AFFILIATE MARKETING

https://binomo.com?a=90810425bb57&t=0

Friday, August 18, 2023

ରାସ୍ତାରେ ଦୁର୍ଘଟଣା ହୋଇ ଜଳିଗଲା ବିମାନ: ୧୦ ମୃତ

 COASTAL NEWS 418

ରାସ୍ତାରେ ଦୁର୍ଘଟଣା ହୋଇ ଜଳିଗଲା ବିମାନ: ୧୦ ମୃତ



 

କ୍ୱାଲାଲୁମ୍ପୁର: ମାଲେସିଆର ଏକ ୪ ଲେନ୍‌ ବିଶିଷ୍ଟ ରାସ୍ତାରେ ଗୁରୁବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ଫଳରେ ୮ ଯାତ୍ରୀ ନିଆଁରେ ପୋଡି ପ୍ରାଣ ହରାଇଥିବା ବେଳେ ରାସ୍ତାରେ ଯାଉଥିବା ୨ ଗାଡ଼ି ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ବିମାନଟି ରାସ୍ତାକୁ ଧକ୍କା ଦେବା ପରେ ବିସ୍ଫୋରଣ ହୋଇଥିଲା। ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ କାର୍‌ର ଡ୍ୟାସ୍‌ କ୍ୟାମେରାରେ ଦୁର୍ଘଟଣା ବେଳର ଭିଡିଓ ଉତ୍ତୋଳନ ହୋଇଥିଲା। ବିମାନଟି ଲାଙ୍ଗକାଓ୍ବି ରିସର୍ଟ ଦ୍ୱୀପରୁ ରାଜଧାନୀ କ୍ୱାଲାଲୁମ୍ପୁରରେ ଥିବା ସୁଲ୍‌ତାନ ଅବଦୁଲ ଅଜିଜ ଶାହ ଏୟାରପୋର୍ଟ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

Thursday, August 17, 2023

କେନ୍ଦ୍ରରେ ପୁଣିଥରେ ମୋଦି ସରକାର

 COASTAL NEWS 416

କେନ୍ଦ୍ରରେ ପୁଣିଥରେ ମୋଦି ସରକାର




ନୂଆଦିଲ୍ଲୀ - କେନ୍ଦ୍ରରେ ପୁଣିଥରେ ମୋଦି ସରକାର। ପ୍ରଚଣ୍ଡ ଜନମତ ସହ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବ। ଏନଡିଏକୁ ରୋକିବା ପାଇଁ ବିରୋଧୀ ଇଣ୍ଡିଆ ଗଠନ କରିଥିଲେ ମଧ୍ୟ ଏହା ସେତେଟା ସଫଳତା ହାସଲ କରିପାରିବ ନାହିଁ।

ଆଜିକା ତାରିଖରେ ଯଦି ନିର୍ବାଚନ ହେବ, ତା’ହେଲେ ୩୦୦ରୁ ଅଧିକ ଆସନ ଜିତି ବିଜେପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ କ୍ଷମତା ଦଖଲ କରିବ ବୋଲି ଟାଇମ୍ସ ନାଓ-ଇଟିଜି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଲାଲକିଲ୍ଲାରୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨୦୨୪ରେ କ୍ଷମତାକୁ ଫେରିବେ ବୋଲି ଦମ୍ଭୋକ୍ତି କରିଥିଲେ। ଏହାର ଦିନକ ପରେ ଟାଇମ୍ସ ନାଓ-ଇଟିଜି ତା’ର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି।

ଏଥିରେ କୁହାଯାଇଛି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୬ରୁ ୩୨୬ଟି ଆସନ ଜିତିବ। ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆ ୧୬୦ରୁ ୧୯୦ଟି ଆସନରେ ସୀମିତ ରହିବ। ଏନଡିଏ କିମ୍ବା ଇଣ୍ଡିଆରେ ନଥିବା ୱାଇଏସ୍‌ଆର କଂଗ୍ରେସ ଆନ୍ଧ୍ରପ୍ରଦେଶରେ ୨୪ରୁ ୨୫ଟି ଓ ଓଡ଼ିଶାରେ ବିଜେଡି ୧୨ରୁ ୧୪ଟି ଲୋକସଭା ଆସନ ଦଖଲ କରିବ। ସେହିପରି ଅନ୍ୟାନ୍ୟ ଦଳ ୧୧ରୁ ୧୪ଟି ସ୍ଥାନରେ ଜିତି ପାରନ୍ତି।

ସର୍ଭେରେ ଆହୁରି କୁହାଯାଇଛି ଯେ ଏନଡିଏ କ୍ଷମତାକୁ ଫେରିବାର ସମ୍ଭାବନା ଥିଲେ ହେଁ ୨୦୧୯ ଅପେକ୍ଷା ମେଣ୍ଟର ଆସନ ସଂଖ୍ୟା କମିବ। ୨୦୧୯ରେ ଏନଡିଏ ୩୫୩ଟି ଆସନ ଜିତିଥିଲା। ହେଲେ ଏଥର ଏହା ୩୩୦ ମଧ୍ୟରେ ସୀମିତ ରହିବ। ତଥାପି ଏନଡିଏ ସରକାର ଗଠନ କରିବାକୁ ସକ୍ଷମ ହେବ।

ବଢିଲା ନୌସେନାର ଶକ୍ତି

 COASTAL NEWS 415

ବଢିଲା ନୌସେନାର ଶକ୍ତି

 


କୋଲକାତା,୧୭।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଆଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ବିନ୍ଧ୍ୟଗିରୀ(ପି୧୭ଏ)ର ଉଦଘାଟନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ହୁଗଲି ନଦୀ କୂଳରେ ଅବସ୍ଥିତ ‘ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟରିଂ ଲିମିଟେଡ’ ପରିସରରେ ଯୁଦ୍ଧ ଜାହାଜର ଉଦଘାଟନ କରିଥିଲେ। ଏହି ସମୟରେ ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଆଲଫା’ ଅଧୀନରେ ନିର୍ମିତ ସାତୋଟି ଜାହାଜ ମଧ୍ୟରୁ ଏହା ହେଉଛି ଷଷ୍ଠ ଜାହାଜ। ଏହି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ନୌସେନାରେ ସାମିଲ ହେବା ପରେ ନୌସେନାର ଶକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ।

ଏହି ପ୍ରକଳ୍ପ ଅଧୀନରେ ନିର୍ମିତ ପାଞ୍ଚଟି ଯୁଦ୍ଧ ଜାହାଜ ୨୦୧୯ରୁ ୨୦୨୨ ମଧ୍ୟରେ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ଅଧୀନରେ, ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟରିଂ ଲିମିଟେଡ ତିନିଟି ଯୁଦ୍ଧ ଜାହାଜ ନିର୍ମାଣ କରିବାକୁ ଥିଲା ଏବଂ ଏହି ଆଇଏନଏସ ବିନ୍ଧ୍ୟଗିରୀ ହେଉଛି ତୃତୀୟ ଯୁଦ୍ଧ ଜାହାଜ। ଅବଶିଷ୍ଟ ୪ଟି ଯୁଦ୍ଧ ଜାହାଜକୁ ମହାରାଷ୍ଟ୍ରର ମାଜାଗନ ଡକ ଲିମିଟେଡ ନିର୍ମାଣ କରୁଛି। ଅଧିକାରୀ କହିଛନ୍ତି ଯେ ଏହି ଯୁଦ୍ଧ ଜାହାଜର ୭୫ ପ୍ରତିଶତ ଅଂଶ ସ୍ବଦେଶୀ କମ୍ପାନୀ ଏବଂ ମଧ୍ୟମ ଆକାରର କମ୍ପାନୀ ଅର୍ଥାତ୍‌ ଏମଏସଏମଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ନୌସେନାରେ ପ୍ରବେଶ କରିବା ପୂର୍ବରୁ ଏହାର ଅନେକ ପରୀକ୍ଷା କରାଯିବ।

ସଫଳତା ଦିଗରେ ଚନ୍ଦ୍ରଯାନ-3

 COASTAL NEWS 414

ସଫଳତା ଦିଗରେ ଚନ୍ଦ୍ରଯାନ-3



ସଫଳତା ଦିଗରେ ଆଉ ଏକ ସୋପାନ ଅତିକ୍ରମ କଲା ଚନ୍ଦ୍ରଯାନ-3। ଇସ୍ରୋର ଏହି ଉଚ୍ଚାଭିଳାଷୀ ମିଶନ୍ ଆଜି ସଫଳତା ପୂର୍ବକ ଲ୍ୟାଣ୍ଡର ବିକ୍ରମକୁ ପ୍ରପଲସନରୁ ଅଲଗା କରିଛି। ମଧ୍ୟାହ୍ନ 1ଟା ସମୟରେ ପ୍ରପଲସନରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ। ଏହାପରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ଏକାକୀ ଯାତ୍ରା ଆରମ୍ଭ କରିଛି ଲ୍ୟାଣ୍ଡର ବିକ୍ରମ। 

ଲ୍ୟାଣ୍ଡର ବିକ୍ରମ ବର୍ତ୍ତମାନ ପ୍ରଜ୍ଞାନ ରୋଭରର ଚିତ୍ର ଉତ୍ତୋଳନ କରିବ। ଏହା ମାଧ୍ୟମରେ ଚନ୍ଦ୍ରପୃଷ୍ଠର ଗତିବିଧି ଉପରେ ନଜର ରଖାଯାଇ ପାରିବ। ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଗାମୀ 6 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଇସ୍ରୋ କହିଛି। ଜୁଲାଇ 14 ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ LVM3 ରକେଟ୍ ଦ୍ୱାରା ଚନ୍ଦ୍ରଯାନ-3 ମହାକାଶକୁ ଉତକ୍ଷେପଣ କରାଯାଇଥିଲା। ଏହି ମିଶନକୁ ନେଇ ଖୁବ୍ ଆଶାବାଦୀ ରହିଛି ଇସ୍ରୋ। କାରଣ ପୂର୍ବରୁ ଇସ୍ରୋର ମୁନ୍ ମିଶନ୍ ଦୁଇ ଦୁଇ ଥର ବିଫଳ ହୋଇଯାଇଛି।

ଧାମରାରେ ଗୋଟିଏ ମାଛର ଦାମ୫ଲକ୍ଷ ୩୩ହଜାର

 COASTAL NEWS 413

ଧାମରାରେ ଗୋଟିଏ ମାଛର ଦାମ୫ଲକ୍ଷ ୩୩ହଜାର



ଭଦ୍ରକ, ୧୬ା୮  – ଭଦ୍ରକ ଜିଲା ଧାମରାରେ ଗୋଟିଏ ମାଛର ଦାମ ୫ଲକ୍ଷ ୩୩ହଜାର ଟଙ୍କାରେ ବିକ୍ରି ହୋଇଥିବା ଜଣା ଯାଇଛି । ମିଳିଥିବା ଖବର ଅନୁଯାୟୀ ଏହି ମାଛର ଓଜନ ୨୬କେଜି ହୋଇଥିବା ବେଳେ ଏହି ମାଛ କେଜି ପିଛା୨୦ହଜାର ୫ଶହ ଟଙ୍କାରେ ନିଲାମ ମଧ୍ୟ ହୋଇଯାଇଛି । ଏହି ମାଛ ଟିକୁ ବାହାର ରାଜ୍ୟର ଏକ ସଂସ୍ଥା ନିଲାମ କରି ନେଇ ଥିବା ଜଣାଯାଇଛି । ଏହି ମାଛଟିି ତେଲିଆ ମାଛ ହୋଇଥିବା ବେଳେ ଏହି ମାଛଟିକୁ ଗଭୀର ସମୁଦ୍ରରୁ ମଂଟୁ ମଣ୍ଡଳଙ୍କ ବୋଟ ଧରି ନେଇ ଆସିଥିଲା । ଏହି ମାଛର ପୁଂଟା(ତେଲ) ଟି ଔଷଧ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବେଳେ କୋଲକାତାରେ ଏହି ମାଛ ର ଦାମ ସର୍ବାଧିକ । ଫଳରେ ସଂପୃକ୍ତ ନିଲାମ ଧାରୀ ଏହି ପୁଂଟା ଟିକୁ ଔଷଧ କମ୍ପାନୀକୁ ବିକ୍ରି କରିବା ସହ ଏହି ମାଛକୁ ଅତି କମରେ କେଜି ପ୍ରତି ୨୦ହଜାରରୁ ୨୫ ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ସଂପୃକ୍ତ ନିଲାମ ଧାରୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ ।

ପ୍ରେମିକ ସହ ଧରାପଡିଲା ସ୍ତ୍ରୀ।

 COASTAL NEWS 412

ପ୍ରେମିକ ସହ ଧରାପଡିଲା ସ୍ତ୍ରୀ



ଭୁବନେଶ୍ବର  : ପ୍ରେମିକ ସହ ଧରାପଡିଲା ସ୍ତ୍ରୀ। ଭୁବନେଶ୍ବର ଅଶୋକନଗର ସ୍ଥିତ ଏକ ଲଜରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଅସଂଯତ ଅବସ୍ଥାରେ ଲଜରୁ ଉଦ୍ଧାର ହୋଇଛନ୍ତି ମହିଳା । ସ୍ତ୍ରୀ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ୱାମୀ ବଳରାମ ଜେନା । ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିବା ଏତଲାରେ ଉଲ୍ଲେଖ ।

ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ। ଆସିବାବେଳେ ସୁନା ଅଳଙ୍କାର ଜିନିଷ ସହ ୨୫ ହଜାର ଟଙ୍କା ଚୋରି କରି ନେଇଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ଏହାପରେ ନିଗମ ଲଜର ରୁମ ନମ୍ବର ୧୫ ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ ।। ସ୍ତ୍ରୀ ନିଖୋଜ ନେଇ ସ୍ବାମୀ ଜଙ୍କିଆ ଥାନାରେ ଏତଲା ଦେଇଥିଲେ। ସ୍ବାମୀଙ୍କ ଏତଲା ଆଧାରରେ ଖୋଜାଖୋଜି କରିବା ପରେ ଲଜରୁ ଉଦ୍ଧାର କରିଥିଲା କ୍ୟାପିଟାଲ ଥାନା ପୋଲିସ।

ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡ ରେ ଡଙ୍ଗା ବୁଡି

 COASTAL NEWS 411

ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡ ରେ ଡଙ୍ଗା ବୁଡି 



ଆଫ୍ରିକା - ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି । ଫଳରେ ଅତିକମରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ଏହି ସୂଚନା ଦେଇଛି ।

ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ବୁଧବାର କହିଛି ଯେ, ପଶ୍ଚିମ ଆଫ୍ରିକାର କେପ୍ ଭର୍ଡେ ଆଇଲାଣ୍ଡ ନିକଟରେ ସେନେଗାଲରୁ ଏକ ପ୍ରବାସୀ ଡଙ୍ଗା ମିଳିଛି। ଏଥିରେ ୧୦୦ ଲୋକ ରହିଥିଲେ । ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଯେଉଁଥିରୁ ୩୮ ଜଣ ଜୀବନ୍ତ ଉଦ୍ଧାର ହୋଇଛନ୍ତି । ଜୀବିତ ଥିବା ଲୋକଙ୍କ ମଧ୍ୟରେ ୧୨-୧୬ ବର୍ଷର ପିଲା ରହିଛନ୍ତି ।

ପୋଲିସ କହିଛି କି, ମାଛଧରା ଡଙ୍ଗା ଯାହାକୁ ପିରୋଗ ନାମରେ ଜଣାଯାଉଥିଲା, ସେହି ଡଙ୍ଗାଟିକୁ ସୋମବାର ଦିନ ସାଲର କେପ୍ ଭର୍ଡେ ଆଇଲାଣ୍ଡରୁ ପ୍ରାୟ ୧୫୦ ମିଲ୍ (୨୭୭ କିଲୋମିଟର) ଦୂରରେ ଆଟଲାଣ୍ଟିକ୍ ମହାସାଗରରେ ଦେଖିବାକୁ ମିଳିଥିଲା । ଜୁଲାଇ ୧୦ ତାରିଖ ଡଙ୍ଗାଟି ୧୦୦ ଯାତ୍ରୀଙ୍କୁ ଧରି ବାହାରିଥିଲା ବୋଲି ଜୀବିତ ଥିବା ପିଲାମାନେ କହିଛନ୍ତି । ତେବେ ଘଟଣା କେତେ ବେଳେ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ନିକଟରେ ଫିଲିପାଇନ୍ସର ରାଜଧାନୀ ମନୀଲାରର ଏକ ହ୍ରଦରେ ଡଙ୍ଗାବୁଡି ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା  ।  ଡଙ୍ଗାରୁ ୪୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।  ହି ଡଙ୍ଗାଟି ବିନଙ୍ଗୋନାନ ସହରରୁ ଫିଲିପାଇନ୍ସର ସବୁଠାରୁ ବଡ ହ୍ରଦ । ଡି ବାଇରେ ଥିବା ତାଲିମ ଦ୍ୱୀପକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ପବନ ଯୋଗୁ ମୋଟର ବୋଟ ଦୋହଲିଯାଇଥିଲା । ଆଉ ଡଙ୍ଗାରେ ଥିବା ଲୋକମାନେ ଏହାକୁ ଦେଖି ଆତଙ୍କିତ ହୋଇପଡିଥିଲେ। ଫଳରେ ଡଙ୍ଗାଟି ଓଲଟି ପଡିଥିଲା ।


ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା : କୁଆଡେ ଗଲେ ଛାତ୍ରୀଙ୍କ ପ୍ରେମିକ ତଥା ଖେଳ ଶିକ୍ଷକ ? ସନ୍ଦେହ ଘେରରେ ପୋଲିସର ଭୂମିକା

 COASTAL NEWS 410

ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା : କୁଆଡେ ଗଲେ ଛାତ୍ରୀଙ୍କ ପ୍ରେମିକ ତଥା ଖେଳ ଶିକ୍ଷକ ? ସନ୍ଦେହ ଘେରରେ ପୋଲିସର ଭୂମିକା




ମାହାଙ୍ଗା --ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ କୁଆଡେ ଗଲେ ନାବାଳିକାଙ୍କ ପ୍ରେମିକ ତଥା ସେ ପଢୁଥିବା ସ୍କୁଲର ସେହି ଖେଳ ଶିକ୍ଷକ । ଯାହାଙ୍କୁ ମୃତ୍ୟୁ ପୂର୍ବରୁ ନାବାଳିକା ଜଣଙ୍କ ଏକ ଚିଠି ଲେଖିଥିଲେ । ଅନ୍ୟପଟେ ସମ୍ପୃକ୍ତ ସାରଙ୍କ ମା’ଙ୍କ ସହ ସ୍ଥାନୀୟ ବିଜେଡି ନେତା ଶରତ ନାୟକଙ୍କ ଫୋନ କଲର ରେକର୍ଡ ଭାଇରାଲ ହେଉଛି । ଯେଉଁଥିରେ ମାମଲାକୁ ରଫାଦଫା କରିବାକୁ ଶରତ ନାୟକ ୭୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଜଣାପଡିଛି ।

ଯାହା ଏହି ନାବାଳିକା ମୃତ୍ୟୁ ମାମଲାକୁ ବିବାଦୀୟ କରି ଦେଇଛି । ଯଦିଓ ନାବାଳିକାର ବାପା କହୁଛନ୍ତି ଝିଅର ବାତ ରୋଗରେ ମୃତ୍ୟୁ ହୋଇଛି କିନ୍ତୁ ମୃତ୍ୟୁ ହୋଇଥିବା ନେଇ ସେ କେମିତି ଜାଣିଲେ ବୋଲି ପ୍ରଶ୍ନକୁ ଏଡାଇ ଦେଉଛନ୍ତି । ସେପଟେ ଜୁନ ୧୮ର ଘଟଣା ଦୀର୍ଘ ଦୁଇ ମାସ ଧରି କିଭଳି ଚାପି ହୋଇ ରହିଥିଲା ଏବଂ ୭୦ ହଜାର ଟଙ୍କା ଲାଞ୍ଚ ଜରିଆରେ ପୋଲିସ ଓ ମିଡିଆର ମୁହଁ ବନ୍ଦ କରିବାକୁ ଉଦ୍ୟମ ହେଉଥିଲା କି ତାହା ଏବେ ବଡ ପ୍ରଶ୍ନ ।

ଏବେ କଟକ ଜିଲ୍ଲା ଏସପି କହିଛନ୍ତି, ମାମଲାର ତଦନ୍ତ ହେବ । ଭାଇରାଲ ଚିଠି ଓ ଫୋନ୍ କଲ ରେକର୍ଡିଂ ପୋଲିସ ନଜରକୁ ଆସିଛି ବୋଲି ଏସପି ମିହିର ପଣ୍ଡା କହିଛନ୍ତି । କିନ୍ତୁ ଭାଇରାଲ ଅଡିଓରୁ ସ୍ପଷ୍ଟ ହେଉଛି ଯେ ପୋଲିସ ମାମଲା ବାବଦରେ ଅବଗତ ଥିଲା । ଏପରି ସ୍ଥିତିରେ ପୋଲିସ କାହିଁକି ନିରବ ରହିଥିଲା ଏବଂ ଶରତ ନାୟକ କେଉଁ ପୋଲିସ ଅଧିକାରୀଙ୍କୁ ଚାପ ପକାଇଥିଲେ ତାହା ତଦନ୍ତ ହେବ ତ?

ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା’

 COASTAL NEWS 409

ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା


ଆନନ୍ଦପୁର୍ - ଘରୋଇ ହିଂସାର କୁପରିଣତି । ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା’ । ଘରୋଇ ହିଂସାରେ ଘଟିଲା ଏଭଳି ଅଘଟଣ । ଜଣେ ସାବତ ମା’ ଟକ୍‌ଟକ୍‌ ଫୁଟୁଥିବା ଡାଲିର ଗରମ ପାଣିକୁ ପୁଅ ଉପରକୁ ଫୋପାଡ଼ିଛି । ପୁଅର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ତେବେ ଘରୋଇ କଳି କାହା ଘରେ ବା ନହୁଏ କିନ୍ତୁ ଦିନକୁ ଦିନ ଏଭଳି କଳି ଝଗଡ଼ା ହିଂସାରେ ପରିଣତ ହେଉଛି । କେଉଁଠି ପୁଅ ମା’କୁ ମାରୁଛି ତ ଆଉ କେଉଁଠି ମା’ ବାପା ନିଜ ଜନ୍ମକଲା ଛୁଆଙ୍କୁ ମାରୁଛନ୍ତି । ଆଇନର କାହାକୁ ବି ଆଉ ଭୟ ନାହିଁ । ରାଗ ଆସିଲେ ମଣିଷ ହିତାହିତ ଜ୍ଞାନ ହରାଇ ବସେ ଏବଂ କରିବସେ ଏଭଳି କିଛି ଅପରାଧ । ଏହି ରାଗ ପାଇଁ ଜଣେ ପୁଅ ନିଜ ସାବତ ମା’କୁ ମାରୁଥିଲା ଫଳରେ ସାବତ ମା’ ନିଜ ପୁଅ ଉପରକୁ ଫୋପାଡ଼ିଥିଲା ଗରମ ଡାଲି ପାଣି ।

ତେବେ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କଇନିପୁରା ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ସାବତ ମା’ ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗି ଦେଇଥିବା ଜଣା ପଡ଼ିଛି । ଗରମ ପାଣି ଦେହରେ ପଡ଼ିଲେ ଅବସ୍ଥା ଯେ କଣ ହେବ ଆପଣ ତାହା ଅନୁମାନ କରିପାରୁଥିବେ । ତେବେ ଗରମ ଡାଲି ପାଣି ଫୋପାଡ଼ିବାରୁ ପୁଅର ଅବସ୍ଥା ଗୁରୁତର ହୋଇପଡ଼ିଥିଲା ତେଣୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ଘଟଣା କଇନିପୁରା ଗାଁର ମାଧ ପାତ୍ରଙ୍କ ପରିବାରରେ ଘଟିଯାଇଛି ।

ସୂଚନା ଅନୁସାରେ କିଛିଦିନ ହେବ ପୁଅ ଦିପୁନ ବାପା ମାଧ ପାତ୍ର ଓ ସାବତ ମା ଜଞ୍ଜାଳୀ ଙ୍କୁ ମାରଧର୍‌ କରୁଥିଲେ । ତେବେ ଘଟଣା ଦିନ ସକାଳେ ପୁଣିଥରେ ବାପା ମା’ ସହ ଝଗଡା କରି ମାରଧର୍‌ କରିବା ସମୟରେ ଅତିଷ୍ଟ ହୋଇ ଜଞ୍ଜାଳି ଚୁଲିରେ ବସିଥିବା ଗରମ ଡାଲିପାଣି ନେଇ ଦିପୁନଙ୍କ ଉପରେ ଛାଟି ଦେଇଥିବା କହିଛନ୍ତି । ଖବରପାଇ ପୋଲିସ୍ ଉଭୟ ମା’ ଓ ବାପା ଙ୍କୁ ଥାନାକୁ ଡକାଇ ପଚରା ଉଚୁରା କରୁଛି । ଏଭଳି ପାରବାରିକ କଳହରେ କେତେ ଯେ ଅଘଟଣ ଘଟୁଛି ତାହା ନକହିବା ଭଲ । ରାଗ ମଣିଷକୁ ଏଭଳି ହିଂସାତ୍ମକ ଘଟଣା ଘଟାଇବାକୁ ପ୍ରବର୍ତ୍ତାଇଥାଏ । ତେଣୁ ମଣିଷ ଯଦି ରାଗକୁ ନିୟନ୍ତ୍ରଣରେ ରଖନ୍ତା ଏଭଳି ଅଘଟଣରୁ ଅନେକ ପରିବାର ହୁଏତ ବଞ୍ଚି ଯାଇ ପାରନ୍ତେ ।

ଇସ୍ରୋର ମୁନ୍ ମିଶନ ସ୍ୱପ୍ନ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-3

 COASTAL NEWS 408


ଇସ୍ରୋର ମୁନ୍ ମିଶନ ସ୍ୱପ୍ନ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-3


 

ଇସ୍ରୋର ମୁନ୍ ମିଶନ ସ୍ୱପ୍ନ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-3। ଆଜି ଏହି ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିବ। ଚନ୍ଦ୍ରଯାନ-3ର ବିକ୍ରମ ଲ୍ୟାଣ୍ଡର ଆଜି ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବାର କାର୍ଯ୍ୟକ୍ରମ ରହିଛି। ଏହି ସୋପାନ ଅତିକ୍ରମ କରିବା ପରେ ଆସନ୍ତା 23ରେ ଲ୍ୟାଣ୍ଡର୍ ଏବଂ ରୋଭର, ପ୍ରଜ୍ଞାନ୍ ଚନ୍ଦ୍ରରେ ଅବତରଣ କରିବେ ବୋଲି ଆଶା କରାଯାଉଛି। ଯଦି ସଫଳ ଅବତରଣ ହୁଏ ତେବେ ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ବିଶ୍ୱର ଚତୁର୍ଥ ଦେଶ ହୋଇଯିବ।

 

ତେବେ ଆଜି ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସ୍ପେସକ୍ରାଫ୍ଟରୁ ଅଲଗା ହେବା ପରେ ପ୍ରଜ୍ଞାନ୍ ରୋଭରର ଚିତ୍ର ଉତ୍ତୋଳନ କରିବ। ପ୍ରଜ୍ଞାନ ରୋଭରରେ ଚନ୍ଦ୍ରପୃଷ୍ଠର ଗତିବିଧି ଉପରେ ନଜର ରଖିବା ପାଇଁ ଯନ୍ତ୍ରପାତି ଖଞ୍ଜା ଯାଇଛି। ବିକ୍ରମ ଲ୍ୟାଣ୍ଡର ଏ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦେବାରେ ସହଯୋଗ କରିବ। ଇସ୍ରୋର ମୁନ୍ ମିଶନ ଚନ୍ଦ୍ରାୟନ-3 ଗତକାଲି ଏହାର ପଞ୍ଚମ ତଥା ଅନ୍ତିମ ଚନ୍ଦ୍ର କକ୍ଷପଥକୁ ସଫଳତାର ସହ ସମାପ୍ତ କରିଥିଲା। ଗତକାଲି, ଇସ୍ରୋ ସଫଳତାର ସହିତ ଚନ୍ଦ୍ରଯାନ-3 ମହାକାଶଯାନକୁ ଚନ୍ଦ୍ରର ଚାରିପାଖରେ 153 କିମିx163କିମି ବୃତ୍ତାକାର କକ୍ଷପଥରେ ସ୍ଥାନିତ କରିଛି।

ଏହି ପ୍ରକ୍ରିୟା ଶେଷ ହେବା ପରେ ସ୍ପେସକ୍ରାଫ୍ଟ ଚନ୍ଦ୍ର ପୃଷ୍ଠକୁ ଆହୁରି ନିକଟତର ହୋଇଛି। ଏହାପରେ ପ୍ରପଲସନ୍ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିକ୍ରମ ଲ୍ୟାଣ୍ଡର୍ ମହାକାଶଯାନଠାରୁ ଅଲଗା ହେବା ପରେ, ପ୍ରପଲସନ୍ ମଡ୍ୟୁଲ୍ ସମାନ କକ୍ଷପଥରେ ଏହାର ଯାତ୍ରା ଜାରି ରଖିବ। ଏହାର ଠିକ୍ 7 ଦିନ ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ୍ ଲ୍ୟାଣ୍ଡିଂ କରିବାର ଆଶା କରାଯାଉଛି।

ଜୁଲାଇ 14 ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ LVM3 ରକେଟ୍ ଦ୍ୱାରା ଚନ୍ଦ୍ରଯାନ-3 ମହାକାଶକୁ ଉତକ୍ଷେପଣ କରାଯାଇଥିଲା। ଏହି ମିଶନକୁ ନେଇ ଖୁବ୍ ଆଶାବାଦୀ ରହିଛି ଇସ୍ରୋ। 

କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଆନ୍ଧ୍ର ଖେଳୁଛି ନୂଆ ନୂଆ ଚାଲାକି।

 COASTAL NEWS 407

କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଆନ୍ଧ୍ର ଖେଳୁଛି ନୂଆ ନୂଆ ଚାଲାକି। 



କୋରାପୁଟ - ଆଦୌ ମାନୁନି ଆନ୍ଧ୍ର।। କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଖେଳୁଛି ନୂଆ ନୂଆ ଚାଲାକି। ପୂର୍ବରୁ ଭତ୍ତା ସହିତ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିଆର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ନିଜ ଅଧିକାରୀଙ୍କୁ ସେଠାକୁ ପଠାଉଥିବା ବେଳେ ଏଥର ରଚିଛି ନୂଆ ଚାଲ୍। କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ଧୂଳିପଦରରେ ଆନ୍ଧ୍ର ତିଆରି କରିଛି ତେଲୁଗୁ ଫଳକ। ଯେଉଁଥିରେ ତେଲୁଗୁ ଭାଷାରେ ଲେଖାଯାଇଛି ଯେ, କେନ୍ଦ୍ରର ମନେରେଗା ଯୋଜନା ସହ ଜମି, ଜଳ, ଜଙ୍ଗଲ ସବୁ ତୁମର। ଏହାର ସୁରକ୍ଷା ତୁମ ହାତରେ ବୋଲି ଆନ୍ଧ୍ର ପ୍ରଶାସନ ତରଫରୁ ଲେଖାଯାଇଛି।

ଗତ ଶନିବାର ସନ୍ଧ୍ୟା ସମୟରେ ଧୂଳିପଦରରେ ଆନ୍ଧ୍ର ଅଧିକାରୀ ପହଞ୍ଚି ବୋର୍ଡଟିକୁ ନିର୍ମାଣ କରିଥିଲେ। ସେଥିରେ କେନ୍ଦ୍ରର ଯୋଜନା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ରହିଛି। ତେବେ ଆନ୍ଧ୍ର ଏବଂ କେନ୍ଦ୍ରର ମିଳିତ ଲେଖା ଦେଖି କୋଟିଆକୁ ହାତେଇବା ପାଇ ଆନ୍ଧ୍ରର ଏହା ନୂଆ ଚାଲ୍ ବୋଲି କହିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି। ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ। 

ପଟାଙ୍ଗି ଜିଲ୍ଲା ପରିଷଦ ସଦସ୍ୟା ଟିକାଇ ଗେମଲ କହିଛନ୍ତି, ଆନ୍ଧ୍ରର ଏପରି କାମକୁ ମୁଁ ନିନ୍ଦା କରୁଛି। ଆନ୍ଧ୍ର କୋଟିଆକୁ ଅକ୍ତିଆର କରିବାକୁ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରୁଛି।ତଥାପି 

ଜିଲ୍ଲା ଦାବିରେ ଟିଟିଲାଗଡ଼ ବନ୍ଦ

 COASTAL NEWS 406

ଜିଲ୍ଲା ଦାବିରେ ଟିଟିଲାଗଡ଼ ବନ୍ଦ




 

ଟିଟିଲାଗଡ଼ : ଟିଟିଲାଗଡ଼ ଜିଲ୍ଲା ଦାବି ନେଇ ଆଜି ବନ୍ଦ ଡାକରା କ୍ରମେ ସହରରେ ଜୀବନ ଯାତ୍ରା ଠପ ହୋଇପଡିଛି l ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ନେଇ ସମସ୍ତ ଯାନ ଚଳାଚଳ ବନ୍ଦ ରହିଛି । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି । ଆନ୍ଦୋଳନକାରୀ କଚେରୀ ଛକ ନିକଟରେ ଟାୟାର ଜାଳି ଜାତୀୟ ରାଜପଥ ୫୯କୁ ବନ୍ଦ କରିଛନ୍ତି । ୩୧ ବର୍ଷ ଧରି ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ନେଇ ଦାବି ହୋଇ ଆସୁଥିବାବେଳେ ବର୍ତ୍ତମାନ ପୁଣି ଥରେ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁଙ୍କ ସହର ଅଶାନ୍ତ ହୋଇଛି । ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୁତ ଏହି ବନ୍ଦ ଡାକରାରେ କମିଟି ଆବାହକ କୃଷ୍ଣଚନ୍ଦ୍ର ସାହୁ, ଯୁଗ୍ମ ଆବାହକ ମହେଶ ମହାନ୍ତି, ବରିଷ୍ଠ ସଂଗ୍ରାମୀ ରାଜୁ ମିଶ୍ର, ଘିନୁ ଆଡଜୁଆଡ଼, ଡମ୍ବରୁ ଛତ୍ରିଆ, ସନ୍ତୋଷ ପଧାନ, ଦେବାନନ୍ଦ ସାହୁ, ପ୍ରଶାନ୍ତ ଷଡ଼ଙ୍ଗୀ, ତୁଳସୀ ସାହୁ, ମୁକେଶ ଜୈନ, ବୀରେନ୍ଦ୍ର ବାଗ, ଆଲୋକ ନାୟକ ପବିତ୍ର ସାହୁ ପ୍ରମୁଖ ଶତାଧିକ ସଂଖ୍ୟାରେ ବନ୍ଦରେ ସାମିଲ ହୋଇଛନ୍ତି ।

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ--

 COASTAL NEWS 405

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ



ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନି‌ଆଯାଇଥିଲା। ସୀତାରମଣ ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର,ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ୯ଟା ୧୫ରୁ ୧୦ଟା ୧୫ ମଧ୍ୟରେ ‘ମୋ ମାଟି ମୋ ଦେଶ ଅଭିଯାନରେ ପୁରୀ ପେଣ୍ଠକଟା ଠାରେ ଥିବା ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରକୃତିର ତାଣ୍ଡବ

 COASTAL NEWS 404

ପ୍ରକୃତିର ତାଣ୍ଡବ 



ନୂଆଦିଲ୍ଲୀ - ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିଛି। ମାତ୍ର 3 ଦିନ ମଧ୍ୟରେ 81 ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଆଖି ପିଛୁଳାକେ ଜୀବନ ନେଇଯାଉଛି ତ ପୁଣି ଜୀବିକା ଉଜାଡି ଦେଉଛି। ବର୍ତ୍ତମାନ ସୁଦ୍ଧା 10 ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ ସାରିଥିବା ଆକଳନ କରାଯାଇଛି।

ହିମାଚଳ ପ୍ରଦେଶ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଗତ ତିନି ଦିନ ମଧ୍ୟରେ ଅତି କମରେ 71 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 13 ଜଣ ନିଖୋଜ ଅଛନ୍ତି। ରବିବାର ରାତିରୁ ମୋଟ 57 ଟି ମୃତଦେହ ଉଦ୍ଧାର କରାଯାଇଛି। ଲଗାଣ ବର୍ଷା କାରଣରୁ ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ପାର୍ବତ୍ୟ ଇଲାକାର ତିନୋଟି ଅଞ୍ଚଳ- ସମର୍ ହିଲ୍, ଫାଗଲି ଏବଂ କୃଷ୍ଣନଗର ଅଧିକ ପ୍ରଭାବିତ ହୋଇଛି।

ଶିମଲା ଡେପୁଟି କମିଶନର ଆଦିତ୍ୟ ନେଗି କହିଛନ୍ତି, "ସମର୍ ହିଲ ଏବଂ କୃଷ୍ଣନଗର ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏପର୍ଯ୍ୟନ୍ତ ଏଠାରୁ 13 ଟି, ଫାଗଲିରୁ ପାଞ୍ଚଟି ଏବଂ କୃଷ୍ଣନଗରରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ସମର୍ ହିଲରେ ଥିବା ଶିବ ମନ୍ଦିର ଭୁଶୁଡ଼ି ପଡ଼ିଥିବା ଭଗ୍ନାବଶେଷରେ କିଛି ମୃତଦେହ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସେପଟେ ଦେବଭୂମି ଉତ୍ତରାଖଣ୍ଡରେ ମଧ୍ୟ ପ୍ରକୃତି ତାଣ୍ଡବ ରଚିଛି। ସୋମବାର ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା। ଏଥିରେ ଏକ ରିସୋର୍ଟ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା। ରିସୋର୍ଟର ଭଗ୍ନାବଶେଷରୁ ଏକ ଦମ୍ପତି ଏବଂ ତାଙ୍କ ପୁଅ ସମେତ 4 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସଦ୍ୟତମ ରିପୋର୍ଟ ଅନୁସାରେ, ମାତ୍ର ତିନି ଦିନ ମଧ୍ୟରେ ଏଠାରୁ 10 ଜଣଙ୍କ ମୃତଦହେ ଉଦ୍ଧାର ହୋଇ ସାରିଲାଣି।

କାନ ଧରି ବସ ଉଠ କରାଇଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ

 COASTAL NEWS 403

କାନ ଧରି ବସ ଉଠ କରାଇଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ




ବାଲେଶ୍ବର : ଚୋରା ମଦ ବ୍ୟବସାୟୀଙ୍କୁ ସାବଡ କଲେ ସାଂସଦ । କାନ ଧରି ବସ ଉଠ କରାଇଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବଢୁଛି । ଗୋପୀନାଥପୁର ଷ୍ଟେସନ ଏବେ ଚୋରା ବେପାରୀଙ୍କ ଆଡ୍ଡା ପାଲଟିଛି । ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ସହ ଜୁଆ ଖେଳ ହେଉଛି । ଏହି ଖବର ବାଲେଶ୍ଵର ସାଂସଦଙ୍କ କାନରେ ପଡିଥିଲା ।

ଗତକାଲି ରାତିରେ ହଠାତ ସେହି ଅଞ୍ଚଳକୁ ଯାଇଥିଲେ ପ୍ରତାପ ଷଡଙ୍ଗୀ । ମଦ ବେପାରୀ ଓ ପିଉଥିବା ଗ୍ରାହକ ତାଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ । ଯେଉଁ ମାନଙ୍କୁ ଧରିଥିଲେ ସେମାନଙ୍କୁ ତାଗିଦ କରିବା ସହ କାନ ଧରି ବସ୍ ଉଠ କରାଇଥିଲେ । ପରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ନୀଳଗିରି ଥାନା ପୋଲିସ ।

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ମୁଖ୍ୟ ସଚିବଙ୍କୁ ଡିପିଆର ହସ୍ତାନ୍ତର କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC

 COASTAL NEWS 402

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ମୁଖ୍ୟ ସଚିବଙ୍କୁ ଡିପିଆର ହସ୍ତାନ୍ତର କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC



ଭୁବନେଶ୍ବର : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ମୁଖ୍ୟ ସଚିବଙ୍କୁ ଡିପିଆର ହସ୍ତାନ୍ତର କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC । ଡିପିଆର ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ରେଳ ବିଜୁ ପଟ୍ଟନାୟକ ଏୟାରପୋର୍ଟଠାରୁ ଆରମ୍ଭ ହୋଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବ। ଏଥିରେ ୨୦ଟି ଷ୍ଟେସନ ରହିବ। ରାଜ୍ୟ ସରକାର ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନକୁ ଡିପିଆର ପ୍ରସ୍ ତୁତ ପାଇଁ ଦାୟିତ୍ୱ ଦେଇଥିଲେ।

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଏହା ଭିତରେ ଟ୍ରାଫିକ ସର୍ଭେ ଠାରୁ ଆରମ୍ଭ କରି ବିଭିନ୍ନ ସର୍ଭେ କରିଥିଲେ। ଆଜି ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ BMRC ତରଫରୁ ଆୟୋଜିତ ବୈଠକରେ, DMRC ତରଫରୁ ମୁଖ୍ୟ ସଚିବଙ୍କୁ ଡିପିଆର ପ୍ରଦାନ କରାଯାଇଛି। ଗତ ଏପ୍ରିଲ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ।

ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ଜୀବନ ଗଲା

 COASTAL NEWS 401

ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ଜୀବନ ଗଲା

 


ବାଲିଗୁଡ଼ା,୧୬ା୮ : କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ନୂଆସାହିର ଆମ୍ବସାହିଠାରେ ବୁଧବାର ଅପରାହ୍ନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାଲିଗୁଡ଼ା ନୂଆସାହିର ମାଧବ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ଆଗରେ ରହୁଥିବା ଦେବରାଜ ବାଗ (୫୫) ନାମକ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ମୁଣ୍ଡକୁ ଶକ୍ତ ପ୍ରହାର ଦେବାରୁ ସେଠାରେ ହିଁ ସେ ଟଳି ପଡ଼ିଥିଲେ। ସାହି ବାସିନ୍ଦା ସଙ୍ଗେ ସଙ୍ଗେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ସେଠାରେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ହତ୍ୟାର କାରଣ ସଠିକ ଜଣାପଡ଼ି ନ ଥିବା ବେଳେ କୌଣସି ବିଷୟକୁ ନେଇ ପୂର୍ବ ଶତ୍ରୁତା ଥିବା ସାହି ବାସିନ୍ଦାଙ୍କଠାରୁ ଜଣାପଡ଼ିଛି। ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ହତ୍ୟାକାରୀ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ସହ କେସ୍‌ ନଂ.୧୯୬ /୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ

ମୃତଦେହକୁ ଦୁଇ ଯୁବକ ଏକ ବାଇକ୍‌ରେ ବୋହି ନେଲେ

 COASTAL NEWS 400

ମୃତଦେହକୁ ଦୁଇ ଯୁବକ ଏକ ବାଇକ୍‌ରେ ବୋହି ନେଲେ

 


କୋକସରା,୧୬ା୮ : ଦାଦନ ଖଟିବାକୁ ହାଇଦ୍ରାବାଦକୁ ଦୁଇ ମାସ ତଳେ ଯାଇଥିଲେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ କାଦୋପଦର ଗାଁର ଯୁବକ ଗିରିଧାରୀ ବାଗ। କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ହାଇଦ୍ରାବାଦରୁ ମଙ୍ଗଳବାର ଦୁଇ ଜଣ ସାଥୀ ଶ୍ରମିକଙ୍କ ସାହାଯ୍ୟରେ ସଙ୍ଗୀତା ନାମକ ଯାତ୍ରୀବାହୀ ବସ୍‌ରେ ନିଜ ଭିଟାମାଟିକୁ ଫେରୁଥିଲେ। ମାତ୍ର ଆସିବା ବାଟରେ ନବରଙ୍ଗପୁର ନିକଟରେ ବସ୍‌ରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଆମପାଣିରେ ବସ୍‌ ପହଞ୍ଚିବା ପରେ ସମ୍ପର୍କୀୟମାନେ ଆଗରୁ ଖବର ପାଇ ଅପେକ୍ଷା କରି ରହିଥିଲେ। ଗିରିଧାରୀଙ୍କ ମୃତଦେହକୁ ଦୁଇ ଯୁବକ ଏକ ବାଇକ୍‌ରେ ଆମପାଣି ବିଜୁ ଏକ୍ସପ୍ରେସ୍‌ ଓ୍ବେ ରାସ୍ତା ଠାରୁ ନିଜ ଗାଁ କାଦୋପଦର ନେଇ ଯାଇଥିଲେ।

ସୂଚନାନୁଯାୟୀ, ଦୁଇ ମାସ ତଳେ ଜୟପାଟଣା ବ୍ଲକ ବାନେର ପଞ୍ଚାୟତ କାଦୋପଦର ଗାଁର ଯୁବକ ଗିରିଧାରୀ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ ନିୟୋଜିତ ଥିଲେ। ହେଲେ ସେଠାରେ ସେ ଅସୁସ୍ଥ ହେବାରୁ ଘରକୁ ଫେରିବା ସମୟରେ ବସ୍‌ରେ ଜୀବନ ଚାଲିଯାଇଥିଲା। ଗାଁରେ ଆଜି ମୃତଦେହ ପହଞ୍ଚିବା ପରେ ଗାଁ ଶ୍ମାଶନରେ ଶେଷକୃତ୍ୟ କରାଯାଇଛି। ଏହି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି

Wednesday, August 16, 2023

ଶିକ୍ଷକଙ୍କ ଅଭାବକୁ ନେଇ ଜେତିଲା ଆନ୍ଦୋଳନ

COASTAL NEWS 399

ଶିକ୍ଷକଙ୍କ ଅଭାବକୁ ନେଇ ଜେତିଲା ଆନ୍ଦୋଳନ



ପିପିଲି : ଶିକ୍ଷକଙ୍କ ଅଭାବକୁ ନେଇ ଜେତିଲା ଆନ୍ଦୋଳନ। ଆନ୍ଦୋଳନରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ । ନାରାବାଜି ସହିତ ଆନ୍ଦୋଳନକୁ ଓହ୍ଲାଇଲେ ସମସ୍ତେ । ଏ ଘଟଣା ହେଉଛି ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ବେରବୋଇ ହାଇସ୍କୁଲର । ୧୯୫୦ ମସିହାରେ ସ୍ଥାପିତ ହେଇଥିବା ଏହି ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠ ପଢାଯାଉଛି । ତେବେ ନବମ ଦଶମ ଶ୍ରେଣୀ ପାଇଁ ଶିକ୍ଷକ ଥିବାବେଳେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୫୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କୁ ଶିକ୍ଷାଦାନ ଯୋଗାଇବା ପାଇଁ ୧୨ ଜଣ ଶିକ୍ଷକ ଆବଶ୍ୟକତା ଥିବାବେଳେ ଜଣେ ହେଲେ ବି ଶିକ୍ଷକ ନାହାନ୍ତି । ଯାହାକୁ ନେଇ ଏଭଳି ଆନ୍ଦୋଳନ କରାଯାଇଥିବା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ କହିଥିଲେ ।

ବେରବୋଇ ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଯେତିକି ଶ୍ରେଣୀ ଗୃହ ରହିଛି ସେଥି ମଧ୍ୟରୁ ଅଧାରୁ ଅଧିକ ଶ୍ରେଣୀ ଗୃହରେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । ସ୍ମାର୍ଟ କ୍ଲାସ ରୁମରେ ପଢିବା କଷ୍ଟକର ହୋଇ ପଡ଼ୁଛି । ବିଦ୍ୟାଳୟରେ ଲାଟିନ୍ ଘରେ କାର୍ଯ୍ୟ କରିଥିବା ଠିକାଦାର ଚାବି ପକାଇଥିବାବେଳେ ଛାତ୍ରଛାତ୍ରୀମାନେ ଏହାକୁ ବ୍ୟବହାର କରି ପାରୁ ନାହାନ୍ତି । ପାନୀୟ ଜଳର ଅସୁବିଧା ନ କହିବା ଭଲ । ଏଭଳି ଅନେକ ସମସ୍ୟା ରହିଥିବାର ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ କହିଥିବାବେଳେ ଘଟଣାସ୍ଥଳରେ ଡ଼େଲାଙ୍ଗ ବ୍ଲକ ଶିକ୍ଷାଧିକାରୀ ପହଂଚି ଶିକ୍ଷକ ନିଯୁକ୍ତିର ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଦୀର୍ଘ ସମୟ ଆନ୍ଦୋଳନ ତାପରେ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେଲା ସତ ହେଲେ ବିନା ଶିକ୍ଷକରେ ପାଠ ପଢୁଥିବା ଏହି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କ’ଣ ହେବ ତାହା ସମୟ ହିଁ କହିବ ।

ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ ଏକ ମୃତ ମୂଷା

 COASTAL NEWS 398

ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ  ଏକ ମୃତ ମୂଷା



ମୁମ୍ବାଇ,୧୬।୮ : ମୁମ୍ବାଇର ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ ତାଙ୍କୁ ଏକ ମୃତ ମୂଷା ପରିବେଷଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରେଷ୍ଟୁରାଣ୍ଟ ମ୍ୟାନେଜର ଏବଂ ଦୁଇଜଣ କୁକଙ୍କୁ ପୋଲିସ ଗିରଫ କରାଯାଇଛି। ବୁଧବାର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି। ବାନ୍ଦ୍ରା ପୋଲିସ ଷ୍ଟେଶନର ଜଣେ ଅଧିକାରୀ କହିଛନ୍ତି ଏକ ବ୍ୟାଙ୍କରେ କାମ କରୁଥିବା ଗ୍ରାହକ ରବିବାର ରାତିରେ ଶପିଂ କରିବା ପରେ ଉପନଗର ବାନ୍ଦ୍ରାସ୍ଥିତ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ।

ପୋଲିସର ସୂଚନାନୁସାରେ, ରବିବାର ରାତିରେ ଅନୁରାଗ ସିଂ ଏବଂ ତାଙ୍କ ବନ୍ଧୁ ଅମିନ ମୁମ୍ବାଇର ବାନ୍ଦ୍ରାସ୍ଥିତ ପଞ୍ଜାବୀ ଖାଦ୍ୟ ପରିବେଷଣ କରୁଥିବା ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ। ଉଭୟ ବନ୍ଧୁ ଦୁଇଟି ଥାଳି ଅର୍ଡର କରିଥିଲେ। ଗୋଟିଏ ମଟନ ଥାଳି ପାଇଁ ଏବଂ ଅନ୍ୟଟି ଚିକେନ ଥାଳି ଥିଲା। ଖାଦ୍ୟ ପହଞ୍ଚିବା ପରେ ସିଂ ଚିକେନ ତରକାରୀ ଖାଇବା ଆରମ୍ଭ କରି କହିଥିଲେ। ତେବେ, ଯେତେବେଳେ ସେ ଏକ ଛୋଟ ମାଂସ ଖାଇଲେ, ସେତେବେଳେ ସେ ଅନୁଭବ କଲେ ଏହା ଚିକେନ ନୁହେଁ । ଏହାକୁ ସେ ନିରିଖେଇ ଯାଞ୍ଚ କରିବାରୁ ଏହା ଏକ ଛୋଟ ମୂଷା ବୋଲି ଜଣାପଡିଥିଲା। ସୋସିଆଲ ମିଡିଆ ଏକ୍ସରେ ଆମିନ ଏହି ବିଷୟରେ ଟୁଇଟ କରିଥିଲେ।

ପୋଲିସ ଅଧିକାରୀ କହିଛନ୍ତି ପ୍ରାରମ୍ଭରେ ଗ୍ରାହକ ଏହାକୁ ଥାଳିରେ କ’ଣ ଅଛି ଜାଣି ନ ଥିଲେ ଏବଂ ସେଥିରୁ କିଛି ଚିକେନ ଭାବି ଖାଇଥିଲେ। ଯେତେବେଳେ ଗ୍ରାହକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ, ସେମାନେ ତାଙ୍କ ନିକଟରେ କ୍ଷମା ମାଗିଥିଲେ, କିନ୍ତୁ ମୂଷା ଖାଇବା ପରେ ଗ୍ରାହକ ଅସୁସ୍ଥ ଅନୁଭବ କରିବା ଆରମ୍ଭ କରି ଡାକ୍ତରଙ୍କ ନିକଟକୁ ଯାଇଥିଲେ।

ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ରେଷ୍ଟୁରାଣ୍ଟର ମ୍ୟାନେଜର ଏବଂ ଦୁଇ ଜଣ କୁକଙ୍କୁ ଗିରଫ କରାଯାଇ ଭାରତୀୟ ପେନାଲ କୋଡର ବିଭିନ୍ନ ବିଭାଗ ଅନୁଯାୟୀ ଗିରଫ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି। ସେମାନଙ୍କ ବିରୁଦ୍ଧରେ ଆଇପିସି ଧାରା ୨୭୨ (ବିକ୍ରୟ ଖାଦ୍ୟରେ ଅପମିଶ୍ରଣ) ଏବଂ ୩୩୬ (ଜୀବନ କିମ୍ବା ଅନ୍ୟର ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ) ଲାଗୁ କରାଯାଇଛି । ପରେ ସେମାନେ ଜାମିନରେ ଖଲାସ ହୋଇଛନ୍ତି।

ନାବାଳିକା ଦୁଷ୍କର୍ମ ମାମଲାର ଫେରାର ଅଭିଯୁକ୍ତ ସାଜିଲେ ରକ୍ତମୁଖା

 COASTAL NEWS 397

ନାବାଳିକା ଦୁଷ୍କର୍ମ ମାମଲାର ଫେରାର ଅଭିଯୁକ୍ତ ସାଜିଲେ ରକ୍ତମୁଖା



ଜଗତ୍ସିଂହପୁର - ନାବାଳିକା ଦୁଷ୍କର୍ମ ମାମଲାର ଫେରାର ଅଭିଯୁକ୍ତ ସାଜିଲେ ରକ୍ତମୁଖା। ଘଟାଇଲେ ବୀଭତ୍ସ କାଣ୍ଡ। ଅଭିଯୁକ୍ତଜଣକ ୨ ବର୍ଷ ଜେଲ୍‌ରେ ଥିବା ବେଳେ ପ୍ରାୟ ଦେଢ ବର୍ଷ ହେବ ଫେରାର ହୋଇ ଯାଇଥିଲେ। ଆଜି ସକାଳେ ଫେରାର ଅଭିଯୁକ୍ତଜଣକ ନିଜ ଘରକୁ ଆସିଥିବା ବେଳେ ପାଲଟିଗଲେ ରକ୍ତମୁଖା । ଏପରିକି କଟୁରୀ ଚୋଟରେ ସେ ନିଜ ଆଈମା’ଙ୍କ ଜୀବନ ନେଇଥିବା ବେଳେ ସମ୍ପୃକ୍ତା ନାବାଳିକାଙ୍କ ମା’ ଓ ସମ୍ପର୍କୀୟା ଜେଜେ ମା’ଙ୍କୁ ବି ହାଣିବାକୁ ପଛାଇ ନାହାନ୍ତି। ଏପରି ଏକ ଅଘଟଣ ଆଜି ସକାଳେ ଜଗତସିଂହପୁର ଜିଲା ବାଲିକୁଦା ଥାନା ଗଦେଇ ଗିରୀ ଗାଁରେ ଘଟିଛି। ପୁଲିସ୍‌ ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁଙ୍କୁ ବାଲିକୁଦା ଥାନାରେ ଅଟକ ରହିଛି ।

ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ନିଜ ଗାଁର ଜଣେ ନାବାଳିକାକୁ ଅପହରଣ କରି ୨ ମାସ ପାଖରେ ରଖି ଛାଡ଼ି ଦେଇଥିଲେ। ଏନେଇ ଗତ ୨୦୨୦ ମସିହାରେ ଅଭିଯୋଗ ହେବା ପରେ ସେ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ। ଏହାପରେ ସେ ବିଚାରଧୀନ ବନ୍ଦୀ ଭାବେ ଆଳିପିଙ୍ଗଳ ଜେଲ୍‌ରେ ଥିଲେ। ତେବେ ଗତ ୨୦୨୨ ଏପ୍ରିଲ ମାସରେ ଜେଲରୁ ଫେରାର ହୋଇ ଯାଇଥିଲା । ପ୍ରାୟ ଦେଢ ବର୍ଷ ତାଙ୍କ ପତ୍ତା ପାଇ ପାରୁ ନ ଥିଲା ପୁଲିସ୍‌।

ଆଜି ସକାଳୁ ଜୀବନ ଜ୍ୟୋତି ନିଜ ଘରକୁ ଆସିଥିଲେ। ଉକ୍ତ ସମୟରେ ତାଙ୍କ ଘର ପାଖରେ ଥିବା ମାମୁ ଘରୁ ଆଈଙ୍କ ବି ଆସିଥିଲେ। କୌଣସି କଥାକୁ ନେଇ ଆଈଙ୍କ, ନାତିଙ୍କ ମଧ୍ୟରେ ଝଗଡ଼ା ହେବାରୁ ଜ୍ୟୋତି ଏକ କଟୁରୀରେ ନିଜ ଆଈଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଏହାପରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ଜୀବନ ଜ୍ୟୋତି ସମ୍ପୃକ୍ତ ନାବାଳିକାଙ୍କ ଘରକୁ ପଳାଇଥିଲେ। ସେଠାରେ ସେ ନାବାଳିକାଙ୍କ ମା’ ଓ ଜଣେ ସମ୍ପର୍କୀୟା ଜେଜେମା’ଙ୍କୁ ହାଣି ପକାଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିକୁଦା ମେଡିକାଲ ଓ ପରେ ଜଗତସିଂହପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଏନେଇ ଜଗତସିଂହପୁର ଏସଡିପିଓ ରମେଶ ସିଂ କହିଛନ୍ତି, ଲକ୍ଷ୍ମୀଧର ସାହୁ ଆଜି କରିଥିବା ଅଭିଯୋଗ ଅନୁଯାୟୀ ଆଜି ସକାଳୁ ତାଙ୍କ ମା’ଙ୍କୁ ଜୀବନଜ୍ୟୋତି ସାହୁ ହତ୍ୟା କରିଛନ୍ତି। ଏହାପରେ ବି ସେ ଆଉ ୨ ଜଣଙ୍କୁ ହାଣିଛନ୍ତି। ଏହାପରେ ସେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକେ ତାଙ୍କୁ କାବୁ କରି ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜୀବନ ଜ୍ୟୋତିଙ୍କୁ କାବୁ କରି ବାଲିକୁଦା ଥାନାରେ ଅଟକ ରଖିଛି। ପୁଲିସ୍‌ର ନିଷ୍କ୍ରିୟତା ଯୋଗୁ ଏପରି ଘଟିଥିବା ଅଭିଯୋଗ ହେଉଛି। ଜଣେ ଅଭିଯୁକ୍ତ ଦେଢ ବର୍ଷ ଧରି ଫେରାର ହେବା ପରେ ବି କିପରି ପୁଲିସ୍‌ ତାକୁ ଗିରଫ କରି ପାରୁ ନ ଥିଲା ତାକୁ ଖୁବ୍‌ ସମାଲୋଚନା କରାଯାଉଛି।

ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ

COASTAL NEWS 396

ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ


 

ବାଲେଶ୍ଵର - ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ଏହି ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ଉଦ୍ଧାର ହୋଇଛି ୨୬ଟି ନାଗ ସାପ । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।

ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା, ତେବେ ଏଥିରେ ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ ଚାଲିଛିା

ଏନେଇ ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୩ଟାରେ ଭୁବନେଶ୍ୱରରୁ ବାହାରିଲୁ। ଭୋର ପ୍ରାୟ ୫ଟା ପରେ ବାଲେଶ୍ୱରରେ ପହଞ୍ଚିଲୁ। ଏହାପରେ ବହୁ ରେଞ୍ଜ ଅଧିକାରୀଙ୍କ ସହ ପଞ୍ଚୁପଳିରେ ପହଞ୍ଚି ରେଡ କଲୁ। ଏହି ରେଡ ସମୟରେ ୨୬ଟି ନାଗ ସାପଙ୍କୁ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି।

ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ଏଥିରୁ ଆହୁରି ବହୁ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...