AFFILIATE MARKETING

https://binomo.com?a=90810425bb57&t=0

Thursday, September 28, 2023

ଯଦି ପୃଥିବୀ ୨ ମିନିଟ୍‌ ଘୂରିବା ବନ୍ଦ କରିଦେବ, ତେବେ କ’ଣ ଘଟିବ ଜାଣନ୍ତି କି

COASTAL NEWS ODIA 930

ଯଦି ପୃଥିବୀ ୨ ମିନିଟ୍‌ ଘୂରିବା ବନ୍ଦ କରିଦେବ, ତେବେ କ’ଣ ଘଟିବ ଜାଣନ୍ତି କି



 
ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି- ପୃଥିବୀ ପୃଷ୍ଠରେ ଦିନ ଏବଂ ରାତି କିପରି ଘଟେ କିମ୍ବା ବର୍ଷଗୁଡ଼ିକ କିପରି ବଦଳେ ସେ ବିଷୟରେ ଜାଣିବା ଆବଶ୍ୟକ । ଏହି ପୂରା ପ୍ରକ୍ରିୟା ପୃଥିବୀର ଅକ୍ଷରେ ଘୂର୍ଣ୍ଣନ ଏବଂ ସୂର୍ଯ୍ୟର ଘୂର୍ଣ୍ଣନ ଉପରେ ନିର୍ଭର କରେ। ପୃଥିବୀ ସର୍ବଦା ଘୂରିଥାଏ। ଏହି କାରଣରୁ ସମୟ ସବୁବେଳେ ବଢିଥାଏ। କେବେ ଭାବିଛନ୍ତି ଯଦି ପୃଥିବୀ ହଠାତ୍‌ ନିଜ ଅକ୍ଷରେ ଘୂର୍ଣ୍ଣନ ବନ୍ଦ କରିଦିଏ ତେବେ କ’ଣ ଘଟିବ? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ 

ସୋସିଆଲ ମିଡିଆ ପ୍ଲାଟଫର୍ମ କୋରାରେ ଲୋକମାନେ ସେମାନଙ୍କର ପ୍ରଶ୍ନ ପଚାରନ୍ତି ଏବଂ ଅନ୍ୟ ୟୁଜରମାନେ ସେମାନଙ୍କୁ ଉତ୍ତର ଦେଇଥାନ୍ତି। ସମ୍ପ୍ରତି ଏହି ପ୍ଲାଟ୍‌ଫର୍ମରେ ଜଣେ ବ୍ୟକ୍ତି ପଚାରିଛନ୍ତି, ପୃଥିବୀ ୨ ମିନିଟ୍‌ ପାଇଁ ଘୂର୍ଣ୍ଣନ ବନ୍ଦ କଲେ କଣ ହେବ? କିଛି ଲୋକ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ପୃଥିବୀ ଘୂର୍ଣ୍ଣନ ବନ୍ଦ କଲେ କଣ ହେବ ବୋଲି ନିଜ ପଦ୍ଧତିରେ ବ୍ୟାଖ୍ୟା କରିଛନ୍ତି। ଅମିତ ନାମକ ଜଣେ ବ୍ୟକ୍ତି କହିଛନ୍ତି- ଯଦି ପୃଥିବୀ ମାତ୍ର ୨ ମିନିଟ୍‌ ପାଇଁ ଘୂର୍ଣ୍ଣନ ବନ୍ଦ କରେ, ତେବେ ଦୃଶ୍ୟ ଭୟଙ୍କର ହେବ, କାରଣ ପୃଥିବୀ ନିଜ ଅକ୍ଷରେ ଘଣ୍ଟା ପ୍ରତି ୧୦୦୦ ମାଇଲ ବେଗରେ ଘୂର୍ଣ୍ଣନ କରିଥାଏ। ପୃଥିବୀ ଘୂର୍ଣ୍ଣନ ବନ୍ଦ କରିବା ମାତ୍ରେ ଘଣ୍ଟା ପ୍ରତି ୧୦୦୦ ମାଇଲ ବଳ ଦ୍ୱାରା ଆମକୁ ପୂର୍ବ ଆଡ଼କୁ ନିକ୍ଷେପ କରାଯିବ। ଯଦି ପୃଥିବୀ ସବୁଦିନ ପାଇଁ ଘୂର୍ଣ୍ଣନ ବନ୍ଦ କରେ ତେବେ ପୃଥିବୀର ଗୋଟିଏ ଭାଗରେ ଦିନ ଏବଂ ଅନ୍ୟ ପଟେ ରାତି ରହିବ। ଏହି କାରଣରୁ, ଗୋଟିଏ ଅଂଶର ତାପମାତ୍ରା ବୃଦ୍ଧି ପାଇବ ଏବଂ ଅନ୍ୟ ଅଂଶ ଥଣ୍ଡା ରହିବ।

ନୀତୀଶ ନାମକ ଜଣେ ୟୁଜର କହିଛନ୍ତି, ପୃଥିବୀ ଘୂର୍ଣ୍ଣନ ବନ୍ଦ କରିବାର କାରଣ ହେଉଛି ପୃଥିବୀର ନିଜସ୍ବ ମାଧ୍ୟାକର୍ଷଣ ଶକ୍ତି ସମାପ୍ତ ହେବ। ଯଦି ଏହା ୨ ମିନିଟ୍‌ରୁ କମ୍‌ ସମୟ ପର୍ଯ୍ୟନ୍ତ ଘଟେ ତେବେ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ଶକ୍ତି ହେତୁ ପୃଥିବୀ ଅତି ଉଚ୍ଚ ବେଗରେ ଗତି କରିବ। ଏହା ସୂର୍ଯ୍ୟର ମଧ୍ୟଭାଗକୁ ଗତି କରିବ ଏବଂ କିଛି ସମୟ ମଧ୍ୟରେ ଏହା ସୂର୍ଯ୍ୟର ମଧ୍ୟଭାଗରେ ପ୍ରବେଶ କରିବ ଏବଂ ସମଗ୍ର ପୃଥିବୀ ସୂର୍ଯ୍ୟଙ୍କ ନିକଟରେ ଅବଶୋଷିତ ହେବ।

ଏଗୁଡ଼ିକ ଲୋକଙ୍କ ଉତ୍ତର ଥିଲା। କିନ୍ତୁ ବିଜ୍ଞାନ ପ୍ରକୃତରେ କ’ଣ କହୁଛି । ଜ୍ୟୋତିର୍ବିଜ୍ଞାନ ଏବଂ ବିଜ୍ଞାନ ସହ ଜଡ଼ିତ ଏକ ଓ୍ବେବସାଇଟ୍‌ ସ୍ପେସ୍‌ ଡଟ୍‌ କମ୍‌ରେ ଏହି ପ୍ରଶ୍ନର ଉତ୍ତର ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଯଦିଓ ଏହା ସମ୍ଭବ ନୁହେଁ, କିନ୍ତୁ ଯଦି ପୃଥିବୀ ଘୂର୍ଣ୍ଣନ ବନ୍ଦ କରେ ତେବେ ଦିନରାତି ବନ୍ଦ ହୋଇଯିବ। ଯଦି ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରି ବୁଲିବ, ତେବେ ସେଠାରେ ୬ ମାସ ଦିନ ଏବଂ ୬ ମାସ ରାତି ହେବ। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ନଷ୍ଟ ହେତୁ ମହାକାଶରୁ ଆସୁଥିବା ବିକିରଣ ପୃଥିବୀରେ ପହଞ୍ଚିବ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେବ। ଏହା ପ୍ରାଣୀ ଜଗତର ଧ୍ୱଂସର କାରଣ ହେବ l

ମିଳିଲା ଅଷ୍ଟମ ମହାଦେଶ, ସୂଚନା ଦେଲେ ବୈଜ୍ଞାନିକ

COASTAL NEWS ODIA 929

ମିଳିଲା ଅଷ୍ଟମ ମହାଦେଶ, ସୂଚନା ଦେଲେ ବୈଜ୍ଞାନିକ

 

ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଆମେ ପୂର୍ବରୁ ଜାଣିଛେ ବିଶ୍ୱରେ ୭ଟି ମହାଦେଶ ରହିଛି। ମାତ୍ର ଭୂବିଜ୍ଞାନୀଙ୍କର ଏକ ଛୋଟ ଦଳ ବିଶ୍ୱର ଅଷ୍ଟମ ମହାଦେଶ ଆବିଷ୍କାର କରିଛନ୍ତି, ଯାହାର ନାମ ଜିଲାଣ୍ଡିଆ। 

ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ଯେ, ଏହି ମହାଦେଶ ଗୋଣ୍ଡଓ୍ବାନା ନାମକ ଏକ ମହାଦେଶର ଅଂଶ ଅଟେ। ପ୍ରାୟ ୧୦୫ ନିୟୁତ ବର୍ଷ ପୂର୍ବେ ଜିଲାଣ୍ଡିଆ ଗୋଣ୍ଡଓ୍ବାନା ଠାରୁ ଅଲଗା ହୋଇଥିଲା। ଜେଲାଣ୍ଡିଆ ପ୍ରଥମେ ୧୬୬୨ ମସିହାରେ ଡଚ୍‌ ବଣିକ ତଥା ନାବିକ ଆବେଲ ତସମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା।

ନିଖୋଜ କାନାରା ବ୍ୟାଙ୍କ ମ୍ୟାନେଜର୍‌ ତପନ ସାହୁଙ୍କ ମିଳିଲା ପତ୍ତା

COASTAL NEWS ODIA 928

ନିଖୋଜ କାନାରା ବ୍ୟାଙ୍କ ମ୍ୟାନେଜର୍‌ ତପନ ସାହୁଙ୍କ ମିଳିଲା ପତ୍ତା



କଟକ : ଭଞ୍ଜ ବିହାରୀ ମହାନ୍ତି - ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର୍‌ ତପନ ସାହୁଙ୍କ ପତ୍ତା ମିଳିଲା। ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରେ ତପନଙ୍କୁ ଧରିଲା ପୋଲିସ୍। ବ୍ୟାଙ୍କ ମ୍ୟାନେଜର ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମୋବାଇଲ୍‌ ଟ୍ରାକ୍‌ କରି ତପନଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ତାଙ୍କୁ ଅଧିକ ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ, ତପନଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ। ସୋମବାର ସେ ବାଙ୍କୀ କଳାପଥରରୁ ବଡ଼ମ୍ବା ଆସୁଥିବା ସମୟରେ ବାଟରେ କେଉଁଠି ନିଖୋଜ ହୋଇଯାଇଥିଲେ । କଟକ ଜିଲ୍ଲା ବଡ଼ମ୍ବା କାନାରା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ତପନ ସାହୁ ନିଖୋଜ ନେଇ ବୈଦେଶ୍ବର ଥାନାରେ ଏତଲା ଦିଆଯାଇଥିଲା ।

ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ

COASTAL NEWS Odia 927

ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ



ଭଦ୍ରକ  – ଭଞ୍ଜ ବିହାରୀ ମହାନ୍ତି - ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ ହୋଇଯାଇଛି ବୋଲି ବାଂଶଡା ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ଥାନା ଅର୍ନ୍ତଗତ ନଛିବିନ୍ଧା ଗ୍ରାମର ଜୈନିକା ନାବାଳିକା ଗତକାଲି ଟ୍ୟୁସନକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲା । ସଂପୃକ୍ତ ଝିଅର ବାପା ନିଜର ବନ୍ଧୁବାନ୍ଧବ ଙ୍କ ଘରେ ବହୁ ଖୋଜା ଖୋଜି ପରେ ମଧ୍ୟ ନ ପାଇବାରୁ ବାଧ୍ୟ ହୋଇ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । 

କୌଣସି ସୂତ୍ରରୁ ଖବର ପାଇ ଝିଅ ର ବାପା ଜାଣିବାକୁ ପାଇଛନ୍ତି ସେହି ଅଂଚଳର ଏକ ପୁଅ ତାଙ୍କର ନାବାଳିକା ଝିଅକୁ ଜୋର ଜବରଦସ୍ତ ନେଇ ଯାଇଛନ୍ତି । ତୁରନ୍ତ ତାଙ୍କର ନାବାଳିକା ଝିଅକୁ ଉଦ୍ଧାର କରିବାକୁ ସେ ପୁଲିସ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି । ଏ ନେଇ ବାଂଶଡା ଥାନାଧିକାରୀଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ସଂପୃକ୍ତ ନାବାଳିକାକୁ ଉଧାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ତଣ୍ଡ

COASTAL NEWS Odia 926

ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ତଣ୍ଡ



ସମ୍ବଲପୁର  : ଭଞ୍ଜ ବିହାରୀ ମହାନ୍ତି - ୩ ଟଙ୍କା ପାଇଁ ୨୫ ହଜାର ଫାଇନ୍ । ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କାର ଫାଇନ ଦେବାକୁ କହିଛନ୍ତି ଖାଉଟି ଅଦାଲତ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।

ସୂଚନା ଅନୁସାରେ ସମ୍ବଲପୁରର ଜଣେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଗତ ଏପ୍ରିଲ ୨୮ ତାରିଖରେ ଜେରକ୍ସ କରିବାକୁ ଯାଇଥିଲେ । ଗୋଟିଏ କପିକୁ ଜେରକ୍ସ କରି ୫ ଟଙ୍କା ଦେଇଥିଲେ । ଗୋଟିଏ କପି ଜେରକ୍ସ କରିବା ପରେ ବଳକା ୩ ଟଙ୍କା ଫେରାଇନଥିଲେ ଦୋକାନୀ । ତାଙ୍କୁ ଗ୍ରାହକ ଟଙ୍କା ମାଗିବାରୁ ଯୁକ୍ତିତର୍କ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ପରେ ଦୋକାନୀ ଜଣକ ୫ ଟଙ୍କା ଫେରାଇବା ସହ ଭିକାରୀକୁ ଦାନ କରିଦେଲି ବୋଲି କହିଥିଲେ। 

ଏହାକୁ ନେଇ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ଗ୍ରାହକ । କୋର୍ଟ ମାମଲାର ଶୁଣାଣି କରି ଦୋକାନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋକାନୀ ଜଣକ କୌଣସି ରସିଦ କିମ୍ବା ବିଲ୍ ନ ଦେଇ ଅସାଧୁ ଉପାୟରେ ବ୍ୟବସାୟ କରୁଥିବା ଦର୍ଶାଇଛନ୍ତି । ବଳକା ୩ ଟଙ୍କା ଫେରସ୍ତ ସହ ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜରିମାନା ନଦେଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ କହିଛନ୍ତି।

୫୩ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

COASTAL NEWS Odia 925

୫୩ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ




ନୂଆଦିଲ୍ଲୀ - ଆତଙ୍କବାଦୀ, ଗ୍ୟାଙ୍ଗ୍‌ଷ୍ଟର ଓ ଡ୍ରଗ୍ଧ ଚାଲାଣକାରୀଙ୍କ ଅସାଧୁ ମେଣ୍ଟ ଉପରେ ବୁଧବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୫ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୫ଟି ସ୍ଥାନରେ ଏହି ଫେଡେରାଲ ଏଜେନ୍ସି ଚଢ଼ାଉ କରିଛି।

ତାଲିକାଭୁକ୍ତ ଆତଙ୍କବାଦୀ ଅର୍ଶ ଦଲ୍ଲାଙ୍କ ସହଯୋଗୀ ଓ ଅନେକ ଦୁର୍ଘ୍ୟନ୍ତ ଗ୍ୟାଙ୍ଗ୍‌ଷ୍ଟରଙ୍କ ବିରୋଧରେ ଚାଲିଥିବା ମାମଲାର ଖୋଳତାଡ଼ ପାଇଁ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ଚଣ୍ଡିଗଡ଼ରେ ଚଢ଼ାଉ ବେଳେ ବନ୍ଧୁକ, ଅନ୍ୟ ଅସ୍ତ୍ରଶସ୍ତ୍ର, ଡିଜିଟାଲ ଉପକରଣ ଏବଂ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଏହି ଗ୍ୟାଙ୍ଗ୍‌ଷ୍ଟରମାନେ ପାକିସ୍ତାନ, ୟୁଏଇ, କାନାଡା, ପର୍ତ୍ତୁଗାଲ ସମେତ ଆଉ କେତେକ ଦେଶର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ସହ ଯୋଗସୂତ୍ରରେ ରହି ଡ୍ରଗ୍ଧ ଚାଲାଣ କରୁଥିଲେ ବୋଲି ଜଣେ ଏନ୍‌ଆଇଏ ଅଧିକାରୀ ସୂଚନା ଦେଇଛନ୍ତି।

ଟଙ୍କିକିଆ ଚାଉଳ ପାଇଁ ୧୪କିମି ଯାତ୍ରା

COASTAL NEWS Odia 924

ଟଙ୍କିକିଆ ଚାଉଳ ପାଇଁ ୧୪କିମି ଯାତ୍ରା


 
ପାତ୍ରପୁର :  ଭଞ୍ଜ ବିହାରୀ ମହାନ୍ତି - ଗଞ୍ଜାମ ଜିଲା ପାତ୍ରପୁର ବ୍ଳକରେ ବହୁ ଆଦିବାସୀ ଗ୍ରାମ ଦୁର୍ଗମ ପାହାଡ ଅଞ୍ଚଳରେ ରହିଛି। ଏହି ସବୁ ଗ୍ରାମ ମଧ୍ୟରୁ ବହୁ ଗ୍ରାମକୁ ଏବେ ବି ରାସ୍ତା ସାତ ସପନ ପାଲଟିଛି। ଫଳରେ ଆଦିବାସୀ ଲୋକଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ଦୁର୍ଗମ ପଥରେ ମାଇଲ ମାଇଲ ଦୂର ଚାଲିବାକୁ ପଡୁଛି। ବହୁ ଆଦିବାସୀ ଗ୍ରାମର ଲୋକମାନେ ଟଙ୍କିକିଆ ଚାଉଳ ସଂଗ୍ରହପାଇଁ ୧୦ରୁ ୨୦ କିମିର ଦୂର ଅତିକ୍ରମ କରୁଛନ୍ତି।

ପାତ୍ରପୁର ବ୍ଲକର ବୁରାତାଲ ପଞ୍ଚାୟତର ବଡ଼ ଅଞ୍ଚୁପା ଏବଂ ସାନ ଅଞ୍ଚୁପା ଗ୍ରାମ ମହେନ୍ଦ୍ରତନୟା ପାହାଡ଼ ଉପରେ ରହିଥିବା ବେଳେ ପଞ୍ଚାୟତ ଠାରୁ ଦୁଇ ଗ୍ରାମର ଦୂରତା ୧୪କିଲୋମିଟର। ବୁରାତାଲ ପଞ୍ଚାୟତଟି ପାହାଡ ଉପରେ ରହିଥିବା ବେଳେ ଲୋକଙ୍କ ଯାତାୟାତ ପାଇଁ ଭଲ ରାସ୍ତା ଟିଏ ନଥିବା ଯୋଗୁଁ ପାହାଡ ତଳ ୭ କିଲୋମିଟର ଦୂର ଡୁଡୁକାବାଡ ନିକଟରେ ପଡ଼ିକାର୍ଡ ରେ ସାମଗ୍ରୀ ବଣ୍ଟନ କରାଯିବା ସହିତ ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ସମ୍ପାଦନ ହେଉଛି। 

ଡୁଡୁକାବାଡଠାରୁ ବଡ଼ ଅଞ୍ଚୁପା, ସାନ ଅଞ୍ଚୁପା ପ୍ରାୟ ୧୪ କିଲୋମିଟର ଦୂରତା ହୋଇ ଥିବା ବେଳେ ଲୋକମାନେ ପଞ୍ଚାୟତରୁ ବିଭିନ୍ନ ସାମଗ୍ରୀ ମୁଣ୍ଡରେ ଧରି ଘାଟି ରାସ୍ତାରେ ଚାଲିଚାଲି ଫେରିଥାନ୍ତି। ଦୁଇ ଗ୍ରାମ ମଧ୍ୟରୁ ବଡ଼ ଅଞ୍ଚୁପା ଗ୍ରାମ ପଞ୍ଚାୟତ ର ସର୍ବ ବୃହତ୍ ଗ୍ରାମ। ଗ୍ରାମରେ ୧୨୦ ପରିବାରର ୬୦୦ରୁ ଊର୍ଦ୍ଧ୍ବ ଆଦିବାସୀ ବସବାସ କରନ୍ତି। ଗ୍ରାମକୁ ଜିନିଷ ନେବାକୁ ହେଲେ ଗଜପତି ସୀମା ମାଡା ପର୍ଯ୍ୟନ୍ତ ଅଟୋରେ ଯିବା ପରେ ପାହାଡ଼, ଘାଟି ଓ ମାଟି ରାସ୍ତାରେ ଚାଲିଚାଲି ବହୁ କଷ୍ଟରେ ଯିବାକୁ ପଡୁଛି। ଟଙ୍କିକିଆ ସାମଗ୍ରୀ ପରିବହନ ପାଇଁ ଲୋକମାନେ ଗ୍ରାମରୁ ଘାଟି ରାସ୍ତା ରେ ମାଡା ଆସିବା ପରେ ସେଠାରୁ ଅଟୋ ଭଡ଼ା କରି ଡୁଡୁକାବାଡ ଯାଇ ସେହିଠାରୁ ପୁଣି ଜିନିଷ ଧରି ଫେରିଆନ୍ତି। 

ଏହି ପାହାଡିଆ ଅଞ୍ଚଳରେ ଲୋକମାନେ ପଡି କାର୍ଡ ରେ ଜିନିଷ ସଂଗ୍ରହ ସହ ଭତ୍ତା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ଡୁଡୁକାବାଡ ଆସି ଥାଆନ୍ତି।ତେବେ କାର୍ଯ୍ୟ ରେ ବିଳମ୍ବହେଲେ ଫେରିବା ବେଳେ ରାତି ହୋଇଗଲେ ଜଙ୍ଗଲ ରାସ୍ତାରେ ଯିବାକୁ ପଡିଥାଏ। ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ଜଙ୍ଗଲ ମଧ୍ୟରେ ବହୁ ଗଛ କାଟି ମାଟି ରାସ୍ତା ନିର୍ମାଣ ହୋଇଥିଲା। ବର୍ଷାରେ ମାଟି ଧୋଇ ଖାଲଖମା ହେବା ସହ ଲଟାବୁଦା ମାଡ଼ିଯାଇଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି।

ପଞ୍ଚାୟତର ବଡ଼ ଗ୍ରାମ ହୋଇ ଥିବା ସତ୍ତ୍ବେ ବଡ଼ଅଞ୍ଚୁପାକୁ ପକ୍କା ରାସ୍ତା ଟିଏ ନଥିବାରୁ ରୋଗୀ ,ପ୍ରସବ ପାଇଁ ଯାଉଥିବା ମହିଳା ସହିତ ସାଧାରଣ ଜନତା ଡାକ୍ତରଖାନା, ବ୍ଲକ୍ ସହିତ ବିଭିନ୍ନ ସ୍ଥାନକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ୍ ହୋଇଥାନ୍ତି। ଗାଁକୁ ରାସ୍ତା ନିର୍ମାଣପାଇଁ ଗ୍ରାମବାସୀ ବାରମ୍ବାର ନିବେଦନ କରିବା ସତ୍ତ୍ବେ ସେଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଏହି ଦୁଇ ଗ୍ରାମ ସହିତ ରାସ୍ତା ନଥିବା ଗ୍ରାମକୁ ତୁରନ୍ତ ରାସ୍ତା ନିର୍ମାଣ କଲେ ଗାଁବାସୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଉଛି।

୧୦ରୁ ଘରୋଇ ବସ୍ ଧର୍ମଘଟ

COASTAL NEWS Odia 923

୧୦ରୁ ଘରୋଇ ବସ୍ ଧର୍ମଘଟ


 
ଭୁବନେଶ୍ୱର : ଭଞ୍ଜ  ବିହାରୀ ମହାନ୍ତି - ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଯୋଜନାକୁ ବିରୋଧ କରି ନିଖିଳ ଓଡ଼ିଶା ଘରୋଇ ବସ ମାଲିକ ସଂଘ ଆସନ୍ତା ଅକ୍ଟୋବର ୧୦ରୁ ରାଜ୍ୟବ୍ୟାପୀ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ଘୋଷଣା କରିଛି। ବୁଧବାର ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନେଇ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସୂଚନାେଯାଗ୍ୟ ଯେ ଆସନ୍ତା ୨ ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ସେହିଦିନ କେବଳ କୋରାପୁଟ, ମାଲକାନଗିରି, ଜୟପୁର ଓ ନବରଙ୍ଗପୁରକୁ କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ। ଏହା ପରେ ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଧର୍ମଘଟ ଚାଲିବ।
ନିଖିଳ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଲକ୍ଷ୍ମୀ ଯୋଜନାରେ ବସ୍‌ ନ କିଣି ଆମ ବସକୁ ଲିଜ୍‌ରେ ନେଇ ଚଲାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲୁ। ୩ ମାସ ହେଲା ସରକାରଙ୍କ ସହ ଏ ନେଇ ଆଲୋଚନା ମଧ୍ୟ ହେଇଥିଲା। ରାଜ୍ୟ ସରକାର ବସମାଲିକଙ୍କ ସ୍ବାର୍ଥକୁ ଉପେକ୍ଷା କରି ଲକ୍ଷ୍ମୀ ଯୋଜନାରେ ବସ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଯଦି ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ବସ ଚଳାଇବେ, ଆମେ କେଉଁଠି ବସ୍‌ ଚଳାଇବୁ? ଏହି ଯୋଜନାରେ ସରକାର ରାଜ୍ୟ ବାହାର ସଂସ୍ଥାକୁ ମାଲେମାଲ କରିବାକୁ ବସିଥିବା ବେଳେ ଆମକୁ ବରବାଦ କରିବା ପାଇଁ ଯୋଜନା କରୁଛନ୍ତି। ମୋ’ ବସ ଓ ଲକ୍ଷ୍ମୀ ବସ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ନ ଆସିଲା ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ଜାରି ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।

ଭାରତରେ ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ

COASTAL NEWS Odia 922

ଭାରତରେ ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ


 
ଜେନେଭା,୨୮।୯ : ଭଞ୍ଜ ବିହାରୀ ମହାନ୍ତି - ମିଳିତ ଜାତିସଂଘର ଏକ ନୂତନ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଭାରତର ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ ଗୋଷ୍ଠୀରେ ଅଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ସେମାନଙ୍କ ମଧ୍ୟରୁ ପ୍ରାୟ ୧୮.୭ ପ୍ରତିଶତ ଆୟ ବିନା ବଞ୍ଚନ୍ତି।

ୟୁଏନଏଫପିଏର ଇଣ୍ଡିଆ ଏଜିଂ ରିପୋର୍ଟ ୨୦୨୩ ଅନୁଯାୟୀ, ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଏହି ଦାରିଦ୍ର୍ୟର ସ୍ତର ସେମାନଙ୍କ ଜୀବନଶୈଳୀ ତଥା ସ୍ବାସ୍ଥ୍ୟସେବା ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଥାଏ। ରିପୋର୍ଟରେ କୁହାଯାଇଛି ୧୭ଟି ରାଜ୍ୟରେ ଏହି ଅନୁପାତ ଜାତୀୟ ସ୍ତରରୁ ଅଧିକ ରହିଛି। ଉତ୍ତରପ୍ରଦେଶରେ ଏହା ୧୯.୩ ପ୍ରତିଶତ ଥିବାବେଳେ ଲାକ୍ଷାଦ୍ୱୀପରେ ଏହା ୪୨.୪ ପ୍ରତିଶତ ରହିଛି। ସେମାନଙ୍କ ମଧ୍ୟରେ ମହିଳାମାନଙ୍କର ଆୟୁଷ ଅଧିକ ଥାଏ, ଯାହା ଅନେକ ଦେଶରେ ଶୈଳୀ ସହିତ ସମାନ ଅଟେ। 

ରାଜସ୍ଥାନ, ହରିୟାଣା, ଗୁଜରାଟ, ଉତ୍ତରାଖଣ୍ଡ, କେରଳ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରର ଭଳି ରାଜ୍ୟରେ ୬୦ବର୍ଷରୁ ଅଧିକ ମହିଳାଙ୍କ ଜୀବନ ପ୍ରତ୍ୟାଶା ୨୦ ବର୍ଷରୁ ଅଧିକ ହୋଇଥିବାରୁ ସେମାନଙ୍କ ସାମାଜିକ ତଥା ଅର୍ଥନୈତିକ ଉନ୍ନତି ପାଇଁ ଚିନ୍ତା ବଢ଼ାଇଥାଏ।

୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ କର୍ପୋରେଟ ସାମାଜିକ ଦାୟିତ୍ୱ ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କ ପାଇଁ ୧୨୫୯.୬ ବିଲିୟନ ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି, ଯାହା ସାତ ବର୍ଷ ମଧ୍ୟରେ ୧୮୨ ପ୍ରତିଶତ ବୃଦ୍ଧି ହୋଇଛି।

ଏକତରଫା ପ୍ରେମର ପରିଣତି ଛାତ୍ରୀଙ୍କୁ ଅପହରଣ ; ଯୁବକ ଗିରଫ

COASTAL NEWS Odia 821

ଏକତରଫା ପ୍ରେମର ପରିଣତି ଛାତ୍ରୀଙ୍କୁ ଅପହରଣ ; ଯୁବକ ଗିରଫ



ଆଳି - ଆଳି ବ୍ଲକ ଅନ୍ତର୍ଗତ ଜୁଅଣିଆ ପଞ୍ଚାୟତ ର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ଯୁବକଙ୍କୁ ଆଳି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଓ ପୀଡିତା ଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି।

ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ ଜୁଅଣିଆ ପଞ୍ଚାୟତ ହଦୁଆ ଗ୍ରାମର ବାପୁନି ଜେନା ଓରଫ ଦିଲ୍ଲୀପ ସ୍ଥାନୀୟ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ (୧୫) ଙ୍କୁ ଗତ ୧୯ ତାରିଖ ଦିନ ଗଣେଶ ପୂଜା ପାଇଁ ସ୍କୁଲ୍‌କୁ ଯାଉଥିବା ବେଳେ ତାଙ୍କୁ ବଳପୂର୍ବକ ବାପୁନିର ସହଯୋଗୀ ହଦୁଆ ଗ୍ରାମର ହଳିଆ ଜେନା ସଂପୃକ୍ତ ଛାତ୍ରୀଙ୍କୁ ଜୋର ଜବରଦସ୍ତ ବାପୁନି ସହ ଏକ ବୁଲେଟ୍‌ ମୋଟର ସାଇକେଲ ରେ ବସାଇ ଫେରାର୍ କରାଇବାରେ ସହାୟକ ହୋଇଥିଲା । 

ବାପୁନି ଦ୍ରୁତ ଗତିରେ ଗାଡ଼ି ଚଳାଇ ଛାତ୍ରୀଙ୍କୁ ନେଇ ବିଂଝାରପୁର ଆଡ଼କୁ ପଳାଇଥିଲା । ଛାତ୍ରୀଙ୍କ ମା’ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଖୋଜାଖୋଜି କରି ନପାଇବାରୁ ଆଳି ଥାନାର ଦ୍ବାରସ୍ଥ ହୋଇଥିଲେ । ପୁଲିସ ଅଭିଯୋଗ ଆଧାରରେ ଆଇଆଇସି ସବ୍ୟସାଚୀ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ପି.କେ. ପଟ୍ଟନାୟକ ଅନୁସନ୍ଧାନ କରି ଅଭିଯୁକ୍ତ ଓ ପୀଡ଼ିତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଉଦ୍ଧାର କରିଥିଲେ।

ପୀଡିତା ଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି 

ମହାକାଶଯାତ୍ରୀଙ୍କୁ ସ୍ଵାଭାବିକ ହେବା ପାଇଁ ୩ ବର୍ଷ ସମୟ ଲାଗେ

COASTAL NEWS Odia 920

ମହାକାଶଯାତ୍ରୀଙ୍କୁ ସ୍ଵାଭାବିକ ହେବା ପାଇଁ ୩ ବର୍ଷ ସମୟ ଲାଗେ



ନୂଆଦିଲ୍ଲୀ - ପୃଥିବୀର ବାୟୁମଣ୍ଡଳର ବାହାରେ ଥିବାବେଳେ, ମହାକାଶଚାରୀଙ୍କ ମସ୍ତିଷ୍କରେ ତରଳ ଭର୍ଭି କୋଷଗୁଡ଼ିକ ଓବିସ୍ତାର କରି ମାଇକ୍ରୋଗ୍ରାଭିଟି ସହିତ ଖାପ ଖୁଆଇ କାର୍ଯ୍ୟ କରେ କିନ୍ତୁ ମହାକାଶଯାତ୍ରାରୁ ପରେ, ଏହି ସଂରଚନାଗୁଡିକ ସ୍ବାଭାବିକ ଅବସ୍ଥାକୁ ଫେରିବାକୁ ତିନି ବର୍ଷ କିମ୍ବା ଅଧିକ ସମୟ ମଧ୍ୟ ଲାଗିଥାଏ। 

ଅନୁସନ୍ଧାନକାରୀମାନେ ଏହି ତଥ୍ୟକୁ ଭଲଭାବେ ବିଶ୍ଳେଷଣ କରି ବୈଜ୍ଞାନିକ ତଥ୍ୟ ପ୍ରକାଶ କରିଛନ୍ତି । ଗବେଷଣାରୁ ଜଣାପଡ଼ିଛି ଯେ ମହାକାଶଚାରୀମାନେ ସେମାନଙ୍କର ମସ୍ତିଷ୍କ ପୁନର୍ବାର ମହାକାଶରେ ରହିବାକୁ ପ୍ରସ୍ତୁତ ହେବା ପୂର୍ବରୁ ଅଧିକ ସମୟ ବିଶ୍ରାମର ଆବଶ୍ୟକ କରିଥା'ନ୍ତି । ମହାକାଶରେ ସାମାନ୍ୟ ମାଧ୍ୟାକର୍ଷଣରେ ମସ୍ତିଷ୍କର କେନ୍ଦ୍ରରେ ଥିବା ତରଳ ପଦାର୍ଥ ଯୋଗୁଁ ଜଣେ ମହାକାଶଚାରୀଙ୍କ ମସ୍ତିଷ୍କରେ ପ୍ରଭାବ ପଡ଼ିଥାଏ। ତେଣୁ ଯାତ୍ରାରୁ ଫେରିବା ପରେ ମହାକାଶଯାତ୍ରୀଙ୍କୁ ସ୍ଵାଭାବିକ ହେବା ପାଇଁ ୩ ବର୍ଷ ସମୟ ଲାଗେ ବୋଲି ଫ୍ଲୋରିଡା ବିଶ୍ବବିଦ୍ୟାଳୟର ମହାକାଶ ବିଜ୍ଞାନୀ ରାଚେଲ ସେଡଲର କହିଛନ୍ତି । 

ଏହି ଗବେଷକ ତାଙ୍କ ଦଳ ସହ ମିଶି ୩୦ ଜଣ ମହାକାଶଚାରୀଙ୍କୁ ସାମିଲ କରି ମିଶନ ପୂର୍ବରୁ ଏବଂ ପରେ ଏମଆରଆଇ ମସ୍ତିଷ୍କ ସ୍କାନ ଯାଞ୍ଚ କରିବାରୁ ବିଶ୍ଳେଷଣ ଦର୍ଶାଇଲା ଯେ ମହାକାଶରେ ରହଣି ଯେତେ ଅଧିକ ସମୟ ଚାଲିବ, ମସ୍ତିଷ୍କ ଆଭ୍ୟନ୍ତରୀଣ କୋଷ ମଧ୍ଯ ସେଇଭଳି ଭାବେ ସମ୍ପ୍ରସାରିତ ହେବ । ଦୁଇ କିମ୍ବା ତିନି ସପ୍ତାହ ମହାକାଶରେ ରହି ଫେରୁଥିବା ମହାକାଶଚାରୀଙ୍କ ମସ୍ତିଷ୍କ ସେଭଳି ଭାବେ ପ୍ରଭାବିତ ହୋଇନଥିଲା କିନ୍ତୁ ଯେଉଁମାନେ ଦୁଇ ମାସରୁ ଅଧିକ ସମୟ ସେଠାରେ ରହି ଫେରୁଥିଲେ, ସେମାନଙ୍କଠାରେ ଅଧିକ କୋଷ ସମ୍ପ୍ରସାରଣ ହୋଇଥିବା ଲକ୍ଷ୍ୟ କରିଥିଲେ ଗବେଷକଦଳ। 

ମସ୍ତିଷ୍କ ଉପରେ ମହାକାଶ ଯାତ୍ରାର ଚାପ ସମ୍ପର୍କିତ ତଥ୍ୟ ହାସଲ କରିବା ପରେ ନାସା ସ୍ଥିର କରିଛି ଯେଉଁ ଲୋକମାନଙ୍କୁ ମଙ୍ଗଳ ଗ୍ରହକୁ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି, ସେମାନେ ଦୁଇ ବର୍ଷର ରହଣି ପରେ ପୃଥିବୀକୁ ଫେରିବେ।

ଇରାକରେ ବିବାହ ମଣ୍ଡପରେ ଅଗ୍ନିକାଣ୍ଡ ବରକନ୍ୟାଙ୍କ ସହ ଜଳିଗଲେ ୧୦୦ରୁ ଅଧିକ ଅତିଥି

COASTAL NEWS Odia 920

 ଇରାକରେ ବିବାହ ମଣ୍ଡପରେ ଅଗ୍ନିକାଣ୍ଡ
ବରକନ୍ୟାଙ୍କ ସହ ଜଳିଗଲେ
୧୦୦ରୁ ଅଧିକ ଅତିଥି 



ବାଗଦାଦ - ଉତ୍ତର ଇରାକର ହାମୁନିୟା ସହରରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟି ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ୧୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ଅବସ୍ଥା ଗମ୍ଭୀର ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ବଢାଇଛି। 

ମିଳିଥିବା ଖବର ଅନୁସାରେ ଇରାକ୍ର ମୋସୁଲ ସହରର ନିକଟସ୍ଥ ଅଞ୍ଚଳ ହେଉଛି ହାସ୍ନାନିୟା ଅଞ୍ଚଳ । ଯେଉଁଠି ଅଧିକାଂଶ ଭାବେ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକ ବସବାସ କରିଥାଆନ୍ତି। ମଙ୍ଗଳବାର ରାତିରେ ଏଠାକାର ଏକ ବିବାହ ମଣ୍ଡପରେ ବିବାହ ଉତ୍ସବ ଚାଲିଥିବା ବେଳେ ଅଚାନକ ଭାବେ ମଣ୍ଡପରେ ନିଆଁ ଲାଗି ଯାଇଥିଲା। ନିଆଁର ବେଗ ଏତେ ତୀବ୍ର ଥିଲା ଯେ, ନିମିଷକ ମଧ୍ୟରେ ସମଗ୍ର ହଲ୍ ହୁତହୁତ ହୋଇ ଜଳିଥିଲା। 

ଏହି ସମୟର ଏକ ଭିଡିଓ ଦୃଶ୍ୟ ଭାଇରାଲ ହୋଇଥିବା ବେଳେ ନିଆଁର ପ୍ରଖରତା କେତେ ଥିଲା ତାହା ସ୍ପଷ୍ଟ ହୋଇଛି।ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲଗୁଡିକରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ଅଗ୍ନିକାଣ୍ଡର କାରଣ କଣ ଥିଲା ତାହା ସ୍ପଷ୍ଟ ହୋଇ ନାହିଁ ।

ଆଜିର ରାଶିଫଳ

COASTAL NEWS Odia 918



*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଡ:ବାୟୁନନ୍ଦନ ମିଶ୍ର*  
 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌹ମେଷ🌹👉: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।* 
*✧═════•❁❀❁•═════✧*
*🌹ବୃଷ🌹👉: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
*🌹ମିଥୁନ🌹👉: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।* 
*✧═════•❁❀❁•═════✧*
*🌹କର୍କଟ🌹👉: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।*
*✧═════•❁❀❁•═════✧*
*🌹ସିଂହ🌹👉: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।* 
*✧═════•❁❀❁•═════✧*
*🌹କନ୍ୟା🌹👉: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।* 
*✧═════•❁❀❁•═════✧*
*🌹ତୁଳା🌹👉: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।* 
*✧═════•❁❀❁•═════✧*
*🌹ବିଛା🌹👉: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।* 
*✧═════•❁❀❁•═════✧*
*🌹ଧନୁ🌹👉: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।* 
*✧═════•❁❀❁•═════✧*
*🌹ମକର🌹👉: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।*
*✧═════•❁❀❁•═════✧*
*🌹କୁମ୍ଭ🌹👉: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।* 
*✧═════•❁❀❁•═════✧*
*🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।*
*✧═════•❁❀❁•═════✧*

ଇତିହାସ ରଚିଲେ ଶୁବମନ ଗିଲ୍

COASTAL NEWS Odia 917

ଇତିହାସ ରଚିଲେ ଶୁବମନ ଗିଲ୍


ଇନ୍ଦୋର - ତେନ୍ଦୁଲକର-କୋହଲିଙ୍କୁ ପଛରେ ପକାଇ ଶୁବମନ ଗିଲ୍ କଲେ ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଗିଲ୍ ୯୭ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଏହା ତାଙ୍କର ଷଷ୍ଠ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କ ପ୍ରଥମ ଶତକ ଥିଲା ।

ଏବର୍ଷ ଦମଦାର ଫର୍ମରେ ଅଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍। ମ୍ୟାଚ୍ ପରେ ମ୍ୟାଚ୍, ଆଶ୍ଚର୍ଯୟଜନକ ଭାବେ ନୂ‍ଆ ନୂଆ ରେକର୍ଡ ନିଜ ନାମରେ କରୁଛନ୍ତି ଗିଲ୍। ଆଜି ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଆଉ ଏକ ଶତକ ନିଜ ନାମରେ କରିଛନ୍ତି ଶୁବମନ ବାଜି ମାରିଛନ୍ତି । ଶତକ ସହ ଆଉ ଏକ ବଡ଼ ରେର୍କଡ ମଧ୍ୟ ସେ ତାଙ୍କ ନାମରେ କରିଛନ୍ତି। ଏଥର ଗିଲ୍ ସଚିନ ତେନ୍ଦୁଲକର, ବିରାଟ କୋହଲି, ହାସିମ୍ ଆମଲା ଓ ବାବର ଆଜମଙ୍କ ପରି ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କରିଛନ୍ତି ଗିଲ୍।

ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଗିଲ୍ ୯୭ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଏହା ତାଙ୍କର ଷଷ୍ଠ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କ ପ୍ରଥମ ଶତକ । ଦିନିକିଆ କ୍ରିକେଟ ଇତିହାସରେ ୩୫ ଇନିଂସରେ ୧୯୦୦ ରନ କରିବାରେ ଗିଲ୍ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ । ସେ ସଚିନ ତେନ୍ଦୁଲକର, ବିରାଟ କୋହଲି, ବାବର ଆଜମ, ହାସିମ ଆମଲାଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ଏହି ଉପଲବ୍ଧି ନିଜ ନାମରେ କରିଛନ୍ତି। 

 ସେହିପରି ଚଳିତ ବର୍ଷ ଏହା ହେଉଛି ଗିଲଙ୍କ ପଞ୍ଚମ ଶତକ । ସେ ଏକ କ୍ୟାଲେଣ୍ଡର ବର୍ଷରେ ପାଞ୍ଚ କିମ୍ବା ଅଧିକ ଶତକ ସ୍କୋର କରିବାରେ ସପ୍ତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତାଙ୍କ ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ଶିଖର ଧାୱନ ଏହି ସଫଳତା ହାସଲ କରିଛନ୍ତି ।

ଜାନୁଆରି ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ହେବ

COASTAL NEWS Odia 916

ଜାନୁଆରି ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ହେବ 




ନୂଆଦିଲ୍ଲୀ, ୨୬/୯: ତିନି ମହଲା ବିଶିଷ୍ଟ ଅଯୋଧ୍ୟା ରାମ ମନ୍ଦିର ତଳ ମହଲାର ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମ୍ପନ୍ନ ହେବ ଏବଂ ଆସନ୍ତାବର୍ଷ ଜାନୁଆରି ୨୨ ତାରିଖରେ ପ୍ରାଣପ୍ରତିଷ୍ଠା ହେବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି। 

ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଜାନୁଆରି ୨୦ରୁ ୨୪ ମଧ୍ୟରେ ହେବାକୁ ଥିବା ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ଆଶା କରାଯାଉଛି। ତେବେ ଅନ୍ତିମ ତାରିଖଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ସୂଚିତ କରାଯାଇ ନାହିଁ । 

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ମନ୍ଦିର ଚୂଡ଼ାରେ ଏପରି ଏକ ଜିନିଷ ଲଗାଯିବ, ଯାହାଦ୍ଵାରା ପ୍ରତିବର୍ଷ ରାମନବମୀ ଦିନ ଶ୍ରୀବିଗ୍ରହଙ୍କ କପାଳରେ ସୂର୍ଯ୍ୟକିରଣ ପଡ଼ିବ। ବେଙ୍ଗାଲୁରୁରେ ଏହା ନିର୍ମାଣ କରାଯାଉଛି ଏବଂ ବୈଜ୍ଞାନିକମାନେ ତାହାର ତଦାରଖ କରୁଛନ୍ତି। ଏଥିପାଇଁ ସେଣ୍ଟ୍ରାଲ ବିଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍, ରୁରକି ଏବଂ ପୁଣେର ଏକ ପ୍ରତିଷ୍ଠାନ କମ୍ପ୍ୟୁଟରୀକୃତ ପ୍ରୋଗ୍ରାମ୍ ତିଆରି କରିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟଙ୍କ ୨୦୧୯ର ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମାର୍ଗ ପ୍ରଶସ୍ତ ହୋଇଥିଲା

୭ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ଦେଇଛି ୬୬୦ କୋଟି

COASTAL NEWS Odia 915

୭ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ଦେଇଛି ୬୬୦ କୋଟି 



ଭୁବନେଶ୍ବର - ରାଜ୍ୟରେ ଘରୋଇ ହସ୍ପିଟାଲ ଭାବେ କିଏମ୍‌ ସମ ଓ ଆଇଏମ୍ଏସ ବ୍ୟତୀତ ରାଜ୍ୟ ସରକାର  ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛନ୍ତି।ଇତିମଧ୍ୟରେ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ୭ଟି ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୬୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ଅବଦାନ ରହିଛି ୪୪୦ କୋଟି |

ବିଧାନସଭାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ରାଜ୍ୟରେ ପୁରୀ, ବାଲେଶ୍ବର, ବାରିପଦା, କୋରାପୁଟ, ବଲାଙ୍ଗୀର, ଯାଜପୁର ଓ କଳାହାଣ୍ଡି ଜିଲ୍ଲାରେ ମେଡିକାଲ ପ୍ରତିଷ୍ଠା କରାଯାଇଛି। ଏଥିପାଇଁ ସମୁଦାୟ ୧୧ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ପର୍ଯ୍ୟନ୍ତ ୭୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏଥିରେ ସମୁଦାୟ ୧୫୫୦ ଏମ୍‌ବିବିଏସ୍ ସିଟ୍ ରହିଛି। ଏତଦବ୍ୟତୀତ ରାଜ୍ୟରେ ଏମ୍‌ସ, ଭୁବନେଶ୍ବରକୁ ବାଦ୍ ଦେଲେ ୬ଟି ଘରୋଇ ମେଡିକାଲ କଲେଜ ରହିଛି। ଏମାନଙ୍କର ସିଟ୍ ସଂଖ୍ୟା ହେଉଛି ୯୭୫ । ସମ୍ ହସ୍ପିଟାଲରେ ମଧ୍ୟ ୨୫୦ ଲେଖାଏ ମେଡିକାଲ ସିଟ୍ ରହିଛି l

ରାଜ୍ୟରେ ଏବେ ୨୫୨୫ଟି ଏମ୍‌ବିବିଏସ୍ ସିଟ୍ ରହିଛି । ଏଥିରେ ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲରେ ସର୍ବାଧିକ ୨୫୦ ଲେଖାଏ ସିଟ୍ ଅପରପକ୍ଷରେ ରାଜ୍ୟରେ ମେଡିକାଲ କଲେଜକୁ ବାଦ୍ ଦେଲେ ସରକାରୀ ମେଡିକାଲରେ ସମୁଦାୟ ୧୦,୭୭୪ ଡାକ୍ତର ପଦବି ରହିଛି। ଏଥିରେ ୯୩୨୦ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ୧୪୫୪ ପଦବି ଖାଲି ରହିଛି । 

ନୂତନଭାବେ ୫ହଜାରଟି କନିଷ୍ଠ-କ ବର୍ଗ ପାହ୍ୟାର ଡାକ୍ତର ପଦବି ସୃଷ୍ଟି କରିଛନ୍ତି। ଫଳରେ ସମୁଦାୟ ମଞ୍ଜୁରିପ୍ରାପ୍ତ ଡାକ୍ତରୀ ପଦବି ସଂଖ୍ୟା ୧୫,୭୭୪କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ସମୁଦାୟ ୨୮,୨୮୫ ମଞ୍ଜୁରିପ୍ରାପ୍ତ ନସିଂ ଅଫିସର ପଦବି ଥିବା ବେଳେ ସେଥିରୁ ୧୭,୩୫୮ ଖାଲି ରହିଛି। ଯାହାକି ସମୁଦାୟ ପଦବିର ୬୧% । କେବଳ ନସିଂ ଅଫିସର ନୁହେଁ, ରାଜ୍ୟରେ ଫାର୍ମାସିଷ୍ଟ ପାଇଁ ୩୪୯୦ ପଦବି ଥିବା ବେଳେ ୯୯୮, ଏଲ୍ଟି ପାଇଁ ୨୨୩୫ ପଦବିରୁ ୯୧୫, ରେଡିଓଗ୍ରାଫର ପାଇଁ ୬୯୫ ପଦବି ଥିବା ବେଳେ ୩୭୮ ପଦବି ଖାଲି ପଡ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ନିତ୍ୟାନନ୍ଦ ଗଣ୍ଡ ଓ ଭୂପିନ୍ଦର ସିଂହ ଏ ସଂପର୍କିତ ପ୍ରଶ୍ନ ର ଉତ୍ତର ରେ ସରକାର ପ୍ରକାଶ କରିଛନ୍ତି ।

Wednesday, September 27, 2023

କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ବିରୋଧ କରି ଆଜି ବେଙ୍ଗାଲୁରୁରେ ବନ୍ଦ ପାଳନ

COASTAL NEWS Odia 914

 କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ବିରୋଧ କରି ଆଜି ବେଙ୍ଗାଲୁରୁରେ ବନ୍ଦ ପାଳନ



ବେଙ୍ଗାଲୁରୁ - କର୍ଣ୍ଣାଟକ ଦ୍ବାରା ତାମିଲନାଡୁକୁ କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ବିରୋଧ କରି ଆଜି ବେଙ୍ଗାଲୁରୁରେ ବନ୍ଦ ପାଳନ ହୋଇଛି। କୃଷକ ସଂଗଠନ, ବିରୋଧୀ ଦଳ ଏବଂ କନ୍ନଡ଼ ସମର୍ଥିତ ଗୋଷ୍ଠୀ ମିଳିତ ଭାବେ ଏହି ଆନ୍ଦୋଳନ ଏବଂ ବନ୍ଦ ପାଳନ କରିଛନ୍ତି। କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି କାବେରୀ ନଦୀ ଜଳ ବିବାଦ ଲାଗି ରହିଛି l 

ସିଡବ୍ଲ୍ୟୁଏମ୍ ( କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ) ନିକଟରେ ତାମିଲନାଡୁକୁ ୫୦୦୦ କ୍ୟୁସେକ୍ ଜଳ  ଛାଡ଼ିବାପାଇଁ କର୍ଣ୍ଣାଟକକୁ ନିର୍ଦ୍ଦେଶ ଦେବାପରେ ଏହି ପ୍ରସଙ୍ଗକୁ ନେଇ ଉତ୍ତେଜନା ବଢ଼ିଛି। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ କର୍ଣ୍ଣାଟକ ପ୍ରତିଦିନ ତାମିଲନାଡୁକୁ ୩,୦୦୦ କ୍ୟୁସେକ୍ଳ  ଛାଡ଼ିବାପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। କନ୍ନଡ଼ ସମର୍ଥିତ ସାମାଜିକ କର୍ମୀ ଆଜିର ବନ୍ଦ ପାଳନ ସଫଳ ହୋଇଛି ବୋଲି କହିଛନ୍ତି। 

କର୍ଣ୍ଣାଟକ ଜଳ ସଂରକ୍ଷଣ ସମିତି ମଧ୍ଯ ଆଜିର ବନ୍ଦ ସଫଳ ହୋଇଥିବା କହିଛି। ସମିତି ପକ୍ଷରୁ ସରକାରଙ୍କୁ ୩ ଦିନ ସମୟ ଦିଆଯାଇଛି । ୩ ଦିନ ପରେ ସମିତି ଆନ୍ଦୋଳନକୁ ଜୋରଦାର କରିବ ବୋଲି କହିଛି। ଆଜିର ବନ୍ଦ ପାଳନ ସମୟରେ ବେଙ୍ଗାଲୁରୁ ପୁଲିସ ଦ୍ଵାରା ୧ ହଜାରରୁ ଅଧିକ ଲୋକ ଅଟକ ରହିଛନ୍ତି। ବେଙ୍ଗାଲୁରୁ ପୁଲିସ କମିସନର ବି ଦୟାନନ୍ଦ କହିଛନ୍ତି, ସମଗ୍ର ସହରରେ  ୧୪୪ ଧାରା ଜାରି ହୋଇଛି ଏବଂ ବିଭିନ୍ନ ଥାନାରେ ୧ ହଜାରରୁ ଅଧିକଲୋକ ଅଟକ ରହିଛନ୍ତି। 

ବନ୍ଦ ପରିପ୍ରେକ୍ଷୀରେ ସହରରେ ସମସ୍ତ ସ୍କୁଲ୍ ଓ କଲେଜ ଛୁଟି ଘୋଷଣା କରାଯାଇଥିଲା। ଅଧିକାଂଶ ଘରୋଇ ସ୍କୁଲ୍ ଏବଂ କଲେଜ ସୋମବାର ମଧ୍ୟ ବନ୍ଦ ରହିଥିଲା। ବନ୍ଦ ପାଇଁ ବେଙ୍ଗାଲୁରୁରେ ମେଟ୍ରୋ ସେବା ଓ ସିଟି ବସ୍ ସେବା ମଧ୍ୟ ପ୍ରଭାବିତ ହୋଇନଥିବା ଜଣାପଡ଼ିଛି ।  ଓଲା-ଉବର ସଂଗଠନ ବନ୍ଦ ପାଳନକୁ ସମର୍ଥନ କରିନାହାନ୍ତି।

ଯୁବକଙ୍କ ଗଳାକାଟି ହତ୍ୟା

COASTAL NEWS Odia 913

ଯୁବକଙ୍କ ଗଳାକାଟି ହତ୍ୟା



ନିମାପଡ଼ା - ନିମାପଡ଼ା ଥାନା ଅଧୀନ ରେଞ୍ଚଠାରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପିପିଲି ଥାନା ଅଧୀନ ଶିରିଆପୁର ଗ୍ରାମର ବାସୁଦେବ ଓଝା(୩୫)। 

ଖବରପାଇ ଅତିରିକ୍ତ ଏସ୍‌ପି ବିଷ୍ଣୁ ପତି, ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, ଆଇଆଇସି ବାମଦେବ ସ୍ଵାଇଁ, ଏଏସ୍‌ଆଇ ଶିଶିର ମହାନ୍ତି ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଯୁବକଙ୍କ ମୃତଦେହ ସହ ମୃତକଙ୍କ ବାଇକ୍ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛନ୍ତି। ପୁରୀରୁ ସାଇଣ୍ଟିଫିକ୍ ଟିମ୍ ଆସି ପହଞ୍ଚିବ ବୋଲି ଏସ୍‌ଡିପିଓ ମିଶ୍ର ସୂଚନା ଦେଇଛନ୍ତି। 

ଘଟଣାରୁ ପ୍ରକାଶ ଯୁବକ ଜଣଙ୍କ ଘରୁ ରେଞ୍ଚ ଶାସନ ଗ୍ରାମପଞ୍ଚାୟତର ଖରିଜା ସାହି ଗ୍ରାମକୁ ଯାଇଥିଲେ। ଯୁବକଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ମୃତକଙ୍କ ରକ୍ତଭିଜା ଶରୀର ଦେଖି ସାଧାରଣରେ  ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ଏପର୍ଯ୍ୟନ୍ତ ହତ୍ୟାର କାରଣ ଜଣା ପଡ଼ିନାହିଁ । 

କାନ୍ଥରେ ପିଟି ହୋଇଯିବାରୁ ହୁହୁ ହୋଇ ଜଳିଗଲା କାର୍

COASTAL NEWS Odia 912

କାନ୍ଥରେ ପିଟି ହୋଇଯିବାରୁ ହୁହୁ ହୋଇ ଜଳିଗଲା କାର୍ 


ଭୁବନେଶ୍ୱର - ଭୁବନେଶ୍ଵରର ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁରରେ ଏକ କାର୍ କାନ୍ଥରେ ପିଟି ହୋଇଯିବାରୁ ହୁହୁ ହୋଇ ଜଳିଯାଇଛି। ତେବେ ଏଥିର ଥିବା କାର୍ ମାଲିକ ଦିବାକର ବାହିନୀପତି ଓ ଚାଳକ ତୁରନ୍ତ ବାହାରକୁ ଚାଲିଆସିବାରୁ ବିପଦରୁ ବର୍ତ୍ତି ଯାଇଛନ୍ତି। 

ଖବର ପାଇ ତମାଣ୍ଡୋ ଥାନା ପୋଲିସ ଅଗ୍ନିଶମ ବାହିନୀ ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ କାର୍‌ଟି ୮୦ ପ୍ରତିଶତ ଜଳି ଯାଇଥିଲା।, ମାଲିକ କଳିଙ୍ଗବିହାରରେ ରହୁଥିବା ଦିବାକର ବାହିନୀପତି ଓ ତାଙ୍କ ସାଙ୍ଗ ଉକ୍ତ କାର୍‌ରେ ଥିଲେ ବୋଲି ତମାଣ୍ଡୋ ଥାନା ଅଧିକାରୀ କହିଛନ୍ତି। 

ସୋମବାର ଭୋର୍‌ ସମୟରେ କାର୍‌ଟି ଡିଏନ ରେଗାଲିଆ ଦେଇ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ଏକ କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ ଗାଡିରୁ ଧୂଆଁ ବାହାରିବା ଦେଖୁ ସେମାନେ କାରରୁ ବାହାରକୁ ଚାଲି ଆସିଥିଲେ। ଏହାର କେଇ ମିନିଟ ପରେ କାରଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା।

ଯୁବକକୁ ମାରି ନଦୀ ପଠାରେ ଫିଙ୍ଗିଦେଲେ

COASTAL NEWS Odia 911

ଯୁବକକୁ ମାରି ନଦୀ ପଠାରେ ଫିଙ୍ଗିଦେଲେ



ଦଶରଥପୁର -  ଦଶରଥପୁର ଥାନା ମଲ୍ଲିକାପୁର ପଞ୍ଚାୟତ କାଣୀନଦୀପଠା ବାଉଁଶବାଡ଼ି ନିକଟରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ମହାନ୍ତିପାଟଣା ଗ୍ରାମର ଚିତ୍ତରଂଜନ ନାୟକଙ୍କ ବଡ଼ପୁଅ ସବ୍ୟସାଚୀ(୨୫)। ତାଙ୍କୁ କେହି ହତ୍ୟାକରି ସେଠାରେ ଫିଙ୍ଗି ଦେଇଥିବା ତାଙ୍କ ମା’ ସ୍ନେହଲତା ନାୟକ ଦଶରଥପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ସବ୍ୟସାଚୀ ବେଙ୍ଗାଲୁରୁରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ୨୪ ତାରିଖରେ ସେ ବେଙ୍ଗାଲୁରୁରୁ ଘରକୁ ଆସିଥିଲେ। 

୨୫ ତାରିଖ ସକାଳେ ମାଆଙ୍କ ପାଇଁ ଜଳଖିଆ ଆଣିବାକୁ ବଜାରକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର କୌଣସି ପତ୍ତା ମିଳି ନଥିଲା। ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ବେଳେ ପୁଅର ମୃତଦେହ କାଣୀନଦୀ ପଠା ବାଉଁଠବାଡ଼ି ନିକଟରେ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶରୀରର ଏକାଧିକ ସ୍ଥାନରେ କ୍ଷତଚିହ୍ନ ଥିବାରୁ ପୁଅକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା କଥା ସବ୍ୟସାଚୀ ର ମା’ ପ୍ରକାଶ କରିଛନ୍ତି । ଦଶରଥପୁର ଥାନା ପୁଲିସ କେସ୍ ନମ୍ବର ୧୬୯/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ

COASTAL NEWS Odia 910

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ



କେନ୍ଦ୍ରାପଡ଼ା  : ନିକିରାଇ ଥାନା ଅନ୍ତର୍ଗତ ଧୂମାତ ପଞ୍ଚାୟତର ଧୂମାତ ଶାସନ ଗ୍ରାମରେ ବନ୍ଧ ମହାପୁରୁଷଙ୍କ ପାଖରେ ଆଜି ଦିନ ୧୦ଟା ସମୟରେ କିଛି ଅସାମାଜିକ ଲୋକ ମଦ ପିଉଥିଲେ। ସେ ସ୍ଥାନଟି ଅତି ନିଛାଟିଆ ହୋଇଥିବାରୁ ସେହି ରାସ୍ତା ଦେଇ ଲୋକମାନେ ଯିବା ଆସିବା କରନ୍ତି ନାହିଁ । 

ମଦ ପିଇବା ସମୟରେ ନିଜ ନିଜ ମଧ୍ୟରେ କଳିତକରାଳ ହେବାରୁ ଜଣେ ଯୁବକ ଅନ୍ୟଜଣେ ଯୁବକ ଦେହରେ ଛୁରାଭୁସି ଦେଇଥିଲା । ଯାହାଫଳରେ କି ସେହି ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । 

ମୃତ ଯୁବକକୁ ପରିବାର ଲୋକମାନେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତଯୁବକ ହେଉଛି ଚାରିଗାଁର ଅମର ମଲ୍ଲିକଙ୍କ ପୁଅ ତ୍ରିଲୋଚନ ମଲ୍ଲିକ(କାଳିଆ) (୨୫) । ମୁଖ୍ୟ ଅପରାଧୀ ମୁନା ବାରିକ(୨୬) ଫେରାର ହୋଇଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ନିକିରାଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । 

ପୁଲିସ ସେହି ଗ୍ରାମର ୩ଜଣ ଯୁବକଙ୍କୁ ଧରିନେଇ ଥାନାରେ ଅଟକ ରଖିଛି ।ହତ୍ୟାରେ ବ୍ୟବହୃତ ଛୁରି ଜବତ ହୋଇନାହିଁ । ନିକିରାଇ ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖୁଛି ।

ଗୋବରୀରେ କୁମ୍ଭୀର ଆତଙ୍କ

COASTAL NEWS Odia 909

ଗୋବରୀରେ କୁମ୍ଭୀର ଆତଙ୍କ



କେନ୍ଦ୍ରାପଡ଼ା ସଦର,- : କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ ଓସ୍ତପୁର, ବାରୋ, କଂସାର, ଗଣ୍ଡାକିଆ ଗ୍ରାମଗୁଡିକ ଗୋବରୀ ନଦୀ କୂଳରେ ଅବସ୍ଥିତ । ଏହିସବୁ ଗ୍ରାମର ଲୋକମାନେ ଗୋବରୀ ନଦୀରେ ଦୈନନ୍ଦିନ ଗାଧୋଇବା ସହିତ ସେହି ନଦୀର ଜଳକୁ ପାନୀୟଜଳ ଭାବେ ବ୍ୟବହାର କରି ଆସୁଛନ୍ତି । 

ପ୍ରାୟ ୧୫ରୁ ୨୦ଦିନ ହେବ ଗୋବରୀ ନଦୀକୁ ୪୦ରୁ ୫୦ଟି କୁମ୍ଭୀର ପଶିଆସି ଗାଧୁଆ ତୁଠରେ ଜଗିରହି ଲୋକଙ୍କୁ ଟଣା ଓଟରା କରିବା ସହିତ ସେମାନଙ୍କୁ ନଦୀ ଭିତରକୁ ନେଇ ମାରିଦେବାକୁ ଉଦ୍ୟମ କରୁଛନ୍ତି । ଏହିସବୁ କୁମ୍ଭୀର ଭିତରକନିକାର ପ୍ରଜନନ କେନ୍ଦ୍ରରୁ ଛାଡି ଦିଆଯିବା ଫଳରେ ସେମାନେ ବିଭିନ୍ନ ନଦୀକୁ ପଶିଆସି ଲୋକ ଓ ଗାଈଗୋରୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଏବେ ଚାଷ ସମୟରେ ଚାଷୀମାନେ କେନାଲ କିମ୍ବା ନଦୀ ପାର ହୋଇ ହଳବଳଦ ନେଇ ଚାଷଜମିକୁ ଯାଇପାରୁନାହାଁନ୍ତି । 

ତେଣୁ ଭିତରକନିକା ନଦୀରୁ ଗୋବରୀ ନଦୀକୁ ଆସୁଥିବା ଜଳସ୍ରୋତର ମୁହାଣରେ ତାରବାଡ ଦେଇ କୁମ୍ଭୀରମାନେ ଯେପରି ଏହି ନଦୀକୁ ଆସି ନପାରିବେ ଏବଂ ଯେଉଁ କୁମ୍ଭୀରଗୁଡିକ ଗୋବରୀ ନଦୀକୁ ଆସିଯାଇଛନ୍ତି ସେମାନଙ୍କୁ ଧରିନେବା ପାଇଁ ଏବଂ ଗୋବରୀ ନଦୀକୂଳରେ ଥିବା ଗ୍ରାମଗୁଡିକର ଗାଧୁଆ ତୁଠରେ ତାରବାଡ ଦେବା ପାଇଁ କଂସାର ଗ୍ରାମପଞ୍ଚାୟତର ସମିତି ସଭ୍ୟ ସରୋଜକାନ୍ତ ଜେନା,ରାଜନଗର ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓଙ୍କୁ ଭେଟି ଦାବି କରିଛନ୍ତି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...