AFFILIATE MARKETING

https://binomo.com?a=90810425bb57&t=0

Friday, April 17, 2026

କାର୍ଯ୍ୟକ୍ଷମ ହୋଇପାରୁନି ଶୀତଳ ଭଣ୍ଡାର

ଅମଳ ସମୟରେ ମିଳିଲା ନାହିଁ ଶୀତଳ ଭଣ୍ଡାର ସୁବିଧା । ଟମାଟୋ କିଲୋପିଛା ୨ ଟଙ୍କା । ଶୀତଳ ଭଣ୍ଡାର ଉଦଘାଟନର ତିନିମାସ ପରେ ବି ହୋଇପାରୁନି କାର୍ଯ୍ୟକ୍ଷମ ।

Even After Inauguration Cold Storage facility is Not Functioning In Kendrapara
କେନ୍ଦ୍ରାପଡା ଜିଲ୍ଲାରେ ଶୀତଳ ଭଣ୍ଡାର ସମସ୍ୟା 

କେନ୍ଦ୍ରାପଡ଼ା: ଚାଷୀଙ୍କ ଉତ୍ପାଦିତ ପନିପରିବା ଓ ଫଳମୂଳ ସଂରକ୍ଷଣ ପାଇଁ କେନ୍ଦ୍ରାପଡ଼ାରେ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା । ଏହା ଭିତରେ ଶୀତଳ ଭଣ୍ଡାର ଉଦଘାଟନକୁ ତିନି ମାସ ବିତିଲାଣି, କିନ୍ତୁ ଏଯାବତ କାର୍ଯ୍ୟକ୍ଷମ l ତାହା ହୋଇନାହିଁ । ୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ଏବେ ଅଚଳାବସ୍ଥାରେ ରହିଛି । ଆବଶ୍ୟକୀୟ କର୍ମଚାରୀ ଅଭାବରୁ ବିଭାଗ ଏହାକୁ କାର୍ଯ୍ୟକ୍ଷମ କରିପାରୁନାହିଁ । ଏହାକୁ ଠିକା ଭିତ୍ତିରେ ଦେବା ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଟେଣ୍ଡର ପାଇଁ ବିଜ୍ଞପ୍ତି ବାହାରିଥିଲା । କିନ୍ତୁ ଏହାକୁ କେହି ନେବା ପାଇଁ ଇଚ୍ଛା ପ୍ରକାଶ କରୁନଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଶୀତଳ ଭଣ୍ଡାରର ଭବିଷ୍ୟତ ଅନ୍ଧାରରେ ରହିଛି । ସେପଟେ ଶୀତଳ ଭଣ୍ଡାର ସମସ୍ୟା ପାଇଁ ଚାଷୀମାନେ କେତେବେଳେ ଶାଗ ମାଛ ଦରରେ ପରିବା ବିକୁଛନ୍ତି ତ ଆଉ କେବେ ବିଲରୁ ପରିବା ନତୋଳି ନଷ୍ଟ ହେବା ପାଇଁ ଛାଡ଼ି ଦେଉଛନ୍ତି ।


କେବେ ହୋଇଥିଲା ଉଦଘାଟନ ଓ କଣ ରହିଥିଲା ସୁବିଧା:

୨୦୨୫ ଡିସେମ୍ବର ୧୫ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ପାଇଁ ସରକାରୀ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯାଇଥିଲା । ୧ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ୫୦୦ ମେଟ୍ରିକ ଟନ ବିଶିଷ୍ଟ ଜିଲ୍ଲାର ଏହି ପ୍ରଥମ ସରକାରୀ ଶୀତଳଭଣ୍ଡାରରୁ ଚାଷୀମାନେ ବହୁ ସୁବିଧା ପାଇବାର ଲକ୍ଷ୍ୟ ରହିଥିଲା ।ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସାଂସଦ, କେନ୍ଦ୍ରାପଡା ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଶୀତଳଭଣ୍ଡାର ଯୋଗୁଁ ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ ବୋଲି କହିଥିଲେ ।


ଶୀତଳଭଣ୍ଡାର ଉଦଘାଟନ ସମୟରେ କିଏ କଣ କହିଥିଲେ:

ଏହି ଶୀତଳଭଣ୍ଡାର ଉଦଘାଟନ ଅବସରରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡା କହିଥିଲେ ଯେ, କେନ୍ଦ୍ରାପଡାରେ ଶୀତଳଭଣ୍ଡା ହେବ ବୋଲି ବହୁତ ଦିନରୁ ଦାବି ଓ ସ୍ୱପ୍ନ ଥିଲା । ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢ଼ାଇ ଏହାକୁ ସୁଦୃଢ କରାଇବା ପାଇଁ ଶୀତଳଭଣ୍ଡାର ନିହାତି ଦରକାର ଥିଲା । ତେଣୁ ଜିଲ୍ଲାରେ ଶୀତଳଭଣ୍ଡାର କରାଯିବା ସହ ଲୋକଙ୍କ ସ୍ବପ୍ନ ପୂରଣ କରାଯାଇଛି । ଚାଷୀ ଭାଇମାନେ ଏହି ଶୀତଳଭଣ୍ଡାରର ଲାଭ ଉଠାଇବା ସହ ଏହାକୁ ବ୍ୟବହାର କରିବା ଉଚିତ ।

Even After Inauguration Cold Storage facility is Not Functioning In Kendrapara

ସେପଟେ ଏଥିରେ ୧ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଯାହା ସମ୍ପୂର୍ଣ୍ଣ ୯ଟି ବ୍ଲକର ଚାଷୀଙ୍କ କାମରେ ଆସିବ । ଏହାକୁ ପରିଚାଳନା କରିବା ପାଇଁ ଟେଣ୍ଡର କରାଯାଇଛି । ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇ ଯିଏ ଟେଣ୍ଡର ପାଇବ ସେ ହିଁ ଶୀତଳଭଣ୍ଡାର ଚାଲୁ କରିବ ବୋଲି କେନ୍ଦ୍ରାପଡା ଜିଲ୍ଳାପାଳ ରଘୁରାମ ଆର ଆୟର କହିଥିଲେ ।

ଟେଣ୍ଡର ବିଜ୍ଞପ୍ତି:

୨୦୨୫ ଡିସେମ୍ବର ମାସରେ ଏହି ଶୀତଳ ଭଣ୍ଡାରକୁ ପରିଚାଳନା କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ NIC ମାଧ୍ୟମରେ ଟେଣ୍ଡର ବିଜ୍ଞପ୍ତି ବାହାରିଥିଲା । କିନ୍ତୁ କେହି ଜଣେ ହେଲେ ବ୍ୟକ୍ତି ଏହି ଶୀତଳ ଭଣ୍ଡାର ପରିଚାଳନା ସମ୍ବନ୍ଧୀୟ ଟେଣ୍ଡର ପକାଇନଥିଲେ । ଦ୍ବିତୀୟଥର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମାତ୍ର ଜଣେ ବ୍ୟକ୍ତି ଏହାକୁ ପରିଚାଳନା ପାଇଁ ଟେଣ୍ଡର ପକାଇଥିଲେ । ଜଣେ ମାତ୍ର ଆବେଦନକାରୀ ରହିଥିବାରୁ ଜିଲ୍ଲାସ୍ତରୀୟ ଟେକ୍ନିକାଲ ଟିମ ଏହାର ସମୀକ୍ଷା କରିଥିଲେ ।

Even After Inauguration Cold Storage facility is Not Functioning In Kendrapara

ବିଲରେ ଗଡୁଛି ପନିପରିବା:

ଚାଷୀଙ୍କ ଉତ୍ପାଦିତ ପନିପରିବା ଓ ଫଳମୂଳ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଆବଶ୍ୟକତା ରହିଛି । କିନ୍ତୁ କେନ୍ଦ୍ରାପଡ଼ାରେ ଶୀତଳ ଭଣ୍ଡାର ଥାଇ ମଧ୍ଯ ତାହା ନଥିବା ଭଳି । ତେଣୁ ଚାଷୀମାନେ ପନିପରିବା ସଂରକ୍ଷିତ ରଖିନପାରି ଖର୍ଚ୍ଚ ଠାରୁ କମ ମୂଲ୍ୟରେ ବିକ୍ରି କରୁଛନ୍ତି । କେହି କେହି ପରିବା ନ ତୋଳି ନଷ୍ଟ ହେବା ପାଇଁ ଛାଡ଼ି ଦେଉଛନ୍ତି ।

ଏନେଇ ଇନ୍ଦୁପୁର ଅଞ୍ଚଳର ମହିଳା ଚାଷୀ ଦେବସ୍ମିତା ଜେନା କହିଛନ୍ତି,"ମୁଁ ୮ ଏକର ଜମିରେ ପରିବା ଚାଷ କରୁଛି । ବଜାରରେ ପରିବାର ଉଚିତ ଦାମ ମିଳୁନି । ବିଲରୁ ପରିବା ନେଇ ବଜାରକୁ ନେଇ ଗଲା ବେଳକୁ ଟମାଟୋ କିଲୋ ପିଛା ଦୁଇରୁ ପାଞ୍ଚ ଟଙ୍କା ମିଳୁଛି । ତେଣୁ ବଜାରକୁ ପରିବା ନନେଇ ବିଲରେ ରଖିଦେଉଛୁ ଓ ତାହା ନଷ୍ଟ ହୋଇ ମାଟିରେ ମିଶୁଛି । ଶୀତଳ ଭଣ୍ଡାର ଥିଲେ ଆମେ ତାହାକୁ ନେଇ ରଖି ପରବର୍ତ୍ତୀ ସମୟରେ ବିକ୍ରି କରି ପାରିଥାଆନ୍ତୁ । ଦୁହୁରିଆରେ ନୂଆ କରି ନିର୍ମାଣ ହୋଇଥିବା ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇନାହିଁ, ତେଣୁ ଆମର ଜିନିଷ ଅମଳ ବେଳେ ଏହା ବିଲରେ ଖତ ଖାଉଛି ।"

Even After Inauguration Cold Storage facility is Not Functioning In Kendrapara

ଓଡିଶା ଚାଷୀଙ୍କ ଉତ୍ପାଦନ ଅନ୍ୟ ରାଜ୍ୟ ଅପେକ୍ଷା କମ:

ଓଡ଼ିଶାର ୩୧୪ଟି ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ନେଇ ବିଭିନ୍ନ ସମୟରେ କହି ଆସିଛନ୍ତି । ମାତ୍ର ଯଥେଷ୍ଟ ପରିମାଣରେ ଉତ୍ପାଦନ ନାହିଁ, ତେଣୁ ଶୀତଳ ଭଣ୍ଡାର ଗୁଡିକଖାଲି ରହୁଛି । ଚାଷୀ, ବ୍ୟବସାୟୀ, ଶୀତଳ ଭଣ୍ଡାର ମଧ୍ୟରେ ଉପଯୁକ୍ତ ସମନ୍ୱୟ ନାହିଁ, ସରକାର କାହାକୁ ଋଣ କି ସବ୍‌ସିଡି ଦେଲେ ତାହାର ଦାୟିତ୍ୱ ନାହିଁ । ଆନ୍ଧ୍ରରେ ୨୦୦, ପଶ୍ଚିମବଙ୍ଗରେ ୫୦୦, ଝାଡଖଣ୍ଡରେ ୧୦୦ ଓ ଛତିଶଗଡ଼ରେ ୨୦୦ଟି ଶୀତଳ ଭଣ୍ଡାର ଚାଲୁଛି । କିନ୍ତୁ ଓଡ଼ିଶାରେ ଏଠାରେ ୩୦ଟି ଶୀତଳ ଭଣ୍ଡାରକୁ ସାମଗ୍ରୀ ବା ପରିବା ନାହିଁ । ସରକାର ୪ ଲକ୍ଷ ମେଟ୍ରିକ ଟନ ପନିପରିବା ଉତ୍ପାଦନ କରିଛନ୍ତି ବୋଲି କହୁଥିବା ବେଳେ ୩୦ଟି ଶୀତଳ ଭଣ୍ଡାରରେ ଦେଢ଼ ଲକ୍ଷ ମେଟ୍ରିକ ଟନ ପନିପରିବା ହେଲେ ଏହା ଭର୍ତ୍ତି ହୋଇଯିବ ।

ଯଦି ୪ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହେଉଛି ତେବେ ଦେଢ଼ ଲକ୍ଷ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ଫାଙ୍କା ରହୁଛି । ସାରା ଭାରତରେ ଆଳୁ ୨୦% ଅଧିକ ଉତ୍ପାଦନ ହୋଇଛି । ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଅଧିକ ଆଳୁ ଉତ୍ପାଦନ ହୋଇଥିବା ବେଳେ ଓଡ଼ିଶାରେ ସେହି କମ ଉତ୍ପାଦନ ହେଉଛି । ଜଣେ ଚାଷୀ ଅଧ ଏକର ଚାଷ କଲେ ସେ ସାମଗ୍ରୀ କେଉଁଠି ରଖିବ ? । ଗୋଟିଏ ଶୀତଳ ଭଣ୍ଡାରରେ ହଜାର ଏକରର ପରିବା ରହିପାରିବ । କେନ୍ଦ୍ରାପଡା ଜିଲ୍ଲାରେ ଥିବା ଶୀତଳ ଭଣ୍ଡାର ପରିଚାଳନା ପାଇଁ ୮୦% ଶୀତଳ ଭଣ୍ଡାର ପୂର୍ଣ୍ଣ ହେବା ଭଳି ପନିପରିବା ଦରକାର । ଯାହାଦ୍ୱାରା ବିଦ୍ୟୁତ ବିଲ, ଷ୍ଟାଫ ପେମେଣ୍ଟ, ମେଣ୍ଟେନାନ୍ସ ଭଳି କାର୍ଯ୍ୟ କରି ଜଣେ ଲାଭବାନ ହୋଇପାରିବ କିନ୍ତୁ ଉତ୍ପାଦନ କମିଥିବାରୁ ଚାଷୀ ମଧ୍ୟ ଶୀତଳ ଭଣ୍ଡାରକୁ ଆସୁନାହାନ୍ତି ତେଣୁ କିଏ କାହିଁକି ଜାଣି ଜାଣି କ୍ଷତି ସହିବ ବୋଲି ଶୀତଳ ଭଣ୍ଡାର ରାଜ୍ୟ ସଭାପତି ଜନାର୍ଦ୍ଦନ ସାହୁ କହିଛନ୍ତି ।

Even After Inauguration Cold Storage facility is Not Functioning In Kendrapara

ଶୀତଳ ଭଣ୍ଡାର ପରିଚାଳନା:

ନିୟନ୍ତ୍ରିତ ବଜାର କମିଟି (RMC)ର ସମ୍ପାଦକ ବିଦ୍ୟାଧର ବେହେରା କହିଛନ୍ତି, "ତୃତୀୟ ପକ୍ଷକୁ ପରିଚାଳନା ଦାୟିତ୍ବ ଦେବାକୁ ଟେଣ୍ଡର କରାଯାଇଥିଲା । କିନ୍ତୁ କେହି ଆବେଦନକାରୀ ନଥିଲେ । ପରେ ପୁନରାୟ ଟେଣ୍ଡର କରିବା ପରେ ଜଣେ ମାତ୍ର ଆବେଦନ କଲେ ଓ ଏହାକୁ ଟେକ୍ନିକାଲ କମିଟି ଗ୍ରହଣ କରି OSAMB (ଓଡିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡ)କୁ ପଠାଇଛି । ସେଠାରୁ ଏହି ଟେଣ୍ଡର ଅନୁମୋଦନ ହୋଇ ଆସିଲେ ଆମେ ମାସିକ ୩୫ ହଜାର ଟଙ୍କା ଘରଭଡା ଭିତ୍ତିରେ ଚୁକ୍ତି କରିବୁ । ଚାଷୀଙ୍କର ଶୀତଳ ଭଣ୍ଡାରକୁ ନେଇ ଯାହା ବି ଅସୁବିଧା ହେଉଛି ତାହା ଖୁବ କମ ଦିନରେ ସମାଧାନ ହୋଇଯିବ ।"

No comments:

COASTAL NEWS

କାର୍ଯ୍ୟକ୍ଷମ ହୋଇପାରୁନି ଶୀତଳ ଭଣ୍ଡାର

କାର୍ଯ୍ୟକ୍ଷମ ହୋଇପାରୁନି ଶୀତଳ ଭଣ୍ଡାର, ଶାଗ-ମାଛ ଦରରେ ପରିବା ବିକୁଛନ୍ତି ଚାଷୀ ଅମଳ ସମୟରେ ମିଳିଲା ନାହିଁ ଶୀତଳ ଭଣ୍ଡାର ସୁବିଧା । ଟମାଟୋ କିଲୋପିଛା ୨ ଟଙ୍କା । ଶୀ...