ହଜାର ହଜାର ବର୍ଷର ଇତିହାସକୁ ଗର୍ଭାନୁଶୀଳନ କଲେ ଜଣାଯାଏ ଯେ ଆମର ଏଇ ପ୍ରିୟ ଜନ୍ମଭୂମି ଓଡ଼ିଶା ମାନବ ସଭ୍ୟତାର ଅନ୍ତୁଡିଶାଳ । ଆମର ଏଇ ମତ୍ସ୍ୟ ଦେଶର ପୂର୍ବଜ ମାନଙ୍କ ଜୀବନ ଜୀବିକା ନିର୍ବାହ ର ଭିତ୍ତି ଥିଲା ପଶୁ ପାଳନ । ପରବର୍ତ୍ତୀ ସମୟରେ କୃଷି କର୍ମ କୁ ଆଦରି ନେଇଥିଲେ ସେମାନେ । ବିଶ୍ବର ପ୍ରଥମ ଧାନ ଚାଷ ର ମାଟି ଆମର କୋରାପୁଟ । ସେହି ଆଦିମ ସଭ୍ୟତା ଆରମ୍ଭ ରୁ ଆମର ପୂର୍ବପୁରୁଷ ମାନେ ପଶୁପାଳନ ନିମନ୍ତେ ସୃଷ୍ଟି କରିଥିଲେ ଚାରଣ ଭୂମି । ଏହି କ୍ରିୟା ମଧ୍ୟ ଚଳିଆସିଥିଲା ପରାଧିନ ଓଡ଼ିଶା ରେ । ଚାରଣ ଭୂମିର ଉନ୍ନତି ଓ ସଂରକ୍ଷଣ ଏକ ମହତ୍ କାର୍ଯ୍ୟ ଭାବେ ବିବେଚିତ ହେଉଥିବା ସମ୍ପର୍କରେ ପୌରାଣିକ ଯୁଗରେ ରାଜା ମହାରାଜା ଙ୍କ ଦ୍ଵାରା ମାନ୍ୟତା ଲାଭ କରିଥିଲା । ରାଜା ଦିଲ୍ଲୀପଙ୍କ ଠାରୁ ବିରାଟ ରାଜାଙ୍କ ଗୋ ସମ୍ପଦ , ଦୁର୍ଯ୍ୟୋଧନ ଙ୍କ ନେତୃତ୍ବରେ ଗୋ ସମ୍ପଦ ହରଣ, ଅଜ୍ଞାତବାସ ରେ ଥିବା ବୃହନଳା ଅର୍ଜୁନ ଓ ରାଜ କୁମାର ଉତ୍ତରଙ୍କ ପ୍ରସଙ୍ଗ ଭଳି ରହିଛି ହଜାର ହଜାର ଉଦାହରଣୀୟ ତଥ୍ୟ । ଚାରଣ ଦ୍ବାରା ପାଳିତ ପ୍ରାଣୀ ଯଥା ଗାଈ, ମଇଁଷି ,ବଳଦ, ଛେଳି, ମେଣ୍ଢା ଙ୍କ ଦ୍ଵାରା ମଣିଷ ଉପକୃତ ହୋଇଥାନ୍ତି । କ୍ଷୀର, ଦହି ଓ ଘିଅ ର ଔଷଧୀୟ ଗୁଣ ସର୍ବଜନ ବିଦିତ । ଗାଈ ଗୋରୁ ମାନେ ଚାରଣ ଭୂମିରେ ଚରିବା ସମୟରେ ପ୍ରାୟତଃ ୨୩ ପ୍ରକାର ଘାସ ଖାଇଥାନ୍ତି ବୋଲି ପଶୁ ପାଳନ, କୃଷି ବିଶେଷଜ୍ଞ ମାନେ ମତ ଦେଇଥାନ୍ତି । ଆମ ଓଡ଼ିଶା ମାଟି ହେଉଛି ବିଶ୍ଵ ର ଏକମାତ୍ର ସ୍ଥାନ, ଯେଉଁଠି ସବୁ ପ୍ରକାର ରସ ଯୁକ୍ତ ଘାସ ଉପଲବ୍ଧ ଥିଲା । ବିଶେଷ କରି ଦୁବ,ମୁଥା, ଭୂଇଁକାମୁରା, କନରା,ସାମଣା, ପୋକଶୁଙ୍ଘା,ଚାଣ୍ଟି,ପାନିଆ ପତରି, ରାମ ଶିଆଳି, ଭୂଇଁ ଅଁଳା,କାନସୁରୀ,କଣ୍ଟା ବାଉଁଶ,ବେଣା, ସବାଇଘାସ, ଟାଉଁଶିଆ,କଙ୍କିକ୍ଷୀର, ବାଉଁଶପତରି,ଚରେଇଗୁଡି, ବିଶଲ୍ୟକରଣୀ, ଲାଜକୁଳୀ ଆଦି ଘାସ ଆମେ ପିଲାଦିନେ ଦେଖିଥିଲୁ । ଆଜି ଏଥିରୁ ଅନେକ ଲୁପ୍ତ । କାରଣ ବିଗତ ପଚାଶ ବର୍ଷ ଧରି କ୍ରମାଗତ ଭାବେ ଅନାବାଦୀ ଚାରଣ ଭୂମି ଜବର ଦଖଲ ହୋଇ ଚାଲିଛି, ବର୍ତ୍ତମାନ ଏହାର ସ୍ଥିତି ବିପନ୍ନ । ଆଜି ଓଡ଼ିଆ ଖାଉଟି ଓମଫେଡ ଭଳି ସଂସ୍ଥା ଉପରେ ନିର୍ଭରଶୀଳ । ଆନ୍ଧ୍ର ରୁ ଆସୁଥିବା ଚୁନି ଚୋକଡ ଖାଇ , ଅଧିକ କ୍ଷୀର ଆଦାୟ ପାଇଁ ଇଞ୍ଜେକସନ ଫୋଡା ଖାଉଥିବା ଗାଈ , ମଇଁଷି ର କ୍ଷୀର ରେ କ'ଣ ଅଛି ? ଉଦାହରଣ ସ୍ୱରୂପ ଦୂବ ଘାସରେ ରକ୍ତହୀନତା କୁ ଚିକିତ୍ସା କରିବାର ତତ୍ତ୍ଵ ରହିଛି । ଆମେ ଶହଶହ ଥର ଦେଖିଛୁ ଯେ ହଳ କରିବା ସମୟରେ ହଳୁଆ ଙ୍କ ଗୋଡ଼ ଲଙ୍ଗଳ ଲୁହା ରେ କ୍ଷତାକ୍ତ ହେଲେ ସେ ମହାଶୟ ଦୁବ ଘାସ ଚୋବେଇ କ୍ଷତ ସ୍ଥାନ ରେ ବାନ୍ଧି ଦେଉଥିଲେ । ଆମେ ମଧ୍ୟ ପିଲାଦିନେ ଖେଳିବା ସମୟରେ , ଶଗଡ଼ ଗୁଳା ରେ ସାଇକେଲ ଶିଖିବା ସମୟରେ ଅନେକ ଥର ହାତ ଗୋଡ ରେ କ୍ଷତ ହେଲେ ଏହି ଉପାୟରେ ଭଲ ହୋଇଥିଲୁ । ସେହିପରି ପୋକଶୁଙ୍ଘା ଘାସରେ ଘା ଶୁଖିବା ପାଇଁ ଭରପୂର ଗୁଣ ରହିଛି, ଯାହାକୁ ଏଲୋପାଥି ଚିକିତ୍ସା ବିଜ୍ଞାନ ରେ ଆଣ୍ଟିବାୟୋଟିକ୍ସ କୁହାଯାଏ । ଅତଏବ ଘାସ ଖାଇ କ୍ଷୀର ଦେଉଥିବା ଗାଈ କ୍ଷୀର ରେ ଯାହା , ତାହା ଚୋକଡ ଖାଉଥିବା ଗାଈ କ୍ଷୀର ରେ ନଥାଏ । ଯେପରି ନିଜର ଜନ୍ମଦାତ୍ରୀ କୁ ବୋଉ ବୋଲି ଡାକିଦେଲେ ଯେଉଁ ଭାଵ ଅନ୍ତର ଭିତରୁ ବାହାରି ଆସେ, ସେହି ଭାବ କ'ଣ ଚଳଚ୍ଚିତ୍ର, ନାଟକ, ଧାରାବାହିକ ଆଦି ରେ ମା ଭୂମିକା ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କୁ ସମ୍ବୋଧନ କଲେ ଆସିଥାଏ କି ? ସେହିପରି ଆମର ନନା ( ବାପା) ନିଜେ ଗାଈ,ବଳଦ ଙ୍କୁ ଖୁଆଇ ,ପାଳ ପକେଇ ସାରି ଗାଧୋଇବାକୁ ପୋଖରୀ କୁ ଯାଇଥାନ୍ତି । ସେ ଯେଉଁ ତୋରାଣି କରିଥାନ୍ତି , ତାହା ଥିଲା ଉତ୍କୃଷ୍ଟ ଗୋଖାଦ୍ୟ । ପାରମ୍ପରିକ ଭାବେ ଘରର ବଳକା ପେଜ ତୋରାଣି, ବଳକା ଭାତ,ପରିବା ଚୋପା ସବୁ ଗୋରୁକୁଣ୍ଡ ରେ ଥାଏ । ଏହି ମିଶ୍ରଣ ଟି କିଣ୍ବିତ ଆହାର କୁହାଯାଏ, ଯାହା ଆଜି ର ଆଧୁନିକ ଚିକିତ୍ସା ଶାସ୍ତ୍ର ରେ ଫର୍ ମେଣ୍ଟେଡ୍ ଫୁଡ୍ ବୋଲି କୁହାଯାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାସି ଭାତ ତୋରାଣି ରେ ପ୍ରଚୁର ପରିମାଣରେ ପୃଷ୍ଟିସାର,ସ୍ନେହସାର ବା ଭିଟାମିନ ବି କମ୍ପ୍ଲେକ୍ସ ଓ ଭିଟାମିନ - କେ ରହିଥାଏ । ଏଥିରେ ଅନେକ ଉପକାରୀ ଜୀବାଣୁ ଜନ୍ମନ୍ତି , ଯାହା ଗାଈଗୋରୁଙ୍କ ଭଳି ପଶୁଙ୍କ ପାକସ୍ଥଳୀ ରେ ପାଚନ ପ୍ରକ୍ରିୟା କୁ ତ୍ବରାନ୍ବିତ କରିଥାଏ । ସେହିପରି ଵାସି ଭାତ ତୋରାଣି ରେ ଲାକ୍ଟିକ ଏସିଡ୍ ରହିଥାଏ, ଯାହା ଅନ୍ୟାନ୍ୟ ଅଣୁ ଖାଦ୍ୟ ( ମାଇକ୍ରୋ ନ୍ୟୁଟ୍ରିଏଣ୍ଟ) କୁ ଶରୀର ପାଇଁ ଉପଲଵ୍ଧି କରାଏ ,କ୍ଲାସିକ ଏସିଡ ଦ୍ବାରା ଖାଦ୍ୟ ର ଗୁଣ ବଢ଼ିଥାଏ, ଯାହା ଗାଈର ପ୍ରଜନନ କ୍ଷମତା କୁ ବୃଦ୍ଧି କରିଥାଏ । ସେହିପରି ଏଭଳି ଖାଦ୍ୟ ରେ ମଦ୍ୟସାର ମଧ୍ୟ ଉତ୍ପନ୍ନ ହୋଇଥାଏ, ଯାହା ଗାଈଗୋରୁ ଙ୍କୁ ହୃଷ୍ଟପୃଷ୍ଟ କରାଏ, ଗର୍ଭିଣୀ ଗାଈ ଓ ହଳ , ଶଗଡ଼ ବୁହା ବଳଦ ଙ୍କ କ୍ଲାନ୍ତି ଦୂର କରେ । ଆମ ପିଲାଦିନେ ଆମର ଚାରି ହଳ ବଳଦ ,ଛଅଟି ଗାଈ ଥିଲେ । ସେତେବେଳେ ଯେତିକି ପରିମାଣ ରେ ଚାଷ ଜମି ଥିଲା , ଏବେ ସେହି ଜମି ଅଛି , ମାତ୍ର ବଳଦ ନାହାନ୍ତି କି ଗାଈ ନାହାନ୍ତି । ଖମାର ପୂରଣ ହୋଇ ,୨୦/୨୨ ଟି ଖଣି ପଡୁଥିଲା , ଏବେ ଖଣି ପଡୁନି । ପୂର୍ବଜ ଓଡ଼ିଆ ମାନଙ୍କ ଜ୍ଞାନ କୌଶଳ ଏବେ ଜର୍ମାନୀ ରେ ଫଳପ୍ରଦ , ଯେପରି ସଂସ୍କୃତ ଭାଷା । ଓଡ଼ିଶାର ଜ୍ଞାନ ଓ ଜ୍ଞାନବନ୍ତ ବ୍ୟକ୍ତି ( ଡ଼ଃ ରାଜେନ୍ଦ୍ର ନାରାୟଣ ଦାସ ଙ୍କ ଭଳି ଅନେକ) ମାନଙ୍କୁ ନେଇ ଜର୍ମାନ ଆଗେଇ ଚାଲିଛି , ଆମେ ଆମକୁ ଯିଏ ୧୪୪ ବର୍ଷ ଧରି ଶୋଷଣ କଷଣ ଅତ୍ୟାଚାର କରୁଥିଲେ , ଆମକୁ ଗୋଲାମ କରି ରଖିଥିଲେ , ସେମାନଙ୍କ ଜ୍ଞାନ କୌଶଳ ଏବେ ଆମର ହୋଇଛି ଵେଦ ,ଆହରଣୀୟ ଦର୍ଶନ । ସେଥିପାଇଁ କୁହାଯାଏ " ସନ୍ତରା ବଣ ରେ ଧଣ୍ଡେ ଜୀଅନ୍ତି , ଓଡ଼ିଶା ରେ ଭଣ୍ଡେ ଜୀଅନ୍ତି" । ବିଗତ ୪୦ ବର୍ଷ ର ଇତିହାସ ଦେଖିଲେ ଏହାର ପ୍ରତିପାଦିତ ସଠିକତା ହେବ ପରିଦୃଶ୍ୟ । ଅଣ ଓଡ଼ିଆ, ମିଶାମିଶି ଓଡ଼ିଆ , ମାଇଚିଆ ବା ମୁଣ୍ଡ ପାଗଳ ମାନେ ସେମାନଙ୍କ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି । ଖାଣ୍ଟି ଓଡିଆ ଟି ହେଉଛି ହନ୍ତସନ୍ତ । ଓଡ଼ିଶାର ଶତ୍ରୁ ଓଡ଼ିଶା ବାହାରେ ନୁହେଁ, ଓଡ଼ିଶାରେ ଚରଣିଆ ମାନସିକତା ବିଜଡ଼ିତ ଗନ୍ଧିଆ ପାତ୍ରନାହକମାନଙ୍କ ମାଧ୍ୟମରେ ଅଣ ଓଡ଼ିଆ ଲୋକେ ଆମକୁ କେବଳ ଶାସନ କରୁନାହାନ୍ତି, ଅଧିକନ୍ତୁ ଆମର ସାମାଜିକ ଜନ ଜୀବନର ପ୍ରତ୍ୟେକ ଅଙ୍ଗର ହୋଇଛନ୍ତି ନିୟନ୍ତ୍ରକ । ଓଡ଼ିଶା ଓ ଓଡ଼ିଆ ମାନଙ୍କ ପାଇଁ ଯିଏ ସଂଘର୍ଷ କରିଥାନ୍ତି, ସେମାନଙ୍କ ବିରୋଧରେ ଏମାନେ କରିଥାନ୍ତି ଚକ୍ରାନ୍ତ, ମିଥ୍ୟାରୋପ, କ୍ଷତି ସାଧନ । ସବୁଠାରୁ ବିଡ଼ମ୍ବନାର କଥା ଯେ ଏମାନଙ୍କ ଭ୍ରଷ୍ଟ ଆଚରଣ କୌଣସି ସମୟରେ ନିନ୍ଦା ପାଇନଥାଏ, ବରଂ ମୌନେ ସମ୍ମତି ଲକ୍ଷଣ ପ୍ରତିପାଦିତ କରିଥାଏ , କେତେକ ତ ଉତ୍ସାହିତ କରିଥାନ୍ତି । ଆମ ପୂର୍ଵଜ ମାନଙ୍କ ଜ୍ଞାନ କୌଶଳ ଅଧ୍ୟୟନ କରି ଜର୍ମାନ ର ବିଖ୍ୟାତ ପ୍ରାଣୀ ବିଜ୍ଞାନୀ ଡ଼ଃ ରଲଜେ କୋହ୍ଲର ରୋଲେଫସନ୍ ଏକ ଦୀର୍ଘ ଆଲେଖ୍ୟ ରେ କହିଛନ୍ତି ଯେ ସୂର୍ଯ୍ୟ କିରଣ ଆହରଣ କରୁଥିବା ପଶୁ ମାନଙ୍କ ର କ୍ଷୀର ବା ଦୁଗ୍ଧ ରେ ଏହି ଶକ୍ତି ବା ଉର୍ଜାରୁ ଆସିଥାଏ । ଚାରଣ ଭୂମିରେ ଚରୁଥିବା ପଶୁ ଯଥା ଗାଈ ଗୋରୁ, ଛେଳି, ମେଣ୍ଢା ଆଦି ପଶୁ ମାନେ ଖୋଲା ଆକାଶ ତଳେ ଅଧିକାଂଶ ସମୟ ବିତେଇଥାନ୍ତି , ତେଣୁ ସେମାନେ ଶକ୍ତିଶାଳୀ ବୋଲି ମତପୋଷଣ କରିଛନ୍ତି । ବୈଦିକ ମତରେ ସୂର୍ଯ୍ୟ କିରଣ ସହିତ ପ୍ରତ୍ୟେକ ଜୀବନର ସିଧାସଳଖ ସମ୍ପର୍କ ରହିଛି । ଯେଉଁ ସବୁ ପ୍ରାଣୀ, ବିଶେଷ କରି ଯେଉଁ ମାନଙ୍କ ର ଭୁର୍ଚୁଟି ବା କୁଵୁଜ , ଯାହାକୁ ଇଂରାଜୀ ରେ ହମ୍ପ କୁହନ୍ତି , ତାହା ଥାଏ, ଯଥା ଆମେ ଯାହାକୁ ଏବେ ଦେଶୀ କୁହେ , ଅର୍ଥାତ୍ ଦେଶୀ ଗାଈଗୋରୁ , ଷଣ୍ଢ ଆଦି ପ୍ରାଣୀମାନଙ୍କ ର ସେହି ଭୁର୍ଚୁଟିରେ ଶୁକ୍ର ଧାଡ଼ି ସ୍ନାୟୁ ସମୂହ ଥିବାରୁ ଅଂଶୁ ଶକ୍ତି ଆହରଣ ର କ୍ଷମତା ଅଧିକ । ସୂର୍ଯ୍ୟ କିରଣ ଆହରଣ କରୁଥିବା ପଶୁମାନଙ୍କ ର କ୍ଷୀର ବା ଦୁଗ୍ଧ ରେ ଏହି ଶକ୍ତି ବା ଉର୍ଜା ରହେ , ଯାହା କରୁନଥିବା ପଶୁ ମାନଙ୍କ ଠାରେ ନ ଥାଏ । ଏବେ ଆମେ ଗୁହାଳ ରେ ବନ୍ଧା , ଚୁନି ଚୋକଡ ଖିଆ ଗାଈ କ୍ଷୀର , ତାହା ପୁଣି ରସାୟନିକ ପ୍ରକ୍ରିୟାରେ ଓମଫେଡ ଭଳି ସଂସ୍ଥା ର କ୍ଷୀର ଖାଉଛେ । ଆମେ ଜାଣେନା ଯେ ସେ କ୍ଷୀର କୋଉ ଗାଈ ର କ୍ଷୀର , ସେ ଗାଈ ସୁସ୍ଥ କି ଅସୁସ୍ଥ । ଜୀବନ ଅଛି ଅର୍ଥ ରୋଗ ଅଛି । ଆମର ପିଲାଦିନ ର ଉଥାଉସହପାଠୀ ସାଙ୍ଗ ଥିଲା ଭରତ , ଯାହାଙ୍କୁ ଆମେ ଭାଲୁ ବୋଲି ଡାକୁଥିଲୁ । ତା'ର ବାପା ଲୋଚନ ବେହେରା ଥିଲେ ଜଣେ ଭଲ ଗୋ- ରକ୍ଷକ ଓ ଚିକିତ୍ସକ , ତାଙ୍କର ଏକ ବଡ ଥିଲା ରେ ତା'ର ଦାଦା ଶ୍ରୀଯୁକ୍ତ ବିହାରୀ ବେହେରା , ଯାହାଙ୍କ ଏକମାତ୍ର ପୁତ୍ର , ଅଧୁନା ରସାୟନ ବିଜ୍ଞାନ ଶାସ୍ତ୍ର ବିଶାରଦ ଓ ଅନେକ ପାଠ୍ୟପୁସ୍ତକ ର ସ୍ରଷ୍ଟା , ସିଏ ଥିଲେ ଜଣେ ପଶୁ ଡାକ୍ତର । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ବିହାରୀ ବେହେରା ଙ୍କୁ ଉପଜିଵ୍ୟ କରି ଓଡ଼ିଶା ରେ ୧୯୭୪ ମସିହାରେ ଓଡ଼ିଶା ର ପ୍ରଥମ ସଙ୍ଗଠିତ ସଫଳ ସାମାଜିକ ନ୍ୟାୟ ଆନ୍ଦୋଳନ ଗଢ଼ି ଉଠିଥିଲା । ଆମେ ଜାଣିଛେ ଯେ ଗାଈ ମାନଙ୍କର ଥନହରା ରୋଗ ଏକ ବଡ ସମସ୍ୟା । ଆମେ ପିଲାଦିନେ କଞ୍ଚା କ୍ଷୀର ପିଇବା ପାଇଁ ଗୋଠ କୁ ଯାଇଥାଉ । ଆମେ ଗାଈ ରୋଗ ଓ ତା'ର ଘାସ ଚିକିତ୍ସା , ଦେଶୀ ଚିକିତ୍ସା ତାଙ୍କ ଠାରୁ ଶିକ୍ଷା ଲାଭ କରିଥିଲୁ । ଏହି ଥନହରା ରୋଗାକ୍ରାନ୍ତ ଗାଈର ଥନା ଫୁଲି ଯାଇଥାଏ , କ୍ଷୀର ରେ ରକ୍ତ ପୁଜ ବାହାରିଥାଏ । ଲୋଚନ ଭାଇ ( ଆମେ ତାଙ୍କୁ ସମ୍ବୋଧନ କରିଥାଉ) ଟୋକେଇଏ ସୁଆଁ ପତ୍ର ଶୁଖେଇ ମାଟି ହାଣ୍ଡିରେ ଖରଡ଼ି , ସେଥିରେ ଜଡ଼ା ତେଲ ମିଶାଇ ମିଶ୍ରିତ ଲେପ କୁ ଗାଈର ଥନ ଉପରେ ଲଗେଇ ,ଏକ କଦଳୀ ପତର ଗୁଡେ଼ଇ କନା ବାନ୍ଧି ଦେଉଥିଲେ , ଦୁଇ ତିନି ଥର ରେ ଦୁଇ ଦିନ ରେ ଥନହରା ରୋଗ ଭଲ କରିଦେଉଥିଲେ । ଏବେ ପଶୁ ଡାକ୍ତର ମାନେ ଏହାକୁ ଅସାଧ୍ୟ ରୋଗ ବୋଲି କହୁଛନ୍ତି । ନିକଟରେ ଆମର ପୁରୁଣା ପଦ୍ଧତି ଆଧାର ରେ ଗୁଜରାଟର ଜଣେ ପଶୁ ଡାକ୍ତର ଚିକିତ୍ସା ସଫଳତା ଆଧାର ରେ ରାଷ୍ଟ୍ର ଦ୍ବାରା ସମ୍ମାନିତ ହେଲେ , ଅଥଚ ଆମେ ? ଏପରିକି ଜଣେ ଗୋପାଳକ ଭାଲଭାଇ ପାରମାର କଞ୍ଚା କଦଳୀ+ଲେମ୍ବୁ ରସ+ ଫିଟିକିରି ର ମିଳିତ ଲେପ ରେ ଆଧୁନିକ ଚିକିତ୍ସକ ମାନଙ୍କ ଘୋଷିତ ଏହି ଅସାଧ୍ୟ ରୋଗ କୁ ଦୁଇ/ତିନି ଦିନ ରେ ଭଲ କରିଦେଉଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ଆମର ପୂର୍ବପୁରୁଷ ଙ୍କ ଜ୍ଞାନ କୁ ନେଇ ଓଡ଼ିଶା ବାହାରେ, ଏପରିକି ଭାରତ ବାହାରେ ବିଭିନ୍ନ ଦେଶରେ ଅମୂଲ୍ୟ ଵରଦାନ ହେଉଥିବା ବେଳେ , ଆମେ ହତଭାଗ୍ୟ ପରବର୍ତ୍ତୀ ପିଢ଼ି ଏହାକୁ ଅଣଦେଖା କରି ଅନ୍ୟ ଉପରେ ନିର୍ଭରଶୀଳ ।
କ୍ରମଶଃ :- ଏହି ଆଲେଖ୍ୟ ମୁହଁ ବହି ପୃଷ୍ଠାରେ ବିଖ୍ୟାତ ଓଡ଼ିଆ ଭାଷାର ପ୍ରଚଳନକାରୀ ପ୍ରଖ୍ୟାତ ପ୍ରଦ୍ୟୁମ୍ନ ଶତପଥୀଙ୍କ ତରଫରୁ ପ୍ରକାଶିତ ହରିଓମ୍ ଜୟ ଜଗନ୍ନାଥ ଜୟ ସିଦ୍ଧ ବଳଦେବଜିଉ।🙏🏻