AFFILIATE MARKETING

https://binomo.com?a=90810425bb57&t=0

Friday, July 21, 2023

୫ ହଜାର ଡାକ୍ତର ପଦବୀ ସୃଷ୍ଟି

 ୫ ହଜାର ଡାକ୍ତର ପଦବୀ ସୃଷ୍ଟି ,ଉପାନ୍ତ ଅଞ୍ଚଳରେ ଡାକ୍ତର ଅଭାବ ଦୂର ହେଵ





ଭୁବନେଶ୍ୱର : ସ୍ବାସ୍ଥ୍ୟ ବିଭାଗ ଓଡିଶା ମେଡିକାଲ ହେଲଥ ସର୍ଭିସ କ୍ୟାଡରର ୫୦୦୦ ଲିଭ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଡାକ୍ତର ପଦବୀ ସୃଷ୍ଟି କରିଛନ୍ତି। ରାଜ୍ୟର ୧୧୦ ହସ୍ପିଟାଲ, ୧୦୧୬ ଡିସପେନସାରୀ ଓ ଅନ୍ୟ ସ୍ଥାନରେ ନିୟୁକ୍ତି ପାଇବେ। ଏହି ପଦବୀ ମଞ୍ଜୁର ପାଇଁ ଆକାଉଣ୍ଟ ଜେନେରାଲ ଏଜିଙ୍କୁ ଚିଠି ଲେଖି ଅନୁମତି ମାଗିଛନ୍ତି ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ।


ଶ୍ରୀମତୀ ପଣ୍ଡିତ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ନଜରରେ ରଖି ଉପାନ୍ତ ଅଞ୍ଚଳରେ ଡାକ୍ତର ଅଭାବ ପୂରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୬୫, ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୬୪ ପଦବୀ ରହିଛି। ସେହିପରି କୋରାପୁଟ, କଳାହାଣ୍ଡି, ବାଲେଶ୍ବର, ବରଗଡ଼, ପୁରୀ ଓ କଟକ ଆଦି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୨୦ ଲେଖାଏଁ ପଦବୀ ରହିଛି। ଆଉ ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଦେଵଗଡ଼, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୋନପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୧୫ ଲେଖାଏଁ ପଦବୀ ରହିଛି। ଏହାବ୍ୟତୀତ ଆରଜିଏଚ ରାଉରକେଲାରେ ୪୫, କ୍ୟପିଟାଲ ହସ୍ପିଟାଲରେ ୩୫ ଓ ସୁନ୍ଦରଗଡରେ ୪୫ ପଦବି ରହିଛି। ଏହାଛଡା ୩୨ ଜିଲ୍ଲା ଉପଖଣ୍ଡ ହସ୍ପିଟାଲରେ ୧୫ ଲେଖାଏଁ ଏବଂ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ପଦବୀ ରହିଛି। ରାଜ୍ୟ ସରକାରଙ୍କ ସମସ୍ତଙ୍କ ହାତପାଆନ୍ତରେ ଗୁଣାତ୍ମକ ଓ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ପୂର୍ବରୁ ମଧ୍ୟ ୨୦୦୦ ଡାକ୍ତର ପଦବୀ ପାଇଁ ଅନୁମତି ମାଗିଥିଲେ।

ଯୁବକଙ୍କୁ ଗଳାକାଟି ହତ୍ୟା

 ଯୁବକଙ୍କୁ ଗଳାକାଟି ହତ୍ୟା


 


ବରଗଡ଼ ୨୦।୭ : ବରଗଡ଼ ସହରରେ ବୁଧବାର ବିଳମ୍ବିତ ରାତିରେ ଏକା ହତ୍ୟାକାଣ୍ଡ ଘଟିଛି। ବରଗଡ଼ ପୌର ପରିଷଦ ଅଧୀନ ୧ ନଂ ଓ୍ବାର୍ଡର ମାଳପଡ଼ାସ୍ଥିତ ଏକ ନିର୍ମାଣାଧୀନ ଘର ପାଖରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ଏହି ୧ ନଂ ଓ୍ବାର୍ଡର ରାକେଶ ପ୍ରଧାନ ବୋଲି ଜଣାପଡ଼ିଛି।


ଅଭିଯୁକ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଦେଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିବା ସୂଚନା ପାଇ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ସହିତ ବରଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଗୋଟିଏ ଧାରୁଆ ଛୁରି ଓ ଗୋଟିଏ ମୋବାଇଲ ପଡ଼ିରହିଛି। ତେବେ କିଏ କିଭଳି ପରିସ୍ଥିତିରେ ତାଙ୍କୁ କାହିଁକି ହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ । ସପ୍ତାହକ ମଧ୍ୟରେ ବରଗଡ଼ ସହରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣା ପୋଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜ ହୋଇପଡ଼ଛି।

ମଣିପୁର ଘଟଣା ଲଜ୍ଜାଜନକ, ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ: ପ୍ରଧାନମନ୍ତ୍ରୀ ମୋଦି

 ମଣିପୁର ଘଟଣା ଲଜ୍ଜାଜନକ, ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ: ପ୍ରଧାନମନ୍ତ୍ରୀ ମୋଦି


 


ନୂଆଦିଲ୍ଲୀ,୨୦।୭: ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାରେ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା କୌଣସି ସଭ୍ୟ ସମାଜ ପାଇଁ ଲଜ୍ଜାଜନକ ଘଟଣା। ଏଭଳି ଘଟଣା ମୋତେ ବ୍ୟଥିତ କରିଛି। ଏଭଳି ଅପରାଧ କରୁଥିବା ପାପୀ ନିଜ ସ୍ଥାନରେ ଅଛନ୍ତି, କିନ୍ତୁ ସମଗ୍ର ଦେଶ ଅପମାନିତ ହେଉଛି। ଏହା ୧୪୦ କୋଟି ଭାରତୀୟଙ୍କ ସହ ଘଟୁଛି। ମୁଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି ଯେ ମା’ ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ପଦକ୍ଷେପ ନିଅନ୍ତୁ। ଏହି ଘଟଣା ରାଜସ୍ଥାନ, ଛତିଶଗଡ କିମ୍ବା ମଣିପୁରର ହୋଇପାରେ। ଆସନ୍ତୁ ବିତର୍କରୁ ଊର୍ଦ୍ଧ୍ୱରେ ରହି ମା’ ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବା। ଏଭଳି ଘଟଣାରେ ଜଡ଼ିତ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ।

ସୂଚନାଯୋଗ୍ୟ, ଦୀର୍ଘ ଅଢ଼େଇ ମାସ ଧରି ଭାଜପା ଶାସିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଂଘର୍ଷ ଲାଗିରହିଥିବାବେଳେ ୨ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯାଉଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୨ ପୀଡ଼ିତାଙ୍କୁ ନିକଟସ୍ଥ ଚାଷଜମିରେ ଗଣବଳାତ୍କାର କରାଯାଇଥିବା ନେଇ ଏକ ଆଦିବାସୀ ସଙ୍ଗଠନ ଅଭିଯୋଗ ଆଣିଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାସହ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଶେୟାର ନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ବାଲ୍ୟ ବିବାହ ଆଇନ ଅନୁଯାୟୀ ଅପରାଧ

ବାଲ୍ୟ ବିବାହ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ 



ବାଲ୍ୟ ବିବାହ ଆଇନ ଅନୁଯାୟୀ ଅପରାଧ। ଏହାକୁ ରୋକିବା ପାଇଁ ବିଭିନ୍ନ ସଚେତନତା କରାଯାଉଛି। ହେଲେ ଏହାକୁ ମାନୁ ନାହିଁ ମଣିଷ ସମାଜ। ବିଭିନ୍ନ ସଚେତନତା ସତ୍ତ୍ୱେ ରୋକା ଯାଇପାରୁ ନାହିଁ ବାଲ୍ୟ ବିବାହ। ସବୁ ଆଇନ୍‌ କାନୁନକୁ ଜଳାଞ୍ଜଳି ଦେଇ କରାଯାଉଛି ବାଲ୍ୟବିବହ। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଏପରି ଘଟଣା ଦେଖିବାକୁ ମିଳିଛି ସିଲଭର ସିଟି କଟକ ସହରରେ।


ଗତକାଲି କଟକ ଜିଲ୍ଲା ଗଡ଼ଗଡ଼ିଆ ମନ୍ଦିରରେ ଗୁରୁଡ଼ିଝାଟିଆ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତି ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହ ବିବାହ କରାଇ ଦେଉଥିଲେ। ହେଲେ ନାବାଳିକାଙ୍କ ଅଜା ଏହାକୁ ବିରୋଧ କରିଥିଲେ। ନାତୁଣୀକୁ ଏତେ କମ୍‌ ବୟସରେ ନ ବିବାହ କରିବାକୁ ପରିବାର ଲୋକଙ୍କୁ କହିଥିଲେ। ହେଲେ ପରିବାର ଲୋକେ ଅଜାର କଥାକୁ ଶୁଣି ନଥିଲେ। ଶେଷରେ ନାତୁଣୀର ବିବାହ ଅଟକାଇବା ପାଇଁ ଚାଇଲ୍ଡଲାଇନରେ ଖବର ଦେଇଥିଲେ। ଚାଇଲ୍ହ ଲାଇନ ଅଜାଙ୍କ ଅଭିଯୋଗ ଆଧାରରେ ପୁଲିସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା।


ପୁଲିସକୁ ଦେଖି ବର ଫେରାର ହୋଇଯାଇଥିଲା। ପୁଲିସ ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଏହା ସହିତ ନାବାଳିକାଙ୍କୁ ସିଡବ୍ଲୁସିରେ ହାଜର କରିଥିଲା। ଅଜା ନାତୁଣୀର ଭବିଷ୍ୟତ ଅନ୍ଧାର ହେଉଥିବା ଜାଣି ଏପରି ପଦକ୍ଷେପ ନେଇଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ।


ନାବାଳିକାଙ୍କ ଅଜା କହିଛନ୍ତ, ଆମ ଗାଁ ପାଖରେ ଜଣେ ଦଲାଲ ପରିବାର ଲୋକଙ୍କୁ କିଛି ପଇସା ଲୋଭ ଦେଖାଇ ଝିଅମାନଙ୍କୁ ବାହାର ରାଜ୍ୟର ଯୁବକ ସହ ବିବାହ କରି ଦେଉଛି। ମୋ ନାତୁଣୀକୁ ମଧ୍ୟ ଏପରି କରିଥିଲା। ମୁଁ ତା’ ବାପାମାକୁ ମନା କରିଥିଲି। ହେଲେ ସେମାନେ ମୋ କଥା ଶୁଣି ନଥିଲେ। ଶେଷରେ ମୁଁ ଏହି ବିଷୟରେ ଚାଇଲ୍ହ ଲାଇନକୁ ଜଣାଇଥିଲି।


ନାବାଳିକା ଜଣଙ୍କ କହିଛନ୍ତି, ମୁଁ ଏହି ବିବାହ କରିବାକୁ ରାଜି ନଥିଲି। ମୋ ବାପାମା ବି ରାଜି ନଥିଲେ। ମୋ ଜେଜେମା’ ଜୋରଜବରଦସ୍ତକରିବାରୁ ମୋ ବାପାମା’ ବିବାହ ପାଇଁ ରାଜି ହୋଇଥିଲେ। ଜଣେ ଦଲାଲ ମୋ ଜେଜେ ମା’କୁ ମୋ ବିବାହ ପାଇଁ କହିଥିଲା। ସେହି ଦଲାଲ ଆମ ଗାଁର କେତେକ ଝିଅକୁ ନେଇ ବାହାର ରାଜ୍ୟର ଯୁବକଙ୍କ ସହ ବିବାହ କରି ଦେଉଛି। ପରେ ସେହି ଝିଅମାନେ ଆଉ ଗାଁକୁ ଫେରୁ ନାହାନ୍ତି।

Wednesday, July 19, 2023

ବଡ ଅଘଟଣ; ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ମୃତ

 ବଡ ଅଘଟଣ; ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ମୃତ


 


ଡେରାଡୁନ୍‌‌ : ଉତ୍ତରାଖଣ୍ଡର ଚମୋଲୀରେ ବୁଧବାର ଏକ ବଡ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଗୁରୁତର ଭାବେ ଆହତ ହୋଇ ଚିିକିତ୍ସିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ୨୦ ରୁ ଅଧିକ ଲୋକଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଛି। ନମାମି ଗଙ୍ଗେ ପ୍ରକଳ୍ପରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଛି ବୋଲି ଜଣାପଡିଛି। ଟ୍ରାନ୍ସଫର୍ମର ଫାଟିଯିବାରୁ ଏହି ବଡ ଅଘଟଣ ଘଟିଛି। ଘଟଣା ନେଇ ଚମୋଲି ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। ବିଚାର ବିଭାଗୀୟ ତଦନ୍ତ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଳକାନନ୍ଦା ନଦୀ ତଟରେ ଏହି ନମାମି ଗଙ୍ଗେ ପ୍ରକଳ୍ପ କାମ ଚାଲିଥିଲା।

ମିଳିଥିବା ସୂଚନାନୁଯାୟୀ, ପ୍ଲାଣ୍ଟରେ କାମ କରୁଥିବା ଜଣେ ଯୁବକଙ୍କର ରାତିରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ କାର୍ୟ୍ୟାନୁଷ୍ଠାନ ପାଇଁ ସକାଳେ ପହଞ୍ଚିଥିଲା। ତେଣୁ ଏହି ସମୟ ମଧ୍ୟରେ ମୃତକଙ୍କ ସମ୍ପର୍କୀୟଙ୍କ ସମେତ ଅନ୍ୟ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ, ବିଦ୍ୟୁତ ସଂସ୍ପର୍ଶରେ ଉପସ୍ଥିତ ଲୋକମାନେ ଆସିଯାଇଥିଲେ। ମୃତକଙ୍କ ମଧ୍ୟରେ ପୁଲିସ କର୍ମଚାରୀ ରହିଛନ୍ତି ବୋଲି ଜଣାପଡିଛି।

ବଢ଼ିଲା ଖବରଦାତାଙ୍କ ସ୍ବାସ୍ଥ୍ୟବୀମା

 ବଢ଼ିଲା ଖବରଦାତାଙ୍କ ସ୍ବାସ୍ଥ୍ୟବୀମା


 


ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ଖବରଦାତାମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ଖବରଦାତା ଓ ତାଙ୍କ ପରିବାର ଉପକୃତ ହେବେ। ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ଖବରଦାତା ଓ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ ଏହା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ଖବରଦାତା ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇ ପାରିବେ।

କୁକୁର ଗଳାରେ ଆଧାର କାର୍ଡ

 କୁକୁର ଗଳାରେ ଆଧାର କାର୍ଡ


 

ମୁମ୍ବାଇ: ଆଧାର କାର୍ଡ ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ପାଲଟିଛି। ସରକାରୀ କାର୍ଯ୍ୟ ହେଉ ଅବା ବ୍ୟକ୍ତିଗତ ସବୁ କ୍ଷେତ୍ରରେ ଆଧାର କାର୍ଡର ଆବଶ୍ୟକତା ରହିଛି। କିନ୍ତୁ ଏବେ ଏହି ଆଧାର କାର୍ଡ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ବୁଲୁଥିବା କୁକୁରଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଏୟାରପୋର୍ଟ ବାହାରେ ଚରାବୁଲା କରୁଥିବା ପାଖାପାଖି ୨୦ କୁକୁରଙ୍କୁ କୁଇକ୍‌ ରେସ୍ପନ୍ସ (କ୍ୟୁଆର୍‌) କୋଡ୍‌ ଥିବା ଆଧାର କାର୍ଡ ପିନ୍ଧାଯାଇଛି।

ଗଳାରେ ଝୁଲୁଥିବା ସ୍ବତନ୍ତ୍ର ପ୍ରକାର ଆଧାର କାର୍ଡରେ ସେମାନେ ନେଇଥିବା ଟିକା, ବନ୍ଧ୍ୟାକରଣ ସହିତ ସମସ୍ତ ମେଡିକାଲ୍‌ ରେକର୍ଡ ଉଲ୍ଲେଖ କରାଯାଇଛି। ଯଦି ଏହି କୁକୁର ଭିତରୁ କେହି ହଜିଯାଏ ତେବେ ଉକ୍ତ ପରିଚୟ ପତ୍ର ଜରିଆରେ ତାକୁ ଖୋଜିହେବ। ତେବେ ବ୍ରିହାନ୍‌ ମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେଶନ ତରଫରୁ ବିମାନବନ୍ଦର ଟର୍ମିନାଲ-୧ ବାହାରେ କୁକୁରମାନଙ୍କ ଟିକାକରଣ କରାଯାଇଛି। କୁକୁର ଆଇକାର୍ଡ ଯୋଗାଇବା ପଛରେ ସିଓନ୍‌ରେ କାର୍ଯ୍ୟରତ ଇଞ୍ଜିନିୟର ଅକ୍ଷୟ ରିଦଲାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ଟିମ୍‌ ମୁମ୍ବାଇରେ ଥିବା ସବୁ ବୁଲା କୁକୁରଙ୍କ ଟିକାକରଣ କରାଇବା ସହ ସେମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ବୁଲା କୁକୁରଙ୍କ ଯତ୍ନ ପାଇଁ ‘ପଫ୍ରେଣ୍ଡସ୍‌ ଡଟ୍‌ ଇନ୍‌’ ଭାବେ ଏକ ଓ୍ବେବ୍‌ ସାଇଟ୍‌ ପରିଚାଳନା କରାଯାଉଛି।

ବୁଲା କୁକୁରଙ୍କ ଗୁରୁତ୍ୱକୁ ଦର୍ଶାଇବା ଉଦ୍ଦେଶ୍ୟରେ ପୂର୍ବରୁ ନଭି ମୁମ୍ବାଇରେ ‘ୟାର୍ଡ ଗାର୍ଡ ପ୍ରୋଜେକ୍ଟ’ ଲଞ୍ଚ କରାଯାଇଥିଲା। କୁକୁର ଏକ୍ସପର୍ଟ ଗରିମର ତୋମାର ଏବଂ କାଲଭିନ୍‌ ଗୋଡିନହୋ ଏହାର ପରିଚାଳନା କରୁଥିଲେ। ବିଭିନ୍ନ ପ୍ରାନ୍ତରୁ କୁକୁରଙ୍କୁ ଉଦ୍ଧାର କରି ସେମାନଙ୍କୁ ସନ୍ଦିଗ୍ଧ ବ୍ୟକ୍ତିକୁ ଦେଖି ଭୋକିବା ଭଳି ପ୍ରଶିକ୍ଷଣ ଦିଆଯାଇଥିଲା।

ଓଡ଼ିଶାର ୧୯ ଜିଲାକୁ ‘ଭୂମି ସମ୍ମାନ’

 ଓଡ଼ିଶାର ୧୯ ଜିଲାକୁ ‘ଭୂମି ସମ୍ମାନ’


 


ଭୁବନେଶ୍ବର : ଡିଜିଟାଲ୍‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ମଡର୍ନାଇଜେଶନ ପ୍ରୋଗ୍ରାମ (ଡିଆଇଏଲ୍‌ଆର୍‌ଏମ୍‌ପି)ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଦିଆଯାଇଛି। ଦେଶର ସମୁଦାୟ ୭୬୬ଜିଲାରୁ ୬୮ଟିକୁ ଡିଆଇଏଲ୍‌ଆର୍‌ଏମ୍‌ପି ଅନ୍ତର୍ଗତ ୬ଟି ବର୍ଗରେ ପ୍ଲାଟିନମ୍‌ ପୁରସ୍କାର ମିଳିଛି। ସେଥିଧ୍ୟରୁ ଓଡ଼ିଶାର ୧୯ ଜିଲା ଏହି ପୁରସ୍କାର ପାଇବା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଗୌରବର ବିଷୟ ହୋଇଛି। ସେହି ଜିଲାଗୁଡ଼ିକ ହେଉଛି ଅନୁଗୋଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର। ରାଷ୍ଟ୍ରପତି ଏହି ଜିଲାଗୁଡ଼ିକର ଜିଲାପାଳ ବା ଅତିରିକ୍ତ ଜିଲାପାଳମାନଙ୍କୁ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ୫-ଟି କାର୍ଯ୍ୟାନ୍ବୟନ ତଥା ମୋ ସରକାର ନିୟମାବଳୀ ମାଧ୍ୟମରେ ଜମିଜମା ରେକର୍ଡ ଏବଂ ଜନସେବାକୁ ଡିଜିଟାଇଜେଶନ୍‌ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ରାଜସ୍ବ କାର୍ଯ୍ୟାଳୟଗୁଡ଼ିକରେ ନାଗରିକଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ଯଥାସମ୍ଭବ କମାଇବା ସହ ମଧ୍ୟସ୍ଥମାନଙ୍କ ଭୂମିକାକୁ ନୂ୍ୟନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଭାଗ ଦ୍ୱାରା ନାଗରିକଙ୍କୁ ଯୋଗାଇ ଦିଆଯାଉଥିବା ୩୪ଟି ପ୍ରମୁଖ ସେବାକୁ ଅନ୍‌ଲାଇନ୍‌ କରାଯିବା ଦ୍ୱାରା ଲୋକମାନେ ଅନ୍‌ଲାଇନ ମାଧ୍ୟମରେ ଆବେଦନ ଏବଂ ସ୍ଥିତି ଜାଣିପାରୁଛନ୍ତି। ଭର୍ଚୁଆଲ୍‌ କୋର୍ଟ ମାଧ୍ୟମରେ ୧୩ ହଜାରରୁ ଊର୍ଦ୍ଧ୍ୱ ମାମଲାର ଫଇସଲା ହୋଇଛି।

ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଓଲଟିଲା ଯାତ୍ରୀବାହୀ ବସ୍‌।

 ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଓଲଟିଲା ଯାତ୍ରୀବାହୀ ବସ୍‌।



ଓଲଟିଲା ଯାତ୍ରୀବାହୀ ବସ୍‌। ଜଣେ ଶିଶୁ ସମେତ ୧୪ ଗୁରୁତର। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଏହି ଦୁର୍ଘଟଣା ଘଟିଛି। ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ଓଲଟି ପଡ଼ିଥିବା ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି।


ଏହି ବସ୍‌ ପାଣିକୋଇଲିରୁ ଯାଜପୁରରୋଡ ଦେଇ କଂରଞ୍ଜିଆ ଯାଉଥିଲା। ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ରାସ୍ତା କଡ଼କୁ ବସ୍‌ଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ଏହା ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଏକଜୁଟ ହୋଇଥିଲେ। ସେପଟେ ଖବର ପାଇ କଳିଙ୍ଗନଗର ଏଡିଏମ୍‌ ଓ ସ୍ଥାନୀୟ ପୁଲିସ ପହଞ୍ଚି ଲୋକଙ୍କୁ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲା। ତେବେ ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।


ଏହି ରାସ୍ତା ନୂଆ କରି ନିର୍ମାଣ ହୋଇଥିଲେ ହେଁ ଅଣଓସାରିଆ ହେବା ସାଙ୍ଗକୁ ରାସ୍ତା ମଝିରେ କଂକ୍ରିଟ ଡିଭାଇଡର କରାଯିବା ଦୁର୍ଘଟଣାର କାରଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତା ପାର୍ଶ୍ୱରୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ଜମିବାରୁ କିଛି ଘଣ୍ଟା ପାଇଁ ଏହି ରାସ୍ତା ଦେଇ ଯାତାୟତ ମଧ୍ୟ ପ୍ରଭାବିତ ହୋଇଥିଲା। ପୁଲିସ ଟିମ୍ ଭିଡ଼ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇଛି।

ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ

 ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ




 

ନୂଆଦିଲ୍ଲୀ : ମଙ୍ଗଳବାର ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ପ୍ରାୟ ୪୫ ଦିନ ମଧ୍ୟରେ ସାହାରା ଗୋଷ୍ଠୀର ୪ଟି ସହକାରୀ ସମିତିରେ ଜମା ହୋଇଥିବା କୋଟି କୋଟି ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରସ୍ତ କରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶାହା ବର୍ତ୍ତମାନ କେହି ଜମାକାରୀଙ୍କ ଟଙ୍କା ବନ୍ଦ କରିପାରିବେ ନାହିଁ ଏବଂ ପୋର୍ଟାଲରେ ପଞ୍ଜୀକରଣ ହେବାର ୪୫ ଦିନ ମଧ୍ୟରେ ସେମାନେ ଫେରସ୍ତ ପାଇବେ ବୋଲି ଜମାକାରୀଙ୍କୁ ଶାହା ଆଶ୍ୱାସନା ଦେଇଛନ୍ତି।

ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

 ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 


 


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାମରକର ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ୭୧୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଟର୍ମିନାଲ୍‌ ବିଲଡିଂ ନିର୍ମାଣ କରାଯାଇଛି। କୁହାଯାଉଛି ଯେ, ଏହା ୟୁନିୟନ ଅଞ୍ଚଳରେ ସଂଯୋଗକୁ ତ୍ୱରାନ୍ବିତ କରିବ।


ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୋର୍ଟ ବ୍ଲେୟାରରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଆଜି ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରୁ ୭୧୦ କୋଟି ଟଙ୍କା ବିମାନବନ୍ଦର ଭାରତ ପାଇଁ ଉତ୍ସର୍ଗ କରାଯାଉଛି। ଏହାଦ୍ୱାରା ଦିଲ୍ଲୀ-ଚେନ୍ନାଇ-ବିଶାଖାପାଟନମ ପାଇଁ ସଂଯୋଗ ହେବ ଏବଂ ଆଗାମୀ ଦିନରେ ଅଧିକ ସଂଯୋଗ ବୃଦ୍ଧି ପାଇବ। ଏହା ସହିତ ୪ ଟି ୱାଟର ଡ୍ରୋନ ମଧ୍ୟ ସ୍ଥାପନ କରାଯିବ। ଏହାଦ୍ୱାରା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଅର୍ଥନୈତିକ ବିକାଶ ଘଟିବ।

୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ୍ ନିକଟରେ ଭୁଶୁଡ଼ିଲା ବ୍ରିଜ୍

 ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ୍ ନିକଟରେ ଭୁଶୁଡ଼ିଲା ବ୍ରିଜ୍

 



ଭୁବନେଶ୍ୱର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ବ୍ରିଜ ଆଜି ସକାଳ ପ୍ରାୟ ୬ଟା ୨୫ ମିନିଟ ସମୟରେ ଭୁଶୁଡ଼ି ପଡିଛି। ଫଳରେ ପାଣିକୋଇଲି ପଟୁ କୁଆଖିଆ ପାର୍ଶ୍ୱ ରାସ୍ତାରେ ଗୋଟିଏ ପାଖ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଏହା ଘଟିବା ସମୟରେ ବ୍ରିଜ ଉପରେ କେହି ଯାତାୟତ କରୁନଥିଲେ ।


ଯାହାଫଳରେ କୌଣସି ଅଘଟଣ ନଘଟିବା ସହ ଧନ ଜୀବନହାନୀ ହୋଇ ନାହିଁ। କୁଆଖିଆ ଥାନା ପୁଲିସ ଖଣ୍ଡିତର ନିକଟରେ ରହି ଅପର ପାର୍ଶ୍ୱ ରାସ୍ତାରେ କଟକ- ଭୁବନେଶ୍ୱର ଯିବା ଆସିବା ପାଇଁ ଯାନବାହାନ ନିୟନ୍ତ୍ରଣ କରୁଛନ୍ତି ।

ଦାରିଦ୍ର୍ୟ ତାଲିକାରୁ ୧୩.୫ କୋଟି ବାଦ୍‌

 ଦାରିଦ୍ର୍ୟ ତାଲିକାରୁ ୧୩.୫ କୋଟି ବାଦ୍‌




 

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ସରକାରର ୫ ବର୍ଷ ଶାସନ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମା ରେଖାରୁ ବାହାରିଛନ୍ତି। ସୋମବାର ନୀତି ଆୟୋଗ ଏହି ତଥ୍ୟ ଜାରି କରିଛି। ନୀତି ଆୟୋଗ ପକ୍ଷରୁ ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଏକ ପ୍ରଗତି ସମୀକ୍ଷା ୨୦୨୩’ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ୨୦୧୫-୧୬ ଠାରୁ ୨୦୧୯-୨୧ ମଧ୍ୟରେ ବହୁମୁଖୀ ଦାରିଦ୍ର୍ୟର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ୨୪.୮୫ ରୁ ହ୍ରାସ ପାଇ ୧୭.୯୬ ପ୍ରତିଶତ ରହିଛି। ମୋଦୀଙ୍କ ଏହି ୫ ବର୍ଷ ଶାସନକାଳ ଭିତରେ ଗ୍ରାମୀଣ ଅଞ୍ଚଳରେ ଗରିବଙ୍କ ସଂଖ୍ୟା ୩୨.୫୯ ପ୍ରତିଶତରୁ ହ୍ରାସ ପାଇ ୧୯.୨୮ ପ୍ରତିଶତ ହୋଇଛି। ଏହି ଅବଧି ଭିତରେ ସହରାଞ୍ଚଳରେ ଦାରିଦ୍ର୍ୟ ୮.୬୫ ପ୍ରତିଶତରୁ ୫.୨୭ ପ୍ରତିଶତକୁ ଖସିଛି। ଦେଶର ସବୁ ରାଜ୍ୟ ଅପେକ୍ଷା ଉତ୍ତର ପ୍ରଦେଶରେ ଅଧିକ ଦାରିଦ୍ର୍ୟ ଦୂର ହୋଇଛି। ଏହି ଅବଧି ଭିତରେ ଉତ୍ତର ପ୍ରଦେଶରେ ୩.୪୩ ପ୍ରତିଶତ ଲୋକ ଗରିବ ସୀମା ରେଖାରୁ ବାହାରିଛନ୍ତି। ଉତ୍ତର ପ୍ରଦେଶ ପରେ ଯଥାକ୍ରମେ ବିହାର, ମଧ୍ୟ ପ୍ରଦେଶ, ଓଡ଼ିଶା ଓ ରାଜସ୍ଥାନ ଅଛନ୍ତି। ନୀତି ଆୟୋଗର ଏହି ତଥ୍ୟ ଅନୁଯାୟୀ, ପୁଷ୍ଟିକର ଖାଦ୍ୟରେ ଉନ୍ନତି, ଶିକ୍ଷାବର୍ଷରେ ବୃଦ୍ଧି, ପରିଷ୍କାର ପରିଚ୍ଛନ୍ନତା ଏବଂ ରନ୍ଧନ ଗ୍ୟାସର ଉପଲବ୍ଧତା ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ହୋଇଛି। ୧୨ ଟି ସୂଚକାଙ୍କରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ମାନ ମାପ କରାଯାଇଥାଏ। ଏଥିମଧ୍ୟରେ ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟର ବର୍ଷ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ଗ୍ୟାସ, ପରିମଳ, ପାନୀୟ ଜଳ, ବିଦ୍ୟୁତ୍, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଖାତା ଅନ୍ତର୍ଭୁକ୍ତ। ଏହି ସବୁଗୁଡ଼ିକରେ ଉନ୍ନତି ଦେଖିବାକୁ ମିଳିଛି। ନୀତି ଆୟୋଗ କହିଛି ଯେ ପରିମଳ, ପୁଷ୍ଟିକର ଖାଦ୍ୟ, ରନ୍ଧନ ଗ୍ୟାସ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ବିଶୁଦ୍ଧ ପାନୀୟ ଜଳ ଏବଂ ବିଦ୍ୟୁତ୍ ଉପରେ ସରକାରଙ୍କ ମୁଖ୍ୟ ଧ୍ୟାନ ଦିଆଯାଇଛି। ଏହି କାରଣରୁ

ଦାରିଦ୍ର୍ୟ ହ୍ରାସ ଦିଗରେ ସଫଳତା ମିଳିଛି। ପୋଷଣ ଅଭିଯାନ ପରି ଉଚ୍ଚମାନର ଯୋଜନା ହେତୁ ଆବଶ୍ୟକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହା ବ୍ୟତୀତ ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏବଂ ମୋଦୀ ସରକାରଙ୍କ ଅନ୍ୟାନ୍ୟ ଯୋଜନା ମଧ୍ୟ ଦେଶରେ ଦାରିଦ୍ର୍ୟ ହ୍ରାସ କରିଛି ବୋଲି ନୀତି ଆୟୋଗ କହିଛନ୍ତି।

ଆଜି ଏନ୍‌ଡିଏ ବୈଠକ ; ଯୋଗ ଦେବେ ୩୮ ରାଜନୈତିକ ଦଳ

 ଆଜି ଏନ୍‌ଡିଏ ବୈଠକ ; ଯୋଗ ଦେବେ ୩୮ ରାଜନୈତିକ ଦଳ




ନୂଆଦିଲ୍ଲୀ : ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସହଯୋଗୀ ଦଳଗୁଡିକର ବୈଠକ ମଙ୍ଗଳବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସୋମବାର ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଏନଡିଏ ବୈଠକରେ ୩୮ ଦଳ ଯୋଗଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏନଡିଏର ଅଂଶୀଦାର ଦଳଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ନିଜର ସକାରାତ୍ମକ କାର୍ଯ୍ୟ ଲାଗି ଜାତୀୟ ରାଜନୀତିରେ ଅପରାଜେୟ ହୋଇ ରହିଛି । ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏନଡିଏ ମେଣ୍ଟକୁ କେତେକ ପୁରୁଣା ସହଯୋଗୀ ଯଥା ଚିରାଗ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାଶ), ଜିତନ ରାମ ମାନଝିଙ୍କ ହିନ୍ଦୁସ୍ତାନ ଆୱାମି ମୋର୍ଚ୍ଚା, ଉପେନ୍ଦ୍ର ଖୁସୱାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଓ ଓମ୍‌ ପ୍ରକାଶ ରାଜଭରଙ୍କ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଫେରିଛନ୍ତି । ଏହି ଦଳଗୁଡିକୁ ବୈଠକକୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପୱାରଙ୍କ ବିଦ୍ରୋହୀ ଏନସିପିକୁ ନିମନ୍ତ୍ରଣ କରାଯାଇଛି।

Monday, July 17, 2023

ଥାନାରେ ଖତ ଖାଉଛିି ଜବତ ଗାଡ଼ି

 ଥାନାରେ ଖତ ଖାଉଛିି ଜବତ ଗାଡ଼ି

 


ଭବାନୀପାଟଣା : କଳାହାଣ୍ଡି ଜିଲାର ଥାନାଗୁଡିକରେ ବିଭିନ୍ନ ମାମଲାରେ ଜବତ ଦୁଇ, ଚାରିଚକିଆ ଗାଡ଼ିଗୁଡିକଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଛି। ମାମଲାର ଫଇସଲା ହେଉ ନ ଥିବାରୁ ସେଗୁଡିକ ଦୀର୍ଘ ବର୍ଷ ହେଲା ଖୋଲା ଆକାଶ ତଳେ ଖରା ବର୍ଷାରେ ପଡିରହି ଖତ ଖାଉଥିବା ଦେଖିବାକୁ ମିଳିଛି। ଜିଲାରେ ୧୯ଟି ଥାନା ରହିଥିବାବେଳେ ପ୍ରାୟ ଥାନାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଥାନାଗୁଡିକରେ ଚୋରି, ଏମଭିଆଇ ଯାଞ୍ଚ, ଗଞ୍ଜେଇ ଚାଲାଣ, ଦୁର୍ଘଟଣା ଆଦି ବିଭିନ୍ନ ମାମଲାରେ ଜବତ ହୋଇଥିବା ଶହ ଶହ ୨ ଚକିଆ ଯାନ ସମେତ ଚାରିଚକିଆ ଯାନ ପଡିରହିଛି। ଥାନାଗୁଡିକରେ ପଡିରହିଥିବା ଏହି ସବୁ ଯାନର ମୋଟ ମୂଲ୍ୟ ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏତେ ଟଙ୍କା ମୂଲ୍ୟର ଯାନବାହନ ପଡିପଡି ନଷ୍ଟ ହେଉଥିବାବେଳେ ତାହାର ସୁରକ୍ଷା ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ମାମଲାର ଫଇସଲା ହେଉ ନ ଥିବାରୁ ମାଲିକଙ୍କୁ ହସ୍ତାନ୍ତର କରାଯାଉନାହିଁ । ଚାରିଚକିଆ ଯାନ ମଧ୍ୟରେ ବସ୍‌, ଟ୍ରକ, ଟ୍ରାକ୍ଟର, କାର, ବୋଲେରୋ, ଟାଟା ମ୍ୟାଜିକ ଆଦି ରହିଥିବାବେଳେ ମୋଟରସାଇକେଲ ମଧ୍ୟରେ ବିଭିନ୍ନ କମ୍ପାନୀର ବାଇକ୍‌ ଓ ସ୍କୁଟି ରହିଛି। କେତେକ ଚାରିଚକିଆ ଓ ଦୁଇ ଚକିଆ ଯାନ ଦୀର୍ଘ ବର୍ଷ ହେଲା ପଡିପଡି ନଷ୍ଟ ମଧ୍ୟ ହୋଇଗଲାଣି। ଏପରିକି କିଛି ଯାନବାହନ ଉପର ଦେଇ ଗଛ ମଧ୍ୟ ଉଠିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଥିବା ଗାଡିଗୁଡିକୁ ପୋଲିସ ପ୍ରଶାସନ ପକ୍ଷରୁ ନିଲାମ କରାଗଲେ ସାଧାରଣ ଲୋକ ଉପକୃତ ହେବା ସହ ସରକାରଙ୍କ ରାଜସ୍ବ ବିଭାଗକୁ ମଧ୍ୟ କିଛି ଟଙ୍କା ଯାଇପାରନ୍ତା। ନଚେତ ଏମିତି ଥାନା ଆଗରେ ଫଇସଲା ବାହାନାରେ ଗାଡିଗୁଡିକ ପଡି ରହି ଖତ ଖାଇ ଚାଲିବ ଏଥିରେ ସନ୍ଦେହ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଉଦାହରଣ ଭାବେ ଭବାନୀପାଟଣା ସଦର ଥାନା ପରିସରରେ ଜବତ ହୋଇଥିବା ଗାଡିଗୁଡିକ ଦେଖିଲେ ମନେହୁଏ। ଏ ନେଇ ଏସ୍‌ପି ଅଭିଳାଷ ଜି.ଙ୍କୁ ପଚାରିବାରୁ ଯେଉଁ ମାମଲାଗୁଡିକର ସମାଧାନ ହେଉଛି ସେହି କ୍ଷେତ୍ରରେ ମାଲିକଙ୍କୁ ଶୀଘ୍ର ତାଙ୍କ ଗାଡି ହସ୍ତାନ୍ତର କରାଯାଉଛି। ଯେଉଁ ମାମଲାଗୁଡିକର ସମାଧାନ ହେଉନି ତଥା ବିଳମ୍ବିତ ହେଉଛି, ସେହି କ୍ଷେତ୍ରରେ ଗାଡିଗୁଡିକ ହସ୍ତାନ୍ତର ହୋଇ ନ ପାରି ରହିଯାଉଛି। ପୋଲିସ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି ଶୀଘ୍ର ମାମଲାଗୁଡିକର ଫଇସଲା କରାଯାଇ ମାଲିକଙ୍କୁ ତାଙ୍କ ଗାଡି ହସ୍ତାନ୍ତର କରିବା ପାଇଁ ବୋଲି କହିଥିଲେ।

 ବାଲ୍ୟ ବିବାହମୁକ୍ତ ଜିଲା ଘୋଷଣା ଭେଳିକି


 


ବ୍ରହ୍ମପୁର : ଗଞ୍ଜାମ ଜିଲାକୁ ୨୦୨୨ ଜାନୁୟାରୀ ୩ତାରିଖରେ ବାଲ୍ୟବିବାହ ମୁକ୍ତ ଜିଲା ଘୋଷଣା କରାଯାଇଥିଲା। କିନ୍ତୁ ସେହି ବର୍ଷ ଗଞ୍ଜାମ ଜିଲାରେ ୩୩୧ ବାଲ୍ୟବିବାହ ଯୋଜନା ଚାଲିଥିବା ବେଳେ ପ୍ରଶାସନ ବନ୍ଦ କରିଥିଲା। ନବାଳିକା ବିବାହ ଖବରପାଇ ପ୍ରଶାସନିକ ଟିମ୍‌ ଚଢ଼ାଉ କରୁଛି, ପରିବାର ଲୋକଙ୍କୁ ବୁଝାଶୁଝା କରି ବାହାଘର ବନ୍ଦ କରୁଛି। ତଥାପି ଜିଲାରେ ଏକାଧିକ ବାଲ୍ୟବିବାହ ହେଉଛି। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ମୋଟ ୩୬ଟି ବାଲ୍ୟବିବାହ ବନ୍ଦ କରାଯାଇ ସାରିଲାଣି। ଏଥିରୁ ସ୍ପଷ୍ଟ ହେଉଛି ଯେ ଜିଲାରେ ଶିଶୁ ସୁରକ୍ଷା ଆଇନ ବିଫଳ ହୋଇଛି। ବାଲ୍ୟବିବାହ କରୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଭୟ ରହୁନି। ତେଣୁ ଲୁଚାଛପାରେ ବାଲ୍ୟବିବାହ ଚାଲୁଥିବା ଅଭିଯୋଗ ହେଉଛି।

ବାଲ୍ୟବିବାହ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସଜାଗ ରହିବାକୁ ପୂର୍ବରୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ପ୍ରତ୍ୟେକ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ଗଞ୍ଜାମ ଜିଲା ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍ବୟଂ ସହାୟିକା ଗୋଷ୍ଠୀ, କୁଳସମାଜ, ଗାଁ କଲ୍ୟାଣ ସମିତି, ମିଶନ ଶକ୍ତି, ଜନପ୍ରତିନିଧି, ସିଡିପିଓ ଓ ସିଡବ୍ଲୁସି ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଗଞ୍ଜାମ ଜିଲାରେ ବାଲ୍ୟବିବାହ ରୋକିବାକୁ ‘ନିର୍ଭୟା କଢ଼ି’ ଯୋଜନାକୁ ବ୍ୟାପକ କରାଯାଇଛି। ଏପରିକି ବାଲ୍ୟବିବାହ ସମ୍ପର୍କରେ ସୂଚନା ଦେଲେ ୫୦ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ତତ୍କାଳୀନ ଜିଲାପାଳ ଘୋଷଣା କରିଥିଲେ। ଏସବୁ ସତ୍ତ୍ୱେ ବିଭିନ୍ନ ଅଞ୍ଚଳରେ ନାବାଳିକା ବିବାହ କରାଯାଉଛି। ଗତ କିଛିମାସ ତଳେ ପୁରୁଣା ବ୍ରହ୍ମପୁର ରଙ୍ଗୁଣିବନ୍ଧ ସାହିରେ ବାଲ୍ୟବିବାହ ଚାଲିଥିବା ଖବରପାଇ ଚାଇଲ୍ଡ ଲାଇନ୍‌ ଟିମ୍‌ ଚଢ଼ାଉ କରିଥିଲା। ହେଲେ ଚଢ଼ାଉର ଆଗୁଆ ସୂଚନା ପାଇ ପୁଅ ଓ ଝିଅକୁ ଧରି ପରିବାର ବର୍ଗ ସେଠାରୁ ଚମ୍ପଟ ମାରିଥିଲେ। ତୃଣମୂଳସ୍ତରରେ ଯଦି ଲୋକଙ୍କୁ ସଚେତନ କରାଯାଇ ପାରିବ ତେବେ ବାଲ୍ୟବିବାହ ପ୍ରଥା ଉଚ୍ଛେଦ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ଗଠିତ ହୋଇଥିବା ଶିଶୁ ସୁରକ୍ଷା ସମିତିର ମୁଖ୍ୟ ହେଉଛନ୍ତି ସରପଞ୍ଚ। କିନ୍ତୁ ଅଧିକାଂଶ ସରପଞ୍ଚ ଏହା ଜାଣୁନାହାନ୍ତି। ଏପରିକି ପଞ୍ଚାୟତରେ କେତେ ଝିଅ ଅଛନ୍ତି ତାହାର ଖବର ମଧ୍ୟ ସେମାନେ ରଖୁ ନାହାନ୍ତି। ଫଳରେ ଗାଁରୁ କେତେବେଳେ କେଉଁ ଝିଅ କେଉଁ ଜାଗାକୁ ଚାଲାଣ ହେଉଛି କିମ୍ବା ବାଲ୍ୟବିବାହ ହେଉଛି ଖବର ମିଳୁନାହିଁ। ବିଭିନ୍ନ ଗାଁରୁ ଚାଲାଣ ହୋଇ ଆସୁଥିବା ନାବାଳିକାଙ୍କୁ ରେଳଷ୍ଟେଶନ୍‌ ଏବଂ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରାଯାଉଛି। ଜିଲାରେ ଗତ ୬ବର୍ଷ ମଧ୍ୟରେ ମୋଟ ୮୫୧ଟି ବାଲ୍ୟବିବାହକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଛି। ୨୦୨୨ରେ ସର୍ବାଧିକ ୩୩୧ଟି ବିବାହ ବନ୍ଦ କରାଯାଇଥିବା ବେଳେ ୨୦୨୧ରେ ୨୦୧, ୨୦୨୦ରେ ୨୨୮ ଓ ୨୦୧୯ରେ ୪୫ଟି ବାଲ୍ୟବିବାହ ୨୦୧୮ରେ ୨୨ଟି ଓ ୨୦୧୭ରେ ୨୪ଟି ବାଲ୍ୟବିବାହ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିକୁ ଦେଖିଲେ ବାଲ୍ୟବିବାହ ମୁକ୍ତ ଜିଲା ଘୋଷଣା କେତେ ସଫଳ ତାହା ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆ

 ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆ




 

ଭୋପାଳ : ମଧ୍ୟ ପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଏକ କୋଚ୍‌ର ବ୍ୟାଟେରୀ ବକ୍ସରେ ସୋମବାର ସକାଳେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଏଥିରେ ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ। ସୂଚନା ଅନୁସାରେ, ଟ୍ରେନ୍‌ଟି ରାଣୀ କମଳାପତି ଷ୍ଟେସନ (ପୂର୍ବରୁ ଏହାର ନାଁ ହବିବଗଞ୍ଜ ଷ୍ଟେସନ ଥିଲା) ଛାଡ଼ିବା ପରେ ସକାଳ ପ୍ରାୟ ୬ଟା ୪୫ ବେଳେ ସି-୧୨ ବଗିର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା କିଛି ରେଳ କର୍ମଚାରୀ ଦେଖିଥିଲେ। ସଙ୍ଗେ ସଙ୍ଗେ ଟ୍ରେନ୍‌ଟିକୁ ଅଟକାଇ ସି-୧୨ ବଗିରୁ ତୁରନ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ଦମକଳ ବାହିନୀ କର୍ମଚାରୀମାନେ ଅଳ୍ପ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ଯାଞ୍ଚ ଓ ମରାମତି କାମ କରିବା ପରେ ଟ୍ରେନ୍‌ଟି ପୁଣି ଯାତ୍ରା ଆରମ୍ଭ କରିଥିଲା।

ଚିରଞ୍ଜୀବ-ମୋକିମ୍‌ଙ୍କୁ ନିଲମ୍ବନ ପରେ ତେଜିଲା କଂଗ୍ରେସ ରାଜନୀତି

 ଚିରଞ୍ଜୀବ-ମୋକିମ୍‌ଙ୍କୁ ନିଲମ୍ବନ ପରେ ତେଜିଲା କଂଗ୍ରେସ ରାଜନୀତି


 


-କଂଗ୍ରେସର ଦୁଇ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ନିଲମ୍ବିତ କରାଯିବା ପରେ ଦଳ ଭିତରେ ଜୋର୍‌ ଧରିଛି ରାଜନୀତି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ଏଭଳି ନିଷ୍ପତ୍ତି ପାଇଁ ଉଭୟ ନେତାଙ୍କ ସମର୍ଥକମାନେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ଦୋଷ ଦେଇଛନ୍ତି। ଅନ୍ୟପଟେ ଏହି ଦୁଇ ନେତାଙ୍କ ସମର୍ଥକମାନେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛନ୍ତି। ମୋକିମ୍‌ ସିଧାସଳଖ ଦଳର ରାଜ୍ୟ ନେତୃତ୍ୱକୁ ଟାର୍ଗେଟ କରିଥିବା ବେଳେ ସୋମବାର ଚିରଞ୍ଜୀବ ଏକ ଖବରଦାତା ସମ୍ମିଳନୀ ଜରିଆରେ ତାଙ୍କ ପ୍ରତିକ୍ରିୟା ରଖିବେ ବୋଲି ଜଣାପଡ଼ିଛି।

ନିଲମ୍ବନ ଆଦେଶକୁ ନେଇ ମହମ୍ମଦ ମୋକିମ୍‌ କହିଛନ୍ତି ଯେ, ଯଦି କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ଲଢ଼ିବାର ସୁଯୋଗ ନ ଦେବ ତେବେ ଲୋକଙ୍କ ସମର୍ଥନ ନେଇ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ରଣାଙ୍ଗନକୁ ଓହ୍ଲାଇବେ। ଅନ୍ୟ କୌଣସି ଦଳକୁ ଯିବେ ନାହିଁ। ତେଣୁ ଯେଉଁମାନେ ଚକ୍ରାନ୍ତ କରିଛନ୍ତି ସେମାନଙ୍କ ଯୋଜନା ପଣ୍ଡ ହେବ। ତାଙ୍କୁ ଦଳରୁ କାଢ଼ିବା ଲାଗି ଦଳର ମୁଖିଆ ଅର୍ଥାତ୍‌ ପରୋକ୍ଷରେ ସେ ଶରତ ପଟ୍ଟନାୟକଙ୍କୁ ଦୋଷ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଭୁଲ୍‌ଭଟକା ସମସ୍ତଙ୍କର ରହିଛି। ତାଙ୍କର ଏବଂ ବହୁ ଲୋକଙ୍କର ମଧ୍ୟ ଅନେକ ସ୍ଥାନରେ ଭୁଲ୍‌ ରହିଛି। ଚିରଞ୍ଜୀବ କଂଗ୍ରେସର ବରିଷ୍ଠ ନେତା ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ। ବସନ୍ତଙ୍କର କଂଗ୍ରେସ ପାଇଁ ବହୁ ଅବଦାନ ରହିଛି। ତେଣୁ ଯେଉଁ ନିଲମ୍ବନ ଆଦେଶ ଦିଆଯାଇଛି ଏହା ଉପରେ ତର୍ଜମା କରି ଏହାକୁ ପ୍ରତ୍ୟାହାର କରିବାକୁ ସୁର ଅନୁରୋଧ କରିଛନ୍ତି। ଅନ୍ୟପଟେ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଏଆଇସିସି ଯେଉଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାକୁ ସମର୍ଥନ କରୁଛି। ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସ୍ବର୍ଣ୍ଣିମଯୁଗ ନାଁରେ ଯେଉଁ ସମାବେଶ କରାଗଲା ସେଠାରେ ଦଳର ନେତୃତ୍ୱକୁ ଟାର୍ଗେଟ କରାଗଲା ଏହା ସମ୍ପୂର୍ଣ୍ଣ ଭୁଲ୍‌। ଏହାର ପ୍ରଚ୍ଛଦପଟ୍ଟରେ ଆହୁରି ଅନେକ ନେତା ଅଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ପିସିସି ସଭାପତି କହିଛନ୍ତି, ସମସ୍ତଙ୍କ ଅବଦାନ ଯୋଗୁ କଂଗ୍ରେସ ଉଠିଛି। ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ହାଇକମାଣ୍ଡ ନିଜେ କହିଥିଲେ। ତେଣୁ ହାଇକମାଣ୍ଡ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଗ୍ରହଣ କରିଛନ୍ତି। ଏହାଦ୍ୱାରା କଂଗ୍ରେସର କିଛି କ୍ଷତି ହେବାର ନାହିଁ ବୋଲି ସେ କହିଛନ୍ତି।

ତେବେ ଏହି ଘଟଣାକୁ ନେଇ ଉଭୟ ନେତାଙ୍କ ସମର୍ଥକମାନେ କଂଗ୍ରେସ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ମୋକିମ୍‌ଙ୍କ ସମର୍ଥକମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ପିସିସି ସଭାପତିଙ୍କ ପୋଷ୍ଟର ଦାହ କରିଛନ୍ତି। ତୁରନ୍ତ ମୋକିମ୍‌ଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ସହ ଶରତ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି। ଅନ୍ୟପଟେ ଜଗତସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ କଂଗ୍ରେସ କର୍ମୀମାନେ ଚିରଞ୍ଜୀବଙ୍କୁ ନିଲମ୍ବନ କରାଯିବା ନେଇ ପ୍ରତିବାଦ କରିବା ସହ ସଭାପତିଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ରାଜଧାନୀଠାରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, ଅଗଣତାନ୍ତ୍ରିକ ପଦ୍ଧତିରେ ଉଭୟ ନେତାଙ୍କୁ ନିଲମ୍ବିତ କରାଯାଇଛି। ଯେଉଁସବୁ ଜିଲାରେ କଂଗ୍ରେସ ଶକ୍ତିଶାଳୀ ଅଛି ଏବଂ ଦୁଇ ନମ୍ବର ସ୍ଥାନରେ ରହିଛି ସେଠାରେ ଦଳକୁ ଦୁର୍ବଳ କରି ସ୍ଥାନୀୟ ନେତୃତ୍ୱଙ୍କୁ ଦଳରୁ ବିଦା କରି ଭାଜପାକୁ ଆଗକୁ ନେବା ଲାଗି ପିସିସି ସଭାପତି ଯୋଜନା କରୁଛନ୍ତି। ସଭାପତି ସମ୍ପୂର୍ଣ୍ଣ ଭାବେ ଭାଜପାକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି। ପ୍ରଥମେ ଏଆଇସିସି ଉଭୟ ନେତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରୁ। ଏହାପରେ ସଭାପତି ପଦ ପରିବର୍ତ୍ତନ କରୁ ବୋଲି ଦଳର ସାଧାରଣ ସମ୍ପାଦକ ନାରାୟଣ ଜେନା କହିଛନ୍ତି।

ନକଲି ଡାକ୍ତର ଗିରଫ; ନିଜକୁ ଏମ୍‌ସ ଡାକ୍ତର ବୋଲି କହି କରିଥିଲେ କ୍ଲିନିକ୍‌

 ନକଲି ଡାକ୍ତର ଗିରଫ; ନିଜକୁ ଏମ୍‌ସ ଡାକ୍ତର ବୋଲି କହି କରିଥିଲେ କ୍ଲିନିକ୍‌




 

ଭୁବନେଶ୍ବର : ପାଠ ପଢ଼ିଛନ୍ତି ଯୁକ୍ତ ଦୁଇ। କିନ୍ତୁ ନିଜକୁ କହୁଥିଲେ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍‌ସର ଅଭିଜ୍ଞ ଡାକ୍ତର। ବିଭିନ୍ନ ସ୍ଥାନରେ କ୍ଲନିକ କରି ରୋଗୀଙ୍କୁ ଦେଖି ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା ରୋଜଗାର। ହେଲେ ମିଛ କିନ୍ତୁ ସବୁଦିନେ ଲୁଚି  ରହିପାରେନା। ସେ ଜଣେ ରୋଗୀଙ୍କୁ ଦେଖି ଦେଇଥିଲେ ମେଡ଼ିସିନ୍‌। ତାହାକୁ ଖାଇ ସେ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ଅଭିଯୋଗ ଆଧାରରେ ଏହି ନକଲି ଡାକ୍ତରଙ୍କୁ ବାନ୍ଧିଥିଲା ପୁଲିସ। ଗିରଫ ନକଲି ଡାକ୍ତରଙ୍କ ନାଁ ଶୁଭ୍ରଜିତ ପଣ୍ଡା। ତାଙ୍କ ଘର ଢେଙ୍କାନାଳ ଜିଲା ସଣ୍ଡା ଗାଁରେ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ନକଲି ଡାକ୍ତର ଶୁଭ୍ରଜିତ ନିଜକୁ ଜଣେ ଅଭିଜ୍ଞ ଡାକ୍ତର ଭାବେ ବୋର୍ଡ ମାରି ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ଓ କଟକ ରାଣୀହାଟରେ ଏକ ଘରୋଇ କ୍ଲନିକ ରହିଛି। ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ୍‌ ନେଉଥିଲେ। ପ୍ରତିଦିନ ତାଙ୍କ ପାଖରେ ରୋଗୀଙ୍କର ଭିଡ଼ ଜମୁଥିଲା। ବ୍ରହ୍ମପୁର ଏସପିଙ୍କ ନିକଟରେ ଶୁଭ୍ରଜିତ ପଣ୍ଡାଙ୍କ ନାଁରେ ଅଭିଯୋଗ କରାଯାଇଥିଲା। ବ୍ରହ୍ମପୁର ଏସପି ଏକ ଟିମ୍‌ ଗଠନ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ। ଖୋଳତାଡ ବେଳେ ଶୁଭ୍ରଜିତଙ୍କୁ ୨୦୨୦ ମସିହା ଫେବୃଆରୀ ମାସରେ ତେଲେଙ୍ଗାନା ପୁଲିସ ଗିରଫ କରିଥିବା ଜଣାପଡ଼ିଥିଲା। ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହି ଡାକ୍ତର ସମ୍ମିଳନୀରେ ଯୋଗଦେଇଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା। ପୁଲିସ ଶୁଭ୍ରଜିତ୍‌ଙ୍କ କାଗଜପତ୍ର ଯାଞ୍ଚ କରିଥିଲା। ଶୁଭ୍ରଜିତ ଯୁକ୍ତ ଦୁଇ ପାସ କରିଥିବା ଜଣାପଡ଼ିଥିଲା। ନିଜେ ଡାକ୍ତର ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟଙ୍କୁ ଧରି ରୋଗୀଙ୍କ ଚିକିତ୍ସା କରୁଥିଲା ବୋଲି ଜଣାପଡ଼ିଥିଲା। ପଣ୍ଡାଙ୍କୁ ଗିରଫ ପୁଲିସ୍‌ ଗିରଫ କରିବା ସହିତ କଟକରେ ଥିବା ଭଡ଼ା ଘରେ ପୁଲିସ ଯାଞ୍ଚ କରିଥିବା ଜଣାପଡ଼ିଛି। ଶୁଭ୍ରଜିତ ୨୪ ଦିନ ତଳେ ବିବାହ କରିଥିବା ସୂଚନା ମିଳିଛି।

ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କଲା ବନ୍ୟା, ଦେଖୁ ଦେଖୁ ନଦୀରେ ମିଶିଗଲା ପୂରା ବିଲ୍ଡିଂ

 ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କଲା ବନ୍ୟା, ଦେଖୁ ଦେଖୁ ନଦୀରେ ମିଶିଗଲା ପୂରା ବିଲ୍ଡିଂ 





ହିମାଚଳ ପ୍ରଦେଶରେ ବନ୍ୟା ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଶିମଲାରେ କହିଛନ୍ତି ଯେ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ଅନେକ କ୍ଷୟକ୍ଷତି ଘଟିଛି। ରାଜ୍ୟରେ ପାଖାପାଖି ୭୬୫ଟି ରାସ୍ତା ପ୍ରଭାବିତ ହୋଇଛି। ଆମେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରାୟ ୩୪୨ଟି ମେସିନ୍ ନିୟୋଜିତ କରିଛୁ।


କୁଲୁ-ମନାଲିରେ ଫସି ରହିଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ବିଭିନ୍ନ ଅଞ୍ଚଳରେ ପ୍ରାୟ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମନାଲିରେ ରବିବାର ବ୍ୟାସ ନଦୀ କୂଳରେ ନିର୍ମିତ ଏକ କୋଠା ନଦୀ ଗର୍ଭକୁ ଭୁଶୁଡ଼ି ପଡ଼ିଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ପୋଲିସ ନିଶ୍ଚିତ କରିଛି। ଏହି ଭିଡିଓକୁ ସ୍ଥାନୀୟ ଲୋକେ ରେକର୍ଡ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି, ଏକ ବିରାଟ କୋଠା ନଦୀକୁ ଭୁଶୁଡ଼ି ପଡ଼ୁଛି।


ରାଜ୍ୟର ଚମ୍ବା ଜିଲ୍ଲାରେ ମଧ୍ୟ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଏଠାରେ ରାବି ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀ ନିକଟରେ ଥିବା ଅନେକ ଘରେ ବନ୍ୟା ପାଣି ପଶିଯାଇଛି।


ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ହମିରପୁରରେ କହିଛନ୍ତି, ‘ମୁଁ ହିମାଚଳର ଲୋକମାନଙ୍କୁ ପୁନର୍ବାର ଅନୁରୋଧ କରୁଛି କି, ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ନିଜ ଘରେ ରୁହନ୍ତୁ। କାରଣ, ଏହି ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆମେ ବିପର୍ଯ୍ୟୟର ମୁକାବିଲା ପାଇଁ ୩ଟି ହେଲ୍‌ପଲାଇନ ନମ୍ବର (୧୧୦୦, ୧୦୭୦ ଏବଂ ୧୦୭୦) ଜାରି କରିଛୁ’।

Sunday, July 16, 2023

୧୧ କେଭି ବିଦ୍ୟୁତ ତାର ଛିଡିପଡିବାରୁ ୬ କାଉଡିଆ ଭକ୍ତଙ୍କ ମୃତ୍ୟୁ, ୫ ଗୁରୁତର

 ୧୧ କେଭି ବିଦ୍ୟୁତ ତାର ଛିଡିପଡିବାରୁ ୬ କାଉଡିଆ ଭକ୍ତଙ୍କ ମୃତ୍ୟୁ, ୫ ଗୁରୁତର



ମହାଦେବଙ୍କୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ଅଘଟଣ । ବିଦ୍ୟୁତ୍ ଆଘାତରେ ଗଲା ୬ଜଣ କାଉଡିଆ ଭକ୍ତଙ୍କ ଜୀବନ, ଅନ୍ୟ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ମେରଟର ପରିକ୍ଷିତଗଡ଼ ଅଞ୍ଚଳରେ । ପାଣି ନେଇ ଯାଉଥିବାବେଳେ ହଠାତ୍ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସେମାନଙ୍କ ଉପରେ ଛିଡିପଡିଥିଲା । ଫଳରେ ଏଭଳି ଭୟାନକ ଦୁର୍ଘଟଣା ଘଟିଛି ।


ସ୍ଥାନୀୟ ଲୋକଙ୍କ କହିବା ମୁତାବକ, କାଉଡିଆମାନେ ଯାଉଥିବା ଡିଜେ ଗାଡି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ପୋଲକୁ ଧକ୍କା ଦେବାରୁ ତାର ଛିଡିଯାଇ କାଉଡିଆଙ୍କ ଉପରେ ପଡିଥିଲା, ଫଳରେ ଘଟଣାସ୍ଥଳରେ ହିଁ ୬ଜଣଙ୍କ ମୃତ୍ୟୂୁ ହୋଇଛି । ଏହି କାଉଡିଆମାନେ ହରିଦ୍ୱାରରୁ ଆସୁଥିବାବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ, ଆଉ ଏହି ଦୁର୍ଘଟଣା ଘଟିଥିଲା ।

ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ, ପାଣି ଜମି ରହୁଥିବା ଅଭିଯୋଗ

 ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ, ପାଣି ଜମି ରହୁଥିବା ଅଭିଯୋଗ




ରାଇରଙ୍ଗପୁର : ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ । ଟାଟା ବାଦାମ ପାହାଡ଼ ମେମୁ ପାସେଞ୍ଜର ଟ୍ରେନ୍‌କୁ ଗୋରୁମୋହିସାଣି ଷ୍ଟେସନ ନିକଟସ୍ଥ ବଡ଼ମୌଦା ଗ୍ରାମରେ ଅଟକାଇଲେ ଗ୍ରାମବାସୀ । ଗୋଳାପୋଲରେ ପାଣି ଜମି ରହୁଥିବା ଅଭିଯୋଗ ନେଇ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକି ରହିଛି ଟ୍ରେନ୍‌ । ଗୋଳାପୋଲରେ ପାଣି ଜମୁଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ଅଞ୍ଚଳବାସୀ ।

COASTAL NEWS

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ନୂଆପଡ଼ା/ଭୁବନେଶ୍ୱର, ୦୧।୧୧: ନୂଆପଡାରେ ରାଜ୍ୟ ଉ...