AFFILIATE MARKETING

https://binomo.com?a=90810425bb57&t=0

Wednesday, April 30, 2025

ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା” ଯୋଜନା ନିମନ୍ତେ ପାଣ୍ଠି ବ୍ୟବସ୍ଥା

ଆଗ୍ରହୀ ବ୍ୟକ୍ତି, ସମୁହ ପଞ୍ଜୀକୃତ ଚାଷୀ,କୃଷକ ଉତ୍ପାଦକ ଗୋଷ୍ଠୀ GO-SUGAM ପୋର୍ଟାଲରେ ଆବେଦନ କରିପାରିବେ

ଭୁବନେଶ୍ୱର, ୨୯/୦୪: ଆମ ରାଜ୍ୟର ଚାଷୀମାନେ ଉତ୍ପାଦନ କରୁଥିବା ଆଳୁ, ବିଭିନ୍ନ ପନିପରିବା ଓ ଫଳ ଆଦିକୁ ସଂରକ୍ଷିତ କରି ରଖିବା ବଡ ଆହ୍ଵାନ ପାଲଟିଥିଲା I ଉପଯୁକ୍ତ ଭିତ୍ତିଭୂମି ଅଭାବ ଯୋଗୁଁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ I ଅଧିକାଂଶ ସମୟରେ ସେମାନଙ୍କୁ କ୍ଷତି ସହିବାକୁ ପଡୁଥିଲା I 

ତେଣୁ ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ନୂତନ ରାଜ୍ୟ ଯୋଜନା “ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା” ଯୋଜନା ନିମନ୍ତେ ପାଣ୍ଠି ବ୍ୟବସ୍ଥାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି I “ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା” ଯୋଜନାରେ ରାଜ୍ୟର ୫୮ ଟି ଉପଖଣ୍ଡ ରେ ଅତି କମରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି I ଏହା ଦ୍ଵାରା ଚାଷୀମାନେ ନିଜ ଫସଲକୁ ସଂରକ୍ଷିତ କରି ରଖିବା ସହିତ ପରବର୍ତ୍ତୀ ସମୟରେ ବଜାରରେ ଏହାକୁ ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବେ I 

ଶୀତଳ ଭଣ୍ଡାରରେ ବିଭିନ୍ନ ପନିପରିବା ଓ ଫଳ ସରଂକ୍ଷିତ ହୋଇ ରହିବା ଫଳରେ ବଜାର ମୂଲ୍ୟରେ ନିୟନ୍ତ୍ରଣ ଆସିପାରିବ I ଚାଷୀ ଭାଇ ଭଉଣୀମାନେ ବଜାରରେ ଯେଉଁ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିଲେ, ସେଥିରେ ବିଶେଷ ଉନ୍ନତି ଆସିପାରିବ I ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁତ୍ୱ ଦେଇଆସିଛନ୍ତି । ବିଭିନ୍ନ ସମୟରେ ଏନେଇ କମ୍ପାନୀ ମାନଙ୍କ ସହ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି ।

ଏହି ଯୋଜନା ଉନ୍ନତ ବଜାର ଦର ସୁଯୋଗ, କୃଷି ଓ ଉଦ୍ୟାନ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଦ୍ରବ୍ୟର ମୂଲ୍ୟ-ଯୋଗ ଏବଂ ପ୍ରକ୍ରିୟାକରଣ, ଅମଳ ପରବର୍ତ୍ତୀ ଫସଲ କ୍ଷୟକ୍ଷତି ଓ ଅମଳ ହୋଇଥିବା ଫସଲର ଅଭାବୀ ବିକ୍ରି ହ୍ରାସ ଏବଂ ଶୀତଳ ଭଣ୍ଡାର ମାଧ୍ୟମରେ ମଧ୍ୟମ ଅବଧି ସଂରକ୍ଷଣ ସୁବିଧା ଯୋଗାଇ କୃଷକମାନଙ୍କ ପାଇଁ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ I

ଏହି ଯୋଜନାଟିର ସୁପରିଚାଳନା ନିମନ୍ତେ ୫ବର୍ଷ ଅବଧି (୨୦୨୫-୨୬ ରୁ ୨୦୨୯-୩୦) ପାଇଁ ୨୫୨.୦୦କୋଟି ଟଙ୍କାର ବଜେଟ୍ ଅନୁମୋଦନ କରାଯାଇଛି।

ଏହି ଯୋଜନାରେ ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତି/ ମହିଳା/ ତୃତୀୟ ଲିଙ୍ଗ ହିତାଧିକାରୀ ଏବଂ ଅନୁସୂଚିତ ଅଞ୍ଚଳର ହିତାଧିକାରୀଙ୍କୁ ସ୍ଥାୟୀ ପୁଞ୍ଜି ବ୍ୟୟର ୬୦% ବା ସର୍ବାଧିକ ୬.୫୦କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ ଏବଂ ଅନ୍ୟାନ୍ୟ ହିତାଧିକାରୀ ଙ୍କୁ ସ୍ଥାୟୀ ପୁଞ୍ଜି ବ୍ୟୟର ୫୦% ବା ସର୍ବାଧିକ ୬.୦୦ କୋଟି ଟଙ୍କା ସବସିଡି ପ୍ରଦାନ କରାଯିବ। 

ସ୍ଥାୟୀ ପୁଞ୍ଜି ଉପରେ ୬% ସୁଧରେ ଆର୍ଥିକ ସହାୟତା ପ୍ରଦାନ କରାଯିବ I କାର୍ଯ୍ୟକାରୀ ପୁଞ୍ଜିର ଋଣ ଉପରେ ଲାଗୁ ହେଉଥିବା ସୁଧ ଉପରେ ମଧ୍ୟ ଫେରସ୍ତର ପ୍ରIବଧାନ କରାଯାଇଛି I ନୂତନ ଶୀତଳ ଭଣ୍ଡାର, ପୁରାତନ ଶୀତଳ ଭଣ୍ଡାର ଏବଂ ଭବିଷ୍ୟତରେ ପୁନଃରୁଦ୍ଧIର ହେବାକୁ ଥିବା ଶୀତଳ ଭଣ୍ଡାରର ବିଦ୍ୟୁତ ଶୁଳ୍କ ଉପରେ ୭ ବର୍ଷ ପର୍ଯ୍ୟନ୍ତ ୫୦% ରିହାତିର ସୁବିଧା ରହିଛି  I ଅଣକାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରର ପୁନଃରୁଦ୍ଧIର ପାଇଁ ସର୍ବାଧିକ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ଵତନ୍ତ୍ର ଆର୍ଥିକ ପ୍ରIବଧାନ ରହିଛି I

ଆଗ୍ରହୀ ବ୍ୟକ୍ତି, ସମୁହ ପଞ୍ଜୀକୃତ ଚାଷୀ (କୃଷକ ଉତ୍ପାଦକ ଗୋଷ୍ଠୀ, ଆଗ୍ରହୀ କୃଷକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ସମବାୟ ସମିତି), ପଞ୍ଜିକୃତ ଗୋଷ୍ଠୀ ଆଧାରିତ ସଂସ୍ଥା,ଶିଳ୍ପ ସଂଘ ଏବଂ ଘରୋଇ  ଉଦ୍ୟୋଗୀମାନେ ଆବଶ୍ୟକ ପ୍ରମାଣପତ୍ର ସହିତ ରାଜ୍ୟ ସରକାରଙ୍କ 

GO-SUGAM ପୋର୍ଟାଲରେ (sugam.odisha.gov.in) ଆବେଦନ କରିପାରିବେ I ଅଧିକ ସୂଚନା ପାଇଁ ଆଗ୍ରହୀ ବ୍ୟକ୍ତି ଓ ଘରୋଇ ଉଦ୍ୟୋଗୀ ନିକଟସ୍ଥ ଉଦ୍ୟାନକୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ I ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଅଦ୍ୟାବଧି ୨୧ ଜଣ ଉଦ୍ୟୋଗୀ ଏହି ଯୋଜନାରେ GO-SUGAM ପୋର୍ଟାଲରେ ଆବେଦନ କରିଛନ୍ତି

Monday, April 28, 2025

ଅଟାରି-ୱାଘା ସୀମା ଦେଇ ଭାରତ ଛାଡିଲେ ୨୭୨ ପାକିସ୍ତାନୀ ନାଗରିକ

ଅଟାରି-ୱାଘା ସୀମା ଦେଇ ଭାରତ ଛାଡିଲେ ୨୭୨ ପାକିସ୍ତାନୀ ନାଗରିକ

ମହାରାଷ୍ଟ୍ରରେ ରହୁଛନ୍ତି ସର୍ବାଧିକ ୫୦୫୦ ପାକିସ୍ତାନୀ ନାଗରିକ।

ପାକିସ୍ତାନ ଛାଡ଼ିଲେ ୬୨୯ ଭାରତୀୟ

ନୂଆଦିଲ୍ଲୀ, ୨୭/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଦେଶରେ ଥିବା ସବୁ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡି ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ୨୭ ତାରିଖ ଡେଡ୍ ଲାଇନ ଦେଇଥିଲେ। ଭାରତ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ‘ଲିଭ୍ ଇଣ୍ଡିଆ’ ନୋଟିସ୍ ଜାରି କରିଥିଲେ। ସେହିପରି ପାକିସ୍ତାନରେ ଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରି ଆସିବା ପାଇଁ କହିଥିଲେ।

ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୨୭୨ ଜଣ ପାକିସ୍ତାନୀ ନାଗରିକ ଅଟାରି-ୱାଘା ସୀମା ଦେଇ ଭାରତ ଛାଡିଛନ୍ତି। ୧୩ ଜଣ କୂଟନୀତିଜ୍ଞ ଓ ଅଧିକାରୀଙ୍କ ସମେତ ୬୨୯ ଜଣ ଭାରତୀୟ ପଞ୍ଜାବରେ ଥିବା ଅନ୍ତର୍ଜାତୀୟ ସୀମା ପାର ହୋଇ ପାକିସ୍ତାନରୁ ଫେରିଛନ୍ତି।

ଏପ୍ରିଲ ୨୫ ତାରିଖରେ ଅଟାରି-ୱାଘା ସୀମା ଦେଇ ୧୯୧ ଜଣ ଓ ଏପ୍ରିଲ ୨୬ ତାରିଖରେ ଆଉ ୮୧ ଜଣ ପାକିସ୍ତାନୀ ନାଗରିକ ଭାରତ ଛାଡ଼ିଥିଲେ। ସେହିପରି ଏପ୍ରିଲ ୨୫ରେ ୨୮୭ ଜଣ ଏପ୍ରିଲ ୨୬ରେ ୧୩ ଜଣ କୂଟନୀତିଜ୍ଞ ଏବଂ ଅଧିକାରୀଙ୍କ ସମେତ ସମୁଦାୟ ୩୪୨ ଜଣ ଭାରତୀୟ ଅଟାରି-ୱାଘା ସୀମା ଦେଇ ପାକିସ୍ତାନରୁ ଭାରତକୁ ଫେରିଥିଲେ।

ରବିବାର ତଥା ଏପ୍ରିଲ୍ ୨୭ ସୁଦ୍ଧା ଭିସା ଅନ ଆରାଇଭାଲ, ବିଜନେସ, ଫିଲ୍ମ, ସାମ୍ବାଦିକ, ଟ୍ରାନଜିଟ୍, କନଫରେନ୍ସ, ପର୍ବତାରୋହଣ, ଛାତ୍ର, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଯେଉଁମାନଙ୍କ ପାଖରେ ଦୀର୍ଘମିଆଦୀ ଓ କୂଟନୈତିକ କିମ୍ବା ସରକାରୀ ଭିସା ରହିଛି ସେମାନଙ୍କୁ ‘ଲିଭ୍ ଇଣ୍ଡିଆ’ ନୋଟିସରୁ ବାଦ୍ ଦିଆଯାଇଥିଲା। ଯେଉଁମାନଙ୍କ ପାଖରେ ମେଡିକାଲ ଭିସା ରହିଛି ସେମାନେ ଏପ୍ରିଲ ୨୯ ତାରିଖ ଭିତରେ ଭାରତ ଛାଡିବେ।

ଯେହେତୁ ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ବିମାନ ସେବା ନାହିଁ, ତେଣୁ କିଛି ପାକିସ୍ତାନୀ ନାଗରିକ ଅନ୍ୟ ଦେଶକୁ ମଧ୍ୟ ଚାଲି ଯାଇ ଥାଇପାରନ୍ତି ବୋଲି ସୂଚନା ମିଳିଛି।

ଅନ୍ୟପଟେ ସୂଚନା ମିଳିଛି ଯେ, ପାଖାପାଖି ୫୦୫୦ ପାକିସ୍ତାନୀ ନାଗରିକ ମହାରାଷ୍ଟ୍ରରେ ରହୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୀର୍ଘମିଆଦୀ ଭିସାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦୭ ଜଣ ପାକିସ୍ତାନୀ ନାଗରିକଙ୍କ ସନ୍ଧାନ ମିଳୁନାହିଁ। ସେହିପରି ତେଲେଙ୍ଗାନାରେ ୨୦୮ ଜଣ, କେରଳରେ ୧୦୪ ଜଣ, ମଧ୍ୟପ୍ରଦେଶରେ ପ୍ରାୟ ୨୨୮ ଜଣ, ଓଡ଼ିଶାରେ ୧୨ ଜଣ ଓ ଗୋଆରେ ତିନି ଜଣ ପାକିସ୍ତାନୀ ନାଗରିକ ରହୁଥିବାର ସୂଚନା ମିଳିଛି।

ଓଡ଼ିଶାରେ ପଶୁପାଳନ ର ଇତିବୃତି

ହଜାର ହଜାର ବର୍ଷର ଇତିହାସକୁ ଗର୍ଭାନୁଶୀଳନ କଲେ ଜଣାଯାଏ ଯେ ଆମର ଏଇ ପ୍ରିୟ ଜନ୍ମଭୂମି ଓଡ଼ିଶା ମାନବ ସଭ୍ୟତାର ଅନ୍ତୁଡିଶାଳ । ଆମର ଏଇ ମତ୍ସ୍ୟ ଦେଶର  ପୂର୍ବଜ ମାନଙ୍କ ଜୀବନ ଜୀବିକା ନିର୍ବାହ ର ଭିତ୍ତି ଥିଲା ପଶୁ ପାଳନ । ପରବର୍ତ୍ତୀ ସମୟରେ କୃଷି କର୍ମ କୁ ଆଦରି ନେଇଥିଲେ ସେମାନେ । ବିଶ୍ବର ପ୍ରଥମ ଧାନ ଚାଷ ର ମାଟି ଆମର କୋରାପୁଟ । ସେହି ଆଦିମ ସଭ୍ୟତା ଆରମ୍ଭ ରୁ  ଆମର ପୂର୍ବପୁରୁଷ ମାନେ ପଶୁପାଳନ ନିମନ୍ତେ ସୃଷ୍ଟି କରିଥିଲେ ଚାରଣ ଭୂମି । ଏହି କ୍ରିୟା ମଧ୍ୟ ଚଳିଆସିଥିଲା ପରାଧିନ ଓଡ଼ିଶା ରେ ।   ଚାରଣ ଭୂମିର ଉନ୍ନତି ଓ ସଂରକ୍ଷଣ ଏକ ମହତ୍ କାର୍ଯ୍ୟ ଭାବେ ବିବେଚିତ ହେଉଥିବା ସମ୍ପର୍କରେ ପୌରାଣିକ ଯୁଗରେ ରାଜା ମହାରାଜା ଙ୍କ ଦ୍ଵାରା ମାନ୍ୟତା ଲାଭ କରିଥିଲା । ରାଜା ଦିଲ୍ଲୀପଙ୍କ ଠାରୁ ବିରାଟ ରାଜାଙ୍କ ଗୋ ସମ୍ପଦ , ଦୁର୍ଯ୍ୟୋଧନ ଙ୍କ ନେତୃତ୍ବରେ ଗୋ ସମ୍ପଦ ହରଣ, ଅଜ୍ଞାତବାସ ରେ ଥିବା ବୃହନଳା ଅର୍ଜୁନ ଓ  ରାଜ କୁମାର ଉତ୍ତରଙ୍କ ପ୍ରସଙ୍ଗ ଭଳି ରହିଛି ହଜାର ହଜାର ଉଦାହରଣୀୟ ତଥ୍ୟ ।  ଚାରଣ ଦ୍ବାରା ପାଳିତ ପ୍ରାଣୀ ଯଥା ଗାଈ, ମଇଁଷି ,ବଳଦ, ଛେଳି, ମେଣ୍ଢା ଙ୍କ ଦ୍ଵାରା ମଣିଷ ଉପକୃତ ହୋଇଥାନ୍ତି । କ୍ଷୀର, ଦହି ଓ ଘିଅ ର ଔଷଧୀୟ ଗୁଣ ସର୍ବଜନ ବିଦିତ । ଗାଈ ଗୋରୁ ମାନେ ଚାରଣ ଭୂମିରେ ଚରିବା ସମୟରେ ପ୍ରାୟତଃ ୨୩ ପ୍ରକାର ଘାସ ଖାଇଥାନ୍ତି ବୋଲି ପଶୁ ପାଳନ, କୃଷି ବିଶେଷଜ୍ଞ ମାନେ ମତ ଦେଇଥାନ୍ତି । ଆମ ଓଡ଼ିଶା ମାଟି ହେଉଛି ବିଶ୍ଵ ର ଏକମାତ୍ର ସ୍ଥାନ, ଯେଉଁଠି  ସବୁ ପ୍ରକାର ରସ ଯୁକ୍ତ ଘାସ ଉପଲବ୍ଧ ଥିଲା । ବିଶେଷ କରି ଦୁବ,ମୁଥା, ଭୂଇଁକାମୁରା, କନରା,ସାମଣା, ପୋକଶୁଙ୍ଘା,ଚାଣ୍ଟି,ପାନିଆ ପତରି, ରାମ ଶିଆଳି, ଭୂଇଁ ଅଁଳା,କାନସୁରୀ,କଣ୍ଟା ବାଉଁଶ,ବେଣା, ସବାଇଘାସ, ଟାଉଁଶିଆ,କଙ୍କିକ୍ଷୀର, ବାଉଁଶପତରି,ଚରେଇଗୁଡି, ବିଶଲ୍ୟକରଣୀ, ଲାଜକୁଳୀ ଆଦି ଘାସ ଆମେ ପିଲାଦିନେ ଦେଖିଥିଲୁ । ଆଜି ଏଥିରୁ ଅନେକ ଲୁପ୍ତ । କାରଣ ବିଗତ ପଚାଶ ବର୍ଷ ଧରି କ୍ରମାଗତ ଭାବେ ଅନାବାଦୀ ଚାରଣ ଭୂମି ଜବର ଦଖଲ ହୋଇ ଚାଲିଛି, ବର୍ତ୍ତମାନ ଏହାର ସ୍ଥିତି ବିପନ୍ନ ।  ଆଜି ଓଡ଼ିଆ ଖାଉଟି  ଓମଫେଡ ଭଳି ସଂସ୍ଥା  ଉପରେ ନିର୍ଭରଶୀଳ । ଆନ୍ଧ୍ର ରୁ ଆସୁଥିବା ଚୁନି ଚୋକଡ ଖାଇ , ଅଧିକ କ୍ଷୀର ଆଦାୟ ପାଇଁ ଇଞ୍ଜେକସନ ଫୋଡା ଖାଉଥିବା ଗାଈ , ମଇଁଷି ର କ୍ଷୀର ରେ କ'ଣ ଅଛି ?  ଉଦାହରଣ ସ୍ୱରୂପ ଦୂବ ଘାସରେ ରକ୍ତହୀନତା କୁ ଚିକିତ୍ସା କରିବାର ତତ୍ତ୍ଵ ରହିଛି । ଆମେ ଶହଶହ ଥର ଦେଖିଛୁ ଯେ ହଳ କରିବା ସମୟରେ ହଳୁଆ ଙ୍କ ଗୋଡ଼ ଲଙ୍ଗଳ ଲୁହା ରେ କ୍ଷତାକ୍ତ ହେଲେ ସେ  ମହାଶୟ ଦୁବ ଘାସ ଚୋବେଇ କ୍ଷତ ସ୍ଥାନ ରେ ବାନ୍ଧି ଦେଉଥିଲେ । ଆମେ ମଧ୍ୟ ପିଲାଦିନେ  ଖେଳିବା ସମୟରେ , ଶଗଡ଼ ଗୁଳା ରେ ସାଇକେଲ ଶିଖିବା ସମୟରେ ଅନେକ ଥର ହାତ ଗୋଡ ରେ କ୍ଷତ ହେଲେ ଏହି ଉପାୟରେ ଭଲ ହୋଇଥିଲୁ ।  ସେହିପରି ପୋକଶୁଙ୍ଘା ଘାସରେ ଘା ଶୁଖିବା ପାଇଁ ଭରପୂର ଗୁଣ ରହିଛି, ଯାହାକୁ ଏଲୋପାଥି ଚିକିତ୍ସା ବିଜ୍ଞାନ ରେ ଆଣ୍ଟିବାୟୋଟିକ୍ସ କୁହାଯାଏ । ଅତଏବ ଘାସ ଖାଇ କ୍ଷୀର ଦେଉଥିବା ଗାଈ କ୍ଷୀର ରେ  ଯାହା , ତାହା ଚୋକଡ ଖାଉଥିବା ଗାଈ କ୍ଷୀର ରେ ନଥାଏ । ଯେପରି ନିଜର ଜନ୍ମଦାତ୍ରୀ କୁ ବୋଉ ବୋଲି ଡାକିଦେଲେ ଯେଉଁ ଭାଵ ଅନ୍ତର ଭିତରୁ ବାହାରି ଆସେ, ସେହି ଭାବ କ'ଣ ଚଳଚ୍ଚିତ୍ର, ନାଟକ, ଧାରାବାହିକ ଆଦି ରେ  ମା ଭୂମିକା ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କୁ ସମ୍ବୋଧନ କଲେ ଆସିଥାଏ କି ? ସେହିପରି ଆମର ନନା ( ବାପା) ନିଜେ ଗାଈ,ବଳଦ ଙ୍କୁ ଖୁଆଇ  ,ପାଳ ପକେଇ ସାରି ଗାଧୋଇବାକୁ ପୋଖରୀ କୁ ଯାଇଥାନ୍ତି । ସେ ଯେଉଁ  ତୋରାଣି କରିଥାନ୍ତି , ତାହା ଥିଲା ଉତ୍କୃଷ୍ଟ ଗୋଖାଦ୍ୟ ।
 ପାରମ୍ପରିକ ଭାବେ ଘରର ବଳକା  ପେଜ ତୋରାଣି, ବଳକା ଭାତ,ପରିବା ଚୋପା ସବୁ ଗୋରୁକୁଣ୍ଡ ରେ ଥାଏ । ଏହି ମିଶ୍ରଣ ଟି କିଣ୍ବିତ ଆହାର କୁହାଯାଏ, ଯାହା ଆଜି ର ଆଧୁନିକ ଚିକିତ୍ସା ଶାସ୍ତ୍ର ରେ ଫର୍ ମେଣ୍ଟେଡ୍ ଫୁଡ୍ ବୋଲି କୁହାଯାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାସି ଭାତ ତୋରାଣି ରେ ପ୍ରଚୁର ପରିମାଣରେ  ପୃଷ୍ଟିସାର,ସ୍ନେହସାର ବା ଭିଟାମିନ ବି କମ୍ପ୍ଲେକ୍ସ ଓ ଭିଟାମିନ - କେ ରହିଥାଏ । ଏଥିରେ ଅନେକ ଉପକାରୀ ଜୀବାଣୁ ଜନ୍ମନ୍ତି , ଯାହା ଗାଈଗୋରୁଙ୍କ ଭଳି ପଶୁଙ୍କ ପାକସ୍ଥଳୀ ରେ ପାଚନ ପ୍ରକ୍ରିୟା କୁ ତ୍ବରାନ୍ବିତ କରିଥାଏ । ସେହିପରି ଵାସି ଭାତ ତୋରାଣି ରେ ଲାକ୍ଟିକ ଏସିଡ୍ ରହିଥାଏ, ଯାହା ଅନ୍ୟାନ୍ୟ ଅଣୁ ଖାଦ୍ୟ ( ମାଇକ୍ରୋ ନ୍ୟୁଟ୍ରିଏଣ୍ଟ) କୁ ଶରୀର ପାଇଁ ଉପଲଵ୍ଧି କରାଏ ,କ୍ଲାସିକ ଏସିଡ ଦ୍ବାରା ଖାଦ୍ୟ ର ଗୁଣ ବଢ଼ିଥାଏ, ଯାହା  ଗାଈର ପ୍ରଜନନ କ୍ଷମତା କୁ ବୃଦ୍ଧି କରିଥାଏ । ସେହିପରି ଏଭଳି  ଖାଦ୍ୟ ରେ ମଦ୍ୟସାର ମଧ୍ୟ ଉତ୍ପନ୍ନ ହୋଇଥାଏ, ଯାହା ଗାଈଗୋରୁ ଙ୍କୁ ହୃଷ୍ଟପୃଷ୍ଟ କରାଏ, ଗର୍ଭିଣୀ ଗାଈ  ଓ ହଳ , ଶଗଡ଼ ବୁହା ବଳଦ ଙ୍କ କ୍ଲାନ୍ତି ଦୂର କରେ । ଆମ ପିଲାଦିନେ ଆମର ଚାରି ହଳ ବଳଦ ,ଛଅଟି ଗାଈ ଥିଲେ ।  ସେତେବେଳେ ଯେତିକି ପରିମାଣ ରେ ଚାଷ ଜମି ଥିଲା , ଏବେ ସେହି ଜମି ଅଛି , ମାତ୍ର ବଳଦ ନାହାନ୍ତି କି ଗାଈ ନାହାନ୍ତି ।  ଖମାର ପୂରଣ ହୋଇ ,୨୦/୨୨ ଟି ଖଣି ପଡୁଥିଲା , ଏବେ ଖଣି ପଡୁନି । ପୂର୍ବଜ ଓଡ଼ିଆ ମାନଙ୍କ ଜ୍ଞାନ କୌଶଳ ଏବେ ଜର୍ମାନୀ ରେ ଫଳପ୍ରଦ , ଯେପରି ସଂସ୍କୃତ ଭାଷା । ଓଡ଼ିଶାର ଜ୍ଞାନ ଓ ଜ୍ଞାନବନ୍ତ ବ୍ୟକ୍ତି ( ଡ଼ଃ ରାଜେନ୍ଦ୍ର ନାରାୟଣ ଦାସ ଙ୍କ ଭଳି ଅନେକ) ମାନଙ୍କୁ ନେଇ ଜର୍ମାନ ଆଗେଇ ଚାଲିଛି , ଆମେ ଆମକୁ ଯିଏ ୧୪୪ ବର୍ଷ ଧରି ଶୋଷଣ କଷଣ ଅତ୍ୟାଚାର କରୁଥିଲେ , ଆମକୁ ଗୋଲାମ କରି ରଖିଥିଲେ , ସେମାନଙ୍କ ଜ୍ଞାନ କୌଶଳ  ଏବେ ଆମର ହୋଇଛି ଵେଦ ,ଆହରଣୀୟ ଦର୍ଶନ । ସେଥିପାଇଁ କୁହାଯାଏ " ସନ୍ତରା ବଣ ରେ ଧଣ୍ଡେ ଜୀଅନ୍ତି , ଓଡ଼ିଶା ରେ ଭଣ୍ଡେ ଜୀଅନ୍ତି" । ବିଗତ ୪୦ ବର୍ଷ ର ଇତିହାସ ଦେଖିଲେ ଏହାର ପ୍ରତିପାଦିତ ସଠିକତା ହେବ ପରିଦୃଶ୍ୟ । ଅଣ ଓଡ଼ିଆ, ମିଶାମିଶି ଓଡ଼ିଆ , ମାଇଚିଆ ବା ମୁଣ୍ଡ ପାଗଳ ମାନେ ସେମାନଙ୍କ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି ।   ଖାଣ୍ଟି ଓଡିଆ ଟି ହେଉଛି ହନ୍ତସନ୍ତ । ଓଡ଼ିଶାର ଶତ୍ରୁ ଓଡ଼ିଶା ବାହାରେ ନୁହେଁ, ଓଡ଼ିଶାରେ ଚରଣିଆ ମାନସିକତା ବିଜଡ଼ିତ ଗନ୍ଧିଆ ପାତ୍ରନାହକମାନଙ୍କ ମାଧ୍ୟମରେ  ଅଣ ଓଡ଼ିଆ ଲୋକେ ଆମକୁ କେବଳ ଶାସନ କରୁନାହାନ୍ତି, ଅଧିକନ୍ତୁ ଆମର ସାମାଜିକ ଜନ ଜୀବନର ପ୍ରତ୍ୟେକ ଅଙ୍ଗର ହୋଇଛନ୍ତି ନିୟନ୍ତ୍ରକ ।  ଓଡ଼ିଶା ଓ ଓଡ଼ିଆ ମାନଙ୍କ ପାଇଁ ଯିଏ ସଂଘର୍ଷ କରିଥାନ୍ତି, ସେମାନଙ୍କ ବିରୋଧରେ ଏମାନେ କରିଥାନ୍ତି ଚକ୍ରାନ୍ତ, ମିଥ୍ୟାରୋପ, କ୍ଷତି ସାଧନ । ସବୁଠାରୁ ବିଡ଼ମ୍ବନାର କଥା ଯେ ଏମାନଙ୍କ ଭ୍ରଷ୍ଟ ଆଚରଣ କୌଣସି ସମୟରେ ନିନ୍ଦା ପାଇନଥାଏ, ବରଂ ମୌନେ ସମ୍ମତି ଲକ୍ଷଣ ପ୍ରତିପାଦିତ କରିଥାଏ , କେତେକ ତ ଉତ୍ସାହିତ କରିଥାନ୍ତି । ଆମ ପୂର୍ଵଜ ମାନଙ୍କ ଜ୍ଞାନ କୌଶଳ ଅଧ୍ୟୟନ କରି ଜର୍ମାନ ର ବିଖ୍ୟାତ ପ୍ରାଣୀ ବିଜ୍ଞାନୀ  ଡ଼ଃ ରଲଜେ କୋହ୍ଲର ରୋଲେଫସନ୍    ଏକ ଦୀର୍ଘ ଆଲେଖ୍ୟ ରେ କହିଛନ୍ତି ଯେ ସୂର୍ଯ୍ୟ କିରଣ ଆହରଣ କରୁଥିବା ପଶୁ ମାନଙ୍କ ର କ୍ଷୀର ବା ଦୁଗ୍ଧ ରେ ଏହି ଶକ୍ତି ବା ଉର୍ଜାରୁ  ଆସିଥାଏ । ଚାରଣ ଭୂମିରେ ଚରୁଥିବା  ପଶୁ ଯଥା ଗାଈ ଗୋରୁ, ଛେଳି, ମେଣ୍ଢା ଆଦି ପଶୁ ମାନେ ଖୋଲା ଆକାଶ ତଳେ ଅଧିକାଂଶ ସମୟ ବିତେଇଥାନ୍ତି , ତେଣୁ ସେମାନେ ଶକ୍ତିଶାଳୀ  ବୋଲି ମତପୋଷଣ କରିଛନ୍ତି । ବୈଦିକ ମତରେ ସୂର୍ଯ୍ୟ କିରଣ ସହିତ ପ୍ରତ୍ୟେକ ଜୀବନର ସିଧାସଳଖ ସମ୍ପର୍କ ରହିଛି । ଯେଉଁ ସବୁ ପ୍ରାଣୀ, ବିଶେଷ କରି ଯେଉଁ ମାନଙ୍କ ର  ଭୁର୍ଚୁଟି ବା କୁଵୁଜ , ଯାହାକୁ ଇଂରାଜୀ ରେ ହମ୍ପ କୁହନ୍ତି , ତାହା ଥାଏ, ଯଥା ଆମେ ଯାହାକୁ ଏବେ ଦେଶୀ କୁହେ , ଅର୍ଥାତ୍ ଦେଶୀ ଗାଈଗୋରୁ , ଷଣ୍ଢ ଆଦି ପ୍ରାଣୀମାନଙ୍କ ର ସେହି ଭୁର୍ଚୁଟିରେ ଶୁକ୍ର ଧାଡ଼ି ସ୍ନାୟୁ ସମୂହ ଥିବାରୁ ଅଂଶୁ ଶକ୍ତି ଆହରଣ ର କ୍ଷମତା ଅଧିକ । ସୂର୍ଯ୍ୟ କିରଣ ଆହରଣ କରୁଥିବା ପଶୁମାନଙ୍କ ର କ୍ଷୀର ବା ଦୁଗ୍ଧ ରେ ଏହି ଶକ୍ତି ବା ଉର୍ଜା ରହେ , ଯାହା କରୁନଥିବା ପଶୁ ମାନଙ୍କ ଠାରେ ନ ଥାଏ । ଏବେ ଆମେ ଗୁହାଳ ରେ ବନ୍ଧା , ଚୁନି ଚୋକଡ ଖିଆ ଗାଈ କ୍ଷୀର , ତାହା ପୁଣି ରସାୟନିକ ପ୍ରକ୍ରିୟାରେ ଓମଫେଡ ଭଳି ସଂସ୍ଥା ର କ୍ଷୀର ଖାଉଛେ ।  ଆମେ ଜାଣେନା ଯେ ସେ କ୍ଷୀର କୋଉ ଗାଈ ର କ୍ଷୀର , ସେ ଗାଈ ସୁସ୍ଥ କି ଅସୁସ୍ଥ ।  ଜୀବନ ଅଛି ଅର୍ଥ ରୋଗ ଅଛି । ଆମର ପିଲାଦିନ ର ଉଥାଉସହପାଠୀ ସାଙ୍ଗ ଥିଲା ଭରତ , ଯାହାଙ୍କୁ ଆମେ ଭାଲୁ ବୋଲି ଡାକୁଥିଲୁ । ତା'ର  ବାପା  ଲୋଚନ ବେହେରା ଥିଲେ ଜଣେ ଭଲ ଗୋ- ରକ୍ଷକ ଓ ଚିକିତ୍ସକ , ତାଙ୍କର ଏକ ବଡ  ଥିଲା ରେ ତା'ର ଦାଦା ଶ୍ରୀଯୁକ୍ତ ବିହାରୀ ବେହେରା , ଯାହାଙ୍କ ଏକମାତ୍ର ପୁତ୍ର , ଅଧୁନା ରସାୟନ ବିଜ୍ଞାନ ଶାସ୍ତ୍ର ବିଶାରଦ ଓ ଅନେକ ପାଠ୍ୟପୁସ୍ତକ ର ସ୍ରଷ୍ଟା , ସିଏ ଥିଲେ ଜଣେ ପଶୁ ଡାକ୍ତର । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ବିହାରୀ ବେହେରା ଙ୍କୁ ଉପଜିଵ୍ୟ କରି ଓଡ଼ିଶା ରେ ୧୯୭୪ ମସିହାରେ ଓଡ଼ିଶା ର ପ୍ରଥମ ସଙ୍ଗଠିତ ସଫଳ ସାମାଜିକ ନ୍ୟାୟ ଆନ୍ଦୋଳନ ଗଢ଼ି ଉଠିଥିଲା ।    ଆମେ ଜାଣିଛେ ଯେ ଗାଈ ମାନଙ୍କର ଥନହରା ରୋଗ ଏକ ବଡ ସମସ୍ୟା । ଆମେ ପିଲାଦିନେ କଞ୍ଚା କ୍ଷୀର ପିଇବା ପାଇଁ ଗୋଠ କୁ ଯାଇଥାଉ । ଆମେ ଗାଈ ରୋଗ ଓ ତା'ର ଘାସ ଚିକିତ୍ସା , ଦେଶୀ ଚିକିତ୍ସା ତାଙ୍କ ଠାରୁ ଶିକ୍ଷା ଲାଭ କରିଥିଲୁ । ଏହି ଥନହରା ରୋଗାକ୍ରାନ୍ତ ଗାଈର ଥନା ଫୁଲି ଯାଇଥାଏ , କ୍ଷୀର ରେ ରକ୍ତ ପୁଜ ବାହାରିଥାଏ । ଲୋଚନ ଭାଇ ( ଆମେ ତାଙ୍କୁ ସମ୍ବୋଧନ କରିଥାଉ)  ଟୋକେଇଏ ସୁଆଁ ପତ୍ର ଶୁଖେଇ ମାଟି ହାଣ୍ଡିରେ ଖରଡ଼ି , ସେଥିରେ ଜଡ଼ା ତେଲ ମିଶାଇ  ମିଶ୍ରିତ ଲେପ କୁ ଗାଈର ଥନ ଉପରେ ଲଗେଇ ,ଏକ କଦଳୀ ପତର ଗୁଡେ଼ଇ କନା ବାନ୍ଧି ଦେଉଥିଲେ , ଦୁଇ ତିନି ଥର ରେ ଦୁଇ ଦିନ ରେ ଥନହରା ରୋଗ ଭଲ କରିଦେଉଥିଲେ । ଏବେ  ପଶୁ ଡାକ୍ତର ମାନେ ଏହାକୁ ଅସାଧ୍ୟ ରୋଗ ବୋଲି କହୁଛନ୍ତି । ନିକଟରେ ଆମର ପୁରୁଣା ପଦ୍ଧତି ଆଧାର ରେ ଗୁଜରାଟର ଜଣେ ପଶୁ ଡାକ୍ତର  ଚିକିତ୍ସା ସଫଳତା ଆଧାର ରେ ରାଷ୍ଟ୍ର ଦ୍ବାରା ସମ୍ମାନିତ ହେଲେ , ଅଥଚ ଆମେ ? ଏପରିକି ଜଣେ ଗୋପାଳକ  ଭାଲଭାଇ ପାରମାର  କଞ୍ଚା କଦଳୀ+ଲେମ୍ବୁ ରସ+ ଫିଟିକିରି ର ମିଳିତ ଲେପ ରେ ଆଧୁନିକ ଚିକିତ୍ସକ ମାନଙ୍କ ଘୋଷିତ ଏହି ଅସାଧ୍ୟ ରୋଗ କୁ ଦୁଇ/ତିନି ଦିନ ରେ ଭଲ କରିଦେଉଛନ୍ତି ।  ଏଠି ପ୍ରଶ୍ନ ଉଠୁଛି ଯେ ଆମର ପୂର୍ବପୁରୁଷ ଙ୍କ ଜ୍ଞାନ କୁ ନେଇ  ଓଡ଼ିଶା ବାହାରେ, ଏପରିକି ଭାରତ ବାହାରେ ବିଭିନ୍ନ ଦେଶରେ ଅମୂଲ୍ୟ ଵରଦାନ ହେଉଥିବା ବେଳେ , ଆମେ ହତଭାଗ୍ୟ ପରବର୍ତ୍ତୀ ପିଢ଼ି ଏହାକୁ ଅଣଦେଖା କରି ଅନ୍ୟ ଉପରେ ନିର୍ଭରଶୀଳ ।
କ୍ରମଶଃ :- ଏହି ଆଲେଖ୍ୟ ମୁହଁ ବହି ପୃଷ୍ଠାରେ ବିଖ୍ୟାତ ଓଡ଼ିଆ ଭାଷାର ପ୍ରଚଳନକାରୀ ପ୍ରଖ୍ୟାତ ପ୍ରଦ୍ୟୁମ୍ନ ଶତପଥୀଙ୍କ ତରଫରୁ ପ୍ରକାଶିତ ହରିଓମ୍ ଜୟ ଜଗନ୍ନାଥ ଜୟ ସିଦ୍ଧ ବଳଦେବଜିଉ।🙏🏻

Saturday, April 26, 2025

୫୫୦ ବେଆଇନ ବାଂଲାଦେଶୀ ଅଟକ

୫୫୦ ବେଆଇନ ବାଂଲାଦେଶୀ ଅଟକ

ଖୁବଶୀଘ୍ର ଦେଶରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ

ରାତି ତମାମ ମିଳିତ ଅପରେସନ ପରେ ଠାବ

ନୂଆଦିଲ୍ଲୀ, ୨୬/୦୪: ଭାରତରେ ବେଆଇନ ଭାବେ ରହୁଥିବା ୫୫୦ରୁ ଅଧିକ ବାଂଲାଦେଶୀ ନାଗରିକଙ୍କୁ ଗୁଜରାଟର ଅହମ୍ମଦାବାଦ ଓ ସୁରଟରେ ଅଟକ ରଖାଯାଇଛି। ଜାଲ କାଗଜପତ୍ରରେ ଭାରତ ଆସିଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ଓ ପଚରାଉଚରା ସରିବା ପରେ ଦେଶରୁ ବାହାର କରିବା ପାଇଁ ପ୍ରକ୍ରିୟା ହେବ ବୋଲି ଜଣା ପଡିଛି।

ସ୍ପେଶାଲ ଅପରେସନ୍ ଗ୍ରୁପ୍, କ୍ରାଇମ୍ ବ୍ରାଞ୍ଚ, ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ୍, ପ୍ରିଭେନ୍ସନ୍ ଅଫ୍ କ୍ରାଇମ୍ ବ୍ରାଞ୍ଚ ଏବଂ ସ୍ଥାନୀୟ ପୁଲିସ ଟିମର ମିଳିତ ଅପରେସନରେ ଏହି ବେଆଇନ ବାଂଲାଦେଶୀଙ୍କୁ ଠାବ କରାଯାଇଛି। ରାତିସାରା ଏହି ଅପରେସନ ଜାରି ରହିଥିଲା।

କେବଳ ସୁରଟରୁ ୧୦୦ରୁ ଉର୍ଦ୍ଧ୍ୱ ବାଂଲାଦେଶୀଙ୍କୁ ଠାବ କରାଯାଇଛି। ସେମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରି ଜାଲ୍ କାଗଜପତ୍ର ବନାଇ ସୁରଟରେ ରହୁଥିଲେ। ଶନିବାର ଭୋର ପ୍ରାୟ ୩ଟା ବେଳେ ଅହମ୍ମଦାବାଦରେ ଅପରେସନ୍ କରାଯାଇଥିଲା। ଅହମ୍ମଦାବାଦରେ ୪୫୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।

Friday, April 25, 2025

ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ

ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର, ୨୫/୦୪: ଓଡ଼ିଶାରେ ଏବେ ଅଛନ୍ତି ୧୨ ଜଣ ପାକିସ୍ତାନୀ। ଦୀର୍ଘକାଳୀନ ଭିସାରେ ଓଡ଼ିଶାରେ ଆସି ରହିଛନ୍ତି। ପହଲଗାମ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଏବେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ଦୀର୍ଘକାଳୀନ ଭିସାରେ ଓଡିଶା ଆସିଛନ୍ତି। ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ନୋଟିସ ଜାରି କରି ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରୀ। ଏମାନଙ୍କୁ ରାଜ୍ୟରୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ରକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖୁବଶୀଘ୍ର ସେମାନଙ୍କୁ ଭାରତ ଛାଡ଼ିବା ପାଇଁ ନୋଟିସ୍ ଜାରି କରାଯିବ।

ପାକିସ୍ତାନୀ ନାଗରିକଙ୍କ ପାଇଁ ଥିବା ସମସ୍ତ ଭିସାକୁ ଭାରତ ସରକାର ବାତିଲ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପାକିସ୍ତାନୀ ନାଗରିକମାନଙ୍କୁ ସବୁ ରାଜ୍ୟରୁ ତୁରନ୍ତ ଚିହ୍ନଟ କରି ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କୁ ପାକିସ୍ତାନୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କ ସବୁ ପ୍ରକାର ଭିସା ରଦ୍ଦ କରିଛି ଭାରତ। ଏହା ସହ ଭିସା ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି‌। ୨୭ ଏପ୍ରିଲ ସୁଦ୍ଧା ଭାରତ ଛାଡ଼ିବାକୁ ପାକିସ୍ତାନୀ ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କେବଳ ମାନବିକତା ଦୃଷ୍ଟିରୁ ମେଡିକାଲ ଭିସାକୁ ଅତିରିକ୍ତ ସମୟ ଦିଆଯାଇଛି। ଯାହା କେବଳ ଏପ୍ରିଲ ୨୯ ପର୍ଯ୍ୟନ୍ତ ବୈଧ ରହିବ। ଏହାବ୍ୟତୀତ ଭାରତ ସରକାର ନିଜ ନାଗରିକମାନଙ୍କୁ ପାକିସ୍ତାନରୁ ଯଥାଶୀଘ୍ର ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପହଲଗାମ ହିରୋ ସଜାଦ

ପହଲଗାମ ହିରୋ ସଜାଦ

ଅସମୟରେ ସାଜିଥିଲେ ଦେବଦୂତ

ଧର୍ମଠୁ ଉପରେ ମାନବିକତା ମୁଖ୍ୟ ବାର୍ତ୍ତା


ନୂଆଦିଲ୍ଲୀ, ୨୫/୦୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଆଶ୍ଚର୍ଯ୍ୟ ଓ ଆତଙ୍କ ଖେଳାଇ ଦେଇଛି। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବା ପାଇଁ ଆକୁଳ ଚିତ୍କାର କରୁଥାନ୍ତି। ନିଜ ପ୍ରିୟଜନଙ୍କୁ ବଞ୍ଚାଇବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥାନ୍ତି। ଆତଙ୍କୀଙ୍କଠୁ ନିଜକୁ ଓ ପ୍ରିୟଜନଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଥାନ୍ତି ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି।

ହିନ୍ଦୁ ଓ ମୁସଲିମ; ଏହି ଧର୍ମ ପାର୍ଥକ୍ୟ ଯେ ଜୀବନ ନେଇଯିବ, ଏ କଥା କେହି କେବେ ସ୍ୱପ୍ନରେ ମଧ୍ୟ ଭାବିନଥିଲେ। ମୁସଲମାନ ନ ହେବା ବୋଧ ହୁଏ ଭୁଲ ସାବ୍ୟସ୍ତ ହୋଇଛି ସେହି ସମୟରେ ଏହି ଆକ୍ରମଣର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଥରୁଟେ ଆସିଥିବ ନିଶ୍ଚୟ। ଭାବୁଥିବେ ଯେ, ଆମକୁ କୋରାନ ପଢି ଆସୁଥିଲେ ହୁଏତ ଆଜି ଜୀବନ ଟା ବଞ୍ଚି ଯାଇଥାନ୍ତା।

ହେଲେ ଏହି ଧର୍ମ ପାର୍ଥକ୍ୟକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ସେଠାରେ ଥିବା ସ୍ଥାନୀୟ ବ୍ୟକ୍ତି। ପ୍ରାଣ ବିକଳରେ ଧାଉଁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ କାଶ୍ମୀରର କିଛି ମୁସଲମାନ ବ୍ୟକ୍ତି। ଧର୍ମ ପଛରେ ମାନବିକତା ଆଗ। ଏହି ବାର୍ତ୍ତାରେ ସବୁ ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ। କେହି ପାଣି ଯାଚୁଥାନ୍ତି ତ କେହି ନିଜ କାନ୍ଧରେ ପୀଡ଼ିତଙ୍କୁ ଧରି ଯାଉଥାନ୍ତି। କାଳେ ଜୀବନଟା ବଞ୍ଚିଯିବ। ଏଇ ଆଶାରେ ସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ।

ଠିକ୍ ସେହିପରି ଜଣେ ପହଲଗାମ ହିରୋ ହେଉଛନ୍ତି ସଜାଦ ଅହମ୍ମଦ ଭଟ୍ଟ। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇ ୨୬ ଜଣଙ୍କୁ ହତ୍ୟା କରିଥିବା ସେଠାରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ଜଣେ ଛୋଟ ପିଲାକୁ ନିଜ କାନ୍ଧରେ ନେଇ ଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ଦେଖା ଦେଇଛି ଯେ, ସଜାଦ ସେହି ପାହାଡ଼ିଆ ଅଞ୍ଚଳରୁ ତଳକୁ ପିଲାଟିକୁ ଧରି ଦୌଡୁଛନ୍ତି। ସେହି ପିଲାଟି ସମ୍ପୂର୍ଣ୍ଣ ରକ୍ତରେ ଜୁଡୁବୁଡୁ ହୋଇ ଯାଇଥାଏ।

ସମସ୍ତେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଧାଉଁଥିବା ବେଳେ ସଜାଦ ନ ଡରି ସାମନାକୁ ଆସିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେବାର ଭୟ ନଥିଲା। ବରଂ ତାଙ୍କ ମନରେ ଥିଲା ଏଠାରେ ଯେମିତି କାହାରି ଜୀବନ ନ ଯାଉ। ତେଣୁ ତାଙ୍କ ଦ୍ୱାରା ଯେତିକି ସମ୍ଭବ ହୋଇ ପାରିଥିଲା ସେ ସାହାଯ୍ୟ କରୁଥିଲେ।

ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ବେଳେ ମଧ୍ୟ ଏତେ ସବୁ ପାଇଁ ସେ ନିଜକୁ ପ୍ରଶଂସା ନ କରି ତାଙ୍କ ସହ ଅନ୍ୟମାନେ ଯେଉଁମାନେ ସବୁ ସାହାଯ୍ୟ କରୁଥିଲେ ସେ ସେମାନଙ୍କୁ ପ୍ରଶଂସା କରୁଥିଲେ। ପ୍ରକୃତରେ ସବୁ ମୁସଲମାନ ସମାନ ନୁହଁନ୍ତି ବୋଲି ସେ ପ୍ରମାଣ କରି ଦେଖାଇ ଦେଇଛନ୍ତି।

ସେ କହିଛନ୍ତି ଯେ, ଧର୍ମ ଆଗ ନୁହେଁ। ଆଗ ହେଉଛି ମାନବିକତା। ସର୍ବପ୍ରଥମେ ମାନବିକତା ତା’ପରେ ଧର୍ମ ଆସେ। ମାନବିକତା ଠୁ ବଳି ଆଉ କିଛି ନାହିଁ। ଯଦି ଏହି ଅସମୟରେ ଆମେ ମାନବିକତା ନ ଦେଖି ଧର୍ମ ଦେଖିବା ତାହାଲେ ହୁଏତ ମଣିଷ ପଣିଆ ମରିଯିବ‌। ଏହି ଆକ୍ରମଣରେ କେବଳ ଯେଉଁମାନେ ଶିକାର ହୋଇଛନ୍ତି ସେମାନେ ନୁହେଁ, ବରଂ ସମ୍ପୂର୍ଣ୍ଣ କାଶ୍ମୀରୀବାସୀ କାନ୍ଦୁଛନ୍ତି। ପହଲଗାମର ପ୍ରତ୍ୟେକ ଗଳିକନ୍ଦିରେ ଲୋକଙ୍କ ଘରେ ହାହାକାର ସୃଷ୍ଟି ହୋଇଛି। ଯଦି ଛାତି ଚିରି ମନର କଷ୍ଟକୁ ଦେଖାଇବା ସମ୍ଭବ ହୋଇ ପାରିଥାନ୍ତା ତାହାଲେ ଆମେ ପ୍ରମାଣ କରି ଦେଇଥାନ୍ତୁ ଯେ, ଆମକୁ କେତେ କଷ୍ଟ ହେଉଛି। ଏଭଳି ବର୍ବରକାଣ୍ଡ ପହଲଗାମରେ ପ୍ରଥମ ଥର ଘଟିଛି। ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ସବୁ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ ପର୍ଯ୍ୟଟକମାନଙ୍କୁ ଅପିଲ କରି କହିଛନ୍ତି ଆପଣମାନେ ଡରନ୍ତୁନି। କାଶ୍ମୀର ବୁଲିବାକୁ ଆସନ୍ତୁ। କାଶ୍ମୀର ଉପତ୍ୟକାର ମଜା ନିଅନ୍ତୁ। ଆମେମାନେ ଅଛୁ। ଆପଣମାନଙ୍କ ସୁରକ୍ଷା ପାଇଁ ଆମେ ଅଛୁ। ନିଜେ ସାହାଯ୍ୟ କରି ମଧ୍ୟ ସବୁ ସହାନୁଭୂତି ଏବଂ ପ୍ରଶଂସା ନିଜେ ନ ନେଇ ଅନ୍ୟ ମାନଙ୍କୁ ଦେଉଥିବା ଏହି ପହଲଗାମ ହିରୋଙ୍କୁ ଏକ ସାଲ୍ୟୁଟ।

Thursday, April 24, 2025

ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକ ଅନୁଷ୍ଠିତ

ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକ ଅନୁଷ୍ଠିତ

୧୧୯୧.୪୭ କୋଟି ଟଙ୍କା ପୁଞ୍ଜିନିବେଶରେ ଅକ୍ଷୟଶକ୍ତି ପ୍ରକଳ୍ପକୁ ନୀତିଗତ ଅନୁମୋଦନ

ଭୁବନେଶ୍ବର, ୨୪/୦୪: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ଯକ୍ଷତାରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି (ଏସ୍.ଡବ୍ଲ୍ୟୁ.ସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରାପ୍ତ ହୋଇଅଛି। ଏହା ସବୁଜ ଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଇଅଛି।

ଏହି ଦଶମ ସିଙ୍ଗଲ୍ ପିଣ୍ଡୋ କମିଟି ଦ୍ବାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ୯୫.୭ ମେଗାୱାଟ କ୍ଷମତାର ୨ଟି ପବନ ଶକ୍ତି ପ୍ରକଳ୍ପ, ୫୩.୯୭ ମେଗାୱାଟ କ୍ଷମତାର ୪ଟି ଭୂମି ଆଧାରିତ ସୌର ଶକ୍ତି ପ୍ରକଳ୍ପ ଓ ୦.୬ ଘଣ୍ଟା ପ୍ରତି ମେଗାୱାଟ କ୍ଷମତାର ପ୍ରଥମ ବ୍ୟାଟେରୀ ଷ୍ଟୋରେଜ୍ ପ୍ରକଳ୍ପ।

ଏହି ପ୍ରକଳ୍ପଗୁଡିକ ମାଧ୍ୟମରେ ଓଡ଼ିଶାରେ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଥିବା ପ୍ରାକୃତିକ ସମ୍ଭାବନା ଗୁଡିକର ସଦବ୍ୟବ‌ହାର ହୋଇପାରିବ ତା ସଙ୍ଗେ ସଙ୍ଗେ ରାଜ୍ୟ ଅକ୍ଷୟ ଶକ୍ତି ନୀତି-୨୦୨୨ ଅନ୍ତର୍ଗତ ଲକ୍ଷ୍ୟଗୁଡ଼ିକ ପୂରଣ ପାଇଁ ମଧ୍ୟ ଏହା ସହାୟକ ହେବ।

ଏହି ଅବସରରେ ଶ୍ରୀ ବିଶାଲ କୁମାର ଦେବ, ସ୍ଥାୟୀ ଅର୍ଥନୈତିକ ପ୍ରଗତି ନିମନ୍ତେ ଅକ୍ଷୟ ଶକ୍ତିର ମହତ୍ବ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ପୁଞ୍ଜି ନିବେଶକୁ ସୁଗମ କରିବା ଏବଂ ଅନୁମୋଦିତ ପ୍ରକଳ୍ପ ଗୁଡିକର ଠିକ ସମୟରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ ।

ନବମ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଅନୁମୋଦିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା। ଏଥିରେ ରାଜ୍ୟ ଶକ୍ତି ବିଭାଗ, ଜଳ ସଂପଦ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗ୍ରିଡକୋ, ଓପିଟିସିଏଲ୍‌, ଓଏଚପିସି ତଥା ବିଦ୍ୟୁତ ବିତରଣ କମ୍ପାନୀ ସମୂହର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସମେତ ସର୍ବୋଚ୍ଚ ଯନ୍ତ୍ରୀ (ବୈଦ୍ୟୁତିକ) ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ରାଜ୍ୟ ସରକାରଙ୍କ ସକ୍ରିୟ ନୀତି ଏବଂ ଶୃଙ୍ଖଳିତ ପ୍ରକ୍ରିୟା ଆଧାରରେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ମିଣ୍ଡୋ କମିଟି ଏବଂ ଅକ୍ଷୟ ଶକ୍ତି ନୋଡାଲ ଏଜେନ୍ସି ଗ୍ରିଡକୋ ମାଧ୍ୟମରେ, ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବଢିଛି ଏବଂ ଏକ ଅଧିକ ଆତ୍ମନିର୍ଭରଶୀଳ ଓଡିଶା ପାଇଁ ପଥ ପରିଷ୍କାର ହୋଇଚାଲିଛି। ଏ ଯାଏଁ, ଅକ୍ଷୟଶକ୍ତି କ୍ଷେତ୍ରରେ ମୋଟ ୧୭୦୭.୫୬ ମେଗାୱାଟ କ୍ଷମତା ସଂପନ୍ନ ପ୍ରକଳ୍ପ ଲାଗି ୧୨୩୮୭.୩୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପାଇଁ ସିଙ୍ଗଲ୍ ୱିଣ୍ଡୋ କମିଟି ନୀତିଗତ ଅନୁମୋଦନ ପ୍ରଦାନ କରିଛି।

ଅମୃତ ଭାରତ ଟ୍ରେନ୍ ଅମୃତ କାଳର ଏକ ଅନନ୍ୟ ଉପହାର

ଅମୃତ ଭାରତ ଟ୍ରେନ୍ ଅମୃତ କାଳର ଏକ ଅନନ୍ୟ ଉପହାର

ସମସ୍ତ ପରିସ୍ଥିତିରେ ଯୋଗାଏ ଆରାମଦାୟକ ଯାତ୍ରା


ନୂଆଦିଲ୍ଲୀ, ୨୪/୦୫: ଅମୃତ ଭାରତ ୨.୦ ଟ୍ରେନ୍ ଭାରତୀୟ ରେଳବାଇର ଏକ ଆଧୁନିକ ପଦକ୍ଷେପ। ଯାହା ସାଧାରଣ ଯାତ୍ରୀମାନଙ୍କୁ କମ ଭଡ଼ାରେ ଉନ୍ନତ ସୁବିଧା, ଆରାମ ଏବଂ ସ୍ୱଦେଶୀ ପ୍ରଯୁକ୍ତିର ଅଭିଜ୍ଞତା ପ୍ରଦାନ କରେ। ଏହି ଟ୍ରେନ୍‌ଟି ସ୍ୱତନ୍ତ୍ର ଭାବରେ ମଧ୍ୟବିତ୍ତ ବର୍ଗ ଏବଂ ଅନ୍ତ୍ୟୋଦୟ ପାଇଁ ଡିଜାଇନ୍‌ କରାଯାଇଛି। ଏହାର କୋଚ୍ ସମ୍ପୂର୍ଣ୍ଣ ଭାବରେ ଭାରତରେ ନିର୍ମିତ ଏବଂ ଆତ୍ମନିର୍ଭରଶୀଳ ଭାରତର ଭାବନାକୁ ଆହୁରି ସୁଦୃଢ଼ କରିଥାଏ।

ଅମୃତ ଭାରତ ଟ୍ରେନ୍ ସୁବିଧାଜନକ। ଏହାର ଲୁକ୍ ଏବଂ ଡିଜାଇନ୍ ମଧ୍ୟ ବହୁତ ଆକର୍ଷଣୀୟ। ଏହା ଏକ ପ୍ରିମିୟମ୍ ଟ୍ରେନ୍‌ର ଅଭିଜ୍ଞତା ପ୍ରଦାନ କରେ। ସାଧାରଣ ଲୋକ ମଧ୍ୟ ସମ୍ମାନ ଏବଂ ଆରାମର ସହିତ ଯାତ୍ରା କରିପାରିବେ ବୋଲି ରେଳବାଇର ପ୍ରୟାସ ଏବଂ ଏହି ଚିନ୍ତାଧାରା ସହିତ ଏହି ଟ୍ରେନ୍ ଆରମ୍ଭ କରାଯାଇଛି।

ପରିବେଶ ସଚେତନତା, ଶକ୍ତି ସଂରକ୍ଷଣ ଏବଂ ଯାତ୍ରୀ ସୁବିଧା – ଏହି ତିନୋଟି ଦିଗ ହେଉଛି ଏହି ଟ୍ରେନ୍‌ର ପରିଚୟ। ଏହି ଟ୍ରେନ୍ ଦେଶର ବିକାଶର ନୂତନ ଗତି ଏବଂ ପରିବର୍ତ୍ତିତ ଭାରତର ଏକ ଝଲକ।

ପ୍ରଯୁକ୍ତିବିଦ୍ୟା ସହିତ ଉନ୍ନତ ସୁରକ୍ଷା

ସୁରକ୍ଷା ଏବଂ ବୈଷୟିକ ଦୃଷ୍ଟିକୋଣରୁ ଅମୃତ ଭାରତ ୨.୦ ଟ୍ରେନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି କରାଯାଇଛି। ସୁରକ୍ଷାକୁ ଧ୍ୟାନରେ ରଖି, କପଲରରେ ଏକ କ୍ରାସ୍ ଟ୍ୟୁବ୍ ଏବଂ ଇପି-ସହାୟିତ ବ୍ରେକ୍ ସିଷ୍ଟମ୍ ଦିଆଯାଇଛି, ଯାହା ଦ୍ରୁତ ବ୍ରେକ୍ କରିବା ପାଇଁ ସକ୍ଷମ ହେବ। ଏହା ସମ୍ପୂର୍ଣ୍ଣ ସିଲ୍ ହୋଇଥିବା ଗ୍ୟାଙ୍ଗୱେ ଏବଂ ଭାକ୍ୟୁମ୍ ଇଭାକ୍ୟୁଏସନ୍ ସିଷ୍ଟମ ସହିତ ସଜ୍ଜିତ। ପ୍ରତ୍ୟେକ କୋଚରେ ଟକ୍ ବ୍ୟାକ୍ ୟୁନିଟ୍ ଏବଂ ଗାର୍ଡ ରୁମରେ ରେସପନ୍ସ ୟୁନିଟ୍ ସହିତ ଯାତ୍ରୀ ସୁରକ୍ଷାକୁ ଆହୁରି ସୁଦୃଢ଼ କରାଯାଇଛି। ନନ୍-ଏସି କୋଚ୍‌ରେ ପ୍ରଥମ ଥର ପାଇଁ ଅଗ୍ନି ଚିହ୍ନଟ ପ୍ରଣାଳୀର ସୁବିଧା ଯାତ୍ରୀ ସୁରକ୍ଷାରେ ଏକ ନୂତନ ବିପ୍ଳବ।

ସମସ୍ତ ପରିସ୍ଥିତିରେ ଆରାମଦାୟକ ଯାତ୍ରା

ଅମୃତ ଭାରତ ୨.୦ ସହିତ, ଭାରତୀୟ ରେଳବାଇରେ ପ୍ରଥମ ଥର ପାଇଁ ଏକ ଟ୍ରେନରେ ଅର୍ଦ୍ଧ-ସ୍ୱୟଂଚାଳିତ କପଲର ବ୍ୟବହାର କରାଯାଇଛି। ଯେତେବେଳେ ଟ୍ରେନଗୁଡ଼ିକ ସଂଲଗ୍ନ କିମ୍ବା ପୃଥକ କରାଯାଏ, କୌଣସି ଝଟକା କିମ୍ବା ଶବ୍ଦ ହୁଏ ନାହିଁ। ଏଥିରେ ସ୍ଥାପିତ ଡିଫର୍ମସନ ଟ୍ୟୁବ୍ ଧକ୍କା ହେଲେ ଆଘାତକୁ ହ୍ରାସ କରେ, ଯାହା ଫଳରେ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ପାଏ। ଏହି ରେକ୍ ଲୋକୋମୋଟିଭ୍ ସହିତ କେବଳ ସ୍ଥିରତା ପ୍ରଦାନ କରେ ନାହିଁ ବରଂ ସର୍ବାଧିକ ଗତି ଏବଂ ଉତ୍ତମ ପରିଚାଳନା କ୍ଷମତା ମଧ୍ୟ ସୁନିଶ୍ଚିତ କରେ।

ଗତିଶୀଳତାର ସାଥୀ ୨ ଇଞ୍ଜିନ୍

ଏହି ଟ୍ରେନ୍‌ଟି ଏକ ଏଲଏଚବି ପୁସ୍‌-ପୁଲ୍‌ ଟ୍ରେନ୍‌। ଭଲ ଗତି ପାଇଁ, ଏହାର ଉଭୟ ପାର୍ଶ୍ୱରେ ଇଞ୍ଜିନ ଲଗାଯାଇଛି, ଯାହା ଶକ୍ତି ଖର୍ଚ୍ଚ ହ୍ରାସ କରେ। ଟ୍ରେନଟି ଶୀଘ୍ର ଗତି କରିପାରିବ ଏବଂ ବ୍ରେକ୍ କରିପାରିବ। ଘଣ୍ଟା ପ୍ରତି ସର୍ବାଧିକ ୧୩୦ କିଲୋମିଟର ବେଗ ଏହାକୁ ଗତିର ସାରଥି କରିଥାଏ।

ଯାତ୍ରୀ ସୁବିଧା ଯୋଗାଇବା

‘ସବକା ସାଥ, ସବକା ବିକାଶ’ ଭାବନା ସହିତ ୨.୦ ଟ୍ରେନକୁ ଅପଡେଟ୍ କରାଯାଇଛି। ଏହାର କୋଚରେ ଫୋଲ୍ଡେବଲ୍ ସ୍ନାକ୍ସ ଟେବୁଲ୍, ମୋବାଇଲ୍ ହୋଲ୍ଡର୍, ଫୋଲ୍ଡେବଲ୍ ବୋତଲ ହୋଲ୍ଡର୍ ଭଳି ସୁବିଧା ରହିଛି। ଏହା ସହିତ, ରେଡିୟମ୍ ଇଲୁମିନେଟେଡ୍ ଫ୍ଲୋରିଂ ଷ୍ଟ୍ରିପ୍, ୧୬୦ କେଏନ ଏୟାର ସ୍ପ୍ରିଙ୍ଗ ବଗି ଭଳି ବୈଶିଷ୍ଟ୍ୟଗୁଡ଼ିକ ଯାତ୍ରାକୁ ଆହୁରି ଆରାମଦାୟକ କରିଥାଏ। ପ୍ରତ୍ୟେକ ଶୌଚାଳୟରେ ପରିଷ୍କାର ପରିଚ୍ଛନ୍ନତା ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇ ଇଲେକ୍ଟ୍ରୋ-ନ୍ୟୁମାଟିକ୍ ଫ୍ଲସିଂ ସିଷ୍ଟମ, ସ୍ୱୟଂଚାଳିତ ସାବୁନ ବିତରକ ଏବଂ ଏରୋସୋଲ-ଆଧାରିତ ଅଗ୍ନି ଦମନ ବ୍ୟବସ୍ଥା ଭଳି ବୈଶିଷ୍ଟ୍ୟ ରହିଛି। ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଦ୍ରୁତ ମୋବାଇଲ୍ ଚାର୍ଜିଂ ପୋର୍ଟ, ପ୍ୟାଣ୍ଟ୍ରି କାର୍ ଏବଂ ଉନ୍ନତ ଏବଂ ଆରାମଦାୟକ ସିଟ୍ ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ, ସମସ୍ତ ଯାତ୍ରୀଙ୍କୁ ସମାନ ସୁବିଧା ପାଇବା ପାଇଁ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ମଧ୍ୟ ଯୋଗାଇ ଦିଆଯାଇଛି।

ଏକ ନଜରରେ-

▪ ସର୍ବାଧିକ ଗତି ୧୩୦ କିମି/ଘଣ୍ଟା

▪ ସମ୍ପୂର୍ଣ୍ଣ ସିଲ୍ ହୋଇଥିବା ଗ୍ୟାଙ୍ଗୱେ

▪ ଅତିରିକ୍ତ ଗଦିଯୁକ୍ତ ବର୍ଥ

▪ ୨୨ କୋଚ୍ ବିଶିଷ୍ଟ ଟ୍ରେନ୍

▪ ମଧ୍ୟବିତ୍ତ ବର୍ଗ ଏବଂ ଅନ୍ତ୍ୟୋଦୟଙ୍କୁ ଉପହାର

▪ ପ୍ରାୟ ୪୫୦ ଟଙ୍କାରେ ୧୦୦୦ କିଲୋମିଟର ଯାତ୍ରା ସମ୍ଭବ।

▪ ପ୍ରଥମ ଥର ଏଲଏଚବି କୋଚଗୁଡ଼ିକରେ ଜରୁରୀକାଳୀନ ଟକବ୍ୟାକ୍ ସିଷ୍ଟମ୍

▪ ଭାରତୀୟ ରେଳବାଇରେ ସେମି-ଅଟୋମେଟିକ୍ କପଲର୍ ଟାଇପ୍ ୧୦ ହେଡ୍

▪ ନନ୍ ଏସି କୋଚରେ ଅଗ୍ନି ଚିହ୍ନଟ ବ୍ୟବସ୍ଥା

▪ ଭାରତୀୟ ରେଳବାଇରେ ବାହ୍ୟ ଜରୁରୀକାଳୀନ ଲାଇଟ୍

▪ ନନ୍ ଏସି କୋଚରେ ଅଗ୍ନି ଚିହ୍ନଟ ବ୍ୟବସ୍ଥା

▪ ନନ୍ ଏସି କୋଚରେ ଇପି-ସହାୟକ ବ୍ରେକ୍ ସିଷ୍ଟମ୍

▪ ସ୍ୱଦେଶୀ ଅଭିଯାନ

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ସମନ୍ୱିତ କୋଚ୍ ଫ୍ୟାକ୍ଟ୍ରିରେ ଅମୃତ ଭାରତ ଟ୍ରେନ୍ ନିର୍ମିତ ହୋଇଛି।

“ଯେଉଁ ଲୋକମାନେ ପ୍ରାୟତଃ କାମ ପାଇଁ ଦୀର୍ଘ ଦୂରତା ଯାତ୍ରା କରନ୍ତି ଏବଂ ଅଧିକ ଆୟ କରନ୍ତି ନାହିଁ ସେମାନେ ମଧ୍ୟ ଆଧୁନିକ ସୁବିଧା ଏବଂ ଆରାମଦାୟକ ଯାତ୍ରାର ହକଦାର। ଏହି ଟ୍ରେନଗୁଡ଼ିକ ଗରିବ ଲୋକଙ୍କ ଜୀବନର ମର୍ଯ୍ୟାଦାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

“ଅମୃତ ଭାରତ ଟ୍ରେନଗୁଡ଼ିକ ନିମ୍ନ ଆୟ ଏବଂ ମଧ୍ୟବିତ୍ତ ପରିବାର ପାଇଁ। ଏଗୁଡ଼ିକ ବହୁତ ସୁଲଭ ସେବା ଏବଂ ବହୁତ ଉଚ୍ଚମାନର ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ” ବୋଲି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ବିହାରର ନାଳନ୍ଦା ଏବଂ ବିକ୍ରମଶିଳାରୁ ଜ୍ଞାନର ଗଙ୍ଗା ବିଶ୍ୱକୁ ପ୍ରବାହିତ ହୋଇଥିଲା। ସେହି ବିହାର ଯେଉଁଠାରେ ଲୋକଗୀତର ମଧୁରତା ଏବଂ ମାଟିର ସୁଗନ୍ଧିତ ବାସ୍ନା ଏବେ ବି ଆତ୍ମାକୁ ସ୍ପର୍ଶ କରେ। ଏଠାକାର ଇତିହାସ ଯେତେ ଗୌରବମୟ, ଭବିଷ୍ୟତ ମଧ୍ୟ ସେତିକି ସମ୍ଭାବନାରେ ପରିପୂର୍ଣ୍ଣ। ଏହି ସଂସ୍କୃତି ସମୃଦ୍ଧ ଭୂମିର ଲୋକମାନେ ପ୍ରତ୍ୟେକ ଯୁଗରେ ଭାରତର ନିର୍ମାଣରେ ଅବଦାନ ରଖିଛନ୍ତି। ଏବେ ଭାରତୀୟ ରେଳବାଇ ଅମୃତ ଭାରତ ଟ୍ରେନ ମାଧ୍ୟମରେ ଏହାକୁ ଆହୁରି ପ୍ରୋତ୍ସାହନ ଦେଉଛି ଏବଂ ସାଧାରଣ ଲୋକଙ୍କୁ ଏକ ପ୍ରିମିୟମ୍ ଯାତ୍ରା ଅଭିଜ୍ଞତା ପ୍ରଦାନ କରୁଛି। ଏହି ଟ୍ରେନ୍ ବିହାରର ପରିଶ୍ରମୀ, ସଂଘର୍ଷପୂର୍ଣ୍ଣ ଏବଂ ସ୍ୱପ୍ନରେ ପୂର୍ଣ୍ଣ ଯାତ୍ରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଭାବରେ ଆସିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରକୁ ଆଉ ଏକ ନୂତନ ରେଳ ଯାତ୍ରା ଭେଟି ଦେଇଛନ୍ତି। ମଧୁବାଣୀରୁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସହରସାରୁ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନାଲ ପର୍ଯ୍ୟନ୍ତ ଚାଲୁଥିବା ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ବିହାରର ଦ୍ୱିତୀୟ ଅମୃତ ଭାରତ ଟ୍ରେନ୍ ହେବ ଯାହା ଏହି ରାଜ୍ୟର ନାଗରିକଙ୍କ ହୃଦୟରେ ବହୁ ଦିନ ଧରି ରହିଥିବା ପରିବର୍ତ୍ତନର ଗତିକୁ ଆହୁରି ତ୍ୱରାନ୍ୱିତ କରିବ। ଯାହା ବିହାରର ସାଂସ୍କୃତିକ ରାଜଧାନୀ ମିଥିଳାକୁ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ସହିତ ସିଧାସଳଖ ସଂଯୋଗ କରିବ।

ବିହାର ପାଇଁ ବର୍ତ୍ତମାନ ୨ଟି ଅମୃତ ଟ୍ରେନ୍ ସୁବିଧା ହୋଇଛି। ଦରଭଙ୍ଗାରୁ ଅଯୋଧ୍ୟା ମାର୍ଗ ଦେଇ ଆନନ୍ଦ ବିହାର ଟର୍ମିନାଲ୍ ପର୍ଯ୍ୟନ୍ତ ଚାଲୁଥିବା ବେଳେ ଆଜି ସହରସାରୁ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନାଲକୁ ଟ୍ରେନ ସେବା ଆରମ୍ଭ ହୋଇଛି।

ପାକିସ୍ତାନକୁ ଭାରତର ଦୃଢ ଜବାବ

ପାକିସ୍ତାନକୁ ଭାରତର ଦୃଢ ଜବାବ

ପାକ୍ ବିରୋଧରେ ନିଆଗଲା କଡା ଆକ୍ସନ


ନୂଆଦିଲ୍ଲୀ, ୨୪/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଏସ୍) ଏହି ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛି।

ଗତ କାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ ବସିଥିଲା। ଏହି ବୈଠକରେ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ।

ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ୧୯୬୦ ମସିହାର ସିନ୍ଧୁ ନଦୀ ଚୁକ୍ତିକୁ ତୁରନ୍ତ ରଦ୍ଦ କରାଯାଇଛି। ସେହିପରି ସମନ୍ୱିତ ଅଟାରି ୱାଘା ଚେକ୍ ପୋଷ୍ଟକୁ ତୁରନ୍ତ ବନ୍ଦ କରାଯାଇଛି। ଯେଉଁମାନେ ବୈଧ ଡକ୍ୟୁମେଣ୍ଟ ସହିତ ଭାରତ ସୀମା ଅତିକ୍ରମ କରିଛନ୍ତି ସେମାନେ ୧ ମେ ୨୦୨୫ ପୂର୍ବରୁ ସେହି ମାର୍ଗ ଦେଇ ଫେରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।


ସାର୍କ ଭିସା ଛାଡ଼ ଯୋଜନା (ଏସଭିଇଏସ୍) ଭିସା ଅଧୀନରେ ପାକିସ୍ତାନୀ ନାଗରିକମାନେ ଭାରତ ଆସି ପାରିବେ ନାହିଁ। ପାକିସ୍ତାନୀ ନାଗରିକମାନଙ୍କୁ ଅତୀତରେ ଜାରି କରାଯାଇଥିବା କୌଣସି ଏସଭିଇଏସ୍ ଭିସାକୁ ବାତିଲ ବୋଲି ବିବେଚନା କରାଯିବ। ବର୍ତ୍ତମାନ ଏସଭିଇଏସ୍ ଭିସା ଅଧୀନରେ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ୪୮ ଘଣ୍ଟା ସମୟ ଦିଆଯାଇଛି।

ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ହାଇକମିସନରେ ପ୍ରତିରକ୍ଷା/ସାମରିକ, ନୌସେନା ଏବଂ ବାୟୁ ପରାମର୍ଶଦାତାମାନଙ୍କୁ ଭାରତ ଛାଡିବା ପାଇଁ ଏକ ସପ୍ତାହ ସମୟ ଦିଆଯାଇଛି। ୧ ସପ୍ତାହ ଭିତରେ ସେମାନେ ଦେଶ ଛାଡ଼ିବେ। ଭାରତରୁ ପାକିସ୍ତାନ ଦୂତବାସର ୩ ଉପଦେଷ୍ଟା ଦେଶ ଛାଡ଼ିବା ବେଳେ ପାକିସ୍ତାନରୁ ୩ ସେନା ଉପଦେଷ୍ଟାଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ କୁହାଯାଇଛି।

ସେହିପରି ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ୫୫ରୁ ୩୦କୁ କମିବ।

Wednesday, April 23, 2025

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨ ବିଦେଶୀଙ୍କ ସମେତ ୨୬ ମୃତ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨ ବିଦେଶୀଙ୍କ ସମେତ ୨୬ ମୃତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନିନ୍ଦା: ଶ୍ରୀନଗରରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଆକ୍ରମଣ ପଛରେ ଲସ୍କର-ଇ-ତୋଏବା!

ଜମ୍ମୁ-କାଶ୍ମୀର, ୨୨/୦୪: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ୨୬ ଜଣ ପ୍ରାଣ ହରାଇଛନ୍ତି। ବୈସରନ ଉପତ୍ୟକା ‘ମିନି ସୁଇଜରଲ୍ୟାଣ୍ଡ୍’ ନାମରେ ପରିଚିତ। ଏଠାରେ ଟ୍ରେକିଂ କରିବାକୁ ଯାଇଥିବା ପର୍ଯ୍ୟଟକଙ୍କ ଉପରକୁ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ଅତର୍କିତ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୨ ଜଣ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ଘଟଣାସ୍ଥଳରୁ ମୃତଦେହ ଚାରିଆଡ଼େ ପଡ଼ି ଥିବାର ଦେଖିବାକୁ ମିଳିଛି। ଆକ୍ରମଣ ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ସ୍ଥାନୀୟ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିବା ସହ ସମସ୍ତ ଉପଯୁକ୍ତ ପଦକ୍ଷେପ ନେବା ସହ ଅମିତ ଶାହଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ ମଧ୍ୟ କହିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଗସ୍ତରେ ଅଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣ ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି। କ୍ଷତିଗ୍ରସ୍ତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଅତୁଟ ଏବଂ ଏହା ଆହୁରି ଦୃଢ଼ ହେବ ବୋଲି ମୋଦି କହିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଉଛନ୍ତି। ଏହା ପରେ ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସନ୍ଧ୍ୟା ୭ଟାରେ ପହଲଗାମ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ବୈଠକରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି

କାଶ୍ମୀରର ପହେଲଗାମ ଠାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

କାଶ୍ମୀରର ପହେଲଗାମ ଠାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକପ୍ରକାଶ

ମୃତ ଓଡିଆ ପର୍ଯ୍ୟଟକଙ୍କ ମର ଶରୀରକୁ ତାଙ୍କ ବାସସ୍ଥାନରେ ପହଞ୍ଚାଇବାକୁ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର, ୨୨/୦୪: ଆଜି ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ଉଗ୍ରପନ୍ଥୀ ମାନେ କାଶ୍ମୀରର ପହେଲଗାମ ଠାରେ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକ ମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଘଟଣାରେ ଜଣେ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାର ମଧ୍ୟ ସୂଚନା ମିଳିଛି। ସଂପୃକ୍ତ ଓଡିଆ ପର୍ଯ୍ୟଟକଙ୍କ ମର ଶରୀର କିପରି ତାଙ୍କର ବାସସ୍ଥାନରେ ସୁରୁଖୁରୁରେ ପହଞ୍ଚିବ, ସେ ସଂପର୍କରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tuesday, April 22, 2025

ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି

ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି

ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୫ ଦିନ ପାଇଁ ବନ୍ଦ ରହିବ କଲେଜ, ନିୟମିତ ପରୀକ୍ଷା ଚାଲିବ

ଭୁବନେଶ୍ବର, ୨୨/୦୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର, ଶିଶୁବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲା ମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଅପ୍ରେଲ ୨୩ ତାରିଖ ଠାରୁ ୫ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ତେବେ, ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ 

ଏକ ଲକ୍ଷ ମହିଳା ଚାଷୀଙ୍କୁ ସଶକ୍ତ କରିବ ବାଉଁଶ ଚାଷ:

ଏକ ଲକ୍ଷ ମହିଳା ଚାଷୀଙ୍କୁ ସଶକ୍ତ କରିବ ବାଉଁଶ ଚାଷ: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ବାଉଁଶ ଚାଷ ଓ ଜୀବିକା ସୁଯୋଗ ସମ୍ବନ୍ଧୀୟ ୨ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ

ବାଉଁଶ ଚାରା ରୋପଣଠାରୁ ବାଉଁଶ ପ୍ରସ୍ତୁତ ଉତ୍ପାଦ ଉପରେ ଗୁରୁତ୍ଵ

ଭୁବନେଶ୍ୱର, ୨୨/୦୪: ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନ ଅଡିଟୋରିଅମ ହଲରେ ଲକ୍ଷପତି ଦିଦିମାନଙ୍କୁ ଆହୁରି ସଶକ୍ତ କରିବା ନିମନ୍ତେ ବାଉଁଶ ଚାଷ ଓ ଜୀବିକା ସୁଯୋଗ ସମ୍ବନ୍ଧୀୟ ଦୁଇ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ବାଉଁଶ ପ୍ରସ୍ତୁତ ଉତ୍ପାଦର ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବାଉଁଶ ଚାଷ ଠାରୁ ଆରମ୍ଭ କରି ବାଉଁଶ ଶିଳ୍ପରେ ଲକ୍ଷପତି ଦିଦିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଏହି କର୍ମଶାଳାର ଆୟୋଜନ କରାଯାଇଛି । 

ମହିଳାମାନଙ୍କ ଦକ୍ଷତା ବିକାଶକୁ ଗୁରୁତ୍ଵ ଦେଇ ସେମାନଙ୍କୁ ବାଉଁଶ ଭଳି ଲାଭଜନକ ବ୍ୟବସାୟରେ ସାମିଲ କରି ସେମାନଙ୍କ ଉଦ୍ୟୋଗୀ ହେବାର ସ୍ଵପ୍ନ ପୂରଣ କରିବା ନିମନ୍ତେ ଏହିଭଳି କର୍ମଶାଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ବାଉଁଶ ଚାଷ ଏକ ଲକ୍ଷ ମହିଳା ଚାଷୀଙ୍କୁ ସଶକ୍ତ କରିବ ବୋଲି ସେ ମତ ପ୍ରକାଶ କରିଥିଲେ । ମହିଳାମାନଙ୍କ ଦୃଢ ମନୋବଳ ପାଇଁ ଆଜି ସମଗ୍ର ଦେଶରେ ଓଡ଼ିଶା ଲକ୍ଷପତି ଦିଦି ସୃଷ୍ଟି କରିବାରେ ପ୍ରଥମ ହୋଇଛି । 

ଆଜି ଓଡ଼ିଶାରେ ଗାଁ ଗାଁ ରେ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ଜୀବିକା ମିଶନ ତଥା ବିଭାଗୀୟ ଅଧିକାରୀମାନଙ୍କୁ ଓଡ଼ିଶାକୁ ଲକ୍ଷପତି ଦିଦି ଯୋଜନାରେ ଭାରତରେ ନଂ.୧ ସ୍ଥାନରେ ପହଞ୍ଚାଇବାରେ ସେମାନଙ୍କର ଉତ୍ସର୍ଗୀକୃତ ଏବଂ ଅକ୍ଳାନ୍ତ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । 

ବିଶେଷ ଭାବରେ ଗ୍ରାମରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କାର୍ଯ୍ୟରତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ନିରନ୍ତର ଏବଂ ନିଷ୍ଠାପର ଉଦ୍ୟମ ପାଇଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ । ଏଥି ସହିତ କ୍ଷେତ୍ରୀୟ କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ଏବଂ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ ଏବଂ ଓଡ଼ିଶା ଜୀବିକା ମିଶନ ତଥା ବିଭାଗୀୟ ଅଧିକାରୀମାନଙ୍କ ଅକ୍ଳାନ୍ତ ଓ ଉତ୍ସର୍ଗୀକୃତ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ, ଓଡିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀମାନେ, ଡୋମେନ୍ (କ୍ଷେତ୍ର) ବିଶେଷଜ୍ଞମାନେ, ମାଷ୍ଟର ପ୍ରଶିକ୍ଷକମାନେ ଏବଂ ଇଣ୍ଡଷ୍ଟ୍ରି ଫାଉଣ୍ଡେସନ୍ ପରି ଜାତୀୟ ଅଂଶୀଦାର ସଂସ୍ଥା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବାଉଁଶ ରୋପଣ କୌଶଳ, ଅନ୍ତର୍ଭୁକ୍ତ ଫସଲ ଚାଷ, ମୂଲ୍ୟ ଯୋଗ, ଉତ୍ପାଦ ବିବିଧୀକରଣ, ମୂଲ୍ୟ ନିର୍ଦ୍ଧାରଣ, ଡିଜାଇନ୍ ନବୀକରଣ, ବିପଣନ ଏବଂ ରପ୍ତାନି ସମ୍ଭାବନା ଉପରେ ଅଧିବେଶନ ଆୟୋଜିତ ହେବ । 

ପ୍ରଶିକ୍ଷଣ ପାଠ୍ୟକ୍ରମରେ ଫରେଷ୍ଟ ଷ୍ଟୁଆର୍ଡ଼ସିପ୍ କାଉନ୍ସିଲ୍ (ଏଫଏସସି) ସାର୍ଟିଫିକେସନ୍, କାର୍ବନ୍ କ୍ରେଡିଟ୍ ମୁଦ୍ରୀକରଣ, ଏବଂ MGNREGS ଏବଂ ଜାତୀୟ ବାଉଁଶ ମିଶନ୍ ଭଳି ପ୍ରମୁଖ ଯୋଜନା ସହିତ ଏକତ୍ରୀକରଣ ପାଇଁ ସମନ୍ୱୟ ରଣନୀତି ଉପରେ ଆଲୋକପାତ କରାଯିବ । ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର୍ (DPM), ଜିଲ୍ଲା ପ୍ରୋଜେକ୍ଟ କୋଅର୍ଡିନେଟର୍ (DPC), ଜୀବିକା ବିଶେଷଜ୍ଞ ଏବଂ କ୍ଲଷ୍ଟର୍ ସ୍ତରୀୟ ପ୍ରଶିକ୍ଷକମାନେ ସକ୍ରିୟ ଭାବରେ ଏହି କର୍ମଶାଳାରେ ଭାଗ ନେଇଥିଲେ

ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩୭ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩୭ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

ନୂଆଗାଁ,ମାରୁତି ନଗର,ବିଶାଲ ସିଟି,ଅପସନା ଗାଡେନ୍,ବିଜୟ ବିହାର,ରୁଦ୍ରବିହାର,ଲିଙ୍ଗିପୁର,ଇନ୍ଦିରା କଲୋନୀ,ମୃତ୍ୟୁଞ୍ଜୟ ବିହାର,ମାରୁତି ନଗର,ଦିବ୍ୟ ବିହାର ଅଞ୍ଚଳରେ ନୂତନ ରାସ୍ତା, ଡ୍ରେନ,ସ୍ବେରେଜ ପ୍ରକଳ୍ପ ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ।

ନିର୍ବାଚନୀ ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି

ଭୁବନେଶ୍ୱର, ୨୧/୦୪:ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ଓ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ବିଜୟୀ ହେବା ପରେ ଏକାମ୍ର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ବିଜେପି ସରକାରରେ ଏକାମ୍ର ର ଭିତିଭୁମିକୁ ସୁଦୃଢ କରିବା ପାଇଁ ସମସ୍ତ ବାଧାବିଘ୍ନ ଦୂର କରାଯିବା ସହିତ ନୂତନ ପ୍ରକଳ୍ପ ନିର୍ମାଣ କରାଯିବ । 

ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ ୫୯ ଓ ଲିଙ୍ଗିପୁର ପଞ୍ଚାୟତ ଅଞ୍ଚଳର ନୂଆଗାଁ, ମାରୁତି ନଗର,ବିଶାଲ ସିଟି,ଅପସନା ଗାଡେନ୍,ବିଜୟ ବିହାର,ରୁଦ୍ର ବିହାର,ଲିଙ୍ଗିପୁର,ଇନ୍ଦିରା କଲୋନୀ,ମୃତ୍ୟୁଞ୍ଜୟ ବିହାର,ମାରୁତି ନଗର,ଦିବ୍ୟ ବିହାର କଲୋନୀ ଓ ଏହାର ଆଖ ପାଖ ଅଞ୍ଚଳରେ ନୂତନ ରାସ୍ତା , ଡ୍ରେନେଜ୍ ଓ ସ୍ବେରେଜ ପ୍ରକଳ୍ପ ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଲେ ଏକାମ୍ର ବିଧାୟକ ବାବୁ ସିଂ। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ,ପ୍ରତିଶ୍ରୁତି ପୂରଣ ହେଲା।ବିକଶିତ ଏକାମ୍ର ର ସ୍ୱପ୍ନ ସାକାର ହେଲା।

ସ୍ଥାନୀୟ ଜନସାଧାରଣ ଙ୍କ ଅଭିଯୋଗ ଥିଲା ଏହି ଅଞ୍ଚଳରେ ରାସ୍ତା,ସ୍ୱରେଜ ଓ ଡ୍ରେନେଜ ବ୍ୟବସ୍ଥା ନଥିବା କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଏହି ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ,ସ୍ୱରେଜ୍ ବ୍ୟବସ୍ଥା ହେବା ଦ୍ଵାରା ଜନସାଧାରଣ ଏସବୁ ଅସୁବିଧାରୁ ରକ୍ଷା ପାଇବେ ତେଣୁ ଏହି ନିର୍ମାଣ ଖୁବ୍ ଜଲ୍ଦୀ ସରିବ। ଏକାମ୍ର ବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ।ନିର୍ବାଚନୀ ପ୍ରତିଶୃତି କୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି । 

ଅତୀତର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ବାଧାପ୍ରାପ୍ତ ହେଉଥିଲା। ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ମେୟର ସୁଲଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅର ,କର୍ପୋରେଟର ବିରଞ୍ଚିନାରାୟଣ ମହାସୂପକାର, ଅମରେଶ ଜେନା, ଅଜିତ ବେହେରା,ଭୁବନେଶ୍ୱର ବ୍ଲକ୍ ଅଧକ୍ଷା ନିରୁପମା ସାହୁ,ସରପଞ୍ଚ କ୍ଷୀରୋଦ କୁମାର ପ୍ରଧାନ, ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ,ୱାର୍ଡ଼ ମେମ୍ୱର ଚିରଞ୍ଜିବ ଗୋଚ୍ଛାୟତ,ପ୍ରଶାନ୍ତ ପଟ୍ଟନାୟକ, ମମତା ସ୍ବାଇଁ, ସମାଜ ସେବୀ ସଂଗ୍ରାମ ପାଇକରାୟ, ରବି ପାତ୍ର,ବାବୁଲି ସମର୍ଥା,ମଣ୍ଡଳ ସଭାପତି ସୁରୀୟକାନ୍ତ,ସ୍ଥାନୀୟ ନେତୃତ୍ଵ ଅରୁଣ ପୁରୋହିତ, ଆଲୋକ ସାହୁ, ବିଭୂତି ଭୂଷଣ ପ୍ରଧାନ,ଅଜୟ ସାମନ୍ତରାୟ, ସନ୍ତୋଷ ସ୍ବାଇଁ, ଅଜୟ ସ୍ବାଇଁ , ପ୍ରଫୁଲ୍ଲ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଜଳୁଛି ଓଡ଼ିଶା: ୫ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ଆଲର୍ଟ

ଜଳୁଛି ଓଡ଼ିଶା: ୫ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ଆଲର୍ଟ

୨୬ ଯାଏଁ ତାତିରୁ ନିସ୍ତାର ନାହିଁ

୪୪° ଉପରେ ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା

ଭୁବନେଶ୍ୱର, ୨୨/୦୪: ଜଳୁଛି ଓଡ଼ିଶା। ଆଗକୁ ଆହୁରି ଜାଳିବେ ସୂର୍ଯ୍ୟ ଦେବତା। ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏ ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ଆଇଏମଡି। ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ଯଥାକ୍ରମେ ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼ ଓ ସମ୍ବଲପୁରକୁ ସିଭିୟର ହିଟ୍ ୱେଭ୍ ନେଇ ଅରେଞ୍ଜ ଆଲର୍ଟ କରାଯାଇଛି। ସେହିପରି ନୂଆପଡ଼ା, ବରଗଡ଼, କଳାହାଣ୍ଡି ଓ ସୋନପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଗରମ ଓ ଆର୍ଦ୍ରତା ରହିବ।

ଏପ୍ରିଲ ୨୪ ତାରିଖରେ ଝାରସୁଗୁଡ଼ା ବ୍ୟତୀତ ଅନୁଗୁଳ, ନୂଆପଡ଼ା ଓ ଦେବଗଡ଼ରେ ଗ୍ରୀଷ୍ମ ପ୍ରବାହ ଜାରି କରାଯାଇଛି।

ଏପ୍ରିଲ ୨୫ ରେ ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ବରଗଡ଼ ଓ ସୋନପୁର ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

୨୬ ତାରିଖରେ ବଲାଙ୍ଗୀର ଓ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବୌଦ୍ଧ, ସୋନପୁର, କଳାହାଣ୍ଡି ଓ ସମ୍ବଲପୁର ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜିର ସଦ୍ୟତମ ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିନ ୨ଟା ୩୦ ସୁଦ୍ଧା   ଝାରସୁଗୁଡା ୪୪.୮°C,   ସମ୍ବଲପୁର ୪୪.୨°C,   ହୀରାକୁଦ ୪୪.୦°C,   ରାଉରକେଲା ୪୨.୨°C,   କେନ୍ଦୁଝର ୩୮.୪°C,   ଚାନ୍ଦବାଲି ୩୮.୦°C,   ଭୁବନେଶ୍ୱର ୩୫.୮°C ତାପମାତ୍ରା ରେକର୍ଡ ହୋଇଛି।

ଅସୁରକ୍ଷିତ ପହଲଗାମ ଉପତ୍ୟକା. ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ହାମଲା

ଅସୁରକ୍ଷିତ ପହଲଗାମ ଉପତ୍ୟକା

ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ହାମଲା

ନୂଆଦିଲ୍ଲୀ, ୨୨/୦୪: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇ ୬ ଜଣ ଆହତ ହୋଇଛନ୍ତି। ପର୍ଯ୍ୟଟକଙ୍କ ଉପରେ ଏପରି ଆତଙ୍କୀ ହାମଲା ଯୋଗୁଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଟ୍ରେକିଂ କରିବାକୁ ଯାଇଥିବା ପର୍ଯ୍ୟଟକଙ୍କ ଉପରକୁ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ଅତର୍କିତ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୩ ଜଣ ସ୍ଥାନୀୟ ବ୍ୟକ୍ତି ଆହତ ହୋଇଥିବା ବେଳେ ୩ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପହଲଗାମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଜମ୍ମୁ-କାଶ୍ମୀର ପୋଲିସ ଓ ଭାରତୀୟ ସେନା ମିଳିତ ଭାବେ ତଲାସୀ ଅଭିଯାନ ଚଳାଇଛନ୍ତି। ଘଟଣାସ୍ଥଳରେ ସୁରକ୍ଷା ଦୃଷ୍ଟିରୁ ସେନା ମୁତୟନ କରାଯାଇଛି।

୨୦୧୬ ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀ ପୋଲିସ ଅଫିସରଙ୍କୁ ଆଜୀବନ କାରାଦଣ୍ଡ

ମହିଳା ପୋଲିସ ଅଫିସରଙ୍କୁ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡାଦେଶ

ନୂଆଦିଲ୍ଲୀ, ୨୧/୦୪: ମହାରାଷ୍ଟ୍ରରେ ଜଣେ ରାଷ୍ଟ୍ରପତି ପଦକ ପ୍ରାପ୍ତ ପୋଲିସ ଅଫିସରଙ୍କ ଜଘନ୍ୟ କାଣ୍ଡ। ୨୦୧୬ ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀ ପୋଲିସ ଅଫିସରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ଅଶ୍ୱିନୀ ବିଦ୍ରେ ଗୋରଙ୍କ ହତ୍ୟା ମାମଲାରେ ମହାରାଷ୍ଟ୍ରର ଏକ ଅଦାଲତ ରାଷ୍ଟ୍ରପତି ପଦକ ପ୍ରାପ୍ତ ପୂର୍ବତନ ପୁଲିସ ଇନ୍ସପେକ୍ଟର ଅଭୟ କୁରୁନ୍ଦକରଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି।

ସୂଚନା ମୁତାବକ, ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ଅଶ୍ୱିନୀ ବିଦ୍ରେ ୨୦୦୫ରେ ଜଣେ ଇଞ୍ଜିନିୟର ରାଜୁ ଗୋରଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଗୋଟିଏ ଝିଅ ଥିଲା। କିନ୍ତୁ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିବାରୁ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ନିଜେ ନଭି ମୁମ୍ବାଇରେ ରହୁଥିଲେ। ସେହିପରି ପୋଲିସ ଇନ୍ସପେକ୍ଟର ଅଭୟ କୁରୁନ୍ଦକର ମଧ୍ୟ ବିବାହିତ। ହେଲେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ସମୟରେ ପୋଲିସ ଇନ୍ସପେକ୍ଟର ଅଭୟ କୁରୁନ୍ଦକରଙ୍କ ସହ ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ଅଶ୍ୱିନୀ ବିଦ୍ରେଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେଣୁ କୁରୁନ୍ଦକରଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ ଅଶ୍ୱିନୀ। ହେଲେ, କୁରୁନ୍ଦକର ତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ତେଣୁ ଅଶ୍ୱିନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକ ହତ୍ୟା ଷଡଯନ୍ତ୍ର ରଚିଥିଲେ। ଥାନେ ସ୍ଥିତ ତାଙ୍କ ଘରେ ସେ ଅଶ୍ୱିନୀଙ୍କ ଗଳା କାଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ମୃତଦେହକୁ ଛୋଟ ଛୋଟ କରି କାଟି ଏକ ଟ୍ରଙ୍କ ଓ ବସ୍ତାରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଥିଲେ।

ଏହି ଘଟଣା ୨୦୧୬ରେ ଘଟିଥିଲେ ମଧ୍ୟ ୨୦୧୭ରେ ସେ ରାଷ୍ଟ୍ରପତି ପଦକ ପାଇଁ ବିବେଚିତ ହୋଇଥିଲେ। ସେତେବେଳେ ଏହି ମାମଲା ଥାନାରେ ଚାଲୁଥିଲେ ମଧ୍ୟ କିପରି କୁରୁନ୍ଦକରଙ୍କୁ ରାଷ୍ଟ୍ରପତି ପଦକ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ।

ଏଥିରେ କୁରୁନ୍ଦକରଙ୍କୁ ସାହାଯ୍ୟ କରିଥିବା କୁରୁନ୍ଦକରଙ୍କ ଡ୍ରାଇଭର କୁନ୍ଦନ ଭଣ୍ଡାରୀ ଏବଂ ୨୦୧୮ରୁ ଜେଲରେ ଥିବା ତାଙ୍କ ବନ୍ଧୁ ମହେଶ ଫାଲାନିକରଙ୍କୁ ମଧ୍ୟ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ସେମାନେ ଜେଲରେ ସର୍ବାଧିକ ଦଣ୍ଡ ଭୋଗି ସାରିଥିବାରୁ ରାୟ ପ୍ରକାଶ ପାଇବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

ବିବାହ ଉତ୍ସବରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ

ବିବାହ ଉତ୍ସବରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ

ଅଭିଯୁକ୍ତ ଫେରାର; ତଦନ୍ତ ଜାରି

ସୁନ୍ଦରଗଡ଼, ୨୨/୦୪: ସୁନ୍ଦରଗଡ଼ ଜିଲ୍ଲା ତାଳସରା ଅଞ୍ଚଳରେ ଘଟିଛି‌ ଏକ ଲଜ୍ଜ୍ୟାଜନକ ଘଟଣା। ବିବାହ ଭୋଜି ଖାଇ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି‌। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆଗକୁ ବଢ଼ିଛି।

ମିଳିଥିବା ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପୀଡ଼ିତା ନାବାଳିକା ଜଣକ ତାଙ୍କ ସମ୍ପର୍କୀୟଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ଏହି ସମୟରେ ଏକ ବୋଲେରୋରେ ୩ ଜଣ ଯୁବକ ଆସି ନାବାଳିକାଙ୍କୁ ଜୋରଜବରଦସ୍ତ ଅପହରଣ କରି ନେଇ ସ୍ଥାନୀୟ ଜଙ୍ଗଲକୁ ନେଇ ଯାଇ ସେଠାରେ ତାଙ୍କ ସହ ଅମାନବୀୟ କାଣ୍ଡ ଭିଆଇଥିଲେ। 

ଏଭଳି ଅବସ୍ଥାରେ ନାବାଳିକାଙ୍କ ସମ୍ପର୍କୀୟ ତାଙ୍କୁ ଛାଡି ଚାଲିଯିବା ସହ ଏହି କାଣ୍ଡ ଘଟାଇବା ପରେ ଦୁର୍ବୃତ୍ତ ମାନେ ମଧ୍ୟ ଫେରାର ହୋଇଯାଇଥିଲେ। ତେବେ ପୀଡ଼ିତା ନାବାଳିକା ସେଠାରୁ ଆସି ତାଙ୍କ ପରିବାର ଲୋକଙ୍କ ସହ ତାଳସରା ଥାନାରେ ଏତଲା ଦେଇଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିବା ସହ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ (ଏସଡିପିଓ) କହିଛନ୍ତି

Saturday, April 19, 2025

ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ

ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ

ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଉଦ୍‍ଘାଟିତ। ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନର ୮ଟି ବିଲ୍‌ଡିଙ୍ଗ୍ ୮ଜଣ ମହିୟସୀ ମହିଳାଙ୍କ ନାମରେ ନାମିତ।

ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୧୯/୦୪: ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ତେବେ ଏହାର ସଫଳତା ପାଇଁ ସାମୁହିକ ସଚେତନତା ଖୁବ୍ ଜରୁରୀ । ଆଜି ସ୍ଥାନୀୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ- ୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଲକ୍ଷ୍ମୀସାଗର-ଝାରପଡା ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଂସ୍ଥାରେ ୮୪ ଶଯ୍ୟା ବିଶିଷ୍ଟ ଏକ ନୂତନ ହଷ୍ଟେଲ ଉଦ୍‌ଘାଟନ କରିବା ସହିତ ଏକ ଲାଇବ୍ରେରୀ ହଲ ଏବଂ ଅଙ୍ଗନବାଡି ଟ୍ରେନିଙ୍ଗ୍ ସେଣ୍ଟର ମଧ୍ୟ ଶୁଭ ଉଦ୍‌ଘାଟନ କରିଛନ୍ତି।

ରାଜ୍ୟରେ ପୂଜ୍ୟପୂଜା ପରମ୍ପରାକୁ ଆଗେଇ ନେଇ ମୁଖ୍ୟମନ୍ତ୍ରୀ ଏହି ପ୍ରତିଷ୍ଠାନର 8ଟି ବିଲ୍‌ଡିଙ୍ଗକୁ ଓଡିଶାର ମହିୟସୀ ମହିଳାଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିବା ସହିତ ପ୍ରତିଷ୍ଠାନର କନଫରେନସ୍ ହଲ୍‌କୁ ରମାଦେବୀ ସମ୍ମିଳନୀ କକ୍ଷ ନାମରେ ନାମିତ କରି ଏହାର ପରିଧିକୁ ବୃଦ୍ଧି କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି।

ସୂଚନାଥାଉ କି, ଏହି ପ୍ରତିଷ୍ଠାନର ଅଡିଟୋରିଅମ୍‌ ହଲ୍‌କୁ ସରଳା ଦେବୀ ପ୍ରେକ୍ଷାଳୟ, ଲାଇବ୍ରେରୀ ହଲ୍‌କୁ କମଳା ପୂଜାରୀ ଗ୍ରନ୍ଥାଗାର, ଅଙ୍ଗନବାଡି ଟ୍ରେନିଙ୍ଗ ସେଣ୍ଟରକୁ ଶୈଳବାଳା ଦାସ ପ୍ରଶିକ୍ଷଣ କକ୍ଷ, ନୂଆ ହଷ୍ଟେଲକୁ ମାଳତୀ ଚୌଧୁରୀ ନିବାସ, ଅଙ୍ଗନବାଡି କର୍ମୀ ହଷ୍ଟେଲକୁ ବାଙ୍ଗରା ଦେବୀ ନିବାସ ଏବଂ ଗେଷ୍ଟ ହାଉସ୍‌କୁ ଗୁରୁବାରୀ ଜାନୀ ଅତିଥି ଭବନ ନାମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସୁସ୍ଥ ଶିଶୁ ହିଁ ଉତ୍ତମ ଛାତ୍ର ହୋଇପାରିବ ଓ ଭବିଷ୍ୟତରେ ଏକ ଆଦର୍ଶ ନାଗରିକ ହୋଇପାରିବ। ସୁସ୍ଥ ଶିଶୁ, ସୁସ୍ଥ ଭବିଷ୍ୟତର ପ୍ରତୀକ । ପୋଷଣ ପକ୍ଷ ପାଳନ ସମୟରେ ଶିଶୁ ଜୀବନର ପ୍ରଥମ ଏକ ହଜାର ଦିନ ମଧ୍ୟରେ ପୋଷଣର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଉଛି । ଶୈଶବରେ ଉପଯୁକ୍ତ ପୋଷଣ ପାଇଲେ ଶିଶୁର ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ତା’ର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ।

ପୋଷଣ ଉପରେ ଆମର ନୂଆ ସରକାର ଅଧିକ ଫୋକସ୍ ରଖି କାମ କରିବା ଆରମ୍ଭ କରିଛନ୍ତି। ୧୦୦ କୋଟି ଟଙ୍କା ଅନୁଦାନରେ ‘ଓଡିଶା ପୁଷ୍ଟି ମିଶନ’ ମଧ୍ୟ ପ୍ରତିଷ୍ଠା କରାଯିବ। ପୋଷଣ ଅଭିଯାନରେ ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବାପାଇଁ ଚଳିତ ବର୍ଷ ବଜେଟ୍‌ରେ ୨୮୪ କୋଟି ଟଙ୍କା ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଦୁଇଟି କନ୍ୟା ସନ୍ତାନ ପାଇଁ ସହାୟତା ରାଶିକୁ ୧୦ହଜାର ଟଙ୍କାରୁ ୧୨ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ସବୁ ପଦକ୍ଷେପ ଓଡିଶାର ପିଲାମାନଙ୍କର ପୋଷଣରେ ଉନ୍ନତି ଆଣିବ। ଯେହେତୁ ଏକ ସମୃଦ୍ଧ ଓଡିଶା ଗଠନ ଆମର ଲକ୍ଷ୍ୟ ତେଣୁ, ଆମ ଓଡିଶାକୁ ସୁ-ପୋଷିତ କରିବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଙ୍ଗନବାଡି କର୍ମୀ ଓ ସୁପରଭାଇଜର ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣ ମାନେ ପିଲାମାନଙ୍କ ପୋଷଣ ଦାୟିତ୍ୱ ସହିତ ସେମାନଙ୍କୁ ପ୍ରାରମ୍ଭିକ ମୌଳିକ ଶିକ୍ଷା ବି ଦେଉଛନ୍ତି। ଆପଣ ମାନେ ହେଉଛନ୍ତି ପିଲାଙ୍କ ପାଇଁ ଦ୍ୱିତୀୟ ମା’ ।

Friday, April 18, 2025

ଶଙ୍ଖ ଭବନରେ ବିଜୁ ବାବୁଙ୍କ ଶ୍ରାଦ୍ଧ ସଭା

ଶଙ୍ଖ ଭବନରେ ବିଜୁ ବାବୁଙ୍କ ଶ୍ରାଦ୍ଧ ସଭା

ବରପୁତ୍ରଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ ନ କରି ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡିଲେ ଓଡ଼ିଶାର ମଙ୍ଗଳ ହେବ: ନବୀନ ପଟ୍ଟନାୟକ

ଦେଶର ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ଭାରତୀୟ ରାଜିନୀତିକୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ: ନବୀନ

ଭୁବନେଶ୍ୱର, ୧୭/୪: ଆଜି ଶଙ୍ଖ ଭବନଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଭାବ ଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିଜୁ ବାବୁ ଜଣେ ଓଡ଼ିଆ ଭାବରେ ସବୁବେଳେ ଗର୍ବ କରୁଥିଲେ। ଓଡିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲା। ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା। ଏହି ସମୟ ମଧ୍ୟରେ ବହୁତ ଭଲ କାମ ହୋଇଥିଲା। ଯେଉଁଥିପାଇଁ ଓଡିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସ୍ୱୀକୃତି ମଧ୍ୟ ମିଳିଥିଲା।

ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦେଶର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜନୀତିକୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ। ବିଜୁ ବାବୁଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବରପୁତ୍ରମାନଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ କରିବା ପାଇଁ ବର୍ତ୍ତମାନ କିଛି ଲୋକ ଯେଭଳି ଉଦ୍ୟମ କରୁଛନ୍ତି ଏବଂ ଇତିହାସ ବଦଳେଇବାକୁ ଚେଷ୍ଟା କରୁଛନ୍ତି, ସେଥିରେ କ୍ଷୋଭ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଇତିହାସ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ କାଳଖଣ୍ଡରେ ଗୋଟିଏ ଜାତିର ସାମୂହିକ ଅନୁଭବର ପରିପ୍ରକାଶ। ଏହାକୁ କେହି ବଦଳେଇ ପାରିବେ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ। ତେଣୁ ଏଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡି ପାରିଲେ ରାଜ୍ୟର ମଙ୍ଗଳ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ନେତା ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ଅମର ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ। ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

ସକାଳେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ପାର୍କକୁ ଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ତରୁଣକାନ୍ତି ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’

ବାବାଜୀ ଚରଣ ପଟ୍ଟନାୟକ, ମମତା ଦାଶ, ଶରତ ଚନ୍ଦ୍ର ଶତପଥୀ, ରମେଶ ପତ୍ରୀ, ହରିହର ଶୁକ୍ଳ ଓ ନାରାୟଣ ଶତପଥୀଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’

ଭୁବନେଶ୍ବର,୧୭ା୪: ବହୁଳ ପ୍ରସାରିତ ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ‘ସତ୍ୟବାଦୀ ସାରସ୍ୱତ ସମ୍ମାନ ୨୦୨୪’ ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରବନ୍ଧ ବିଭାଗରେ ଡ. ବାବାଜୀ ଚରଣ ପଟ୍ଟନାୟକ, କବିତା ପାଇଁ ମମତା ଦାଶ, ଗଳ୍ପ ପାଇଁ ପ୍ରଫେସର ଶରତ ଚନ୍ଦ୍ର ଶତପଥୀ, ଶିଶୁ ଗଳ୍ପରେ ଡ. ରମେଶ ପତ୍ରୀ, ଶିଶୁ କବିତାରେ ହରିହର ଶୁକ୍ଳ ଓ ରମ୍ୟ ରଚନା ପାଇଁ ନାରାୟଣ ଶତପଥୀଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ ୨୦୨୪’ ପ୍ରଦାନ କରାଯିବ। ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ରେ ଏକ ଲକ୍ଷ ଟଙ୍କାର ପୁରସ୍କାର ସହ ଉପାୟନ ଏବଂ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ପ୍ରତିଭାଙ୍କୁ ଦଶ ହଜାର ଅର୍ଥରାଶି ସହିତ ଉପାୟନ ପ୍ରଦାନ କରାଯିବ।

ଏଥିପାଇଁ ଲୋକସେବକ ମଣ୍ଡଳ ପକ୍ଷରୁ ଗଠିତ ସାତଜଣିଆ ମନୋନୟନ କମିଟି ବୈଠକ ସୋମବାର ‘ସମାଜ’ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରାଜ୍ୟର ଜଣେ ଲବ୍ଧପ୍ରତିଷ୍ଠ ସାରସ୍ବତ ସାଧକଙ୍କୁ ସତ୍ୟବାଦୀ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥାଏ। ଏତଦ୍‌ବ୍ୟତୀତ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାରେ ପ୍ରକାଶିତ ଲେଖକଙ୍କ ଲେଖାକୁ ଭିତ୍ତି କରି ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥାଏ।

ଚଳିତ ଏପ୍ରିଲ ୨୭ ତାରିଖ(ରବିବାର) ଭୁବନେଶ୍ୱର ଉତ୍କଳ ବିଶ୍ବବିଦ୍ୟାଳୟ, ବାଣୀବିହାର ଏମ୍‌କେସିଜି ପ୍ରେକ୍ଷାଳୟରେ ଅପରାହ୍ଣ ୪ଟାରେ ଅନୁଷ୍ଠିତ ହେବାକୁ ଥିବା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ନବମ ବାର୍ଷିକ ସମାରୋହରେ ଏହି କୃତବିଦ୍ୟ ସାରସ୍ବତ ସାଧକଙ୍କୁ ସମ୍ମାନିତ କରାଯିବ ବୋଲି ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଜଣାଇଛନ୍ତି ।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ମାନ୍ୟବର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ*

ବିଭିନ୍ନ ଲାବୋରେଟୋରି ବୁଲି ଦେଖିବା ସହ ଅତ୍ୟାଧୁନିକ ଭିତ୍ତିଭୂମିକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୧୭/୦୪: ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ କରିବାରେ ଏହି କେନ୍ଦ୍ର ବିଶେଷ ଭୂମିକା ଗ୍ରହଣ କରୁଥିବା ଜାଣି ଖୁସି ହୋଇଥିଲେ। ଏହି ଅତ୍ୟାଧୁନିକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ପହଞ୍ଚିବା ପରେ ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ପରେ ସେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ, ଟ୍ରାଭେଲେଟର ଓ ଏସ୍କାଲେଟର ଲାବୋରେଟୋରି ସହିତ ଅଟୋମେସନ ଆଣ୍ଡ ବେସିକ୍‌ ରୋବୋଟିକ୍ସ ଲ୍ୟାବ୍‌ ଏବଂ ଅତ୍ୟାଧୁନିକ ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର ବୁଲି ଦେଖିଥିଲେ।


ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକଙ୍କ ସହ କଥା ହୋଇଥିଲେ। ଏହି ଅତ୍ୟାଧୁନିକ ଲାବୋରେଟୋରିରେ ସେମାନଙ୍କ ଦକ୍ଷତା ବିକାଶ ଏବଂ କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ କିପରି ସହାୟକ ହେଉଛି ସେ ବିଷୟରେ ପଚାରି ବୁଝିଥିଲେ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ‘‘ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦକ୍ଷତା ବିକାଶ କ୍ଷେତ୍ରକୁ ସୁଦୃଢ଼ କରାଯାଉଛି। ଯୁବପିଢ଼ିଙ୍କ ଦକ୍ଷତାକୁ ନୂଆ ଉଚ୍ଚତାକୁ ନେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏ ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଏକ ବଡ଼ ଯୋଗଦାନ ରହୁଛି। ଏଠାରେ ଅତ୍ୟାଧୁନିକ ତାଲିମ ନେଇ ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ନିଯୁକ୍ତି ସୁଯୋଗ ପାଉଛନ୍ତି। ଆଗାମୀ ଦିନରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ବିଶେଷ ପରିଚୟ ପାଇବାକୁ ଯାଉଛି।’’

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ରଶ୍ମିତା ପଣ୍ଡା, ବିଶ୍ୱ ଦକ୍ଷତା କେନ୍ଦ୍ରର ଚିଫ୍ ସ୍କିଲ ଅଫିସର ଶ୍ରୀ ବ୍ରୁସ୍ ପୋହ ଏବଂ ସିଓଓ ଶ୍ରୀ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ଭିତରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଟି ଥମ୍ବିରାଜା ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ଜିତାମିତ୍ର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...