AFFILIATE MARKETING

https://binomo.com?a=90810425bb57&t=0

Sunday, April 28, 2024

COASTAL NEWS ODIA 1836 ରାହୁଲଙ୍କ ବଡ ଘୋଷଣା, କେନ୍ଦ୍ରରେ ସରକାର ଗଢିଲେ ମହିଳାଙ୍କୁ ମିଳିବ ଲକ୍ଷେ ଟଙ୍କା

COASTAL NEWS ODIA 1836

ରାହୁଲଙ୍କ ବଡ ଘୋଷଣା, କେନ୍ଦ୍ରରେ ସରକାର ଗଢିଲେ ମହିଳାଙ୍କୁ ମିଳିବ ଲକ୍ଷେ ଟଙ୍କା


ଭୁବନେଶ୍ବର - (CNO) ଆଜି ଓଡିଶା ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ । ସାଲେପୁର କୁଳିଆରେ ନ୍ୟାୟ ସମାବେଶରେ ଯୋଗ ଦେଇ ବଡ ଘୋଷଣା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢେ ତେବେ ୫ ଐତିହାସିକ ନିଷ୍ପତ୍ତି ନେବ ଯାହା କେହି କେବେ କଳ୍ପନା ମଧ୍ୟ କରିନଥିବେ । 

କେନ୍ଦ୍ରରେ ସରକାର ହେଲେ, କଂଗ୍ରେସ ଗରିବ ପରିବାରକୁ ଚିହ୍ନଟ କରିବା ସହ ସେହି ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ପଠାଇବ । ଏହାଦ୍ୱାରା ମହିଳାଙ୍କ ଆକାଉଣ୍ଟକୁ ମାସିକ ୮୫୦୦ ଟଙ୍କା ଆସିବ ।

ସେହିଭଳି ଯୁବବର୍ଗଙ୍କୁ ଚାକିରି ପାଇଁ ଆଉ ଏଣେତେଣେ ହାତ ପତାଇବାକୁ ପଡିବନି । କାରଣ କଂଗ୍ରେସ ସରକାରକୁ ଆସିଲେ 'ପେହେଲି ନୌକରି ପକ୍କି' ଯୋଜନା ଆଣିବ ବୋଲି ଘୋଷଣା କରିଛନ୍ତି ରାହୁଲ । ଯେଉଁଥିରେ ବେରୋଜଗାର ଶିକ୍ଷିତ ଯୁବକଙ୍କୁ ମିଳିବ ଚାକିରି ଗ୍ୟାରେଣ୍ଟି । ସରକାରୀ, ପିଏସୟୁ, ପ୍ରାଇଭେଟ ସଂସ୍ଥାରେ ୧ ବର୍ଷ ପର୍ଯ୍ୟନ୍ତ ଚାକିରି ମିଳିବ । ସରକାରଙ୍କ ପାଖରେ ଚାକିରି ଆବେଦନ କରିବା ମାତ୍ରେ ୧ ବର୍ଷର ଆପ୍ରେଣ୍ଟିସିପ୍ ମିଳିବ ବୋଲି କହିଛନ୍ତି ରାହୁଲ ।

ରାହୁଲ କହିଛନ୍ତି, ମୋଦୀ ସରକାର ୨୨ ଜଣଙ୍କୁ କୋଟିପତି କରିଛନ୍ତି, କଂଗ୍ରେସ ସରକାର ଆସିଲେ, କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ । ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ୨୪ ହଜାର ଟଙ୍କା ମିଳିବ । ଆଉ ତାହା ବି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ।

Saturday, April 27, 2024

COASTAL NEWS ODIA 1835 *କେବଳ ନେପାଳ ରାଜାଙ୍କୁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଆଳତୀର ଅଧିକାର କାହିଁକି ମିଳିଛି ?*

COASTAL NEWS ODIA 1835

*କେବଳ ନେପାଳ ରାଜାଙ୍କୁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଆଳତୀର ଅଧିକାର କାହିଁକି ମିଳିଛି ?*


ପୁରୀ _(CNO) କେବଳ ନେପାଳ ରାଜାଙ୍କୁ ମହାପ୍ରଭୁଙ୍କର ରତ୍ନବେଦୀ ଉପରେ ଆଳତୀ କରିବାକୁ ଅନୁମତି ଦିଆଯାଇଛି। ଏହା କେବଳ ନେପାଳ ରାଜପରିବାରର ଅଧିକାର।  ଏମିତିକି, *ମହାପ୍ରଭୁଙ୍କର ପ୍ରଥମ ସେବକ ଗଜପତି ମହାରାଜଙ୍କର ମଧ୍ୟ ରତ୍ନବେଦୀ ଉପରେ ଆଳତୀ କରିବାର ଅଧିକାର ନାହିଁ।*  

ପରମ୍ପରା ଅନୁସାରେ, *କେବଳ ନେପାଳ ରାଜା ମହାପ୍ରଭୁଙ୍କ ଦର୍ଶନ ସମୟରେ ଇଚ୍ଛା ପ୍ରକାଶ କଲେ ରତ୍ନବେଦୀ ଉପରେ ଚଢ଼ି ଶ୍ରୀବିଗ୍ରହମାନଙ୍କର ଆଳତୀ କରିପାରିବେ।* ନେପାଳ ରାଜାଙ୍କୁ ମିଳିଥିବା ଏହି ସ୍ୱତନ୍ତ୍ର ଅଧିକାର ପଛରେ ରହିଛି ଶ୍ରୀ-ଜଗନ୍ନାଥ ମନ୍ଦିରର ଇତିହାସ,ପରମ୍ପରା ଏବଂ ସମ୍ମାନ ପ୍ରଦାନର ମହନୀୟ ବିଚାର।

ମାଦଳା ପାଞ୍ଜି ଅନୁସାରେ : *ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ପ୍ରଥମ ଆକ୍ରମଣ କରିଥିଲା ଯବନ 'ରକ୍ତବାହୁ'।* ସେ ତତ୍କାଳୀନ *ପୁରୀ ରାଜା "ଶୋଭନ କେଶରୀ ଦେବ"ଙ୍କୁ ପରାସ୍ତ* କରିଥିଲା। 

ସେ ସମୟରେ ଅଣହିନ୍ଦୁମାନେ କୌଣସି ହିନ୍ଦୁ ରାଷ୍ଟ୍ର ଉପରେ ବିଜୟ ପାଇବା ମାତ୍ରେ,ସର୍ବପ୍ରଥମେ ଦେବାଦେବୀ ଓ ମନ୍ଦିରକୁ ନଷ୍ଟ କରିଦେଉଥିବାରୁ ;  ଶ୍ରୀ-ମନ୍ଦିର ଓ ତ୍ରି-ମୂର୍ତ୍ତି ବିଗ୍ରହଙ୍କ ପ୍ରତି ବିପଦ ଅଛି ଜାଣି ସେବକମାନେ ମହାନଦୀ କୂଳବାଟେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ମୂର୍ତ୍ତିକୁ ମହାନଦୀ କୂଳବାଟେ ଅତି ଗୋପନରେ,ସ୍ଥାନେ ସ୍ଥାନେ ଲୁକ୍କାୟିତ ଭାବରେ ରଖି ;  ଶେଷରେ *ସୋନପୁର ରାଜାଙ୍କ ସହାୟତାରେ ନେଇ "ଗୋପାଲୀ ଗ୍ରାମରେ ଏକ ଗୁମ୍ଫା"ରେ ରଖି* ଗୁମ୍ଫାର ମୁହଁକୁ ବିରାଟ ଏକ ପଥର ଦେଇ ବନ୍ଦ କରିଦେଲେ। ପରବର୍ତ୍ତୀ ସମୟରେ ଉକ୍ତ ଗୁମ୍ଫାକୁ ଚିହ୍ନଟ କରିବା ପାଇଁ ଗୁମ୍ଫା ମୁହଁରେ ମାଟି ପକାଇ ଏକ ବରଗଛ ଲଗାଇଦେଲେ। 

ଧିରେ ଧିରେ ଯବନମାନେ ଦୁର୍ବଳ ହୋଇଯିବାରୁ, *ଯଯାତି କେଶରୀ ରାଜା* ହେଲେ। ତାଙ୍କର ୧୧ ଅଙ୍କରେ ସେ ସନ୍ନ୍ୟାସୀ ବ୍ରହ୍ମଚାରୀମାନଙ୍କୁ ଡାକି "ଓଡ଼ିଶାର ପ୍ରଭୁ ଜଗନ୍ନାଥ ମହାପ୍ରଭୁ କେଉଁଠାରେ ଅଛନ୍ତି",ବୋଲି ପଚାରି ପଚାରି ଆସି ସୋନପୁର ପର୍ଯ୍ୟନ୍ତ ପହଞ୍ଚିଲେ। ତଥାବି ଜଗନ୍ନାଥଙ୍କ ଠାବ ପାଇଲେ ନାହିଁ। 

ଅନେକ ସାଧୁ ଓ ସନ୍ୟାସୀମାନଙ୍କ ଠାରୁ ସୋନପୁରର ଗୋପାଲୀ ଗ୍ରାମରେ କାହିଁ କେତେକାଳରୁ ପୂଜାପାଉଥିବା *ଦାରୁକୋଣ ଗୁମ୍ଫା* ନିକଟରେ ପହଞ୍ଚିଲେ। ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କର ଜେଜେ-ବାପା ଓ ବାପାଙ୍କ ଅମଳରୁ ଏଠାରେ ବିଭିନ୍ନ ପ୍ରକାର ପୂଜାପର୍ବାଣୀରେ ଭୋଗରାଗ ହେଉଥିବା କଥା ପ୍ରକାଶ କରିବା ପରେ,ରାଜାଙ୍କ ମନରେ ସନ୍ଦେହ ଜାତ ହେବାରୁ ସେ ଉକ୍ତ ସ୍ଥାନରୁ ଗଛ କାଟି ତିନିଠାକୁରଙ୍କ ବିଗ୍ରହକୁ ଉଦ୍ଧାର କଲେ।  ମାଟିତଳେ ଶହ ଶହ ବର୍ଷ ପର୍ଯ୍ୟନ୍ତ ପୋତି ହୋଇଥିବାରୁ ତିନି-ମୂର୍ତ୍ତି ଜରାଜୀର୍ଣ୍ଣ ଦୃଶ୍ୟ ହେଉଥିଲେ। 

*ସୋମବଂଶୀ ରାଜା "ଯଯାତି କେଶରୀ" ଯେତେବେଳେ ୧୪୬ ବର୍ଷ ପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ବିଗ୍ରହ ମାଟିତଳୁ ଖୋଳି ଉଦ୍ଧାର କଲେ,ସେତେବେଳେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ତତ୍କାଳୀନ ମହାରାଜା ଯଯାତି କେଶରୀଙ୍କୁ ଶ୍ରୀବିଗ୍ରହମାନଙ୍କର ପୁନଃନିର୍ମାଣ ନିମନ୍ତେ ପରାମର୍ଶ* ଦେଇଥିଲେ। ଏଣୁ ମହାପ୍ରଭୁ *ଜଗନ୍ନାଥଙ୍କର ପ୍ରଥମ ନବକଳେବର ସେହି ବର୍ଷ ଅନୁଷ୍ଠିତ* ହୋଇଥିଲା। 

ସେତେବେଳେ ହିନ୍ଦୁ ପରମ୍ପରା ଅନୁସାରେ :  ବଳଭଦ୍ର,ସୁଭଦ୍ରା ଓ ଅନ୍ୟାନ୍ୟ ବିଗ୍ରହଙ୍କ ନିମନ୍ତେ *'ଶାଳଗ୍ରାମ' ପଥରର ଆବଶ୍ୟକତା* ପଡିଲା। ତେଣୁ *ଆଦିଗୁରୁ ଶଙ୍କରାଚାର୍ଯ୍ୟ ମାହାରାଜ ଯଯାତିକେଶରୀଙ୍କୁ ନେପାଳରୁ ସ୍ୱତନ୍ତ୍ର ଶାଳଗ୍ରାମ ଆଣିବାକୁ ପରାମର୍ଶ* ଦେଲେ। 

*ନେପାଳର ଗଣ୍ଡକୀ ନଦୀରେ ଉପଲବ୍ଧ ଶାଳଗ୍ରାମ,ସବୁଠାରୁ ପବିତ୍ର ପଥର ଭାବରେ ବିବେଚନା* କରାଯାଉଥିବାରୁ ନେପାଳରୁ ଶାଳଗ୍ରାମ ଆଣିବା ଜରୁରୀ ଥିଲା। ସେହି ସମୟରେ *ନେପାଳ ରାଜା 'ଶଙ୍କରଦେବ' ଏକ ଲକ୍ଷ ଶାଳଗ୍ରାମ ସହିତ କସ୍ତୁରୀ (ମୃଗ କସ୍ତୁରୀ) ଶ୍ରୀ ଜଗନ୍ନାଥଙ୍କ ନିକଟକୁ* ପଠାଇଲେ। 

ଇତିହାସରେ ଏହା ମହାପ୍ରଭୁ ଜଗନ୍ନାଥଙ୍କର *ପ୍ରଥମ ନବକଳେବର ଉତ୍ସବ।* ନେପାଳ ରାଜାଙ୍କର ସହାୟତା ବିନା ଏହା ସମ୍ଭବ ହୋଇନଥାନ୍ତା। 

ତେଣୁ *ସେହିଦିନ ଠାରୁ ନେପାଳ ରାଜ ପରିବାରଙ୍କୁ ଶ୍ରୀ-ମନ୍ଦିରରେ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ ପୂର୍ବକ ରତ୍ନବେଦୀ ଉପରେ ମହାପ୍ରଭୁଙ୍କର ଆଳତୀ କରିବାକୁ ଅଧିକାର ପ୍ରଦାନ* କରାଯାଇଛି।

                        *ଜୟ ଶ୍ରୀଜଗନ୍ନାଥ* 
           🙏🏻🙏🏻🙏🏻

COASTAL NEWS ODIA 1834 ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

COASTAL NEWS ODIA 1834

ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
 

ମୟୁରଭଞ୍ଜ - (CNO)  ହାତ ଧରାଧରି ହୋଇ ଚାଲିଗଲେ ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ଦୁହିଁଙ୍କ ପ୍ରେମକୁ ପରିବାର ସ୍ବୀକୃତି ନ ମିଳିବାରୁ ସେମାନେ ଜୀବନ ହାରି ଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଖା ଗ୍ରାମ ପଞ୍ଚାୟତର ଶିଖରଘାଟି ଗ୍ରାମର ଏକ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ପ୍ରେମୀ ଯୁଗଳ ହେଲେ ଶିଖରଘାଟି ଗ୍ରାମର ସାଲଖାନ ମାରାଣ୍ଡି ଓ ମୁନୀ ମୁଖି ବୋଲି ଜଣାପଡ଼ିଛି । ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । 

ପରେ ପୋଲିସ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଚିହ୍ନଟ କରିଥିଲା l ତେବେ ସାଲଖାନ ଗତକାଲି ରାତିରୁ ଘରୁ ବାହାରକୁ ଯାଇଥିବା ବେଳେ ଘରକୁ ଆଉ ଫେରିନଥିଲେ । ସେହିପରି ମୁନୀ ମଧ୍ୟ କାହାକୁ କିଛି ନ ଜଣାଇ ଘରୁ ବାହାରି ଥିଲେ । ହେଲେ ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । 

ଘଟଣାସ୍ଥଳରୁ ପୋଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି । ଏନେଇ ବାରିପଦା ସଦର ଥାନାରେ ପୃଥକ ଭାବେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଏକ ବିଫଳ ପ୍ରେମର କରୁଣ ପରିଣତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।  

ଦୁହିଁଙ୍କ ପ୍ରେମକୁ ପରିବାରର ସ୍ବୀକୃତି ନ ମିଳିବାରୁ ଦୁହେଁ ମାନସିକ ଭାରସାମ୍ୟ ହରାଇ ଚରମ ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି ପୋଲିସ । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


Thursday, April 25, 2024

COASTAL NEWS ODIA 1833 ଓଡ଼ିଶାରେ ବିଜେପି ସରକାର ଆସିଲେ ଗରିବି ଦୂର ହେବ - ଅମିତ ଶାହା

COASTAL NEWS ODIA 1833

ଓଡ଼ିଶାରେ ବିଜେପି ସରକାର ଆସିଲେ ଗରିବି ଦୂର ହେବ - ଅମିତ ଶାହା


ସୋନପୁର - (CNO) ଓଡ଼ିଶାରେ ଗର୍ଜ୍ଜିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁର ଜିଲ୍ଲାର ରାମେଶ୍ୱର ଷ୍ଟାଡିୟମ୍‌ରେ ଆୟୋଜିତ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି ଶାହ । ପ୍ରଥମେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ନିଜର ଭାଷଣ ଆରମ୍ଭ କରିଥିଲେ ଶାହ । ସେ କହିଛନ୍ତିଯେ, ନବୀନ ସରକାରଙ୍କ ୨୦ ବର୍ଷ ଶାସନକାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି ।


ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି । ତେଣୁ ଓଡ଼ିଶାକୁ ଏବେ ବିକାଶ, ସମୃଦ୍ଧଶାଳୀ କରିବାର ସମୟ ଆସିଛି ବୋଲି କହିଛନ୍ତି ଅମିତ ଶାହା । ଶାହ ଆହୁରି କହିଛନ୍ତି, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି । ସବୁଠାରୁ ଅଧିକ ପାଣି ରହିଛି । ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ । ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି । ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ । ଲୋକଙ୍କୁ ଏଠାରେ ରୋଜଗାର ମିଳିବ ।

ଶାହ କହିଛନ୍ତି ଯେ, କେନ୍ଦ୍ର ସରକାର ଯେତିକି ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ତାହା ବିନିଯୋଗ କରିପାରୁ ନାହିଁ । ଭାରତୀୟ ଜନତା ପାର୍ଟିର ସରକାର ପ୍ରତ୍ୟେକ ଘରକୁ ପାଣି ଯୋଗାଇବ । ତେବେ ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ । କାଶୀ ବିଶ୍ୱନାଥ ଭଳି ପୁରୀକୁ ସାରା ବିଶ୍ୱରେ ମହିମାମଣ୍ଡିତ କରାଯିବ ବୋଲି ଅମିତ୍ ଶାହ ସୋନପୁର ସଭାରେ କହିଛନ୍ତି । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ୪ ଲକ୍ଷ ୮୧ ହଜାର କୋଟି ଦେଇଛନ୍ତି ବୋଲି ଅମିତ୍ ଶାହ ହିସାବ ଦେଇଛନ୍ତି ।

ସୋନପୁରରେ ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ଶାହ । ଏହି ଅବସରରେ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଥିଲେ । ସେ ଉପସ୍ଥିତ ଲୋକଙ୍କୁ ପଚାରିଥିଲେ ଯେ, ଓଡ଼ିଶାରେ ୨୦ ଲୋକସଭା ସିଟ୍ ଜିତିବା କି ନାହିଁ । ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ବନେଇବା କି ନାହିଁ । ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର କରିବା ବୋଲି ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି ।

COASTAL NEWS ODIA 1832 ପଶ୍ଚିମବଙ୍ଗ ରେ ହଜାର ହଜାର ଶିକ୍ଷକ ହରାଇଲେ ଚାକିରି

COASTAL NEWS ODIA 1832

ପଶ୍ଚିମବଙ୍ଗ ରେ ହଜାର ହଜାର ଶିକ୍ଷକ ହରାଇଲେ ଚାକିରି


କୋଲକାତା - (CNO) ୨୬,୦୦୦ ଶିକ୍ଷକଙ୍କ ଚାକିରି ବାତିଲ କରିବା ନେଇ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି" ସୁପ୍ରିମକୋର୍ଟରୁ ନ୍ୟାୟ ମିଳିବା ନେଇ ମୋର ଭରସା ଅଛି । ସିବିଆଇ କିଣାଯାଇଛି । ଏନଆଇଏ କିଣାଯାଇଛି । ଦୁରଦର୍ଶନକୁ ଗେରୁଆ ରଙ୍ଗ କରାଯାଇଛି । ବିଜେପି କେବଳ ବଡ଼ ବଡ଼ କଥା କୁହନ୍ତି କିନ୍ତୁ କିଛି କରନ୍ତି ନାହିଁ ।


କିଛି ଦିନ ପୂବରୁ କଲିକତା ହାଇକୋର୍ଟ ସରକାରୀ ପ୍ରାୟୋଜିତ ତଥା ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ୨୦୧୬ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରି କହିଥିଲେ ଯେ କିଛି ପ୍ରାର୍ଥୀ ଚାକିରୀ ପାଇବା ପାଇଁ ଲାଞ୍ଚ ଦେଇଛନ୍ତି । ଶିକ୍ଷକ ନିଯୁକ୍ତି ମାମଲାରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ଅନେକ ଟିଏମସି ନେତା ତଥା ପୂର୍ବତନ ଅଧିକାରୀ ଏବେ ଜେଲରେ ଅଛନ୍ତି । କିନ୍ତୁ କୋର୍ଟରୁ ଏହି ପଦକ୍ଷେପ କାରଣରୁ ୨୬,୦୦୦ ଶିକ୍ଷକଙ୍କୁ ବେକାର କରିଦେଇଛି । ତାଙ୍କୁ ୧୨% ସୁଧ ସହିତ ଦରମା ଫେରସ୍ତ କରିବାକୁ କୁହାଯାଇଥିଲା । ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଏହି ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି ।

ଆସନ୍ତା ନିର୍ବାଚନରେ କୋର୍ଟଙ୍କ ଆଦେଶ ରାଜ୍ୟରେ ଏକ ଗେମଚେଞ୍ଜର ହୋଇପାରେ, ଯେଉଁଠାରେ ୨୦୧୯ ରେ ରାଜ୍ୟର ୪୨ ଟି ଆସନ ମଧ୍ୟରୁ ୧୮ ଟି ଜିତିଥିବା ବିଜେପି ଏବେ ଅଧିକ ଆସନ ଜିତିବାକୁ ଲକ୍ଷ ରଖିଥିବା ବେଳେ, ସନ୍ଦେଶଖାଲିରେ ବିବାଦ ଯୋଗୁଁ ମମତା ବାନାର୍ଜୀଙ୍କ ପାର୍ଟି ଜନସାଧାରଣଙ୍କ କ୍ରୋଧର ଶିକାର ହେବାର ସମ୍ଭାବନା ରହିଛି ।

ସମସ୍ତ ନିଯୁକ୍ତିକୁ ବାତିଲ କରିବାକୁ କୋର୍ଟଙ୍କ ଆଦେଶ ବିରୋଧରେ କୋଲକାତାରେ ପୂର୍ବରୁ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ଦୁର୍ନୀତି ସହ ଜଡ଼ିତ ଅଳ୍ପ କେତେକ ଲୋକ ଯୋଗୁଁ ହଜାର ହଜାର ନିରୀହ ଶିକ୍ଷକ, ସେମାନଙ୍କ ପରିବାର ଏବଂ ଛାତ୍ରଛାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି ।

COASTAL NEWS ODIA 1831 ପ୍ରଧାନମନ୍ତ୍ରୀ ମୋଦି ତଥା ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ପଠାଇଲା ନିର୍ବାଚନ ଆୟୋଗ

COASTAL NEWS ODIA 1831

ପ୍ରଧାନମନ୍ତ୍ରୀ ମୋଦି ତଥା ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ପଠାଇଲା ନିର୍ବାଚନ ଆୟୋଗ  


ଭୁବନେଶ୍ବର - (CNO) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗକୁ ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି । ଧର୍ମ, ଜାତି, ସମ୍ପ୍ରଦାୟ କିମ୍ବା ଭାଷା ଆଧାରରେ ଉଭୟ ବିଜେପି ଓ କଂଗ୍ରେସ ପରସ୍ପରକୁ ଘୃଣା ଓ ବିଭାଜନ ସୃଷ୍ଟି କରିଥିବା ଅଭିଯୋଗ କରିଥିଲେ ।

ନିର୍ବାଚନ ଆୟୋଗ ଦୁଇ ଜଣ ନେତାଙ୍କୁ ଏପ୍ରିଲ ୨୯ ସକାଳ ୧୧ ଟା ସୁଦ୍ଧା ଉତ୍ତର ମାଗିଛନ୍ତି । ନିର୍ବାଚନ ଆୟୋଗ ଏହି ବିଜ୍ଞପ୍ତିଗୁଡ଼ିକୁ କଂଗ୍ରେସ ଏବଂ ବିଜେପିର ଜାତୀୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ନିର୍ବାଚନ ଆୟୋଗ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ବିଜେପି ସଭାପତି ଜେପି ନାଡାଙ୍କଠାରୁ ଉତ୍ତର ମାଗିଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ଭାଷଣ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଆୟୋଗ ଏହି ବିଜ୍ଞପ୍ତି ପଠାଇଛନ୍ତି । ଏହି ଅଭିଯୋଗଗୁଡିକରେ ଆଚରଣ ସଂହିତା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । 
 
ଅଭିଯୋଗରେ କୁହାଯାଇଛି ଯେ ଏହି ନେତାମାନେ ଧର୍ମ, ଜାତି, ସମ୍ପ୍ରଦାୟ ଏବଂ ଭାଷା ଆଧାରରେ ଲୋକଙ୍କ ମଧ୍ୟରେ ଘୃଣା ଏବଂ ବିଭାଜନ ବିସ୍ତାର କରିବାକୁ କାର୍ଯ୍ୟ କରୁଛନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି ତଥା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ନେଇ ନିର୍ବାଚନ ଆୟୋଗ ସଂଜ୍ଞାନ କୁ ନେଇଛନ୍ତି  ।  

ନିର୍ବାଚନ ଆୟୋଗ କହିଛନ୍ତି ଯେ, ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ତଥା ଷ୍ଟାର ପ୍ରଚାରକଙ୍କ ଆଚରଣ ପାଇଁ ପ୍ରାଥମିକ ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ । ଶୀର୍ଷ ପଦବୀରେ ଥିବା ନେତାଙ୍କ ନିର୍ବାଚନୀ ଭାଷଣର ପରିଣାମ ଅଧିକ ଗୁରୁତର ଅଟେ ସୂଚନାଯୋଗ୍ୟ, ରାଜସ୍ଥାନର ବାନ୍‌ସୱାଡାଠାରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଭାଷଣ ସମ୍ପର୍କରେ କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳର ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଭାଜପା ମୁଖ୍ୟ ଜେପି ନଡାଙ୍କୁ ଉତ୍ତର ମାଗିଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗକୁ ଭାଜପା ଏବଂ କଂଗ୍ରେସ ମୁଖିଆଙ୍କ ସହ ଶେୟାର କରିଥିବା ବେଳେ ଏପ୍ରିଲ ୨୯ ସୁଦ୍ଧା ଏହାର ଉତ୍ତର ମାଗିଛନ୍ତି ନିର୍ବାଚନ କମିଶନ । ସୋମବାର ଦିନ ବିଜେପି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦେଶରେ ଦାରିଦ୍ର‌୍ୟ ବୃଦ୍ଧି ନେଇ ମିଥ୍ୟା ଦାବି କରୁଥିବା ଅଭିଯୋଗ କରିଥିଲା ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଥିଲା । 

ନିର୍ବାଚନ ଆୟୋଗରେ ଅଭିଯୋଗ ଦାଖଲ କରୁଥିବାବେଳେ ବିଜେପି ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଭାଷା ଏବଂ ଅଞ୍ଚଳ ଆଧାରରେ ଉତ୍ତର-ଦକ୍ଷିଣରେ ବିଭକ୍ତ କରିବା ଭଳି ଅଭିଯୋଗ କରିଥିଲେ । 

Tuesday, April 23, 2024

COASTAL NEWS ODIA 1830 ଓଡିଶାରେ ନିର୍ବାଚନୀ ମହାସମର ପାଇଁ ହିଞ୍ଜିଳିରେ ବାଜିଲା ବିଜେଡିର ରଣତୁରୀ

COASTAL NEWS ODIA 1830

ଓଡିଶାରେ ନିର୍ବାଚନୀ 
ମହାସମର ପାଇଁ ହିଞ୍ଜିଳିରେ ବାଜିଲା ବିଜେଡିର ରଣତୁରୀ 



ହିଞ୍ଜିଳିକାଟୁ - (CNO) ଓଡିଶା ବିକାଶରେ ବିରୋଧୀଙ୍କୁ ଟାର୍ଗେଟ ନିଜ ପାଇଁ ଓ ଆସିକା ସାଂସଦ ପ୍ରାର୍ଥୀନୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଡି ଶଙ୍ଖ ଓଡିଶାର ବିକାଶ ଓ ପରିଚୟ, ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ ୨୦୨୪ ଠାରୁ ୨୦୩୪ ଯାଏଁ ଓଡିଶା ହେବ ସ୍ୱତନ୍ତ୍ର ଓ ୧ନଂ ରାଜ୍ୟ : ମୁଖ୍ୟମନ୍ତ୍ରୀ


ବିଜୁ ଜନତା ଦଳ ଓଡିଶାର ସାଢେ ୪ କୋଟି ଓଡିଆଙ୍କ ବିକାଶ ପାଇଁ ୨୪ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଛି । ଚାଷୀ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସର୍ମପିତ ସେବା ଯୋଗାଇ ଆସୁଛି । ହିଞ୍ଜିଳିରୁ ୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟାରମ୍ଭ, ଆମ ହସପିଟାଲ, ପଞ୍ଚାୟତରେ ମୋ ବ୍ୟାଙ୍କ ସେବା, ମା’ ତାରାତାରିଣୀ , ସମଲେଶ୍ୱରୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଦି ଓଡିଆଙ୍କ ସ୍ୱାଭିମାନ ଓ ବିକାଶର ପରିଚୟ ସୃଷ୍ଟି କରିଛି । ହିଞ୍ଜିଳିରୁ ସମସ୍ତ ବିକାଶ ପ୍ରକ୍ରିୟାର ଆରମ୍ଭ ହୋଇ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି । 

ମହିଳାଙ୍କ ପାଇଁ ୦% ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ, ବିଏସକେୱାଇ କାର୍ଡରେ ମହିଳା ଓ ସଦସ୍ୟଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା, ସ୍ୱଂୟମ ଯୋଜନାରେ ୧୮ରୁ ୩୫ ବର୍ଷ ଯୁବବର୍ଗଙ୍କୁ ରୋଜଗାର ପନ୍ଥା , ଶିକ୍ଷାକ୍ଷେତ୍ରରେ ଯୁବବର୍ଗଙ୍କୁ ଛାତ୍ରବୃତ୍ତି ଆଦି ବହୁ ଲୋକହିତକର ଯୋଜନା କାର୍ଯ୍ୟକାରୀ କରାଯାଇଛି ।


୨୦୨୪ ସୁଦ୍ଧା ଆମ ଓଡିଶା- ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଏବଂ ୧ନଂ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ୫ଟି ରୂପାନ୍ତରଣ ଉପକ୍ରମ ଅନୁସାରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଦୃତଗତିରେ ଆଗେଇ ଚାଲିଛି । ସ୍କୁଲ, ମନ୍ଦିର, ଧର୍ମାନୁଷ୍ଠାନ ଗୁଡିକୁ ବିକଶିତ କରାଯାଇ ଲୋକଙ୍କ ସେବାରେ ସମର୍ପିତ କରାଯାଇଛି । 


ଏହି ବିକାଶ ଧାରାକୁ ବିରୋଧୀ ଆଦୌ ସହ୍ୟ କରିପାରୁ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆୟୋଜିତ ସଭାରେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଥିଲେ । ସେମାନଙ୍କ ଏହି ଉଦ୍ୟମ କେବେ ସଫଳ ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଓଡିଶାର ବିକାଶ ପ୍ରକ୍ରିୟାକୁ ଜାଣିଶୁଣି ବିରୋଧ କରିବା ସହ ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁମତ ହାସଲ କରିବ ବୋଲି ସେ, ଆଶାବ୍ୟକ୍ତ କରିଥିଲେ ।

ଓଡିଶାର ବିକାଶକୁ ଶିଖରରେ ପହଞ୍ଚାଇବା ପାଇଁ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ନିଜ ସପକ୍ଷରେ ଓ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଲକ୍ଷାଧିକ ଭୋଟରେ ବିଜୟୀ କରିବାକୁ ଭୋଟରଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । 

ବୁଧବାର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସିଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୧୦.୪୫ମି ସମୟରେ ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟସ୍ଥ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ଉଚ୍ଛ୍ବସତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା । ସଭାମଞ୍ଚରେ ଏକ ବିରାଟ ପୁଷ୍ପଗୁଚ୍ଚ ପ୍ରଦାନ କରି ସ୍ୱାଗତ କରାଯାଇଥିଲା ।


ମୁଖ୍ୟମନ୍ତ୍ରୀଙ୍କ ସହ ଆମ ଓଡିଶା- ନବୀନ ଓଡିଶା ଅଧ୍ୟକ୍ଷ ତଥା ବିଜେଡିର ଷ୍ଟାର କ୍ୟମ୍ପେନର ଭି. କାର୍ତ୍ତିକେୟାନ ପାଣ୍ଡିଆନ, ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଆସିକା ଲୋକସଭା ପ୍ରାର୍ଥୀନୀ ରଞ୍ଜିତା ସାହୁ, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୌରାଧ୍ୟକ୍ଷ ସୁବାଷ ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଓଆରଏଚଡିସି ଅଧ୍ୟକ୍ଷ ଡି. ବିଶ୍ୱନାଥ, ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ବି. ଗିତାଞ୍ଜଳି, ପ୍ରିତି ସାହୁ, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ମନୋଜ ସାବତ, କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ ମହାରଣା, ରଣପୁର ପର୍ଯ୍ୟବେକ୍ଷକ ନିଳମଣି ପଟ୍ଟନାୟକ ପ୍ରମୁଖ ନେତୃମଣ୍ଡଳୀ ମଞ୍ଚାସିନ ଥିଲେ ।

ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ କରାଇ ୬ଷ୍ଠ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିବା ଏବଂ ସର୍ବ କନିଷ୍ଠ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ମଞ୍ଚାସିନ ଅତିଥି ବୃନ୍ଦ ଆହ୍ୱାନ ଦେଇଥିଲେ । ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସେଠି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପୌରାଧ୍ୟକ୍ଷ ଶ୍ରୀ ପୋଲେଇ ଧନ୍ୟବାଦ ଅର୍ପଣ କରିଥିଲେ । 

ଆୟୋଜିତ କାର୍ଯ୍ୟକ୍ରମରେ ଏନ. ରଘୁନାଥ, ପ୍ୟାରମୋହନ ପାଢି, ବିଭୁ ପ୍ରସାଦ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ଶିବରାମ ଗୌଡ, ହୃଦୟାନନ୍ଦ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ପୂର୍ବତନ ସରପଞ୍ଚ, ସମିତିସଭ୍ୟ, କାଉନସିଲର, ବହୁ ଦଳୀୟ କର୍ମୀଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷା ଦାୟିତ୍ୱରେ ପୁଲିସ ଆଇଜି ଜୟ ନାରାୟଣ ପଙ୍କଜ, ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଆଇ ଆଇ ସି ଶ୍ରୀନିବାସ ସେଠୀଙ୍କ ସମେତ ୨ଜଣ ଅତିରିକ୍ତ ଏସପି , ୫ଜଣ ଡିଏସପି, ୧୨ ଜଣ ଇନିସପେକ୍ଟର, ୭୮ ଜଣ ଏସଆଇ ଓ ୧୫ ପ୍ଳାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । 

COASTAL NEWS ODIA 1830 *ଖବର ଆଜିର*

COASTAL NEWS ODIA 1830

*ଖବର ଆଜିର* 



ଭୁବନେଶ୍ବର - (CNO) 
୧-ଭୁବନେଶ୍ୱର:ସି-ଭିଜିଲ ଆପ୍ଲିକେସନରେ ୩୮୭୩ ଅଭିଯୋଗ, ବ୍ୟାନର ଓ ପୋଷ୍ଟର ଉପରେ ସର୍ବାଧିକ ଅଭିଯୋଗ ଆଣିଲେ ଜନସାଧାରଣ।

୨-ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି,ଏହାପୂର୍ବରୁ ଲୋକଙ୍କ ମତାମତ ଲୋଡିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

୩-ବିଜେଡିରେ ମିଶିଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ,କଂଗ୍ରେସରେ ସାମିଲ ହେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ।

୪-ଘରକଳିରୁ ସିଧା ନିର୍ବାଚନ ମୈଦାନରେ ମୁହାଁମୁହିଁ, ଅନୁଭବଙ୍କ ବିରୋଧରେ ପ୍ରଚାର କରିବେ ବର୍ଷା ! 

୫-ଭୁବନେଶ୍ୱର: ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରୁ ୨୧ଜଣଙ୍କ ବୟସ ୪୦ ବର୍ଷରୁ କମ୍, ଯୁବଗୋଷ୍ଠୀଙ୍କୁ ଦଳର ପ୍ରାଧାନ୍ୟ।

୬-ଆଳି: ଝିଅର ନିର୍ବାଚନୀ ଖର୍ଚ୍ଚ ପାଇଁ ଘର ଡିହ ବିକି ଦେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା।

୭-ଭୁବନେଶ୍ୱର:୮୭ ସ୍ଥାନରେ ଜଳୁଛି ଜଙ୍ଗଲ,୯୯% ମନୁଷ୍ୟ କୃତ: ପ୍ରଧାନ ମୁଖ୍ୟ ବନ  ସଂରକ୍ଷକ।

୮-ବିଧାନସଭା ନିର୍ବାଚନ ପାଇଁ ୩୭ ସିଟ୍‌ରେ ଆପ୍‌ର ପ୍ରାର୍ଥୀ ଘୋଷଣା, ମାହାଙ୍ଗାରୁ ସାରଦା ପ୍ରସାଦ ଦାସ। ପାଟକୁରାରୁ ଅଶୋକ କୁମାର ତ୍ରିପାଠୀ ପ୍ରାର୍ଥୀ ଘୋଷଣା।

୯-ମାଲକାନଗିରି: ନିର୍ବାଚନ ପାଇଁ ଚିତ୍ରକୋଣ୍ଡାର ବଣ୍ଡାଘାଟୀ ସକ୍ରିୟ, ମତଦାନ କରିବେ ୫ ହଜାର ବଣ୍ଡା।

୧୦-୨୪ ନିର୍ବାଚନରେ ପୁଅଙ୍କ ପାଇଁ ସାରଥୀ ସାଜିଲେ ବାପା । ନିର୍ବାଚନ ଲଢ଼ୁଛନ୍ତି ପୁଅ, ପ୍ରଚାର କରି ଗୋଟି ଚଳାଉଛନ୍ତି ବାପା।

୧୧-ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର, ଦିନ ୨ଟା ୩୦ ସୁଦ୍ଧା ୪୩.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ।

୧୨-ଆରମ୍ଭ ହେଲା ନାମାଙ୍କନ । ମେ’ ୧୩ରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନ ପାଇଁ ପଡିବ ଭୋଟ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ କଲେ ନେତା।

୧୩-IPL:ସୂର୍ଯ୍ୟଙ୍କ ପରେ ବୁମରା-କୋଏତଜିଙ୍କ ଶାଣିତ ବୋଲିଂ, ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ମାତ୍ ଦେଲା ମୁମ୍ବାଇ।

୧୪-ପ୍ରଚଣ୍ଡ ତାତିରେ ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ପାୱାର କଟ୍, ମେଣ୍ଟେନାନ୍ସ ଆଳରେ ୨ରୁ ୩ ଘଣ୍ଟା ବିଜୁଳି ଗୁଲ୍।

୧୫-ଟିକେଟ୍‌ କଟିବା ପରେ ଏକାଠି ହେଲେ ସମର୍ଥକ; ଭାବବିହ୍ବଳ ହୋଇ କାନ୍ଦିଲେ ସମୀର ଦାଶ !

୧୬-କମିଶନରେଟ୍ ପୋଲିସ ହାତରେ ସାଇବର ଠକ, ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ,୪ ଗିରଫ।

୧୭-ଆଜି ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ।

୧୮-ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ କୁମାର ସିଂହ ସ୍ୱେଚ୍ଛାକୃତ ଅବସର ନେଲେ।

୧୯-ଦଶପଲ୍ଲା ଆଶିର୍ବାଦ ସମାବେଶରେ ଯୋଗ ଦେଇ ଭୋଟ୍ ଭିକ୍ଷା କଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ।

୨୦-ନୂଆଦିଲ୍ଲୀ:ECଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ EVM ତ୍ରୁଟି ଅଭିଯୋଗର ଅନୁଧ୍ୟାନ କର।

୨୧-କେଜ୍ରିୱାଲଙ୍କୁ ମିଳିବ କି ‘ୱାର୍କ ଫ୍ରମ୍‌ ଜେଲ୍‌’ ଅନୁମତି, ହାଇକୋର୍ଟରେ କଲେ ଗୁହାରୀ

୨୨-ପୁଣି ସମସ୍ୟାରେ ଅଭିନେତ୍ରୀ ଶିଳ୍ପା ସେଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା । ବିଟ କଏନ ସ୍କାମ ମାମଲାରେ ରାଜଙ୍କ ୯୮କୋଟି ମୂଲ୍ୟର ସମ୍ପତି ଜବତ।

    

Monday, April 22, 2024

COASTAL NEWS ODIA 1828 ମାହାଙ୍ଗା ଡବଲ ମର୍ଡର ମାମଲା; ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

COASTAL NEWS ODIA 1828

ମାହାଙ୍ଗା ଡବଲ ମର୍ଡର ମାମଲା; ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ


ଭୁବନେଶ୍ବର (CNO) ମାହାଙ୍ଗା ଡବଲ ମର୍ଡର ମାମଲା । ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପ୍ରତାପ । ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ତଳ କୋର୍ଟ ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅଭିଯୋଗକାରୀ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ 13 ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । 13 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 9 ଜଣ ଗିରଫ ହୋଇଥିଲେ । ଏତଲା ଅନୁଯାୟୀ 13 ତମ ଅଭିଯୁକ୍ତ ଥିଲେ ବିଧାୟକ ପ୍ରତାପ ଜେନା । ହେଲେ ପରବର୍ତ୍ତୀ ସମୟରେ ବିଧାୟକଙ୍କ ନାଁକୁ ଏଫ୍‌ଆଇଆର୍‌ରୁ ହଟାଇ ଦିଆଯାଇଥିଲା । 

ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ରମାକାନ୍ତ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି ।

ସେହିବର୍ଷ ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ୩ ମାସ ସମୟ ଗଡ଼ାଇ ଚାଲିଥିଲା ପୋଲିସ୍‌ । ଏହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ସେହିବର୍ଷ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

COASTAL NEWS ODIA 1827 ଓଡିଶା ବିଧାନସଭା ନିର୍ବାଚନ: କେବେ ସରିବ ଟିକେଟ ଘୋଷଣା ? କୋଉଠୁ କୋଉ ଦଳ ଘୋଷଣା କରିନି ପ୍ରାର୍ଥୀ ?

COASTAL NEWS ODIA 1827

ଓଡିଶା ବିଧାନସଭା ନିର୍ବାଚନ: କେବେ ସରିବ ଟିକେଟ ଘୋଷଣା ? କୋଉଠୁ କୋଉ ଦଳ ଘୋଷଣା କରିନି ପ୍ରାର୍ଥୀ ? 


ଭୁବନେଶ୍ବର - (CNO) ରାଜ୍ୟରେ ଜଳବାୟୁ ରେ ଭିଷଣ ତାତି ପରିଲକ୍ଷିତ ହେଉଥିବାବେଳେ ରାଜ୍ୟରେ ରାଜନୀତି ତାତି ଭାରି ଜୋର ଧରିଛି । ନିର୍ବାଚନ ଆଉ କେଇଟା ଦିନ ବାକି ଥିବା ବେଳେ ପ୍ରାର୍ଥୀ ଘୋଷଣା ହୋଇନାହିଁ । ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି । 

ଅଧିକାଂଶ ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ ତଥାପି କେତେକ ଆସନରେ ବାକି ରହିଛି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା । କେବେ ସରିବ ଟିକେଟ ଘୋଷଣା ? ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଉଷ୍ମ ହେଉଛି ରାଜନୀତି । 

ଓଡ଼ିଶାରେ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଲୋକସଭା ନିର୍ବାଚନ ୨୦୨ ୪: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ, ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ୧୪୭ ଆସନରୁ ବିଜେଡି ଆହୁରି ୧୨ ଆସନରେ ପ୍ରାର୍ଥୀ ଘୋଷଣା କରିନି । 

ବିଜେପି ୧୬ ଏବଂ କଂଗ୍ରେସ ୯ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ନାହିଁ । ବିଜେଡି ଏହି ୧୨ ଆସନରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ଓଡ଼ିଶା ବିଧାନସଭା ନିର୍ବାଚନ: ରଘୁନାଥପାଲି ହିନ୍ଦୋଳ ଖଣ୍ଡପଡା ବେଗୁନିଆ ଖୋର୍ଦ୍ଧା ବାଙ୍ଗିରିପୋଷି ଭୋଗରାଇ ନୀଳଗିରି ବରି କୋରେଇ ବାଲିକୁଦା-ଏରସମା କାକଟପୁର ବିଜେପି ଏହି ୧୬ ଆସନରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଜୟପୁର ତେଲକୋଇ ଘଷିପୁରା ଚଂପୁଆ ହିନ୍ଦୋଳ ବାରବାଟୀ-କଟକ ବେଗୁନିଆ ଖୋର୍ଦ୍ଧା ଭୋଗରାଇ ବସ୍ତା ନୀଳଗିରି ଭଣ୍ଡାରୀପୋଖରୀ ବାସୁଦେବପୁର ବରି ସାଲେପୁର କେନ୍ଦ୍ରାପଡା 

କଂଗ୍ରେସ ଘୋଷଣା କରିନଥିବା ଆସନଗୁଡିକ ଛତ୍ରପୁର ପାଲଲହଡା ବାରବାଟୀ-କଟକ ଜଳେଶ୍ୱର ବାଲେଶ୍ୱର ସଦର ନୀଳଗିରି ବଡଚଣା ଜଗତସିଂହପୁର କାକଟପୁର ତିନି ପ୍ରମୁଖ ଦଳ ବାକିଥିବା ଆସନରେ କେବେ ପ୍ରାର୍ଥୀ ଘୋଷଣା କରୁଛନ୍ତି ତା'ଉପରେ ସମସ୍ତଙ୍କ ନଜର । 

ବିଜେପି ଓ ବିଜେଡି ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସର ଆହୁରି ୨ଟି ସିଟ୍ ବାକି ରହିଛି । କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ ।  ଆଜି ଆସିପାରେ ବିଜେଡି ଓ ବିଜେପିର ଥିବା ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । 
ବିଜେପି ୧୬, କଂଗ୍ରେସ ୯ଟି ଏବଂ ବିଜେଡି ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେଣୁ ଏବେବି ତିନି ଦଳର ଏହି ସବୁ ଆଶାୟୀ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଟିକେଟ୍ ନମିଳିବାରୁ ଅଭିନବ ପ୍ରତିବାଦ ।  ସଞ୍ଜଳି ମୁର୍ମୁଙ୍କୁ ଦଳ ବାଙ୍ଗିରିପୋଷିରୁ ଟିକେଟ୍ ଦେଇଥିବାବେଳେ ଏହାକୁ ପରିବର୍ତନ କରିବାକୁ ଦାବି କରିଛନ୍ତି ସମର୍ଥକ ।

Sunday, April 21, 2024

COASTAL NEWS ODIA 1826 ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା

COASTAL NEWS ODIA 1826

ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା


ଭୁବନେଶ୍ବର - (CNO) ଆଗାମୀ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ମୋଟ୍ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିବା ବେଳେ ପାଣ୍ଡିଆନଙ୍କ ନାମ ୨ୟ ଧାଡିରେ ରହିଛି । 

ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଲା । ନବୀନ ପଟ୍ଟନାୟକଙ୍କ ସମେତ ତାଲିକାରେ ରହିଛି ମୋଟ୍ ୪୦ ଜଣଙ୍କ ନାଁ । ତାଲିକାର ପ୍ରଥମ ସ୍ଥାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭି.କେ ପାଣ୍ତିଆନ୍ । ଲୋକସଭା ନିର୍ବାଚନ ୨୦୨୪ ଆସନ | ପ୍ରାର୍ଥୀ | 

 ଏଥର ପ୍ରଥମ ଥର ନିର୍ବାଚନୀ ମୈଦାନରେ ବିଧିବଦ୍ଧ ଭାବେ ନବୀନଙ୍କ ସହ ଭି,କେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିବ । ସରକାରଙ୍କ ଅନେକ ଯୋଜନାର ବାର୍ତ୍ତା ନେଇ ଜନତାଙ୍କ ପାଖରେ ପହଞ୍ଚିବେ ଦଳର ବରିଷ୍ଠ ନେତା ।

Thursday, April 18, 2024

COASTAL NEWS ODIA ଆକ୍ସନ ମୋଡରେ ଇଡି: ଜବତ କଲା ରାଜ କୁନ୍ଦ୍ରାଙ୍କ ୯୮ କୋଟିର ସମ୍ପତ୍ତି

COASTAL NEWS ODIA 1825

ଆକ୍ସନ ମୋଡରେ ଇଡି: ଜବତ କଲା ରାଜ କୁନ୍ଦ୍ରାଙ୍କ ୯୮ କୋଟିର ସମ୍ପତ୍ତି


ଭୁବନେଶ୍ବର _(CNO) ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଦୀର୍ଘଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଉଭୟଙ୍କୁ ଅନେକ ଥର କ୍ୟାମେରାରେ ଏକାଠି ସ୍ପଟ୍ କରାଯାଏ । ହେଲେ ବର୍ତ୍ତମାନ ଇଡି ଏହି ଦମ୍ପତିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରକୃତରେ, ମନି ଲଣ୍ଡରିଂ ମାମଲାରେ ଇଡି ଶିଳ୍ପା ଏବଂ ରାଜଙ୍କ 97 କୋଟି 79 ଲକ୍ଷ ଟଙ୍କା ସମ୍ପତ୍ତି ଜବତ କରିଛି।

ବାସ୍ତବରେ, ଇଡି ଦୀର୍ଘ ଦିନ ଧରି ଏହି ଘଟଣାର ଅନୁସନ୍ଧାନ କରିଆସୁଥିଲା। ଖବର ଅନୁଯାୟୀ, ଜବତ ହୋଇଥିବା ସମ୍ପତ୍ତିରେ ଜୁହୁରେ ଏକ ବଙ୍ଗଳା ଅନ୍ତର୍ଭୁକ୍ତ। ଯାହା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ନାମରେ ରହିଛି । ପୁଣେରେ ଅବସ୍ଥିତ ଆବାସିକ ବଙ୍ଗଳା ଏବଂ ଇକ୍ୱିଟି ସେୟାର ରାଜ କୁନ୍ଦ୍ରାଙ୍କ ନାମରେ ଅଛି । ଏହା ବ୍ୟତୀତ ଇଡି ରାଜ କୁନ୍ଦ୍ରାଙ୍କ ନାମରେ ରହିଥିବା କିଛି ସେୟାର ମଧ୍ୟ ଜବତ କରିଛି। ମନି ଲଣ୍ଡରିଂ ଆକ୍ଟ ଯଥା PMLA 2002 ଅଧୀନରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ଭାରତରେ କ୍ରିପ୍ଟୋକରେନ୍ସି ଏବଂ ବିଟକଏନ୍ ବ୍ୟବସାୟ କରିବା ଭାରତରେ ବେଆଇନ୍ ଅଟେ । ଏଥି ସହିତ, ଇଡି ଅଭିଯୋଗ କରିଛି ଯେ ରାଜ କୁନ୍ଦ୍ରା ବିଟକଏନ୍ ମାଧ୍ୟମରେ ବ୍ୟବସାୟ କରିଥିଲେ, ଯାହାର କାରବାରରେ ଜାଲିଆତି ହୋଇଥିଲେ।


ଅଭିଯୋଗ ହୋଇଥିଲା ଯେ, ଏହି ଘୋଟାଲାରେ ମାଷ୍ଟରମାଇଣ୍ଡଠୁ ରାଜ କୁନ୍ଦ୍ରା 285 ବିଟକଏନ୍ସ ପାଇଥିଲେ । ନିବେଶକଙ୍କୁ ପ୍ରତାରଣା କରି ଅମିତ ଭରଦ୍ୱାଜ ଏହି ବିଟକଏନ୍ ହାସଲ କରିଥିଲେ ଏବଂ ପରେ ଏହାକୁ ୟୁକ୍ରେନରେ ବିନିଯୋଗ କରିଥିଲେ । ଏହି ମାମଲାରେ ଇଡି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗିରଫ କରିଥିବା ନେଇ ସୂଚନା ରହିଛି ।

COASTAL NEWS ODIA 1824 ପ୍ରଭୁ ଶ୍ରୀ ରାମଙ୍କ ‘ସୂର୍ଯ୍ୟ ତିଳକ' ପଛର ବିନ୍ଧାଣୀ ଓଡିଆ ବୈଜ୍ଞାନିକ

COASTAL NEWS ODIA 1824

ପ୍ରଭୁ ଶ୍ରୀ ରାମଙ୍କ ‘ସୂର୍ଯ୍ୟ ତିଳକ' ପଛର ବିନ୍ଧାଣୀ ଓଡିଆ ବୈଜ୍ଞାନିକ


ନୂଆଦିଲ୍ଲୀ - (CNO) ଆଜି ଶ୍ରୀରାମ ନବମୀର ବିଶେଷ ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ଭଗବାନ ଶ୍ରୀ ରାମଙ୍କ କପାଳରେ ସୂର୍ଯ୍ୟ ତିଲକ ଲଗାଯାଇଥିଲା । ଏହି ଅଲୌକିକ ଦୃଶ୍ୟ ଭକ୍ତିରେ ଭରି ଥିଲା । ଭଗବାନ ଶ୍ରୀ ରାମଙ୍କ ସୂର୍ଯ୍ୟ ତିଲକ କାର୍ଯ୍ୟ କରିବା ମାତ୍ରେ ସମଗ୍ର ମନ୍ଦିର ପରିସର ଶ୍ରୀ ରାମଙ୍କ ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା। 

ବୁଧବାର ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟ କିରଣ ଅଯୋଧ୍ୟାରେ ରାମ ଲାଲାଙ୍କ କପାଳରେ ପଡ଼ିଛି । ଦର୍ପଣ ଏବଂ ଲେନ୍ସ ଦ୍ୱାରା ନିର୍ମିତ ଏକ ବିସ୍ତୃତ ଯନ୍ତ୍ର ଦ୍ୱାରା ସୂର୍ଯ୍ୟ ଦେବତାଙ୍କର କିରଣର ଏକ ଧାର ଆସି ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ 'ସୂର୍ଯ୍ୟ ତିଲକ' ପାଲଟିଛି । ଏହି ଅଭିନବ ସୂର୍ଯ୍ୟ ତିଳକ ଏକ ବୈଜ୍ଞାନିକ ପଦ୍ଧତିରେ ତିଆରି କରାଯାଇଛି ।  

ଏହି ନିଆରା କୌଶଳ ପଛର ବିନ୍ଧାଣୀ ହେଉଛନ୍ତି ଓଡିଆ ବୈଜ୍ଞାନିକ ସରୋଜ କୁମାୀର ପାଣିଗ୍ରାହୀ । ତାଙ୍କ ନେତୃତ୍ୱରେ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ)ର ଏକ ଟିମ୍ ରାମ ମନ୍ଦିରରେ ନିଆରା 'ସୂର୍ଯ୍ୟ ତିଲକ' ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । ସୂର୍ଯ୍ୟ କିରଣ , ଦର୍ପଣ ଓ ଲେନ୍ସ ସାହାଯ୍ୟରେ ଏହି ନିଆରା ପ୍ରୋଜେକ୍ଟ କାମ କରିବ । କିନ୍ତୁ ଏଥିରେ ବିଦ୍ୟୁତ, ବ୍ୟାଟେରୀ, ଲୁହା ଓ ଇସ୍ପାତ ର ବ୍ୟବହାର ହୋଇନାହିଁ ।   

ଏହି ଓଡିଆ ବୈଜ୍ଞାନିକ ସରୋଜ କୁମାୀର ପାଣିଗ୍ରାହୀ । ସରୋଜ ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗୌରାଙ୍ଗ ପାଣିଗ୍ରାହୀ ଓ ହେମଲତା ପାଣିଗ୍ରାହୀଙ୍କ ସୁପୁତ୍ର । ନିଜ ଗାଁ ସ୍କୁଲରୁ ସ୍କୁଲ ଶିକ୍ଷା ଶେଷ କରିଥିଲେ । ସେ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ବିଟେକ୍ ଓ ରାଉରକେଲାର ରିଜିଓନାଲ ଇଞ୍ଜିନିୟରିଂ କଲେଜ (ଆରଇସି)ରୁ ଏମଟେକ୍ କରିଥିଲେ । ସରୋଜ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି), ରୁରକିରୁ ପିଏଚଡି କରିବା ପରେ ସିବିଆରଆଇରେ ବୈଜ୍ଞାନିକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । 

ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ

COASTAL NEWS ODIA 1823

ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ: ବିଜୁ ପଟ୍ଟନାୟକ ଓ ଇଣ୍ଡୋନେସିଆର ସ୍ୱର୍ଣ୍ଣିମ ଇତିହାସର 


ଭୁବନେଶ୍ବର - (CNO) ବିଜୁବାବୁ ଥିଲେ ଝଡର ଇଗଲ। ସେ ଥିଲେ କୋଟି କୋଟି ଓଡିଆଙ୍କ ପ୍ରିୟ ନେତା। ସେଥିଲେ ଏକାଧାରରେ ରାଜନେତା, ସ୍ଵାଧୀନତା ସଂଗ୍ରାମୀ, ଯୁଦ୍ଧ ବିଶାରଦ ପାଇଲଟ, ବିଚକ୍ଷଣ ପ୍ରତିଭାର ଅଧିକାରୀ ତଥା ପ୍ରବାଦ ପୁରୁଷ। ଯାହାଙ୍କ ନାମ ସ୍ମରଣ ମାତ୍ରେ ଓଡିଆ ସ୍ଵାଭିମାନର ଶାଣିତ ସ୍ଵର ମନରେ ଗୁଞ୍ଜରିତ ହୁଏ, ଭୂମିପୁତ୍ରଙ୍କୁ ଆଜି ଝୁରୁଛି ସାରା ଦେଶ । 

ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟର କୋଣ ଅନୁକୋଣରେ ହେଉଛି ତାଙ୍କ ସ୍ମୃତିଚାରଣ ।  ବିଜୟାନନ୍ଦ ପଟ୍ଟନାୟକ.... ଲୋକେ ତାଙ୍କୁ ବିଜୁ ପଟ୍ଟନାୟକ ନାଁରେ ଜାଣନ୍ତି । ସେ ଏକାଧାରାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ ଏବଂ ଜଣେ ମହାନ ରାଜନେତା । ଆଧୁନିକ ଓଡିଶାର ଥିଲେ ସେ ବିନ୍ଧାଣୀ । ଏହା ସହ ଅନ୍ତର୍ଜାତୀୟ ସ୍ତରରେ ବି ବେଶ୍ ଖ୍ୟାତି ଅର୍ଜମ କରିଥିଲେ ବିଜୁ ବାବୁ । ଯେଉଁଥିଲାଗି ସେ ସର୍ବଦା ସ୍ମରଣୀୟ । 

ଭାରତର ସ୍ୱାଧୀନତା ସଂଗ୍ରାମରେ ଜବାହରଲାଲ ନେହେରୁ ଏବଂ ବିଜୁ ପଟ୍ଟନାୟକଙ୍କ ବନ୍ଧୁତା ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ବୋଲି ଆଜି ବି ବିବେଚନା କରାଯାଏ । ଓଡିଶାର ସବୁଠାରୁ ଲୋକପ୍ରିୟ ରାଜନେତା ଭାବରେ ପରିଗଣିତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାରେ ସମସ୍ତେ ସମ୍ବୋଧନ କରନ୍ତି ବିଜୁ ବାବୁ। ଝଡର ଇଗଲ, ଟଲ ମ୍ୟାନ, ଭୂମି ପୁତ୍ର ତଥା ପ୍ରବାଦ ପୁରୁଷ ଭାବରେ ବେଶ ପରିଚିତ ବିଜୁ ବାବୁ। ତାଙ୍କର ସବୁଠାରୁ ବଡ ପରିଚୟ ହେଉଛି ସେ ଥିଲେ ସ୍ଵାଭିମାନୀ ଓଡିଆ। ଓଡିଶା ପାଇଁ ଅତ୍ୟନ୍ତ ସଂବେଦନଶୀଳ ତଥା ଗମ୍ଭୀର ଥିବା ବିଜୁ ବାବୁଙ୍କ ଜୀବନ ଥିଲା ଅତ୍ୟନ୍ତ ତ୍ୟାଗପୂର୍ଣ ଏବଂ ପ୍ରେରଣାପ୍ରଦ। 

ଆଧୁନିକ ଓଡିଶାର ଇତିହାସର ପୃଷ୍ଠା ଓଲଟାଇଲେ ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ବିଜୁ ବାବୁଙ୍କ ଅବଦାନର ସ୍ଵାକ୍ଷର ନଥିବ। ଶିଳ୍ପ, ସାହିତ୍ଯ, ଶିକ୍ଷା, ଭିତ୍ତିଭୂମି, ସଡକ, ବନ୍ଦର ଏବଂ ଏପରିକି ରେଳପଥ ଏହି ସମସ୍ତ କ୍ଷେତ୍ର ଆଜି ଯଦି ବିକାଶର ଧାରାରେ ଯୋଡି ହୋଇଛି, ତେବେ ସେଥିରେ ବିଜୁ ବାବୁଙ୍କ ଆଖି ଦୃଶିଆ ଅବଦାନ ରହିଛି। ୧୯୧୬ ମାର୍ଚ୍ଚ ୫ରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଆଶାଲତା ଦେବୀଙ୍କର କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ପୁତ୍ର ବିଜୟାନନ୍ଦ ପଟ୍ଟନାୟକ ଜନ୍ମ ହୋଇଥିଲା। ବିଜୁ ବାବୁ କଟକ ମିଶନ୍ ସ୍କୁଲ ଓ ରେଭେନ୍ସା କଲିଜିଏଟରେ ପାଠ ପଢ଼ି ୧୯୩୨ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କଲେ। ପିଲାଟିଦିନରୁ ସେ ନିର୍ଭୀକ, ଦୁଃସାହସିକ ଓ ଖେଳପ୍ରିୟ ଥିଲେ। ୧୯୩୫ରେ ବିମାନ ଚାଳନା ଶିକ୍ଷା ପାଇଁ ସେ ଦିଲ୍ଲୀ ଗଲେ। ଶିକ୍ଷା ପରେ ଲାଇସେନ୍ସ ପାଇ ଭାରତୀୟ ଜାତୀୟ ଏଆର୍‌ଓଏଜ୍‌ରେ ପାଇଲଟ୍ ଚାକିରି କଲେ। 


ପାଇଲଟ୍ ତାଲିମ ନେଉଥିବା ସମୟରେ ସେ ମହିଳା ସାଥି ଜ୍ଞାନଙ୍କୁ ଜାଣିଲେ। ରାଉଲପିଣ୍ଡିର ଶିଖ୍ ପରିବାରର ଝିଅ ଥିଲେ ଜ୍ଞାନ। ସେ ଦେଶରେ ପାଇଲଟ୍ ଲାଇସେନ୍ସ ପାଇବାରେ ପ୍ରଥମ ମହିଳା। ୧୯୩୯ରେ ଉଭୟଙ୍କର ବିବାହ ହେଲା। ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି ବିଜୁ ପଟ୍ଟନାୟକ। 

ପ୍ରାଚୀନ କାଳରୁ ଭାରତ ଏବଂ ଇଣ୍ଡୋନେସିଆର ସାଂସ୍କୃତିକ ସମ୍ପର୍କ ରହିଆସିଛି, ତେଣୁ ନେହେରୁ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଆଗ୍ରହୀ ଥିଲେ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଉପନିବେଶବାଦ ବିରୁଦ୍ଧରେ ଥିଲେ ଏବଂ ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆକୁ ଡଚ୍ ମାନଙ୍କଠାରୁ ମୁକ୍ତ କରିବାରେ ସାହାଯ୍ୟ କରିବାର ଦାୟିତ୍ୱ ଦେଇଥିଲେ । ନେହେରୁ ଇଣ୍ଡୋନେସିଆ ଯୁଦ୍ଧବିମାନକୁ ଡଚ୍ ମାନଙ୍କଠାରୁ ରକ୍ଷା କରିବାକୁ କହିଥିଲେ । ନେହେରୁଙ୍କ ନିର୍ଦ୍ଦେଶରେ ବିଜୁ ପଟ୍ଟନାୟକ ପାଇଲଟ ଭାବରେ 1948 ମସିହାରେ ଡାକୋଟା ବିମାନ ସହିତ ସିଙ୍ଗାପୁର ଦେଇ ଜାକର୍ତ୍ତା ପହଞ୍ଚିଥିଲେ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବଞ୍ଚାଇବା ପାଇଁ ଏଠାରେ ସେ ପହଞ୍ଚିଥିଲେ । 

ଇଣ୍ଡୋନେସିଆର ବାୟୁସେନାରେ ପ୍ରବେଶ କଲାବେଳେ ଡଚ୍ ସେନା ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା । ପଟ୍ଟନାୟକଙ୍କୁ ଜାକର୍ତ୍ତା ନିକଟରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ସେଠାରେ ସେ ଜାପାନ ସେନାର ଅବଶିଷ୍ଟ ଇନ୍ଧନ ବ୍ୟବହାର କରିଥିଲେ । ଏହା ପରେ ସେ ବିଦ୍ରୋହୀ ଅଞ୍ଚଳକୁ ପ୍ରବେଶ କରିଥିଲେ ଏବଂ ସେ ତାଙ୍କ ସହ ଦିଲ୍ଲୀକୁ ମୁଖ୍ୟ ବିଦ୍ରୋହୀ ସୁଲତାନ ଶାହିର ଏବଂ ସୁକର୍ଣ୍ଣୋଙ୍କୁ ନେଇ ଆସି ନେହେରୁଙ୍କ ସହ ଗୁପ୍ତ ସାକ୍ଷାତ କରାଇଥିଲେ । 

ଏହା ପରେ ଡକ୍ଟର ସୁକର୍ଣ୍ଣୋ ଆଜାଦ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । ଏହି ସାହସିକତା କାର୍ଯ୍ୟ ପାଇଁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆର ନାଗରିକତ୍ୱ ପ୍ରଦାନ କରାଯାଇଥିଲା ଏବଂ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ 'ଭୂମି ପୁତ୍ର' ପ୍ରଦାନ କରାଯାଇଥିଲା । ବହୁତ କମ୍ ବିଦେଶୀଙ୍କୁ ଏହି ପୁରସ୍କାର ଦିଆଯାଏ । 

1996 ରେ, ଇଣ୍ଡୋନେସିଆ 50 ତମ ସ୍ୱାଧୀନତା ଦିବସ ପାଳନ କରିଥିଲା ଏବଂ ବିଜୁ ପଟ୍ଟନାୟକଙ୍କୁ ସର୍ବୋଚ୍ଚ ଜାତୀୟ ପୁରସ୍କାର 'ବିଣ୍ଟାଗ ଜାସା ଉତ୍କମ୍' ପ୍ରଦାନ କରାଯାଇଥିଲା । ଯେଉଁ ଦିନ ସୁକର୍ଣ୍ଣୋଙ୍କ ଝିଅ ଜନ୍ମ ହେଲା, ପ୍ରବଳ ବର୍ଷା ହେଉଥିଲା ଏବଂ ମେଘ ବଜ୍ରପାତ ହେଉଥିଲା, ସେଥିପାଇଁ ବିଜୁ ପଟ୍ଟନାୟକ ତାଙ୍କ ନାମ ମେଘାବତୀ ଦେବାକୁ ପରାମର୍ଶ ଦେଇଥିଲେ । 

ବିଜୁ ପଟ୍ଟନାୟକ ତିଦ୍ଦତ୍ ଏବଂ ଭାରତକୁ ବିମାନ ଚଳାଚଳ ସହିତ ସଂଯୋଗ କରିବାକୁ ଚେଷ୍ଟା କରିଥିଲେ । 1951 ମସିହାରେ ଚୀନ୍ ତିବ୍ଦତ ଦଖଲ ପୂର୍ବରୁ ସେ ଏହା କରିଥିଲେ, କିନ୍ତୁ ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ଅଭାବରୁ ସେ ବିଫଳ ହୋଇଥିଲେ । ଉତ୍କଳର ମୁକୁଟ ବିହୀନ ସମ୍ରାଟ, କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଦେହାବସାନ ହୋଇଥିଲା ୧୯୯୭, ଏପ୍ରିଲ୍ ୧୭ ତାରିଖରେ । 

Wednesday, April 17, 2024

COASTAL NEWS ODIA 1822 ପ୍ରାକ୍ ନିର୍ବାଚନ ସର୍ଭେ କେଉଁ ଦଳକୁ ପ୍ରତି ରାଜ୍ୟରେ କେତେ ଆସନ? ଓଡ଼ିଶାରେ କିଏ ଆଗରେ ?

COASTAL NEWS ODIA 1822

ପ୍ରାକ୍ ନିର୍ବାଚନ ସର୍ଭେ କେଉଁ ଦଳକୁ ପ୍ରତି ରାଜ୍ୟରେ କେତେ ଆସନ? ଓଡ଼ିଶାରେ କିଏ ଆଗରେ ? 


ଭୁବନେଶ୍ବର - (CNO) ଇଣ୍ଡିଆ ଟିଭି ସିଏନଏକ୍ସର ସର୍ଭେ ରିପୋର୍ଟ୍ ପ୍ରକାଶ ପାଇଛି । ବିଜେପି ନେତୃତ୍ଵାଧୀନ ଏନଡିଏ ୩୯୩ ଟି ଆସନରେ ବିଜୟ ହେବାର ସମ୍ଭାବନା ରହିଛି । ସେହିପରି I.N.D.I.A ମେଣ୍ଟ ୯୯ ସିଟ ପାଇବ ବୋଲି ଆକଳନ ହୋଇଛି । 

ସର୍ଭେ ରିପୋର୍ଟ 
ତେଲେଙ୍ଗାନା - 
ବିଜେପି: ୬, କଂଗ୍ରେସ : ୮, ଅନ୍ୟାନ୍ୟ: ୪ 
ଆନ୍ଧ୍ର - 
ବିଜେପି +: ୧୫ , କଂଗ୍ରେସ୍: ୦, ୱାଇଏସଆରସି: ୧୦ 
କେରଳ - 
ବିଜେପି: ୩, କଂଗ୍ରେସ୍ +: ୧୧, ଲେଫ୍ଟ +: ୬ 


ତାମିଲନାଡୁ - 
ବିଜେପି: ୪, ବିଜେପି ସହଯୋଗୀ: 
୨, ଡିଏମକେ: ୧୭, କଂଗ୍ରେସ୍: ୮, ଏଡିଏମକେ: ୪ 
ପଞ୍ଜାବ - 
ବିଜେପି: ୩, କଂଗ୍ରେସ୍: ୧, ଆପ: ୮, ଅକାଳି ଦଳ: ୧ 

କର୍ଣ୍ଣାଟକ - 
ବିଜେପି +: ୨୩, କଂଗ୍ରେସ୍: ୫ 

ମହାରାଷ୍ଟ୍ର - 
ବିଜେପି +: ୩୯, କଂଗ୍ରେସ୍: + ୯ 

ଗୁଜୁରାଟ - 
ବିଜେପି: ୨୬, କଂଗ୍ରେସ୍: ୦ 

ରାଜସ୍ଥାନ - 
ବିଜେପି: ୨୫, କଂଗ୍ରେସ୍: ୦ ସାଂସଦ - ବିଜେପି: ୨୮, କଂଗ୍ରେସ୍: ୧ 


ଛତିଶଗଡ - 
ବିଜେପି: ୧୧, କଂଗ୍ରେସ୍: ୦ 

ଗୋଆ - 
ବିଜେପି: ୨, କଂଗ୍ରେସ୍: ୦ 

ବିହାର - 
ବିଜେପି +: ୩୪ , ଆର୍ଜେଡି + ୬ 

ଉତ୍ତରପ୍ରଦେଶ - 
ବିଜେପି +: ୭୬, ଏସପି + ୪ 

ପଶ୍ଚିମବଙ୍ଗ - 
ବିଜେପି: ୨୩, କଂଗ୍ରେସ୍: ୦, ଟିଏମସି: ୧୯ 

ଓଡ଼ିଶା - 
ବିଜେପି: ୧୧ ବିଜେଡି: ୧୦ 

ଝାଡଖଣ୍ଡ- 
ବିଜେପି +: ୧୩, କଂଗ୍ରେସ୍: ୦ , ଜେଏମଏମ: ୧ 

ହରିୟାଣା - 
ବିଜେପି: ୮, କଂଗ୍ରେସ୍: ୨ 

ଦିଲ୍ଲୀ - 
ବିଜେପି: ୭, କଂଗ୍ରେସ୍: ୦ 

ଆସାମ - 
ବିଜେପି +: ୧୨, 
କଂଗ୍ରେସ୍: ୧, ଏଆଇୟୁଡିଏଫ୍: ୧ 

COASTAL NEWS ODIA 1821 ରାମ ନବମୀ ରାଲିକୁ ନେଇ ଟିଏମସି ଉପରେ ମୋଦିଙ୍କ ବୟାନ, କହିଲେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହାକୁ ବିରୋଧ କରାଯାଇଥିଲା

COASTAL NEWS ODIA 1821

ରାମ ନବମୀ ରାଲିକୁ ନେଇ ଟିଏମସି ଉପରେ ମୋଦିଙ୍କ ବୟାନ, କହିଲେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହାକୁ ବିରୋଧ କରାଯାଇଥିଲା


କୋଲକତା - (CNO) ଆସନ୍ତାକାଲି ହେଉଛି ରାମ ନବମୀ । ରାମଙ୍କ ପାଇଁ ସାରା ଦେଶ ଏବେ ଉତ୍ସବ ମୁଖର । ଆସନ୍ତାକାଲି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କୁ ପୂଜା କରିବେ ଭକ୍ତ ମାନେ । ଆଉ ବର୍ତ୍ତମାନ ଠିକ୍ ରାମ ନବମିର ଦିନକ ପୂର୍ବରୁ ମମତା ବାନାର୍ଜିଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ।


ସେ ମଙ୍ଗଳବାର ପଶ୍ଚିମବଙ୍ଗର ବାଲୁରଘାଟରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ରାଜ୍ୟର ଟିଏମସି ସରକାରଙ୍କୁ କରିଥିଲେ ଟାର୍ଗେଟ । ରାମନବମୀ ଏବଂ ରାମଲାଲାଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିବ ଯେ ରାମନବମିରେ ରାମଲାଲା ଅଯୋଧ୍ୟାରେ ଥିବା ତାଙ୍କ ମହାନ ମନ୍ଦିରରେ ପୂଜା ପାଇବେ ।


ମୁଁ ଜାଣେ ଯେ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ମମତା ସରକାର ରାମ ନବମୀ ଉତ୍ସବକୁ ବନ୍ଦ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛନ୍ତି । ସମାରୋହକୁ ବନ୍ଦ କରିବା ପାଇଁ ସେମାନେ ଅନେକ ଷଡଯନ୍ତ୍ର ରଚିଛନ୍ତି । କିନ୍ତୁ ସତ୍ୟ ସର୍ବଦା ଜିତେ । ତେଣୁ ରାମ ନବମୀ ପଦଯାତ୍ରା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଆସନ୍ତାକାଲି ରାମ ନବମୀ ଅବସରରେ ପୂର୍ଣ୍ଣ ଭକ୍ତି ଓ ଶ୍ରଦ୍ଧାର ସହିତ ଏକ ବିଶାଳ ଶୋଭାଯାତ୍ରା କରାଯିବ । ଏହି ଅବସରରେ ମୁଁ ବଙ୍ଗଳାର ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି ।

COASTAL NEWS ODIA ପ୍ରାର୍ଥୀ ବଦଳାଇଲା ବିଜେପି, ସୁରମାଙ୍କ ଉପରେ ଆସ୍ଥା

COASTAL NEWS ODIA 1820

 ପ୍ରାର୍ଥୀ ବଦଳାଇଲା ବିଜେପି, ସୁରମାଙ୍କ ଉପରେ ଆସ୍ଥା 


ଭୁବନେଶ୍ବର - (CNO) ଆଜି ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୂର୍ବରୁ ବିଜେପି ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଆଉ ୨୧ ଜଣଙ୍କ ନାଁ ଘୋଷଣା କରିଛି । ଏଥିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମଧ୍ୟ ଦଳ ରାଉରକେଲାରୁ ପ୍ରାର୍ଥୀ କରିଛି । ତେବେ ଘୋଷଣା କରିଥିବା ୨୧ଟି ଆସନ ମଧ୍ୟରୁ ୨ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । 

ରଣପୁର ଓ ପଟାଙ୍ଗୀ ଆସନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିଛି । ପୂର୍ବରୁ ବିଜେପି ପକ୍ଷରୁ ୧୧୨ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରଣପୁରରେ ତାପସ ରଞ୍ଜନ ମାର୍ଥାଙ୍କୁ ମୈଦାନକୁ ଓହ୍ଲାଇଥିଲା । ରଣପୁରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଆଶାୟୀ ଥିଲେ ମଧ୍ୟ ତାଙ୍କ ଟିକେଟ କାଟିଥିଲା ଦଳ । ଯାହାକୁ ନେଇ ତୃଣମୂଳସ୍ତରରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । 

ସୁରମାଙ୍କ ଭଳି ଅନୁଭବୀ ନେତାଙ୍କ ବଦଳରେ ଅନ୍ୟ କିଏ ପ୍ରାର୍ଥୀ ହେଲେ ଦଳ ଆଶାନୁରୂପକ ପ୍ରଦର୍ଶନ କରିପାରିବନି କର୍ମୀ ମାନେ ସ୍ପଷ୍ଟ କରିଥିଲେ । ଯାହାଫଳରେ ପୁଣିଥରେ ରଣପୁର ଆସନକୁ ନେଇ ତର୍ଜମା କରିଥିଲା ଦଳ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସୁରମାଙ୍କ ଉପରେ ଭରସା କରିଛି । କେବଳ ରଣପୁର ନୁହେଁ ପଟାଙ୍ଗୀ ଆସନରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି । 
ପୂର୍ବରୁ ପଟାଙ୍ଗୀ ଆସନ ପାଇଁ ଚୈତନ୍ୟ ହନ୍ତଳଙ୍କୁ ପ୍ରାର୍ଥୀ କରିଥିଲା ଦଳ । ତେବେ ଆଜି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ଚୈତନ୍ୟଙ୍କ ବଦଳରେ ଚୈତନ୍ୟ ନନ୍ଦିବାଲୀଙ୍କୁ ଦଳ ମୈଦାନକୁ ଓହ୍ଲାଇଛି । ଏବେ ସୁଦ୍ଧା ଦଳ ୧୩୧ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆହୁରି ୧୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

COASTAL NEWS ODIA 1819 ଘାଟିରେ ଓଲଟିଲା ଅଟୋ; ୨୦ରୁ ଊର୍ଦ୍ଧ୍ବ ଆହତ, ୬ ଗୁରୁତର

COASTAL NEWS ODIA 1819

ଘାଟିରେ ଓଲଟିଲା ଅଟୋ; ୨୦ରୁ ଊର୍ଦ୍ଧ୍ବ ଆହତ, ୬ ଗୁରୁତର


ଦିଗପହଣ୍ଡି - (CNO) ଘାଟିରେ ଓଲଟିଲା ଅଟୋ । ୨୦ରୁ ଊର୍ଦ୍ଧ୍ବ ଆହତ ବାଙ୍କେଶ୍ବରୀ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ। ସମସ୍ତ ଆହତ ଆମ୍ବୁଲାନ୍ସରେ ଦିଗପହଣ୍ଡି ମେଡିକାଲ୍‌ ପହଞ୍ଚିଛନ୍ତି । ତେବେ ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।


ଆଜି ଅପରାହ୍ଣରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି । ଶେରଗଡ଼ କରଡ଼ାକଣା ଗାଁର ୨୦ରୁ ଊର୍ଦ୍ଧ୍ୱ ଲୋକ ଏକ ଡାଲା ଅଟୋରେ ବାଙ୍କେଶ୍ୱରୀ ଦେବୀଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ହେଲେ ଫେରିଲା ବେଳେ ଘାଟି ରାସ୍ତାରେ ଓଲଟିଲା ଡାଲା ଅଟୋ। ଯାହାଫଳରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି।


ମାଆଙ୍କ ଆଶୀର୍ବାଦ ନେଇ ଅପରାହ୍ଣରେ ସମସ୍ତେ ଘରକୁ ଫେରୁଥିଲେ। ହେଲେ ଘାଟି ରାସ୍ତାରେ ଡାଲା ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ୧୦୮ ଆମ୍ୱୁଲାନ୍ସରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି।

COASTAL NEWS ODIA 1818 ବଜ୍ରପାତରେ ଯୁବ ଉଦ୍ୟୋଗୀ ଙ୍କ ମୃତ୍ୟୁ

COASTAL NEWS ODIA 1818
ବଜ୍ରପାତରେ ଯୁବ ଉଦ୍ୟୋଗୀ ଙ୍କ ମୃତ୍ୟୁ 


ଆଳି - (CNO) କେନ୍ଦ୍ରାପଡା : ରାଜ୍ୟରେ ଗ୍ରୀଷ୍ମ ପବ୍ରାହ ଜାରି ଥିବା ବେଳେ ଆଜି ଅପରାହ୍‌ଣରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଭାଙ୍ଗିବା ଯୋଗୁଁ ବିଦ୍ୟୁତ ସରବହାର ବିଚ୍ଛିନ୍ନ ରହିଛି । ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪ଜଣଙ୍କ ମୃତ୍ୟୁ ଘଟିଛି । 

ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣଙ୍କ ମୃତ୍ୟୁ ହେବା ସହ କୁଣ୍ଡିଲୋରେ ବଜ୍ରାଘାତରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଆଳି ଶାଳିଅଞ୍ଚ ଭେଡାରେ ବଜ୍ରାଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ହଠାତ୍ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରାଘାତ ଆଳି ଅଞ୍ଚଳ ରେ ଅନୁଭୂତ ହୋଇଥିଲା l କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଶାଳିଅଞ୍ଚ ଗ୍ରାମର ବିଷ୍ଣୁ ଚରଣ ବେହେରା ଙ୍କ ପୁତ୍ର ଅନୀଲ କୁମାର ବେହେରା,  ଙ୍କ ଆଜି ତା ୧୬/୦୪/୨୦୨୪ରିଖ ସମୟ ପ୍ରାୟ ଘ ୪.୩୦ମି: ସମୟରେ ବଜ୍ରାଘାତ ରେ ଅକାଳ ବିୟୋଗ ଘଟିଛି। 


ସେ ତାଙ୍କର ଚିଙ୍ଗୁଡି ଘେରି କୁ ଯାଇଥିବା ବେଳେ ହଠାତ୍ତା ବଜ୍ରପାତ ହେବାରୁ ଘଟଣାସ୍ଥଳରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିଲା l ତାଙ୍କର ସ୍ତ୍ରୀ ଏବଂ ଦୁଇଟି ଶିଶୁ କନ୍ୟା ଅଛନ୍ତି। ତାଙ୍କର ଅକାଳ ମୃତ୍ୟୁ ରେ ଶାଳିଅଞ୍ଚ ଗ୍ରାମ ନିସ୍ତବ୍ଦ ଓ ଆଳି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।  

Tuesday, April 16, 2024

COASTAL NEWS ODIA 1817 ଆସିଲା ବିଜେପି ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ

COASTAL NEWS ODIA 1817

ଆସିଲା ବିଜେପି ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ


ଭୁବନେଶ୍ବର - (CNO) ଆସିଲା ବିଜେପି ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା । ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ରାଉରକେଲା ଆସନରୁ ଦଳ ଟିକେଟ୍ ଦେଇଛି ।


ସେହିପରି ରାଉରକେଲା - ଦିଲ୍ଲୀପ ରୟ
ପାଟଣା -ଅଖିଲ ଚନ୍ଦ୍ର ନାୟକ
ସାରସକଣା- ଭାଦବ ହାଁସଦା
ରାଇରଙ୍ଗପୁର- ଜୋଲେନ ବରଦା
ବାଙ୍ଗିରିପୋଷ-ସଞ୍ଜଳୀ ମୁର୍ମୁ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ,
ଝରିଗାଁ- ନରସିଂହ ଭତ୍ରା
ଡାବୁଗାଁ- ସୋମନାଥ ପୂଜାରୀ
ରାଜନଗର- ଲଳିତ ବେହେରା
ବାଲିକୁଦା-ଏରସମା ସତ୍ୟସାରଥି ମହାନ୍ତି
ଜଗତସିଂହପୁର- ଅମରେନ୍ଦ୍ର ଦାଶ
କାକଟପୁର- ବାଇଧର ମଲ୍ଲିକ
ରଣପୁର- ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
ରାୟଗଡ଼ା- ବସନ୍ତ ଉଲାକା
ଲକ୍ଷ୍ମୀପୁର- କୈଳାସ କୁଲେସିକା
କୋଟପାଡ- ରୁପୁ ଭତ୍ରା
ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡା- ଡମ୍ବରୁ ଶିଶା

COASTAL NEWS ODIA 1816 ବିଜେପିରେ ମିଶିଲେ ଭାଇରାଲ କାରଖାନା ଭାଉଜ; ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଖାଇବା ବିକ୍ରୀ ଚର୍ଚ୍ଚାରେ ଥିଲେ ଏହି ଦୁଇ ଯା

COASTAL NEWS ODIA 1816

ବିଜେପିରେ ମିଶିଲେ ଭାଇରାଲ କାରଖାନା ଭାଉଜ; ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଖାଇବା ବିକ୍ରୀ ଚର୍ଚ୍ଚାରେ ଥିଲେ ଏହି ଦୁଇ ଯା 



ଭୁବନେଶ୍ବର - (CNO) ବିଜେପିରେ ଭାଇରାଲ୍ ଭାଉଜ । ଭୁବନେଶ୍ୱରରେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା କାରଖନା ଭାଉଜ (ଦୁଇ ଯା') ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ଦୁଇ ଯା' ।

ଏବେ ରାମ ମନ୍ଦିର ନିକଟରେ କାର-ଖାନା ଖୋଲିଛନ୍ତି ଏହି ଦୁଇ ଯା' । ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଆସି ଖାଦ୍ୟ ବିକ୍ରି କରୁଥିଲେ । ଦୁଇ ଯା'ଙ୍କ କାରରେ ଖାଦ୍ୟ ବିକ୍ରି କରିବାକୁ ନେଇ ବେଶ୍ ବିବାଦ ମଧ୍ୟ ହୋଇଥିଲା ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଏହି ଦୁଇ ଯା' ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ଏବେ ଦୁଇ ଯା' ବିଜେପିରେ ସାମିଲ ହୋଇଛନ୍ତି ।

Monday, April 15, 2024

COASTAL NEWS ODIA 1815 ଯାଜପୁର ଜିଲ୍ଲାର କୁଆଖିଆ ନିକଟରେ ବସ୍ ଦୁର୍ଘଟଣା ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଖସିଲା ବସ୍

COASTAL NEWS ODIA 1815

ଯାଜପୁର ଜିଲ୍ଲାର କୁଆଖିଆ ନିକଟରେ  ବସ୍ ଦୁର୍ଘଟଣା 
ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଖସିଲା ବସ୍



ଯାଜପୁର - (CNO) ପୁରୀରୁ କୋଲକାତା ଯାଉଥିବାବେଳେ ବେଳେ ବସ ଦୁର୍ଘଟଣା ଯାଜପୁର ଜିଲ୍ଲାର କୁଆଖିଆ ନିକଟ NH 16 ବାରବାଟୀ ଛକ ନିକଟରେ ଦୁର୍ଘଟଣା ଓଲଟିଲା ବସ୍ ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ପଡିଲା ଆହତ ମାନଙ୍କୁ ଧର୍ମଶାଳା ହସ୍ପିଟାଲକୁ ସ୍ଥାନାନ୍ତର

ଯାଜପୁର କୁଆଖିଆରେ ଓଲଟିଲା ଯାତ୍ରୀବାହୀ ବସ୍ । ୪୦ରୁ ଅଧିକ ଆହତ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ପୋଲିସ ଓ ଅଗ୍ନିଶମ ବାହିନୀ କରୁଛନ୍ତି ରେସ୍କ୍ୟୁ । ଆହତମାନଙ୍କୁ ତୁରନ୍ତ ନିଆଯାଇଛି ଧର୍ମଶାଳା ହସ୍ପିଟାଲ । ବସ୍‌ ଟି ପୁରୀରୁ କୋଲକାତା ଯାଉଥିଲା l ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଛି । 

ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ସୂଚନା । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଘଟଣାସ୍ଥଳରେ ପ୍ରାଶାସନିକ ଅଧିକାରୀ ପହଞ୍ଚିଛନ୍ତି । ସ୍ଥାନୀୟ ଲୋକ ମାନେ ମଧ୍ୟ ସହାୟତା କରୁଛନ୍ତି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...