AFFILIATE MARKETING

https://binomo.com?a=90810425bb57&t=0

Monday, July 7, 2025

ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାର ଘୋଷଣା

ଚଳିତ ବର୍ଷ ‘ବନ ସୁରକ୍ଷା, ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ପୁରସ୍କାର’ ମିଳିତ ଭାବେ ପାଇଲେ କଳାହାଣ୍ଡିର ‘ତୁଲଙ୍ଗପଦର ବନ ସୁରକ୍ଷା ସମିତି’ ଏବଂ କରଞ୍ଜିଆ ଫରେଷ୍ଟ ଡିଭିଜନର ‘ପାହାଡପୁର ବନ ସୁରକ୍ଷା ସମିତି’, ଉଭୟ ସମିତିକୁ ଯୁଗ୍ମ ଭାବେ ୪ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍

୨୦୩୬ ସୁଦ୍ଧା ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ମଡେଲ ହେବ ଓଡିଶା: ମୁଖ୍ୟମନ୍ତ୍ରୀ

 #COASTAL NEWS ODIA*  

ଭୁବନେଶ୍ୱର, ୦୭/୦୭: ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟରେ କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଗୁଡିକର ପୁନର୍ବିନ୍ୟାସ (Restructuring) କରାଯାଇଛି । ଆଜି ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମ୍ ହାଇସ୍କୁଲରେ ଆୟୋଜିତ ବନମହୋତ୍ସବ ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏହି ନୂତନ ପୁରସ୍କାର ଆଜିଠାରୁ ହିଁ ଲାଗୁ ହୋଇଛି।

ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ପୁରସ୍କାର ଯୁଗ୍ମ ଭାବେ ପାଇଛନ୍ତି କଳାହାଣ୍ଡିର ‘ତୁଲଙ୍ଗପଦର ବନ ସୁରକ୍ଷା ସମିତି’ ଏବଂ କରଞ୍ଜିଆ ଫରେଷ୍ଟ ଡିଭିଜନର ‘ପାହାଡପୁର ବନ ସୁରକ୍ଷା ସମିତି’। ଉଭୟଙ୍କୁ ମିଳିତ ଭାବେ ୪ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି।

କଳାହାଣ୍ଡି ନର୍ଥ ଫରେଷ୍ଟ ଡିଭିଜନର ତୁଲଙ୍ଗପଦର ବନ ସୁରକ୍ଷା ସମିତି ବଜାରଗଡ ଜଙ୍ଗଲର ୫୦ ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରି ଏହି ଅବକ୍ଷୟ ପ୍ରାପ୍ତ ଜଙ୍ଗଲର ପୁନରୁଧାର କରିପାରିଛନ୍ତି। ଏହି ସମିତିର ଉଦ୍ୟମ ଯୋଗୁଁ ଗତ ତିନି ବର୍ଷରେ ଏହି ଜଙ୍ଗଲରେ ଗୋଟିଏ ବି ବନାଗ୍ନି ଘଟଣା ଘଟି ନାହିଁ। ସେହିପରି କରଞ୍ଜିଆ ଫରେଷ୍ଟ ଡିଭିଜନର ପାହଡପୁର ବନ ସୁରକ୍ଷା ସମିତି ବୁଢିପାଟ ଜଙ୍ଗଲର ୧୫୯ ହେକ୍ଟର ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରି ଜଙ୍ଗଲର ସୁରକ୍ଷା କରିଛନ୍ତି। ଗତ ୫ବର୍ଷ ମଧ୍ୟରେ ଏହି ଜଙ୍ଗଲରେ ଗୋଟିଏ ବି ବନାଗ୍ନି ଘଟଣା ଘଟି ନାହିଁ। ଏହା ସହିତ ମନୁଷ୍ୟ-ହାତୀ ସଂଘର୍ଷ ଘଟଣା ମଧ୍ୟ ନିୟନ୍ତ୍ରଣକୁ ଆସିପାରିଛି।

ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଏକ ସୁନ୍ଦର ଓ ସବୁଜ ଓଡିଶା ଗଠନ କରିବା ପାଇଁ କହିଲେ ଯେ, ୨୦୩୬ ସୁଦ୍ଧା ଭିଜନ ଓଡିଶା କାର୍ଯ୍ୟକ୍ରମରେ ‘ସବୁଜ ଓଡିଶା’ ଗଠନ ଏକ ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ସମ୍ପ୍ରଦାୟ ନେତୃତ୍ୱାଧୀନ ଜଙ୍ଗଲ ଉଦ୍ୟୋଗ ମାଧ୍ୟମରେ ୧୦ ଲକ୍ଷ ସବୁଜ ଜୀବିକା ସୃଷ୍ଟି କରାଯିବ ଏବଂ ଓଡିଶାକୁ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ବିକଶିତ କରାଯିବ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ସବୁଜ ଓଡିଶା ଯୋଜନାରେ ଆଦିବାସୀ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଶାଳ, ତେନ୍ତୁଳି, ବାଁଉଶ ଓ ଔଷଧୀୟ ଉଦ୍ଭିଦ ପାଇଁ ୧୦୦ ରୁ ଅଧିକ ପ୍ରକ୍ରିୟା କରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଏହାଦ୍ୱାରା ୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରାଯିବାର ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାରେ ଗତ ବର୍ଷ ଏକ୍ ପେଡ୍ ମା’ କେ ନାମ ଅଭିଯାନରେ ୬.୬୯ କୋଟି ଚାରା ରୋପଣ କରାଯାଇଥିଲା ଏବଂ ଓଡିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଚଳିତ ବର୍ଷ ‘ଏକ୍ ପେଡ୍ ମା’ କେ ନାମ-୨.୦’ ଅଭିଯାନରେ ୭.୫ କୋଟି ଚାରା ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ବଜ୍ରପାତରୁ ରକ୍ଷା ପାଇବା ପାଇଁ ଗତ ବର୍ଷ ସରକାର ୧୯ ଲକ୍ଷ ତାଳଗଛ ରୋପଣ କରିଥିଲେ ଏବଂ ଚଳିତ ବର୍ଷ ୧୮ ଲକ୍ଷ ତାଳ ଗଛ ରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିବା ପରେ ଆମ ଶିମିଳିପାଳ ଯୋଜନାରେ ରାଜ୍ୟ ସରକାର ଏଠାରେ ୫୦ କୋଟି ଟଙ୍କା ବ୍ୟୟରେ ବନ୍ୟପ୍ରାଣୀ ଓ ଉଦ୍ଭିଦର ସଂରକ୍ଷଣ ପାଇଁ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ଶିମିଳିପାଳ ଭଳି ଜଙ୍ଗଲ ମାନଙ୍କରେ ନିଆଁ ଲାଗିବାକୁ ରୋକିବା ପାଇଁ AI ଆଧାରିତ ବନାଗ୍ନି ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟକାରୀ କରିଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ମନୁଷ୍ୟ ଓ ବନ୍ୟପ୍ରାଣୀ ସଂଘର୍ଷରେ ଅନୁକମ୍ପା ମୂଳକ ସହାୟତା ରାଶି ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରି ବନ୍ୟପ୍ରାଣୀ ସଂଘର୍ଷରେ ଲୋକଙ୍କ ମୃତ୍ୟୁ ହେଲେ ସହାୟତା ରାଶି ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ। ଅନ୍ୟାନ୍ୟ କ୍ଷତିପୂରଣ ରାଶି ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କହିଲେ ଯେ, ୨୦୨୫ ବନ ମହୋତ୍ସବର ବିଷୟବସ୍ତୁ ହେଉଛି “ଏକ ପେଡ଼୍ ମା କେ ନାମ୍” ଯାହାର ଅର୍ଥ “ମା’ଙ୍କ ନାମରେ ଗୋଟିଏ ଗଛ”। ଏହି ବିଷୟବସ୍ତୁ ବୃକ୍ଷରୋପଣ ପ୍ରୟାସକୁ ସେମାନଙ୍କର ମା’ଙ୍କ ପ୍ରତି ଉତ୍ସର୍ଗ କରିବାକୁ ଉତ୍ସାହିତ କରୁଛି। ପରିବେଶ, ଅର୍ଥନୀତି ଏବଂ ମାନବ କଲ୍ୟାଣ ପାଇଁ ଜଙ୍ଗଲ ବହୁମୁଖୀ ହିତ ସାଧନ କରେ। ଜଳବାୟୁ ନିୟନ୍ତ୍ରଣ, ଜଳ ବିଶୋଧନ ଏବଂ ଜୈବ ବିବିଧତା ସଂରକ୍ଷଣରେ ଜଙ୍ଗଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଜୀବିକା ନିର୍ବାହରେ ସହାୟକ ହେବା ସଙ୍ଗେ ସଙ୍ଗେ କାଠ ଏବଂ ଖାଦ୍ୟ ଭଳି ସମ୍ବଳ ପ୍ରଦାନ କରିଥାଏ ।

ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଧାନମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ସୀତାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


ପୁରସ୍କାର ପୁନର୍ବିନ୍ୟାସ

ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୧ ବିଶ୍ୱ ବନ ଦିବସ, ଜୁନ୍ ୫ ବିଶ୍ୱ ପରିବେଶ ଦିବସ, ଜୁଲାଇ ମାସରେ ବନ ମହୋତ୍ସବ ସପ୍ତାହ ପାଳନ ଏବଂ ଅକ୍ଟୋବର ମାସରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ କରାଯାଇଥାଏ। ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ କର୍ମଚାରୀ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କୁ ପୁରସ୍କାର ଦିଆଯାଏ। ଯେହେତୁ ଏହା ଏକ ସାମାଜିକ ଦାୟିତ୍ୱ ତେଣୁ ଏଥିରେ ସମସ୍ତଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସବୁ ପୁରସ୍କାର ଗୁଡିକର ପୁନର୍ବିନ୍ୟାସ କରିଛନ୍ତି। ଅନେକ ପୁରସ୍କାରର ସଂଖ୍ୟା ଓ ପୁରସ୍କାର ରାଶି ପରିମାଣ ମଧ୍ୟ ବୃଦ୍ଧି ହୋଇଛି। ଏହି ସମସ୍ତ ପୁରସ୍କାର ଆଜିଠାରୁ କାର୍ଯ୍ୟକାରୀ କରାଯାଉଛି।

 

ଏହି ପୁରସ୍କାର ଗୁଡିକ ହେଉଛି-

ବିଶ୍ୱ ବନ ଦିବସ (ମାର୍ଚ୍ଚ ୨୧)

• ବନ ବିଭାଗର କ୍ଷେତ୍ର କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ବନ ପୁରସ୍କାର- ଏଥିରେ ୪ଜଣ ଫରେଷ୍ଟ ରେଞ୍ଜର, ୧୨ ଜଣ ଫରେଷ୍ଟର ଓ ୨୪ ଜଣ ଫରେଷ୍ଟ ଗାର୍ଡଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସମସ୍ତଙ୍କୁ ମାନପତ୍ର, ମେଡାଲ ସହିତ ୧୦ ହଜାର ଟଙ୍କା ଲେଖାଏ ପୁରସ୍କାର ଦିଆଯିବ।

• ବନୀ କରଣ କିମ୍ବା ବୃକ୍ଷ ରୋପଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କାର- ଏଥିରେ ପ୍ରତ୍ୟେକ ସବ୍‌ଡିଭିଜନ୍‌ର ଗୋଟିଏ ଶିକ୍ଷାନୁଷ୍ଠାନକୁ ୧୦ ହଜାର ଟଙ୍କା ଏବଂ ପ୍ରତ୍ୟେକ ସବଡିଭିଜନର ଗୋଟିଏ ଗ୍ରାମପଞ୍ଚାୟତକୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ।

 

ବିଶ୍ୱ ପରିବେଶ ଦିବସ (ଜୁନ ୫)

• ପ୍ରକୃତି ମିତ୍ର ପୁରସ୍କାର-ଏଥିରେ ପ୍ରତ୍ୟେକ ବ୍ଲକର ଗୋଟିଏ ଗ୍ରାମ, ଗୋଟିଏ ଶିକ୍ଷାନୁଷ୍ଠାନ କିମ୍ବା ଗୋଟିଏ ପଞ୍ଜିକୃତ ସଂସ୍ଥାକୁ ଉଲ୍ଲେଖନୀୟ କାମ ପାଇଁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ।

• ପ୍ରକୃତି ବନ୍ଧୁ ପୁରସ୍କାର- ଏଥିରେ ପ୍ରତ୍ୟେକ ବ୍ଲକର ଜଣେ ବ୍ୟକ୍ତିକୁ ପରିବେଶର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ।

ବନ ମହୋତ୍ସବ ସପ୍ତାହ (ଜୁଲାଇ ପ୍ରଥମ ସପ୍ତାହ)

• ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର- ଏଥିରେ ବନ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଗୋଟିଏ ବନ ସୁରକ୍ଷା ସମିତିକୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ପ୍ରମାଣପତ୍ର ସହିତ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହା ସହିତ ପ୍ରତ୍ୟେକ ସବଡିଭିଜନରେ ମଧ୍ୟ ଗୋଟିଏ ଲେଖାଏ ବନ ସୁରକ୍ଷା ସମିତିକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ।

ବନ୍ୟ ପ୍ରାଣୀ ସପ୍ତାହ (ଅକ୍ଟୋବର ମାସ)

• ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର – ଏଥିରେ ବନ୍ୟ ପ୍ରାଣୀ ଓ ଜୈବ-ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଅନୁଷ୍ଠାନକୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ଗୋଟିଏ ସାର୍ଟିଫିକେଟ୍ ଓ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ପ୍ରତ୍ୟେକ ସବଡିଭିଜନ ସ୍ତରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଗୋଟିଏ ସାର୍ଟିଫିକେଟ ଓ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।

ମୁଁ ଥିଲି ପାକିସ୍ତାନ ସେନାର ବିଶ୍ୱସ୍ତ ଏଜେଣ୍ଟ: ତହବୁରର ଚାଞ୍ଚଲ୍ୟକର ବୟାନ

ଲସ୍କର-ଇ-ତୋଏବାରୁ ନେଇଛି ତାଲିମ

ଆରାବିକ ସମେତ ଅନେକ ଭାଷାରେ ପାରଙ୍ଗମ

ନୂଆଦିଲ୍ଲୀ, ୦୭/୦୭: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହବୁର ହୁସେନ ରାଣା ଉଗାଳିଛି ସତ। ପଚରାଉଚରା କରିବା ସମୟରେ ଏନଆଇଏ ଆଗରେ ସବୁ ସତ ସ୍ୱୀକାର କରିଛି। ପାକିସ୍ତାନ ସେନାର ଜଣେ ବିଶ୍ୱସ୍ତ ଓ ଭରସାଯୋଗ୍ୟ ଏଜେଣ୍ଟ ଥିବା ସେ ମାରିଛି। ପାକିସ୍ତାନ ସେନା ଏକ ଗୁପ୍ତ ମିଶନରେ ତାକୁ ସାଉଦି ଆରବ ପଠାଇଥିଲା।

ତହବୁର କହିଛି ଯେ, ପାକିସ୍ତାନୀ ସେନାର ଜଣେ ବିଶ୍ୱସ୍ତ ଏଜେଣ୍ଟ ଥିଲା। ଇରାକର କୁୱେତରେ ଆକ୍ରମଣ ସମୟରେ ତାକୁ ସାଉଦି ଆରବକୁ ଏକ ଗୁପ୍ତ ମିଶନରେ ପଠାଯାଇଥିଲା।

ତହବୁର କହିଛି ଯେ, ସେ ୧୯୮୬ ମସିହାରେ ରାୱଲପିଣ୍ଡିର ଆର୍ମି ମେଡିକାଲ କଲେଜରୁ ଏମବିବିଏସ ଶେଷ କରିବା ପରେ କ୍ୱେଟାରେ କ୍ୟାପ୍ଟେନ୍ (ଡାକ୍ତର) ଭାବରେ ନିଯୁକ୍ତ ହୋଇଥିଲେ।

ମୁମ୍ବାଇ ଆକ୍ରମଣର ପ୍ରମୁଖ ଅଭିଯୁକ୍ତ ଡେଭିଡ୍ ହେଡଲି ୨୦୦୩ରୁ ରୁ ୨୦୦୪ ମଧ୍ୟରେ ଲସ୍କର-ଏ-ତୋଏବାରେ ତିନୋଟି ପାଠ୍ୟକ୍ରମରେ ତାଲିମ ନେଇଥିଲେ। କିନ୍ତୁ ସେସବୁ ମନେ ନାହିଁ। ପାକିସ୍ତାନ ସହ ଜଡ଼ିତ ଥିବା ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଅବଦୁଲ ରେହମାନ ପାଶା, ସାଜିଦ ମୀର ଏବଂ ମେଜର ଇକବାଲ ଭଳି ପ୍ରମୁଖ 26/11 ଷଡ଼ଯନ୍ତ୍ରକାରୀଙ୍କୁ ଜାଣିଥିବା ମଧ୍ୟ ସ୍ୱୀକାର କରିଛି। ସେ ହିନ୍ଦୀ, ଇଂରାଜୀ, ଆରାବିକ୍ ଏବଂ ପାସ୍ତୋ ସମେତ ଅନେକ ଭାଷାରେ ପାରଙ୍ଗମ।

ସେନା କ୍ୟାରିୟର ବିଷୟରେ ପଚାରିବାରୁ ସେ କହିଛି ଯେ, ସିଆଚେନରେ ତାର ପୋଷ୍ଟିଂ ସମୟରେ ସେ ପଲମୋନାରୀ ଏଡିମାରେ ପୀଡିତ ଥିଲା, ଯାହା ଫଳରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାକିରି ରେ ଯୋଗ ଦେଇ ପାରିନଥିଲା ଏବଂ ଚାକିରିରୁ ବହିଷ୍କାର କରାଯାଇଥିଲା।

ସୂଚନାଯୋଗ୍ୟ, ୨୬/୧୧ ମୁମ୍ବାଇର ଲସ୍କର-ଇ-ତୋଏବା ଆତଙ୍କୀ ହମଲାରେ ୧୬୬ ଲୋକ ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣରେ ତହବୁର ରାଣାର ପ୍ରମୁଖ ଭୂମିକା ରହିଥିଲା।

ପୁଣି ବିଜେପି ସଭାପତି ହେବେ ମନମୋହନ ସାମଲ

ପୁଣି ବିଜେପି ସଭାପତି ହେବେ ମନମୋହନ ସାମଲ

ଏକମାତ୍ର ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ ପତ୍ର

ଭୁବନେଶ୍ୱର, ୦୭/୦୭: ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ମନମୋହନ। ଯାହା ପରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ମନମୋହନ। ଆସନ୍ତା କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଏହା ପରେ ଆସନ୍ତାକାଲି ବିଜେପି ସଭାପତି ଘୋଷଣା ହେବ।

ସୂଚନାଯୋଗ୍ୟ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ହୋଇଥିଲା

Sunday, July 6, 2025

ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରୟାସ

ଭୁବନେଶ୍ୱର, ୦୨/୦୭: ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ପୂର୍ବ ତଟ ରେଳପଥ ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ ଦ୍ୱୟରେ ଅତିରିକ୍ତ ଏସି-୩ ଟାୟାର କୋଚ୍ ଅସ୍ଥାୟୀ ସଂଯୋଗ ପାଇଁ ନିଷ୍ପତ୍ତି ନେଇଛି |  ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଅଧିକ ଚାହିଦା ଥିବା ସମୟରେ ଯାତ୍ରୀମାନଙ୍କ ପାଇଁ ଅଧିକ ଆରାମଦାୟକ ଏବଂ ସୁଗମ ଯାତ୍ରା ସୁନିଶ୍ଚିତ କରିବା |

22823/22824 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ 8 ଏବଂ 11 ଜୁଲାଇ 2025ରେ  ଏବଂ ନୂଆଦିଲ୍ଲୀରୁ 9 ଏବଂ 12 ଜୁଲାଇ 2025ରେ ଗୋଟିଏ ଅତିରିକ୍ତ ଏସି-3 ଟାୟାର କୋଚ୍ ସଂଯୋଗ ସହିତ ଏହାର ଗଠନକୁ ବର୍ଦ୍ଧିତ କରାଯିବ |

18417/18418 ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ 3 ରୁ 9 ଜୁଲାଇ 2025 ପର୍ଯ୍ୟନ୍ତ ପ୍ରତିଦିନ ରାଉରକେଲାରୁ ଏବଂ 4 ରୁ 10 ଜୁଲାଇ 2025 ପର୍ଯ୍ୟନ୍ତ ପ୍ରତିଦିନ ଗୁଣୁପୁରରୁ ଗୋଟିଏ ଅତିରିକ୍ତ ଏସି-3 ଟାୟାର କୋଚ୍ ସଂଯୋଗ ସହିତ ବର୍ଦ୍ଧିତ କରାଯିବ |

ଏହି ଅସ୍ଥାୟୀ ବୃଦ୍ଧିର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ଦୂର କରିବା ଏବଂ ଏହି ସମୟ ମଧ୍ୟରେ ସୁଗମ ଯାତ୍ରା ସୁନିଶ୍ଚିତ କରିବା |  ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଏବଂ ଉପଲବ୍ଧ ଅତିରିକ୍ତ ରହଣି ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି |

ପୂର୍ବ ତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି କରିବା ଏବଂ ବର୍ଦ୍ଧିତ ଟ୍ରାଫିକକୁ ଦକ୍ଷତାର ସହିତ ପରିଚାଳନା କରିବା ପାଇଁ ପ୍ରତିବଦ୍ଧ |  ଅଧିକ ବିବରଣୀ ଏବଂ ବୁକିଂ ପାଇଁ, ଯାତ୍ରୀମାନେ www.irctc.co.in ପରିଦର୍ଶନ କରିପାରିବେ କିମ୍ବା ନିକଟସ୍ଥ ରେଳ ଷ୍ଟେସନ ଅନୁସନ୍ଧାନ କେନ୍ଦ୍ର ସହିତ ଯୋଗାଯୋଗ କରିପାରିବେ |

Thursday, July 3, 2025

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପିର ପାଞ୍ଚ ଜଣ ସଦସ୍ୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ଦଳର ମୁଖ୍ୟ ସଦସ୍ୟତାରୁ ନିଲମ୍ବିତ କରିଛନ୍ତି। ପାଞ୍ଚ ଜଣ ସଦସ୍ୟ ହେଉଛନ୍ତି: କର୍ପୋରେଟର ଅନୁରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜିବ ମିଶ୍ର।

ୱାର୍ଡ ନମ୍ବର ୩୦, ୩୨, ୯, ୪୦ ଏବଂ ୪୪ ର ସଫେଇ କର୍ମୀମାନେ ଅଳିଆ ସଫା କରିବାକୁ ମନା କରି ପ୍ରତିବାଦ କରିଥିଲେ। କର୍ମଚାରୀମାନେ ସେମାନଙ୍କର ନିୟମିତ ଅଳିଆ ସଂଗ୍ରହ ପାଇଁ ଯାଇ ନଥିଲେ। ସେମାନେ ପ୍ରାୟ ୧୫ ଟି ଗାଡ଼ି ପାର୍କିଂ କରି ପ୍ରତିବାଦ ପାଇଁ ଏକାଠି ହୋଇଥିଲେ।

ଅନ୍ୟପଟେ ବିଏମସି ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣକୁ ଓଏଏସ୍ ଆସୋସିଏସନ୍ ନିନ୍ଦା କରିଥିଲା ଏବଂ ଓଏଏସ୍ ଅଧିକାରୀଙ୍କ ସାମୂହିକ ଛୁଟି ଡାକରା ଦେଇଥିଲା। ହେଲେ, ଗତ କାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ଓ ସାମୂହିକ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ।

ଏହା ପୂର୍ବରୁ ତିନି ଜଣଙ୍କୁ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି ପୋଲିସ। ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ଗତ କାଲି ବିଜେଡ଼ି ପକ୍ଷରୁ ଏହି ଘଟଣାକୁ ନେଇ ଜନପଥରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟାନ୍ୟ ବିଜେଡ଼ି ନେତାଙ୍କୁ ଉଠାଇ ନେଇଥିଲା ପୋଲିସ।

ବନ୍ଦ ହେବ ଇସ୍ରାଏଲ-ହମାସ ଯୁଦ୍ଧ ?

କାମ ଦେବ କି ଟ୍ରମ୍ପଙ୍କ ମଧ୍ୟସ୍ଥତା

ଟ୍ରମ୍ପ କଲେ ବଡ ଘୋଷଣା

ଜେରୁଜେଲମ, ୦୨/୦୭: କାମ ଦେବ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥି? ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ହୋଇଥିବା ବେଳେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରତି ହେବାକୁ ଯାଉଛି। ଏ ନେଇ ଟ୍ରମ୍ପ ନିଜେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।

ଟ୍ରମ୍ପ ମଙ୍ଗଳବାର ଘୋଷଣା କରି କହିଛନ୍ତି ଯେ, “ମୋ ପ୍ରତିନିଧିମାନେ ଗାଜାରେ ଆଜି ଇସ୍ରାଏଲ ଅଧିକାରୀଙ୍କ ସହିତ ଏକ ଦୀର୍ଘ ଏବଂ ଫଳପ୍ରଦ ବୈଠକ କରିଛନ୍ତି। ଇସ୍ରାଏଲ ୬୦ ଦିନ ପାଇଁ ଅସ୍ତ୍ରବିରତି ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀରେ ରାଜି ହୋଇଛି, ଏହି ସମୟ ମଧ୍ୟରେ ଆମେ ଯୁଦ୍ଧ ସମାପ୍ତ କରିବା ପାଇଁ ଉଭୟ ପକ୍ଷଙ୍କ ସହିତ କାମ କରିବୁ। ଶାନ୍ତି ଆଣିବାରେ ସାହାଯ୍ୟ କରିବା ପାଇଁ ବହୁତ କଠିନ ପରିଶ୍ରମ କରିଥିବା କତାର ଏବଂ ଇଜିପ୍ଟ ମଧ୍ୟ ଏହି ଚୂଡ଼ାନ୍ତ ପ୍ରସ୍ତାବ ପ୍ରଦାନ କରିବେ। ମୁଁ ଆଶା କରୁଛି, ମଧ୍ୟପ୍ରାଚ୍ୟର ମଙ୍ଗଳ ପାଇଁ, ହମାସ ଏହି ଚୁକ୍ତିନାମାକୁ ଗ୍ରହଣ କରିବ”। ବୋଲି ଟ୍ରମ୍ପ କହିଛନ୍ତି।

ହମାସ ଅଧିକାରୀ ତାହେର ଅଲ-ନୁନୁ କହିଛନ୍ତି ଯେ ହମାସ  ଚୁକ୍ତିନାମା କରିବା ପାଇଁ ପ୍ରସ୍ତୁତ। ଯୁଦ୍ଧର ଅନ୍ତ ଘଟାଇବା ଯେଉଁ ପଦକ୍ଷେପ ନେବାକୁ ପଡ଼ିବ ଆମେ କରିବୁ।

ତେବେ ଟ୍ରମ୍ପଙ୍କ ପୋଷ୍ଟ ପରେ ଇସ୍ରାଏଲର କୌଣସି ଅଧିକାରୀଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।

ଜଣେ ଇଜିପ୍ଟର ଅଧିକାରୀଙ୍କ ଅନୁଯାୟୀ, ବୁଧବାର ଦିନ ହମାସର ଏକ ପ୍ରତିନିଧି ଦଳ କାଏରୋରେ ଇଜିପ୍ଟ ଏବଂ କତାର ମଧ୍ୟସ୍ଥିଙ୍କ ସହ ଏହି ପ୍ରସ୍ତାବ ଉପରେ ଆଲୋଚନା କରିପାରନ୍ତି।

ଇସ୍ରାଏଲରର ରିପୋର୍ଟ ଅନୁଯାୟୀ, ହମାସ ୨୦୨୩ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଗାଜାରେ ଯୁଦ୍ଧ ଆରମ୍ଭ ହୋଇଥିଲା, ଯେଉଁଥିରେ ୧,୨୦୦ ଲୋକଙ୍କୁ ହତ୍ୟା କରାଯାଇଥିଲା ଏବଂ ୨୫୧ ଜଣଙ୍କୁ ବନ୍ଧକ କରାଯାଇଥିଲା। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ଆକ୍ରମଣରେ ୫୬ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି।

Wednesday, July 2, 2025

ସିଗାଚ୍ଛି କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଓଡ଼ିଆ

ଏକାଧିକ ଗୁରୁତର

ହାଇଦ୍ରାବାଦ, ୦୨/୦୭: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ସୋମବାର ଘଟିଥିବା ଭୟଙ୍କର ବିସ୍ଫୋରଣରେ ଚାରି ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି।

ମୃତକମାନେ ଗଞ୍ଜାମର ଜଗନ୍ନ ମୋହନ, କଟକର ତିଗିରିଆର ଲଗ୍ନଜିତ ଦୁଆରୀ, ବାଲେଶ୍ୱରର ମନୋଜ ରାଉତ ଏବଂ ଯାଜପୁରର ଦୋଳଗୋବିନ୍ଦ ସାହୁ ବୋଲି ଚିହ୍ନଟ କରାଯାଇଛି।

ଓଡ଼ିଶାର ଶ୍ରମ ଓ ପରିବାର କଲ୍ୟାଣ ବିଭାଗ କହିଛି ଯେ ରାଜ୍ୟର ଅନ୍ୟ ଚାରି ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି।

ସୋମବାର ଦିନ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ସିଗାଚ୍ଛି କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୪୨ରେ ପହଞ୍ଚିଛି। ଏହି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ଆଧାରର ସର୍ବାଧିକ ଉପଯୋଗିତା ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା

ସମସ୍ତ ସମ୍ଭାବନାକୁ ବାସ୍ତବତାରେ ରୂପାନ୍ତରିତ କରି ଜନସାଧାରଣଙ୍କ ଜୀବନକୁ ସହଜ କରିବା ପାଇଁ ଆଧାର ଏକ ପ୍ରକୃଷ୍ଟ ମାଧ୍ୟମ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୦୧/୦୭: ବିଗତ ଏକଦଶନ୍ଧି ମଧ୍ୟରେ ଆଧାର ଭାରତୀୟମାନଙ୍କ ଜୀବନକୁ ସହଜ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ଉଦାହରଣ ସ୍ୱରୂପ ଆଧାର ପ୍ଲାଟଫର୍ମ ବ୍ୟବହାର କରି ଓଡ଼ିଶା ସରକାର ଖୁବ୍‌ ଅଳ୍ପ ଦିନ ମଧ୍ୟରେ ‘ସୁଭଦ୍ରା’ ଭଳି ଯୁଗାନ୍ତକାରୀ ଯୋଜନାର ସଫଳ ରୂପାୟନ କରିପାରିଛନ୍ତି । ଆଧାର ଇକୋ ସିଷ୍ଟମ୍‌ର ବ୍ୟାପକ ବ୍ୟବହାର କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏକ ସମ୍ମିଳିତ ପ୍ରୟାସ କ୍ରମେ ରାଜ୍ୟରେ ଥିବା ସମସ୍ତ ସମ୍ଭାବନାକୁ ବାସ୍ତବତାରେ ରୂପାନ୍ତରିତ କରିପାରିଲେ ଓଡ଼ିଶାବାସୀଙ୍କ ଜୀବନ ଜୀବିକାକୁ ଅଧିକ ସହଜ ଓ ସାବଲୀଳ କରାଯାଇ ପାରିବ ବୋଲି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଶାବ୍ୟକ୍ତ କରିଛନ୍ତି ।

ୟୁଆଇଡିଏଆଇର ଆଞ୍ଚଳିକ କାର୍ଯ୍ୟାଳୟ, ହାଇଦ୍ରାବାଦ ଏବଂ ଓଡ଼ିଶା ସରକାରଙ୍କ ବୈଦୁତିକ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ମିଳିତ ଆନୁକୂଲ୍ୟରେ ଆଧାରର ସର୍ବାଧିକ ଉପଯୋଗିତା ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳା କୃଷି ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି ।

ଆଧାର କାର୍ଡ ଏବେ ଦେଶର ସର୍ବାଧିକ ବ୍ୟବହୃତ ଓ ବିଶ୍ୱାସଯୋଗ୍ୟ ପରିଚୟ ପତ୍ର । ଆଧାର ଅନୁବନ୍ଧନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଓକାକ୍‌ର ନିରନ୍ତର ପ୍ରୟାସ ଫଳରେ ଏହା ସମ୍ଭବପର ହୋଇପାରିଛି । ରାଜ୍ୟର ୫ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କର ଆଧାର ଅନୁବନ୍ଧନରେ ଆହୁରି ଅଧିକ କ୍ରିୟାଶୀଳତାର ଆବଶ୍ୟକତା ରହିଛି । ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ବୈଦ୍ୟୁତିକ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ପ୍ରକାଶ କରିଛନ୍ତି ।

ସାଧାରଣରେ ବିଶ୍ୱାସ ରହିଛି ଯେ ଆଧାର ଅନେକ ତଥ୍ୟକୁ ଏକତ୍ରିତ କରୁଛି । କିନ୍ତୁ ବାସ୍ତବରେ ଆଧାର ମାତ୍ର ୭ଟି ଅତି ଆବଶ୍ୟକୀୟ ତଥ୍ୟକୁ ଏକତ୍ରିତ କରି ଭାରତୀୟମାନଙ୍କର ଜୀବନକୁ ଅତି ସହଜ କରିପାରିଛି । ସଂପ୍ରତି ଦେଶର ପ୍ରାୟ ୯୫ ପ୍ରତିଶତ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି । ଦେଶରେ ପ୍ରତିଦିନ ପ୍ରାୟ ୯.୩୮ କୋଟି ପ୍ରାମାଣୀକରଣ ଆଧାର ମାଧ୍ୟମରେ ସହଜରେ ହୋଇ

ପାରୁଛି । ତା’ସହ ଆଧାର ପ୍ଲାଟଫର୍ମ ବ୍ୟବହାର କରାଯାଇ ଦେଶରେ ୨୪ ଶହରୁ ଉର୍ଦ୍ଦ୍ୱ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚି

ପାରୁଛି । ବ୍ୟାଙ୍କିଙ୍ଗ୍‌, ବୀମା, ଟେଲିକମ୍‌ ଭଳି କ୍ଷେତ୍ରର ପ୍ରାୟ ୫୫୦ଟି ସଂସ୍ଥାକୁ ଆଧାର ଇକୋ ସିଷ୍ଟମ୍‌ ବ୍ୟବହାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶର ବିଭିନ୍ନ ରାଜ୍ୟ ଆଧାର ପ୍ଲାଟଫର୍ମକୁ ବ୍ୟବହାର କରି ନୂତନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ତି । ଏହି ଯୋଜନାଗୁଡ଼ିକ ଲୋକମାନଙ୍କ ଜୀବନରେ ଆଶାତୀତ ଉନ୍ନତି ଆଣି ପାରିଛି । ଓଡ଼ିଶା ସରକାର ଆଧାର ବ୍ୟବହାର ଓ ନୂତନ ଯୋଜନା ପ୍ରଣୟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଆଜି ଉଭା ହୋଇଛନ୍ତି ବୋଲି ୟୁଆଇଡିଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭୁବନେଶ କୁମାର ଓଡିଶା ସରକାରକୁ ପ୍ରଶଂସା କରି କହିଛନ୍ତି ।

କର୍ଣ୍ଣାଟକରେ ଆଧାର ଉପରେ ପର୍ଯ୍ୟବେଶିତ ଭୂମି ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ବ୍ୟାପକ ସଫଳତା ହାସଲ କରାଯାଇପାରିଛି । କାରଣ ଏହି ବ୍ୟବସ୍ଥା ପ୍ରଚଳନ ପରେ ଅନେକ ଲୁକାୟିତ ତଥ୍ୟ ସରକାରଙ୍କ ନଜରକୁ ଆସି ପାରିଥିଲା । ଏହି ବ୍ୟବସ୍ଥାକୁ ବ୍ୟବହାର କରାଯାଇ କର୍ଣ୍ଣାଟକ ଭଳି ଓଡ଼ିଶାର କୃଷକମାନଙ୍କ ଜୀବନ ଜୀବିକାରେ କିପରି ବ୍ୟାପକ ପରିବର୍ତ୍ତନ କରାଯାଇପାରିବ ସେ ସମ୍ପର୍କରେ କର୍ଣ୍ଣାଟକ ସରକାରଙ୍କ ରାଜସ୍ୱ କମିଶନର ଶ୍ରୀ ସୁନୀଲ କୁମାର ପୋମାଲ ବର୍ଣ୍ଣନା କରିଥିଲେ ।

ଏହି କର୍ମଶାଳାରେ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀ ବିବେକ ଚନ୍ଦ୍ର ବର୍ମା, ପି.ସଙ୍ଗୀତା, କର୍ଣ୍ଣେଲ ନିଖିଲ ସିହ୍ନା, ସଂଜୀବ ଯାଦବ ପ୍ରମୁଖ ଆଧୁନିକ ସମୟରେ ଆଧାରର କାର୍ଯ୍ୟକାରିତା ଓ ବିବିଧ ଉପଯୋଗିତା ସମ୍ପର୍କରେ ବିସ୍ତୀର୍ଣ୍ଣ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ଆଧାର ଅନୁବନ୍ଧନରେ ଉଲ୍ଲେଖନୀୟ ସଫଳତା ପାଇଁ ଓକାକ୍‌ର ସିଇଓ ଡା. ପ୍ରଦୀପ କୁମାର ରାଉତ, ଶ୍ରୀ ପ୍ରଦୀପ ବିଶୋଇ ଏବଂ ଶ୍ରୀ ସୁଜିତ କୁମାର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ୟୁଆଇଡିଏଆଇର ଡିଡିଜି ଶ୍ରୀମତୀ ପି. ସଙ୍ଗୀତା ସ୍ୱାଗତ ଭାଷଣ ଦେଇଥିଲାବେଳେ ୟୁଆଇଡିଏଆଇ ରାଜ୍ୟ କାର୍ଯ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଦେବରାଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଆଧାରର ଅଂଶୀଦାରମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ ।

Tuesday, July 1, 2025

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପିର ପାଞ୍ଚ ଜଣ ସଦସ୍ୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ଦଳର ମୁଖ୍ୟ ସଦସ୍ୟତାରୁ ନିଲମ୍ବିତ କରିଛନ୍ତି। ପାଞ୍ଚ ଜଣ ସଦସ୍ୟ ହେଉଛନ୍ତି: କର୍ପୋରେଟର ଅନୁରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜିବ ମିଶ୍ର।

ୱାର୍ଡ ନମ୍ବର ୩୦, ୩୨, ୯, ୪୦ ଏବଂ ୪୪ ର ସଫେଇ କର୍ମୀମାନେ ଅଳିଆ ସଫା କରିବାକୁ ମନା କରି ପ୍ରତିବାଦ କରିଥିଲେ। କର୍ମଚାରୀମାନେ ସେମାନଙ୍କର ନିୟମିତ ଅଳିଆ ସଂଗ୍ରହ ପାଇଁ ଯାଇ ନଥିଲେ। ସେମାନେ ପ୍ରାୟ ୧୫ ଟି ଗାଡ଼ି ପାର୍କିଂ କରି ପ୍ରତିବାଦ ପାଇଁ ଏକାଠି ହୋଇଥିଲେ।

ଅନ୍ୟପଟେ ବିଏମସି ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣକୁ ଓଏଏସ୍ ଆସୋସିଏସନ୍ ନିନ୍ଦା କରିଥିଲା ଏବଂ ଓଏଏସ୍ ଅଧିକାରୀଙ୍କ ସାମୂହିକ ଛୁଟି ଡାକରା ଦେଇଥିଲା। ହେଲେ, ଗତ କାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ଓ ସାମୂହିକ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ।

ଏହା ପୂର୍ବରୁ ତିନି ଜଣଙ୍କୁ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି ପୋଲିସ। ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ଗତ କାଲି ବିଜେଡ଼ି ପକ୍ଷରୁ ଏହି ଘଟଣାକୁ ନେଇ ଜନପଥରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟାନ୍ୟ ବିଜେଡ଼ି ନେତାଙ୍କୁ ଉଠାଇ ନେଇଥିଲା ପୋଲିସ।

ଆଜିଠୁ ଟ୍ରେନ ଭଡା ବୃଦ୍ଧି

ଜାଣନ୍ତୁ କେତେ କିମି ପାଇଁ କେତେ ଭଡ଼ା ବଢ଼ିଛି


ନୂଆଦିଲ୍ଲୀ, ୦୧/୦୭: ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ଆଜିଠୁ ଭଡ଼ା ବୃଦ୍ଧି ପାଇଛି‌। ପାସେଞ୍ଜର ଟ୍ରେନର ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ କୌଣସି ବୃଦ୍ଧି ହୋଇନାହିଁ। ୫୦୧ କିମିରୁ ୧୫୦୦ କିମି ଦୂରତା ପାଇଁ ୫ ଟଙ୍କା, ୧୫୦୧ରୁ ୨୫୦୦ କିମି ପର୍ଯ୍ୟନ୍ତ ୧୦ ଟଙ୍କା ଏବଂ ୨୫୦୧ରୁ ୩୦୦୦ କିମି ଦୂରତା ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି। ଏ ନେଇ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି।

ସ୍ଲିପର କ୍ଲାସ ପ୍ରତି କିମିରେ ୫୦ ପଇସା ଏବଂ ପ୍ରଥମ ଶ୍ରେଣୀ ପ୍ରତି କିମିରେ ୫୦ ପଇସା ବୃଦ୍ଧି ପାଇଛି। ମେଲ/ଏକ୍ସପ୍ରେସ, ଦ୍ୱିତୀୟ ଶ୍ରେଣୀ, ସ୍ଲିପର କ୍ଲାସ, ପ୍ରଥମ ଶ୍ରେଣୀ ପାଇଁ ପ୍ରତି କିମି ପିଛା ୧ ପଇସା ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଏସି ଚେୟାର କାର୍, ଏସି-୩ ଟାୟାର /ଏସି-୩ ଟାୟାର ଇକୋନୋମି, ଏସି ୨-ଟାୟାର, ଏବଂ ଏସି ପ୍ରଥମ/ଏକଜିକ୍ୟୁଟିଭ ଶ୍ରେଣୀ ଲାଗି ପ୍ରତି କିଲୋମିଟରରେ ୦୨ ପଇସା ବୃଦ୍ଧି କରାଯାଇଛି।

ଏହି ଭଡା ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ବନ୍ଦେ ଭାରତ, ତେଜସ, ହମସଫର, ଅମୃତ ଭାରତ, ମହାମାନ, ଗତିମାନ, ଅନ୍ତ୍ୟୋଦୟ, ଜନ ଶତାବ୍ଦୀ, ଯୁବା ଏକ୍ସପ୍ରେସ, ଏହି ଭିଷ୍ଟାଡୋମ୍ କୋଚ୍, ଅନୁଭୂତି କୋଚ୍ ଏବଂ ସାଧାରଣ ଅଣ-ଉପନଗର ସେବା ଭଳି ପ୍ରିମିୟର ଏବଂ ସ୍ୱତନ୍ତ୍ର ଟ୍ରେନ ସେବା ପାଇଁ ଲାଗୁ ହୋଇଛି।

Monday, June 30, 2025

ବାଂଲାଦେଶ: ମାତ୍ର ୩୫ ହଜାର ଟଙ୍କା ପାଇଁ ହିନ୍ଦୁ ମହିଳାଙ୍କୁ ଦୁଷ୍କର୍ମ

ବାଂଲାଦେଶ: ମାତ୍ର ୩୫ ହଜାର ଟଙ୍କା ପାଇଁ ହିନ୍ଦୁ ମହିଳାଙ୍କୁ ଦୁଷ୍କର୍ମ

ଦିନକୁ ଦିନ ବଢ଼ୁଛି ହିନ୍ଦୁ ବିରୋଧୀ ନିର୍ଯାତନା


ଢାକା, ୩୦/୦୬: ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ। ମୁରାଦନଗର ଉପଜିଲ୍ଲାରେ ଜଣେ ୨୧ ବର୍ଷୀୟ ହିନ୍ଦୁ ମହିଳାଙ୍କୁ ବଳାତ୍କାର ଘଟଣା ଜଣା ପଡ଼ିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଜଣେ ହିନ୍ଦୁ ମହିଳାଙ୍କ ପରିବାର ୩୫ ହଜାର ଟଙ୍କା ଧାର ଦେବା ବଦଳରେ ତାଙ୍କୁ ବଳାତ୍କାରର ଶିକାର ହେବାକୁ ପଡିଛି। ଏହି ଘଟଣାରେ ପ୍ରାଥମିକ ସନ୍ଦିଗ୍ଧ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ଫଜୋର ଅଲିଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣଙ୍କୁ ବଳାତ୍କାର ପୀଡିତାଙ୍କ ଭିଡିଓ ରେକର୍ଡିଂ ଏବଂ ସୋସିଆଲ ମିଡିଆରେ ସେୟାର କରିବା ପାଇଁ ଗିରଫ କରାଯାଇଛି।

ଏହି ଘଟଣାଟି ଜୁନ୍ ୨୬ରେ ଘଟିଥିଲା। ଏହି ଦିନ ରାତି ପ୍ରାୟ ୧୦ଟା ସମୟରେ ପୀଡିତାଙ୍କ ବାପାଙ୍କ ଘରେ ଏକୁଟିଆ ଥିବା ବେଳେ ରାମଚନ୍ଦ୍ରପୁର ପଚକିଟ୍ଟା ଗାଁର ୩୮ ବର୍ଷୀୟ ଫଜୋର ଅଲି ତାଙ୍କ ଘରକୁ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉକ୍ତ ପୀଡ଼ିତା ମହିଳା କବାଟ ନ ଖୋଲିବାରୁ ଅଭିଯୁକ୍ତ ତାଙ୍କ କବାଟ ଭାଙ୍ଗି ଘରେ ପଶିଥିଲେ ଏବଂ ତାଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ପାଖ ପଡ଼ୋଶୀ ପୀଡ଼ିତାଙ୍କ ଚିତ୍କାର ଶୁଣି ପାଖକୁ ଆସିଥିଲେ ମଧ୍ୟ ସେମାନେ ଭିଡ଼ିଓ ରେକର୍ଡ କରିଥିଲେ କିନ୍ତୁ କେହି ସାହାଯ୍ୟ କରିନଥିଲେ। ଅବଶ୍ୟ ପରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଜାଣିବା ପରେ ସ୍ଥାନୀୟ ଲୋକେ ଫଜୋରକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ହେଲେ ସେ ଫେରାର ହୋଇଯିବାର ଏ ସଫଳ ହୋଇଥିଲା। ପରେ ରବିବାର ସକାଳ ପ୍ରାୟ ୫ଟାରେ ଢାକାର ସୟଦାବାଦ ଅଞ୍ଚଳରେ ଫଜୋର ଅଲିଙ୍କୁ ଗିରଫ କରିଥିଲା ପୋଲିସ।

ମିଳିଥିବା ସୂଚନା ମୁତାବକ, ପୀଡ଼ିତା ମହିଳାଙ୍କ ସ୍ୱାମୀ ଦୁବାଇରେ କାମ କରନ୍ତି। ସ୍ଥାନୀୟ ପର୍ବ ହରି ସେବା ପାଇଁ ସେ ତାଙ୍କ ପିଲାମାନଙ୍କ ସହିତ ତାଙ୍କ ବାପାଙ୍କ ଘରେ ରହିଥିଲେ। ଘଟଣା ଘଟିବା ଦିନ ପୀଡ଼ିତାଙ୍କ ବାପା ଓ ଭାଇ ଘରେ ଅନୁପସ୍ଥିତ ଥିଲେ। ତେଣୁ ସେ ଏକୁଟିଆ ଥିଲେ।

ପୀଡ଼ିତାଙ୍କ ଭାଇଙ୍କ ଅଭିଯୋଗ ମୁତାବକ, ଫଜୋର ତାଙ୍କ ପରିବାରକୁ ୩୫ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଋଣ ଦେଇଥିଲେ। ଯାହାର ଫେରସ୍ତ କରିବା ପାଇଁ ତାରିଖ ଅତିକ୍ରମ କରି ସାରିଥିଲା। ଯେଉଁ ଟଙ୍କା ମାଗିବା ପାଇଁ ଫଜୋର ସେଦିନ ତାଙ୍କ ଘରକୁ ଆସିଥିଲା। ହେଲେ, ସେଦିନ ସେ ଓ ତାଙ୍କ ବାପା ଘରେ ନଥିଲେ।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଫଜୋର ସ୍ଥାନୀୟ ଅଞ୍ଚଳରେ ନିଶା ଏବଂ ଜୁଆ କାରବାର କରୁଥିଲେ। କୌଣସି ସରକାରୀ ପଦବୀରେ ନ ଥାଇ ମଧ୍ୟ ସେ ନିଜକୁ ଖଲିଦା ଜିଆଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ସଦସ୍ୟ ବୋଲି ଦାବି କରୁଥିଲେ।

ଜୁନ୍ ୨୭ ତାରିଖରେ ପୀଡିତାଙ୍କ ଲିଖିତ ଅଭିଯୋଗ ଆଧାରରେ ମହିଳା ଏବଂ ଶିଶୁ ନିର୍ଯାତନା ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ମୁରାଦନଗର ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗାଦିଚ୍ୟୁତ କରିବା ପରଠାରୁ, ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି।

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭୁବନେଶ୍ୱର, ୩୦/୦୬: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ତଥା ପୂର୍ବତନ ଜଳ ବିଭାଜିକା ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ଭୁବନେଶ୍ବର,କଳାହାଣ୍ଡି ଓ ନବରଙ୍ଗପୁରର ଏକକାଳୀନ ୮ଟି ସ୍ଥାନରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି।

ଚଢାଉ ଚାଲିଥିବା ସ୍ଥାନଗୁଡିକ ମଧ୍ୟରେ ରହିଛି କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ କୁପାଗାଁ ଗ୍ରାମରେ ଶ୍ରୀ ବାଗଙ୍କ ବାସଭବନ, ଧର୍ମଗଡ଼ ଥାନା ଅଧୀନ ବିକ୍ରମଗୁଡ଼ାରେ ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ବାଗଙ୍କ ଫ୍ଲାଟ (ଫ୍ଲାଟ ନଂ. ୧-ଡି)। ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ତାଙ୍କ ଏଲଆଇଜି ଘର (ନଂ. ଏଲଆଇଜି ୧୦/୬), ଭୁବନେଶ୍ୱରସ୍ଥିତ ମୃତ୍ତିକା ସଂରକ୍ଷଣ ଓ ଜଳସମ୍ପଦ ବିକାଶ ନିର୍ଦ୍ଦେଶାଳୟରେ କାର୍ଯ୍ୟାଳୟ। ନବରଙ୍ଗପୁର ଜିଲା, ମାଝିଗୁଡ଼ା ଛକ ନିକଟ ପଡ଼ାଲଗୁଡ଼ାସ୍ଥିତ ଏକ ନିର୍ମାଣାଧୀନ ବିଲଡିଂ। ନବରଙ୍ଗପୁର ଜିଲା, ଚୁଟିଆଗୁଡ଼ା ମୌଜା ନିକଟ ଚୁଟିଆଗୁଡ଼ା ଛକରେ ଶ୍ରୀ ବାଗଙ୍କ ପତ୍ନୀଙ୍କ ନାମରେ ଥିବା ଏକ ବିଲଡିଂ। ନବରଙ୍ଗପୁର ଜିଲା ଚୁଟିଆଗୁଡ଼ା ମୌଜା ନିକଟ ଚୁଟିଆଗୁଡ଼ା ଛକରେ ବାଗଙ୍କ ପତ୍ନୀଙ୍କ ନାମରେ ଥିବା ଅନ୍ୟ ଏକ ବିଲଡିଂରେ ଚଢ଼ାଉ ଚାଲିଛି।

ଏହି ଚଢ଼ାଉରେ ୧୦ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ୧୦ ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି।

କୃଷକଙ୍କୁ ପର୍ଯ୍ୟାପ୍ତ ବଜାର ସୁବିଧା ସହ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ, ବଳକା ଶସ୍ୟର ସୁରକ୍ଷା ଆମର ପ୍ରାଥମିକତା: ଉପମୁଖ୍ୟମନ୍ତ୍ରୀ

ଶୀତଳ ଭଣ୍ଡାର ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୩୦/୦୬: ଆଜି ଲୋକସେବା ଭବନରେ ଶୀତଳ ଭଣ୍ଡାର ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଏକ ବୈଠକ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କୃଷି ଏକ ଅବିରତ ପ୍ରୟାସ । ଏହା ବର୍ଷସାରା ଲୋକଙ୍କୁ ଦାନା ଯୋଗାଇ ଦେବା ସହ ରୋଜଗାରର ସ୍ରୋତ ଯୋଗାଇ ଥାଏ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ସହ ପ୍ରାକୃତିକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ । ଏହାର ସୁଦୀର୍ଘ ବେଳାଭୂମି ଏବଂ ସାମୁଦ୍ରିକ ପରିବହନ ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହେଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

ଆହୁରି ପଢ଼ନ୍ତୁ...

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆହୁରି କହିଥିଲେ ଯେ, ପୂର୍ବରୁ ଖାଦ୍ୟ ନିଅଣ୍ଟିଆ ରାଜ୍ୟ ଓଡ଼ିଶା ବର୍ତ୍ତମାନ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି । ବର୍ତ୍ତମାନ ଏହାର ଫଳ, ପନିପରିବା ଏବଂ ଖାଦ୍ୟଶସ୍ୟ ବିଦେଶକୁ ରପ୍ତାନି ମଧ୍ୟ ହେଲାଣି । ବିଦେଶରେ ଓଡ଼ିଶାର ସୁବାସିତ ଚାଉଳ ଓ ପନିପରିବାର ଚାହିଦା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି । କୃଷକଙ୍କୁ ପର୍ଯ୍ୟାପ୍ତ ବଜାର ସୁବିଧା ସହ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ, ବଳକା ଶସ୍ଯର ସୁରକ୍ଷା ଆମର ପ୍ରାଥମିକତା । ଏହାକୁ ଧ୍ୟେୟ କରି ରାଜ୍ୟର ପ୍ରତ୍ୟେକ ସବ ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବା ପ୍ରକ୍ରିୟା ଜାରି ରହିଛି । ଏହା ଆମ ଚାଷୀ ଭାଇଭଉଣୀଙ୍କ ରୋଜଗାରରେ ବୃଦ୍ଧି ସହିତ ରାଜ୍ୟରେ ଦେଖା ଦେଉଥିବା କୃତ୍ରିମ ଅଭାବକୁ ଦୂର କରିବାରେ ସହାୟକ ହେବ ।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଏକ କମ୍ପାନୀ ତରଫରୁ ପ୍ରସ୍ତାବ ମଧ୍ୟ ଉପସ୍ଥାପନ ହୋଇଥିଲା । ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Friday, June 27, 2025

ଘୋଷଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିତିନି ରଥର ଭିନ୍ନ ନିୟମ

ତିନି ରଥର ଭିନ୍ନ ନିୟମ

ପ୍ରତିବର୍ଷ ପୁରୀରେ ଅନୁଷ୍ଠିତ ହେଉଥିବା ଜଗନ୍ନାଥଙ୍କ ରଥଯାତ୍ରା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ପ୍ରସିଦ୍ଧ। ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ  ସୁଭଦ୍ରା ରଥରେ ଆସି ପଥରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହାକୁ ରଥଯାତ୍ରା ବା ଘୋଷଯାତ୍ରା କୁହାଯାଏ। ପ୍ରତି ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ। ରଥଯାତ୍ରା ସମୟରେ ତିନି ଦେବାଦେବୀମାନେ ତିନୋଟି ପୃଥକ ଭାବରେ ଚଢ଼ି ରତ୍ନ ସିଂହାସନରୁ ଓହ୍ଲାଇ ଘୋଷଯାତ୍ରା ରଜ ବାହାରିଥାନ୍ତି। ଏହି ରଥଗୁଡ଼ିକର ନାମ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ। ପ୍ରତ୍ୟେକ ରଥର ନିଜସ୍ୱ ସ୍ୱତନ୍ତ୍ର ଗୁରୁତ୍ୱ ଅଛି, ଏହା ଏକ ବିଶେଷ ପରମ୍ପରା ଏବଂ ନିୟମ ଅନୁସାରେ ନିର୍ମିତ ହୋଇଥାଏ। ଏହି ରଥଯାତ୍ରାରେ ସାମିଲ ହେବା ପାଇଁ ଲକ୍ଷ ଲକ୍ଷ ଲୋକ ପୁରୀ ବଡ଼ଦାଣ୍ଡରେ ଏକାଠି ହୋଇଥାନ୍ତି।

୧. ନନ୍ଦିଘୋଷ ରଥ – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ

ନନ୍ଦିଘୋଷ ରଥ। ଏହି ରଥ ସବୁଠାରୁ ବଡ଼ ଏବଂ ଏହାର ଉଚ୍ଚତା ପ୍ରାୟ ୪୫ ଫୁଟ। ଏଥିରେ ମୋଟ ୧୬ଟି ଚକ ଅଛି ଏବଂ ଏହାର ରଙ୍ଗ ଲାଲ ଏବଂ ହଳଦିଆ। ପ୍ରଭୁ ଜଗନ୍ନାଥ ଏହି ରଥରେ ବିରାଜିତ ହୋଇ ପୁରୀର ମୁଖ୍ୟ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ରଥର ଉପରେ ଗରୁଡ଼ ପତାକା ଏବଂ ସୁଦର୍ଶନ ଚକ୍ରର ଚିହ୍ନ ଥାଏ। ଏହାକୁ ଗରୁଡ଼ଧ୍ୱଜ ଏବଂ କପିଧ୍ୱଜ ମଧ୍ୟ କୁହାଯାଏ। ଏହି ରଥକୁ ଟାଣିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ହୁଏ। ବିଶ୍ୱାସ କରାଯାଏ ଯେ ଏହି ରଥର ରଶିକୁ ସ୍ପର୍ଶ କରୁଥିବା ବ୍ୟକ୍ତି ମୋକ୍ଷ ପ୍ରାପ୍ତ କରନ୍ତି।

୨. ତାଳଧ୍ୱଜ ରଥ- ବଡ଼ ଠାକୁର ବଳଭଦ୍ରଙ୍କ ରଥ

ତାଳଧ୍ୱଜ ରଥ ପ୍ରଭୁ ବଳରାମ ଅର୍ଥାତ୍ ବଳଭଦ୍ରଙ୍କ ରଥ। ଏହି ରଥଟି ମଧ୍ୟ ବହୁତ ବିଶାଳ କିନ୍ତୁ ଏହା ନନ୍ଦିଘୋଷ ଅପେକ୍ଷା ଟିକିଏ ଛୋଟ। ଏହାର ଉଚ୍ଚତା ପ୍ରାୟ ୪୪ ଫୁଟ ଏବଂ ଏଥିରେ ୧୪ଟି ଚକ ଅଛି। ଏହାର ରଙ୍ଗ ଗାଢ଼ ସବୁଜ ଏବଂ ଲାଲ। ବଳରାମଙ୍କ ରଥର ଦିଗ ଦକ୍ଷିଣ ଦିଗକୁ ଏବଂ ଏହି ରଥରେ ହନୁମାନଙ୍କ ପ୍ରତୀକ ମଧ୍ୟ ତିଆରି ହୋଇଛି। ଏହି ରଥର ଦେବତା ହେଉଛନ୍ତି ଶିବ ଓ ବ୍ରହ୍ମା।

୩. ଦର୍ପଦଳନ ରଥ- ସୁଭଦ୍ରାଙ୍କ ରଥ

ଦର୍ପଦଳନ ରଥ ଭଗବାନ କୃଷ୍ଣ ବା ଜଗନ୍ନାଥଙ୍କ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥ। ଏହା ତିନୋଟି ମଧ୍ୟରୁ ସବୁଠାରୁ ଛୋଟ ଏବଂ ଏହାର ଉଚ୍ଚତା ପ୍ରାୟ ୪୩ ଫୁଟ। ଏଥିରେ ୧୨ଟି ଚକ ଅଛି ଏବଂ ଏହାର ରଙ୍ଗ ଲାଲ ଏବଂ କଳା। ସୁଭଦ୍ରାଙ୍କ ରଥ ମଝିରେ ଗଡେ ଏବଂ ଏଥିରେ ଏକ ପଦ୍ମ ଚିହ୍ନ ଥାଏ।

Thursday, June 26, 2025

ଲଘୁଚାପ ସୃଷ୍ଟି: ପ୍ରବଳରୁ ଅତି ପ୍ରବଳ ବର୍ଷା

ଏହି ଜିଲ୍ଲାଗୁଡିକୁ ଆଲର୍ଟ କଲା ଆଇଏମଡି


ଭୁବନେଶ୍ୱର, ୨୬/୦୬: ଆଜି ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ତିନି ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଇଏମଡିର ସୂଚନା ଅନୁଯାୟୀ, ଆଜି ସକାଳ ୮ ଟା ୩୦ ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଓ ପଶ୍ଚିମବଙ୍ଗର ସଂଲଗ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି। ଏହା ପ୍ରଭାବରେ, ଓଡ଼ିଶାର ଉତ୍ତର ଏବଂ ପଶ୍ଚିମ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ଏ ତିନି ଦିନ ପାଇଁ ବିଭିନ୍ନ ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

୨୬ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି।

ବରଗଡ଼, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଝାରସୁଗୁଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ସହିତ ବିଜୁଳି ସହିତ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ହୋଇପାରେ।

ବାଲେଶ୍ୱର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଓ ଘଡ଼ଘଡ଼ି ମାରିପାରେ।

ସେହିପରି ୨୭ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଝାରସୁଗୁଡ଼ା ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏବଂ ୨୮ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Wednesday, June 25, 2025

ସମ୍ବିଧାନ ହତ୍ୟା ଦିବସ ୨୦୨୫ ପାଳିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଓଡିଶାର ୧୦୮ ଜଣ ଲୋକତନ୍ତ୍ର ସେନାନୀଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀ ମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫/୦୬: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ, ଏହି ‘ଜରୁରୀ କାଳୀନ ପରିସ୍ଥିତି’ ସମୟକୁ ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହିଥିଲେ।

ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ପ୍ରକାର ଦମନଲୀଳା, ଅକଥନୀୟ ଅତ୍ୟାଚାର ଚାଲିଥିଲା ସେ ସବୁକୁ କେହି ଭୁଲି ପାରିବେ ନାହିଁ। କିନ୍ତୁ ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ନୂଆ ପିଢିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବା ପାଇଁ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ୨୫ ଜୁନ ୨୦୨୬ରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ।

ଜରୁରୀକାଳୀନ ସମୟ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସେହି ସମୟରେ ସମ୍ବିଧାନର ସୁରକ୍ଷା ପାଇଁ, ଲୋକଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ସାରା ଭାରତରେ ଲଢେଇ ଜାରି ରଖିଥିଲା । ଦେଶର ସମସ୍ତ ବଡ ବଡ ନେତାଙ୍କ ସହିତ ଅଟଳ ବିହାରୀ ବାଜପେୟୀଜୀ ଓ ଲାଲକୃଷ୍ଣ ଆଡଭାନୀଜୀଙ୍କ ପରି ନେତା ମାନେ ମଧ୍ୟ ଜେଲ ଯାଇଥିଲେ। ଦମନଲୀଳା ଏତେ ମାତ୍ରାରେ ଥିଲା ତାଙ୍କ ପାଖରେ କେବଳ ଦୁଇଟି ବିକଳ୍ପ ଥିଲା, ଯଦି ସରକାରଙ୍କୁ ବିରୋଧ କରିବ ତେବେ ଜେଲ ଯିବ ଅଥବା ଖବରକାଗଜ ବନ୍ଦ ହେବ। ଅନେକ ନିଜ ନିଜ ଖବରକାଗଜକୁ ବନ୍ଦ କରିବାକୁ ଚାହୁଁ ନ ଥିଲେ, ଯେଉଁମାନେ ଝୁଙ୍କିଲେ ନାହିଁ, ତାଙ୍କୁ ଜେଲ ଯିବାକୁ ପଡିଲା। ପ୍ରାୟ ୧୦ ହଜାର ସାମ୍ବାଦିକ ଜେଲ ଦଣ୍ଡ ଭୋଗିଲେ।

ଆମ ଓଡିଶାରେ ମଧ୍ୟ ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ପରି ଅନେକ ବଡ ବଡ ନେତା ଗିରଫ ହୋଇଥିଲେ। ଲୋକତନ୍ତ୍ର ସେନାନୀମାନେ, ଯେଉଁମାନେ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି, ସେମାନେ ଜାଣିଛନ୍ତି ସେମାନଙ୍କ ଉପରେ ଜେଲରେ କିପରି ଅତ୍ୟାଚାର କରାଯାଉଥିଲା। ସେମାନେ ଜାଣିଛନ୍ତି ଯେ କିପରି ଜରୁରୀକାଳୀନ ପରିସ୍ଥିତି ସମୟରେ MISA କୁ ବ୍ୟବହାର କରି ବିନା ବିଚାରରେ ମାସ ମାସ ଧରି ଲୋକଙ୍କୁ ଜେଲରେ ରଖାଯାଉଥିଲା ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ, ଆଜି ଆମ ସହିତ ୧୦୮ ଜଣ ଲୋକତନ୍ତ୍ର ସେନାନୀ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସମ୍ମାନିତ କରି ଆମେ ଗୌରବାନ୍ୱିତ ଅନୁଭବ କରୁଛୁ। ଆମ ସରକାର ଆସିବା ପରେ ଆମେ ଆମର ଲୋକତନ୍ତ୍ର ସେନାନୀ ମାନଙ୍କ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ସେମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ଓ ଚିକିତ୍ସା ସୁବିଧା ମଧ୍ୟ ମିଳୁଛି। ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କର ପେନସନ ପାଇଁ ଅନୁମୋଦନ ମିଳି ସାରିଛି। ଅନ୍ୟ ଲୋକତନ୍ତ୍ର ସେନାନୀ ମାନଙ୍କ ପାଇଁ ପ୍ରକ୍ରିୟା ଜାରି ରହିଛି। ଖୁବ୍ ଶୀଘ୍ର ସେମାନେ ମଧ୍ୟ ପେନସନ ପାଇବେ। ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀ ମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ୫୦ ବର୍ଷ ତଳେ ଯେଉଁ ଭୁଲ ହୋଇଥିଲା ତାହା ଆଜିର ପୀଢ଼ି ଜାଣିବା ଦରକାର ଆଉ ଅନ୍ୟର ଭୁଲରୁ ମଣିଷ ଶିଖିବା ଭଳି, ଆଜିର ପୀଢ଼ି ଏହି ଦିବସରେ ଶିଖିବା ଦରକାର।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ସମ୍ମାନିତ ଅତିଥିଗଣ ଏହି ଜରୁରୀକାଳୀନ ସମୟର ଲୋକତନ୍ତ୍ର ସେନାନୀ ମାନଙ୍କୁ ସମ୍ମାନିତ କରିଥିଲେ। ଏହାସହିତ ଲୋକତନ୍ତ୍ର ସେନାନୀ ଶୋଭାଯାତ୍ରା ରଥ ଓ ସମ୍ବିଧାନ ହତ୍ୟା ଦିବସ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ।

ସେ ସମୟରେ ଦେଶକୁ ଶାସନ କରିବାକୁ ଯେଉଁ ବ୍ୟବସ୍ଥା ଚାଲିଥିଲା ସେ ସମୟ ସମସ୍ତଙ୍କ ପାଇଁ ଏକ କଳା ଦୁନିଆ ଥିଲା। କିନ୍ତୁ ସେଇ ଲଢେଇ ଆଜିର ଦିନରେ ଏକ ଶିକ୍ଷା ହେଉ ବୋଲି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିଜ ବକ୍ତବ୍ୟରେ କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଲୋକତନ୍ତ୍ର ସେନାନୀ ଶ୍ରୀ ବିମ୍ବାଧର କୁଅଁର, ଶ୍ରୀ କୃଷ୍ଣଚନ୍ଦ୍ର ଜଗଦେବ, ଓ ଶ୍ରୀ କାହ୍ନୁଚରଣ ବେହେରା ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

ସିମେଣ୍ଟ୍, ଷ୍ଟିଲ୍ ବ୍ୟବସାୟରେ ସ୍ୱପ୍ନକୁ ମିଳିଲା ବାସ୍ତବତାସୁମିତ୍ରା ପଣ୍ଡାଙ୍କ ଅସାଧାରଣ ସଫଳତା

ସୁମିତ୍ରା ପଣ୍ଡାଙ୍କ ଅସାଧାରଣ ସଫଳତା

ଭଦ୍ରକ, ୨୫/୦୬: ଭଦ୍ରକ ଜିଲ୍ଲାର ଏକ ପାରମ୍ପରିକ ଗାଁ, ମୁଳଗାଁ ଗ୍ରାମର ୫୬ ବର୍ଷୀୟା ସୁମିତ୍ରା ପଣ୍ଡା ଏକ ଅଭିନବ ଇତିହାସ ସୃଷ୍ଟି କରିଛନ୍ତି । ଯେଉଁ ବୟସରେ ଅନେକେ କାମ କରିବାରୁ ଦୁରେଇ ଯାଇ ଆରାମ କରିବାକୁ ଚାହାନ୍ତି, ସୁମିତ୍ରା ସାହସର ସହିତ ବିଭିନ୍ନ କ୍ଷେତ୍ରରେ ନିଜର ଜୀବନ ଜୀବିକାକୁ ପାଇଁ ରୋଜଗାରର ପନ୍ଥା ଖୋଜିଛନ୍ତି । ହାର୍ଡୱେର କ୍ଷେତ୍ରରେ ମଧ୍ୟ ସେ ବ୍ୟବସାୟ କରିଛନ୍ତି ଯେଉଁ କ୍ଷେତ୍ରରେ ଗ୍ରାମୀଣ ଓଡ଼ିଶାରେ ମହିଳାଙ୍କ ଅଂଶଗ୍ରହଣ ପ୍ରାୟତଃ କମ ହିଁ ଦେଖିବାକୁ ମିଳିଥାଏ ।

ସୁମିତ୍ରାଙ୍କ ଉଦ୍ୟୋଗ ଯାତ୍ରା ଆରମ୍ଭ ହୋଇଥିଲା ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଭାବରେ। କିନ୍ତୁ ସେ କେବଳ ପାରମ୍ପରିକ କୃଷି ଓ ପଶୁପାଳନ ମାଧ୍ୟମରେ ସୀମିତ ରହିଲେ ନାହିଁ। ଓଡ଼ିଶା ଜୀବିକା ମିଶନ (OLM)ର କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (CIF), ସୁଭଦ୍ରା ଓ ମୁଦ୍ରା ଋଣ ପରି ଯୋଜନାଗୁଡ଼ିକର ସାହାଯ୍ୟରେ, ସେ ସିମେଣ୍ଟ, ରଡ୍ ଓ ଘର ନିର୍ମାଣ ସାମଗ୍ରୀର ଏକ ସଫଳ ବ୍ୟବସାୟ ଗଠନ କରିଥିଲେ । ସେ ଧୀରେ ଧୀରେ ତାଙ୍କ ବ୍ୟବସାୟ ବିସ୍ତାର କଲେ, ଯୋଗାଣକାରୀଙ୍କ ସହିତ ସଂଯୋଗ ଗଢ଼ିଲେ, ଆଉ ଠିକାଦାର ଓ ଗ୍ରାମବାସୀଙ୍କ ବିଶ୍ୱାସ ଅର୍ଜନ କଲେ । ତାଙ୍କର ଉଦ୍ୟୋଗର କାହାଣୀ କେବଳ ହାର୍ଡୱେଆର୍ ପର୍ଯ୍ୟନ୍ତ ସୀମିତ ନୁହେଁ । ସେ ମତ୍ସ୍ୟ ଚାଷ ଓ କୁକୁଡ଼ା ପାଳନକୁ ମଧ୍ୟ ନିଜ ଆୟର ଅନ୍ୟତମ ଉତ୍ସ ଭାବରେ ଗ୍ରହଣ କରିଥିଲେ । ଏହି ବହୁମୁଖୀ ପ୍ରୟାସ ତାଙ୍କୁ ବାର୍ଷିକ ୨.୨ ଲକ୍ଷ ଟଙ୍କା ଆୟ କରିବାର ସାହାଯ୍ୟ କରିଛି, ଯାହା ତାଙ୍କୁ “ଲକ୍ଷପତି ଦିଦି”ର ମାନ୍ୟତା ପ୍ରଦାନ କରିଛି ।

ସୁମିତ୍ରାଙ୍କ ସଫଳତାର ସବୁଠାରୁ ମୂଲ୍ୟବାନ ଦିଗ ହେଉଛି ତାଙ୍କର ଆୟର ବହୁଳ ବ୍ୟବହାର । ସେ ଏହି ଆୟକୁ ନିଜ ସ୍ୱପ୍ନରେ ପାଇଁ ନୁହଁ ନିଜ ପିଲାଙ୍କ ଶିକ୍ଷାରେ ମଧ୍ୟ ବିନିଯୋଗ କରିଥିଲେ । ତାଙ୍କର ଏହି ପ୍ରୟାସ ତାଙ୍କ ଦୁଇ ପୁତ୍ରଙ୍କୁ ଇଞ୍ଜିନିୟରିଂ ଶିକ୍ଷା ଏବଂ ଝିଅଙ୍କୁ ଏମସିଏ ଡିଗ୍ରୀ ପାଇବାରେ ସାହାଯ୍ୟ କରିଛନ୍ ଏବଂ ନିଜ ସ୍ୱପ୍ନର ଘର ନିର୍ମାଣ କରିଛନ୍ତି ।

୨୦ ଜୁନ୍ ୨୦୨୫ରେ, ଭୁବନେଶ୍ୱରର ଜନତା ମଇଦାନରେ ଓଡ଼ିଶାର ନୂତନ ସରକାରର ଏକ ବର୍ଷ ଓ କେନ୍ଦ୍ର ସରକାରର ଏଗାର ବର୍ଷ ପୂର୍ତ୍ତି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ମାନ ପାଇବା ସୁମିତ୍ରାଙ୍କ ଯାତ୍ରାକୁ ଜାତୀୟ ମଞ୍ଚରେ ସ୍ଵୀକୃତି ପ୍ରଦାନ କରିଛି । ଏହି ମୁହୂର୍ତ୍ତ କେବଳ ଜଣେ ମହିଳାଙ୍କ ପାଇଁ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଓଡ଼ିଶାର ଲକ୍ଷାଧିକ ମହିଳାଙ୍କ ପାଇଁ ଏକ ପ୍ରେରଣାର ପ୍ରତୀକ ।

ସୁମିତ୍ରା ପଣ୍ଡା ଆଜି କେବଳ ଜଣେ ସଫଳ ଉଦ୍ୟୋଗୀ ନୁହଁନ୍ତି, ସେ ହେଉଛନ୍ତି ଜଣେ ପଥପ୍ରଦର୍ଶକ ଯିଏ ପାରମ୍ପରିକ ଲିଙ୍ଗ ଭୂମିକାକୁ ଚ୍ୟାଲେଞ୍ଜ କରିଛନ୍ତି, ଜଣେ ଦୃଢ଼ସଂକଳ୍ପୀ ମା ଯିଏ ନିଜ ସନ୍ତାନଙ୍କ ଭବିଷ୍ୟତ ଗଠନ କରିଛନ୍ତି, ଜଣେ ସମାଜ ସଂସ୍କାରକ ଯିଏ ଅନ୍ୟ ମହିଳାଙ୍କୁ ସଶକ୍ତ ହେବା ପାଇଁ ପ୍ରେରଣା ଯୋଗାଉଛନ୍ତି ।

ତାଙ୍କର ଏହି ଅସାଧାରଣ ଯାତ୍ରା ପ୍ରମାଣ କରେ ଯେ, ସଠିକ୍ ସୁଯୋଗ ଓ ସମର୍ଥନ ପାଇଲେ, ଗ୍ରାମ୍ୟ ମହିଳାମାନେ କେବଳ ନିଜ ଜୀବନର ନୁହେଁ, ସମଗ୍ର ସମାଜର ଭାଗ୍ୟ ପରିବର୍ତ୍ତନ କରିପାରିବେ । ସୁମିତ୍ରାଙ୍କ କାହାଣୀ ଏକ ପ୍ରମାଣ – ଯେବେ ଅଦମ୍ୟ ଇଚ୍ଛା ଶକ୍ତି ଓ ସମର୍ଥନ ଥାଏ, ବୟସ କିମ୍ବା ପରିସ୍ଥିତି କେବେ ବାଧା ସୃଷ୍ଟି କରିପାରିବ ନାହିଁ ।

ମାନିଲା ଇରାନ, ଆମେରିକାର ଆକ୍ରମଣରେ ହୋଇଛି ଅନେକ କ୍ଷୟକ୍ଷତି

ଆମେରିକାଠୁ କ୍ଷତିପୂରଣ ଦାବି କଲା

ଜେରୁଜେଲମ, ୨୫/୦୬: ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇନଥିବା ଇରାନ କହିବା ପରେ ଆଜି ସ୍ୱୀକାର କରିଛି ଯେ ଏହାର ପରମାଣୁ କେନ୍ଦ୍ରଗୁଡ଼ିକ ବହୁତ କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ଆମେରିକାଠାରୁ କ୍ଷତିପୂରଣ ଦାବି କରିଛି।

ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯୋଗ ଦେଇଥିଲା ଆମେରିକା। ଜୁନ ୨୧ ତାରିଖରେ ଇରାନର ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନର ପ୍ରମୁଖ ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ବୋମା ପକାଇ ଧ୍ବଂସ କରି ଦେଇଥିଲା।

ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘେଇ ତାଙ୍କ ଦେଶର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ଆକ୍ରମଣ ବହୁତ କ୍ଷତି କରିଛି ବୋଲି କହିଛନ୍ତି। ସେହିପରି ଇରାନର ଉପ-ବୈଦେଶିକ ମନ୍ତ୍ରୀ ସଇଦ ଖାତିବଜାଦେହ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକର କ୍ଷତି ପାଇଁ ଆମେରିକାଠାରୁ କ୍ଷତିପୂରଣ ଦାବି କରିଛନ୍ତି ଏବଂ ଜାତିସଂଘରେ ଅଭିଯୋଗ କରିବାକୁ ଧମକ ଦେଇଛନ୍ତି।

ଆମେରିକାର ମ୍ୟାକ୍ସାର ଟେକ୍ନୋଲୋଜି ଦ୍ୱାରା ପ୍ରକାଶିତ ସାଟେଲାଇଟ୍ ଚିତ୍ରରେ ଇରାନର ନାଟାଞ୍ଜ ଏବଂ ଇସଫାହାନରେ ଥିବା ପରମାଣୁ ପ୍ରତିଷ୍ଠାନଗୁଡ଼ିକୁ ସ୍ପଷ୍ଟ କ୍ଷତି ହୋଇଥିବା ଦର୍ଶାଯାଇଛି।

ସୂଚନାଯୋଗ୍ୟ, ଗତ ଜୁନ୍ ୧୨ ତାରିଖରେ, ଇସ୍ରାଏଲ୍ ଅପରେସନ୍ ରାଇଜିଂ ଲାୟନ୍ ଅଧୀନରେ ଇରାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଯାହାର ପ୍ରତିଜବାବ ଦେଇଥିଲା ଇରାନ। ଏହା ପରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ଭିତ୍ତିଭୂମି କ୍ଷୟକ୍ଷତି ହେବା ସହ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

ଲଞ୍ଚ ହେଲା ଆକ୍ସିଅମ-୪ ମିଶନଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା

ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା

ଫ୍ଲୋରିଡା, ୨୫/୦୬: ବହୁ ପ୍ରତିକ୍ଷୀତ ଆକ୍ସିଅମ-୪ ଆଜି ଲଞ୍ଚ ହୋଇଛି। ବିଭିନ୍ନ କାରଣରୁ ବହୁବାର ବିଳମ୍ବ ହେବା ପରେ ଶେଷରେ ଆଜି ଉତକ୍ଷେପଣ ହୋଇଛି ମିଶନ। ଏହା ସହିତ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) କୁ ଯାତ୍ରା କରି ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ଆଇଏସଏସକୁ ଯାତ୍ରା କରିଛନ୍ତି।

Axiom 4 ମିଶନ୍ ଜୁନ୍ ୨୫ ଦିନ ଭାରତୀୟ ସମୟ ମଧ୍ୟାହ୍ନ ୧୨.୦୧ରେ ଉତକ୍ଷେପଣ ହୋଇଛି। ଫ୍ଲୋରିଡାର ନାସାର କେନେଡି ସ୍ପେସ୍ ସେଣ୍ଟରରେ ଲଞ୍ଚ କମ୍ପ୍ଲେକ୍ସ 39A ରୁ ଉତକ୍ଷେପଣ ହୋଇଛି। SpaceXର ଫାଲକନ୍ 9 ରକେଟରେ ଯାଇଛନ୍ତି ମହାକାଶର ୪ ମହାକାଶଚାରୀ। ଆସନ୍ତାକାଲି ଅପରାହ୍ନ ୪ଟା ୩୦ ମିନିଟରେ ଡକିଂ ହେବ। ମହାକାଶରେ ୧୪ ଦିନ ରହିବା ପରେ ପୃଥିବୀକୁ ଫେରିବେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ।

ଆକ୍ସିଅମ୍ ମିଶନ 4 କ’ଣ?

ଆକ୍ସିଅମ୍-4 ମିଶନ୍ ହେଉଛି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ପାଇଁ ଏକ ଘରୋଇ ମହାକାଶଚାରୀ ମିଶନ୍ ଏବଂ ଏହା ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀର ମହାକାଶଚାରୀଙ୍କୁ ନେଇ ଏହି ମିଶନ ଲଞ୍ଚ ହୋଇଛି। ପ୍ରଥମ ଥର ତିନୋଟି ଦେଶ ISS ରେ ଏହି ମିଶନରେ କାର୍ଯ୍ୟ କରିଛନ୍ତି।

ଆକ୍ସିଅମ୍ ମିଶନରେ ଚାରି ଜଣ ମହାକାଶଚାରୀ ISSକୁ ଯାଇଛନ୍ତି – ଭାରତୀୟ ମହାକାଶ ଗବେଷଣା ସଂଗଠନର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପାଇଲଟ୍ ଭାବରେ କାର୍ଯ୍ୟ କରିଛନ୍ତି। ପୂର୍ବତନ ନାସା ମହାକାଶଚାରୀ ଏବଂ ଆକ୍ସିଅମ୍ ସ୍ପେସ୍‌ରେ ମାନବ ମହାକାଶ ଉଡ଼ାଣ ନିର୍ଦ୍ଦେଶକ ପେଗି ହ୍ୱିଟସନ୍ ମିଶନର କମାଣ୍ଡର ଦାୟିତ୍ୱ ନେଇଛନ୍ତି। ୟୁରୋପୀୟ ମହାକାଶ ଏଜେନ୍ସି ପ୍ରୋଜେକ୍ଟ ମହାକାଶଚାରୀ ପୋଲାଣ୍ଡର ସ୍ଲାଓସ୍ ଉଜନାନ୍ସକି-ୱିସ୍ନିୱସ୍କି ଏବଂ ହଙ୍ଗେରୀୟ ମହାକାଶଚାରୀ ଟିବୋର୍ କାପୁ ଉଭୟ ମିଶନ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିଛନ୍ତି।

ଦଶମ ପରୀକ୍ଷା ନିୟମରେ ଆସିବ ସଂସ୍କାରବର୍ଷକୁ ହେବ ଦୁଇଟି ବୋର୍ଡ଼ ପରୀକ୍ଷା

ବର୍ଷକୁ ହେବ ଦୁଇଟି ବୋର୍ଡ଼ ପରୀକ୍ଷା

ନୂଆଦିଲ୍ଲୀ, ୨୫/୦୬: ପିଲା ହେବେ ଚାପମୁକ୍ତ। ପରୀକ୍ଷାରେ କରିବେ ଉନ୍ନତ ପ୍ରଦର୍ଶନ। ଏଣୁ ବର୍ଷକୁ ଦୁଇଟି ବୋର୍ଡ଼ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଣିବାକୁ ଯାଉଛି ସଂସ୍କାର। ଆସନ୍ତା ୨୦୨୬ରୁ ବର୍ଷକୁ ଦୁଇ ଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏ ନେଇ ଘୋଷଣା କରିଛନ୍ତି CBSE ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ୱାଜ।

ସେ କହିଛନ୍ତି, ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେବାକୁ ପଡିବ। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଇଚ୍ଛାଧୀନ ରହିବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ମାସ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ ମାସରେ ଅନୁଷ୍ଠିତ ହେବ। ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଦେଇଥିବା ପରୀକ୍ଷାର ସ୍କୋରକୁ ଉନ୍ନତ କରିବାକୁ ଚାହିଁବେ କିମ୍ବା ତିନୋଟି ବିଷୟରେ ଅଧିକ ମାର୍କ ରଖିବାକୁ ଚାହିଁବେ ସେମାନେ ମେ’ ମାସରେ ଦ୍ୱିତୀୟ ପରୀକ୍ଷା ଦେଇପାରିବେ।

ଦୁଇଟି ପର୍ଯ୍ୟାୟ ମଧ୍ୟରୁ ଯେକୌଣସି ଗୋଟିଏରେ ପ୍ରାପ୍ତ ସର୍ବୋତ୍ତମ ସ୍କୋରକୁ ଚୂଡ଼ାନ୍ତ ବୋଲି ବିବେଚନା କରାଯିବ। ପ୍ରଥମ ପର୍ଯ୍ୟାୟର ଫଳାଫଳ ଏପ୍ରିଲ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ଜୁନ୍‌ରେ ପ୍ରକାଶିତ ହେବ।

CBSEର ଏହି ନିଷ୍ପତ୍ତି ନୂତନ ଜାତୀୟ ଶିକ୍ଷା ନୀତି (NEP 2020) ର ସୁପାରିଶ ଅନୁସାରେ ନିଆଯାଇଛି। ପରୀକ୍ଷାରେ ଚାପମୁକ୍ତ ହେବା ସହ ଉନ୍ନତ ପ୍ରଦର୍ଶନ କରିବା ପାଇଁ ଏହି ନିଷ୍ପତ୍ତି ନେଇଛି ସିବିଏସଇ।

ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୫୦ ବର୍ଷ

‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ ଜାଣନ୍ତୁ କିପରି ଥିଲା ଘଟଣାକ୍ରମ


ଆଜିର ତାରିଖ ୨୫ ଜୁନ ୨୦୨୫

୫୦ ବର୍ଷ ପୂର୍ବେ ଆଜିର ଦିନରେ ଘଟିଥିବା ମୁଖ୍ୟ ଘଟଣା:-

ଭାରତରେ ଜରୁରୀକାଳୀନ ପରିସ୍ଥିତି ୧୯୭୫ ରୁ ଆରମ୍ଭ ହୋଇ ୧୯୭୭ ପର୍ଯ୍ୟନ୍ତ ୨୧ ମାସ ଧରି ଚାଲିଥିଲା। ଦେଶରେ “ଆଭ୍ୟନ୍ତରୀଣ ଅଶାନ୍ତି” କାରଣରୁ ସମ୍ବିଧାନର ଧାରା ୩୫୨ ଅନୁଯାୟୀ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦଙ୍କ ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶ ପ୍ରତି ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।

୧୯୭୫ ମସିହା ଜୁନ ୧୨ ତାରିଖରେ ଇନ୍ଦିରାଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଇଥିଲେ ଆଲାହାବାଦ ହାଇକୋର୍ଟର ଜଷ୍ଟିସ ଜଗମୋହନ ଲାଲ୍ ସିହ୍ନା। ଲୋକପ୍ରତିନିଧି ଆଇନ ଅନୁସାରେ ଇନ୍ଦିରାଙ୍କ ସଦସ୍ୟତା ରଦ୍ଦ କରିଦେବା ସହ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ଯାହା ପରେ ବିରୋଧୀ ଦଳ ପକ୍ଷରୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଦେଶବ୍ୟାପୀ ବିରୋଧ ଏତେ ବଢି ଯାଇଥିଲା ଯେ, ଚାପ ଗ୍ରସ୍ତ ଇନ୍ଦିରା ଗାନ୍ଧୀ ସାରା ଦେଶରେ ୨୫ ଜୁନ ୧୯୭୫ ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହା ୨୧ ମାର୍ଚ୍ଚ ୧୯୭୭ ରେ ଶେଷ ହୋଇଥିଲା।

ଏହି ସମୟରେ ବିରୋଧୀ ଦଳର ନେତାଙ୍କୁ କାରାଗାରରେ ରଖାଯାଇଥିଲା ଏବଂ ପ୍ରେସ୍ ଉପରେ ସେନ୍ସର ଲଗାଯାଇଥିଲା। ୧୦୦,୦୦୦ରୁ ଅଧିକ ବିରୋଧୀ, ସାମ୍ବାଦିକଙ୍କୁ କାରାଗାରରେ ରଖାଯାଇଥିଲା। ଯାହା ଇତିହାସର ଏକ କଳା ଦିନ ହୋଇ ରହି ଯାଇଛି।

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କିତ ବୈଠକ ଅନୁଷ୍ଠିତ

କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ‘ଉଚ୍ଚସ୍ତରୀୟ କମିଟି’ ଗଠନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫/୦୬: ଓଡ଼ିଶାରେ ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀ ଠାରେ ଆୟୋଜିତ ବୈଠକରେ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଯୋଗ ଦେଇଛନ୍ତି ।

ଏହି ବୈଠକରେ ରାଉରକେଲା ଉସ୍ପାତ୍ କାରଖାନାର ସମ୍ପ୍ରସାରଣ ନେଇ ଥିବା ପ୍ରତିବନ୍ଧକ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । କାରଖାନାର ସମ୍ପ୍ରସାରଣ ନେଇ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ, ଯେଉଁ ପ୍ରସ୍ତାବକୁ କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀ ଗ୍ରହଣ କରିଛନ୍ତି ।

ଏଥିପାଇଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଇସ୍ପାତ୍ କ୍ଷେତ୍ର ଏବଂ ପୂର୍ବ ଭାରତ ବିଶେଷ ଭାବରେ ଓଡ଼ିଶାର ଶିଳ୍ପ, ସାମାଜିକ-ଆର୍ଥିକ ବିକାଶ ପାଇଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ଗୁରୁତ୍ୱପୂର୍ଣ୍ଣ । ଏହି ସମ୍ପ୍ରସାରଣ ଇତ୍ସାତ ଉତ୍ପାଦନର କ୍ଷମତାକୁ ବୃଦ୍ଧି କରିବା ସହ ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ସଶକ୍ତ କରିବ, ଷ୍ଟିଲ୍ କ୍ଷେତ୍ରରେ ଆମଦାନୀ ହ୍ରାସ କରିବା ସହ ପ୍ରମୁଖ ଶିଳ୍ପ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶାର ଅର୍ଥନୀତି ଅଭିବୃଦ୍ଧିକୁ ଆଗେଇ ନେବା ସହ ଇସ୍ପାତ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଏକ ବୃହତ ରୋଜଗାର ସୁଯୋଗ ସୃଷ୍ଟି କରିବ । ଓଡ଼ିଶାରେ ଇସ୍ପାତ୍ କ୍ଷେତ୍ର ପ୍ରତି ଥିବା କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...