ ଶୁବମନ୍‌ ଗିଲ ୫୧ ରନ ସଂଗ୍ରହ ସହ ପ୍ରଥମ ୱିକେଟ୍‌ରେ ଶତକୀୟ ରନ୍‌ ଭାଗିଦାରୀ କରିଥିଲେ। ଏହାପରେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ୨୦୮ ରନ୍‌ର ଭାଗିଦାରୀ ଭାରତକୁ ବିଶୋଳ ସ୍କୋର କରିବାରେ ସହାୟକ ହୋଇଥିଲା। ଶ୍ରେୟସ ଆୟର ଅପରାଜିତ ୧୨୮ ରନ୍‌ କରିଥିବାବେଳେ କେଏଲ୍‌ ରାହୁଲ ୧୦୨ ରନ୍‌ କରିଥିଲେ।

ନେଦରଲାଣ୍ଡସର ବାସ ଲିଡ୍ ୨ ୱିକେଟ ନେଇଥିବାବେଳେ ମେରୱେ ଏବଂ ମିକରିନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

COASTAL NEWS ODIA 1433

ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ



ରାଞ୍ଚି,୧୨।୧୧ :ଭଞ୍ଜ ବିହାରୀ ମହାନ୍ତି - ଦିଲ୍ଲୀ ଅଭିମୁଖେ ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିବା ପୁରୀ-ନୂଆଦିଲ୍ଲୀ ପୁରୋଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। 

ରିପୋର୍ଟ ଅନୁସାରେ ଝାଡଖଣ୍ଡର କୋଡରମା ଜିଲାରେ ଟ୍ରେନ ଲାଇନ ଉପରେ କୌଣସି କାରଣରୁ ଓଭରହେଡ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଫଳରେ ଟ୍ରେନରେ ବିଦ୍ୟୁତ ସଂଚରଣ ବନ୍ଦ ହୋଇ ଯାଇଥିଲା। ଏହାକୁ ଲୋକୋ ପାଇଲଟ ଜାଣିବାକୁ ପାଇଥିଲେ। ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ହଠାତ ବ୍ରେକ୍‌ ଲଗାଇଥିଲେ। ଏହାଯୋଗୁ ସୃଷ୍ଟି ହୋଇଥିବା ଧକ୍କାରେ ଟ୍ରେନର ୨ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଶନିବାର ମଧ୍ୟାହ୍ନ ୧୨ଟା ୦୫ରେ ଗୋମା ଏବଂ କୋଡରମା ରେଳ ଷ୍ଟେଶନ ମଧ୍ୟରେ ଥିବା ପରସାବାଦ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ଧାନବାଦ ରେଳ ଉପଖଣ୍ଡ ବରିଷ୍ଠ ବାଣିଜି୍ୟକ ପ୍ରବନ୍ଧକ ଅମରେଶ କୁମାର କହିଛନ୍ତି ଓଭରହେଡ ବିଦ୍ୟୁତ ସଂଚରଣ ହଠାତ ବନ୍ଦ ହୋଇ ଯିବାରୁ ଲୋକୋ ପାଇଲଟ ସୁରକ୍ଷା ଦୃଷ୍ଟିରୁ ବ୍ରେକ୍‌ ଲଗାଇଥିଲେ। ଟ୍ରେନର ବେଗ ଅଧିକ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସେ କହିଛନ୍ତି। 

ଦୁର୍ଘଟଣାର ୪ ଘଣ୍ଟା ପର୍ଯ୍ୟନ୍ତ ଏହି ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିଲା। ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ରେଳ ବିଭାଗ କହିଛି।
ତେବେ ଟ୍ରେନକୁ ଗୋମା ପର୍ଯ୍ୟନ୍ତ ଡିଜେଲ ଇଞ୍ଜିନ ଯୋଗେ ଅଣାଯାଇଥିଲା। ଏହା ପରେ ଦିଲ୍ଲୀ ଅଭିମୁଖେ ଟ୍ରେନକୁ ଇଲେକ୍ଟ୍ରିକ ଇଞ୍ଜିନରେ ପଠାଯାଇଥିଲା।

Saturday, November 11, 2023

୪ଟି ହାତ ଓ ୪ଟି ଗୋଡ଼ ସହ ଏକ ଚମତ୍କାର ଶିଶୁ

COASTAL NEWS ODIA 1431

୪ଟି ହାତ ଓ ୪ଟି ଗୋଡ଼ ସହ ଏକ ଚମତ୍କାର ଶିଶୁ 



ମିରଟ - ଭଞ୍ଜ ବିହାରୀ ମହାନ୍ତି - ବାପା ମା’ଙ୍କର ସନ୍ତାନ ଟିଏ ଜନ୍ମ ହେଲେ ତାଙ୍କ ଖୁସି କହିଲେ ନସରେ । ପ୍ରତ୍ୟେକ ବାପା ମା’ ପିଲାଙ୍କ ସୁସ୍ଥ ଜୀବନ କାମନା କରନ୍ତି । କିନ୍ତୁ ନିକଟରେ ଜଣେ ଦମ୍ପତିଙ୍କର ଏପରି ଏକ ସନ୍ତାନ ଜନ୍ମ ହୋଇଛି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଶିଶୁ ଟି କୌଣସି ସାଧାରଣ ଶିଶୁ ଭାବେ ଜନ୍ମ ହୋଇନି । ଦମ୍ପତିଙ୍କର ଏହି ଶିଶୁଟି ଏକାଥରେ ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । 

ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କାରଣ ସାଧାରଣ ଶିଶୁମାନଙ୍କର ଦୁଇଟି ଗୋଡ଼ ଓ ଦୁଇଟି ହାତ ଥାଏ କିନ୍ତୁ ଏହି ଶିଶୁଟି ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । ମହମ୍ମଦ ଇରଫାନ ଏବଂ ରୁକସାନାଙ୍କର ଏଭଳି ଏକ ଅସାଧାରଣ ଶିଶୁ ଜନ୍ମ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଗାଁ ଲୋକେ ନିଜ ଆଖିକୁ ବିଶ୍ୱାସ କରି ପାରୁ ନାହାନ୍ତି ଏବଂ ଶିଶୁଟି କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି ଚର୍ଚ୍ଚା ଚାଲିଛି ।

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଘଟିଥିବା ଜଣା ପଡ଼ିଛି । ଏଠାକାର ଜଣେ ମହିଳା ଚାରି ହାତ ଏବଂ ଚାରି ଗୋଡ଼ ସହ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ଯାହାର ଚିକିତ୍ସା ମିରଟ ମେଡିକାଲ କଲେଜରେ କରାଯାଉଛି । ମେଡିକାଲ କଲେଜର ମିଡିଆ ଦାୟିତ୍ୱରେ ଥିବା ଡକ୍ଟର ଭି.ଡି ପାଣ୍ଡେ କହିଛନ୍ତି ଯେ ନଭେମ୍ବର ୬ ରେ ମୁଜାଫରନଗରରେ ଏହି ଦମ୍ପତିଙ୍କର ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା । ପିଲାଟି ଜନ୍ମ ହେବା ପରେ ଜଣା ପଡ଼ିଥିଲା ଯେ ନବଜାତ ଶିଶୁର ଚାରିଟି ହାତ ଏବଂ ୪ଟି ଗୋଡ ରହିଛି ।

ରିପୋର୍ଟ ଅନୁଯାୟୀ, ମହିଳା ଜଣକ ନିଜ ଘରେ ହିଁ ଏଭଳି ଅସାଧାରଣ ସନ୍ତାନକୁ ଜନ୍ମ ଦେଇଥିଲେ । ପିଲାଟିର ୪ ହାତ ଏବଂ ୪ ଗୋଡ ଥିବା ଦେଖି ପରିବାର ସଦସ୍ୟ ଚିନ୍ତାରେ ପଡ଼ି ଯାଇଥିଲେ ଏବଂ ପିଲାକୁ ନେଇ ମୁଜାଫରନଗର ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେଠାରୁ ତାକୁ ମିରଟ ମେଡିକାଲ କଲେଜକୁ ପଠାଯାଇଥିଲା । ଯେଉଁଠାରେ ତାର ଚିକିତ୍ସା କରାଯାଉଛି । ମିରଟ ମେଡିକାଲ କଲେଜର ଡାକ୍ତର ନବରତ୍ନ ଗୁପ୍ତା କହିଛନ୍ତି ଯେ ଏଭଳି ଅନେକ ଘଟଣା ପୂର୍ବରୁ ମଧ୍ୟ ଆସିଛି ।

ଡାକ୍ତର ନବରତ୍ନ ଗୁପ୍ତାଙ୍କ କହିବା ଅନୁସାରେ ହସ୍ପିଟାଲରେ ଆଡମିଟ ହେବା ପରେ ଶିଶୁର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା । ତାକୁ ଏକ ଟ୍ୟୁବ୍‌ ସାହାଯ୍ୟରେ ଖାଇବାକୁ ଦିଆଯାଇଥିଲା । ତାର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ ଅଛି । ଡାକ୍ତର ଗୁପ୍ତାଙ୍କ କହିବା ଅନୁସାରେ ଏହି ସମସ୍ୟାଟି ହେଉଛି କୋଜଏନ୍ଡ ଟ୍ଵିନ୍ସ, ଯେଉଁଥିରେ ଦୁଇଟି ଶିଶୁ ପରସ୍ପର ସହ ଯୋଡ଼ି ହୋଇ ଯାଇଥାନ୍ତି ଏବଂ ମା’ର ଗର୍ଭାଶୟରେ ବଢ଼ିଥାନ୍ତି । ଏହି କାରଣରୁ ନବଜାତ ଶିଶୁଟି ଚାରି ଗୋଡ ଏବଂ ଚାରି ହାତ ସହିତ ଜନ୍ମ ହୋଇଛି । ତେବେ ପିଲାଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

ଯଦି ଶିଶୁ ଠିକ୍‌ ରୁହେ ତେବେ ସର୍ଜରୀ ଦ୍ୱାରା ଶିଶୁର ଅନ୍ୟ ଦୁଇଟି ହାତ ଏବଂ ଗୋଡ଼କୁ ଅଲଗା କରାଯିବ । ଅନ୍ୟପଟେ ଶିଶୁର ଅଲଟ୍ରାସାଉଣ୍ଟ ହୋଇନଥିବାରୁ ଶିଶୁର ଏଭଳି ଅବସ୍ଥା ବିଷୟରେ ଜଣା ପଡ଼ିନଥିଲା । ଯେଉଁଥିପାଇଁ ଶିଶୁଟି ଏଭଳି ଭାବେ ଜନ୍ମ ହୋଇଛି ।

ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା

COASTAL NEWS ODIA 1431

ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା

 

ଗୁଜରାଟ - ଭଞ୍ଜ ବିହାରୀ ମହାନ୍ତି - ଗୁଜରାଟର ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା ଦେଖିବାକୁ ମିଳିଛି। ଛଟ ପୂଜା ଓ ଦୀପାବଳି ପାଇଁ ରେଳ ଷ୍ଟେଟସନରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଏପରି ଅଘଟଣ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ଦୀପାବଳି ଥିବାରୁ ଆଜି ହଜାର ହଜାର ଲୋକ ସୁରତ ଷ୍ଟେସନରେ ନିଜ ନିଜ ରାଜ୍ୟକୁ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ। ଅସମ୍ଭାଳ ଭିଡ଼ ଭିତରେ ଲୋକମାନେ ପରସ୍ପରକୁ ଠେଲାପେଲା କରି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ପ୍ରବଳ ଭିଡ଼ ଯୋଗୁ ଅଚେତ ହୋଇ ଯାଇଥିଲେ। ସେହିପରି କିଛି ଲୋକ ତଳେ ପଡ଼ି ଆହତ ମଧ୍ୟ ହୋଇଛନ୍ତି। ରେଳବାଇ ପୁଲିସ୍‌ ଓ ଅନ୍ୟ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲେ। ଏଥିସହ ଆହତମାନଙ୍କୁ ଉପଯୁକ୍ତ ମେଡିକାଲ ସୁବିଧା ମଧ୍ୟ ଯୋଗାଇ ଦେଇଥିଲେ।

କିଛି ଆହତ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ହସ୍ପିଟାଲ ଯାଇ ସୁରତ ସାଂସଦ ତଥା ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ଜାରଦୋଶ ଭେଟିଛନ୍ତି।

ପାର୍ବଣ ଋତୁ ଚାଲିଥିବାରୁ ରେଳବାଇ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ସେହିପରି ଅଧିକ ସଂଖ୍ୟକ ଫୋର୍ସକୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ମୁତୟନ କରାଯାଇଛି। ତଥାପି ସୁରତ ଭଳି ଗୋଟିଏ ଜନଗହଳୀପୂର୍ଣ୍ଣ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଯୋଗୁ ଦଳଚକଟା ସ୍ଥିତି ଦେଖିବାକୁ ମିଳିଛି।

ମୁଖ୍ୟ ପିଆରଓ ସୁମିତ ଠାକୋର କହିଛନ୍ତି, “ପାର୍ବଣ ଋତୁକୁ ନଜର ରଖି ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ୪୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନଗୁଡ଼ିକ ମୁମ୍ବାଇ, ଗୁଜରାଟ ଓ ମଧ୍ୟପ୍ରଦେଶ ମଧ୍ୟରେ ଯାତାୟାତ କରୁଛନ୍ତି। ଇତି ମଧ୍ୟରେ ପ୍ରାୟ ୭ ଲକ୍ଷ ଲୋକ ଏହି ଟ୍ରେନଗୁଡ଼ିକରେ ଯାତ୍ରା କରି ସାରିଲେଣି। ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୬୫ ଆରପିଏଫ ଓ ଜିଆପି ଯବାନମାନଙ୍କୁ ସୁରତ ଷ୍ଟେସନରେ ମୁତୟନ କରାଯାଇଛି। ସେହିପରି ଅତିରିକ୍ତ କାଉଣ୍ଟର ମଧ୍ୟ ଖୋଲା ଯାଇଛି।”

ରେଳ ବାଇ ଏତେ ପ୍ରକାରର ସବୁ ବ୍ୟବସ୍ଥା କରିଥିବା ବେଳେ ସୁରତ ଷ୍ଟେସନରେ କେମିତି ଏତେ ବଡ଼ ଅଘଟଣ ଘଟିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ପରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆଳି ଗାନ୍ଧି ସହଦେବ ଦାସଙ୍କ ଜୟନ୍ତୀ ଅବସରରେ ନୂଆଗାଁ ଓ ନିଆଳଠାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

COASTAL NEWS ODIA 1430

ଆଳି ଗାନ୍ଧି ସହଦେବ ଦାସଙ୍କ ଜୟନ୍ତୀ ଅବସରରେ ନୂଆଗାଁ ଓ ନିଆଳଠାରେ  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ 



ଆଳି, ୧୦/୧୧( CNO ) : ଆଳି ରତ୍ନ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ବିଧାୟକ ବିଶିଷ୍ଟ ସମାଜସେବୀ ତଥା ଆଳି ଗାନ୍ଧି ରୂପେ ପରିଚିତ ସ୍ଵର୍ଗତ ସହଦେବ ଦାସଙ୍କ ୧୨୪ତମ ଜୟନ୍ତୀ ପାଳିତ ହୋଇଯାଇଛି।ପ୍ରଥମେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ନୂଆଗାଁ ଉଚ୍ଚ ମୌଳିକ ବିଦ୍ୟାଳୟରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ତାଙ୍କ ସମାଧି ପୀଠକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ରାମଧୁନ ଗାନ କରାଯାଇଥିଲା। 

ଏହା ପରେ ବଡ଼ାମ୍ବିଳା ପଞ୍ଚାୟତ କାର୍ଯ୍ୟାଳୟରେ ମାଲ୍ୟାର୍ପଣ କରାଯିବା ସହ ନିଆଳଠାରେ ପ୍ରତିଷ୍ଠିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ଦାଶ, ଭରତ ସେଠୀ, ବିଜୟ ମହି, ରବୀନ୍ଦ୍ର ମହାନ୍ତି, ସ୍ମୃତି ସଂସଦ ସଭାପତି ଗୋବିନ୍ଦ ନନ୍ଦ, ସମ୍ପାଦକ ବିରେନ୍ଦ୍ର ପଣ୍ଡା, ରବୀନ୍ଦ୍ର ବେହେରା, ବିଦ୍ୟାଧର ପଣ୍ଡା, ବୃନ୍ଦାବନ ପଣ୍ଡା, ମଧୁସୂଦନ ଦାସ, ତ୍ରୈ ଲାକ୍ୟନାଥ ପଣ୍ଡା, ଆଦିକନ୍ଦ ପଣ୍ଡା, ରଞ୍ଜନ ମହାନ୍ତି, ଧନେଶ୍ଵର ରାଉତ, ସହଦେବ ସିଂ ଓ ଦର୍ପ ନାରାୟଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଯାତ୍ରୀବାହୀ ବସ୍‌ରେ ବାଣ ନେଉଥିଲେ ହୋଇଯାନ୍ତୁ ସାବଧାନ

COASTAL NEWS ODIA

 ଯାତ୍ରୀବାହୀ ବସ୍‌ରେ ବାଣ ନେଉଥିଲେ ହୋଇଯାନ୍ତୁ ସାବଧାନ



 
ଭୁବନେଶ୍ୱର,୧୧।୧୧: ଭଞ୍ଜ ବିହାରୀ ମହାନ୍ତି - ଏଣିକି ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏ ନେଇ ଚେତାବନୀ ଦିଆଯାଇଛି। ଶନିବାର ଭୁବନେଶ୍ୱର ଡେପୁଟି ଅଗ୍ନିଶମ ଅଧିକାରୀ ଅବନୀ ସ୍ବାଇଁ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି।

ପଶ୍ଚିମବଙ୍ଗର ଖଡ଼ଗ୍‌ପୁର ବସ୍‌ରେ ଶନିବାର ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶା ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ ଚେତିଛନ୍ତି ।

କାର,ପିକଅପକୁ ଧକ୍କା ଦେଲା ଟ୍ୟାଙ୍କର ; ୪ ମୃତ

COASTAL NEWS ODIA 1428

କାର,ପିକଅପକୁ ଧକ୍କା ଦେଲା ଟ୍ୟାଙ୍କର ; ୪ ମୃତ



 
ନୂଆଦିଲ୍ଲୀ : ଭଞ୍ଜ ବିହାରୀ ମହାନ୍ତି - ଦିଲ୍ଲୀ -ଜୟପୁର ରାଜପଥରେ ସିଧରାବଲୀ ନିକଟରେ ଏକ ଟ୍ୟାଙ୍କର କାର, ପିକଅପ୍‌‌ ଭ୍ୟାନକୁ ଧକ୍କା ଦେଇଥିବା ନେଇ ଶନିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଏକ ଗାଡିରେ ନିଆଁ ଲାଗି ଯାଇଥିବା ନେଇ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ।

ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଟ୍ୟାଙ୍କର ସହ ଧକ୍କା ହେବା ପରେ ଗାଡିରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ପିକଅପ ଭ୍ୟାନରେ ନିଆଁ ଲାଗିବା ପରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରୁ ଟ୍ୟାଙ୍କର ଚାଳକ ଫେରାର ହୋଇ ଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଅପ୍ରତ୍ୟାଶିତ ବିରଳ ଅସ୍ତ୍ରୋପଚାର

COASTAL NEWS ODIA 1427

ଅପ୍ରତ୍ୟାଶିତ ବିରଳ ଅସ୍ତ୍ରୋପଚାର



ନ୍ୟୁୟର୍କ,୧୧।୧୧: ଭଞ୍ଜ ବିହାରୀ ମହାନ୍ତି - ଯୁକ୍ତରାଷ୍ଟ୍ର ଆମେରିକାର ମେଡିକାଲ ସର୍ଜନମାନଙ୍କର ଏକ ଟିମ କହିଛନ୍ତି ଯେ ସେମାନେ ଏକ ବିଲକ୍ଷଣ ଚିକିତ୍ସା ପ୍ରକ୍ରିୟାରେ ସମଗ୍ର ଆଖିର ପ୍ରଥମ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି। ଏହା ବିଶ୍ୱର ପ୍ରଥମ ଘଟଣା। ତଥାପି, ରୋଗୀ ପ୍ରକୃତରେ ତାଙ୍କର ଦୃଷ୍ଟିଶକ୍ତି ଫେରି ପାଇବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏକ ଅପ୍ରତ୍ୟାଶିତ ଅସ୍ତ୍ରୋପଚାରରେ, ଦାତାଙ୍କର ବା ଡୋନରଙ୍କର ମୁହଁର ଏକ ଅଂଶ ଏବଂ ସମଗ୍ର ବାମ ଆଖିକୁ କାଢି ଦିଆଗଲା ଏବଂ ପ୍ରାପ୍ତକର୍ତ୍ତା ବା ଯାହାଙ୍କ ପାଖରେ ପ୍ରତିରୋପଣ କରାଗଲା ତାଙ୍କୁ ଲଗାଇଦିଆଗଲା। ପ୍ରାପ୍ତକର୍ତ୍ତା ଜଣେ ୪୬ ବର୍ଷୀୟ ଲାଇନ କର୍ମଚାରୀ ଯିଏକି ଜୁନ ୨୦୨୧ରେ ଏକ ୭,୨୦୦ଭୋଲ୍ଟ ଇଲେକ୍ଟ୍ରିକ ସକ୍‌ରୁ ବଞ୍ଚିଗଲେ ଯେତେବେଳେ ତାଙ୍କ ଚେହେରା ଏକ ଜୀବନ୍ତ ତାରକୁ ଛୁଇଁଥିଲା।

ଏହି ଦୁର୍ଘଟଣାରେ ୪୬ ବର୍ଷର ଆରୋନ ଜେମ୍ସ ଗୁରୁତର ଆହତ ହୋଇଥିଲେ, ଯେପରିକି ତାଙ୍କ ବାମ ଆଖି, କୋଣ ଉପରେ ଥିବା ପ୍ରାଧାନ୍ୟ ବାମ ହାତ, ପୁରା ନାକ ଏବଂ ଓଠ, ଆଗ ଦାନ୍ତ, ବାମ ଗାଲର କିଛି ଅଂଶ ଏବଂ ଚିନା ହାଡ କ୍ଷତିଗ୍ରସ୍ତ ହୋଇଥିଲା।

ଡାକ୍ତରୀ ଦଳର ଡକ୍ଟର ଏଡୁଆର୍ଡୋ ରୋଡ୍ରିଗେଜ କହିଛନ୍ତି ଯେ ଆମେ ଏକ ବଡ଼ ସଫଳତା ହାସଲ କରିଛୁ। ସେ କହିଛନ୍ତି, ଡାକ୍ତରମାନେ ଦୀର୍ଘ ସମୟ ଧରି ଏହା କରିବାକୁ ଚାହୁଁଥିଲେ କିନ୍ତୁ ଏହା ସମ୍ଭବ ନୁହେଁ। ଡକ୍ଟର ରୋଡ୍ରିଗେଜ ଏକ ୨୧ ଘଣ୍ଟିଆ ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ ଯେଉଁଥିରେ ରୋଗୀ ନିର୍ଦ୍ଦିଷ୍ଟ ଥ୍ରୀ-ଡି କଟିଙ୍ଗ ଗାଇଡ ବ୍ୟବହାର କରାଯାଇଥିଲା।

ବସରେ ଭୟଙ୍କର ଅଗ୍ନିକାଣ୍ଡ ଓଡ଼ିଶାର ଜଣେ ମହିଳା ଜୀବନ୍ତ ଦଗ୍ଧ

COASTAL NEWS ODIA 1426

ବସରେ ଭୟଙ୍କର ଅଗ୍ନିକାଣ୍ଡ ଓଡ଼ିଶାର ଜଣେ ମହିଳା ଜୀବନ୍ତ ଦଗ୍ଧ 



ଖଡ଼ଗପୁର- ଭଞ୍ଜ ବିହାରୀ ମହାନ୍ତି - ଗତକାଲି ରାତିରେ ପଶ୍ଚିମବଙ୍ଗର ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁର ନିକଟରେ ଏକ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ଓଡ଼ିଶାର ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି।

ମୃତକଙ୍କ ନାଁ ପୁଷ୍ପାଞ୍ଜଳି ଦାସ । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁରେ । ତାଙ୍କ ସ୍ୱାମୀ କୋଲକତାରେ ଚାକିରି କରିଥିଲେ । ମହିଳାଜଣକ କୋଲକତାରେ ରହୁଥିବା ବେଳେ ଦୀପାବଳି ପାଇଁ ନିଜ ସ୍ୱାମୀ ଓ ପୁଅଙ୍କ ସହ ଘରକୁ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି।

ନିଆଁ ଲାଗିଥିବା ବସରେ ସମୁଦାୟ ୩୮ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡିଶାର ଥିବା ସୂଚନା ମିଳିଛି । କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ଜଣ ଯାତ୍ରୀ ଅଛନ୍ତି।

ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ଖଡପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ବସରେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ସୂଚନା ମିଳିପାରୁନାହିଁ। କିନ୍ତୁ ମିଳୁଥିବା ସୂଚନା ଅନୁଯାୟୀ, ଗାଡ଼ି ଭିତରେ ବାଣ, ମହମବତି ଥିଲା। ଇଞ୍ଜିନ ନିକଟରେ ପ୍ରଥମେ ନିଆଁ ଲାଗିଥିଲା। ପୁଷ୍ପାଞ୍ଜଳି ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର ତାହା ସମ୍ଭବ ହୋଇ ପାରି ନ ଥିଲା। ଗାଡ଼ିର ଡୋର ଲକ୍‌ ହୋଇ ଯାଇଥିଲା। ଫଳରେ ପ୍ରାଣ ବିକଳରେ ଯାତ୍ରୀମାନେ ଝରକା ଡେଇଁ ବାହାରକୁ ବାହାରିଥିଲେ l

ନିଆଁଲାଗି ଯାଇଥିବା ବସଟି ଗତକାଲି ରାତିରେ କୋଲକତାର ବାବୁଘାଟ ବସଷ୍ଟାଣ୍ଡାରୁ ପାରାଦୀପ ଆସୁଥିଲା । ଅଧାବାଟରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍ ।

ଖବର ପାଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ଆମ୍ବୁଲାନ୍ସ ସହ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା । ଜଳେଶ୍ୱର ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ଓଡିଶାର ଆହତ ମାନଙ୍କୁ ଏକ ସ୍ୱତନ୍ତ୍ର ବସରେ ଅଣାଯାଇଛି ।

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜେଲ୍‌ ଗଲେ ଦୁଇ ଶିକ୍ଷକ

COASTAL NEWS ODIA 2425

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜେଲ୍‌ ଗଲେ ଦୁଇ ଶିକ୍ଷକ



ନବରଙ୍ଗପୁର - ଭଞ୍ଜ ବିହାରୀ ମହାନ୍ତି - ଗୁରୁ ପରି ପବିତ୍ର ନାଁରେ ଲଗାଇଲେ କଳଙ୍କ। ଶିକ୍ଷକ ହୋଇ ଛାତ୍ରୀଙ୍କ ଉପରେ ପକାଇଲେ ଲୋଲୁପ ଦୃଷ୍ଟି । ଶେଷରେ ନିଜ କୃତକର୍ମର ଫଳ ସ୍ୱରପ ଜେଲ୍‌ ଗଲେ ଦୁଇ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜେଲ୍ ଗଲେ ଦୁଇ ଶିକ୍ଷକ । ଗିରଫ ଶିକ୍ଷକଦ୍ୱୟ ସେହି ସ୍କୁଲର ପ୍ରଧାନ ଶିକ୍ଷକ ସୁଚନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝୀ ।

କୁନ୍ଦେଇ ପୁଲିସ ସେମାନଙ୍କୁ ଗିରଫ କରିବା ପରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ପୋକ୍ସୋ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବା ପରେ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡ଼ିଛି।

ଏହି ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୁଲିସ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବା ସଂପୃକ୍ତ ନାବାଳିକା ପାଖକୁ ଯାଇ ପୁଲିସ ସମସ୍ତ ତଥ୍ୟ ସଂଗ୍ରହ କରିଛି।

ସୂଚନାଯୋଗ୍ୟ, କୁନ୍ଦେଇ ଥାନା ଅଞ୍ଚଳର ଏକ ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗତ ୭ ତାରିଖ ଦିନ ପ୍ରଧାନ ଶିକ୍ଷକ ସଚିତ୍ରନନ୍ଦନ ବିଶ୍ୱାସ ଏବଂ ସହକାରୀ ଶିକ୍ଷକ କେଶବ ମାଝୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସଂପୃକ୍ତ ଛାତ୍ରୀଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଦୁଇ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା ଚଳାଇଥିବା କୁନ୍ଦେଇ ଥାନା ପୁଲିସ୍‌ ଶେଷରେ ସେମାନଙ୍କୁ ଗିରଫ କରିଛି।

ଦର୍ପଣଗଡ଼ ଗ୍ରାମକୁ ଫେରିଛି ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି

COASTAL NEWS ODIA 1424

ଦର୍ପଣଗଡ଼ ଗ୍ରାମକୁ ଫେରିଛି ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି



ଚଣ୍ଡିଖୋଲ,୧୧ା୧୧: ଭଞ୍ଜ ବିହାରୀ ମହାନ୍ତି - ଦୀର୍ଘ ୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଶୁକ୍ରବାର ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମକୁ ଫେରିଛି। ଏହାପରେ ଗ୍ରାମରେ ଆନନ୍ଦର ଲହରି ଖେଳିଯାଇଛି। 

ଗୁରୁବାର ଦିଲ୍ଲୀରେ ମା’ଙ୍କ ମୂର୍ତ୍ତିକୁ ହସ୍ତାନ୍ତର ପରେ ଯାଜପୁର ପୋଲିସ ଓ ଦର୍ପଣ ସରପଞ୍ଚଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ ମୂର୍ତ୍ତି ଧରି ଫେରିଛନ୍ତି। ସେମାନେ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ବଡ଼ଚଣା ଥାନାକୁ ଆସିଥିଲେ। ଥାନାରେ ପୋଲିସ ଗ୍ରାମବାସୀଙ୍କୁ ମୂର୍ତ୍ତି ହସ୍ତାନ୍ତର କରିଥିଲା। ପରେ ସେଠାରୁ ଏକ ଶୋଭାଯାତ୍ରାରେ ମା’ଙ୍କୁ ଦର୍ପଣ ଗ୍ରାମକୁ ନିଆଯାଇଥିଲା। 

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚୀନ୍ଦ୍ର କୁମାର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ପ୍ରମୁଖ ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କଠାରୁ ମୂର୍ତ୍ତିକୁ ଗ୍ରହଣ କରିଥିଲେ। ପରେ ସେଠାରୁ ବାଜା, ବାଣ ଓ ରୋଶଣି କରାଯାଇ ମୂର୍ତ୍ତି ଅଣାଯାଇଥିଲା। ଏଥିରେ ବହୁ କୀର୍ତ୍ତନମଣ୍ଡଳୀ ମଧ୍ୟ ସାମିଲ ହୋଇଥିଲେ। ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବିରାଟ ଶୋଭାଯାତ୍ରାରେ ମା’ଙ୍କ ମୂର୍ତ୍ତିକୁ ନେଇ ଗ୍ରାମ ପରିକ୍ରମା କରାଇ ମନ୍ଦିରକୁ ନେଇଥିଲେ।

ଜାନୁୟାରୀ ୧୦ରେ ଦର୍ପଣ ଗଡ଼ ଗ୍ରାମର ଗ୍ରାମଦେବତୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି ହୋଇଯାଇଥିଲା। ବହୁ ପ୍ରଚେଷ୍ଟା ସତ୍ତ୍ୱେ ବଡ଼ଚଣା ପୋଲିସ ମୂର୍ତ୍ତିଠାବ କରିବାରେ ବିଫଳ ହୋଇଥିଲା। ୨୦୨୨ ନଭେମ୍ବରରେ ମୂର୍ତ୍ତିଟି ଦିଲ୍ଲୀ ବିମାନ ବନ୍ଦରରେ ଧରା ପଡ଼ିଥିଲା। କଷ୍ଟମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଯାଜପୁର ପୋଲିସକୁ ସୂଚନା ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକ୍ରମେ ମୂର୍ତ୍ତି ଫେରିଥିବା ସୂଚନା ମିଳିଛି।

ନିଜ ଝିଅକୁ ବଳାତ୍କାର କଲେ ବାପା

COASTAL NEWS ODIA 1423

ନିଜ ଝିଅକୁ ବଳାତ୍କାର କଲେ ବାପା

 

ବାଲିମେଳା,୧୧ା୧୧ -ଭଞ୍ଜ ବିହାରୀ ମହାନ୍ତି - ମାଲକାନଗିରି ଜିଲା ବାଲିମେଳା ସହରରେ ଶୁକ୍ରବାର ଏକ ଲଜ୍ୟାଜନକ ଘଟଣା ଘଟିଛି। ବାପା ନିଜ ଝିଅକୁ ବଳାତ୍କାର କରିବା ପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ବାଲିମେଳା ଥାନା ଅଞ୍ଚଳର ଜଣେ ୪୦ ବର୍ଷିୟ ବାପା ଗତ ୫ ତାରିଖ ରାତିରେ ନିଜ ଝିଅକୁ ବଳାତ୍କାର କରିଥିଲେ। ହେଲେ ୮ ତାରିଖରେ ସେ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବାକୁ ଝିଅକୁ ଧମକଚମକ ଦେଇଥିଲେ। ନାବାଳିକା ଜଣକ ପଡ଼ୋଶୀଙ୍କୁ କହି ତାଙ୍କ ସହାୟତାରେ ଗୁରୁବାର ସନ୍ଧ୍ୟାରେ ଓରକେଲ ଥାନାରେ ଘଟଣା ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ।

ଏନେଇ ପୋଲିସ ଏକ ମାମଲା(ନଂ. ୩୯୫/୨୩) ରୁଜୁ କରି ଅଭିଯୁକ୍ତ ବାପାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଶୁକ୍ରବାର ଡାକ୍ତରୀମାଇନା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା। ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, ୮ ମାସ ତଳେ ପାଟିତୁଣ୍ଡ ହେବାରୁ ଅଭିଯୁକ୍ତଙ୍କ ସ୍ତ୍ରୀ ନିଜ ଛୋଟ ପୁଅକୁ ଧରି ବାପ ଘରକୁ ଚାଲି ଯାଇଛନ୍ତି। ତାଙ୍କର ଜଣେ ଝିଅ ବିବାହ କରିସାରିଥିବା ବେଳେ ୨ଜଣ ଝିଅ ଛାତ୍ରାବାସରେ ରହି ପଢୁଛନ୍ତି।

ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ

COASTAL NEWS ODIA 1422

ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ 



ବଲାଙ୍ଗୀର - ଭଞ୍ଜ ବିହାରୀ ମହାନ୍ତି - ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ଗିରଫ ହେଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ସୁଦର୍ଶନ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ ସୁଦର୍ଶନ ।

ଗତକାଲି ଗତକାଲି ବଲାଙ୍ଗୀର ଓ ପୁରୀରେ ତାଙ୍କର ଘର, ଅଫିସ ସମେତ ଏକକାଳୀନ ୬ ଜାଗାରେ ରେଡ କରିଥିଲା ଭିଜିଲାନ୍ସ ଟିମ୍ । ୨ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । ଚଢାଉ ବେଳେ ସୁଦର୍ଶନଙ୍କ ସମ୍ପତ୍ତି ଦେଖି ଭିଜିଲାନସ ଆଖି ଟେରା।ଯେଉଁଥିରେ ରହିଛି ୨୮ଟି ପ୍ଲଟ୍ । 

ଭୁବନେଶ୍ବର, ଗୋପ, ପିପିଲି ଓ ସତ୍ୟବାଦୀରେ ଏସବୁ ପ୍ଲଟ ରହିଛି । ସେହିପରି ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ୩ଟି ବହୁତଳ କୋଠା ରହିଛି । ସାକ୍ଷୀଗୋପାଳ ବ୍ଲକ ଛକରେ ରହିଛି ୩ ମହଲା କୋଠା । ସତ୍ଯବାଦୀ ଶ୍ରୀରାମଚନ୍ଦ୍ରପୁରରେ ଦୁଇ ମହଲା ଘର ଓ ଗୋପ ସୋରିଷପଦାରେ ଗୋଟିଏ ଘର ରହିଛି । ସେହିପରି ରେଡ୍ ବେଳେ ୨୫୦ ଗ୍ରାମ୍ ସୁନାଗହଣା ଓ ୩ଟି ଦାମୀ କାର୍ ଠାବ ହୋଇଛି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...