ନୂଆଦିଲ୍ଲୀ, ୨୧/୦୪: ମହାରାଷ୍ଟ୍ରରେ ଜଣେ ରାଷ୍ଟ୍ରପତି ପଦକ ପ୍ରାପ୍ତ ପୋଲିସ ଅଫିସରଙ୍କ ଜଘନ୍ୟ କାଣ୍ଡ। ୨୦୧୬ ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀ ପୋଲିସ ଅଫିସରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ଅଶ୍ୱିନୀ ବିଦ୍ରେ ଗୋରଙ୍କ ହତ୍ୟା ମାମଲାରେ ମହାରାଷ୍ଟ୍ରର ଏକ ଅଦାଲତ ରାଷ୍ଟ୍ରପତି ପଦକ ପ୍ରାପ୍ତ ପୂର୍ବତନ ପୁଲିସ ଇନ୍ସପେକ୍ଟର ଅଭୟ କୁରୁନ୍ଦକରଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି।
ସୂଚନା ମୁତାବକ, ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ଅଶ୍ୱିନୀ ବିଦ୍ରେ ୨୦୦୫ରେ ଜଣେ ଇଞ୍ଜିନିୟର ରାଜୁ ଗୋରଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଗୋଟିଏ ଝିଅ ଥିଲା। କିନ୍ତୁ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିବାରୁ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ନିଜେ ନଭି ମୁମ୍ବାଇରେ ରହୁଥିଲେ। ସେହିପରି ପୋଲିସ ଇନ୍ସପେକ୍ଟର ଅଭୟ କୁରୁନ୍ଦକର ମଧ୍ୟ ବିବାହିତ। ହେଲେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା।
ଏହି ସମୟରେ ପୋଲିସ ଇନ୍ସପେକ୍ଟର ଅଭୟ କୁରୁନ୍ଦକରଙ୍କ ସହ ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ଅଶ୍ୱିନୀ ବିଦ୍ରେଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେଣୁ କୁରୁନ୍ଦକରଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ ଅଶ୍ୱିନୀ। ହେଲେ, କୁରୁନ୍ଦକର ତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ତେଣୁ ଅଶ୍ୱିନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକ ହତ୍ୟା ଷଡଯନ୍ତ୍ର ରଚିଥିଲେ। ଥାନେ ସ୍ଥିତ ତାଙ୍କ ଘରେ ସେ ଅଶ୍ୱିନୀଙ୍କ ଗଳା କାଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ମୃତଦେହକୁ ଛୋଟ ଛୋଟ କରି କାଟି ଏକ ଟ୍ରଙ୍କ ଓ ବସ୍ତାରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଥିଲେ।
ଏହି ଘଟଣା ୨୦୧୬ରେ ଘଟିଥିଲେ ମଧ୍ୟ ୨୦୧୭ରେ ସେ ରାଷ୍ଟ୍ରପତି ପଦକ ପାଇଁ ବିବେଚିତ ହୋଇଥିଲେ। ସେତେବେଳେ ଏହି ମାମଲା ଥାନାରେ ଚାଲୁଥିଲେ ମଧ୍ୟ କିପରି କୁରୁନ୍ଦକରଙ୍କୁ ରାଷ୍ଟ୍ରପତି ପଦକ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ।
ଏଥିରେ କୁରୁନ୍ଦକରଙ୍କୁ ସାହାଯ୍ୟ କରିଥିବା କୁରୁନ୍ଦକରଙ୍କ ଡ୍ରାଇଭର କୁନ୍ଦନ ଭଣ୍ଡାରୀ ଏବଂ ୨୦୧୮ରୁ ଜେଲରେ ଥିବା ତାଙ୍କ ବନ୍ଧୁ ମହେଶ ଫାଲାନିକରଙ୍କୁ ମଧ୍ୟ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ସେମାନେ ଜେଲରେ ସର୍ବାଧିକ ଦଣ୍ଡ ଭୋଗି ସାରିଥିବାରୁ ରାୟ ପ୍ରକାଶ ପାଇବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।
No comments:
Post a Comment