AFFILIATE MARKETING

https://binomo.com?a=90810425bb57&t=0

Tuesday, September 5, 2023

ସିମ୍‌ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ

 COASTAL NEWS Odia 614

ସିମ୍‌ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ



ନୂଆଦିଲ୍ଲୀ - ସିମ୍‌ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ। ଯେ କେହି ଚାହିଁଲେ ବିକି ପାରିବେନି ସିମ୍‌ କାର୍ଡ। କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି। ଅକ୍ଟୋବର ପହିଲାରୁ ଲାଗୁହେବ ଏ ନୂଆ ନିୟମ।

ଜାଲ ସିମ୍‌ କାର୍ଡ ଜରିଆରେ ସାବଇବର ଠକେଇ ବଢ଼ିବା ପରେ ନିକଟରେ ଦେଶର ସମସ୍ତ ଟେଲିକମ୍‌ ଅପରେଟରଙ୍କୁ ସର୍କୁଲାର ଜାରି କରିଛି ଟେଲିକମ୍‌ ବିଭାଗ। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ନିଜର ସମସ୍ତ ‘ପଏଣ୍ଟ ଅଫ୍‌ ସେଲ’ ବା ଅଧିକୃତ ବିକ୍ରେତାଙ୍କ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ବୋଲି ଟେଲିକମ ଅପରେଟରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଜୀକରଣ ବେଳେ ସିମ୍ କାର୍ଡ ଭେଣ୍ଡରଙ୍କୁ ନିଜର କର୍ପୋରେଟ ପରିଚୟପତ୍ର (CIN), ବିଜିନେସ୍‌ ଲାଇସେନ୍ସ, ଆଧାର, ପାନ୍, ଜିଏସ୍‌ଟି ନମ୍ବର ପ୍ରଭୃତି ଦାଖଲ କରିବାକୁ କୁହାଯାଇଛି। ଟେଲିକମ ବିଭାଗ ଖାଲି ଏ ନିର୍ଦ୍ଦେଶ ଦେଇନି, କଡ଼ା ଚେତାବନି ମଧ୍ୟ ଦେଇଛି। ଆହୁରି ମଧ୍ୟ କୁହାଯାଇଛି, ଯଦି ସେପ୍ଟେମ୍ବର ୩୦ ତାରିଖ ପରେ କୌଣସି ଅଣ-ପଞ୍ଜୀକୃତ POSରେ ସିମ୍‌ କାର୍ଡ ବିକ୍ରି ହେଉଥିବା ଧରାପଡ଼େ, ପ୍ରତି ଥର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ତଣ୍ଡ ଗଣିବେ ଟେଲିକମ୍‌ ଅପରେଟର।

ଖାଲି ସେତିକି ନୁହେଁ, ଅଣ-ପଞ୍ଜୀକୃତ ପଏଣ୍ଟ ଅଫ୍‌ ସେଲ୍‌ ଜରିଆରେ ଆକ୍ଟିଭେଟ୍‌ ହୋଇଥିବା ସମସ୍ତଙ୍କ ମୋବାଇଲ ସଂଯୋଗର ପୁନଃଯାଞ୍ଚ ଲାଗି ସର୍କୁଲାରରେ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ପୁରୁଣା ସିମ୍‌ କାର୍ଡ ଭେଣ୍ଡରଙ୍କ ଡକ୍ୟୁମେଣ୍ଟ ଦାଖଲ ସହ ପଞ୍ଜୀକରଣ ସାରିବାକୁ କଡ଼ା ନିର୍ଦ୍ଦେଶ ରହିଛି। ଯଦି କୌଣସି ସିମ୍‌ କାର୍ଡ ବିକ୍ରେତାଙ୍କ ଡକ୍ୟୁମେଣ୍ଟ ଜାଲ ଥିବା ଜଣାପଡ଼ିବ, ଏଭଳି କ୍ଷେତ୍ରରେ ଉକ୍ତ ସିମ୍‌ କାର୍ଡ ବିକ୍ରେତାଙ୍କ ଦ୍ୱାରା ବିକ୍ରି ହୋଇଥିବା ସମସ୍ତ ସିମ୍‌ କାର୍ଡର ପୁନଃଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ଟେଲିକମ୍ ବିଭାଗ। ସରକାରଙ୍କ ଏହି ନିଷ୍ପତ୍ତିକୁ ସାଇବର ଏକ୍ସପର୍ଟ ସ୍ୱାଗତ କରିଛନ୍ତି।

କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ୬୬ ହଜାର ଜାଲ ହ୍ୱଟ୍ସଆପ୍‌ ଆକାଉଣ୍ଟକୁ ବ୍ଲକ କରାଯିବା ସହ ୬୭ ହଜାର ସିମ୍‌ କାର୍ଡ ଡିଲରଙ୍କୁ ବ୍ଲାକ୍‌ ଲିଷ୍ଟ କରାଯାଇଛି। ଏମିତିକି ୩୦୦ ଠକଙ୍କ ବିରୋଧରେ ମାମଲା ରୁଜୁ ସହ ୫୨ ଲକ୍ଷ ଫୋନ ସଂଯୋଗକୁ ରଦ୍ଦ କରାଯାଇଛି।



ଜଳାତଙ୍କ ରୋଗରେ ଚାଲିଗଲା ଜୀବନ

 COASTAL NEWS Odia 613

ଜଳାତଙ୍କ ରୋଗରେ ଚାଲିଗଲା ଜୀବନ 



ବୁଲନ୍ଦଶହର - ଛଟପଟ ହୋଇ ଚାଲି ଯାଇଛି ଜଣେ ୧୪ ବର୍ଷୀୟ ପିଲାର ଜୀବନ। ଦିଲ୍ଲୀ ଏମ୍ସ ଠାରୁ ଆରମ୍ଭ କରି ଅନେକ ହସ୍ପିଟାଲରେ ପୁଅର ଚିକିତ୍ସା ପାଇଁ ପରିବାର ଲୋକ ଯାଇଥିଲେ ହେଁ କେହି ବି ତା’ର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇ ନାହାନ୍ତି। ଶେଷରେ ବୁଲନ୍ଦଶହରରେ ରହୁଥିବା ଜଣେ ବୈଦ୍ୟଙ୍କ ପାଖକୁ ପରିବାର ଲୋକ ପିଲାଟିକୁ ନେଇଥିଲେ। କିନ୍ତୁ ସେଠାରୁ ଆମ୍ବୁଲାନ୍ସରେ ଫେରିବା ବେଳେ ବାପାଙ୍କ କୋଳରେ ମୁଣ୍ଡ ରଖି ନାବାଳକଟି ପ୍ରାଣ ହରାଇଛି। 

ଗାଜିଆବାଦର ବିଜୟନଗର ଥାନା ଅଞ୍ଚଳରେ ପୂରା ଘଟଣା ଘଟିଛି। ଏଠାରେ ଥିବା ଚରଣ ସିଂହ କୋଲନୀରେ ୟାକୁବ ନାମକ ଜଣେ ବ୍ୟକ୍ତି ପରିବାର ସହ ରୁହନ୍ତି। ୟାକୁବଙ୍କ ୧୪ ବର୍ଷୀୟ ପୁଅ ସାବେଜ ୮ମ ଶ୍ରେଣୀରେ ପଢ଼େ। ୪ ଦିନ ତଳେ ସେ ଅଜବ ହରକତ ସବୁ କରିବା ଆରମ୍ଭ କରିଥିଲା। 

ସେ ପାଣି ଦେଖିବା ମାତ୍ରେ ଡରିବା ଆରମ୍ଭ କରିଥିଲା। ଖାଇବା ଓ ପାଣି ପିଇବା ବନ୍ଦ କରି ଦେଲା। ବାରମ୍ବାର ଜିଭ କାଢ଼ିବା ସହ କୁକୁରଙ୍କ ଭଳି ଭୋକିବାରେ ଲାଗିଥିଲା। 

ପରିବାର ଲୋକ ତା’କୁ ଡାକ୍ତରଙ୍କ ପାଖକୁ ନେବାରୁ ସେଠାରେ ଜଣା ପଡ଼ିଥିଲା ଯେ ସାବେଜଙ୍କୁ ବେଶ କିଛି ଦିନ ପୂର୍ବରୁ କୌଣସି କୁକୁର କାମୁଡ଼ିଥିଲା। ଏହାର ଚିକିତ୍ସା କରାଯାଇ ନଥିବାରୁ ବର୍ତ୍ତମାନ ସଂକ୍ରମଣ ପୂରା ଶରୀରରେ ବ୍ୟାପି ଯାଇଥିବା ଡାକ୍ତର କରିଥିଲେ।

ଗାଜିଆବାଦରୁ ନିରାଶ ହେବା ପରେ ପରିବାର ଲୋକ ତାଙ୍କୁ ମୀରଟ ନେଇଥିଲେ। ସେଠାରୁ ତାକୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। କିନ୍ତୁ ସେ ଜଳାନ୍ତକ ରୋଗରେ ପୀଡ଼ିତ ହୋଇଥିବା ବେଳେ ସଂକ୍ରମଣ ଅଧିକ ଥିବାରୁ କେହି ବି ତାଙ୍କର ସଫଳ ଚିକିତ୍ସା କରି ପାରି ନଥିଲେ। ଶେଷରେ ସୋମବାର ସାବେଜ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। 

ସାବେଜର ପଡ଼ୋଶୀ ଭାବେ ରହୁଥିବା ଜଣେ ମହିଳା ସବୁଦିନ ବୁଲା କୁକୁରଙ୍କୁ ଖାଇବାକୁ ଦିଅନ୍ତି। ଉକ୍ତ ଅଞ୍ଚଳରେ ମଧ୍ୟ ୫ରୁ ୬ଟି କୁକୁର ରୁହନ୍ତି। ପ୍ରାୟ ମାସକ ତଳେ ସେହି କୁକୁର ମଧ୍ୟରୁ ଗୋଟିଏ ସାବେଜଙ୍କୁ କାମୁଡ଼ି ଦେଇଥିଲା ବୋଲି ତାଙ୍କର ଦାଦା କହିଛନ୍ତି। 

ସେ କହିଛନ୍ତି, କୁକୁର କାମୁଡ଼ି ଥିଲେ ମଧ୍ୟ ସାବେଜ କାହାକୁ ଏ ବିଷୟରେ କହି ନଥିଲା। ଘଟଣାର ପ୍ରାୟ ମାସକ ପରେ ତା’ ଶରୀରରେ ଅଜବ ପ୍ରକାରର ଲକ୍ଷଣ ସବୁ ଦେଖା ଯାଇଥିଲା। ସେ ପାଣି ଓ ପବନକୁ ଦେଖି ଡରୁଥିଲେ। ସେ ଅନ୍ଧାରରେ ରହିବାକୁ ଭଲ ପାଉଥିଲେ। ସେ ସବୁ କଥାରେ ଡରୁଥିଲେ ଓ ବଡ଼ ପାଟିରେ ଚିତ୍କାର ମଧ୍ୟ କରୁଥିଲେ।

ଏସବୁ ଲକ୍ଷଣ ଦେଖି ଆମେ ତାକୁ ଗାଜିଆବାଦ, ମୀରଟ ଓ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ନେଇଥିଲୁ। ବୁଲନ୍ଦଶହରଙ୍କୁ ମଧ୍ୟ ସେ ଚିକିତ୍ସା ପାଇଁ ଯାଇଥିଲା। ସୋମବାର ସେ ବାପା ୟାକୁବଙ୍କ ସହ ଘରକୁ ଫେରୁ ଥିବା ବେଳେ ଅଧା ବାଟରେ ଆଖି ବୁଜିଛି ବୋଲି ଦାଦା କହିଛନ୍ତି। 

ସାବେଜଙ୍କ ପରିବାର ଲୋକଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଏମିତି ଘଟଣା ଯେମିତି ଆଉ କାହା ସହ ନ ଘଟୁ, ସେଥିପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ବିମାନ ପରିଚାରିକାଙ୍କ ଗଳାକାଟି ହତ୍ୟା

 COASTAL NEWS Odia 612

ବିମାନ ପରିଚାରିକାଙ୍କ ଗଳାକାଟି ହତ୍ୟା



ମୁମ୍ବଇ, ୪୯: ଅନ୍ଧରୀର କିଷନଲାଲ ମାରୱା ଏନ୍‌ଜି କମ୍ପ୍ଲେକ୍ସ ଆପାର୍ଟମେଣ୍ଟର ଏକ ପ୍ଲାଟରେ ରହୁଥିବା ୨୪ ବର୍ଷୀୟା ରୁପଲ୍ ଓର୍‌ରେ ନାମକ ବିମାନ ପରିଚାରିକାଙ୍କ ଗଳାକାଟି ହତ୍ୟା କରାଯାଇଛି । ଏହି ମାମଲାରେ ପୁଲିସ ୪୦ ବର୍ଷୀୟ ବିକ୍ରମ ନାମକ ଘରୋଇ ସହାୟକକୁ ଗିରଫ କରିଛି। ରୁପଲ୍ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ବିକ୍ରମ ସେଠାରେ କାମ କରୁଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ରୁପଲ୍ ଗତ ଏପ୍ରିଲ୍‌ରେ ଛତିଶଗଡ଼ରୁ ମୁମଇ ଆସି ଏୟାର ଇଣ୍ଡିଆରେ କାମ କରୁଥିଲେ। ରୁପଲ୍‌ଙ୍କ ସହ ତାଙ୍କ ସାନ ଭଉଣୀ ଆପାର୍ଟମେଣ୍ଟରେ ରହୁଥିଲେ । ତେବେ ୮ ଦିନ ତଳେ ସାନ ଭଉଣୀ ଛତିଶଗଡ଼ ଯାଇଥିବା ବେଳେ ରୁପଲ୍ ଆପାର୍ଟମେଣ୍ଟରେ ଏକାକୀ ରହୁଥିଲେ। ରବିବାର ପରିବାର ଲୋକେ ରୁପଲ୍‌ଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ପରବ ର୍ତ୍ତୀ ସମୟରେ ପରିବାର ଲୋକେ ମୁମ୍ବଇରେ ରହୁଥିବା ରୁପଲ୍‌ଙ୍କ ବନ୍ଧୁଙ୍କୁ ଫୋନ୍ କରିଥିଲେ। ରୁପଲ୍‌ଙ୍କ ବନ୍ଧୁ ଫ୍ଲାଟ୍‌କୁ ଆସି ତାହା ଭିତରପଟୁ ବନ୍ଦଥିବା ଦେଖିବାକୁ ପାଇଥିଲେ । ଏସମ୍ପର୍କରେ ସେମାନେ ପୁଲିସକୁ ଜଣାଇଥିଲେ। ପୁଲିସ ଉପସ୍ଥିତିରେ ଫ୍ଲାଟ ଖୋଲା ଯାଇଥିଲା ଓ  ରୁପଲ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣା ପରଠାରୁ ବିକ୍ରମ ଫେରାରଥିବା ଜଣାପଡ଼ିଥିଲା। ପୁଲିସ ତୁଙ୍ଗା ଗ୍ରାମରେ ଥିବା ବାସଭବନରୁ ବିକ୍ରମକୁ ଗିରଫ କରିଥିଲା। କେଉଁ କାରଣ ପାଇଁ ରୁପଲ୍‌କୁ ବିକ୍ରମ ହତ୍ୟା କରିଛି ସେସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖୁଛି। ଏହି ଘଟଣା ଚର୍ଚା ର ବିଷୟ ହୋଇଛି l

ଚନ୍ଦ୍ରଭାଗା ରୁ ମୃତ ଡଲଫିନ୍ ଉଦ୍ଧାର

 COASTAL NEWS Odia 611

ଚନ୍ଦ୍ରଭାଗା ରୁ ମୃତ ଡଲଫିନ୍ ଉଦ୍ଧାର 



କୋଣାର୍କ, ୪୯ (ନି.ପ୍ର): କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା କୂଳ ଦରିଆ ମହାବୀର ମନ୍ଦିର ନିକଟରୁ ସୋମବାର ସକାଳୁ ଏକ୫ ଫୁଟ ଲମ୍ବର ମୃତ ଡଲଫିନକୁ ବନବିଭାଗ ଉଦ୍ଧାର କରିଛି। ଏହି ଡଲଫିନ୍ ବୋତଲ ନାଗାଇ ପ୍ରଜାତିର, ତା’ର ଆନୁମାନିକ ବୟସ ଦୁଇ ବର୍ଷ ଓ ଓଜନ ପ୍ରାୟ ୮୦ କେଜି ହେବବୋଲି କୋଣାର୍କ ବନଖଣ୍ଡ ଅଧିକାରୀ କହିଛନ୍ତି। ସୂଚନା ଅନୁସାରେ, ସମୁଦ୍ର ମଧ୍ୟରେ ବେଆଇନ ଭାବେ ଶତାଧିକ ଟ୍ରଲର ଚାଲୁଥିବା ବେଳେ ଟ୍ରଲର ଆଘାତରେ ପ୍ରାୟ ୫ ଫୁଟରୁ ଅଧିକ ଲମ୍ବର ଡଲଫିନ୍‌ର ମୃତ ଶରୀର ଚନ୍ଦ୍ରଭାଗା କୂଳରେ ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ଦେଖି କୋଣାର୍କ ବନଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲେ ।ବନଖଣ୍ଡ ଅଧିକାରୀ ସୁଦର୍ଶନ ଦେହୁରୀ, ବନପାଳ ରବୀନ୍ଦ୍ର କୁମାର ସ୍ବାଇଁ, ବନରକ୍ଷୀ ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ପହଞ୍ଚି ମୃତ ଡଲଫିନକୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ଦେହୁରୀ କହିଛନ୍ତି ।

୬୮ ବର୍ଷରେ ସାଲ୍‌ଭେଙ୍କ ତୃତୀୟ ବିବାହ

 COASTAL NEWS Odia 610

୬୮ ବର୍ଷରେ ସାଲ୍‌ଭେଙ୍କ ତୃତୀୟ ବିବାହ



ଲଣ୍ଡନ, ୪୮୯: ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ୬୮ବର୍ଷ ବୟସରେ ତୃତୀୟ ବିବାହ କରିଛନ୍ତି । ସେ ରବିବାର ଏକ ସ୍ଵତନ୍ତ୍ର ଉତ୍ସବରେ ତ୍ରିନା ନାମ୍ନୀ ବ୍ରିଟିଶ ମହିଳାଙ୍କୁ ଖ୍ରୀଷ୍ଟୀୟ ରୀତିନୀତିରେ ବିବାହ କରିଛନ୍ତି ।

ସାଲ୍‌ଭେ ପ୍ରଥମେ ମୀନାକ୍ଷୀଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ଝିଅ ସାକ୍ଷୀ ଓ ସାନିୟା ଅଛନ୍ତି। ୨୦୨୦ରେ ସେ ମୀନାକ୍ଷୀଙ୍କ ସହ ୩୮ ବର୍ଷର ସମ୍ପର୍କ ତୁଟାଇ ୫୬ ବର୍ଷୀୟା ବ୍ରିଟିଶ ଚିତ୍ରଶିଳ୍ପୀ କରୋଲାଇନ୍ ବ୍ରୋସାର୍ଡଙ୍କୁ ବିବାହ କରିଥିଲେ; ତେବେ ଏହି ବିବାହ ଅଧୂକ ଦିନ ତିଷ୍ଠିଲା ନାହିଁ । 

ତୃତୀୟ ବିବାହ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଜୋର୍‌ଦାର ପ୍ରଚାର ଚାଲିଥିଲେ ମଧ୍ୟ ତ୍ରିନାଙ୍କ ସମ୍ପର୍କରେ ବିଶେଷ କିଛି ଜଣାପଡ଼ିନାହିଁ । ସାଲ୍‌ଭେଙ୍କର ଏହି ବିବାହ ଉତ୍ସବରେ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପତ୍ନୀ ନୀତାଙ୍କ ସହ ସୁନୀଲ ମିତ୍ତଲ, ଲକ୍ଷ୍ମୀ ନାରାୟଣ ମିତ୍ତଲ, ଏସ୍‌ପିଓ ଲୋହିଆ, ଗୋପୀ ହିନ୍ଦୁଜା, ଲଳିତ ମୋଦି ଓ ତାଙ୍କ ବାନ୍ଧବୀ ଉଜ୍ଜଳା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। 

ସାଲ୍‌ଭେ ୧୯୯୯ ରୁ ୨୦୦୨ ପର୍ଯ୍ୟନ୍ତ ଭାରତର ସଲିସିଟର ଜେନେରାଲ ଥିଲେ । ଏତଦ୍ ବ୍ୟତୀତ ବ୍ରିଟେନ୍ ରାଜ ପରିବାରର ଆଇନ ପରାମର୍ଶଦାତା ମଧ୍ୟ ରହିଥିଲେ। କୂଳଭୂଷଣ ଯାଦବଙ୍କ ମାମଲାରେ ଆନ୍ତର୍ଜାତିକ ଅଦାଲତରେ ସେ ମାମଲା ଲଢ଼ି ଚର୍ଚ୍ଚିତ ହୋଇଥିଲେ।



ଅନୁଚ୍ଛେଦ ୩୭୦ ରଦ୍ଦ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ୍

 COASTAL NEWS Odia 609

ଅନୁଚ୍ଛେଦ ୩୭୦ ରଦ୍ଦ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ୍ 



 

ନୂଆଦିଲ୍ଲୀ,୫।୯ : ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଧାରା ୩୭୦ ରଦ୍ଦ ଏବଂ ଜମ୍ମୁ-କଶ୍ମୀରର ପୂର୍ବ ରାଜ୍ୟକୁ ଦୁଇଟି ୟୁନିଅନ ଅଞ୍ଚଳରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଥିବା ଆବେଦନ ମାମଲା ଉପରେ ରାୟ ସଂରକ୍ଷିତ ରଖିଛି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶାନ କୌଲ, ସଞ୍ଜୀବ ଖାନ୍ନା, ବିଆର ଗାଭାଇ ଏବଂ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ୧୬ ଦିନ ଧରି ଯୁକ୍ତି ଶୁଣିବା ପରେ ଏହି ରାୟ ସଂରକ୍ଷିତ ରଖିଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯଦି ଆବେଦନକାରୀ କିମ୍ବା ଉତ୍ତରଦାତା କୌଣସି ଓକିଲ ଲିଖିତ ଯୁକ୍ତି ଉପସ୍ଥାପନ କରିବାକୁ ଚାହାଁନ୍ତି, ତେବେ ସେ ଆସନ୍ତା ତିନି ଦିନ ମଧ୍ୟରେ ତାହା କରିପାରିବେ। ତେବେ ଲିଖିତ ଯୁକ୍ତି ଦୁଇଟି ପୃଷ୍ଠାରୁ ଅଧିକ ହେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।

ଗତ ୧୬ ଦିନର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଆଟର୍ନି ଜେନେରାଲ ଆର. ଭେଙ୍କଟାରାମଣି, ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା, ବରିଷ୍ଠ ଓକିଲ ହରିଶ ସାଲଭେ, ରାକେଶ ଦ୍ୱିବେଦୀ, ଭି ଗିରି ଏବଂ ଅନ୍ୟମାନେ ଧାରା ୩୭୦ ରଦ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ସୁରକ୍ଷା କରୁଥିବା ଶୁଣିବାକୁ ମିଳିଥିଲା।



ବାୟୁମଣ୍ଡଳ ଅସନ୍ତୁଳନ ଆଷାଢ ମାସର ସ୍ବଳ୍ପ ବୃଷ୍ଟି ଶ୍ରାବଣ ମାସରେ ପୁରା ହେବ

 COASTAL NEWS Odia 608

ବାୟୁମଣ୍ଡଳ ଅସନ୍ତୁଳନ ଆଷାଢ ମାସର ସ୍ବଳ୍ପ ବୃଷ୍ଟି ଶ୍ରାବଣ ମାସରେ ପୁରା ହେବ



ଭୁବନେଶ୍ବର - ଚଳିତବର୍ଷର ଆଷାଢ ମାସର ସ୍ବଳ୍ପ ବୃଷ୍ଟି ଶ୍ରାବଣ ମାସରେ ପୁରା ହେବ ବୋଲି ପାଣିପାଣ ବିଭାଗର ବୈଜ୍ଞାନିକମାନେ ଆକଳନ କରିଥିଲେ । ହେଲେ ଏମିତି କିଛି ଭି ହେଲାନି । ବରଂ ଶ୍ରାବଣରେ ମଧ୍ୟ ଧୋକ୍କା ଦେଲା ମୌସୁମୀ । ମୌସୁମୀ ମୁହଁ ଫେରାଇବା ପରେ ଚାଷୀ ନିର୍ଭର କରିଛନ୍ତି ଲଘୁଚାପ ବର୍ଷା ଉପରେ । ହେଲେ ଲଘୁଚାପ ବି ଦାଉ ସାଧିଛି । ତଥ୍ୟ ଅନୁସାରେ ସାଧାରଣତଃ ଅଗଷ୍ଟ ମାସରେ 4 ରୁ5 ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ ଏବଂ ଲଘୁଚାପ ଦିନ ସଂଖ୍ୟା 16.3 ଦିନ ରହିଥାଏ । ହେଲେ ଚଳିତବର୍ଷ ଅଗଷ୍ଟ ମାସରେ ମାତ୍ର 2ଟି ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଲଘୁଚାପର ଦିନ ମାତ୍ର 9 ଦିନ ରହିଥିଲା । ତା ସହିତ ପାଖାପାଖି 10 ଦିନ ଛାଡିଦେଲେ 20 ଦିନ ରାଜ୍ୟରେ ଆବଶ୍ୟକତା ଠାରୁ 40ରୁ 50 ପ୍ରତିଶତ କିମ୍ବା ତା ଠୁ ଆହୁରି ଅଧିକ ନିଅଁଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସାଧାରଣତଃ ତାର ମୁଖ୍ୟ କାରଣ ହେଉଛି ଚଳିତବର୍ଷ କେନ୍ଦ୍ରୀୟ-ପୂର୍ବ ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଏଲ-ନିନୋର ସକ୍ରିୟତା ବହୁତ ବୃଦ୍ଧି ପାଇଛି । ଫଳରେ ଏହା ମୌସୁମୀ ବାୟୁପ୍ରବାହକୁ ଦୁର୍ବଳ କରିବା ସହ ଶୁଷ୍କତା ବୃଦ୍ଧି କରାଇଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ସେପଟେ ରିପୋର୍ଟ କହୁଛି 2000 ମସିହା ପରଠାରୁ ମୌସୁମୀ ଦୁର୍ବଳ ଦିନ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ମୌସୁମୀ ଋତୁରେ ତାପମାତ୍ରା ବୃଦ୍ଧି ସହ ବିଜୁଳି ଘଡଘଡିର ତୀବ୍ରତା ବଢିଛି । ତେବେ ବଢୁଥିବା ବିଜୁଳି ଘଡଘଡି ପାଇଁ ତିନିଟି ପାରାମିଟର ଦାୟୀ । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ଅଧିକ ରହୁଥିବ, ବାୟୁମଣ୍ଡଳ ଅସନ୍ତୁଳନ ବା ଅସ୍ଥିର ରହୁଥିବ ଅର୍ଥାତ୍ ତାପମାତ୍ରା ତଳୁ ଉପରକୁ ତୀବ୍ର ବେଗରେ କମୁଥିବ । ଏହା ବ୍ୟତୀତ କୌଣସି ସିଷ୍ଟମ ଥିବ ଯାହାକି ଜଳୀୟବାଷ୍ପ ତଳୁ ଉପରକୁ ନେଉଥିବ । ଯେଉଁଥିପାଇଁ ଜୁଲାଇରୁ ଅଗଷ୍ଟରେ ତାପମାତ୍ରା ଅଧିକ ରହିବା ସହ ଜଳୀୟବାଷ୍ପ ପାଇଁ ପାଗ ଅନୁକୁଳ ରହିବା ଯୋଗୁଁ ବଜ୍ରପାତର ସଂଖ୍ୟା ବୃଦ୍ଧି ପାଇଥିଲା ।

ସେପଟେ ଗତ 12 ବର୍ଷ ମଧ୍ୟରେ ଓଡିଶାରେ ବଜ୍ରାଘାତରେ ପାଖାପାଖି 4 ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଆମେ ସତର୍କ ହେବା ଦରକାର । ଟେକ୍ନୋଲୋଜି ମାଧ୍ୟମରେ ଲୋକମାନଙ୍କ ନିକଟରେ ଯେତେଶୀଘ୍ର ଏ ସଂକ୍ରାନ୍ତରେ ଖବର ପହଂଚିବ, ସତର୍କତା ମୂଳକ ପଦକ୍ଷେପ ଲୋକେ ନେବେ ଏବଂ ଏହାସହ ଚାଷ ଜମିରେ ତାଳଗଛ ଅଧିକ ମାତ୍ରାରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି ପରିବେଶବିତ୍ l



ରାହୁଲଙ୍କ ସଂସଦ ସଦସ୍ୟତା ପୁନଃ ପ୍ରଦାନକୁ ଚ୍ୟାଲେଞ୍

 COASTAL NEWS Odia 607

ରାହୁଲଙ୍କ ସଂସଦ ସଦସ୍ୟତା ପୁନଃ ପ୍ରଦାନକୁ ଚ୍ୟାଲେଞ୍



 
ନୂଆଦିଲ୍ଲୀ,୫।୯ : ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ପୁନଃ ପ୍ରଦାନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆଡଭୋକେଟ ଅଶୋକ ପାଣ୍ଡେଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି ଥରେ ଲୋକ ପ୍ରତିନିଧୀ ଅଧିନିୟମ ୧୯୫୧ର ଧାରା ୮(୩) ଅନୁଯାୟୀ ସଂସଦର ଜଣେ ସଦସ୍ୟ କିମ୍ବା ବିଧାନସଭା ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହେଲେ ସେ ଏକ ଅଦାଲତ ଅଯୋଗ୍ୟ ରହିବେ ଯେପର୍ଯ୍ୟନ୍ତ ଏକ ବଡ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ ନ କରନ୍ତି। ୱାୟାନଡ ଆସନରେ ପୁନଃ ନିର୍ବାଚନ କରିବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ଉଚିତ ବୋଲି ଆବେଦନରେ ଦର୍ଶାଯାଇଛି।

ଅଗଷ୍ଟ ୪ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦି ଉପନାମ ମନ୍ତବ୍ୟ ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଥିଲା। ତାଙ୍କ ଦଣ୍ଡାଦେଶ ଶୁଣାଇବାକୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଅଗଷ୍ଟ ୭ ରେ ଲୋକସଭା ସଚିବାଳୟ ମଧ୍ୟ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଫେରାଇ ଆଣିଥିଲା।
୨୦୧୯ ରେ ରାହୁଲ ଗାନ୍ଧୀ ମୋଦି ଉପନାମ ସମ୍ପର୍କରେ ଏକ ମନ୍ତବ୍ୟ ଦେଇଥିଲେ, ଯେଉଁଥିପାଇଁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ଏହି ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ଯୋଗୁ ଲୋକ ପ୍ରତିନିଧୀ ଅଧିନିୟମ ଅନୁଯାୟୀ ୨୪ ମାର୍ଚ୍ଚ ୨୦୨୩ରେ ସଂସଦର ତାଙ୍କ ସଦସ୍ୟତା ଅଯୋଗ୍ୟ କରାଯାଇଥିଲା।

ଗୁଜରାଟ ହାଇକୋର୍ଟରେ ଏହି ଦଣ୍ଡ ବିରୋଧରେ ରାହୁଲ ଗାନ୍ଧୀ ଆବେଦନ କରିଥିଲେ ମଧ୍ୟ ଗୁଜୁରାଟ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ମଧ୍ୟ କାଏମ ରଖିଥିଲେ। ଏହା ପରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ। ଏହା ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ପୁନଃ ସ୍ଥାପିତ ହୋଇଥିଲା।


ମହାନଦୀରେ ଅଛି ରତ୍ନପଥର

 COASTAL NEWS Odia 606

ମହାନଦୀରେ ଅଛି ରତ୍ନପଥର



କଟକ - ମହାନଦୀରେ ଅଛି ରତ୍ନପଥର । ଏସବୁ ମୂଲ୍ୟବାନ ରତ୍ନପଥର ମହାନଦୀରରେ ରହିଥିବାର ପ୍ରମାଣ ମିଳିଛି । ନଦୀ ପାଖ ଅଂଚଳ ବାସୀ ପ୍ରତିଦିନ ଏଠାକୁ ଆସି ନଦୀରେ ଥିବା ବାଲିରୁ ଗୋଟି ଗୋଟି କରି ରତ୍ନପଥର ସାଉଣ୍ଟୁଛନ୍ତି । ରତ୍ନପଥର ମୂଲ୍ୟବାନ ସହ ଏହା ବହୁତ ଦୁର୍ଲଭ ହୋଇଥାଏ । ସହଜରେ ଏହା ମିଳିନଥାଏ । କୁହନ୍ତି ଭୂମିର ବହୁତ ତଳେ ଏହା ଗଛିତ ହୋଇ ରହିଛି । ଯାହାକୁ ସହଜରେ ଆଣିବା ସମ୍ଭବ ନୁହେଁ । ସେଇଥିପାଇଁ ତ ଏହି ପଥର ସବୁ ଦାମୀକିଆ ହୋଇଥାଏ । କିନ୍ତୁ ହୀରା ସୁନା ଭଳି ଅନେକ ଏସବୁକୁ ପିନ୍ଧିବାକୁ ଭଲ ପାଆନ୍ତି।

ପ୍ରକୃତିର ଏସବୁ ଦୁର୍ଲଭ ଜିନିଷ ମହାନଦୀରେ ଦେଖି ଆପଣ କଣ କହିବେ । ଏମିତିରେ ସମସ୍ତେ ଜାଣନ୍ତି ସବୁଠୁ ମୂଲ୍ୟବାନ ପଥର ହେଉଛି ହୀରା । ଯାହାକି ଗରିବ କୁ ବି କୋଟିପତି କରିଦିଏ । ଆଉ ଏସବୁ ପଥର ଆପଣ ଏବେ ମହାନଦୀ ପଠାରେ ଦେଖିବାକୁ ପାଇବେ । ବୌଦ୍ଧ ଜିଲ୍ଲlରେ ଥିବା ଚିରସ୍ରୋତା ମହାନଦୀ ରେ ଆପଣ ଏ ଦୃଶ୍ୟ ଦେଖିବାକୁ ପାଇବେ । ସୂଚନା ଅନୁସାରେ ଏହି ନଦୀ ଭିତରେ ରହିଛି ଅନେକ ମୂଲ୍ୟବାନ ହୀରା ଓ ରତ୍ନ ପଥର । ଆଉ ଲୋକମାନେ ମହାନଦୀର ଶୁଖିଲା ଅବବାହିକାରେ ମୂଲ୍ୟବାନ ହୀରା ଓ ରତ୍ନ ପଥରକୁ ଏକାଠି କରୁଥିବାର ଆପଣ ଦେଖୁଇବେ । ଏହି ବହୁମୁଲ୍ୟ ହୀରାର ଦିନ ରାତି ସେଠି ସନ୍ଧାନ ଚାଲିଛି । ମହାନଦୀରେ ପାଣି କମିଯିବା ପରେ ଦିନ ରାତି ଏକ କରି ଏହି ହୀରା ଖୋଜୁଛନ୍ତି ଲୋକେ । ଖାଲି ସେତିକି ନୁହେଁ , କିଛି ସ୍ଥାନୀୟ ଦଲାଲ ଜରିଆରେ ବାହାର ରାଜ୍ୟ ରାଜସ୍ଥାନ,ମେରଠ ,ସୁରାଟ କୁ ଚାଲାନ ହେଉଛି ଏହି ରତ୍ନ ପଥର ।

ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ମନମୁଣ୍ଡାଠାରୁ ମାରଡ଼ା ପର୍ଯ୍ୟନ୍ତ ଚାଲଛି ଏହି ରତ୍ନ ପଥର ସନ୍ଧାନ । ମହାନଦୀର ଯୁଆଡେ ଗଲେ ଆପଣ ଏମିତି ଦୃଶ୍ୟ ଦେଖିବାକୁ ପାଇବେ । ଶହ ଶହ ଲୋକ ନଦୀ ଭିତର କୁଡିଆ ଘର କରି ଏହି ପରି ଭାବରେ ବର୍ଷ ବର୍ଷ ଧରି ଖୋଜି ଚାଲିଛନ୍ତି ମୂଲ୍ୟବାନ ରତ୍ନ ପଥର । ଏବେ ମହାନଦୀରେ ପାଣି କମ ଆସୁଥିବାରୁ ରତ୍ନ ପଥର ଖୋଜିବାରେ ଲୋକଙ୍କୁ ସହଜ ହେଉଛି ।

ବୌଦ୍ଧ ଜିଲ୍ଲା କୁ ଲାଗି ମନମୁଣ୍ଡା ଠାରୁ ମାରଡା ପଯ୍ୟନ୍ତ ପ୍ରାୟ ୧୦୦କିମିରୁ ଉର୍ଦ୍ଧ ବାଟଦେଇ ମହାନଦୀ ପ୍ରବାହିତ ହେଉଛି । ମୁଖ୍ୟତଃ ବର୍ଷା ଦିନ ପରେ ମହାନଦୀର ପାଣି ସୁଖୀ ଯାଇଥାଏ । ଆଉ ପାଣି ଶୁଖିଲା ପରେ ମହାନଦୀ ଗର୍ଭରେ ଥିବା ବାଲି ରୁ ଆରମ୍ଭ ହୁଏ ରତ୍ନପଥର ର ସନ୍ଧାନ । ସକାଳ ହେଲେ ସାଙ୍ଗରେ କୋଡ଼ି ଝୁଡ଼ି ଚାଲୁଣି ପମ୍ପ ଧରି ନଦୀ ମୁହାଁ ହେଉଛନ୍ତି ଲୋକେ । ଜିଲ୍ଲାର ଶୁଖିଲା ମହାନଦୀ ଅବବାହିକାରେ ଯୁଆଡେ ଚାହିଁବେ ଏଇ ଭଳି କିଛି ଦୃଶ୍ୟ ଆପଣଙ୍କ ସାମ୍ନା କୁ ଆସିବ ।

ଖାଲି ଏତିକି ନୁହେଁ ଯଦି ଆପଣ ତାଙ୍କ ନିକଟ କୁ ଯାଇ ପ୍ରଶ୍ନ ପଚାରିବା ପାଇଁ ଚେଷ୍ଟା କରିବେ । ତାହାଲେ ଏହାର ଜବାବ ଆପଣଙ୍କୁ ସହଜରେ ମିଳିବ ନାହିଁ । ମୁହଁ ଲୁଚାଇ ଦୌଡ଼ି ପଳାଇବେ ନଚେତ ତାଙ୍କ କ୍ରୋଧର ଆପଣ ଶିକାର ହେବେ । ନଦୀରେ ଖୋଜିବାରେ ଲାଗିଥିବା ବ୍ୟକ୍ତିମାନେ କ୍ୟାମେରା ଆଗରେ କୌଣସି କଥା କହି ନଥିବା ବେଳେ କ୍ୟାମେରା ପଛରେ ଜଣେ ବ୍ୟକ୍ତି ନିଜ ପରିଚୟ ଗୋପନ ରଖି ୫ବର୍ଷ ତଳେ ଏକ ହୀରା ପାଇଥିଲେ ବୋଲି କହିଥିଲେ ।

ହୀରା ପାଇବା କଥା ରତ୍ନପଥର ଦଲାଲ ଜାଣିବା ପରେ ତାଙ୍କ ଠାରୁ ମାତ୍ର ୧୦ହଜାର ଟଙ୍କା ଦେଇ ନେବା ପରେ ଏହାକୁ ୨କୋଟି ଟଙ୍କା ରେ ବିକିଥିବା କଥା କହିଥିଲେ । ଏଇ କାହାଣୀ ଖାଲି ଜଣେ ବ୍ୟକ୍ତିଙ୍କ ର ନୁହେଁ ସହ ସ୍ଥାନୀୟ ଲୋକ ଏଭଳି ନଦୀ ପଠାରେ ବର୍ଷ ବର୍ଷ ଧରି ରତ୍ନପଥର ଖୋଜୁଛନ୍ତି । ଅନେକ ରତ୍ନପଥର ପାଇ ଏହାକୁ ବିକ୍ରି କରି କୋଟିପତି ହୋଇଯାଇଥିବା ବେଳେ ଅନେକ ମଧ୍ୟ ଦଲାଲ ହାବୁଡରେ ପଡି ଠକେଇର ଶିକାର ମଧ୍ୟ ହୋଇଛନ୍ତି । କୋଟିପତି ହୋଇଥିବା ଲୋକ ପରେ ପୁଣି ଟଙ୍କା ଦେଇ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଲଗାଇ ହୀରା ଓ ରତ୍ନପଥର ଖୋଜୁଛନ୍ତି ।

ବୁଦ୍ଧିଜୀବୀ ଙ୍କ ସୂଚନା ଅନୁସାରେ ୧୯୮୨ ମସିହାରେ ମହାନଦୀ ରେ ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ବୋୖଦ୍ଧ ମହାନଦୀ ପଠାରେ ଏଭଳି ରତ୍ନ ପଥର ଓ ହୀରା ର ସଂଧାନ ମିଳିଲା । ସେବେଠାରୁ ଆଜି ପଯ୍ୟନ୍ତ ପ୍ରାୟ ୪୦ବର୍ଷ ହେଲାଣି ମହାନଦୀ ରୁ ହୀରା ଓ ରତ୍ନପଥର ର ସନ୍ଧାନ ଚାଲିଛି । ବୌଦ୍ଧ ର ମହାନଦୀ ପଠାରେ ହୀରା ସମେତ ଅନ୍ୟ ୬ପ୍ରକାର ରତ୍ନପଥର ବି ମିଳିଥାଏ । ଯଥା ନିଳା, ମାଣିକ,ବୈଦୁଯ୍ୟ, ପାନା,ପିଖୋରାଜ ଓ ଟୋପିଆଜ ଭଳି ରତ୍ନପଥର ଏଠାରେ ମିଳିଥାଏ । ଏହି ସବୁ ମୂଲ୍ୟବାନ ରତ୍ନପଥର ସ୍ଥାନୀୟ ନିରୀହ ଲୋକଙ୍କୁ ଲଗାଇ ବେଆଇନ ଭାବେ ନଦୀବାଲି ଖୋଳି ଗୋଟାଇବା ରେ ଲାଗିଛନ୍ତି ରତ୍ନପଥର ମାଫିଆ । ଏହା ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । ନଦୀ ରୁ ମିଳୁଥିବା ରତ୍ନପଥର ଓ ହୀରା ବ୍ୟବସାୟ କୁ ନିୟନ୍ତ୍ରଣ କରୁଛନ୍ତି ବଡ ବଡ ମାଫିଆମାନେ । ଆଉ ବୌଦ୍ଧରେ ପହଞ୍ଚି ଯାନ୍ତି ଦେଶ ତାହା ଦେଶ ବାହାରର ବଡ଼ବଡ଼ ହୀରା ରତ୍ନପଥର ବେପାରୀ । ଖୁଲମଖୁଲା ବେଧଡ଼କଭାବେ ଚାଲେ ଏହି କାରବାର । କିନ୍ତୁ ଏହି ରତ୍ନ ବୌଦ୍ଧ କିମ୍ବା ଓଡ଼ିଶାର କୌଣସି ସ୍ୱାର୍ଥ ସାଧନ କରେ ନାହିଁ । କେବଳ ଦଲାଲ ଓ ବ୍ୟବସାୟୀ ମଲେମାଲ ହୁଅନ୍ତି । କିଛି ବ୍ୟବସାଇ ବର୍ଷ ବର୍ଷ ଧରି ପରିଶ୍ରମ କରି ରତ୍ନପଥର ସନ୍ଧାନ କରୁଥିଲେ ସୁଦ୍ଧା ନିରାଶ ହୋଇ ଘରକୁ ଫେରିଛନ୍ତି ।ଚୋରା ରତ୍ନ ପଥର ବ୍ୟାପାର ବାହାର ରାଜ୍ୟ କୁ ଚେର ଲମ୍ବିଥିଲେ ବି ମାଫିଆ ମାନେ ଧରା ପଡୁନାହାନ୍ତି ।କିଛି ସ୍ଥାନୀୟ ଲୋକଙ୍କୁ ଏହି ରତ୍ନ ପଥର ଖୋଜିବା ପାଇଁ ନିୟୋଜିତ କରିଥାନ୍ତି ମାଫିଆ ମାନେ । ତାଙ୍କ ଠାରୁ ଶାଗ ମାଛ ଦରରେ କିଣି ନେଇଥାନ୍ତି ବେପାରୀମାନେ । ଏହି ବେଆଇନ ରତ୍ନପଥର ବ୍ୟବସାୟରେ ପ୍ରଶାସନ ଆଙ୍କୁଶ ନ ଥିବାରୁ ଖୋଲା ଖୋଲି ଭାବରେ ଦିନକୁ ଦିନ ବଢିଚାଲି ଅନ୍ୟପଟେ ଲୋକଙ୍କୁ ସଚେତନ କରିବା ସହ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ଚଢ଼ାଉ କରାଯିବ ବୋଲି ବୌଦ୍ଧ ଉପଜିଲ୍ଲାପାଳ କହିଛନ୍ତି ।



କଳିଯୁଗର କାମଧେନୁ

 COASTAL NEWS Odia 605

କଳିଯୁଗର କାମଧେନୁ 



ଭଦ୍ରକ : ଏ କଳିଯୁଗରେ କିଛି ଅସମ୍ଭବ ନୁହେଁ ସବୁ ସମ୍ଭବ। ଯାହାକୁ ଆଖିରେ ନିଜେ ନଦେଖିଲେ ସହଜରେ ବିଶ୍ୱାସ କରିହେବନି । ପ୍ରତିଦିନ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟୁଛି ଆମ ଆଖପାଖରେ । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଆଜ୍ଞା ୧୩ ମାସର ବାଛୁରୀ ସାଜିଛି କାମଧେନୁ। ଦିନକୁ ଦୁଇ ବେଳା ୩ ଲିଟର କ୍ଷୀର ଦେଉଛି । ଛୁଆ ଜନ୍ମ ଦେଇନି କି ଗର୍ଭବତୀ ହୋଇନି ।

ମାତ୍ର ୧୩ ମାସର ବାଛୁରୀଟିଏ ସକାଳେ ଓ ସଂଧ୍ୟାରେ ଦେଢ ଲିଟର ଲେଖାଏଁ ୩ ଲିଟର କ୍ଷୀର ଦେଉଛି । କଣ ଶୁଣିକି ଚକିତ ହୋଇଗଲେ କି? ତେବେ ଯାହା ସୂଚନା ମିଳିଛି ସେହି କ୍ଷୀରକୁ କୁଆଡେ ମନ୍ଦିରରେ ଭୋଗଲାଗି କରାଯାଉଥିବା ସହିତ ପରିବାର ଲୋକେ ମଧ୍ୟ ଖାଉଛନ୍ତି । ଆଜି କି କାଲି କଥା ନୁହେଁ ବିଗତ ଦୁଇ ମାସ ହେଲା ଏପରି କ୍ଷୀର ଦେଉଛି ବାଛୁରୀଟି । ଯାହାକୁ ନେଇ ଲୋକେ ଏହି ବାଛୁରୀକୁ କାମଧେନୁ ବୋଲି କହୁଛନ୍ତି ।

ବିଭିନ୍ନ ପଶୁ ଡାକ୍ତର ଉକ୍ତ ବାଛୁରୀକୁ ପରୀକ୍ଷା ନୀରିକ୍ଷା କରିଥିଲେ ମଧ୍ୟ ଷୀର ଦେବାର କୌଣସି ସଠିକ୍ କାରଣ ମିଳିପାରୁନାହିଁ । ସେପଟେ କାମଧେନୁ ବୋଲି କହି ଗାଁ ସମେତ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ବାଛୁରୀଟିକୁ ଦେଖିବାକୁ ଭିଡ ଜମୁଛି । ବାଛୁରୀକୁ ଦର୍ଶନ କରି ପ୍ରଣାମ କରିବା ସହିତ ସାନିଧ୍ୟ ଲାଭ କରୁଛନ୍ତି ଆଖପାଖର ଲୋକେ । ଏଭଳି ଏକ ଅଲୌକିକ ତଥା ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଫତେପୁର ପଞ୍ଚାୟତ ଜେନାସାହି ଅଧିନ ହରକଣା ସାହିରେ ।

ଏହି ଗାଁର ସୁଦର୍ଶନ ଦାସ ପେଷାରେ ଜଣେ ଗୋପାଳକ । ତାଙ୍କ ଗୁହାଳରେ ଏକା ସାଙ୍ଗରେ ୩ଟି ଗାଈ ଅଛନ୍ତି । ଦୁଇ ମାସ ତଳେ ଦିନେ ସକାଳେ ଗାଈ ମାନଙ୍କର କ୍ଷୀର ଦୁହିଁବା ସମୟରେ ଗୋଟେ ବାଛୁରୀର ଚୀରରୁ କ୍ଷୀର ଆପେ ଆପେ ବାହାରୁଥିବା ସେ ଦେଖିବାକୁ ପାଇଥିଲେ । କୌତୁହଳ ପୂର୍ବକ ଉକ୍ତ ବାଛୁରୀର କ୍ଷୀର ଦୁହିଁବାରୁ ସେଥିରୁ କ୍ଷୀର ବାହାରିଲା । ଅନ୍ୟ ଦୁଧିଆଳୀ ଗାଈ ମାନଙ୍କ ପରି ବାଛୁରୀ ଠାରୁ ପ୍ରାୟ ୨ ଲିଟର କ୍ଷୀର ବାହାରିଥିଲା । ପରେ ସଂଧ୍ୟାରେ ମଧ୍ୟ ଦୁହିଁଥିଲେ ସୁଦର୍ଶନ । ସକାଳ ପରି ସଂଧ୍ୟାରେ ମଧ୍ୟ କ୍ଷୀରବାହାରିଥିଲା । ସେବେଠାରୁ ଦୈନିକ ଦୁଇ ବେଳା କ୍ଷୀର ଦୁହାଁ ଯାଉଛି ବୋଲି କହିଛନ୍ତି ପରିବାର ଲୋକେ ।



ଓଳାଭର ଅଞ୍ଚଳର ସମାଜସେବୀ ଅନିରୁଦ୍ଧ ମହଲା ଙ୍କ ଉଦ୍ଦେଶ୍ଯ ରେ ସ୍ମୃତିସଭା

 COASTAL NEWS Odia 605

ଓଳାଭର ଅଞ୍ଚଳର ସମାଜସେବୀ ଅନିରୁଦ୍ଧ ମହଲା ଙ୍କ ଉଦ୍ଦେଶ୍ଯ ରେ ସ୍ମୃତିସଭା



ଆଳି : ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ଅଞ୍ଚଳର ସମାଜସେବୀ ଅନିରୁଦ୍ଧ ମହଲା ଥିଲେ ଆଧୁନିକ ଓଳାଭର ଗଠନର ଜଣେ ବିଚକ୍ଷଣ ବିନ୍ଧାଣୀ । ତାଙ୍କ ପରି ମଣିଷ ଆଜିର ସଂସାରରେ ବିରଳ ବୋଲି ଆଜି ତାଙ୍କ ଏକାଦଶାହ ତିଥିରେ ଆୟୋଜିତ ସ୍ମୃତିସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି l ବଳରାମପୁର ପଞ୍ଚାୟତ ଇଚ୍ଛାପୁରଠାରେ ଆୟୋଜିତ ସ୍ମୃତିସଭା ରେ ଯୁବକ ସଂଘର ସମ୍ପାଦକ ଶ୍ରୀନିବାସ ଓଝା ସ୍ଵର୍ଗତ ମହଲାଙ୍କ ଫଟୋଚିତ୍ରରେ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦିଆଯିବା ସହିତ ତାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପଠନ କରାଯାଇ ସ୍ଵର୍ଗତ ମହଲା ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ରାଜକନିକା ବ୍ଲକ୍ ଯାଦବସଂଘର ସମ୍ପାଦକ ମନୋଜ ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ଆଳିର ପ୍ରାକ୍ତନ ବିଧାୟକ ଦେବେନ୍ଦ୍ରନାଥ ଶର୍ମା, ଆନ୍ତର୍ଜାତିକ ମାନବାଧୂକାର କମିଶନ ଫେଡେରେସନ କେନ୍ଦ୍ରାପଡ଼ା ଜିଲ୍ଲା ସଦସ୍ୟ ନଳିନୀକାନ୍ତ ପୃଷ୍ଟି, ପ୍ରାକ୍ତନ ସରପଂଚ ଉତ୍ତମ ସେନାପତି, ପ୍ରାକ୍ତନ ଶିକ୍ଷାବିତ୍ ସନାତନ ପୃଷ୍ଟି, ସାହିତ୍ୟିକ ଲକ୍ଷ୍ମୀଧର ନାୟକ, ମନୋଜ ସେନାପତି, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନ, ପରିବେଶବିତ୍ ସୁବାସ ରାଉତ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ରମାକାନ୍ତ ଦାସ, ପ୍ରମୂଖ ଉପସ୍ଥିତ ରହି ସ୍ଵର୍ଗତ ମହଲାଙ୍କ ନିଃସ୍ୱାର୍ଥପର ସେବାର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ତାଙ୍କର ବାଲ୍ୟବନ୍ଧୁ ରମାକାନ୍ତ ପଣ୍ଡା କବିତା ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ l ଆଉ ଜଣେ ବାଲ୍ୟବନ୍ଧୁ କଳାକାର ବିପ୍ରଚରଣ ନାୟକ ତାଙ୍କର ସ୍ମୃତି ଚାରଣ କରିଥିଲେ । ବଡ଼ପୁଅ ଅମିତାଭ ମହଲା ଧନ୍ୟବାଦ ପ୍ରଦାନ କରିଥିଲେ ।

"ନିଜକୁ ସର୍ବଦା ଶିଷ୍ୟ ମଣୁଥିବା "ଗୁରୁ "ହିଁ ଯୋଗ୍ୟତମ ଗୁରୁ." ଜ୍ଞାନ ରୂପୀ ବୀଜ ହୃଦେ ପୋତି ନିଜ କୃପାଜଳ ବଳେ କରି ଉଦଗମ ଶିଷ୍ୟର ଜୀବନ କରିଥାନ୍ତି ଧନ୍ୟ ସେ ଗୁରୁ ଚରଣେ ଅୟୁତ ପ୍ରଣାମ. Dr S. Radhakrishnan ଙ୍କ ସ୍ଵନକ୍ଷତ୍ର ଦିବସ ଶୁଭ ଅବସରରେ ସମସ୍ତ ଶିକ୍ଷକ /ଶିକ୍ଷିକା ବନ୍ଧୁ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହୃଦୟଭରା ଅଭିନନ୍ଦନ. ଚିତ୍ତରଞ୍ଜନ ମହାପାତ୍ର.

 COASTAL NEWS Odia 603

ଗୁରୁଦିବସରେ ଅବସରରେ ଶୁଭେଚ୍ଛା ଓ ଶୁଭକାମନା 



"ନିଜକୁ ସର୍ବଦା ଶିଷ୍ୟ ମଣୁଥିବା "ଗୁରୁ "ହିଁ ଯୋଗ୍ୟତମ  ଗୁରୁ."

ଜ୍ଞାନ ରୂପୀ ବୀଜ   ହୃଦେ ପୋତି ନିଜ

                 କୃପାଜଳ ବଳେ କରି ଉଦଗମ

ଶିଷ୍ୟର ଜୀବନ    କରିଥାନ୍ତି ଧନ୍ୟ

         ସେ ଗୁରୁ ଚରଣେ ଅୟୁତ ପ୍ରଣାମ.

ଡକ୍ଟର ଏସ୍ . ରାଧାକ୍ରିଷ୍ଣନଙ୍କ  ସ୍ଵନକ୍ଷତ୍ର ଦିବସ ଶୁଭ ଅବସରରେ ସମସ୍ତ ଶିକ୍ଷକ /ଶିକ୍ଷିକା ବନ୍ଧୁ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହୃଦୟଭରା ଅଭିନନ୍ଦନ.

       COASTAL NEWS

ଉପକୁଳ ସମାଚାର



ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

 COASTAL NEWS Odia 602

ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି


 


ନୂଆଦିଲ୍ଲୀ,୫।୯: ଭାରତର ପୂର୍ବତନ ରାଷ୍ଟପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀ। ଏହି ଦିନକୁ ସାରା ଦେଶରେ ଗୁରୁ ଦିବସ ଭାବରେ ପାଳନ କରାଯାଏ। ଏହି ଅବସରରେ  ମୋଦି ଦେଶବାସୀଙ୍କୁ ଗୁରୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସ ଜରିଆରେ ସେ କହିଛନ୍ତି, ଆମର ଭବିଷ୍ୟତ ଗଢିବା ଏବଂ ସ୍ବପ୍ନକୁ ପ୍ରେରଣା ଦେବାରେ ଶିକ୍ଷକମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତ। ଗୁରୁ ଦିବସରେ, ଆମେ ସେମାନଙ୍କର ଅଦମ୍ୟ ଉତ୍ସର୍ଗୀକୃତ ଏବଂ ମହାନ ପ୍ରଭାବ ପାଇଁ ସେମାନଙ୍କୁ ଅଭିବାଦନ ଜଣାଉଛୁ। ଡକ୍ଟର ଏସ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି।

ସୂଚନାଯୋଗ୍ୟ, ଗୁରୁ ଦିବସର ପୂର୍ବ ସନ୍ଧ୍ୟା ଅର୍ଥାତ୍‌ ସେପ୍ଟେମ୍ବର ୪ରେ ଲୋକ କଲ୍ୟାଣ ମାର୍ଗରେ ୭୫ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରିୟ ଶିକ୍ଷକ ପୁରୁସ୍କାରରେ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ଭେଟିଥିଲେ। ପାରସ୍ପରିକ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଭଲ ଶିକ୍ଷକଙ୍କ ଗୁରୁତ୍ୱ ଏବଂ ଦେଶର ଭାଗ୍ୟ ଗଠନରେ ସେମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ପିଲାମାନଙ୍କୁ ତୃଣମୂଳ ସ୍ତରର ସଫଳତା ବିଷୟରେ ଶିକ୍ଷା ଦେବା ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ଥାନୀୟ ଐତିହ୍ୟ ଏବଂ ଇତିହାସରେ ଗର୍ବ କରିବା ବିଷୟରେ କହିଥିଲେ ଏବଂ ଶିକ୍ଷକମାନଙ୍କୁ ସେମାନଙ୍କ ଅଞ୍ଚଳର ଇତିହାସ ଏବଂ ସଂସ୍କୃତି ବିଷୟରେ ଜାଣିବାକୁ ପ୍ରେରଣା ଦେବାକୁ କହିଥିଲେ।



Monday, September 4, 2023

ବିକ୍ରମ’ ସଫଳତାର ସହିତ ପୁଣି ଥରେ କରିଛି ଲ୍ୟାଣ୍ଡିଂ।

 COASTAL NEWS Odia 601

ବିକ୍ରମ’ ସଫଳତାର ସହିତ ପୁଣି ଥରେ କରିଛି ଲ୍ୟାଣ୍ଡିଂ।



ନୂଆଦିଲ୍ଲୀ - ଚନ୍ଦ୍ରଯାନ-୩ ମିଶନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ମିଳିଛି ଆଉ ଏକ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଲ୍ୟାଣ୍ଡର ‘ବିକ୍ରମ’ ସଫଳତାର ସହିତ ପୁଣି ଥରେ କରିଛି ଲ୍ୟାଣ୍ଡିଂ। ଇସ୍ରୋ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଇସ୍ରୋ ପକ୍ଷରୁ କୁହାଯାଇଛି, ଲ୍ୟାଣ୍ଡର ବିକ୍ରମ ପାଇଁ ଯେତିକି କାର୍ଯ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ତା’ଠୁ ଆହୁରି ଅଧିକ କରିଛି। ନିର୍ଦ୍ଦେଶ ପ୍ରକାରେ ଲ୍ୟାଣ୍ଡର ବିକ୍ରମ ଇଞ୍ଜିନକୁ ଚଲାଇଥିଲା ଓ ଉପରକୁ ଉଠିଥିଲା। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୪୦ ସେଣ୍ଟିମିଟର ଉପରକୁ ଉଠିଥିଲା ଓ ସେହି ସ୍ଥାନରୁ ପ୍ରାୟ ୩୦ରୁ୪୦ ସେଣ୍ଟିମିଟର ଦୂରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ଇସ୍ରୋର ସୂଚନା ମୁତାବକ ଏହା ଏକ ବଡ଼ ସଫଳତା। ଭବିଷ୍ୟତରେ ମିଶନ ଶେଷ କରି ଚନ୍ଦ୍ରଯାନକୁ ଫେରାଇ ଆଣିବା ଓ ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ମିଶନକୁ ଏହା ଉତ୍ସାହିତ କରିଛି। 

 ଏହା ସହିତ ଲ୍ୟାଣ୍ଡର ବିକ୍ରମରେ ଥିବା ସବୁ ଯନ୍ତ୍ରାଂଶ ଠିକ୍ ଅଛି ଓ ଭଲ ଭାବେ କାର୍ଯ୍ୟ କରୁଛି ବୋଲି ଇସ୍ରୋ କହିଛି। 

ଅନ୍ୟପକ୍ଷରେ ଗତ ସପ୍ତାହରୁ ରୋଭର ‘ପ୍ରଜ୍ଞାନ’ ସ୍ଲିପ୍ ମୋଡ୍‌ରେ ରହିଛି। ସରଳ ଭାଷାରେ କହିବାକୁ ଗଲେ ନିର୍ଦ୍ଦେଶ ଦେଇ ଇସ୍ରୋ ଏହାକୁ ଶୁଆଇ ଦେଇଛି। ଚନ୍ଦ୍ରରେ ରାତି ହେବା ପୂର୍ବରୁ ରୋଭର ‘ପ୍ରଜ୍ଞାନ’ ତା’ର ସମସ୍ତ ଦାୟିତ୍ୱ ଶେଷ କରି ଦେଇଥିଲା। ତେଣୁ ଇସ୍ରୋ ତାକୁ ସୁରକ୍ଷିତ ସ୍ଥାନକୁ ନେଇ ସ୍ଲିପ୍ ମୋଡ୍‌ରେ ରଖି ଦେଇଛି।

ସେପ୍ଟେମ୍ବର ୨୨ ତାରିଖରେ ପୁଣି ସୂର୍ଯ୍ୟୋଦୟ ହେବା ପରେ ରୋଭର ‘ପ୍ରଜ୍ଞାନ’ ଆଉ କାର୍ଯ୍ୟ କରିବ ବୋଲି ଆଶା ରଖିଛି ଇସ୍ରୋ। ‘ପ୍ରଜ୍ଞାନ’ର ବ୍ୟାଟେରୀ ଫୁଲ୍ ଚର୍ଜ ରହିଥିବା ଇସ୍ରୋ କହିଛି। ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ସୂଚନା ଦେବା ସହିତ ସେଠାରେ ସଲଫର ସହିତ ଆଲୁମିନିୟମ (Al), କ୍ୟାଲସିୟମ (Ca), ଫେରସ (Fe), କ୍ରୋମିୟମ (Cr), ଟିଟାନିୟମ (Ti), ମାଙ୍ଗାନିଜ (Mn), ସିଲିକନ (Si) ଓ ଅକ୍ସିଜେନ୍ (O)ର ସନ୍ଧାନ କରିଛି।

ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ । ଟ୍ରଲିରେ ପ୍ରସବ କଲେ ମହିଳା

 COASTAL NEWS Odia 600

ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ ।  ଟ୍ରଲିରେ ପ୍ରସବ କଲେ ମହିଳା



ନୀଳିଗିରି : ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ ।  ଟ୍ରଲିରେ ପ୍ରସବ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ନୀଳଗିରି ସହରରେ। ସୂଚନା ମୁତାବକ ନୀଳିଗିରି ବ୍ଲକ ସଜନାଗଡ଼ ପଞ୍ଚାୟତ ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ସ୍ତ୍ରୀ ଦଶ ମାସର ଗର୍ଭବତୀ ଥିଲେ। ରାତି ପ୍ରାୟ ୮ଟାରେ ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ଏକ୍ସପ୍ରେସ ଓ ୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରାଯାଇଥିଲା।

ହେଲେ ଘଣ୍ଟେ  ବିଳମ୍ବ ହେବାରୁ ପରିବାରଲୋକେ ଏକ ଟ୍ରଲିରେ ଗର୍ଭବତୀଙ୍କୁ ମେଡିକାଲ ଆଣୁଥିଲେ। ଅଧାବଟାରେ ଟ୍ରଲି ଉପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ମାଆ ଓ ଶିଶୁକୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଚିକିତ୍ସା ଜାରି ରହିଛି।

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

 COASTAL NEWS Odia 599

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ



ଭୁବନେଶ୍ବର - ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେଇପାରେ। ଏହାର ପ୍ରଭାବରେ ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାବେଳେ ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ଉତ୍ତର ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିସ୍ତୃତି ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି। ଆସନ୍ତା ୭ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ମଧ୍ୟ ସମ୍ଭାବନା ରହିଛି।

ଚଳିତ ମୌସିମୀରେ ରାଜ୍ୟରେ ୮୦୦.୨ ମିମି ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୧୫ ପ୍ରତିଶତ କମ୍‌ ରହିଛି। ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar



ପଲିଥିନ ବ୍ୟାନ୍‌ ପ୍ରହସନ ପାଲଟିଛି

 COASTAL NEWS Odia 598

ପଲିଥିନ ବ୍ୟାନ୍‌ ପ୍ରହସନ ପାଲଟିଛି



 

ଜଗତ୍‌ସିଂହପୁର,୪ା୯ : ପଲିଥିନର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି। ଏଗୁଡ଼ିକ ବର୍ଷ ବର୍ଷ ଧରି ନଷ୍ଟ ନ ହୋଇ ପଡ଼ିରହିବାରୁ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ପଲିଥିନ ବ୍ୟାନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜଗତ୍‌ସିଂହପୁର ଜିଲାରେ ପ୍ରହସନ ପାଲଟିଛି। ବିଭିନ୍ନ ଦୋକାନ, ବଜାରରେ ପଲିଥିନ୍‌ ଖୁଲମଖୁଲା ବିକ୍ରି ଚାଲିଛି। ଇତିମଧ୍ୟରେ ଉପରଠାଉରିଆ ଭାବେ କାଁ ଭାଁ ଜିଲାର ବିଭିନ୍ନ ସ୍ଥାନ ବିଶେଷକରି ଜଗତ୍‌ସିଂହପୁର ଓ ପାରାଦୀପ ପୌରାଞ୍ଚଳରେ ଚଢ଼ାଉ କରାଯାଉଛି। ମାତ୍ର ଏହା କେବଳ ଔପଚାରିକତା ପୂରଣ ପାଇଁ ବୋଲି ଅଭିଯୋଗ ହେଉଛି।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୩୦ରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ଉଲ୍ଲେଖ ଥିଲା, ଯେଉଁ ପଲିଥିନ୍‌ଗୁଡିକ ଠିକ୍‌ ଭାବେ ନଷ୍ଟ ଅର୍ଥାତ୍‌ ଖତ ହୋଇପାରୁଛି ସେଗୁଡିକ ବ୍ୟବହାର ଉପଯୋଗୀ। ଅବଶିଷ୍ଟ ପଲିଥିନ ବ୍ୟବହାର ଉପଯୋଗୀ ନୁହେଁ। ତେଣୁ ଏହି ପଲିଥିନ୍‌ଗୁଡିକର ଉତ୍ପାଦନ ହୋଇପାରିବ ନାହିଁ। ଯଦି କେଉଁଠି ରହିଯାଇଥିବ ତେବେ ତାହା କିଣା ବିକା ହୋଇପାରିବ ନାହିଁ । ଅର୍ଥାତ୍‌ ଏହି ପଲିଥିନ ଉପରେ ଅଙ୍କୁଶ ଲଗାଗଲା। ଏପରି କି ପ୍ଲାଷ୍ଟିକ ଥାଳି, ଚାମଚ, ଗିନା, କପ୍‌, ପ୍ଲେଟ୍‌, ଗ୍ଲାସ୍‌ ଆଦି ମଧ୍ୟ ବ୍ୟବହାର ହୋଇପାରିବ ନାହିଁ । ଯେଉଁ ପଲିଥିନ୍‌ର ସ୍ଥଳତା (ଥିକ୍‌ନେସ୍‌) ୫୦ ମାଇକ୍ରୋନ୍‌ ତଳକୁ ଥିବ ତାହା ବ୍ୟବହାର ଉପଯୋଗୀ ନୁହେଁ। କେବଳ କ୍ଷୀର କିମ୍ବା ଅନ୍ୟ ଔଷଧୀୟ ସାମଗ୍ରୀ ରଖିବା ପାଇଁ ଉପଯୁକ୍ତ ମାନର ପଲିଥିନ୍‌ ବ୍ୟବହାର କରାଯାଇପାରେ। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲେ ସୁଦ୍ଧା ଜିଲାରେ ଏହା ପାଳନ କରାଯାଉନାହିଁ। ବିଶେଷକରି ଜିଲା ମୁଖ୍ୟାଳୟ ଜଗତ୍‌ସିଂହପୁର ଓ ପାରାଦୀପ ସହରରେ ଅବାଧରେ ପଲିଥିନ ବିକ୍ରି ଚାଲିଛି। ପାନ ଦୋକାନ, ରାଶନ, ଷ୍ଟେଶନାରି ଓ ଜଳଖିଆ ଆଦି ଦୋକାନରେ ପଲିଥିନ୍‌ କାରବାର ଖୋଲାଖୋଲି ଚାଲିଛି। ଧୀରେ ଧୀରେ ପୂର୍ବପରି ପଲିଥିନ୍‌ ବ୍ୟବହାର ହେବାରେ ଲାଗିଛି। ବଡ କଥା ହେଲା ଜିଲାରେ ପଲିଥିନ୍‌ ଉତ୍ପାଦନ ହେଉନାହିଁ। କଟକରୁ ପ୍ରାୟତଃ ପଲିଥିନ୍‌ ଆସୁଛି। ଅନ୍ୟପକ୍ଷରେ ଜିଲାର ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ପକ୍ଷରୁ ପଲିଥିନ୍‌ ବନ୍ଦ ପାଇଁ ଏନ୍‌ଫୋର୍ସମେଣ୍ଟ କମିଟି ଗଠନ କରାଯାଇଥିଲା। କିନ୍ତୁ କମିଟି ପକ୍ଷରୁ ଆଶାନୁରୂପ ଚଢ଼ାଉ କରାଯାଉ ନ ଥିବାରୁ ପଲିଥିନ୍‌ ପୂର୍ବପରି ବ୍ୟବହୃତ ହେଉଛି। ଯେତେବେଳେ ଅଭିଯୋଗ ହେଉଛି, ସେତେବେଳେ ଉଭୟ ପରିଷଦ ଚେଇଁ ଉଠୁଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି,ପଲିଥିନ ବ୍ୟାନ କଡ଼ାକଡି ଭାବେ ପାଳନ ପାଇଁ ବିଭାଗୀୟ ପତ୍ର ହସ୍ତଗତ ହୋଇଛି। ତେଣୁ ଚଢ଼ାଉ ଜୋରଦାର କରାଯିବ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar



ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ ଠାବ, ୨ ବଙ୍ଗୀୟ ଯୁବତୀ ଉଦ୍ଧାର

 COASTAL NEWS Odia 597

ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ ଠାବ, ୨ ବଙ୍ଗୀୟ ଯୁବତୀ ଉଦ୍ଧାର




ଭବାନୀପାଟଣା:  ଭବାନୀପାଟଣାର ରାମନଗର ପଡ଼ାରେ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ୍ ଚାଲିଥିବା ବେଳେ ଚଢ଼ାଉ କରି ଦୁଇ ବଙ୍ଗୀୟ ଯୁବତୀ ଙ୍କୁ ଉଦ୍ଧାର କଲା ଟାଉନ ଥାନା ପୋଲିସ୍ । ସେମାନଙ୍କ ସହ ଜଣେ ଦଲାଲ ଏବଂ ଜଣେ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

ସୂଚନା ଅନୁଯାୟୀ ଭବାନୀପାଟଣାର ରବୀନ୍ଦ୍ରନାଥ ଆରୁଖ ଜଣେ ପୂର୍ବତନ ପୋଲିସ ଡିଏସ୍‌ପି । ସେ ତାଙ୍କ ଘର ଉପର ମହଲାରେ ରହୁଥିବା ବେଳେ ତଳ ଘର ଜଣେ ଯୁବକଙ୍କୁ ଭଡାରେ ଦେଇଥିଲେ । ସେହି ପୂର୍ବତନ ପୋଲିସ ଅଧିକାରୀ ଜଣଙ୍କ  ମାନସିକ ସ୍ଥିତି ଠିକ ନଥିବାରୁ ସେ ପଡ଼ାର କାହା ସାଙ୍ଗରେ ମିଶୁନଥିବା କିମ୍ବା କଥା ବାର୍ତ୍ତା ମଧ୍ୟ ହେଉନଥିବା ବେଳେ ତାଙ୍କ ଘରକୁ ମଧ୍ୟ କେହି ଯିବାଆସିବା କରୁନଥିଲେ। ଯାହାର ଫାଇଦା ନେଇ ସେହି ଯୁବକ ଜଣକ କୋଲକାତାରୁ ୨ ଜଣ ବଙ୍ଗୀୟ ଯୁବତୀଙ୍କୁ ଆଣି ସେଠାରେ ସେକ୍ସ ରାକେଟ ଚଳାଉଥିବା ସୂଚନା ମିଳିଥିଲା ।

ଏହି ଖବର ପାଇ ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ନିଜ ଟିମ ସହ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠି ଜଣେ ଦଲାଲଙ୍କ ସହ ୨ ଜଣ ଯୁବତୀଙ୍କ ସହ ଏବଂ ଜଣେ ଗ୍ରାହକ ଥିବା ଜଣା ପଡିଥିଲା।  ପରେ ସମସ୍ତଙ୍କୁ ଟାଉନ ଥାନାକୁ ଆଣି ଟାଉନ ଥାନା ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି । ଏ ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି  ଥିବା ନେଇ ସୂଚନା ମିଳିଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ । ଜଣେ ପୋଲିସ ଅଧିକାରୀଙ୍କ  ଘରେ କେମିତି ଏତେ ବଡ଼ ରାକେଟ ଚାଲିଥିଲା ଏବଂ କେହି କେମିତି ଜାଣି ପାରୁନଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ରାଜସ୍ଥାନରେ ମଣିପୁର ଲଜ୍ଜା । ସ୍ତ୍ରୀକୁ ବିବସ୍ତ୍ର କଲା ସ୍ୱାମୀ, ଉଲଗ୍ନ କରି ପୂରା ଗାଁରେ ବୁଲାଇଲା ସଇତାନ

 COASTAL NEWS Odia 596

ରାଜସ୍ଥାନରେ ମଣିପୁର ଲଜ୍ଜା । ସ୍ତ୍ରୀକୁ ବିବସ୍ତ୍ର କଲା ସ୍ୱାମୀ, ଉଲଗ୍ନ କରି ପୂରା ଗାଁରେ ବୁଲାଇଲା ସଇତାନ



 

ରାଜସ୍ଥାନ -ରାଜସ୍ଥାନର ପ୍ରତାପଗଡ଼ରୁ ଆସିଥିବା ଏହି ଲଜ୍ଜାଜନକ ଦୃଶ୍ୟ, ପୂରା ଦେଶକୁ ଦୋହଲାଇ ଦେଇଛି । ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ । ଯାହା ପରେ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୂର ଘର ଲୋକେ ମହିଳାଙ୍କ ସହ ଏଭଳି କାଣ୍ଡ ଘଟାଇଲେ, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମହିଳାଙ୍କୁ ଗାଁରେ ଉଲଗ୍ନ କରି ବୁଲାଗଲା । କେହି ମୁହଁ ଖୋଲିନଥିଲେ । ଆଉ ଯେତେବେଳେ ଏହାର ଭିଡିଓ ଭାଇରାଲ ହେଲା, ରାଜସ୍ଥାନ ସରକାର ପ୍ରଶ୍ନଘେରକୁ ଆସିଛି । ସାରା ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏହାସହ ସେ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି । ଆଉ କହିଛନ୍ତି, ସଭ୍ୟ ସମାଜରେ ଏପରି ଅମାନବୀୟ ଅପରାଧର କୌଣସି ସ୍ଥାନ ନାହିଁ । ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବ । ସେପଟେ ପୀଡ଼ିତାଙ୍କ ଧୈର୍ଯ୍ୟ ଓ ସାହସକୁ ମଧ୍ୟ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ୍ ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ସେପଟେ ଜାତୀୟ ମହିଳା କମିଶନ ଘଟଣାକୁ ନିନ୍ଦା କରିବା ସହ କମିଟି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ମହିଳା ଗର୍ଭବତୀ ଥିବା ସହ ମାନସିକ ସ୍ତରରେ ଆଘାତ ପାଇଥିବା ଡାକ୍ତର କହିଛନ୍ତି । ସେପଟେ ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତ କହି ପୁଣିଥରେ ଗେହଲଟ ସରକାରଙ୍କୁ ଘେରିଛି ବିଜେପି । ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ସମେତ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ନାରାବାଜୀ କରିଛନ୍ତି ।

ପୋଲିସ ପୀଡ଼ିତାଙ୍କ ସ୍ୱାମୀ ସମେତ ୧୧ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।

ରାଜଧାନୀ ଦିଲ୍ଲୀରେ ରବିବାର ଇଏମ୍‌ୟୁ ଟ୍ରେନ୍‌ର ଏକ ବଗି ଲାଇନ୍‌ଚ୍ୟୁତ

 COASTAL NEWS Odia 595


ରାଜଧାନୀ ଦିଲ୍ଲୀରେ ରବିବାର ଇଏମ୍‌ୟୁ ଟ୍ରେନ୍‌ର ଏକ ବଗି ଲାଇନ୍‌ଚ୍ୟୁତ 

ଦିଲ୍ଲୀ: ପ୍ରଗତି ମୈଦାନ ନିକଟରେ ଲାଇନ୍‌ଚ୍ୟୁତ ହେଲା ଲୋକାଲ୍‌ ଟ୍ରେନ୍‌, ଯାତ୍ରୀ ଭୟଭୀତ




ରାଜଧାନୀ ଦିଲ୍ଲୀରେ ରବିବାର ଇଏମ୍‌ୟୁ ଟ୍ରେନ୍‌ର ଏକ ବଗି ଲାଇନ୍‌ଚ୍ୟୁତ ହୋଇଛି। ଏହାକୁ ନେଇ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ ରେଲେଓ୍ଵର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣା ଯୋଗୁ ଟ୍ରେନ୍‌ର ବଗି କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ଟ୍ରେନ୍‌ ଛାଡ଼ିବାରେ ବିଳମ୍ବ ହେବ ବୋଲି କୁହାଯାଉଛି।

ଏହି ଘଟଣା ପ୍ରଗତି ମୈଦାନରୁ ମାତ୍ର କିଛି କିଲୋମିଟର ଦୂରରେ ଘଟିଛି। ଏଠାରେ ଆସନ୍ତା ୯ ଏବଂ ୧୦ ତାରିଖରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ରେଲେଓ୍ଵ ଡିସିପିଙ୍କ ଅନୁସାରେ, ଦିଲ୍ଲୀର ଭୈରୋ ମାର୍ଗ ନିକଟରେ ଲୋକାଲ୍‌ ଇଏମ୍‌ୟୁ ଟ୍ରେନ୍‌ର ବଗି ଲାଇନ୍‌ଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କେହି ଯାତ୍ରୀ ଆହତ ହେବାର ସୂଚନା ନାହିଁ।

ଖବର ମୁତାବକ, ବଗି ଲାଇନ୍‌ଚ୍ୟୁତ ହେବା କ୍ଷଣି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଟ୍ରେନ୍‌ ଅଟକିବା ମାତ୍ରେ ସମସ୍ତେ ନିଜ ନିଜ କୋଚ୍‌ରୁ ବାହାରି ଆସିଥିଲେ। ତେବେ ମରାମତି କାର୍ଯ୍ୟ ପାଇଁ ରେଲେଓ୍ଵର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି ଯେ କିଛି ସମୟ ପରେ ଟ୍ରେନ୍‌ ପୁଣି ଯାତ୍ରା ଆରମ୍ଭ କରିବ।

ସେପଟେ ଲୋକାଲ୍‌ ଟ୍ରେନ୍‌ର ବଗି ରେଳଧାରଣାରୁ କାହିଁକି ଖସିଲା, ତାହାର ତଦନ୍ତ କରାଯିବ। କହି ରଖୁଛୁ ଯେ ୯ ଏବଂ ୧୦ ତାରିଖରେ ଦିଲ୍ଲୀର ପ୍ରଗତି ମୈଦାନରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଭଳି ସମୟରେ ପ୍ରଗତି ମୈଦାନରୁ ମାତ୍ର କିଛି କିଲୋମିଟର ଦୂରରେ ଟ୍ରେନ୍‌ ଲାଇନଚ୍ୟୁତ ହେବା ଘଟଣା ସାଧାରଣରେ ପ୍ରଶ୍ଚବାଚୀ ସୃଷ୍ଟି କରିଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

Sunday, September 3, 2023

୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ କଲା ପୋଲିସ

 COASTAL NEWS Odia 594

୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ କଲା ପୋଲିସ



 

ରାଇରଙ୍ଗପୁର,୩ା୯ : ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ କୁଇଲିସୁତା ଗ୍ରାମର ମଙ୍ଗଲ ଆଲଡ଼ାଙ୍କ ବିଧବା ପତ୍ନୀ ସୀତା ଦେଇଙ୍କ ପେନ୍‌ସନ ପାସବୁକ୍‌ରୁ ଟଙ୍କା ହଡ଼ପ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ବଡ଼ମଣଦା ଗ୍ରାମର ନରେଶଚନ୍ଦ୍ର ସାହୁ। ସେ ସୀତାଙ୍କୁ ବ୍ୟାଙ୍କ ଅକାଉଣ୍ଟରୁ ଚଞ୍ଚକତା କରି ୨୧ ଲକ୍ଷ ଟଙ୍କା ହଡ଼ପ୍‌ କରି ନେଇଥିଲେ। ଏ ନେଇ ୧୮ ଜୁଲାଇରେ ବିଶୋଇ ଥାନାରେ ଅଭିଯୋଗ ହୋଇଥିଲା।

ବିଧବା ମହିଳାଙ୍କୁ ବ୍ୟାଙ୍କ୍‌ରୁ ଅର୍ଥ ଉଠାଣ ପାଇଁ ବିଶୋଇକୁ ନେବା ଆଣିବାରେ ନରେଶ ସହାୟତା କରୁଥିଲେ। ସରଳତାର ସୁଯୋଗ ନେଇ ବ୍ୟାଙ୍କ୍‌ ଆକାଉଣ୍ଟରେ ଦିଆଯାଇଥିବା ମୋବାଇଲ୍‌ ନମ୍ବରକୁ ସୀତା ଦେଇଙ୍କ ନମ୍ବର ବଦଳରେ ନରେଶ ନିଜ ମୋବାଇଲ ନମ୍ବର ସଂଯୋଗ କରାଇଥିଲେ। ପରେ ତାଙ୍କର ଚେକ୍‌ରେ ଜାଲ ଦସ୍ତଖତ କରି ୨୧ ଲକ୍ଷ ଟଙ୍କା ହଡ଼ପ୍‌ କରିବାରେ ସକ୍ଷମ ହୋଇଥିଲେ। ଟଙ୍କା ନେଣଦେଣ ବେଳେ ମୋବାଇଲକୁ ମେସେଜ୍‌ ଆସୁ ନ ଥିବା ସମ୍ପର୍କରେ ଜାଣିବା ପାଇଁ ବ୍ୟାଙ୍କକୁ ଆସି ତାଙ୍କ ଖାତାରୁ ୨୧ ଲକ୍ଷ ଟଙ୍କା ହଡ଼ପ୍‌ ହୋଇଥିବା ସୀତା ଜାଣିବାକୁ ପାଇଥିଲେ।

ଅଭିଯୋଗ କ୍ରମେ ବିଶୋଇ ଥାନାରେ ଏକ ମାମଲା(ନଂ.୧୩୮/୨୩)ରେ ରୁଜୁ ହୋଇଥିଲା। ମାତ୍ର ନ୍ୟାୟ ପାଇବାରେ ବିଳମ୍ବ ହେବା ଯୋଗୁ ସୀତା ଗତ ଅଗଷ୍ଟ ୧୧ରେ ବିଶୋଇରେ ଅନୁଷ୍ଠିତ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଏହି ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ୍‌ ତତ୍ପରତା ପ୍ରକାଶ କରି ଶନିବାର ଅଭିଯୁକ୍ତଙ୍କୁ ବଡ଼ମଣଦାସ୍ଥିତ ବାସଭବନରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ସୂଚନା ଦେଇଛନ୍ତି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ପୁଳା ପୁଳା ଜାଲ ନୋଟ୍

 COASTAL NEWS Odia 593

ପୁଳା ପୁଳା ଜାଲ ନୋଟ୍

ସୁବର୍ଣ୍ଣପୁର - ପୁଳା ପୁଳା ନୋଟ୍ । ଏସଟିଏଫ୍ ହାତରେ ଲାଗିଛି, ଅବିକଲ୍ ଅସଲ ଦେଖାଯାଉଥିବା ଜାଲ୍ ନୋଟ୍ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରକେ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ଏହି କାରବାରରେ ସଂପୃକ୍ତ ଥିବା ଯୁବକର ନାଁ ଦୀପକ ମେହେର । ଘର ସୁବର୍ଣ୍ଣପୁର ଜିଲ୍ଲାରେ । ଦୁନିଆକୁ ଦେଖାଇବା ପାଇଁ ଉପରକୁ ଲୁଗା ବ୍ୟବସାୟ କରୁଥିଲେ, କିନ୍ତୁ ପରଦା ପଛରେ ଚଳାଇଥିଲେ ଜାଲ୍ ନୋଟର କାରବାର । ମାତ୍ର ସପ୍ତମ ପଢ଼ିଥିବା ଦୀପକ କେତେ ଦିନ ହେଲା ଏହି କାରବାରରେ ସଂପୃକ୍ତ ଥିଲେ? ଏବଂ ଏହି ରାକେଟ୍ କେତେଦୂର ଯାଏଁ ଲମ୍ବିଛି ସେ ନେଇ ତଦନ୍ତ ଆରମ୍ଭ କରିଛି ଏସଟିଏଫ୍ ।

ବଡ଼ କଥା ହେଉଛି- ୩ବର୍ଷ ଭିତରେ ୧ କୋଟି ୧୯ ଲକ୍ଷର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ୍ । ଆଉ  ଚରାଭୂଇଁ ପାଲଟିଛି ପଶ୍ଚିମ ଓଡ଼ିଶା । ସୁବର୍ଣ୍ଣପୁର ଜିଲ୍ଲାରୁ ଜାଲ୍ ନୋଟ୍ କାରବାର ସାମ୍ନାକୁ ଆସିବା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ସୁନ୍ଦରଗଡ଼ର ରାଉରକେଲା, ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଏବଂ ବରଗଡ଼ ଜିଲ୍ଲାରେ ଜାଲ୍ ନୋଟ୍ କାରବାର ଘଟଣା ସାମ୍ନାକୁ ଆସିଥିଲା । ତେବେ ସୁବର୍ଣ୍ଣପୁର ଜିଲ୍ଳାରୁ ଗିରଫ ହୋଇଥିବା ଏହି ଯୁବକର ଲିଙ୍କ୍ ପଡ଼ୋଶୀ ଛତିଶଗଡ଼ର ରାୟପୁର ସହର ସହ ଥିବା ଏସଟିଏଫ୍ ଆଶଙ୍କା କରୁଛି ।

ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ତେବେ ଘଟଣାସ୍ଥଳରୁ ଜାଲ ନୋଟ ପ୍ରସ୍ତୁତ ସଂରଜାମ ମଧ୍ୟ ଜବତ କରିଛି ଏସଟିଏଫ୍ ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...