ଭୁବନେଶ୍ୱର, ୨୨/୦୪: ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମଧ୍ୟରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭାରତ ସରକାର ରବି ୨୦୨୫-୨୬ ପାଇଁ ମୂଲ୍ୟ ସହାୟକ ଯୋଜନା ଅଧୀନରେ ଡାଲି ଏବଂ ତୈଳବୀଜ କ୍ରୟକୁ ଅନୁମୋଦନ କରିଛନ୍ତି। ଅନୁମୋଦନ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଅନୁଷ୍ଠାନିକ ଭାବେ ଅନୁରୋଧ କରାଯାଇଥିଲା। ଅନୁମୋଦିତ ଫସଲ ମଧ୍ୟରେ ମୁଗ ଏବଂ ବିରି ଭଳି ଡାଲି ଜାତୀୟ ଫସଲ ଏବଂ ସୂର୍ଯ୍ୟମୁଖୀ, ଚିନାବାଦାମ ଓ ସୋରିଷ ଆଦି ତୈଳବୀଜ ଫସଲ ଅନ୍ତର୍ଭୁକ୍ତ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶା ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ସୂର୍ଯ୍ୟମୁଖୀ ଉତ୍ପାଦନକୁ ସୁଦୃଢ଼ କରିବା ପାଇଁ ଏବଂ କୃଷକମାନଙ୍କୁ ଉତ୍ତମ ମୂଲ୍ୟ ସହାୟତା ସୁନିଶ୍ଚିତ କରିବା ପାଇଁ ସୂର୍ଯ୍ୟମୁଖୀର ଉତ୍ପାଦନ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ରାଜ୍ୟ ସରକାର କୃଷକଙ୍କ ଉତ୍ପାଦଗୁଡ଼ିକୁ ସ୍ୱଚ୍ଛତାର ସହ ସମୟୋଚିତ କ୍ରୟ ସୁନିଶ୍ଚିତ କରିବା ପାଇଁ ରବି ୨୦୨୫-୨୬ ବର୍ଷରେ ମୂଲ୍ୟ ସହାୟକ ଯୋଜନା ଅଧୀନରେ କ୍ରୟ କାର୍ଯ୍ୟର ନିରନ୍ତର ତଦାରଖ କରିବେ, ଯାହା ଦ୍ୱାରା କୃଷକମାନଙ୍କୁ ଉତ୍ପାଦିତ ଫସଲର ଉଚିତ୍ ମୂଲ୍ୟ ପ୍ରଦାନ କରାଯାଇପାରିବ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, କୃଷି ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଯୋଗଦେଇଥିଲେ।

No comments:
Post a Comment